Unknown

 

 

 

 

 

 

 

 

 

ଶାସ୍ତି

କାହ୍ନୁ ଚରଣ

 

ଗୁଣୁପୁର, କୋରାପୁଟ

୦୬.୧୦.୪୫ (ମହାଳୟା)

 

ଅଶରୀରୀ,

 

ସଞ୍ଜ ପବନ ବଂଶାଧାରା ନଈ ସେପାରିରୁ ବହିଆଣୁଛି ତୁମରି ବାଣୀ ବାବା, ସରିନାହିଁ ତ ।

 

ନିର୍ଜନ ଏହି ଦି’ ତାଲାର କୋଠରି । କାହାର ଏ ସ୍ଵର ? ପୁଣି ବାଜୁଛି କାନରେ, ବାବା, ସରିନାହିଁ ତ ।

 

ତୁମେ ତେବେ ଅଛ ?

 

କାଲିପରି ଲାଗୁଛି ହେ ବ୍ରଜସୁନ୍ଦର, ନିଜ ହାତରେ ସତୀଚଉରା ମଶାଣିରେ ତୁମର ମର ଦେହଟାକୁ ପୋଡ଼ି ପାଉଁଶ କରିଦେଲି । ତୁମେ ତେବେ ଅଛ, ମୋ ଦେଶର ପାଣି-ପବନରେ, ମୋର ଦେଶର ପ୍ରତି ମନରେ ?

 

କେତେ ହସିଲା ସଞ୍ଜ ତୁମରି ପାଖରେ କଟାଇଛି, “ବାବା” ଡାକ ଶୁଣିଛି । ମୁଁ ଅକିଞ୍ଚନ, ତଥାପି କାହିଁକି ମୋ ଆଗରେ ତମ ମନର ବେଦନା, ଅପୂର୍ଣ୍ଣ ବାସନା ବଖାଣୁଥିଲ–ବାବା, ଦେଶ ମୋର ଖଣ୍ଡିଆ, ସାହିତ୍ୟ ମୋର ଅଧା, ଦେଶର ପିଲା ଭୋକିଲା, ଏମିତି କେତେ କଥା ।

 

ଆଖି ହୁଏ ଛଳଛଳ, ଆତ୍ମା ଉଠେ ବାହୁନି, କହ, ବ୍ୟର୍ଥ ମୋର ଜୀବନ, ବେଳକାଳ ସରିଆସିଲା ବାବା, କିଛି କରିପାରିଲି ନାହିଁ ।

 

ହେ ଦେଶଗୌରବ । ତୁମେ ସିନା କୁହ ତୁମକୁ, ମୋତେ ରଖ ସାକ୍ଷୀ । ମୁଁ ଜାଣେ, ତୁମେ ଫେରି ଆସିଛ, ଗୋଟିଏ ରୂପରେ ନୁହେଁ, ମୋ ମାଆର ଦେଢ଼କୋଟି ପିଲାଙ୍କ ଭିତରେ ଆତ୍ମପ୍ରକାଶ କରିଛ । ଜାଗିଲେଣି ସଭିଏଁ । ତୁମେ ହିଁ ଜାଗିଛ । ଅଧା କାମ ଶେଷ କରିବ, ଦେଶର ଦେଢ଼କୋଟି ଭାଇଙ୍କ ମୁହଁରେ ହସ ଫୁଟାଇବ, ପୁଣି ଦେଢ଼କୋଟି କଣ୍ଠରେ କହିବ, ବାବା ସରିନାହିଁ ତ, କାହିଁ ଗଙ୍ଗା, କାହିଁ ଗୋଦାବରୀ–କାହିଁ ମୋର ସିଂହଭୂଇଁ ?

 

ହେ ସାହିତ୍ୟରଥି, ତୁମର ସ୍ନେହ ମୋ ଉପରେ ଅଜାଡ଼ି ଦେଇଥିଲ, ଏତେ ସ୍ନେହର କଣ ମୁଁ ଯୋଗ୍ୟପାତ୍ର ? ଆଜି ଆସିଛ ମୋର ଏଇ ନିରୋଳା କୋଠରିକୁ, ସଞ୍ଜ ପବନରେ, ଏତେ ଭଲପାଅ ।

 

ଅଧମ ସନ୍ତାନ ମୁଁ, ସାହିତ୍ୟ ଗଢ଼ିନାହିଁ, ଗଢ଼ିଛି କିମ୍ଭୁତ । ତୁମର ଅଶରୀରୀ ହାତରେ ଏଇ ‘ଶାସ୍ତି’ ଟେକିଦେବାକୁ ସାହସ ହେଉନାହିଁ । ତୁମେ ନିଜେ ନିଅ ପିତା, ଯଦି ଏତେ ଭଲପାଅ, ପୁଣି ନିଅ ମୋର ପ୍ରଣତି ।

 

କାହ୍ନୁ ଚରଣ

 

ରାତି ପାହିଲାଣି । ସୂର୍ଯ୍ୟ ଉଠି ନ ଥା’ନ୍ତି । ପୁଷମାସର ଦିହଥରା ହାଡ଼ଦୋହଲା ଶୀତ, ତଥାପି ସନିଆଁ ଚାଲିଛି । ଗୋଡ଼ ତଳର ଘାସ ଉପରେ ରାତିର କାକର । ତଳିପା କୋହଲି ଉଠୁଛି-। ଥରି ଉଠୁଛି ହାଡ଼ ଦି’ଖଣ୍ଡି । ଥରି ଉଠୁଛି ହାତର ବାଉଁଶ ବାଡ଼ି । ସାତ ଗଇଁଠା କନା କେଇଖଣ୍ଡି ଗୁଡ଼ାହୋଇଛି ଅଣ୍ଟାରେ । ଆଣ୍ଠୁଉପରେ ଝାଲର ପରି କନାଧଡ଼ି ଓହଳି ପଡ଼ିଛି । ଦେହରେ ଯେଉଁ ଲୁଗାଟି ପକାଇଛି, ତାର ଅବସ୍ଥା ମଧ୍ୟ ସେହିପରି । ଏପାଖୁ ଟାଣିଲେ ସେପାଖୁ ଫୁଙ୍ଗୁଳା । ପାହାନ୍ତାର କାକର ପଡ଼ି ସେ ଓଦା ହୋଇଛି ।

ସନିଆଁ ଚାଲିଛି ।

ଦେହରେ ରକ୍ତ ମାଂସ ନାହିଁ । ହାଡ଼ କେଇଖଣ୍ଡ ଉପରେ ଘେରାହୋଇଛି ଯେଉଁ ଚମ, ସେ ବି କୁଞ୍ଚିକୁଞ୍ଚିକା । କୋରଡ଼ ଭିତରେ ଜ୍ୟୋତିହୀନ ଆଖି । ମୁଣ୍ଡର ଫୁର୍‌ଫୁର୍‌ ବାଳ, କେରାକେରା ହୋଇ, କପାଳ ଉପରେ ଝୁଲୁଛି । ଚାଲିଲାବେଳେ ଆଣ୍ଠୁକୁ ଆଣ୍ଠୁ ବାଜୁଛି । ମୁଣ୍ଡ ଝୁଙ୍କିପଡ଼ୁଛି, ସତେକି ଟଳିପଡ଼ିବ । ହାତର ବାଡ଼ି ହୋଇଛି ତାର ବୋଝ, ତଥାପି ତାକୁ ଛାଡ଼ିପାରୁନାହିଁ । ସେତିକି ତାର ସାହାଭରସା, ସମ୍ବଳ, ଅବେଳର ବନ୍ଧୁ, ବାପର ସ୍ମୃତି ।

ଆଗରେ ଦିଶୁଛି ଯେଉଁ ଗାଁ, ସେଇ ତାର ଜନ୍ମମାଟି । କେଡ଼େ ଖୁସି ଲାଗିଲା ତାକୁ । କଙ୍କାଳର ପଞ୍ଜରାହାଡ଼ ଥରାଇ ନିଶ୍ଵାସ ଛୁଟିଲା । ସେଇ ତାର ଗାଁ, ଯେଉଁଠି ଜନ୍ମହୋଇ, ସଂସାର କରି ସୁଖଆନନ୍ଦରେ ନାଚିକୁଦି ଶେଷକୁ ଯେଉଁଠି ଆଖି ବୁଜି ତାଆରି ପୂର୍ବପୁରୁଷେ ମାଟିରେ ମିଶିଯାଇଛନ୍ତି । ଯେଉଁ ଗାଁର ମଶାଣିରେ ପୂର୍ବପୁରୁଷଙ୍କ ଅଶରୀରୀ ଆତ୍ମାର ମିଳନ ହୁଏ ।

ସେଇ ତାର ଜନ୍ମମାଟି ।

ସନିଆଁକୁ ଖୁସିଲାଗିଲା ସେ ବୀର । ମରଣ ସଙ୍ଗେ ଯୁଦ୍ଧ କରି ଆଜିଯାଏ ସେ ହାରିନାହିଁ-। ନଅଙ୍କ ଦୁର୍ଭିକ୍ଷର ଆଁ ଭିତରେ ପଶି ମଧ୍ୟ ଛଟପଟ ହୋଇ ନିଜକୁ ବଞ୍ଚାଇ ସେ ବାହାରି ଆସିଛି । ବରଷ ତିନିଟା ତଳର କଥା । ପ୍ରାଣ ବଞ୍ଚାଇବାକୁ କଣ ସେ ନ କରିଛି । ଆଜି ଭାବିବାବେଳକୁ ଦେହ ଥରିଉଠେ, ଡରି ଡରି ସନିଆଁ ଚାରିଆଡ଼କୁ ଅନାଏ । ଯେତେବେଳେ ପେଟ ପୋଷିବା ଅସମ୍ଭବ ହେଲା, ବାସନକୁସନ, ଜମିବାଡ଼ି ବିକ୍ରିବଟା କରି, ନୋହିଲେ ବନ୍ଧା ଦେଇ ମଧ୍ୟ ପ୍ରାଣ ବଞ୍ଚାଇବା କଷ୍ଟକର ହେଲା, ସତେ କଣ ସେ ନ କରିଛି ।

ଗାଁ ଛାଡ଼ି ଲୋକେ ପେଟବିକଳରେ ଯିଏ ଯୁଆଡ଼େ ପଳାଇଲେ । ବାପ, ମା’, ସାନଭାଇ ମନିଆଁ, ଆଉ ଦଶ ବାର ବର୍ଷର ଦୁଇ ଭଉଣୀ କୁନି ଓ ପୁନିଙ୍କ ସଙ୍ଗରେ ସେ ମଧ୍ୟ ଗାଁ ଛାଡ଼ିଥିଲା । ବେଶିଦିନ ଏକାଠି ରହିପାରିଲେ ନାହିଁ । କେତେଦିନ ପରେ ଯେତେବେଳେ ଜୀବନର ମାୟା, ନିଜେ ବଞ୍ଚିରହିବାର ବାସନା, ସେହ୍ନସୋହାଗ ଗୋଡ଼ରେ ଦଳି ଉଠିଲା, ପରିବାରର ବନ୍ଧନ ଡୋର ଛିଡ଼ିଗଲା ଆପେ ଆପେ । ବାପ ମୁହଁରୁ ଆହାର ଛଡ଼ାଇ ସନିଆଁ ନିଜେ ଖାଇବାକୁ ଲାଗିଲା । ବଲବଲ କରି ମାଗିଲା ଆଖିରେ ମା’, ଭାଇ, ଭଉଣୀ ଦିଓଟିଙ୍କର କଙ୍କାଳ ତା’ରି ମୁହଁକୁ ଚାହିଁ ରହିଥିଲା । ବାପର କଙ୍କାଳ ଧରିଥିଲା ଏଇ ବାଡ଼ି ଖଣ୍ଡିକ । କଙ୍କାଳର ହାତ ଉଠୁଥିଲା ମୁଣ୍ଡ ଉପରକୁ । ବାଡ଼ି ଖସିପଡ଼ିଲା, କଙ୍କାଳ ମଧ୍ୟ ଟଳିପଡ଼ିଥିଲା ମାଟି ଉପରେ ।

ସେଦିନ ତା’ ପାଇଁ କାହାରି ଆଖିରୁ ଲୁହ ଝରିଥିଲା କି ନାହିଁ, ସନିଆଁର ଚାହିଁ ଦେଖିବାକୁ ସମୟ ନ ଥିଲା । ମଲା କଙ୍କାଳ କଡ଼ରୁ ବାଡ଼ିଖଣ୍ଡି ହାତରେ ଉଠାଇ ସନିଆଁ ଚାଲିଗଲା । ବୁଢ଼ୀ ମା’, ସାନ ସାନ ଭାଇଭଉଣୀ ସେହି କଙ୍କାଳ ପାଖରେ ଅପନ୍ତରା ଗାଁ ମୁଣ୍ଡ ମଇଦାନ ଉପରେ ଚାହିଁ ରହିଲେ । ସନିଆଁ ମୁହଁ ଫେରାଇ ଚାହିଁ ନ ଥିଲା ।

ମରୁଡ଼ି, ବଢ଼ି, ଦୁର୍ଭିକ୍ଷ ଭିତରେ ଘାଣ୍ଟିଚକଟି ହୋଇ ନ୍ୟାୟ-ଅନ୍ୟାୟ, ପାପପୁଣ୍ୟ, ଭଲମନ୍ଦ ସବୁ ଭୁଲି, ବଞ୍ଚିବାକୁ ପଣ କରି ଯେତେବେଳେ ସେ ବଞ୍ଚିଲା, ଭିକ ମାଗି ମାଗି ଦେଶର ଏପାଖରୁ ସେପାଖ ଯାଏଁ ଯାଇ ଗାଁ ମାଟିର ଲୋଭରେ ସେ ପୁଣି ଗୋଡ଼ ଫେରାଇଲା । ଅନ୍ନଛତ୍ରରେ ଖାଇଛି, ସୁଖରେ ରହିବ, ସ୍ଵଚ୍ଛନ୍ଦରେ ଖାଇବାକୁ ପାଇବ ବୋଲି ବିଲରେ କାମ କରି ପେଟ ପୋଷିବାକୁ କେତେ ସାହୁକାର ମହାଜନଙ୍କ ଉପଦେଶ ଶୁଣିଛି, କିନ୍ତୁ କୌଣସିଠାରେ ଅଟକି ରହିନାହିଁ । ଗାଁ ମାଟି ତାକୁ ଡାକ ଦେଉଛି, ସେ ଫେରିଛି ।

 

ଲକ୍ଷ ଲକ୍ଷ ମଣିଷଙ୍କର କଙ୍କାଳ ଯେଉଁ ମଶାଣିମାନଙ୍କରେ ଠାଏ ଠାଏ ଗଦାହୋଇଛି, ସେଇଠି ତାର ଗୋଡ଼ ଅଟକି ଯାଏ । ଦୂର ଗହୀରରେ ସବୁଜ ଧାନଗଛ ତାର ମନରେ ଆନନ୍ଦ ଆଣେ ନାହିଁ । ସେ ସେହି ମଶାଣିର ହାଡ଼ଗଦାକୁ ଚାହିଁରହେ, ମନେପଡ଼େ ତାର ମା’, ମନେପଡ଼େ ଟିକି ଟିକି ଭଉଣୀ ଦିଓଟି କୁନି ଓ ପୁନି, ମନେପଡ଼େ ପନ୍ଦର ବର୍ଷର ଟୋକା ଭାଇ ମନିଆଁ । କଙ୍କାଳର ଆଖିକୋଣ ଜକେଇ ଆସେ । ହୁଏତ ସେହି ହାଡ଼କୁଢ଼ ଭିତରେ ସେମାନଙ୍କ ହାଡ଼ ପୋତି ହୋଇ ରହିଛି । ଆହା– ।

 

କିନ୍ତୁ, ସେଦିନ ତ ସନିଆଁର ମନରେ ଏହି ଆହା ଭାବ ଆସି ନ ଥିଲା । ସେଦିନ ତ ତାର ଆଖିକୋଣରେ ଲୁହ ଢଳଢଳ ହୋଇ ନ ଥିଲା । ଦେଶ ଯେତେବେଳେ ବଞ୍ଚିବାକୁ ବ୍ୟାକୁଳ, ଲକ୍ଷ ଲକ୍ଷ ନରନାରୀ ଯେତେବେଳେ ହାତରେ ଭିକ୍ଷାପାତ୍ର ଧରି ଜୀବନ ପାଇଁ ମରଣ ସଙ୍ଗେ ଯୁଦ୍ଧ କରିବାକୁ ଧାଇଁଥିଲେ, ସେ ମଧ୍ୟ ପାଗଳ ହୋଇଥିଲା ବଞ୍ଚିବାର ନିଶାରେ । ବଞ୍ଚିବାକୁ ଯେଉଁମାନେ ଆଶା କରିଥିଲେ, କେଡ଼େ ଅନ୍ନିଚ୍ଛାରେ ମରଣ କୋଳରେ ଢଳିପଡ଼ିଲେ, ସେମାନେ ହେଲେ ନିଶ୍ଚିନ୍ତ-। ଯେଉଁମାନେ ବଞ୍ଚିରହିଲେ, ସେମାନଙ୍କର ବଞ୍ଚିରହିବାର ନିଶା ଛାଡ଼ିଲା । ଅତ୍ମୀୟସ୍ଵଜନଙ୍କର ସ୍ମୃତି ତୁହାଇ ତୁହାଇ ଅସ୍ଥିର କଲା ମନକୁ । କାହିଁକି ସେ ବଞ୍ଚିଲା, କି ସୁଖ ଆଶାରେ ? ମଣିଷ ସୁଖଆନନ୍ଦ ଦେଖେ ଅନ୍ୟର ଆଖିରେ, ଆତ୍ମୀୟସ୍ଵଜନଙ୍କର ହସିଲା ଓଠରେ । କାହିଁକି ସେ ବଞ୍ଚିଲା-

 

ସନିଆଁର ଚଳନ୍ତା କଙ୍କାଳ ଭିତରେ ମନ ବୋଲି ଯେଉଁ ଦୁର୍ବଳ ଚିଜଟି ଅଛି, ତା’ରି ଉପରେ ଏହିପରି କେତେ ଭାବନାର ତରଙ୍ଗ ଛୁଟିଲା । ମା’, ଭାଇ, ଭଉଣୀଙ୍କୁ ଛାଡ଼ି, କି ଆଶାରେ କି ଆନନ୍ଦ ପାଇ ସେ ବଞ୍ଚି ରହିବ ? ଜନ୍ମମାଟିର ଅଦେଖା ଆକର୍ଷଣରେ ଟାଣିହୋଇ ସେ ଧାଇଁଆସିଲା, କାଳେ ସେମାନେ ଫେରିଥିବେ ।

 

ଏଇ ଆଗରେ ତାର ଗାଁ ।

 

ସକାଳ ସୂର୍ଯ୍ୟର ତେରଛା କିରଣ ଡେଙ୍ଗା ଦେବଦାରୁ ଓ ନଡ଼ିଆଗଛର କାକରଭିଜା ପତର ଉପରେ ଆଲୁଅର ପରଶ ଉତ୍ସବ ଲଗାଇଲାଣି । ସନିଆଁ ଚାଲିଲା ଧୀରେ–, ଧୀରେ–

 

ଦାଣ୍ଡ କଡ଼ରେ, ଦିଗହଜା ଗହୀର ବିଲରେ ପାଚିଲା ଧାନର ସୁନେଲି ଶୋଭା, ଦୂରରେ କାହିଁ କେଉଁଠି କଟାଳିଙ୍କ ଭିଡ଼ । ଖରା ଟାଣ ହେଲେ କଟା ଆରମ୍ଭ ହେବ । ଚିହ୍ନା ଲୋକ ପରି ଦିଶୁଛନ୍ତି । ମନଖୁସିରେ କୁହାଟ ମାରି ତାର ଆଗମନ କଥା ଜଣାଇଦେବାକୁ ଆଗ୍ରହ ହେଲା । ଦୁର୍ବଳ ତୁଣ୍ଡ ଖୋଲିଲା ନାହିଁ । ଥରି ଉଠିଲା ଓଠ ଦି ଫାଳ ।

 

ସନିଆଁ ଆଗକୁ ଚାଲିଲା ।

 

ଗାଁ ଗୋହିରି । ଦୁଇପାଖେ ଦୁଇଧାଡ଼ି ଘର ଥିଲା, କିନ୍ତୁ କାହିଁ ସେ ସବୁ ଘର ।

 

ଗାଁ କଡ଼କୁ ସେ ଯେଉଁ ଆମ୍ବତୋଟା, ପିଲାଦିନେ ଯାହାର ଡାଳେ ଡାଳେ ନାଚି ଗାଁ ପିଲାଙ୍କ ସଙ୍ଗରେ ଡାଳମାଙ୍କୁଡ଼ି ଖେଳିଥିଲା, ଯାହାର ଛାଇତଳେ ବୋହୂଚୋରି ଖେଳ, ଗଛ କନ୍ଦିରେ, କିଆବୁଦାର ଉହାଡ଼ରେ ଲୁଚକାଳି ଖେଳ ହୁଏ, ସେ ତୋଟା ସେମିତି ଅଛି । ବଦଳି ନାହିଁ । ଗୋଟିଏ ହେଲେ ଗଛ ମରି ନାହିଁ । ଡାଳ ମଉଳି ନାହିଁ । ତୋଟା ସେପାଖ ବୁଦିବୁଦିକା ନଟିଜଙ୍ଗଲ ସେ ବି ସେମିତି ଅଛି । ଗାଁ ମୁଣ୍ଡ ବରଗଛ ତଳେ ଯେଉଁ ହୁଙ୍କା । ଏଇ ତାରି ତଳେ ନାଗସାପ ଫଣା ଟେକି ଚାହିଁ ରହିଛି । ପିଲାଦିନୁ ସନିଆଁ ତାକୁ ଚିହ୍ନେ ।

ସମସ୍ତେ ଅଛନ୍ତି–ଜୀବଜନ୍ତୁ, ଗଛବୃକ୍ଷ, ଖାଲଢିପ, ପାଣିପବନ, ଏକା ମଣିଷ ନାହିଁ, ଯିଏ ଏଇ ଗାଁର ବୁକୁ ଉପରେ ମନସରାଗରେ ନାଚୁଥିଲେ କୁଦୁଥିଲେ, ଯିଏ ଏଇ ଜୀବଜନ୍ତୁ, ଗଛବୃକ୍ଷ ଉପରେ ରାଜତ୍ଵ କରୁଥିଲେ ।

ଏମିତି ଏ ଦୁନିଆଁରେ ଚାଲିଥାଏ ।

ଗାଁ ଗୋହିରି ଆରମ୍ଭ ହେଲା । ସନିଆଁ ଆଖି ବୁଲାଇଲା । ଖଣ୍ଡିଆ କାନ୍ଥ ଉପରେ ଛପର ନାହିଁ । ଘାସ ବିଛୁଆତି ଅରମା । ଆହା, ସମସ୍ତେ ମରିହଜିଗଲେ, କେହି ଗୋଟିଏ ଫେରିଲେ ନାହିଁ ।

ଦୁଇ ପାଖରେ ଦି’ ଧାଡ଼ି ଘର । ବେଶି ଭାଗ ଭାଙ୍ଗିପଡ଼ିଛି । ଠାଏ ଠାଏ ଘର ମରାମତି ହୋଇଛି । ଘର ଭିତରୁ ଯେଉଁମାନେ ପଦାକୁ ବାହାରି ଆସୁଛନ୍ତି, ସନିଆଁ ସମସ୍ତଙ୍କୁ ଚିହ୍ନେ । ତାକୁ କେହି ଚିହ୍ନି ପାରୁନାହାନ୍ତି । ପଦେ କେହି ପଚାରୁ ନାହାନ୍ତି ।

କିଏବା କାହିଁକି ପଚାରିବ ? ନିତି ଏମିତି କେତେ କାଙ୍ଗାଳ ଏଇ ଗାଁର ଦାଣ୍ଡେ ଦାଣ୍ଡେ ଚାଲିଯାଇଛନ୍ତି । ମୁଠାଏ ଭାତ, ମୁନ୍ଦିଏ ତୋରାଣି ପାଇଁ ହାତ ପାତିଛନ୍ତି । ଏଇ ଗାଁର ବାଟଘାଟରେ କେତେ କଙ୍କାଳ ମରି ଶୋଇଛନ୍ତି, ବିଲୁଆ କୁକୁରଙ୍କର ଆହାର ହୋଇଛନ୍ତି । ମଣିଷମନରୁ ଦୟାର ଭାବ ଲୋପପାଇଛି । ତାର ମନ ପଥର ହୋଇଛି । ଚାରିଆଡ଼େ ମଣିଷର ଦୁଃଖକଷ୍ଟ ଦେଖି, ତାର ଛାତିଫଟା କରୁଣ ଚିତ୍କାର ଶୁଣି, ଯେଉଁ କେଇଜଣ ବଞ୍ଚିରହିଲେ ତାଙ୍କର ମନରେ ଦୁଃଖର ଦାଗ ପଡ଼ୁନାହିଁ ।

ସନିଆଁକୁ ଦେଖି ମଧ୍ୟ ଯେପରି କେହି ଦେଖିପାରୁନାହିଁ । କୋଡ଼ିଏ ବର୍ଷର ଟୋକା ଆଜି ସତୁରି ବର୍ଷର ବୁଢ଼ାପରି ଦେଖାଯାଉଛି । ଚାରିବର୍ଷ ତଳେ ସେ ଯାହା ଥିଲା, ଆଜି ତ ଆଉ ତାହା ନାହିଁ । କି ସୁନ୍ଦର, ଶତ୍ରୁ ପଛେଇଲା ରୂପ, ବଳିଲା ବଳିଲା ହାତଗୋଡ଼, ଏତେବଡ଼ ମୁହଁ । ପିଆଜ କିଆରିକୁ ପାଣି ବୋହିଲେ ସକାଳୁ ସଞ୍ଜ ହୁଏ । ତେଣ୍ଡା ଭାଙ୍ଗେ, ସନିଆଁର ବଳ ଭାଙ୍ଗେନାହିଁ, ଦମ୍ ହଟେ ନାହିଁ । ଯିଏ ଦେଖେ କହେ, ବନେଇଁ ପରିଡ଼ା ପୁଅ ଦି’ଟା ପାଇଛି ତ, ସନିଆଁ ଆଉ ମନିଆଁ, ରୂପ ଯେମିତି, ଦେହର ଶକ୍ତି ସେମିତି । ପିଲା ଦି’ଟା ବୁଦ୍ଧିଆ, କୁହାରବୋଲର । ପାଠପଢ଼ିଛନ୍ତି–ଗୋପୀଭାଷା, ମଥୁରାମଙ୍ଗଳ, ବିଶିରାମାୟଣ ବୋଲିପାରନ୍ତି । ଯାହାହେଉ ବନେଇଁ ପରିଡ଼ାର ନାଁ ରଖିବେ ।

ବନେଇଁ ପରିଡ଼ାଙ୍କ ବାପା କନେଇଁ ପରିଡ଼ା ମଲାବେଳକୁ ଘରଡିହ ଦି’ଗୁଣ୍ଠ ଓ ଚାଳିଘର ଖଣ୍ଡେ ଛଡ଼ା ଆଉ କିଛି ଛାଡ଼ି ଯାଇ ନ ଥିଲେ । ସାରାଜୀବନ ମୂଲ ଲାଗି ପେଟ ପୋଷିଲେ । ମନଖୁସିରେ କହନ୍ତି, ଆରେ ଅମୁକ କଥା କାଇଁକି କହୁଛ, ସେ ନୂଆ ଡାହାଣୀ । ଆରେ ଆଜି ସିନା କନେଇଁ ଗରିବ ହେଲା, ସେ ଖାନଦାନ୍‌ ଘରର ପିଲା । କନେଇଁ ପରିଡ଼ାଙ୍କ ଅଜା ଧନେଇଁ ପରିଡ଼ା ନାଁରେ ଗର୍ଭିଣୀ ଗାଈ ବାଟ ଛାଡ଼େ ।

 

ବନେଇଁ ପରିଡ଼ା ମୂଲଲାଗି, ପେଟରେ ଓଦାକନା ଦେଇ, ସଞ୍ଚି ସଞ୍ଚି ନିଜ ଦିହାତିରେ ଜମି ଦଶମାଣ କରିଥିଲେ । ଯାହାର ହାତ ଧରି ଘରକୁ ଆଣିଥିଲେ, ସେଇ ଚନି, ତାଙ୍କରି ହାତରେ ଛେଚାପିଟା ଖାଇ ଭଲ ଘରଣୀ ହୋଇଥିଲା । ଦୁଇ ପ୍ରାଣୀ ପିଲା ଚାରୋଟିକୁ ପାଳି ଖାଇବାଶୋଇବା ଭୁଲି କାମରେ ମନପ୍ରାଣ ଢାଳି ଦେଇଥା’ନ୍ତି । ମାଟିର ମଣିଷ ସେମାନେ, ମାଟି ତାଙ୍କର ଭଲମନ୍ଦ, ସେଇଥିରେ ତାଙ୍କର ଖେଳ କୌତୁକ, ଆନନ୍ଦ । ପଙ୍କପାଣି ତାଙ୍କର ଚନ୍ଦନ ଛିଟା-। ଦି’ହଳ ବଳଦ, ଦି’ଟା ଦୁହାଁଳି ଗାଈ । ନିଜ ପିଲାଙ୍କଠାରୁ ବଳି ତାଙ୍କୁ ସେ ଭଲପାଆନ୍ତି । ସେମାନେ ବି ସେମତି ବୋଲ କରନ୍ତି । ବନେଁଇ ଓ ଚନି କାହାର ଭଲ ମନ୍ଦରେ ନ ଥାନ୍ତି । କାହାରି ସେମାନେ ଶତ୍ରୁ ନ ଥିଲେ କି କାହା ସଙ୍ଗେ ବନ୍ଧୁପଣିଆ କରିବାକୁ ତାଙ୍କର ତର ନ ଥିଲା । ପିଲା ଚାରୋଟି, ଗାଈ ବଳଦ, ଗହୀର ବିଲର ଧାନମୁଗ ତାଙ୍କର ବନ୍ଧୁ ଦୋସର ।

 

ଲୋକେ କହନ୍ତି, ବନେଇଁ ପରିଡ଼ାର ଜମିରେ ସୁନା ଫଳେ । ଚାଲିଗଲା ଲୋକ ହିଡ଼ମୁଣ୍ଡରେ ଛିଡ଼ାହୋଇ ବନେଇଁ ପରିଡ଼ାର କ୍ଷେତକୁ ଘଡ଼ିଏ ଚାହେଁ । ଖୁସି ହୁଏ ନାହିଁ, ଈର୍ଷାରେ ନିଶ୍ଵାସ ପକାଇ ଆଗକୁ ବଢ଼େ । ଜାଣିବା ଲୋକେ କହନ୍ତି, ଆରେ, ଜମି ଫଳି ନାହିଁରେ, ବନେଇଁ ପରିଡ଼ା ନିଜେ ଫଳିଛି । ଏଇ କିଆରିରେ ଏହି ଦୁଇପ୍ରାଣୀ ତାଙ୍କର ରକ୍ତ ଢାଳି ଦେଇଛନ୍ତି ।

 

କେଡ଼େ ଆଣ୍ଟ କରିଥିଲେ ବନେଇଁ ପରିଡ଼ାଏ, ନ ହେଲା ବା ସେ ତାଙ୍କର ଦିହାତିଟା ଖଟି ଖଟି ଆଖି ବୁଜିବେ, ହେଲେ ପିଲା ଦି’ଟା ଯଦି ମଣିଷ ହୁଅନ୍ତି, ଚାରିପୁରୁଷ ତଳର ଖାନଦାନି ଫେରିଆସିବ, ପରିଡ଼ା ବଂଶର ନା ରହିବ, ଲୋକେ ଜାଣିବେ ଚିହ୍ନିବେ ।

 

କିଏ ଜାଣେ ସରଳ, ନିରୀହ ଚାଷୀ ଖାନ୍‌ଦାନିର ଅର୍ଥ ଉଠାପଡ଼ା ଦୁନିଆଁରେ, ମଲାହଜିଲା ସଂସାରରେ ଯେଉଁଠି ପ୍ରତିମୁହୁର୍ତ୍ତରେ ମୁଣ୍ଡ ଟେକିଲା, ଲହଡ଼ି କେତେ ଖୁସିରେ, କେତେ ଗର୍ବରେ ଧାଇଁଆସେ, ପୁଣି ମୁଣ୍ଡ ନୁଆଁଇ କେଡ଼େ ବେଗି ଫେରିଯାଏ, ପଛରୁ ଧାଇଁଆସେ ପୁଣି ଆହୁରି ବଡ଼ ଲହଡ଼ି । ଦୂର ଗହୀର ମଝିରେ ଖରାତାଉ ଲଣ୍ଡାମୁଣ୍ଡରେ ସହି ଯେଉଁ ମଣିଷଟି ଧାନବିଲରୁ ଘାସ ବାଛୁ ବାଛୁ ସାପକାମୁଡ଼ାରେ ମଲା, ସେ ଅମୁକଙ୍କର ନାତି, ଯାହାଙ୍କ ନାଁର ଡାକ ଥିଲା ଦଶଖଣ୍ଡି ଗାଁରେ, ଧନ, ମାନ ପ୍ରତିପତ୍ତି ପାଇଁ । ଆଉ ଆରକ, ଯାହାଙ୍କ ବୋଲରେ ପଚିଶଖଣ୍ଡି ଗାଁର ଲୋକ କରଯୋଡ଼ି ଆଜ୍ଞାକୁ ଅବଧାନ ହେବାକୁ ଟାକି ରହିଥାନ୍ତି, ମଜଲିସ୍ ଘରେ ଆଉ ପାଞ୍ଚଟା କାନକୁହାଙ୍କ ପାଖରେ ଗୋଟିପିଲାର ନାଚ ଦେଖୁ ଦେଖୁ ଭାଙ୍ଗ ନିଶାରେ ଢୁଳାଇ ପଡ଼ି ଯେ ଶେଷ ହୋଇଗଲେ, ପାଞ୍ଚପୁରୁଷି ଖାନଦାନ୍ ସାତ ପୁରୁଷ ତଳେ ସେଇ ବଂଶର, ସେଇ ଗାଁର ଆଦିପୁରୁଷ ଭିକ ମାଗି ମାଗି ଆସିଥିଲେ ।

 

ଛୋଟ ଆମର ସୌରଜଗତ । ଅତି ଛୋଟ ଆମର ଏଇ ପ୍ରିୟ ପୃଥିବୀରେ କେଡ଼େ ଛୋଟ ଆମର ପ୍ରିୟ ଭାରତବର୍ଷ । ତାର କେଉଁ କନ୍ଦିରେ ହାତପାପୁଲି ପରି ଯେଉଁ ଟିକି ଭୂଇଁଟି ସେଇ ଆମର ଆପଣାର ଉତ୍କଳ । ତାରି କେଉଁ ଅଜଣାଅଶୁଣା ଥାନରେ ଆଙ୍ଗୁଠି ପବର ଅସ୍ପଷ୍ଟ ଗାର ପରି ଆମ ଜିଲ୍ଲାର ଅବସ୍ଥିତି । ସେହି ରେଖାର ବିନ୍ଦୁଟିଏ ହେବ ନାହିଁ ବନେଇଁ ପରିଡ଼ାଙ୍କ ଗାଁ । ତା’ରି ମଝିରେ ସତ୍ତାହୀନ ବନେଇଁ ପରିଡ଼ା ପରିଶ୍ରମ କରିଥିଲେ ଖାନ୍‌ଦାନି ପାଇଁ, ବଡ଼ପଣ ପାଇଁ ।

 

ଦୁର୍ଭିକ୍ଷ ଆସିଲା, କିଏ ଜାଣିଥିଲା ଖାରବେଳ, ପୁରୁଷୋତ୍ତମର ପିଲାମାନେ ମୁଠିଏ ଭାତ ପାଇଁ ମଶାମାଛି ପରି ବାଟଘାଟରେ ଟଳିପଡ଼ିବେ, ବନେଇଁ ପରିଡ଼ା ଧନୀ ହେବା ଲୋଭରେ, ଖାନଦାନ୍ ହେବା ଆଶାରେ ସଞ୍ଚିଲା ଧାନ ବିକ୍ରି କରି ପଇସା ଭେଇବେ, ଆଉ ଯେତେବେଳକୁ ଅଚଳ ହେଲା, ଭୁଲ ସୁଧାରିବାର ବେଳ ବଳେଇ ପଡ଼ିଲା, ପାଇଲା ଧନ, ଜମିବାଡ଼ି, ଘରସବୁ ବିକ୍ରି କରି ମଧ୍ୟ ଜୀବନ ପାଇଁ ବାଟକୁ ଗଲେ, ତଥାପି ଜୀବନ ରହିଲା ନାହିଁ ।

 

ସେଦିନ ବନେଇଁ ପରିଡ଼ା ଚିନ୍ତେଇ ସୋଇଁଙ୍କର ଝିଅ ଧୋବୀ ବିଷୟରେ ସନେଇଁର ସମ୍ବନ୍ଧ ପଡ଼ିଲାବେଳେ ଭଲ ଲୋକ ଆଗରେ ନାକ ଟେକିଥିଲେ । ଅତି ଗୁପ୍ତରେ କହିଥିଲେ, ହଇହୋ ପହରାଜେ, ଆରେ ଆମେ ଗରିବ ହେଲୁ ବୋଲି ତ ଅକୁଳରେ ପଶିବୁ ନାହିଁ; ମୂଲ ଲାଗି, ପେଜପାଣି ପିଇ ରହିବୁ । ଚିନ୍ତେଇ ସୋଇଁଙ୍କର ଅଜା; ସୋଇଁଘର ପିଲା ହୋଇ କଣ ନ କଲେ । ଜଣାଶୁଣା ନାହିଁ, ଲୋକେ କହନ୍ତି ଗୋଲାମର ଝିଅ, ବାପ ଖଣ୍ଡେଇତ, ମା’ ତନ୍ତିଆଣୀ, ତା’ ଝିଅଟାକୁ ଦ୍ଵିତୀୟ ହେଲେ । ହଁ ହେ, ସମ୍ପତ୍ତି ତ ଢେର୍ ପାଇଲେ; ହେଲେ ରକ୍ତରେ କଣ ମିଶିଲା, ଟିକେ ହେଜି କରି କହ ତ ଭଲା । ତାଙ୍କର ନାତି ଚିନ୍ତେଇ; ପୁଣି ତାର ଝିଅ ଧୋବୀ । ରାମ କହ ପହରାଜେ; ଧନେଇ ପରିଡ଼ାଙ୍କ ବଂଶରେ କଳଙ୍କ ବୋଳିବି ?

 

ପହରାଜେ ନାସ ଶୁଙ୍ଘି ଆଖି ତରାଟି କହିଲେ, “ଭଲ ଘରେ ସେମାନେ ବନ୍ଧୁ କରିଗଲେଣି, ଆଜିକାଲି କିଏ କେତେ ବାରୁଛି ?”

 

ବନେଇଁ ପରିଡ଼ା ଉତ୍ତର ଦେଲେନାହିଁ । ଚିନ୍ତେଇ ସୋଇଁଙ୍କର ଝିଅ ଧୋବୀ, ତେର ଚଉଦ ବର୍ଷର କଇଁଫୁଲ ପରି ଧୋବ ଫରଫର ରଙ୍ଗ, କେଡ଼େ ସୁନ୍ଦରଟିଏ । ପିଲାଟିକୁ ଦେଖିଲେ ଗେଲ କରିବାକୁ ମନଡାକେ । ଧୀରସ୍ଥିର ଢଙ୍ଗର, ପାଠ ଦି’ଅକ୍ଷର ପଢ଼ିଛି । ଚାହିଁଦେଲେ ବନେଇଁ ପରିଡ଼ାଙ୍କ ମନ ଛକେଇଯାଏ କେତେପୁରୁଷ ଆଗକୁ, ତନ୍ତିଆଣୀର ରକ୍ତ ୟାଠେଇଁ ଅଛି । ତନ୍ତିଆଣୀ, ରାମ କହ, କେଉଁ ପୁରୁଷରୁ ଗଡ଼ିଆସୁଛି ବନେଇଁ ପରିଡ଼ାଙ୍କର ପବିତ୍ର ବଂଶ, ପବିତ୍ର ରକ୍ତ, ସେଥିରେ ବିଷ ମିଶେଇବେ ଜାଣି ଜାଣି ।

 

ରୂପ ସୁନ୍ଦରରୁ କଣ ମିଳିବ ? ମାଟି କାଦୁଅ ଚକଟିବା, ଗୋରୁ ଗୁହାଳ ପୋଛିବା ଯାହାର କାମ, ନିରାଟ ଖରାରେ ହିଡ଼ମୁଣ୍ଡରେ ଆଣ୍ଠେଇପଡ଼ି ବିଲରୁ ଘାସ ବାଛିବା, ଢୁଢୁ ବର୍ଷା ପାଣିରେ ତିନ୍ତି ମୁଣ୍ଡରେ ବୋଝ ଆଣିବା ଯାହାର ପଣ, ସେ ଯଦି ହେବ ଲହୁଣି ପରି କଅଁଳ, ସଂସାର ଚଳିବ କିପରି ? ହଁ, ଝିଅ ଯେ ମାଧେଇ ରାଉତର, ଏଗାର ବର୍ଷର ପିଲାଟା ସିନା କଇଁ, ରଙ୍ଗ ଟିକେ ମଇଳା, କାମ କଲେ ଲୋଟଣିପାରା, ଟିକିଏ ଅଳସ ଦେଖିବେ ତାଠିଁ ? ଛେଚାପିଟା ପିଲା । ରାଉତେ ଗରିବ ହେଲେ କଣ ହେବ, ନିର୍ମଳ ରକ୍ତ । ସଚ୍ଚୋଟ । ତାଆରି ଝିଅ କଇଁ । ବନେଇଁ ପରିଡ଼ାଙ୍କର ସେଇଠି ମନ । ସେଇ ହେବ ଏକା ସନେଇଁର ଲାଖି । ଘରର ମର୍ଯ୍ୟାଦା ବଢ଼ିବ ।

 

ବନେଇଁ ପରିଡ଼ାଙ୍କର ଗୋତ୍ର ଭରଦ୍ଵାଜ । ତନ୍ତୀ ବିନି କାଣ୍ଡି, ଗୁଡ଼ିଆ ନିଲୁ ସାହୁ, ରାମ ଆଚାର୍ଯ୍ୟେ, ଶାମ ଧଳେ, ଏମାନଙ୍କ ଗୋତ୍ର ମଧ୍ୟ ଭରଦ୍ଵାଜ । କେଉଁ ଅନାଦି କାଳରୁ ସେହି ଭରଦ୍ଵାଜ ବଂଶ ଲମ୍ବି ଆସିଛି, କେତେ ଶାଖାପ୍ରଶାଖା ହୋଇ କେତେ ଆଡ଼େ ମାଡ଼ିଯାଇଛି । ବନେଇଁ ପରିଡ଼ା, ବିନି କାଣ୍ଡି, ନିଲୁ ସାହୁ, ରାମ ଆଚାର୍ଯ୍ୟେ ଭରଦ୍ଵାଜ ରକ୍ତର ପିଲା । ଏକା ରକ୍ତ ଏତେ ଧାର । ଚିହ୍ନି ମଧ୍ୟ କେହି କାହାକୁ ଚିହ୍ନିଲେ ନାହିଁ, ରକ୍ତର ପବିତ୍ରତା ଖୋଜି ବୁଲିଲେ ।

 

ମଣିଷ ରକ୍ତ ସବୁଠି ସମାନ, ସବୁବେଳେ ନିର୍ମଳ । କର୍ମ ଗଢ଼ିଲା ବିଭାଗ, ସେହି ବିଭାଗରୁ ହେଲା ଜାତି, ଗୋଟିଏ ଫାଙ୍କା ନାଁ, ସ୍ଵାର୍ଥପରତା । ସେହି ଜାତିରୁ ଗଢ଼ିଉଠିଲା ସଂସ୍କୃତି, ସଭ୍ୟତା, ଯାହାକୁ ମାପିବାର, ତଉଲିବାର ଯନ୍ତ୍ର ନାହିଁ । ଯିଏ ନିଜର ଭାବନାରେ ତଉଲେ, ସେ କରେ ନିଜକୁ ବଡ଼- ମୁଁ ଆଚାର୍ଯ୍ୟ, ମୁଁ ସୂର୍ଯ୍ୟବଂଶୀ, ମୁଁ କୁବେରପୁତ୍ର, ମୁଁ ଯାଦବ ବଂଶୀ ।

 

ବୁଝେନା ବନେଇଁ ପରିଡ଼ା, ସମସ୍ତେ ଏକା ମଣିଷ, ଦୁଇଟି ହାତ ଦୁଇଟି ଗୋଡ଼, ଦୁଇଟି ଆଖି । ବୁଝେନା ସନେଇଁ; କିନ୍ତୁ ଅନୁଭବ କରେ, ଯେତେବେଳେ ତାର ତରୁଣ ତରଳ ଆଖି ଯୋଡ଼ିକ ଧୋବୀ ଆଡ଼କୁ ଟାଣିହୋଇଯାଏ, ଯେତେବେଳେ ଧୋବୀ ଓଠରେ ହସ ଦେଖି ତାର ଲୋମ ଟାଙ୍କୋରି ଉଠେ । ଅନୁଭବ କରେ ସେ, ଦୁଇଟା ତ ଜାତି; ସ୍ତ୍ରୀ ଆଉ ପୁରୁଷ । ଗୋଟିଏ ବିନା ଆରଟି ଅପୂର୍ଣ୍ଣ, ଅଜାତି । ସୃଷ୍ଟି ଖୋଜେ ନରନାରୀ । ମଣିଷଗଢ଼ା ଜାତି, ଧର୍ମ, ଦେଶଭେଦରେ ସୃଷ୍ଟି ଅଟକି ରହେ ନାହିଁ ।

 

ସନେଇଁର ମନ ସେଦିନ ଖୋଜିଥିଲା ଧୋବୀକୁ, ଆଉ ଧୋବୀର ପିଲାଳିଆ ମନ ସନେଇଁକୁ । ବନେଇଁ ପରିଡ଼ାଙ୍କ ନାସ୍ତିବାଣୀ ଶୁଣି ସନେଇଁର ମନରେ ଅଘାତ ଲାଗିଥିଲା । ବାପାର କଥା ଉପରେ କଥା କହିବାକୁ ତାର ସାହସ ନ ଥିଲା । ଲାଜ କଥା, ଜାତିଆଣ କଥା ବାପା ଯାହା ଠିକ କରିବେ, ତାହାହିଁ ଠିକ୍ । ମୁଣ୍ଡପାତି ମାନିନେବାକୁ ହେବ । ତୁଣ୍ଡ ଖୋଲିବାର ଅଧିକାର ନାହିଁ । ତାର ଭାଗ୍ୟରେ କଇଁ ଅଛି । କଇଁ ହେବ ତାର ଘରଣୀ । କଇଁ ଅଣ୍ଡିରାଚଣ୍ଡୀ, ଅସୁନ୍ଦରୀ ।

 

ସନେଇଁର ମନ କେମିତି କେମିତି ହୋଇଥିଲା । ନିରୋଳାରେ ଧୋବୀକୁ ଦିନେ କହିଥିଲା, ଗାଁ ମୁଣ୍ଡ ଆମ୍ବତୋଟା ପାଖରେ, ବଡ଼ ହୁଙ୍କାର ଆରପାଖ କିଆବୁଦା ଉହାଡ଼ରେ, ଯେତେବେଳେ ଆଉ ପିଲାଏ ଓ କଇଁ ଛୋଟ ପୋଖରୀ ଭିତରେ ପଶି ଖୁଦୁରୁକୁଣୀ ପାଇଁ କଇଁଫୁଲ ତୋଳୁଥିଲେ, “ଆଲୋ ଧୋବୀ, ବାପା ମନାକଲା ପରା, ପହରାଜେ ଫେରିଗଲେ ।”

 

ହସି ହସି ଧୋବୀ ଉତ୍ତର ଦେଲା, “ଯାଉନୁ କଇଁଫୁଲ ତୋଳିବୁ ।”

 

ସନେଇଁ ଧୋବୀର ହାତ ଧରିବାକୁ ହାତ ବଢ଼ାଇଥିଲା, ଆଉ ଧୋବୀ ମୁହଁମୋଡ଼ି ପାଖରୁ ଛୁଟି ପଳାଇଥିଲା ।

 

ତା ପରେ ସେ ଯେତେଥର ଧୋବୀକୁ ଦେଖିଛି, ତା’ଆଡ଼କୁ ଅତୃପ୍ତ ଦୃଷ୍ଟି ବଢ଼ାଇଛି, ସେ ଫେରିପାଇଛି ଫଣଫଣ ମୁହଁ, ଓଠମୋଡ଼ା, ଆଖିତରାଟା, । ଯେତେଥର ଅନାହୂତ କଇଁ ସଙ୍ଗେ ଦେଖାହୋଇଛି, ଅଣ୍ଡିରାଚଣ୍ଡୀ କଇଁ, ମୁଣ୍ଡ ଉପରକୁ ଲୁଗା ଆଣିଛି, ପାଞ୍ଚଣବାଡ଼ି ହାତରୁ ଖସାଇ ଆଡ଼ହୋଇ ଠିଆ ହୋଇଛି, କଣେଇଁ କଣେଇଁ ଚାହିଁ ମୁଡ଼ୁକିହସା ଦେଇଛି । ସନେଇଁ ଅପେକ୍ଷା କରି ରହିନାହିଁ, ଫେରି ଫେରି ଚାହିଁନାହିଁ ।

 

ପହରାଜଙ୍କଠାରୁ ଚିନ୍ତେଇଁ ସୋଇଁ ବନେଇଁ ପରିଡ଼ାଙ୍କ ଉଦନ୍ତ ପାଇ, ତୁନି ରହିପାରି ନ ଥିଲେ । ଖବର ପଠେଇଥିଲେ, ଆରେ, କାଲିପରା ବନାର ବାପା କନେଇଁ ଆମରି ଘରେ କୋଠିଆ ଥିଲା, ଗୋରୁ ଜଗୁଥିଲା, ଆଜି ତାର ଏଡ଼େ ଚାତର ହେଲାଣି ? ଦେଖାଯାଉ ତାର ଟାଣପଣ ।

 

ପହରାଜେ ହସି ହସି ନାକି ସ୍ୱରରେ କହିଲେ, ଆରେ ବାବା, ସଂସାର ସେମିତି ଚାଲିଛି, ବେଙ୍ଗ କହେ ବେଙ୍ଗୁଲୀଲୋ, ପୃଥ୍ୱୀ କ୍ଷଣକ୍ଷଣକେ ଆନ ।

 

ବେଙ୍ଗର କଥାହିଁ ଠିକ୍‍ ହେଲା । ବରଷଟିଏ ପୂରିଲା ନାହିଁ, ଯେତେବେଳେ ପାଞ୍ଚଓଳି ଓପାସ ପଡ଼ି ବନେଇଁ ପରିଡ଼ା ଏ ପିଲାଛୁଆଙ୍କ ମୁହଁରେ ଆଧାର ଦେବାକୁ ବାସନକୁସନ ବନ୍ଧା ଦେବାପାଇଁ ଚିନ୍ତେଇ ସୋଇଁଙ୍କ ଘରେ ଗୋଡ଼ଭାଙ୍ଗି ଠିଆହେଲେ । ତାଙ୍କର ଅମାର ଓ ପାଳ ଗଦାରେ ଢେର୍‌ ଧାନ ଥିଲା । ଖଣ୍ଡାତଲୁଆର ଧରି ସୋଇଁଘର ଲୋକେ ଦିନରାତି ପହରା ଦେଉଥାନ୍ତି । ବିଶ୍ୱାସୀ ଚାକରମାନେ ବି ଜଗିଥାନ୍ତି ।

 

କେତେ ଲୋକ ଜମାହୋଇଥା’ନ୍ତି, କା ହାତରେ ସୁନାରୁପାର ଗହଣାଗାଣ୍ଠି, କା ହାତରେ ଦଲିଲ ଦସ୍ତାବିଜ, ବାସନ କୁସନ ଗାଈଗୋରୁ, ପିଲାଛୁଆ ସବୁ ଆସିଥାଏ ବିକ୍ରିପାଇଁ, ନୋହିଲେ ବନ୍ଧାଛନ୍ଦା ଦେବାକୁ । ପେଟଜ୍ୱାଳାରେ ସମସ୍ତେ ଡହଳବିକଳ, ସବୁ ଯାଉ, ଜୀବନ ଥାଉ । ଜୀବନ ।

 

ସୋଇଁଏ ଆଡ଼ ଆଖିରେ ପରିଡ଼ାଙ୍କୁ ଚାହିଁ ନ ଥିଲେ । ଭରିଏ ସୁନାକୁ ପାଞ୍ଚ ଗଉଣୀ, ମାଣେ ଜମିକୁ ଦଶ ଗଉଣୀ ଧାନ ଥିଲା ତାଙ୍କ ଦର । ସେତିକି ପୁଣି ଲୋକ ଦେଖି ଦିଆନିଆ । ବାସନକୁସନ, ଗାଈଗୋରୁ କଥା ପଚାରେ କିଏ । ବେଳ ଯେମିତି ପଡ଼ିଛି ସେଥିରେ ବନେଇଁ ପରିଡ଼ା କେଉଁ ମଣିଷରେ ଲେଖା ।

 

ବନେଇଁ ପରିଡ଼ାଙ୍କର ଘରର ଗହଣାଗାଣ୍ଠି, ଗୋରୁଗାଈ, ବାସନକୁସନ ସରିଲା, କୌଣସିମତେ କିଛିଦିନ ଚଳିଗଲା । ସେତକ ସରିଲାପରେ ପୁଣି କି ଉପାୟ । ଚିନ୍ତେଇ ସୋଇଁ ଦର୍‌ ଟେକିଲେଣି, ମାଣେ ଜମିକୁ ତିନି ଗଉଣୀ ଧାନ । ସେତିକି ବି ଲୋକ ଦେଖି । ତାଙ୍କର ବି ପାଳଗଦା ସରିଆସିଲା ।

 

ନିତିଦିନ ଅନାବନା ଶାଗ, ଗେଣ୍ଡା, କୋଚିଆ ଖାଇ ଶେଷରେ ପିଲାଗୁଡ଼ିଙ୍କର ବିକଳ ସହି ନ ପାରି ବନେଇଁ ପରିଡ଼ା କାଗଜପତ୍ର ଧରି ଚିନ୍ତେଇ ସୋଇଁଙ୍କ ଘରେ ପହଁଞ୍ଚିଲେ । ଯେଉଁ ଜମିରେ ସେ ସୁନା ଫଳାଇଥିଲେ, ସେଇଥିରୁ ସାତମାଣ ଜମି ପୋଲା-କବଲା କରି ଧାନ କୋଡ଼ିଏ ଗଉଣୀ ଆଣିଥିଲେ । ସେତେବେଳେକୁ ଗାଁର ଅଧେ ଲୋକ ଘର ଛାଡ଼ି ଭିକ ମାଗି ପେଟ ପୋଷିବାକୁ ଚାଲିଗଲେଣି । ମାନମହତକୁ ଡରି କେତେ ବୋହୂଭୁଆସୁଣୀ, ବଢ଼ିଲା ଝିଅ ଦଉଡ଼ି ଦେଇ ମଲେଣି । ଗାଁ ଛିନ୍ନଛତ୍ର ହେଲାଣି ।

 

ଚିନ୍ତେଇ ସୋଇଁଙ୍କର ପାଳଗଦା ସରିଆସିଲା । ଘରେ ସୁନା-ରୁପା ଗଦା ହେଲା । ଗାଁ ଚାରିପାଖ ଗହୀରର ଅଧେ ଜମିର କବଲା ବାକ୍‌ସକୁ ଆସିଲା । ସୋଇଁଏ ଧାନ ଦେବା ବନ୍ଦ କଲେ-। ଯିଏ ଆଶା ମୁଖରେ ଧାଇଁଆସିଲେ, ପିଲାକୁଟୁମ୍ବ ଧରି ସୋଇଁଙ୍କର ଗୋଡ଼ତଳେ ଲମ୍ବ ଲମ୍ବ ପଡ଼ିଲେ, ସେମାନେ ଶୁଣିଲେ, ଆଉ ନାହିଁରେ ବାଇଆ, ଯେଉଁଗଣ୍ଡାକ ରଖିଛି, ମୋ’ ନିଜ ପିଲାକୁଟୁମ୍ବ, ଆଶ୍ରିତ ଚାକରବାକର, ଗଲାଅଇଲା ବନ୍ଧୁବାନ୍ଧବଙ୍କୁ ନିଅଣ୍ଟ, କାହୁଁ ପାଇବି ।

 

ଏମିତିଆ କଥା ଶୁଣିଥିଲେ ବନେଇଁ ପରିଡ଼ା, ଘରଡିହ ଓ ବାକି ତିନିମାଣ ଜମି ନେଇ ଆଉ କିଛି ଧାନ ଦେବାକୁ ଯେତେ ନିକୁଟିନାକୁଟି ହେଲେ, ସୋଇଁଙ୍କର ମନ ତଟିଲା ନାହିଁ । ବନେଇଁ ପରିଡ଼ା ହତାଶ ହୋଇ ଲୁହଭରା ଆଖିରେ କହିଲେ, ଚାକରବାକର ତମର ଏତେ ଅଛନ୍ତି ସୋଇଁଏ; ଏଇ ମାଇକିନା ପିଲା ଦି’ଟା, କୁନି ଆଉ ପୁନିଙ୍କୁ ତୁମେ ରଖ । ତମର ଗୋରୁ ଗୁହାଳ ପୋଛି, ବାସନ ମାଜି, ଅଇଁଠା ତୋରାଣି ପିଇ ବଞ୍ଚିରହନ୍ତୁ । କୁଆଡ଼େ ଯିବେ, ଛତରରେ ପଶିବେ ।

 

ସୋଇଁଏ ହସହସ ହୋଇ କହିଲେ, ଆଉ ମୋ’ର କାଢ଼ ନାହିଁ ପରିଡ଼ାଏ, କେଡ଼େ କେଡ଼େ ଘରର ପିଲାଏ କୁଆଡ଼େ ଗଲେଣି, ତମେ ଆମେ ତ ଛାର ଲୋକ ।

 

ସୋଇଁଏ, କବାଟ ବନ୍ଦ୍‌ କଲେ । ହତାଶ ହୋଇ ଯେତେବେଳେ ପରିଡ଼ାବଂଶ ସୋଇଁଙ୍କ ଘରୁ ଫେରିଲେ, ସନେଇଁ ଥରୁଟିଏ ଫେରି ଚାହିଁଥିଲା । ଦାଣ୍ଡଘର ଝରକା ସେପାଖେ ଧୋବୀର ମୁହଁ ତା’ରି ଆଖିରେ ପଡ଼ିଲା । ବିରସ ମୁହଁ, ଦୁଇ ଆଖିରୁ ତାର ଦୁଇଧାର ଲୁହ ଗଡ଼ିପଡ଼ୁଛି ।

 

ଗାଁ ଛାଡ଼ି ଆଉ ପାଞ୍ଚଟାଙ୍କ ପରି ବାଟକୁ ଯିବା ଆଗରୁ ଝିଅ ଦି’ଟାଙ୍କର ଗୋଟାଏ କିଛି ବ୍ୟବସ୍ଥା ନ କରିଗଲେ ହେବ ନାହିଁ । ପରିଡ଼ାଏ ସିନା ବୁଢ଼ା ହେଲେଣି, ଆଉ ତାଙ୍କର ଘରଣୀ ଚନି ବୁଢ଼ୀ, ଅପନ୍ତରାରେ ପଡ଼ି ପ୍ରାଣ ଗଲେ ଭାବନା ନାହିଁ, ମରଦପୁଅ ହୋଇ ଜନ୍ମ ହୋଇଛନ୍ତି ଯେତେବେଳେ, ସନିଆଁ ମନିଆଁ, ପ୍ରାଣ ରଖିବାକୁ ଚେଷ୍ଟା କରିବେ । ଭିକ ମାଗନ୍ତୁ, ଚୋରି ଡକାୟତି କରନ୍ତୁ କି ମୂଲ ଲାଗନ୍ତୁ; କିନ୍ତୁ ଝିଅ ଦି’ଟା କୁନି ଆଉ ପୁନି କେମିତି ବଞ୍ଚିବେ ?

 

ପରିଡ଼ାଏ ବଡ଼ ଆଶା କରି ମାଧେଇ ରାଉତଙ୍କ ଘରକୁ ଯାଇଥିଲେ କହିବାକୁ, ନିଅ ରାଉତେ ମୋର ଜମି ତିନିମାଣ, ବାକି ଅଛି ସେତକ, ତମର କଇଁ ଯେମିତି ପୁନି କୁନି ବି ସେମତି । ବଞ୍ଚିଥିଲେ ଫେରିଆସିବି । ମୁଁ ମରିଗଲେ ପିଲା ଦି’ଟା ତୁମକୁ ଲାଗିଲେ, ତୁମର ଯାହା ଇଚ୍ଛା କରିବ-

 

ପରିଡ଼ାଙ୍କ ମନକଥା କୁହା ହୋଇପାରିଲା ନାହିଁ । ସମସ୍ତେ ଯେତେବେଳେ ରାଉତଙ୍କ ଘରେ ଆଶାମୁଖରେ ପହଞ୍ଚିଲେ, ଦେଖିଲେ, ରାଉତ ମୁଣ୍ଡରେ ହାତ ଦେଇ ବସିଛନ୍ତି, ବିରସ ଭାବ । ମୁହଁ କାନ୍ଦକାନ୍ଦ । ପରିଡ଼ାଙ୍କୁ ଦେଖି ରାଉତେ କୁଣ୍ଢାଇପକାଇ କହିଲେ, ମୋର ସଂସାର ସରିଗଲା ସମୁଦୀ, କଇଁକୁ କେମିତି କଣ କହି ମୁଁ ବୁଝେଇବି ?

 

ମାଧେଇ ରାଉତଙ୍କର କୁଟୁମ୍ବରେ ମୋଟେ ତିନୋଟି ପ୍ରାଣୀ; ସ୍ୱାମୀ, ସ୍ତ୍ରୀ, ଓ ଯମଅଇଁଠା କଇଁ । ପୁଅ-ଝିଅ ମିଶି ଛଅଟି ମରି ବୁଢ଼ା ଦିନକୁ ଏଇ କଇଁ ବକଟକ ହୋଇଛି । ବାସିଆ ଘର । ବିଶାଳ ଶାରଦ ହୋଇ ଯେଉଁ ଜମିତକ ଅଛି, ତାରି ଫସଲର ଦୁଃଖେ କଷ୍ଟେ ବରଷକ ଚଳୁଥିଲା । ଲାଗ ଲାଗ ଦୁଇ ବର୍ଷ ଫସଲହାନି ପରେ ସଂସାର ଆଉ ଚଳନ୍ତା କିପରି ? ରାଉତ ବୁଢ଼ା ଦେଖିଲେ, ବାକି ଯେତକ ଅଛି, ସେତିକିରେ ତିନିପ୍ରାଣୀ କୁଟୁମ୍ବ ବେଶିଦିନ ଚଳିପାରିବେ ନାହିଁ । ଗାଈବାଛୁରୀ ତ ପଘାରେ ମରିଥିଲେ, ସେଥିପାଇଁ ମନରେ କଷ୍ଟ ଥିଲା । ଜଣେ କମିଲେ କେଡ଼େ ବଡ଼ କଥା । ସୁବିଧା ଦେଖି ବୁଢ଼ୀ ଓରାରେ ଦଉଡ଼ି ଲଗାଇ ଝୁଲିପଡ଼ିଛନ୍ତି ।

 

ପରିଡ଼ାଏ ବୋଧଶୋଧ ଦେଲେ । ନିଜ ଦୁଃଖ ଆଉ ତୁଣ୍ଡରୁ ବାହାରିଲା ନାହିଁ । କଇଁର ମୁଣ୍ଡରେ ହାତ ବୁଲେଇ ଗେହ୍ଲେଇ କହିଲେ–କାନ୍ଦନା, ଯିଏ ଯାଇଛି, ସେ ଆଉ କଣ ଫେରିବ ? ଏଇ ତୋର ମା’ ।

 

ସନେଇଁ ବୋଉକୁ ଦେଖାଇଦେଲେ ।

 

ରାଉତଘରୁ ନିଜ ଘରକୁ ଆଉ ଫେରିଲେ ନାହିଁ । ଲକ୍ଷ ଲକ୍ଷ ଭୋକିଲା ଲୋକ ଯେଉଁ ରାହା ଧରି ଚାଲିଥିଲେ, ପିଲାକୁଟୁମ୍ବ ଧରି ସେ ମଧ୍ୟ ସେହି ରାହା ଧରିଲେ ।

 

ବନେଇଁ ପରିଡ଼ାଙ୍କର ଭାଗ୍ୟରେ ଥିଲା ପର ଗାଁର ଅପନ୍ତରା ମଶାଣି । ଆଉ ପିଲାମାନେ କିଏ କେଉଁଠି ରହିଲେ, ହାଡ଼ କେଇଁଖଣ୍ଡ ଧରି ଫେରିଆସିଛି ସନେଇଁ । ଜନ୍ମମାଟିର ମାୟା ତାକୁ ଟାଣିଆଣିଛି । ଗାଁ ଲୋକଙ୍କର ଈର୍ଷା, ଧୋବୀର ମୁହଁମୋଡ଼ା, ପୁଣି ଆଖିର ଲୁହ, କଇଁର ନିର୍ବୋଧ ଆଗ୍ରହ, ଆଉ ମା’ ମରଣର ଦୁଃଖ, ସବୁ ଯେପରି ସନିଆଁର ନିଜର । ସମସ୍ତେ ତାର ମନ ଭିତରେ ଡାକ ଦେଇଛନ୍ତି । ଡାକ ଦେଇଛି ସ୍ନେହମଇ ମାଆର କୋଡ଼, ସାନସାନ ଭାଇଭଉଣୀଙ୍କର ମୋହ । କାଳେ ସେମାନେ ଫେରିଥିବେ ?

 

କିନ୍ତୁ, ଗାଁର ଏ ହତଶିରୀ ଦୃଶ୍ୟଦେଖି ସେ ହତାଶ ହେଲା । ଚାରିବର୍ଷ ତଳେ ଯେଉଁଠି ଧନଧାନ୍ୟ ଗୋପଲକ୍ଷ୍ମୀ ବିରାଜୁଥିଲେ, ପୂରିଲା ପୂରିଲା ଗାଲରେ କଥାକଥାକେ ହସ ଉଛୁଳି ଉଠୁଥିଲା, ସେଇ ଗାଁ ତାର ମଶାଣି ପରି ଦିଶୁଛି । ଅତି ପରିଚିତ ଲୋକେ ଆଜି ହାଡ଼ମାଳ ହୋଇଛନ୍ତି । ପଶିଲା ପଶିଲା ଗାଲ, ବିରସ ମୁହଁ, ଉଦାସ ଭାବ ।

 

ଖରା ପଡ଼ିଲା ସନିଆଁ ପହଞ୍ଚିଲା ଗାଁ ମଝିରେ, କଦମ୍ବଗଛ ତଳେ, ଯେଉଁଠି ଗୋପୀନାଥ ମହାପ୍ରଭୁଙ୍କର ଛୋଟ ମନ୍ଦିର । ଆଗରେ ଚାନ୍ଦିନୀ । ଚାନ୍ଦିନୀର କଡ଼କୁ ଗୋପୀ ସାଗର ବଡ଼ ପୋଖରୀ । ମନ୍ଦିର ଉପରେ ଉଠିଥିବା ଓସ୍ତଗଛଟା କେତେବଡ଼ ହୋଇଗଲାଣି, ଚେରମାନ ଲମ୍ବିଆସିଲାଣି ତଳକୁ । ମନ୍ଦିର ଦେହରେ ଅଧଆଙ୍ଗୁଳେ ଚଉଡ଼ାରେ ଯେଉଁ ଫାଟଟି ହୋଇଥିଲା, ସେଇଟି ଏବେ ଦୁଇ ଆଙ୍ଗୁଳା ହେଲାଣି । ପୋଖରୀର ପଥର ପାହାଚଗୁଡ଼ିକ ପୋଖରୀର ପେଟକୁ ଲେସେଡ଼ି ପଡ଼ିଲାଣି ।

 

ସନିଆଁ ଥକି ପଡ଼ିଲା । ଗାଁ ଲୋକା କେହି କେହି ଆସି ପୋଖରୀ ହୁଡ଼ାରେ ବସି ଖରା ପୁଇଁଲେଣି । ତାଙ୍କରି ପାଖରେ ବସିଲା ।

 

ବିଶି ଜେନା ମୁହଁ ଫଣଫଣ କରି କହିଲା, ଆରେ ଘୁଞ୍ଚିବସ୍‌ କୁଆଡ଼ର କାଙ୍ଗାଳଟା ।

 

ସନିଆଁ ଘୁଞ୍ଚିବସିଲା । ଏଇ ଆଗରେ ବସିଛି ବିଶି ଦାଦି, ତାହା ସେପାଖକୁ ବାମ ଓଝା, ପରି ଦଳେଇ । ସମସ୍ତେ ଚିହ୍ନା କେହି ଚିହ୍ନୁନାହାନ୍ତି ।

 

ସେ ପରିଚୟ ଦେଲା, ବିଶିଆଦି, ଚିହ୍ନିପାରୁନା । ମୁଁ ସନିଆଁ

 

ସନିଆଁର ମୋହ ଭାଙ୍ଗିଲା । ଜନ୍ମମାଟିର ମାୟା ତୁଟିଲା । ଯେଉଁ ଗାଁ ତାକୁ ଦୂରରୁ ଡାକ ଦେଇଥିଲା, ତାହାରି ପାଇଁ କେତେ ବଣ, ପାହାଡ଼, ନଈନାଳ ଡେଇଁ ଖିଆପିଆ ଭୁଲି, ଦୁଃଖକଷ୍ଟ ସହି ସେ ଗୋଡ଼ ଫେରାଇଥିଲା, ସେହି ଗାଁ ତାକୁ ଆଜି ଗ୍ରହଣ କରିବାକୁ ରାଜି ନୁହେଁ । ସେ ଛତରଖିଆ, ତାର କାୟା ନଷ୍ଟହୋଇଛି, ତାର ଆତ୍ମା ଅପବିତ୍ର ହୋଇଛି, ସେ ପତିତ । ଜାତି ତାକୁ ଗ୍ରହଣ କରିବା ନାହିଁ । ସମାଜରେ ତାର ସ୍ଥାନ ନାହିଁ ।

 

ଗୋପୀନାଥ ମହାପ୍ରଭୁଙ୍କ ଆଗରେ ସେଦିନ ସଞ୍ଜବେଳେ ଗାଁ ଲୋକେ ରୁଣ୍ଡହୋଇଥିଲେ । ଚାନ୍ଦିନୀ ଉପରେ ଚିନ୍ତେଇ ସୋଇଁ, ରାମ ପହରାଜେ, ବିଶି ଜେନା, ହରି ମାହାନ୍ତିଏ, ଚାନ୍ଦିନୀ ତଳେ ବାମ ଓଝା, ପରି ଦଳେଇ, ଭଗି ସାହୁ, ବଗି କାଣ୍ଡି ଏମିତି ଆହୁରି କେତେ ଲୋକ । ଅଧମଲା ପିଲାଛୁଆଗୁଡ଼ିଏ ମଧ୍ୟ ଜମାହୋଇ ପାଟି କରୁଥାନ୍ତି । ଗାଁର ଝିଅ ବୋହୂ କେତେଜଣ ଦୂରରେ ଠିଆହୋଇ ଚାହିଁ ରହିଥାନ୍ତି । ସନେଇଁ ପରିଡ଼ା କରଛଡ଼ା ହୋଇ ହାତଯୋଡ଼ି ବସିଥାଏ । ଆଜି ତାର ପାପର ଦଣ୍ଡ ଦିଆଯିବ, ଦୋଷର ବିଚାର ହେବ ।

 

ତାର ଦୋଷ କଣ ? ପାପ କଣ ?

 

ପେଟବିକଳରେ ସେ ଆମ୍ଭମାନଙ୍କ ପରି ଗାଁ ଛାଡ଼ି ଚାଲି ଯାଇଥିଲା ? ଛତରରେ ପଶିଥିଲା, ବାରଜାତିର ଲୋକଙ୍କ ସଙ୍ଗେ ଏକାଠି ବସି ଖାଇଥିଲା । ପାଣ ପଠାଣ କେତେ ଜାତିର ଲୋକଙ୍କ ଘରୁ ମାଗି ଖାଇଛି । ଜୀବନ ବଞ୍ଚାଇବାକୁ ଗାଈ ଓ କୁକୁର ମାଂସ ସିଝାଇ ଖାଇଛି । ବାପ ମଲା, ଶୁଦ୍ଧି ହୋଇନାହିଁ । ମା’, ଭାଇ, ଭଉଣୀ କେଉଁଠି ରହିଲେ ଜଣାନାହିଁ । ହୁଏତ ଅଧର୍ମ ଅଜାତି ଘରେ ପଶିଥିବ । ସେଥିପାଇଁ ପ୍ରାୟଶ୍ଚିତ୍ତ ଲୋଡ଼ା ।

 

ସନିଆଁ ନିଜ ମୁହଁରେ ସବୁ ମାନିଛି । ସହାନୁଭୂତି ପାଇବ ବୋଲି ଗାଁ ଲୋକ, ନିଜ ଲୋକଙ୍କ ଆଗରେ ସବୁ ଖୋଲି କହିଛି, କିଛି ଲୁଚାଇ ନାହିଁ । ସମସ୍ତେ ତାର ଆପଣାର । ପିଲାଦିନୁ ହେତୁ ପାଇବା ଦିନରୁ ସେମାନଙ୍କୁ ସେ ଦେଖିଛି, ଚିହ୍ନିଛି, ଭଲ ପାଇଛି, ଭକ୍ତି କରି ଆସିଛି, ଦାଦି ଭାଇ ମଉସା ବୋଲି ଡାକିଛି । ସେମାନେ ତାର ସୁଖଦୁଃଖର ସାଥୀ ଥିଲେ । ଖେଳକୌତୁକର ପ୍ରେରଣା ଥିଲେ । ସେମାନଙ୍କୁ ଦେଖିବା ପାଇଁ ସେ କେଡ଼େ ଆଗ୍ରହରେ, କେତେ ଆଶାରେ ଆସିଥିଲା ।

 

ଗାଁରୁ ଅଧେ ଲୋକ ଚାଲିଯାଇଥିଲେ । କିଏ ମଲେ କିଏ କୁଆଡ଼େ ରହିଲେ । ସନିଆଁ ଆସିବା ଆଗରୁ ଯେଉଁମାନେ ଫେରିଆସିଥିଲେ, ସେମାନଙ୍କ ମଧ୍ୟରୁ ଅନେକ ଗାଁ ମଶାଣିରେ ପାଉଁଶ ହେଲେଣି । ଯେଉଁମାନେ ରହିଲେ, କୁଟୁମ୍ବରେ ମିଶିବାକୁ, କେବଳ ଗୋଟାଏ ହୋମ ଓ ପଞ୍ଚଗବ୍ୟ ଛଡ଼ା ଆଉ କିଛି ହୋଇନାହିଁ । ସେମାନଙ୍କୁ ଉପଦେଶ ଦେବାପାଇଁ ଲୋକ ଥିଲେ, ତେଣୁ ସନିଆଁ ପରି ସେମାନେ ନିଜ ମୁହଁରେ କିଛି ସ୍ୱୀକାର କରି ନ ଥିଲେ । ତାଙ୍କ ଜୀବନର ଇତିହାସ ଥିଲା ଛୋଟ ପରଘରେ ପାଇଟି କରି, ତିନିଦିନରେ ହେଉପଛେ, ଯେଉଁଠି ଗଣ୍ଡିଏ ଚାଉଳ ମିଳିଲା, ନିଜ ହାତରେ ଗଛତଳେ ଠେକରା ବସାଇ ଫୁଟାଇ ଖାଇଥିଲେ, ଅଜାତିରେ ପଶିନାହାନ୍ତି, ଅଖାଦ୍ୟ ଖାଇ ନାହାନ୍ତି ।

 

ଗ୍ରାମବାସୀମାନଙ୍କ ବିଚାର ସରିଲା । ପହରାଜେ କେତେ ଶ୍ଲୋକ ପଢ଼ି, ଅର୍ଥ କରି ବ୍ୟବସ୍ଥା ଦେଲେ-ହୋମ ହେବ, ପଞ୍ଚଗବ୍ୟ ହେବ, ଶୁଦ୍ଧି, ପ୍ରାୟଶ୍ଚିତ୍ତ, ବ୍ରାହ୍ମଣ ଭୋଜନି, ଜ୍ଞାତି ଭୋଜନି, ଇଷ୍ଟଦେବ ଗୋପୀନାଥଙ୍କ ମାର୍ଜନା, ଅଷ୍ଟପ୍ରହରୀ, ଗ୍ରାମ ଦେବତୀ ଓ ମହାଦେବଙ୍କର ପୂଜା ହେବ । ଏତେ କାମ କଲେ ଯାଇ ଦୋଷ ଖଣ୍ଡିବ । ସନିଆଁ ସମାଜରେ ପଶିବ, ଜାତିରେ ଚଳିବ; ନ ହେଲେ ସେ ପତିତ, ଅସ୍ପୃଶ୍ୟ ହୋଇ ରହିବ । କାହାରି ପିଣ୍ଡାକୁ ଉଠିପାରିବ ନାହିଁ, କାହାର ବାସନକୁସନରେ ଖାଇପାରିବ ନାହିଁ, କୂଅ ଛୁଇଁବ ନାହିଁ । ତାକୁ ଛୁଇଁଲେ ଲୋକ ଛୁଆଁ ହେବେ, ଲୁଗା ଧୋଇବେ । ତାର ମୁହଁ ଚାହିଁଲେ ଅମଙ୍ଗଳ ହେବ । ସେ ଦେବ ମନ୍ଦିରରେ ପଶିପାରିବ ନାହିଁ, ଦେବତାର ପ୍ରସାଦ ପାଇ ପାରିବ ନାହିଁ । ମଣିଷ ହେଲେ ମଧ୍ୟ ତାକୁ ପ୍ରେତ ବୋଲି ଗଣିବାକୁ ହେବ । ଇତ୍ୟାଦି ।

 

ସନିଆଁ ତୁନି ହୋଇ ସବୁ ଶୁଣୁଥିଲା । ଗାଁ ଲୋକେ ତର୍କବିତର୍କ କରି ଯାହା ସ୍ଥିର କରି ପହରାଜଙ୍କ ତୁଣ୍ଡରେ କୁହାଇଲେ, କଙ୍କାଳର କାନରେ ବାଜିଲା, ପଶିଲା ନାହିଁ । ଜାତି କଥା, ସମାଜ କଥା ପଛେ ବିଚାର ହେବ, ଦୁଇଦିନ ହେଲା ପେଟରେ ଦାନା ପଡ଼ିନାହିଁ, ଭୋକରେ ପେଟ ହାଉଜାଉ ଜଳୁଛି, କଣ ଦିଓଟି ଖାଇଲେ ପିଣ୍ଡରେ ପ୍ରାଣ ପଶନ୍ତା । ଗ୍ରାମବାସୀ ସେକଥାର ଯଦି କିଛି ବ୍ୟବସ୍ଥା ଯଦି କରନ୍ତେ । ବଲବଲ କରି ସେ ସମସ୍ତଙ୍କ ମୁହଁକୁ ଚାହୁଁଥାଏ, ତୁଣ୍ଡରୁ ତାର କଥା ବାହାରୁ ନ ଥାଏ ।

 

ହରି ମାହାନ୍ତିଏ ସନିଆଁଙ୍କୁ ଲକ୍ଷ୍ୟକରି କହିଲେ, ଆରେ ବୁଝିଲୁ ସନେଇଁ, ଯିଏ ମରେ, ସେ ନିଶ୍ଚିତ ହୁଏ, ଜାତି ଧର୍ମ ତା’ ଫଛରେ ଧାଇଁ ଯାଏନାହିଁ; କିନ୍ତୁ ଯିଏ ବଞ୍ଚେ ତାକୁ ତ ପୁଣି ଜାତିଆଣ ବିଧି ମାନି ଚଳିବାକୁ ହୁଏରେ ବାୟା, ଧର୍ମଛଡ଼ା ହୋଇ ତ ଆଉ ଚଳିହେବ ନାହିଁ ? ମୁଁ କହୁଛି କଣ କି ପହରାଜେ ଯାହା କହିଲେ ସେଇଆ କର, ତେଣିକି ଆଉ କିଛି ବାଧା ରହିବ ନାହିଁ । ସେତକ ନ ହେବାଯାଏ କାହାରି ଘରେ ତୁ ଗୋଡ଼ ଦେଇପାରିବୁ ନାହିଁ ।

 

ବଗି କାଣ୍ଡି କହିଲା, ସାଆନ୍ତେ ଯାହା କହିଲେ ହକ୍‍ କଥା, କାୟା ଶୁଦ୍ଧ ନ ହେଲେ କିଏ ତତେ ଚାହିଁବରେ ପୁଅ ?

 

ଆଉ ଅନ୍ୟମାନେ ବି ସେହିକଥା କହିଲେ । ସନେଇଁ ସବୁ ଶୁଣିଲା, କିଛି ବୁଝିପାରିଲା ନାହିଁ । ତାର ଦୁର୍ବଳ ହାତ ଦିଓଟି ଯୋଡ଼ି ମୁଣ୍ଡରେ ଲଗାଇଲା । ଲୋକଙ୍କର ବ୍ୟବସ୍ଥା ଯେ ସେ ଗ୍ରହଣ କରୁଛି, ଏହା କୁହାକୁହି ହୋଇ, ସନେଇଁ ପରିଡ଼ାର ବୁଦ୍ଧିର ପ୍ରଶଂସା କରି, ଗାଁଲୋକ ଯିଏ ଯୁଆଡ଼େ ଚାଲିଗଲେ । ତାର ଖାଇବା ପିନ୍ଧିବାର ବନ୍ଦୋବସ୍ତ କେହି କଲେ ନାହିଁକି ସେ ସମ୍ବନ୍ଧରେ କେହି ପଦେହେଲେ କହିଲେ ନାହିଁ ।

 

ତିନିଘଡ଼ି ଅନ୍ଧାର ପରେ ଶିତୁଳିଆ ଜହ୍ନ ଉଇଁ ଆସିଲା । ସନିଆଁର ରକ୍ତ ମାଂସ ନ ଥିଲା, ହାଡ଼ ଚମ ଶୀତରେ ଥରି ଉଠିଲା । ଭୋକିଲା ପେଟରେ ଅପନ୍ତରାର ଗଛତଳେ ପଡ଼ି ଜନ୍ମମାଟିର କୋଳରେ, କଦମ୍ବଗଛତଳେ ତାର ରହଣି ହେବ । କିଏ ଜାଣେ ତାର ପ୍ରାଣ ରହିବ କି ନାହିଁ, ହୁଏତ ନିଜ ଗାଁ ମାଟି ଘେନିବାକୁ ସେ କେଡ଼େ ଆଗ୍ରହରେ ଧାଇଁ ଆସିଛି । ପରଘରେ ହାତ ପାତି, ପେଜ ପାଣି ଟିକିଏ ଖାଇ ପ୍ରାଣ ବଞ୍ଚେଇବାକୁ ମନ ହେଉଥିଲେ ମଧ୍ୟ ଦେହ ଚଳୁନାହିଁ । ଗୋଟାଏ ଜିଦ୍‍ରେ ଗୋଟାଏ ନହସରେ ସିନା ସେ ଫେରିଆସିଲା, ଛାତି ତଳେ ଦିକ୍‌ଦିକ୍‌ ହୋଇ ଜଳୁଥିବା ତାର ଆଶାର ଆଲୁଅ କ୍ଷୀଣରୁ କ୍ଷୀଣତର ହେଲା ।

 

କାହିଁକି ସେ ବଞ୍ଚିଲା ସତେ । କାହିଁକି ବା ସେ ବଞ୍ଚି ରହିବ ? ଜୀବନରେ ତାର ଆଉ ସୁଖ କଣ ? ମା’, ଭାଇ, ଭଉଣୀ କିଏ କେଉଁଠି ରହିଲେ । ବଞ୍ଚିଛନ୍ତି କି ମରିଛନ୍ତି, ତାର କେଉଁ ଠିକଣା ? ଆତ୍ମୀୟସ୍ଵଜନକୁ ଛାଡ଼ି ବଞ୍ଚିରହିବା ବିଡ଼ମ୍ବନା । ଗାଁ ଲୋକେ ତାକୁ ପରିତ୍ୟାଗ କରିଛନ୍ତି । ଏ ଦେଶରେ ଏ ସମାଜରେ ଜନ୍ମହେବା ଯେପରି ପାପ, ବଞ୍ଚିରହିବା ତହିଁରୁ ଅଧିକ । ଏତେବଡ଼ ଗାଁରେ ଯେଉଁମାନେ ବଞ୍ଚିରହିଛନ୍ତି, ସେମାନେ ତାକୁ ଗୋଡ଼ରେ ଠେଲି ଦେଇଛନ୍ତି । ତାର ସୁଖଦୁଃଖ, ଜୀବନ-ମରଣ କଥା କେହି ପଦଟିଏ ପଚାରିଲେ ନାହିଁ । ଲୋକଙ୍କର ଛାତି ପଥର ହୋଇଛି ।

 

ସନିଆଁର କୌଣସି ବିଷୟ ଭାବି ସ୍ଥିର କରିବାର ଅବସ୍ଥା ନ ଥିଲା । ସେ ଧୀରେ ଧୀରେ କଦମ୍ବଗଛ ନିକଟକୁ ଘୁଞ୍ଚିଯାଇ ମନ୍ଦିର କଡ଼ରେ ପଡ଼ିରହିଲା । କେତେବେଳେ ତାର କ୍ଲାନ୍ତ ଆଖିପତା ମୁଦି ହୋଇ ଆସିଲା ।

 

ଚିନ୍ତେଇଁ ସୋଇଁ ଓ ନିଧେଇ ସୋଇଁ ଦୁଇ ଭାଇ । ଚିନ୍ତେଇ ବଡ଼ । ସେ ରାଜୀବ ସୋଇଁଙ୍କର ପ୍ରଥମ ସ୍ତ୍ରୀଙ୍କର ପୁଅ । ସାତ ଦିନର ପିଲାଟିକୁ ଛାଡ଼ି ଯେତେବେଳେ ତାର ମା ଆଖି ବୁଜିଲେ ରାଜୀବ ସୋଇଁ ହତାଶ ହୋଇପଡ଼ିଲେ । ପିଲାଟାକୁ ବଞ୍ଚାଇବେ କିପରି, ସେହି ହେଲା ତାଙ୍କର ପ୍ରଥମ ଚିନ୍ତା । ଦୟା ପାଇ ଗାଁର ଯେଉଁ ମାଇପେ ଆସି ପିଲାଟିର ଯତ୍ନ ନେଉଥିଲେ, ସେମାନେ ବା କେତେଦିନ ପର ପିଲା ପାଇଁ କରନ୍ତେ ? ସ୍ତ୍ରୀଙ୍କର ମରଣର ଦୁଃଖ ମନରୁ ନ ଯାଉଣୁ ରାଜୀବ ସୋଇଁ ଚାଳିଶ ବର୍ଷ ବୟସରେ ତେର ବରଷର ଝିଅଟିର ହାତ ଧରି ଘରକୁ ଆଣିଲେ । କଣ୍ଢେଇ ଖେଳ ନ ଭାଙ୍ଗୁଣୁ ଝିଅଟି ସୋଇଁ ଘରେ ଗୋଡ଼ ଦେଉଣୁ, ଗାଁ ଲୋକେ, ଘର ଲୋକେ ତାକୁ ଚିନ୍ତେଇ ମା’ ବୋଲି ଡାକିବାକୁ ଆରମ୍ଭ କଲେ ।

 

ଚିନ୍ତେଇ ତାଙ୍କରି ହାତଗଢ଼ା ମଣିଷ । ଅନେକଗୁଡ଼ିଏ ଝିଅ ଓ ପୁଅ ନିଧେଇକୁ ସେ ଜନ୍ମ ଦେଇଥିଲେ, କିନ୍ତୁ ଚିନ୍ତେଇ ଯେପରି ଥିଲେ ତାଙ୍କର ଦୁଇ ଆଖି । ଝିଅଗୁଡ଼ିକ ପରଘରକୁ ଗଲେ । ଚିନ୍ତେଇଙ୍କର ହାତକୁ ଦି’ ହାତ କରି ରାଜୀବ ସୋଇଁ ମଧ୍ୟ ଖସିଗଲେ, କିନ୍ତୁ ଚିନ୍ତେଇ ଅଣ୍ଟାଭିଡ଼ିଲେ–ସେ ଘର କରିବେ, ମଣିଷ ହେବେ, ତାଙ୍କ ଗାଁରେ, ପଚିଶ ଲୋକଙ୍କ ତୁଣ୍ଡରେ ତାଙ୍କ ନାଁ ପଡ଼ିବ ।

 

ଆଉ କେଉଁଆଡ଼କୁ ଲକ୍ଷ୍ୟ ନ ରଖି ସେ ଧନ ଓ ଧାନ ସଞ୍ଚିବା, ନୂଆ ନୂଆ ଜମି କିଣିବା, ରାଣ୍ଡୀଙ୍କଠାରୁ ଆରମ୍ଭ କରି ଭଲ ଘରର ବୋହୂ-ଭୁଆସୁଣୀଙ୍କର ଗହଣାଗାଣ୍ଠି ରଖି, ଟଙ୍କା ମହାଜନୀ ଚଳାଇବାରେ ମନ ଦେଲେ । କ୍ରମେ କ୍ରମେ ଜମିବାଡ଼ି ବନ୍ଧକ ରଖିଲେ । ଲୋକେ ଜାଣନ୍ତି, ଚିନ୍ତେଇ ସୋଇଁ ଅନ୍ୟାୟରେ କାହାରିଠାରୁ ପାହୁଲାଟିଏ କି ପୋଷେ ଧାନ ଅଧିକ ନିଅନ୍ତି ନାହିଁ, କାହାରିକୁ ମଧ୍ୟ କାଣିଚାଏ ଛାଡ଼ନ୍ତି ନାହିଁ । ସେ ଚାହାନ୍ତି ତାଙ୍କର ହକ୍‍ ପାଉଣା ।

 

ଧୀରେ ଧୀରେ ଚିନ୍ତେଇ ସୋଇଁ ଉଠିଲେ, ଧନଦଉଲତ ଘରେ ଘରେ ପୂର୍ଣ୍ଣ ହେଲା । ନିଧେଇଟି ମଣିଷ ହେଲା । ସୋଇଁଏ ତାର ହାତକୁ ଦି’ହାତ କଲେ । ନିଧେଇ ହୁସିଆର ହେଲା । ଚିନ୍ତେଇ ସୋଇଁ ତା’ ଉପରେ ଚାଷବାସ, ଧାନ ଚାଉଳ, ଗୋରୁଗାଈ, ନିଜ କୁଟୁମ୍ବ ଓ ବନ୍ଧୁବାନ୍ଧବଙ୍କର ଦାୟିତ୍ଵ ଛାଡ଼ିଦେଇ, ନିଜେ ଦେଢ଼ି ମହାଜନୀ ଓ ମାମଲତକାରୀ ନେଇ ବ୍ୟସ୍ଥ ରହିଲେ । ତଥାପି ହାତରୁ ଲଗାମ ଛାଡ଼ନ୍ତି ନାହିଁ । ବେଳେବଳେ ନିଧେଇକୁ ପାଖକୁ ଡାକି ହାଲଚାଲ ବୁଝନ୍ତି ।, ହିସାବପତ୍ର ଦେଖନ୍ତି ମାମଲତି ଶିଖାନ୍ତି ।

 

ଚିନ୍ତେଇ ସୋଇଁଙ୍କର ଏକମାତ୍ର ସନ୍ତାନ ଧୋବୀ । କାକବନ୍ଧ୍ୟା ବୋଲି ଗାଁ ମାଇପେ ତାଙ୍କ ସ୍ତ୍ରୀଙ୍କୁ ବାରକଥା କହନ୍ତି । ସେ ଦୁଃଖ କଲେ ଚିନ୍ତେଇ ସୋଇଁ ନିଧେଇର ଗୁରୁଡ଼ି ଗାରଡ଼ି ପିଲାଗୁଡ଼ିକୁ ଦେଖାଇ କହନ୍ତି, ଏଗୁଡ଼ିକ କଣ ତମର ନୁହଁନ୍ତି କି ? ସ୍ତ୍ରୀ ଉପରଠାଉରିଆ କରି ହସନ୍ତି; କିନ୍ତୁ ମନ ଭିତରେ କଣ ଯେପରି ଅଭାବ ଅନୁଭବ କରନ୍ତି । କି ଆଶାରେ କେଜାଣି ବାରବ୍ରତ ତେରଓଷା କରନ୍ତି, କିନ୍ତୁ ତାଙ୍କ ଭାଗ୍ୟକୁ କୌଣସି ଦେବାଦେବୀ ପ୍ରସନ୍ନ ହୁଅନ୍ତି ନାହିଁ ।

 

ଆଈମା’ଙ୍କ ପାଖରେ ନାତିନାତୁଣୀଙ୍କର ଜୁଲମ । ବୁଢ଼ୀ ସବୁଠାରୁ ଅଧିକ ଭଲପାଆନ୍ତି ଧାବୀକୁ । ଧୋବୀ ତାଙ୍କର ଦୁଇ ଆଖି, ଦଣ୍ଡେ ନ ଦେଖିଲେ ବୁଢ଼ୀ ବଣା ହୁଅନ୍ତି । ଧୋବୀର ମୁହଁ ଶୁଖିଲା ଦେଖିଲେ ବୁଢ଼ୀଙ୍କର ଆଖିରେ ଲୁହ ଆସେ । ଧୋବୀକୁ ସେ କୋଳକୁ ଟାଣିନିଅନ୍ତି ଗେଲ କରନ୍ତି ।

 

ଦୁର୍ଭିକ୍ଷ ଆସିଲା । ଚିନ୍ତେଇ ସୋଇଁଙ୍କର ଧନସମ୍ପତ୍ତି ଉତ୍ତରୋତ୍ତର ବଢ଼ିବାକୁ ଲାଗିଲା । ବିଷ୍ଣୁପୁର ଗାଁର ଯେତେଲୋକ ଘରଛାଡ଼ି ପେଟ ପାଇଁ ବାଟକୁ ଗଲେ, ସମସ୍ତଙ୍କର ବାସନକୁସନ, ଗାଈଗୋରୁ, ଗହଣାଗାଣ୍ଠି, ଜମିବାଡ଼ି ସବୁ ହେଲା ଚିନ୍ତେଇ ସୋଇଁଙ୍କର । ଗାଁ ଭିତରୁ ଯେଉଁ ବାଟରେ ଗାଁ ବାହାରକୁ ଆସି ଚାହିଁଲେ ଯେତେଦୂରଯାଏ ଆଖିପାଏ, ସବୁ ଜମି ଚିନ୍ତେଇ ସୋଇଁଙ୍କର । ଗାଁ ମଇଦାନରେ ଯେତେ ଗାଈଗୋରୁ ଚରନ୍ତି, ସମସ୍ତେ ଆଜି ତାଙ୍କରି । ଗାଁର ଯେତେ ଲୋକ ବଞ୍ଚି ରହିଛନ୍ତି, ସମସ୍ତେ ତାଙ୍କର ଧାରୁଆ, ଅଧିକାଂଶ ଲୋକ ତାଙ୍କରି ମୂଲିଆ, ନୋହିଲେ ଭାଗଦାର ପ୍ରଜା ।

 

ଚିନ୍ତେଇ ସୋଇଁ ବଡ଼ଲୋକ, ତେଣୁ ତାଙ୍କର ଭୁଲ କଥା ବି ବେଦର ଗାର, ତାଙ୍କର ଆଖିଠିରିକା ଯେ ଲୋକଙ୍କର ଆଦେଶ । ସେ ଆଙ୍ଗୁଠି ଦେଖାଇଲେ ଲୋକେ ବାହା ଗିଳିବାକୁ ପ୍ରସ୍ତୁତ ।

 

ଚିନ୍ତେଇ ସୋଇଁ ବଡ଼ଲୋକ, ତେଣୁ ସେ ସମାଜପତି, ଯାହା କହିବେ ସେଇଆ । ପହରାଜେ ତାଙ୍କରି କଥାମତେ ଶ୍ଲୋକ ଖୋଜି ବାହାର କରିବେ, ଶାସ୍ତ୍ରପୁରାଣ ଖୋଜି ନ ପାଇଲେ ମନରୁ ଫାନ୍ଦିବେ ।

 

ଦୁର୍ଭିକ୍ଷ ଆସିଲା । କେତେ ଲୋକଙ୍କର ଘର ଭାଙ୍ଗି ପୁଣି ଗାଁ ଗାଁକେ କେତେ ଲୋକଙ୍କର ବଡ଼ ବଡ଼ ଘର ଗଢ଼ା ହୋଇଉଠିଲା । କେତେ ଲୋକଙ୍କର ଝାଳ, ରକ୍ତ ପୁଣି ଜୀବନ ବିନିମୟରେ ମଶାଣି ମଝିରେ କୁବେରମାନଙ୍କର ଧୂଳିଆ ଘର ମୁଣ୍ଡ ଟେକି ଠିଆହେଲା, କେତେ ପୋଖରୀ ଖୋଳାହେଲା, କେତେ ଦେବାଳୟ ତୋଳାହେଲା ମୁମୂର୍ଷୁର ଆର୍ତ୍ତନାଦକୁ ବୁଡ଼ାଇ ଦେବାକୁ ଦେବାଳୟରେ ବାଜିଲା ଘଣ୍ଟା, ମୃଦଙ୍ଗ ।

 

ଦୁଇବର୍ଷ ତଳେ ଯେତେବେଳେ ବାଟଘାଟରେ ମଶାମାଛିପରି ମଣିଷ ପିଲାଏ ଟଳି ପଡ଼ୁଥାନ୍ତି, ଚିନ୍ତେଇ ସୋଇଁଙ୍କର ଧନ ଓ ପ୍ରତିପତ୍ତି ଦିନକୁ ଦିନ ବଢ଼ୁଥାଏ, ଠିକ୍‍ ସେହି ସମୟରେ, ଯେତେବେଳେ ଆର୍ତ୍ତର ଚିତ୍କାରରେ ଆକାଶ ଫାଟିପଡ଼ୁଥାଏ, କାଙ୍ଗାଳ ପ୍ରାଣ ବିକଳରେ ସିଝୁ ଓ ବିଛୁଆତି ଗଛର ପତ୍ର ଚୋବାଉଥାଏ, ଚିନ୍ତେଇ ସୋଇଁଙ୍କର ଅଲିଅଳି ଝିଅ ଧୋବୀର ବାହାଘର ହେଲା ।

 

ଦୁର୍ଗାପୁର ବିଷ୍ଣୁପୁରକୁ ବାଟ ଦି ‘କୋଶ, ମଝିରେ ଖାଲି ଖରସୁଆଁ ନଈ । ଜିତେଇ ନାଏକ ସେଗାଁର ଖାନଦାନ ବଡ଼ଲୋକ । ତାଙ୍କରି ଏକମାତ୍ର ପୁଅ ନିତେଇ ନାଏକଙ୍କ ହାତରେ ଚିନ୍ତେଇ ସୋଇଁ ଧୋବୀକୁ ଛନ୍ଦି ଦେଲେ । ଲୋକେ ଧନ୍ୟ ଧନ୍ୟ ପ୍ରଶଂସା କଲେ; ମଣି କାଞ୍ଚନ ସଂଯୋଗ, ବଡ଼ଲୋକକୁ ବଡ଼ଲୋକ । ସମସ୍ତେ ଖୁସି । ଲୋକେ କହିଲେ ସୁନାର ଖୋଳ କରି ଦେଇଥିଲେ ସୋଇଁଏ ।

 

ଯେଉଁଦିନ ବେଦୀ ଉପରେ ପୁରୋହିତ ପହରାଜେ ଧାବୀର ହାତକୁ ନିତେଇ ନାଏକଙ୍କ ହାତରେ ଛନ୍ଦି ଦେଲେ, ଯଥା ରାବଣସ୍ୟ ମନ୍ଦୋଦରୀ କହି ଆରମ୍ଭିଲେ, ନିଜର ପାରିଲାପଣକୁ ବଖାଣିବାକୁ କର୍ତ୍ତା ଚିନ୍ତେଇ ସୋଇଁଙ୍କୁ କହିଲେ ଦେଖିଲ ତ ସୋଇଁଏ, ଠାକୁରେ ବଡ଼ଲୋକ, କାହିଁ ଲକ୍ଷପତି ଜିତେଇ ନାଏକ, ଆଉ କାହିଁ ବନେଇଁ ପରିଡ଼ା ।

 

ଧୋବୀର କାନରେ ସେକଥା ପଡ଼ିଲା । ସେଇଠି, ସେଇ ବେଦୀ ଉପରେ ତାର ଦେହ ଥରି ଉଠିଲା । ମନେପଡ଼ିଗଲା ଦୁଇବର୍ଷ ତଳର ଘଟଣା, ହତାଶ ହୋଇ ବନେଇଁ ପରିଡ଼ା ପିଲାଛୁଆ ଘେନି ତାଙ୍କରି ଦୁଆରୁ ଫେରିଯାଉଥିଲେ ଉପାସ-ଭୋକରେ । ସମସ୍ତେ ଚାଲିଗଲେ; କିନ୍ତୁ ଥରୁଟିଏ ଫେରି ଚାହିଁଲା ସନେଇଁ, ନିରାଶ ଆଖିରେ ସେ ଯେମିତି କିଛି କହିବାକୁ ଚାହୁଁଥିଲା । ମନର କଥା ତାର ମନ ଭିତରେହିଁ ରହିଗଲା ।

 

ସେଦିନ ବି ଯଦି ବନେଇଁ ପରିଡ଼ାଏ କହିଥାନ୍ତେ, ମୋର ଭୁଲ ହୋଇଛି, ଆସ ସୋଇଁଏ ସମୁଦି ହେବା, ଚିନ୍ତେଇ ସୋଇଁ ପରିଡ଼ା ବଂଶକୁ ଛାଡ଼ିଦେଇ ନ ଥାନ୍ତେ । ଆଜି ଆଉ କାହା ହାତ ସଙ୍ଗେ ଧୋବୀର ହାତ ଛନ୍ଦା ହୋଇଥାନ୍ତା ।

 

ଓଢ଼ଣା ତଳେ ଧୋବୀର ଆଖିଲୁହ ଝରିଲା । ଲୁହର ବାଦଲ ଭିତରେ ସନେଇଁ ପରିଡ଼ାର ସୁନ୍ଦର ମୁହଁ, ବଳିଲା ବଳିଲା ଦେହ ଆଖି ଆଗରେ ଠିଆହେଲା, କେଡ଼େ ବିରସ କାନ୍ଦିଲା କାନ୍ଦିଲା ମୁହଁ; ଯେମିତି କଣ କହିବାକୁ ଚାହୁଁଚି, କହିପାରୁନାହିଁ । ଧୋବୀ ତାର ନିଷ୍ଠୁର ବାପର କୋଳକୁ ଆଉଜି ପଡ଼ିଲା । ସୋଇଁଏ ଝିଅର ପିଠି ଆଉଁସି ଭଣ୍ଡାରି ଫଗୁ ବେଜକୁ ଧମକ ଦେଇ କହିଲେ, ଆରେ ପଙ୍ଖା ଧରି ବିଞ୍ଚ, ହୋମ ନିଆଁର ତାଉରେ ଝିଅର ଦେହରୁ ଝାଳ ବାହାରି ବଉଳପାଟ ଓଦା ହେଲାଣି ।

 

ବାପ ବୁଝିଲେ ଦେହର ଦୁଃଖ; ମନର ବେଦନା କେହି ଜାଣିଲେ ନାହିଁ ।

 

ବିଦାବିଦି ହୋଇ ଯେତେବେଳେ ସବାରିରେ ବସି ଧୋବୀ ଶଶୁର ଘରକୁ ଚାଲିଲା, ସବାରିର କବାଟ ଫାଙ୍କରେ ସେ ବାଟର ଦୁଇ କଡ଼କୁ ଚାହିଁଥିଲା । ଯେଉଁଠି ଆଖିପଡ଼େ ସେ ଦେଖେ କେବଳ କଙ୍କାଳ ଦଳ, ହାତଟେକି ଖାଇବାକୁ ମାଗୁଛନ୍ତି, ପେଟର ଚମ ପିଠିରେ ଲାଗିଛି । ମନେପଡ଼େ ସନିଆଁ । ଆଖି ଫେରାଏ ଆରପାଖକୁ, ଦେଖେ ସେମିତି କାଙ୍ଗାଳ ଦଳ । ମନେପଡ଼େ ସନିଆଁ । ଛାତି ଥରି ଉଠେ ।

 

ଦୁର୍ଗାପୁରର କାଙ୍ଗାଳ ଭିଡ଼ । ଜିତେଇ ନାଏକ ଅନ୍ନଛତ୍ର ଖାଲିଛନ୍ତି । ତାଙ୍କର କୁଳର ଲକ୍ଷ୍ମୀ, ଧୋବୀର ଆଖିର ଲୁହ ସେ ସହିପାରି ନାହାନ୍ତି । କାଙ୍ଗାଳଟିଏ ଦେଖିଲେ ଧୋବୀର ଆଖିରୁ ଲୁହ ଝରେ । କାଳେ ସେ ଓପାସ ଥିବ ମନେକଲେ ଧୋବୀର ତୁଣ୍ଡକୁ ଆହାର ଯାଏ ନାହିଁ । ସେ କାହାକୁ କିଛି କହେ ନାହିଁ, ଓପାସ ରହେ । ନିତେଇ ଏକଥା ବୁଝନ୍ତି । ତାକୁ କେତେ ଆଦର କରି ପଚାନ୍ତି । ହସଟିଏ ଛଡ଼ା ଧୋବୀର ତୁଣ୍ଡରୁ ଆଉ କିଛି ବାହାରେ ନାହିଁ ।

 

ଗେହ୍ଲାବୋହୂ ଧୋବୀର ଆଖି ଲୁହରେ ଅନୁରୋଧରେ, ନିତେଇର ପରାମର୍ଶରେ ଜିତେଇ ନାଏକ ଅନ୍ନଛତ୍ର ଖୋଲିଲେ । କେତେ ରାଇଜର କେତେ କାଙ୍ଗାଳ ଆସି ଜମା ହେଲେ । ସମୁଦ୍ରର ଲହଡ଼ି ପରି କାଙ୍ଗାଳପଲ ମାଡ଼ି ଆସୁଥାନ୍ତି । ଦୁର୍ଗାପୁରର ବାଟଘାଟ ସବୁଠାରେ କାଙ୍ଗାଳ । ଗାଁ ଛାଡ଼ି ଦୁର୍ଗାପୁରରେ ଯେଉଁ ଲୋକମାନେ ଛତରରେ ପଶିଥିଲେ, ସେହିମାନଙ୍କର ଖୋଲାଘରେ କାଙ୍ଗାଳପଲ ପଶିଥାନ୍ତି । ପ୍ରତିଦିନ କେତେ ଲୋକ ମରନ୍ତି । ମଢ଼ ଉଠେଇବାକୁ କେହି ଆଗେଇ ଆସନ୍ତି ନାହିଁ । ଯେଉଁଠି ମଲେ ସେଇଠି ସଢ଼ିଲେ । ମଣିଷ ମାଂସର ପଚା ଗନ୍ଧରେ ଦୁର୍ଗାପୁର ଭିତରେ ରହିହେଲା ନାହିଁ, ପଶି ହେଲା ନାହିଁ ।

 

ଜିତେଇ ନାଏକଙ୍କ ଭାଳେଣି ପଡ଼ିଲା । ଏତେ ଲୋକଙ୍କୁ ଖାଇବାକୁ ଦେଇ ବଞ୍ଚାଇ ରଖିବା ଅସମ୍ଭବ ହେଲା । କଣ କରିବେ ବୁଦ୍ଧି ଦିଶିଲା ନାହିଁ । ସେତିକିବେଳେ ଚିନ୍ତେଇ ସୋଇଁ ପହରାଜଙ୍କୁ ସାଙ୍ଗରେ ନେଇ ଝିଅଘରେ ପହଁଞ୍ଚିଲେ । ଜିତେଇ ନାଏକଙ୍କୁ ବୁଝାଇ କହିଲେ, ସମ୍ଭାଳି ପାରିବ ନାହିଁ ସମୁଦୀ, ଦିନୁଦିନ କାଙ୍ଗାଳପଲ ବଢ଼ିବେ, ଶେଷକୁ ଅନର୍ଥ ଘଟିବ । ଧୋବୀଟା ପିଲାଲୋକ, ସଂସାର କଥା ଜାଣେ କଣ ?

 

ନାଏକ କହିଲେ ହରି ଭରସା । ନିତେଇ ତ ବାଇଆ ହେଲା । ସମ୍ପତ୍ତି ରହିଥିଲେ ତାଙ୍କରି ପାଇଁ ରହନ୍ତା, ସେଇମାନେ ଭୋଗ କରନ୍ତେ, ନୋହିଲେ ସେଇମାନେ ଦୁଃଖ ଭୋଗିବେ । ଯାଉ ମୋର ସବୁ, ଏତେ ଲୋକଙ୍କର କଲ୍ୟାଣ ନେଇ ନିତେଇ ଧୋବୀ ଘର କରନ୍ତୁ ।

 

ପହରାଜେ ନାସ ଶୁଙ୍ଘି କହିଲେ, କଳିଯୁଗର ଭଗବାନ କଣ ନିଜେ ଆଉ ସ୍ଵର୍ଗରୁ ଓହ୍ଲାଇ ଆସନ୍ତେ କି ଦୁର୍ଜନ ସଂହାର କରିବାକୁ ? ସୁଦର୍ଶନ ଚକ୍ର ପେଶି ଦେଇଛନ୍ତି । ସଂସାରର ଯେତେ ପାପୀ ସବୁ ଏଥର କଲବଲ ହୋଇ ବାଟରେ ଘାଟରେ ପଡ଼ି ମରିବେ । ହାତରେ ନ ମାରି ନାରାୟଣ ଭାତରେ ମାରିବେ । ନାଏକେ କଳିଯୁଗ ସରୁଛି । ଏ ପାପୀଗୁଡ଼ିଙ୍କୁ ଓପ୍ରୋଧ ନାହିଁ ।

 

ସୋଇଁ ଓ ପହରାଜେ ହତାଶ ହୋଇ ଫେରିଲେ । ଜିତେଇ ନାଏକ ଛତର ବନ୍ଦ କଲେ ନାହିଁ । ନିତେଇ ନାଏକ ଆଉ ପାଞ୍ଚ ଦଶଜଣ ଟୋକାଙ୍କୁ ଧରି ଅଣ୍ଟାଭିଡ଼ି ବାହାରିଲେ । ଯେତେ ଯେଉଁଠି କାଙ୍ଗାଳ ମରି ପଡ଼ିଥାନ୍ତି ସମସ୍ତଙ୍କୁ ନେଇ ଦୂର ଥାନରେ ପକାଇ ଆସନ୍ତି ।

ହଇଜା ଆରମ୍ଭ ହେଲା ଖରାଦିନର ନିଆଁପରି ଦେଖୁ ଦେଖୁ ହଇଜା ମାଡ଼ିଗଲା । ପ୍ରତିଦିନ ପଲପଲ କାଙ୍ଗାଳ ମରି ଶୋଇଲେ । ଧୋବୀ ଧରିଲା ନିତେଇର ହାତ, ନାଇଁ ତମେ ଯାଅ ନା, ଚାଲ ଆମେ ବିଷ୍ଣୁପୁର ଯିବା । ନିତେଇ ଗେହ୍ଲାରେ ତାର ମୁଣ୍ଡ ଆଉଁସି କହିଲେ, ଛି ଡରୁଚ ? ଠାକୁରେ ଅଛନ୍ତି, ମଢ଼ଗୁଡ଼ାକ ନ ଉଠାଇଲେ, ଆହା, ଅନ୍ୟମାନେ ମରିଯିବେ ।

ନିତେଇ ଅଣ୍ଟାରେ ଗାମୁଛା ଭିଡ଼ି ଚାଲିଗଲେ । ଧୋବୀ ଗଳାରେ କାନି ପକାଇ ତଳେ ମୁଣ୍ଡ ଲଗାଇ ଠାକୁରଙ୍କୁ ଡାକିଲା ।

ପୁଅର ସାହାସ ଦେଖି ଜିତେଇ ନାଏକ ପାଇକଛା ଭିଡ଼ିଲେ । ‘ହରିହେ, ତୁମେ ଭରସା-।’ ଶାଶୁବୋହୂ ଦୁହେଁ ଘରେ ରହିଲେ । ଦିନୁ ଦିନୁ ହଇଜା ବ୍ୟାପିଲା । ଯେତେ ଯାହା କଲେ ଭଲ ହେଲା ନାହିଁ । ତତଲା ପେଟରେ ଅଖାଦ୍ୟ ଖାଇ, ନୋହିଲେ ଏକଥରକେ ବେଶୀ ଖାଇ ଏପରି ଅବସ୍ଥା ଘଟିଲା ।

କେହି ଦେବଦେବୀ ଭରସା ହେଲେ ନାହିଁ । ଏକା ଦିନରେ ଜିତେଇ ନାଏକ ଓ ନିତେଇ ନାଏକଙ୍କୁ ହଇଜା ଧରିଲା । ଶାଶୁବୋହୂ ଦିହେଁ କାଉଳି ବାଉଳି ହେଲେ । ଚିନ୍ତେଇ ସୋଇଁଙ୍କ ପାଖରେ ଖବର ପହଞ୍ଚିଲା । ସେ ଆସି ଦେଖିଲେ, ବାପ ପୁଅ ଦିହେଁ ମରି ଶୋଇଚନ୍ତି । ଶାଶୁ ଦଉଡ଼ି ଦେଇଛନ୍ତି । ଧୋବୀ ବେହୋସ ହୋଇ ପଡ଼ିଛି । ଗାଁ ଲୋକେ, ଆଉ କାଙ୍ଗାଳୀମାନେ ଘରେ ପଶି ଯାହା ପାଇଲେ ଲୁଟ୍‍ତରାଜ କରିନେଇଛନ୍ତି ।

ମାସ କେଇଟା ସଂସାର କରି ଷୋଳବର୍ଷ ବୟସରେ ବିଧବା ହୋଇ ଧୋବୀ ଫେରି ଆସିଲା ବାପଘରକୁ । କାହା ଦୋଷରୁ ତାର ସୁନା ସଂସାର ଚୂନା ହେଲା, ଏକଥା ଭାବିଲେ ତାର ପ୍ରାଣ ଛଟପଟ ହୁଏ । ସେ ତଳେ ମୁଣ୍ଡ ପିଟିଦିଏ । ଦୋଷଦିଏ ନିଜକୁ । କାଙ୍ଗାଳର ଦୁଃଖ ସହି ନ ପାରି ଖୋଲିଥିଲା ଅନ୍ନଛତ୍ର । ଦୁଃଖୀରଙ୍କୀଙ୍କୁ ଦୟା ଦେଖାଇବାକୁ ଯାଇ ଚଡ଼କ ପଡ଼ିଲା ତାରି ମୁଣ୍ଡରେ ।

ଧୋବୀ ଦୁଇମାସକାଳ ବିଛଣାରୁ ଉଠିଲା ନାହିଁ, ଖିଆପିଆ ଛାଡ଼ି କାନ୍ଦି କାନ୍ଦି ତାର ବେଳ କଟିଲା । ମା’ ଆସି ବୁଝାଇ କହନ୍ତି, କଣ ହେଲାକି ତୋର ଧୋବୀ ? ଉଠ ମା’, ଉଠ, ମଣିଷ କଣ ରାତିରେ ସପନ ଦେଖେ ନାହିଁ । ତୋର ସଂସାର ଗୋଟାଏ ସପନ । ତୁ ମୋର ପିଲା ଝିଅ, କାଲି ପୁଣି ଭଲ ଯାଗା ଦେଖି ନିମିତ୍ତ କରିବି । ଉଠ ।

ଧୋବୀ ବେଶି ବେଶି କାନ୍ଦେ ।

ଆଈମା’ ମୁଣ୍ଡରେ ହାତ ବୁଲାଇ କହନ୍ତି, ଦେଖବା ଏଇଟାକୁ, କେଡ଼େ ଛୋପରୀ । ଦେଖେଇ ହେଉଛି, ମୋର ଘଇତାଟାଏ ଥିଲା । ସେଇଠୁ କେତେକଣ ଅସଭ୍ୟ କଥା କହନ୍ତି । ଧୋବୀକୁ କୋଳକୁ ନେଇ କହନ୍ତି ଭୁଲିଯା, ଭୁଲିଯା କଣ୍ଢେଇ ଖେଳ । ପୁଣି ସୁନାର କଣ୍ଢେଇ ତୋ ପାଇଁ ଗଢ଼େଇ ଆଣିବି । ଦେଖିବୁ, ଦେଖିବୁ ।

ଧୋବୀ ହାତ ଛିଞ୍ଚାଡ଼େ ରାଗରେ ।

ନିଧେଇ ସୋଇଁ ସବୁ କାମ ଛାଡ଼ି ଝିଆରୀ ପାଖକୁ ଆସନ୍ତି । ଧୋବୀ ତାଙ୍କର ପ୍ରାଣ । ଜନ୍ମରୁ ଆଜିଯାଏ ଦାଦି ଛଡ଼ା ଆଉ କାହାକୁ ସେ ବିଶ୍ଵାସ କରେ ନାହିଁ । ସବୁ ଅଳି ଅଲିଅଳଗିରି ଦାଦି ପାଖରେ । ଦାଦିଙ୍କ ମୁହଁକୁ ଚାହିଁଲେ ତା ପେଟ ଭିତର ଖୋଲି ହୋଇଯାଏ । ସାଙ୍ଗ ଝିଅଙ୍କୁ କହିବାକୁ ଯାହା ସରମ ଲାଗେ, ଦାଦିକୁ ସେ ନିସଙ୍କୋଚରେ କହେ । ଦାଦି ତାକୁ ଭଲମନ୍ଦ ବୁଝାଇଦିଏ, ବାଟ ଅବାଟ ଚିହ୍ନେଇ ଦିଏ । ନିଧେଇ ଏତେ ପିଲାର ବାପ ହୋଇ ମଧ୍ୟ ସିଏ ଭାବନ୍ତି, ତାଙ୍କର ଗୋଟିଏ ସନ୍ତାନ, ଧୋବୀ । ପୁଅ ସେଇ, ଝିଅ ସେଇ ।

 

ଧୋବୀ ମୁହଁକୁ ଅନେଇ ଦେଲେ ତାଙ୍କ ପ୍ରାଣ କାନ୍ଦି ଉଠେ । ଧୋବୀ ଦାଦିଙ୍କ ପାଖକୁ ଆସି କାନ୍ଦେ । ନିଧି ତାର ଟିକି ମୁଣ୍ଡଟିକୁ ଛାତିରେ ଜାକିଧରି ପିଠି ଆଉଁସି କହନ୍ତି, ଧୋବୀ ଲୋ, ତୋ ଦାଦି ବଞ୍ଚିଥାଉଣୁ ତୁ କାନ୍ଦିବୁ ? ମା’ ମୋର, ତୁନି ହ ।

 

ଧୋବୀ ତୁନି ହୁଏ । ପଛରେ ଥାଇ ଖୁଡ଼ୀ ମୁହଁ ମୋଡ଼େ । ଟିକି ଟିକି ଭାଇ ଭଉଣୀ ଆସି ପିଠିରେ ନାଉ ହୁଅନ୍ତି । ଧୋବୀ ଆଖିରୁ ଲହ ପୋଛେ । ଉଠେ ।

 

ଚିନ୍ତେଇ ସୋଇଁ ହରି ମାହାନ୍ତିଙ୍କୁ ଗୁପ୍ତରେ ପଚାରନ୍ତି, ଜିତେଇ ନାଏକଙ୍କର ଅକଳନ ଭୂସମ୍ପତ୍ତିର ମାଲିକ ହେବ କିଏ ? ଦୂର ସମ୍ପର୍କର ଭାଇଆମାନେ ମାଲିମକଦ୍ଦମା କରିବେ ?

 

ହରି ମାହାନ୍ତି ନିଶ ସାଉଁଳେଇ କହନ୍ତି, ତା ହେଲେ କଲମ ଛାଡ଼ି ମୁଁ ପାଞ୍ଚଣ ଧରିବି ସୋଇଁଏ, ପାଞ୍ଚଣ ଧରିବି । ଏଇ କାଗଜ ଖଣ୍ଡିରେ ଯେଉଁ ଟିପ ଚିହ୍ନ ଦେଖୁଛ ସେ କାହାର ? ଏ ପାଖଟା ଜିତେଇ ନାଏକଙ୍କର, ଆଉ ଏଇଟା ନିତେଇର । ଏ କାଗଜ ଯତ୍ନ କରି ରଖ । ଦରକାରବେଳେ କର୍ମରେ ଆସିବ । ତୁମେ ଯେତେବେଳେ ଝିଅକୁ ସାଷ୍ଟମ କରୁଥିଲ, ମୁଁ ସେତେବେଳେ ମଢ଼ ଦି’ଟାଙ୍କ ସଙ୍ଗେ କଥାଭାଷା ହେଉଥିଲି ।

 

ତୁନି ତୁନି ହରି ମାହାନ୍ତିଏ କହନ୍ତି, ସବୁ ସମ୍ପତ୍ତିର ମାଲିକ ହେବ ଧୋବୀ ଯେତେଦିନ ଯାଏ ସେ ଅନ୍ୟର ହାତ ନ ଧରିଛି । ପର ଘରକୁ ଗଲେ ତାର ସମ୍ପତ୍ତିର ଅଧିକାର ତୁଟିବ । ଏଇ କାଗଜରେ ଲେଖାହେବ ଅନୁମତି ପତ୍ର, ପିଛିଲା ତାରିଖ ଦେଇ । ଧୋବୀକୁ ପୋଷ୍ୟପୁତ୍ର କରିବାର ଅଧିକାର ଦେଇଯିବେ ତାର ସ୍ଵାମୀ ଓ ଶ୍ଵଶୁର । ଧୋବୀ କରିବ ପୋଷ୍ୟପୁତ୍ର, ନିଧେଇ ସୋଇଁଙ୍କର ମଝିଆଁପୁଅ ବିଦେଇକୁ ।

 

ଭାଇକୁ ?

 

ହଁ ସୋଇଁଏ, ଭାଇକୁ । ଆଇନ୍ ଯାହା କହୁ, ପ୍ରଥା ଏମତି ଚଳେ । ତମେ ନିଶ୍ଚିନ୍ତ ରହ । ହାତରେ କଲମ ଲେଖନ ମୁଁ ଧରେ ସୋଇଁଏ, ପାଞ୍ଚଣ ଧରେ ନାହିଁ । ଦୁଇଟା ସମ୍ପତ୍ତି ଏକ ହୋଇଯିବ, ଖାନଦାନି ବଢ଼ିବ । ଆଜିଠୁ ସମ୍ପତ୍ତି ଉପରେ ଦଖଲ ରଖ । ବୁଝାସୁଝା କରିବାକୁ ଲୋକ ରଖ । ତୁମେ ନିଜେ ଥରେ ଯାଅ ।

 

ତମେ ଯାଅ ମାହାନ୍ତିଏ, ତମେ ତ ନିଜର ଲୋକ । ଧୋବୀ ତମ ନାମରେ କ୍ଷମତା ପତ୍ର କରିଦେଉ ।

 

ମାହାନ୍ତିଏ ଗମ୍ଭୀର ହୋଇ କହିଲେ, ମୋର ତର ନାହିଁ, ଯଦି ନିତାନ୍ତ ଜିଗର କରିବ ମୁଁ କଥା ଭାଙ୍ଗିପାରିବି ନାହିଁ ।

 

ହରି ମାହାନ୍ତିଙ୍କ ନାମରେ ଧୋବୀ କ୍ଷମତାପତ୍ର ରେଜେଷ୍ଟ୍ରି କଲା । ଫାଙ୍କା କାଗଜରେ ଅନୁମତିପତ୍ର ପୂରଣ ହେଲା । ରାମ ପହରାଜେ, ବିଶି ଜେନା ଓ ନୀଳୁ ସାହୁ ଟିପଚିହ୍ନରେ ଚିହ୍ନଟ ପଡ଼ିଲେ । ଚିନ୍ତେଇ ସୋଇଁ ନିଶିନ୍ତ ହେଲେ । ମାହାନ୍ତିଏ ନିଶରେ ରଖିଲେ ହାତ । କହିଲେ, ସୋଇଁଏ ବୁଦ୍ଧି ଥିଲେ ପାଣିରେ ସର ପଡ଼େ ।

 

ଚାରିମାସ କଟିଗଲା । ଧୋବୀ ଟିକିଏ ପ୍ରକୃତିସ୍ଥ ହେଲା, ଘର କାମରେ ମନ ଦେଲା । ବିଧବା ସେ, ବାରବ୍ରତ ଉପାସ କରିବା, ଗୋପୀନାଥଜୀଉ ଠାକୁର, ନୀଳକଣ୍ଠେଶ୍ଵର ମହାଦେବ ଓ ବେଳେ ବେଳେ କୁତାମଚଣ୍ଡୀ ଠାକୁରାଣୀଙ୍କ ସେବାରେ ବେଳ କଟେଇଲା । ଏକୁଟିଆ ରହିବାକୁ ସେ ଭଲପାଏ । ପୋଥି ଫିଟାଇ ପୁରାଣ ପଢ଼େ, ପଢ଼ୁପଢ଼ୁ କଣ ମନେପଡ଼ିଯାଏ, କାନ୍ଦିଉଠେ, ମନକୁ ପୁଣି ତୁନି ହୁଏ ।

 

ଆଈ ଆସି ପାଖରେ ବସନ୍ତି, ଛୋପରୀଟା । ମା ପୋଛନ୍ତି ଲୁହ, କହନ୍ତି, ବାଇଆଣୀଟା-। ଆଈଲୁ, ତତେ ମୁଁ ଗହଣା ନାଇଦିଏଁ । ଏମିତି କେତେ ଲୋକଙ୍କର ହୁଏ । ପୁଣି ମନକୁ ବୁଝାଇ ନୂଆଘର କରନ୍ତି । ଧୋବୀ କିଛି କହେ ନାହିଁ । ଗହଣା ନାଏ । ଖୁଡ଼ୀ ଆସି ପାଖରେ ଠିଆହୁଏ । ମୁଁହ ଶୁଖେଇ ଆଖି ପୋଛି କହେ, ଆହା ନିତେଇଟି କେଡ଼େ ଭଲ, କି ରୂପ, କି ଢଙ୍ଗ । ଧୋବୀ କାନ୍ଦେ । ବାପାଙ୍କର କେବେ ବେଳ ହୁଏନାହିଁ ଝିଅକୁ ଦେଖିବାକୁ । ସଦାବେଳେ କାମକାର୍ଯ୍ୟରେ ବ୍ୟସ୍ତ । ଦାଦି ଘର ଭିତରକୁ ଗୋଡ଼ ଦେଉଣୁ ଆଗ ଡାକ ଛାଡ଼ନ୍ତି ଧୋବୀଲୋ, ତେଲଘଡ଼ି ଆଣ । ଯେମିତି ସେ ଘରେ ଆଉ କେହି ନାହିଁ, ଧୋବୀ ତାଙ୍କର ସବୁ କରିବ । ଭାତ ବାଢ଼ିଦେବ, ସଙ୍ଗରେ ଖାଇ ବସିବ । ସେ ନ ବସିଲେ ଦାଦି ଖାଇବ ନାହିଁ । ଭାଗବତ ପଢ଼ିବ ।

 

ଖୁଡ଼ୀ କହେ, ଆରେ, ମାଛ କଣ ଧୋବୀ ଖାଇବ ?

 

ନିଧେଇ ସୋଇଁ ହସିଲା ମୁହଁରେ କହନ୍ତି, ମତେ ଯେ ମାଛ ଖାଇବାକୁ ବଇଦ ମନା କରିଛି । ମୋ ମୁଣ୍ଡଟା ଧରୁଛି କି ନା ।

 

ଖୁଡ଼ୀ ପଛରେ ମୁହଁ ମୋଡ଼ନ୍ତି ।

 

ମା’ କହିଲେ ଚିନ୍ତେଇ ସୋଇଁଙ୍କୁ, ପିଲାଟାର କଣ୍ଟା ଦୋହଲିଲାଣି । କେଉଁଠି ଗୋଟିଏ ପାତ୍ର ଦେଖ । ସେ ପଛେ ଗରିବ ହେଉ, ସୁନ୍ଦରଟିଏ ହୋଇଥିବ, ସ୍ଵାସ୍ଥ୍ୟ ଭଲ ହୋଇଥିବ । ଏତେ ସମ୍ପତ୍ତି କଣ ହେବକି ? ଧୋବୀ ଅଧେ ପାଇବ ।

 

ସୋଇଁଏ ଘୁମୁରନ୍ତି । କୁହନ୍ତି, ଏ କୁଳରେ ଆଜିଯାଏ ଯାହା ନ ହୋଇଛି, ମୁଁ କେମିତି କରିବି ? ଲୋକେ କଣ କହିବେ ? ବିଧବା ହେବାଟା ସଂସାରର ନୂଆ କଥା ନୁହେଁ । ଆଉ ପାଞ୍ଚଟା ଯେମିତି ଚଳନ୍ତି ସେ ବି ସେମିତି ଚଳିବ । ଜିତେଇ ନାୟକଙ୍କର ସବୁ ସମ୍ପତ୍ତିର ଧୋବୀ ମାଲିକ । ତାର ଅଭାବ କଣ ? ପୋଷ୍ୟପୁତ୍ର କରିପାରିବ । ଆମ ବିଦେଇକୁ ପୁଅ କରି ସେ ସୁଖରେ ରହିବ । କେଉଁକଥାରେ ଅଭାବ ରହିବ ନାହିଁ ।

 

ନାଇଁ ନାଇଁ, ତୁମେ ମୋତେ ସେ କଥା କହ ନାଇଁ । ଧନ ଦଉଲତ ଚୁଲିକି ଯାଉ । ମୋ ଧୋବୀର ଜୀବନକୁ ଜାଳିପୋଡ଼ି ଛାରଖାର କରିଦିଅନା । ସେ ପଛେ ମୂଲିଆ ମୁର୍ଖ ହୋଇଥାଉ, ପରଘରେ ମୂଲ ଲାଗି ପେଟ ପୋଷୁଥାଉ, ତମେ ପାତ୍ରଟିଏ ଖୋଜ । ଲୋକ ପଛକେ ନିନ୍ଦା କରନ୍ତୁ, ସେଥିକି କାନ ନ ଦିଅ । ଧୋବୀର ଜୀବନ ରହୁ ।

 

ଚିନ୍ତେଇ ସୋଇଁ ପଛକରି ଚାଲି ଯାଆନ୍ତି । ଭାବନ୍ତି ମାଇପି ଲୋକ, ମାମଲତ କଣ ବୁଝିବେ ? ବାହା ନ ହୋଇ କେଇଟା ଝିଅ ଭଲା ମଲେଣି ? ଧୋବୀ ଯଦି ବାହା ହୋଇଯାଏ । ନାଏକ ଘର ସମ୍ପତ୍ତି ହାତରୁ ଖସିଯିବ । ସାତପୁରୁଷ ଲାଗି ଭଲା ଏତେ ସମ୍ପତ୍ତି କିଏ କଲାଣି ?

 

ଧୋବୀବୋଉ ଆତୁର ହୋଇ ଯାଆନ୍ତି ନିଧେଇ ସୋଇଁଙ୍କ ପାଖକୁ । ଶୁଣିଲଣି ନିଧି, ତମ ଭାଇ କଣ କହୁଛନ୍ତି ?

 

ସବୁ କହନ୍ତି ।

 

ନିଧେଇ ଜବାବ ଦିଅନ୍ତି, ଧୋବୀର ଚିନ୍ତା ତୁମକୁ କାହିଁକି ଲାଗିଛି ? । ଆଉ, ଭାଇଙ୍କି କାହିଁକି କହୁଛ ? ଧୋବୀ ମୋ ଝିଅ, ତା କଥା ମୁଁ ବୁଝିବି । ପିଲାଟା । ଯାଉ ଦିନାକେତେ, ତା ବାଇଆଣୀ ବୁଦ୍ଧି ରହିବ ନାହିଁ । ତାର ମନ ଭଲ ହେଲେ ଭାଇଙ୍କ କଥା ମୁଁ ମାନିବି ନାହିଁ । ରହ । ଧୈର୍ଯ୍ୟଧର ।

 

ଆଶ୍ଚର୍ଯ୍ୟ ହୋଇ ପଚାରନ୍ତି ଧୋବୀ ବୋଉ, ମାନିବ ନାହିଁ ? ନିଆଁ ଗିଳିବାକୁ କହିଲେ ପରା ତମେ ଗିଳିବ । ତମ କଥା ମୁଁ ଜାଣେ ନାହିଁ ? ତାଙ୍କ ଆଗରେ ପରା ସିଧା ହୋଇ ଠିଆ ହେବାକୁ ତମକୁ ଡର ମାଡ଼େ ?

 

ଧୋବୀ ପାଇଁ ଡରିବି ନାହିଁ ନୂଆଉ, ଡରିବି ନାହିଁ କହୁଛି । ପଛରେ ଥାଇ ଘୁମରନ୍ତି ବିଦେଇ ବୋଉ ।

 

ଆହୁରୀ ଛଅମାସ କଟିଗଲା । ଧୋବୀର ଦୁଃଖ ଧୀରେ ଧୀରେ କମି ଆସିଲା । ସଦ୍ୟ ଦୁଃଖର ରିହରେ ଦିନେ ଯିଏ ଖିଆପିଆ ଭୁଲି ବିଛଣାରେ ପଡ଼ି ଦିନରାତି କାନ୍ଦି କାନ୍ଦି କଟାଉଥିଲା, ସେ ଆଜି ଆତଯାତ ହେଲାଣି । ମନ ଭୁଲାଇବାକୁ ଛୋଟ ଛୋଟ କାମରେ ହାତ ଦେଲାଣି । ପୋଥିପୁରାଣ ପଢ଼ା, ଠାକୁରଙ୍କ ପାଇଁ ଫୁଲମାଳ ଗୁନ୍ଥା, ଦି’ ପହରେ ଆଈଙ୍କ ସାଙ୍ଗେ କାଞ୍ଜିଗାତ ଖେଳରେ ଯୋଗ ଦେଲାଣି । ହସକଥା ପଡ଼ିଲେ ହସିଲାଣି ।

 

ଏମିତି ଏ ଦୁନିଆଁରେ ହୁଏ । କାହାରି ଦୁଃଖର ଦାଉ ବେଶିଦିନ ରହେ ନାହିଁ । ଦେହସୁହା ହୁଏ, ଆରେଇ ଯାଏ । ଗତକଥା ସପନପରି ଲାଗେ । ମନ ଯେତେବେଳେ ପଛେଇ ଯାଏ ଅତୀତକୁ, ଛାତି ଚମକି ଉଠେ । ବର୍ତ୍ତମାନଟା ମଲାପରି ଲାଗେ, ଆଉ ଭବିଷ୍ୟତଟା ଲାଗେ ଅନ୍ଧାର ପରି । ବେଶିଦିନ ସେ ଦୁଃଖ ରହେ ନାହିଁ । ଝଡ଼ ବେଳର ସମୁଦ୍ର ପୁଣି ହୁଏ ଶାନ୍ତ, ସ୍ଥିର, ସୁନ୍ଦର ।

 

ଧୋବୀ ସକାଳେ ଗୋପୀନାଥଜୀଉଙ୍କର ସେବା କରିବାକୁ ଯାଏ । ବ୍ରାହ୍ମଣ ହାତରେ ଠାକୁରଙ୍କ ଦେହରେ ଫୁଲ ଚନ୍ଦନ ଲାଗି କରେ, ଘଣ୍ଟାଟିଏ ବସେ । କେତେଥର ଦଣ୍ଡବତ ହୁଏ । ଗୁଣୁଗୁଣୁ କରି ଠାକୁରଙ୍କ ଆଗରେ କେତେ ଦୁଃଖ ଜଣାଏ । ଘରକୁ ଫେରେ । ଟିକି ଟିକି ଭାଇଭଉଣୀ, ମା’, ଖୁଡ଼ୀ, ଦାଦି ସଭିଙ୍କର ଯତ୍ନ ନେବାକୁ ବସେ । ପାଞ୍ଚବର୍ଷର ସୁନା ପ୍ରତିମା ପରି ଭାଇ ବିଦେଇଟି, ଜନ୍ମରୁ ଯିଏ ତାକୁ ଆଦରି ଥାଏ ବେଶି, କୋଳରୁ କାଖକୁ ଓହ୍ଲାଏ ନାହିଁ, ଧୋବୀ ତାକୁ କୋଳକୁ ନିଏ । ଖେଳାଏ । ସଜାଇ ଦିଏ । ଗେଲ କରେ । ଆଉ ଯେତେବେଳେ ମନେପଡ଼େ ବାପାଙ୍କ କଥା; ଧୋବୀ ବିଦେଇକୁ ପୁଅ କରୁ, ଶଶୁର ଗେରସ୍ତଙ୍କର ଅନୁମତି ଅଛି, ସବୁ ସମ୍ପତ୍ତିର ମାଲିକ ହେବ ସେ, ଧୋବୀର ମନ କଣ ହୋଇଯାଏ । ପିଲାଟିକୁ ସେ କୋଳରୁ ଓହ୍ଲାଇ ଦିଏ । କଟମଟ କରି ତା ମୁହଁକୁ ଅନାଏ ।

 

ବିଦେଇ ବୁଝିପା’ରେ ନାହିଁ ତାର ମନର ଭାବ । ପିଠିରେ ନାଉ ହୋଇ ଗେହ୍ଲେଇ କହେ, ଟୁଆଁ-ଟୁଇଁ କଥା କହ ଅପା । ଟିକିଏ କଣ ଭାବି ଧୋବୀ ତାକୁ ଛାଡ଼ିଦେଇ ପଦାକୁ ଉଠିଯାଏ-। ବିଦେଇ କାନ୍ଦିଉଠେ । ରାହାଧରେ ଅପା ପାଖକୁ ଯିବିଲୋ ।

 

ଖୁଡ଼ୀ କାମ ଅଧା ପକାଇ ଛୁଟି ଆସନ୍ତି । ପୁଅକୁ କାଖ କରନ୍ତି । ବିଦେଇ ହାତଗୋଡ଼ ଛିଞ୍ଚାଡ଼େ । କାନ୍ଦେ । ଆହୁରୀ ବଡ଼ ପାଟି କରେ, ଅପା ପାଖକୁ ଯିବିଲୋ । ବିଦେଇ ବୋଉ ଧମକ ଦେଇ କହନ୍ତି, ଚୋପ୍ ଚୋପ୍ ଖାଲି ଅପା, ଅପା । ପିଲା ତୁନି ହୁଏ ନାହିଁ । ରାଗିଯାଇ ସେ ତାକୁ ତଳେ କଚାଡ଼ି ଦେଇ ତମତମ ହୋଇ ଚାଲିଯାଆନ୍ତି କହି କହିକା, କଣ କରିବିଟି, ହାଣ୍ଡିଟା ଭିତରେ ପାହାଣଟାଏ ମୁଁ ଚମକି ପଡ଼ିବିଟି । ଛୋପରା ଟୋକା, କାନ୍ଦୁଥା ବସି ।

 

ଧୋବୀର କାନରେ ପଡ଼େ । ସେ ଧାଇଁଆସେ । ବିଦେଇକୁ କାଖ କରେ । ଆଖିରୁ ଲୁହ ପୋଛେ । ଗେଲ କରେ । ବିଦେଇ ତୁନି ହୁଏ । ଧୋବୀ ଟୁଆଁ-ଟୁଇଁ କଥା କହେ ।

 

ସଞ୍ଜବେଳେ ଧୋବୀ ଯାଏ ମହାଦେବଙ୍କ ମନ୍ଦିରକୁ । ନୀଳକଣ୍ଠେଶ୍ୱର ମହାଦେବଙ୍କ ମନ୍ଦିର ଗାଁ ଆର ପାଖେ । ବନେଇଁ ପରିଡ଼ାଙ୍କ ଘରପାଖ ଦେଇ ବାଟ । ଦେଖାଯାଏ ବିଲ ମଝିରେ । ବେଲ, କନିଅର, ଦେବଦାରୁ ଓ ନଡ଼ିଆ ଗଛ ଛୋଟ ମନ୍ଦିରକୁ ଘେରି ରହିଛି । କେବେକାର ପୁରୁଣା ମନ୍ଦିର । ଟିକିଏ ଦୂରକୁ ଯେଉଁ ପୋଖରୀଟି ଥିଲା, ସେଇଟି ପୋତି ହୋଇଗଲାଣି । ଅଳ୍ପ ପାଣିରେ କଇଁଲଟା, ଦଳ ଭିଡ଼ି ରହିଛି । ବହୁତ ତମ୍ପସାପ । କେହି ତା ଭିତରକୁ ପଶନ୍ତି ନାହିଁ । ପୋଖରୀ ତଳକୁ ଅପନ୍ତରା କଣ୍ଟାବଣ ।

 

ଧୋବୀ ଆଖିରେ ପରିଡ଼ାଙ୍କର ଘର ପଡ଼େ । ଖଣ୍ଡିଆ କାନ୍ଥ ଠିଆ ହୋଇଛି । ଛପର କୁଆଡ଼େ ଗଲାଣି । ଧୋବୀର ଛାତି ଚମକି ଉଠେ । ମନେପଡ଼େ ସନିଆଁ । କେଉଁ ମଶାଣିରେ ତା’ଣ ସୁନ୍ଦର ଦେହ ବିଲୁଆ କୁକୁରଙ୍କ ଆହାର ହୋଇଥିବା କେଜାଣି । ଜଲଦି ଚାଲେ ଆଗକୁ ।

 

କାଙ୍ଗାଳ ଦେଖିଲେ ଧୋବୀର ରାଗ ହୁଏ । ଏଇମାନଙ୍କ ପାଇଁ ତାର ସର୍ବନାସ ହୋଇଛି-। ଏଇମାନଙ୍କ ଦୁଃଖ ସହି ନ ପାରି ଦାରୁଣ ଦୁଃଖ ନିଜ ମୁଣ୍ଡକୁ ଟାଣି ନେଇଚି, ଦେବତାର ଦଣ୍ଡ ବିରୁଦ୍ଧରେ ହାତଟେକି ସେ ଦଣ୍ଡ ସହିଛି ।

 

ସେଦିନ ସଞ୍ଜବେଳ, ମହୋଦବଙ୍କ ମନ୍ଦିର ଫେରନ୍ତି ବନେଇଁ ପରିଡ଼ାଙ୍କ ଘର ପାଖରେ, ବାମ ଓଝା ଝିଅ ଟିମି କହିଲା, ଶୁଣିଲୁଣି ନା ଧୋବୀ ଅପା, ବନେଇଁ ପରିଡ଼ା ପୁଅ ସନେଇଁ ଆଈଚିଲୋ, ଇସ ଯେଉଁ ରୂପ । ସତେକି ମଶାଣିରୁ ଉଠି ଆସିଛି ।

 

ଧୋବୀ ଯେପରି ହଠାତ୍‍ ବିଶ୍ଵାସ କରିପାରିଲା ନାହିଁ, ଚମକି ପଡ଼ି ଥକ୍କା ହୋଇ ଠିଆ ହେଲା । ଟିମିର ହାତକୁ ଧରି ଟିକିଏ ଜୋରରେ ହଲାଇ ଦେଇ ପଚାରିଲା, କିଏ ? ସନେଇଁ ଭାଇ ମଁ, ଆଲେ ସନେଇଁ ପରିଡ଼ା, ଗୋପୀନାଥ ମନ୍ଦିର ପାଖରେ ବସିଛି, କେତେ ଲୋକ ତାକୁ ବେଢ଼ି କଣ ସବୁ ପଚାରୁଛନ୍ତି । ମୁଁ ଅଇଲାବେଳେ ଟିକିଏ କାନେଇଲି । ବାପା କହୁଛି, ଆରେ ସନିଆଁ, ତୋ ଢିଅର ତ ଛପର ନାହିଁ; ବିଲୁଆ, ଗୋଧି, ସାପ ବସା କରିଛନ୍ତି, ରହିବୁ କେଉଁଠି ।

 

ଧୋବୀର ଗୋଡ଼ ଅଟକି ଗଲା । ମୁହଁ ଫେରାଇ ବନେଇଁ ପରିଡ଼ାର ଅନ୍ଧାରିଆ ଅରମା ଢିଅକୁ ଚାହିଁଲା । ଦୀର୍ଘଶ୍ଵାସ ଛାଡ଼ି ସେ ପଚାରିଲା, ସନିଆଁ ଭାଇ କଣ କହିଲା ଟିମି ?

 

କେଜାଣି ଲୋକେ ତ ହୋ ହୋ ହେଉଛନ୍ତି । ପିଲାଟିଏ କିଏ ତା ପାଖକୁ ଗଲା ଯେ ପରିଆ କେଉଟ ପାଟି କରି ଉଠିଲା, ଆରେ ଛୁଇଁବୁ, ଛୁଇଁବୁ ସେଟା ଛତରଖିଆ, ଅଜାତି । ଆଉ ଟିକେ ଠିଆ ହୋଇ ମୁଁ ଶୁଣିଥାନ୍ତି, ବିଶିଜେନା ପୁଅ ଚନ୍ଦରାଟା, ମତେ ଦେଖି ମା ପାଖକୁ ଘୁଞ୍ଚି ଘୁଞ୍ଚି ଅଇଲା । ତାକୁ ମତେ ଭାରି ଡର ମାଡ଼େଲୋ ଧୋବୀ ଅପା । ବଜାରିଆଟା, ଟେରେଇ ଟେରେଇ ଅନାଏଁ, ବଙ୍କେଇ ବଙ୍କେଇ ହସେ । ଏକୁଟିଆ ଦେଖିଲେ ଏମିତି ଥଟ୍ଟା କରେ ଯେ ଶୁଣିଲେ ତୋ ହାଡ଼ରେ ନିଆଁ ଲାଗିବ । ପଳେଇ ଆଇଲି ।

 

ଟିମିର କଥା ଧୋବୀର କାନରେ ପଶିଲା କି ନାହିଁ କେଜାଣି, ସେ ଜବାବ ଦେଲା ନାହିଁ-। ତୁନି ହୋଇ ଆଗକୁ ଚାଲିଲା, ସନେଇଁକୁ ଦେଖିବାକୁ ତାର ମନ ଛକପକ ହେଲା ।

 

ଟିମି କହିଲା, ଆଉ କେହି ଆସି ନାହିଁମ, ସେ ଏକା ।

 

ଆଉ କେହିର ଅର୍ଥ ଧୋବୀ ବୁଝିଲା । ସହାନୁଭୂତି ଦେଖାଇବାକୁ ପଚାରିଲା, କିଛି ଖବର ମିଳିଲା ?

 

ଦୁଃଖମିଶା ସ୍ଵରରେ କଥା ମିଶେଇ ଟିମି କହିଲା, ନାଇଁଲୋ, କିଏ କହୁଛି ମଲାଣି, କିଏ କହୁଛି ଖିରସ୍ତାନ କି ପଠାଣ ହୋଇଗଲା । ଆଉ କିଏ କହୁଛି, କୁଆଡ଼େ ପଳେଇଗଲା । ବୋଉ କହୁଛି ଆଲୋ ଟିମି, ଡାକିଲେ ନୀଳକଣ୍ଠେଶ୍ଵର ଶୁଣନ୍ତି । ସବୁଦିନେ ପାଣିନାଗି କର, ତୋ ଦୁଃଖ ତାଙ୍କୁ ଜଣା, ସେ ବୁଝିବେ ।

 

ଯେଉଁଠି ବାଟ ଭାଙ୍ଗି ସୋଇଁ ଘର ଆଡ଼େ ଯିବାର କଥା, ଧୋବୀ ଠିଆ ହୋଇ ଟିମିକି ପଚାରିଲା, କଣ ଘୋ-ଘୋ ପାଟି ଶୁଭୁଛିଲୋ ଟିମି ?

 

ଠାକୁର ଚାନ୍ଦିନୀ ପାଖରେ ସନିଆଁ ଭାଇ କଥା ପଡ଼ିଛି ପରା । ଚାଲ ଯିବା ଶୁଣିବା । ଦୁହେଁ ସେଇଆଡ଼େ ଗଲେ ।

 

ଜହ୍ନ ଉଠି ନ ଥାଏ । ଧୋବୀ ଏକୁଟିଆ ଘରକୁ ଫେରିଲା । ବାଟରେ ସନିଆଁର ଦୁଃଖ କଥା ତା’ ମନରେ ଘାଣ୍ଟିଚକଟି ହେଉଥାଏ । କେତେ ଦୁଃଖ କଷ୍ଟ ସହି କେବଳ ପ୍ରାଣ ଘେନି ସେ ଗାଁ ମାଟିକି ନିଜ ଲୋକଙ୍କ ପାଖକୁ ଫେରି ଆସିଛି । ଗାଁ ମାଟି ତାକୁ ଗ୍ରହଣ କଲେ ମଧ୍ୟ ଲୋକେ ତାକୁ ଗ୍ରହଣ କରିବାକୁ ରାଜି ନୁହଁନ୍ତି । ସେ ପ୍ରାୟଶ୍ଚିତ୍ତ କରିବ, ଜାତି ହେବ, ତେବେ ଯାଇ ସମାଜରେ ମିଶିବ । ସମାଜରେ ମିଶିବା ଯାଏ ତାକୁ ପାଣି ମୁନ୍ଦିଏ ବି କେହି ଦେଇପାରିବେ ନାହିଁ । କାହାର ଓଳିତଳେ ସେ ଆଶ୍ରା ନେଇପାରିବ ନାହିଁ ।

 

ବଞ୍ଚି ରହିବା କଣ ପାପ ? ବଞ୍ଚି ରହିବା ପାଇଁ ମଣିଷ ଯାହା କରେ ସେ କଣ ତାର ଦୋଷ ? ମଣିଷ ନିଜ ଭିତରେ ଭଗବାନଙ୍କ ଆଖିରେ ଦୋଷୀ ନୁହେଁ । ଯେଉଁଦିନ ସେ ପୃଥିବୀର ପିଠିରେ ଗୋଡ଼ ଦେଲା, ତାର ଦାବି ହେଲା ବଞ୍ଚିବା ପାଇଁ ଖାଇବା ଓ ପିନ୍ଧିବା ।

 

ଧୋବୀର ମନ କେଉଁଠି ଲାଗିଲା ନାହିଁ । ସନେଇଁ ଯିଏ ହେଲେବି ସେ କାଙ୍ଗାଳ, ଯେଉଁ କାଙ୍ଗାଳକୁ ଦୟା ଦେଖାଇବାକୁ ଯାଇ ସେ ସବୁ ହରାଇ ବସିଛି । ସେଇଥିପାଇଁ ସେ କାଙ୍ଗାଳର ମୁହଁ ଚାହିଁବ ନାହିଁ । କେତେ କାଙ୍ଗାଳ ତ ସେମିତି ବାଟରେ ଘାଟରେ ପଡ଼ି ଆଖି ବୁଜି ଦେଉଛନ୍ତି, ସନିଆଁ କି ବା ଲୋକ ? ଗାଁ ପିଲା ବୋଲି ଟିକିଏ ଘାଣ୍ଟି ହେଉଥିଲା ସିନା ।

 

ବିଦେଇକୁ କୋଳରେ ପୂରେଇ ଗପ କହୁ କହୁ ଭାଇ ଭଉଣୀ ଦୁହିଁଙ୍କୁ ନିଦ ହୋଇ ଯାଇଥିଲା । ଖୁଡ଼ୀ ଖାଇବାକୁ ଉଠାଇଲେ, ଦାଦା ଅପେକ୍ଷା କରି ବସିଛନ୍ତି । ଧୋବୀ ନ ଖାଇଲେ ତାଙ୍କ ପାଟିକି ଦାନା ଯିବ ନାହିଁ । ଖୁଡ଼ୀ କହନ୍ତି ଛୋପରା ।

 

ଧୋବୀ ଖାଇ ପାରିଲା ନାହିଁ, ତାର ମନେପଡ଼ିଲା ସନିଆଁ କାଙ୍ଗାଳ, କଙ୍କାଳ । ଯେପରି ସେ ଆଗରେ ବସି ଆକୁଳ ଆଖିରେ ତାରି ମୁହଁର ଭାତକୁ ଚାହିଁ ରହିଛି; ଯେପରି ସେ ଧୋବୀର ହାତ ଧରି ଅଟକାଉଛି, ଥରିଲା ଥରିଲା ସ୍ଵରରେ କହୁଛି ମୋତେ ମୁଠିଏ ଦିଅ । ଧୋବୀର ମନେପଡ଼ିଲେ ତାର ସ୍ଵାମୀ ଆଉ ଶ୍ଵଶୁର । ଯେଉଁ ନିରାଶ୍ରୟ ଭୋକିଲା କାଙ୍ଗାଳଙ୍କର ସେବା କରି ସେମାନ ତାଙ୍କର ଜୀବନ ଦେଇଛନ୍ତି; ସନିଆଁ ସେହି କାଙ୍ଗାଳ ଭିତରୁ ଜଣେ । ଗାଁ ଦାଣ୍ଡରେ ଭୋକିଲା ପଡ଼ି ଯେତେବେଳେ ସେ ଶୀତରେ ଥୁରୁଥୁରୁ ବେଳ କାଟୁଥିବ, ଆଖିକୁ ଆସୁ ନ ଥିବ ନିଦ, ଠିକ୍‍ ସେତିକିବେଳେ ଜିତେଇ ନାଏକଙ୍କର ବୋହୂ, ନିତେଇ ନାଏକଙ୍କର ଘରଣୀ ଖାଇପିଇ ପଲଙ୍କ ଉପରେ ଶୋଇବ ନିଶ୍ଚିନ୍ତରେ ?

 

ଏତେ ସମ୍ପତ୍ତି ସେମାନେ ଛାଡ଼ି ଯାଇଥିଲେ କାହିଁକି ? ମଫସଲ ଅମାରରୁ ଶହଶହ ଭରଣ ଧାନ ବୁହା ହୋଇ ଆସି ବାପଘର ଅମାରରେ ରଖାଗଲା କାହିଁକି ? ଗୋଟାଏ ପେଟ କଣ ଅପୋଷା ରହନ୍ତା ? ଯେଉଁକାମ ତାର ସ୍ଵାମୀ ଶ୍ଵଶୁର ଅଧା କରି ଯାଇଥିଲେ ତାକୁ ଶେଷ କରିବାର ଦାୟିତ୍ଵ ଧୋବୀର, କିନ୍ତୁ କାହାକୁ କଣ କହିବ । ବାପା ବିରକ୍ତ ହେବେ । ଭାଇଙ୍କ ଡରରେ ଦାଦି ମୁହଁ ଖାଲିବେ ନାହିଁ । ତାର ବି ଶ୍ଵଶୁର ଘରେ ଏପରି କୌଣସି ଜୋର ନାହିଁ । କି ସାହାସରେ ସେ ତାର ମନକଥା କହିବ ।

 

ଧୋବୀ ଦରଖିଆ ହୋଇ ଉଠିଲା । ନିଧେଇ ପଚାରିଲେ, କଣ ହେଲା ମା’, ଦରଖିଆ ହୋଇ ଉଠିଲୁ କାହିଁକି ? ସବୁବେଳେ ତ ଏମିତି ଅଧା ପେଟ ହେଉଛି, ତୋର କଣ୍ଟା ଦୋହଲିଲାଣି-

 

ଧୋବୀ ଉତ୍ତର ଦେଇପାରିଲା ନାହିଁ । ଖୁଡ଼ୀ କହିଲେ, ମୁଁ ମନାକରୁଛି ସଞ୍ଜବେଳେ ସେ ପଖାଳ ଖାଇଲେ ।

 

ଦାଦି ନିଶ୍ଚିନ୍ତ ହେଲେ । ଖୁଡ଼ୀ ଯେ କାହିଁକି ମିଛ କହିଲେ ଧୋବୀ ବୁଝିପାରିଲା ନାହିଁ, ତଥାପି ସେ ପ୍ରତିବାଦ କଲାନାହିଁ ।

 

ରାତି ଅଧ, ଶୀତ ଟିକିଏ ବେଶି ପଡ଼ିଲା । ଧୋବୀ ଉଠି ପଦାକୁ ଆସିଲା । ଆଈବୁଢ଼ୀ ନିଶ୍ଚିନ୍ତରେ ଘୁଙ୍ଗୁଡ଼ି ମାରୁଛନ୍ତି । ସେ ଚାରିଆଡ଼କୁ ଚାହିଁଲା । କେଡ଼େ ସୁନ୍ଦର ଜହ୍ନରାତି । ସବୁ ଶୂନଶାନ୍ । କେବଳ ଝିଙ୍କାରିର ଝିଁ ଝିଁ ରାତିର ନିସ୍ତବଧତା ଭାଙ୍ଗୁଛି । ଧୋବୀର ଆଖିକୁ ନିଦ ନାହିଁ । ତୁହାଇ ତୁହାଇ ସନିଆଁର ଅବସ୍ଥା ତାର ମନକୁ ଅସ୍ଥିର କରୁଛି । ଆହା, ଖାଲି ପେଟରେ ପୁଙ୍ଗୁଳା ଦେହରେ ଗଛମୂଳରେ ପଡ଼ି ସେ କଣ କରୁଥିବ ?

 

ପିଲାଦିନର ଖେଳକୌତୁକ ତାର ମନେପଡ଼ିଲା । ସନିଆଁ ଭାଇ ତାକୁ କେତେ ଭଲ ପାଉଥିଲା । ଧୋବୀ ଯାହା କହେ, ଯେତେ କଷ୍ଟ କାମ ହେଲେ ବି ସେ କରେ, ଭାବିବାକୁ ଅପେକ୍ଷା କରେ ନାହିଁ । ସେହି ସନିଆଁ ଭାଇ, ଦିନେ ତ ପୁଣି ଆଶା କରିଥିଲା । ତାର ହାତ ଧରି ଘରଣି କରିନେବ । ବନେଇଁ ପରିଡ଼ା ବାଧା ଦେଲେ । ତାର ବାପ ରାଗ କଲେ, ପ୍ରତିଶୋଧ ନେଲେ । ସେଥିପାଇଁ ସନିଆଁ ଭାଇ ତ ଦାୟୀ ନୁହେଁ । କେଡ଼େ ଦୁଃଖରେ ସେ ଦିନେ ତୋଟାକଡ଼ରେ ତାର ହାତ ଧରି କହିଥିଲା ।, ବାପା ମନାକଲେ, ପହରାଜେ ଫେରିଗଲେ । କେଡ଼େ ଆଶା କରି ସେ ପଚାରିଥିଲା କଣ କରିବା କହିଲୁ ? ଧୋବୀ ପରିହାସ କରି ଉତ୍ତର ଦେଇଥିଲା, ଯା କଇଁଫୁଲ ତୋଳିବୁ ।

 

ସେତିକି ତାଙ୍କର ଶେଷ କଥା ।

 

କଇଁ ଆଜି ନାହିଁ । ବାପ ଝିଅ ଦିହେଁ ଗାଁ ଛାଡ଼ି ବାହାରିଗଲେ । ଆଜିଯାଏ ଫେରି ଚାହିଁଲେ ନାହିଁ । ସେଦିନର ଧୋବୀ ବି ଆଜି ନାହିଁ । ଯେଉଁଦିନ ବିଷ୍ଣୁପୁର ଛାଡ଼ି ସେ ଦୁର୍ଗାପୁର ଗଲା, ତାର ମଧ୍ୟ ମରଣ ହେଲା । ବଞ୍ଚି ରହିଛି ସନିଆଁ । ଦୁନିଆଁରେ ଆଜି ସେ ଏକା । ସାହାସ ସମ୍ବଳ କିଛି ନାହିଁ । ତା ଭାଗ୍ୟକୁ ଦେବତା ପଥର ହେଲେ । ଗାଁ ପିଲା ସେ, ଦାଣ୍ଡରେ ଠାକୁରଙ୍କ ଆଗରେ ପଡ଼ି କଲବଲ ହୋଇ ମରିବ ?

 

ଧୋବୀର ଦେହ ଶିତେଇ ଉଠିଲା । କେତେ ମରଣର ଦୃଶ୍ୟ ଆଖିରେ ସେ ଦେଖିଛି । ଇସ୍‍ କେଡ଼େ ନିଷ୍ଠୁର ସେ ମୃତ୍ୟୁ । ବେଳ ଅବେଳ ମାନେ ନାହିଁ । ପାତ୍ର ଅପାତ୍ର ଘେନେ ନାହିଁ । କେତେ ଆଶା ଆକାଂକ୍ଷା ଘେନି ମଣିଷ ଜନ୍ମେ । କେଡ଼େ ଉତ୍ସାହରେ ସୁଖ ପାଇଁ ସେ କାମ କରେ । ସବୁ ଅଧା ରଖି ସେ ଚାଲିଯାଏ । ଦେବତାର ଇଚ୍ଛାରେ ସେ ମରେ, ଅବା ମଣିଷର ଅବହେଳା ପାଇଁ ସେ ମରେ, କେହି ସ୍ଥିରକରି କହିପାରିବେ ନାହିଁ ।

 

ଧୋବୀର ଆଖିରୁ ଲୁହ ଝରିଲା ।

 

ବାରିଆଡ଼ୁ ପହିରିକିଆ ବିଲୁଆ ବୋବାଳି ଛାଡ଼ିଲେ । ଧାବୀ ଆହୁରୀ ଅସ୍ଥିର ହୋଇଉଠିଲା । ଦିନେ ସେ ତା’ ସ୍ଵାମୀଙ୍କ ମୁହଁରୁ ଶୁଣିଥିଲା, କିପରି ଗୋଟିଏ ଦରମରା କାଙ୍ଗାଳକୁ ବିଲୁଆଗୁଡ଼ା ଟଣାଓଟରା କରୁଥିଲେ । ଇସ୍, କାଙ୍ଗାଳର ଯେଉଁ ଚିତ୍କାର । ଲୋକେ ଠେଙ୍ଗାବାଡ଼ି ଘେନିଗଲେ; କିନ୍ତୁ ତାକୁ ବଞ୍ଚାଇ ପାରିଲେ ନାହିଁ, ଦେହଯାକ ତାର ଖଣ୍ଡିଆ ହୋଇଥିଲା ।

 

ସନେଇଁ ପରିଡ଼ାର ସେହି ଅବସ୍ଥା ହେବ ? ଏହି ଭାବନା ଧୋବୀ ସହିପାରିଲା ନାହିଁ । ନା, ଯେମିତି ହେଉ ସେ ତାକୁ ବଞ୍ଚାଇବ । ମରିବାକୁ ଛାଡ଼ିଦେବ ନାହିଁ । ଲୋକେ ଦୁର୍ନାମ ରଟାଇବେ, ବାପା ବିରକ୍ତ ହେବେ । ଯିଏ ଯାହା କହିବାର କୁହନ୍ତୁ । ସର୍ବଦର୍ଶୀ ଭଗବାନ ତ ଉପରୁ ଦେଖୁଛନ୍ତି ।

 

ଖଣ୍ଡ ଖଣ୍ଡ ଭଙ୍ଗା ବଉଦ ଭାସିଗଲେ ତୋରା ଜହ୍ନର ମୁହଁ ଛପାଇ । ଧୋବୀର ମନରେ ସେମିତି କେତେ ଭାବନା ଆକାର ପ୍ରକାର ଗଢ଼ି ଗଢ଼ିକା ଭାସିଗଲା । ଉଜ୍ଜ୍ୱଳ ଜହ୍ନପରି ସ୍ଥିର ହୋଇ ରହିଲା ଗୋଟିଏ ଭାବନା, ସନିଆଁର ବଞ୍ଚିବାର ଅଧିକାର ଅଛି । ସନିଆଁ ବଞ୍ଚିବ । ସମାଜ ଆଖିରେ ସେ ହେଉପଛେ ଛତରଖିଆ, କାଙ୍ଗାଳ, ଅସ୍ପୃଶ୍ୟ ଅଜାତି, ପତିତ । ଅନନ୍ତ ଆତ୍ମାର ଆଖିରେ ସେ ଶ୍ରେଷ୍ଠ ଜୀବ ମଣିଷ ।

 

ଧୋବୀ ଉଠିଲା । ତାର ଭିତରର ନାରୀତ୍ଵ ତେଜି ଉଠିଲା । ସେ ନାରୀ ସୃଷ୍ଟିପାଇଁ ତାର ଜନ୍ମ, ଧ୍ୱଂସ ପାଇଁ ନୁହେଁ । ସେ କରେ ସୃଜନ, ସେ ବଞ୍ଚାଇ ରଖେ ଦୁନିଆଁକୁ । ସେ ଜନନୀ, ସେ ମାତା । ଜନନୀ ହେବାକୁ ଖୋଜେ ପୁରୁଷ । ମାତା ହେବାକୁ ସେ ଖୋଜେ ଶକ୍ତି । ଶକ୍ତି ତାର କୋମଳତା । ଧୋବୀ ଚାହିଁ ରହିଲା ନାହିଁ ।

 

ଏପାଖ ଘରୁ ଦାଦା ଖୁଡ଼ଙ୍କର ଘୁଙ୍ଗୁଡ଼ି ଶୁଭୁଛି । ସାମନା ଘରୁ ବୋଉ ବିଳିବିଳେଇ ଉଠୁଛି । ଆଉ ସବୁ ନିଶ୍ଚଳ । ଧୋବୀ ବଇଠା ଜାଳିଲା । ପେଟରା ଖୋଲି ଲୁଗା କାଢ଼ିଲା, ପୁଣି କାଢ଼ିଲା ଖଣ୍ଡେ ମାଠ । ଏଇ ଲୁଗା, ଏଇ ମାଠ ତାର ସ୍ଵାମୀଙ୍କର । ସେ ଆଜି ନାହାନ୍ତି । କେତେ ସ୍ମୃତି ଲାଗି ରହିଛି ତହିଁରେ । କାଙ୍ଗାଳକୁ ବଞ୍ଚାଇବାକୁ କାଙ୍ଗାଳର ସେବା କରି ଯେ ଦେଇଛନ୍ତି ଜୀବନ, ତାଙ୍କରି ଶେଷ ସ୍ମୃତି ଦୁଇଖଣ୍ଡି କାଙ୍ଗାଳର ସେବାରେ ଲାଗୁ ।

 

ଧୋବୀ ରୋଷେ ଘରକୁ ଗଲା । ଭାବିଲା, କାହାକୁ ସେ ଉଠାଇବ ନାହିଁ, ଯାହା କରିବ ନିଜେ । କେହି ଜାଣିବେ ନାହିଁ, ସେ କାଙ୍ଗାଳକୁ ବଞ୍ଚାଇବେ ।

 

ସେହି ନିଛାଟିଆ ଛାତିଥରା ଶୀତୁଳିଆ ଅଧରାତିରେ, ଯେତେବେଳେ ଗାଁ ସାରା ନିଦରେ ଅଚେତ ହୋଇ ସପନ ଦେଖୁଛନ୍ତି, ଯେତେବେଳେ ଭୂତପ୍ରେତ, ଡାଆଣୀ, ଚିରୁଗୁଣୀ ଓ ଠାକୁରାଣୀଙ୍କ ଭେଟଣା ଡରରେ ଗାଁ ଲୋକେ ଘର ଛାଡ଼ି ପଦାକୁ ଗୋଡ଼ ବଢ଼ାଇବାକୁ ସାହାସ କରିବେ ନାହିଁ, ଯେତେବେଳେ ପ୍ରତି ଗଛବୁଦା ଖାଲଢିପର ଅନ୍ଧାର ଛାଇରେ ମଣିଷର ଆଦିମ ବିଶ୍ଵାସ ଛନକାର ଅଶରୀର ଆତ୍ମା ଚେଇଁଉଠେ ଆଖି ତରାଟେ, ସେତିକିବେଳେ ଧୋବୀ ଗାଁ ଦାଣ୍ଡକୁ ଗୋଡ଼ ବଢ଼ାଇଲା, କାନ୍ଧରେ ପଡ଼ିଛି ଲୁଗା ଓ ମାଠ । ତାର ଗୋଟିଏ ହାତରେ ପାଣିଲୋଟା, ଆର ହାତରେ ଖଣ୍ଡେ କଂସାରେ କଣ ଖାଇବା ଚିଜ ।

 

ବାପା ମା’, ଦାଦି ଖୁଡ଼ୀ, ଶାଶୁଶ୍ଵଶୁରଙ୍କ ଅତି ଗେହ୍ଲା ଝିଅ ଧୋବୀ, ପଦାକୁ ଗୋଡ଼ କାଢ଼ିଲେ ଯାହାର ପଛେ ପଛେ ଲୋକ, କାଳେ ପିଲାଟା ଚମକି ପଡ଼ିବ, ସେ ଆଜି ଗାଁ ଦାଣ୍ଡରେ ଚାଲିଛି ଏକୁଟିଆ, ରାତି ଅଧରେ, କାଙ୍ଗାଳର ସେବାପାଇଁ । ହଁ, ସେ ଜାଣେ କାଙ୍ଗାଳର ସେବାପାଇଁ, ମୃତ ସ୍ଵାମୀଙ୍କର ଅଧାକାମକୁ ଶେଷ କରିବାକୁ, ହଉପଛେ ଅପମାନ, ଯାଉପଛେ ଜୀବନ ।

 

ମନ୍ଦିର ପାଖ ଚାନ୍ଦିନୀ କଡ଼ରେ, ଯେଉଁଠି ଛାପିଛାପିକା ଆଲୁଅ-ଛାଇ ପଡ଼ିଛି, ସନିଆଁ ସେଇ ଧୂଳି ଉପରେ ପଡ଼ିଛି । ଦେହ ତାର ହେମାଳ ହୋଇ ଉଠୁଛି । ଉପରୁ ବର୍ଷୁଛି ଥଣ୍ଡା, ତଳ ମାଟି କୋଲ ମାରିଲାଣି । ଛିଣ୍ଡା ଲୁଗାଟିକୁ ଏପାଖରୁ ଟାଣିଲେ ସେପାଖ ପୁଙ୍ଗୁଳା ହେଉଛି, ପେଟରେ ଦାନା ପଡ଼ିନାହିଁ । ଗର୍ଜି ଉଠୁଛି । ନିଦ କେମିତି ହେବ ? ହେଲେ ହେବ ମହାନିଦ୍ରା, ଯହିଁରୁ କେହି କେବେ ଉଠନ୍ତି ନାହିଁ ।

 

ସନିଆଁ ଉଠି ବସିଲା । ରାତି ଅଧ । ଚାରିଆଡ଼ର ନିସ୍ତବ୍‌ଧତା ଆଡ଼କୁ ଥରେ ଚାହିଁଲା । ସମସ୍ତେ ତାକୁ ଉପହାସ କରୁଛନ୍ତି, ସମସ୍ତେ ତାକୁ ସଙ୍କେତ ଦେଉଛନ୍ତି-ଫେରି ଯା, ଫେରି ଯା, ବନ୍ଧୁ ବାନ୍ଧବ ଆତ୍ମୀୟସ୍ଵଜନ ସବୁମିଛ, ଜନ୍ମ ମାଟିର ମାୟା ଗୋଟାଏ ନିଶା । ବିଶାଳ ପୃଥିବୀ ତୋର, ଜନ୍ମ ମାଟି ତୋର ନିଜର । ଯେଉଁଠି ତୋର ଉପସ୍ଥିତି ଅନ୍ୟକୁ ତୁ ଅନୁଭବ କରାଇପାରିବୁ, ସେହି ତୋର ଜାଗା, ସେହି ତୋର ଦେଶ । ଯେଉଁମାନେ ତୋତେ ଛାଡ଼ି ରହିପାରିବେ ନାହିଁ ସେମାନେ ତୋର ବନ୍ଧୁ କୁଟୁମ୍ବ, ସେହିମାନେ ତୋର ଆତ୍ମୀୟ ସ୍ଵଜନ । ଜାତି ଧର୍ମ ସବୁ ଭଣ୍ଡାମୀ ।

 

ଆଗରେ ଗୋପୀନାଥଜୀଉଙ୍କର ମନ୍ଦିର କେତେ ଯୁଗର କେଜାଣି । ତାର ପୂର୍ବପୁରୁଷମାନେ କେତେ ପୂଜା କରିଛନ୍ତି, କେତେ ଭକ୍ତି କରିଛନ୍ତି; କିନ୍ତୁ କାହିଁ, ପଥର ଭିତରୁ ତ ଭଗବାନ ବାହାରି ଆସିଲେ ନାହିଁ । ଲକ୍ଷ ଲକ୍ଷ ନୀରିହ ପ୍ରାଣୀ ବାଟଘାଟରେ ପଡ଼ି ମଲେ, କୌଣସି ଜୀଉ ରକ୍ଷା କରିପାରିଲେ ନାହିଁ । କାହିଁକି ତେବେ ଏଧର୍ମ, ଆଉ କାହିଁକି ତେବେ ଏ ପୂଜା ଆରାଧନା ? କେତେ ମନ୍ଦିର, କେତେ ଗୋପୀନାଥଜୀଉ ଭାଙ୍ଗିରୁଜି ମାଟିରେ ମିଶିଲେ । କେହି ଜୀବନ୍ତ ହୋଇ ଆତ୍ମରକ୍ଷା କରିବାକୁ ଉଠିଲେ ନାହିଁ ?

 

ସବୁ ମିଛ, ସବୁ ଭଣ୍ଡାମୀ । ମଣିଷର ହାତଗଢ଼ା ଦେବତାର ସାଧ୍ୟ ନାହିଁ ଯେ ସେ ମଣିଷକୁ ରକ୍ଷା କରିବ । ମଣିଷର ଜୀବନ-ମରଣ ମଣିଷ ହାତରେ, ତାର ଶକ୍ତିରେ । ଯେଉଁଠି ସେ ହଟେ ସେ ମରେ । ଦିଓଟି କଥା ଦୁନିଆଁରେ ସତ୍ୟ; ଜୀବନ ଓ ମରଣ । ଯାହାର ଶକ୍ତି ଅଛି, ନିଜର ନ ଥିଲେ ମଧ୍ୟ ସେ ପର ମଁହରୁ ଛଡ଼ାଇ ଖାଇପାରେ, ସେ ବଞ୍ଚେ, ନୋହିଲେ ସେ ମରେ ।

 

ସନିଆଁର ଶକ୍ତି ନାହିଁ । ସେ ମରିବ ।

 

ମରଣ ଚାରିଆଡ଼ୁ ତାକୁ ଚାହିଁ ରହିଛି ନିମନ୍ତ୍ରଣ କରୁଛି । ବଞ୍ଚିବାକୁ ତାର ଆଉ ଆଗ୍ରହ ନାହିଁ । ତାର ସବୁଆଶା ଭାଙ୍ଗି ଯାଇଛି । ମା’, ଭଉଣୀ, ଭାଇ କେହି ଫେରିନାହାନ୍ତି । ସମସ୍ତେ ହୁଏତ ମରିଛନ୍ତି । ଗାଁ ଲୋକେ, ଯାହାଙ୍କୁ ସେ ଆତ୍ମୀୟ ବୋଲି ଘେନିଥିଲା, ସେମାନେ ତାକୁ ଚାହାନ୍ତି ନାହିଁ । ମଣିଷ ବଞ୍ଚେ ନାହିଁ ନିଜ ପାଇଁ । ସେ ବଞ୍ଚେ ଅନ୍ୟ ପାଇଁ, ଯେଉଁମାନେ ତାକୁ ଭଲ ପାଆନ୍ତି, ସ୍ନେହ କରନ୍ତି, ଯେଉଁମାନେ ତା’ ପାଇଁ ହସନ୍ତି ଆଉ କାନ୍ଦନ୍ତି, ନୋହିଲେ ବିସ୍ମୟରେ ତା’ ଆଡ଼କୁ ଚାହିଁ ରହନ୍ତି ଅବା ଘୃଣା କରନ୍ତି ।

 

ସନିଆଁର ସେପରି କେହି ନାହିଁ । ଗାଁ ଲୋକେ ତାକୁ ଦେଖି ମଧ୍ୟ ଦେଖି ନାହାନ୍ତି, ଚିହ୍ନି ମଧ୍ୟ ଚିହ୍ନି ନାହାନ୍ତି । ତାର ଉପସ୍ଥିତିକୁ ସମସ୍ତେ ଆଡ଼େଇ ଦେଇଛନ୍ତି, ଯେପରି ସେ ନାହିଁ କେବେ ମଧ୍ୟ ନ ଥିଲା । ସେ ଅଖୋଜା, ଅଲୋଡ଼ା, ଅପରିଚିତ, ତେବେ ସେ ଆଉ ବଞ୍ଚିବ କାହିଁକି ? ଏଇ ଆଗରେ ଯେଉଁ ପୋଖରୀ, ଭରା ପାଣି, ତାଆରି ଛାତିରେ କେତେ ପ୍ରାଣୀ ତାଙ୍କର ଲଜ୍ଜାକର ଜୀବନ ଲୁଚାଇ ଦେଇଛନ୍ତି, ସନିଆଁ ମଧ୍ୟ ସେଇଆ କରିବ । ଦେହର ଯନ୍ତ୍ରଣା ଆଉ ସହିବ କାହିଁକି-?

 

ମନ୍ଦିର ଆଗ ଭଙ୍ଗା ମୁଖଶିଆଳିରେ ଶୋଇଲା କୁକୁର ଖସ୍‍ଖସ୍ ହେଲା । ଗଛ ଉପରୁ ଫଡ଼ ଫଡ଼ ହୋଇ ଉଡ଼ିଗଲେ ବାଦୁଡ଼ି । ଜହ୍ନ ଉପରେ ଭାସିଗଲା ଚଳନ୍ତି ମେଘ, କାୟା ବଦଳେଇ ବଦଳେଇ । ଅତି ଧୀରେ ଶୀତଳ ପବନ ବହି ଆସିଲା କଙ୍କାଳର ହାଡ଼ ଥରାଇ । ପାଖ ବୁଦାରୁ ଝିଙ୍କାରୀ ଗର୍ଜି ଉଠିଲା ଝିଁ ଝିଁ । ଦୂର ଗଛ ଉପରେ ନିଷ୍ପ୍ରଭ ଜ୍ୟୋତିରିଙ୍ଗଣ ଆଖି ମିଟିମିଟି କରୁଛନ୍ତି । ସମସ୍ତେ ହେଉଛନ୍ତି ଜୀବନର ସୂଚନା ।

 

ଅନନ୍ତ କାଳରୁ ସବୁ ଯେମିତି ବଞ୍ଚି ରହିଛି । ମରିଛନ୍ତି ସମସ୍ତେ, ହଜିଯାଇଛି ସମସ୍ତଙ୍କର ସ୍ମୃତି; କିନ୍ତୁ ହଜି ନାହିଁ ଦୁନିଆଁ ଉପରେ ସଭିଙ୍କର ସମାବେଶ ଶୋଭା । ସନିଆଁ ମରିବ, ମରେ ଯେପରି ଗଛର ପତ୍ର । ଦୁନିଆଁ ଏତେଶୀଘ୍ର ମରିବ ନାହିଁ, ବଦଳିବ ନାହିଁ, ଚାଲିଥିବା ଚକା ଭଉଁରୀ ଖେଳିଖେଳିକା । ସନିଆଁ ପରି ଲକ୍ଷ ଲକ୍ଷ ଜୀବଙ୍କର ଥିଲା ନ ଥିଲାକୁ ଚାହିଁବାକୁ, ସେ ବିଷୟରେ ଥରେ ଟିକିଏ ଭାବିବାକୁ ସେ ଅପେକ୍ଷା କରିବ ନାହିଁ । ଚାଲିଥିବା ସେ ଚଳନ୍ତି ପଥରେ ।

 

ଜୀବନ ଦୀପ, ଯାହାକି ସନିଆଁର ଅତିକ୍ଷୀଣ, ଦରଲିଭା, ତାକୁ ଫୁଙ୍କି ଲିଭାଇ ଦେବାକୁ ଯେପରି ତାର ଦେହରେ ଶକ୍ତି ନାହିଁ । ଆଗରେ ପୋଖରୀ, ଭରାପାଣି । ଯିବାକୁ ତାର ବଳ ପାଉନାହିଁ । ତାର ଦୁର୍ବଳ ମୁଣ୍ଡଟି ଝୁଙ୍କି ପଡ଼ିଲା ଆଗକୁ ।

 

ଯେତେବେଳେ ସେ ପୁଣି ମୁଣ୍ଡ ଟେକିଲା, ଦେଖିଲା, ପୋଖରୀ କଡ଼ରୁ ତାରି ଆଡ଼କୁ ଚାଲିଚାଲି ଆସୁଛି କିଏ ଜଣେ ।

 

Unknown

ସନିଆଁ ଏକ ଆଖିରେ ଚାହିଁ ରହିଲା ଧୋବୀର ଆସିଲା ଛାଇକୁ ।

 

ମନ୍ଦିର ଆଗ ମୁଖଶିଆଳିରେ କୁକୁର ପାଇଁ ସ୍ଥାନ ଅଛି, ସମାଜତଡ଼ା ଅଛବ ମଣିଷର ମୁଣ୍ଡ ଗୁଞ୍ଜିବାର ଅଧିକାର ସେଠି ନାହିଁ । ଗରୁଡ଼ ସ୍ତମ୍ଭର ପଛପଟେ ପଥର ଚଟାଣକୁ କାନିରେ ଝାଡ଼ିଝୁଡ଼ି ଧୋବୀ ପରିଷ୍କାର କଲା । କୁକୁର ଦୁଇଟା ଭାଉଁ ଭାଉଁ ହୋଇ ପଦାକୁ ପଲାଇଲେ । ସେଇଠି ଜହ୍ନ ଆଲୁଅ ଉଜ୍ଜ୍ୱଳ ବେଶି ପଡ଼ିଥାଏ । ଧୋବୀ ସନିଆଁର ହାତ ଧରି ବସାଇଲା । ତାର ଚାଲିବାର ଶକ୍ତି ନ ଥିଲା ବୋଲି ଧୋବୀ ତାକୁ ଚାନ୍ଦିନୀ କଡ଼ରୁ ଟେକି ଆଣିଥିଲା । ନିଜ ହାତରେ ସନିଆଁର କଙ୍କାଳକୁ କାନିରେ ପୋଛି ସଫା ଲୁଗା ପିନ୍ଧାଇଲା । ମାଠ ଖଣ୍ଡି ତାର ଦେହରେ ଭଲକରି ଘୋଡ଼ାଇ ଧୋବୀ ସେହି କାଙ୍ଗାଳର ଅଲରା ବାଳକୁ ଆଙ୍ଗୁଠିରେ ସଜାଡ଼ି ଦେଲା । ଶିଶୁ ପିଲାକୁ ମା’ ଅତି ଆଦର ଯତ୍ନରେ ଖୁଆଇଲା ପରି ନିଜ ହାତରେ ସନିଆଁର ପାଟିରେ ଆଧାର ଦେଲା ।

 

ଦିହେଁ ହୋଇଥିଲେ ମୁକ । କଙ୍କାଳ ନିଜକୁ ଭୁଲିଗଲା । ଧୋବୀର ଦୟା, ସହାନୁଭୂତି ଓ ଯତ୍ନ ପାଇଁ ତାର ଅନ୍ତରାତ୍ମା କୃତଜ୍ଞ ହୋଇଥିଲେ ମଧ୍ୟ ତୁଣ୍ଡରେ ପ୍ରକାଶ କରିବାକୁ ତାର ଭାଷା ନ ଥିଲା, ଆଖିରେ ନ ଥିଲା ଲୁହ । ସେ ଦୁର୍ବଳ, ଦରମଲା, ନିସଃହାୟ, ସମାଜଛଡ଼ା । ଅନୁଭବ କରୁଥିଲା ତାର ଦେହର ଦେବତା ଦୁନିଆଁକୁ ସରସ କରିବାକୁ, ମରଣର ପ୍ରଲୋଭନକୁ ଉପେକ୍ଷା କରି ଫେରିଆସିଜୀବନର ପ୍ରତୀକ୍ଷା କରିବାକୁ, ସବୁ ଦୁଃଖ ଜଞ୍ଜାଳଭରା ସଂସାରରେ ସୁଖ ଆନନ୍ଦ ଭେଳିକି ଲଗାଇବାକୁ ଭଗବାନ ଶକ୍ତି ରଖିଛନ୍ତି-ନାରୀ; ଧୋବୀ, ଧୋବୀ ।

 

ସନିଆଁ ଦୁର୍ବଳ ଦେହରେ ହାତ ବୁଲାଉ ବୁଲାଉ ଧୋବୀର ଆଖିରେ ଭରିଯାଉଥିଲା ଲୁହ-। କେତେଦିନର କେତେ କଥା ମନେ ପଡ଼ୁଥିଲା, ଖେଳ କୌତୁକ, ଆଶା ଦୁରାଶା । ସନେଇଁ ପରିଡ଼ା ଆଜି ଦୁର୍ଭିକ୍ଷର ଆଁ ଭିତରୁ ଖସି ଆସିଛି, ସମାଜ ତାକୁ କ୍ଷମା ଦେଇ ପାରିନାହିଁ । ସେ ଅଜାତି, ପତିତ, ସେଥିପାଇଁ ସେ ସମାଜରୁ ତଡ଼ା ଖାଇଛି । କେହି ତାକୁ ଆଶ୍ରା ଦେଇପାରି ନାହାନ୍ତି-। ଦେବେ ନାହିଁ । ଯେଉଁ ମାଟିରେ ତାର ଜନ୍ମ, ସେଇଠି ସେ ହେବ ପର । ମୁଠାଏ ଖାଇବାକୁ ନ ପାଇ ସମସ୍ତଙ୍କ ମଝିରେ, ଗାଁ ଦାଣ୍ଡରେ ସେ ମରି ଶୋଇବ ?

 

ନିଜର ଭାବନାରେ ନିଜେ ଚମକି ଉଠିଲା ଧୋବୀ । ନା, ନା । ମୁଠିଏ ଭାତ ପାଇଁ ସନେଇଁ ପରିଡ଼ା ଗାଁ ଦାଣ୍ଡରେ ପଡ଼ି ମରିବ ନାହିଁ । ସେ ଏହା କେବେ କରେଇ ଦେବ ନାହିଁ । ପେଟ ବିକଳରେ ବନେଇଁ ପରିଡ଼ା କେଇ ଗଉଣୀ ଧାନ ପାଇଁ ସବୁ ସମ୍ପତ୍ତି ତା’ରି ବାପାକୁ ଦେଇ ଗାଁ ଛାଡ଼ିଥିଲେ; କିନ୍ତୁ ସେ ଦିନ ମଧ୍ୟ ସେ ଆସିଥିଲେ ବାକି ତିନିମାଣ ଜମି ବିକ୍ରି କରିବାକୁ । ସନେଇଁ ପରିଡ଼ା ଦାଣ୍ଡର ଭିକାରୀ ନୁହଁ । ସେ ଅନ୍ତତଃ ତିନିମାଣ ଜମିର ମାଲିକ, ଯେଉଁ ଜମିରେ ବନେଇଁ ପରିଡ଼ାଏ ସୁନା ଫଳାଉଥିଲେ ।

 

ଧୋବୀର ମନେପଡ଼ିଲା କେଇଦିନ ତଳର କଥା । ରାତି ତିନି ଘଡ଼ିବେଳେ ତାଙ୍କର ଦାଣ୍ଡପିଣ୍ଡାରେ ଛୋଟ ସଭାଟିଏ ବସିଥାଏ । ଚିନ୍ତେଇ ସୋଇଁ, ରାମ ପହରାଜେ ହରି ମାହାନ୍ତିଏ, ବାମ ଓଝା, ବିଶି ଜେନା, ଏମିତି ଆହୁରୀ କେତେକ ଲୋକ ବସିଥାନ୍ତି । ସୋଇଁଏ କହିଲେ ବନେଇଁ ପରିଡ଼ାଙ୍କର ଘରବାରି ଛାଡ଼ି ମହାଦେବ ଚକରେ ଯେଉଁ ତିନିମାଣ ଅଉଲ ନମ୍ବର ଜମି ଅଛି, ସେତକ ସେ କାହାକୁ ବିକି ନାହାନ୍ତି କି ବନ୍ଧାଛନ୍ଦା ଦେଇନାହାନ୍ତି । ପରିଡ଼ା ବଂଶର ସମସ୍ତେ ମରିହଜି ଗଲେ, କେହି ଫେରିଲେ ନାହିଁ, ଜମି ଆଉ ପଡ଼ିଆ ପଡ଼ିବ କାହିଁକି ? ବିଶି ଜେନା ଓ ବାମ ଓଝାଙ୍କ ଜମିକୁ ଲାଗି ପରିଡ଼ାଙ୍କର ସାତ କିଆରି ଜମି । ଜେନାଏ ଓ ଓଝାଏ ତାକୁ ଚାଷ କରି ଫସଲ କରନ୍ତୁ । ଚାଷୀଭାଗ ନେଇ ରାଜଭାଗ ପହରାଜଙ୍କ ମାରଫତ କରିଦେଲେ ନିଅଂଶୀ ମାଳ ଠାକୁରଙ୍କ ସେବାରେ ଲାଗିବ, ଯାନି ଯାତରାକୁ ଆଉ ହଇରାଣିଆଁ ପଡ଼ିବ ନାହିଁ ।

 

ଧୋବୀ ନିଜେ ଏହା ଶୁଣିଛି । ସନେଇଁ ପରିଡ଼ାର ଧାନ ପହରାଜଙ୍କ ଘରେ ଜମା ଅଛି । ମୁଠିଏ ଭାତ ପାଇଁ ସେ କାହିଁକି ପର ଓଳି ତଳେ ହାତ ପାତିବ ? ଖାଇବାକୁ ନ ପାଇ କାହିଁକି ସେ ଗାଁ ଦାଣ୍ଡରେ ପଡ଼ି ମରିବ ?

 

ଧୋବୀ ଏସବୁ କଥା ସନିଆଁକୁ କିଛି କହିଲା ନାହିଁ । କୌଣସି କଥା ଶୁଣିବା, ଭାବି ଠିକଣା କରିବା କିମ୍ବା କୌଣସି କାର୍ଯ୍ୟ କରିବା ଅବସ୍ଥାରେ ସେ ନ ଥିଲା । ଗାଁ ଲୋକ ଯଦି ନାହିଁ କରନ୍ତି, ଟାଣ ହାତରେ କିଛି ଗୋଟାଏ କରିବାକୁ ତାର ସାହାସ ହେବନାହିଁ । ସେ ଆଗେ ବଞ୍ଚିରହୁ, ପୂର୍ବ ଦେହ ଫେରି ପାଉ ତ ।

 

ଧୋବୀ କଅଁଳେଇ କହିଲା, ସନିଆଁ ଭାଇ, ତୁ ଏଇଠି ଟିକେ ଶୋଇପଡ଼ି ସୁସ୍ଥ ହ । ଫେରିଆସିଛୁ ଯେତେବେଳେ ଅବଶ୍ୟ କାହାରି ହେଲେ ତୋ ପାଇଁ ମନ ତୁଟିବ । ସୁଃଖ ଦୁଃଖ ସଂସାରରେ ଲାଗି ରହିଛି । ହତାଶ ହେଲେ ଲାଭ ନାହିଁ । ତୁ ଶୋଇପଡ଼ ।

 

ସେଇ ହେମାଳିଆ ପଥର ଚଟାଣ ଉପରେ ସନିଆଁର ଛିଣ୍ଡାଲୁଗା ବିଛାଇ ଧୋବୀ ଧୀରେ ଧୀରେ ତାକୁ ଶୁଆଇ ଦେଲା । ତାର ହାଡ଼ୁଆ ଗୋଡ଼ ଆଉଁସି ପୁଣି କହିଲା, ସକାଳୁ ନିଦ ଭାଙ୍ଗିଲେ ମନ୍ଦିର ଭିତରୁ ଉଠିଯିବୁ ସନିଆଁ ଭାଇ, ନୋହିଲେ ମିଛରେ ଲୋକେ ଚହଳ ପକାଇବେ, କେତେ ଲୋକ କେତେ କଅଣ ପଚାରିବେ । ତୁନି ରହିବା ସବୁଠାରୁ ଭଲ ।

 

କଙ୍କାଳର ପାଟି ଖୋଲିଲା, ଧୋବୀ ।

 

ତାର ହାତକୁ ମୁଠାଇ ଧରି ଧୋବୀ ପଚାରିଲା, କଣ ସନିଆଁ ଭାଇ ?

 

ମରିବାକୁ ମୋ ଇଚ୍ଛା ହେଉନାହିଁ ।

 

ଧୋବୀ ହସିଲା ସ୍ଵରରେ କହିଲା, କାହାରି କେବେ ଇଚ୍ଛା ହୁଏ ନାହିଁରେ, ତଥାପି ମଣିଷ ମରେ ।

 

ଧୋବୀର ହାତମୁଠା ଭିତରେ ସନିଆଁର ହାତ ଥରି ଉଠିଲା । ଘଣ୍ଟାକ ଆଗରୁ ଯେ ଭାବୁଥିଲା, ଭରା ପୋଖରୀର ପାଣିରେ ଝାସ ଦେଇ ସବୁ ଦୁଃଖକଷ୍ଟ ଶେଷ କରିଦେବ, ମରଣର ନାମରେ ଚମକି ଉଠିଲା କାହିଁକି ? ଧୋବୀର ପରଶ ସେହି କଙ୍କାଳର ହାଡ଼ରେ ମଳୟର ପରଶ ଲଗାଇଲା ।

 

ସନିଆଁ ଥରିଲା ସ୍ଵରରେ କହିଲା, ନାଇଁ । ମରଣକୁ କେତେ ରୂପରେ ନୀତି ଦେଖିଛି । ଭାବିଥିଲି, ସେ ଯେତେବେଳେ ଆସିବାର ଆସିବ । ଧୋବୀ, ତୁ ମତେ ବଞ୍ଚାଇବାକୁ ଆସିଛୁ । ମୋର ବଞ୍ଚିବାକୁ ଆଗ୍ରହ ହେଉଛି ତୋରି ପାଇଁ–ଧୋବୀର ଦେହସାରା ଥରି ଉଠିଲା ଭୟରେ, ଲଜ୍ଜାରେ, ଘୃଣାରେ । ମରଣମୁଖୀ ପ୍ରେତର ପୁଣି ଭଲ ପାଇବାର ବାସନା ଥାଏ, କାଙ୍ଗାଳର କଙ୍କାଳ ହାଡ଼ ଭିତରେ ଖେଳେ ପ୍ରେମ, ଉତ୍ତେଜନାର ବଜୁଳି । ଅଛୁଆଁ, ସମାଜ-ଛଡ଼ା, ପତିତର ଆଶାହୁଏ ବଞ୍ଚିବାକୁ, ସୁଖ ଆନନ୍ଦ ପାଇଁ ।

 

ଧୋବୀ ସନିଆଁର ହାତ ଛାଡ଼ିଲା । ବିଜୁଳି ପରି ଖେଳିଗଲା ତା’ ମନ ଭିତରେ ଗୋଟିଏ ଭାବନା । ମଲା ସ୍ଵାମୀଶ୍ଵଶୁରଙ୍କ ଅଧାକାମ ପୂରା କରିବାକୁ, କାଙ୍ଗାଳକୁ ବଞ୍ଚାଇବାକୁ ସିନା ରାତିଅଧରେ ଏକୁଟିଆ ସେ ଧାଇଁ ଆସିଥିଲା; କାଙ୍ଗାଳ ମୁହଁରୁ ଏପରି କଥା ଶୁଣିବାକୁ ତ ସେ ଧାଇଁ ଆସି ନ ଥିଲା । କିନ୍ତୁ କେତେ ତ କାଙ୍ଗାଳ ଏଇ ଗାଁ ଦାଣ୍ଡର ଛାତି ଉପରେ ଘୁସୁରି ଘୁସୁରି ମଶାଣି ଭିତରକୁ ଆଗେଇ ଯାଇଛନ୍ତି । ସ୍ଵାମୀ ଦୁଃଖରେ ଦିନରାତି କାନ୍ଦି କାନ୍ଦି ତାର ବେଳ କଟୁଥିଲା । ସେତେବେଳେ ସ୍ଵାମୀଙ୍କର ଅଧାକାମ ଶେଷ କରିବାକୁ ପ୍ରାଣ ଡାକି ନ ଥିଲା । ଆଜି ପରିଚିତ ସନିଆଁ କାଙ୍ଗାଳ ହୋଇ ଫେରିଛି ଶୁଣି ତାର ମନ ବଦଳିଲା କାହିଁକି ?

 

ଧୋବୀର ମନ ଭିତରୁ ଉଠିଲା କୋହ, ସେ ଭୁଲ କରିଛି, ସେ ଅନ୍ୟାୟ କରିଛି । ସେ ପୁରରେ ଅଛନ୍ତି ତାର ସ୍ଵାମୀ ଦେବତା, ଯାହାଙ୍କ ଆଖିକୁ ସବୁକଥା, ମନର ଗହନର ପ୍ରତି ଭାବନା ଜଳଜଳ ହୋଇ ଦେଖାଯାଉଥିବ । ସେ କିଛି ଲୁଚାଇ ପାରିବ ନାହିଁ । ପ୍ରତାରଣା କରିପାରିବ ନାହିଁ । ସେ ଜାଣେ, ସନିଆଁ କାଙ୍ଗାଳ ବୋଲି । ତାକୁ ବଞ୍ଚାଇବାକୁ ସେ ଧାଇଁ ଆସିନାହିଁ । ସେ ଆସିଛି କାଙ୍ଗାଳ ସନିଆଁ ବୋଲି ।

 

ସେ ଅସ୍ଥିରତା ବୋଧକଲା । ନିଜର ଭାବନା ନିଜକୁ ଖରାପ ଲାଗିଲା । ଦୁନିଆଁ ଆଖିରେ ସେ ଧରା ନ ପଡ଼ିଲେ ବି ନିଜ ପାଖରେ ନିଜେ ସେ ଧରାପଡ଼ିଯାଇଛି ।

 

ନିଶା ଗର୍ଜୁଥାଏ, ଧୋବୀ ଫେରିଲା ।

 

ଘର ଆଗରେ–

 

କାହାର ଛାୟା ମୂର୍ତ୍ତି ଛପିଯାଉଛି । ଧୋବୀ ଚମକି ଠିଆହେଲା ।

 

ଧୋବୀ ।

 

ନିଧେଇ ସୋଇଁଙ୍କ ପାଟି ବାରି ଥରିଲା ସ୍ଵରରେ କହିଲା, ଦାଦା ।

 

ହଁ ଲୋ ମା’,ଏତେ ରାତିରେ ଗାଁ ଦାଣ୍ଡକୁ ଏକୁଟିଆ ଯାଅନ୍ତି ନାଇଁ । ଏଇଟା ଦେବାଦେବୀଙ୍କର ଆତଯାତ ବେଳ । ଚାଲ ଘରକୁ ।

 

ଧୋବୀ ହାତରୁ ସେ କଂସା ଲୋଟା ଧରିଲେ । ଧୋବୀ ଉତ୍ତର ଦେଇପାରିଲା ନାହିଁ ।

 

ଦିନପରେ ଦିନ ଗଡ଼ିଯାଇଛି । ସନିଆଁ ନିତି ରାତିରେ ପାଇଛି ଖାଦ୍ୟ, ସେଇ ମନ୍ଦିର ମୁଖଶିଆଳୀରେ; କିନ୍ତୁ ପାଇନାହିଁ ଧୋବୀ ହାତର ମଳୟଲଗା, ପ୍ରାଣପୁଲକ ପରଶ, ଯେଉଥିପାଇଁ ତାର ଭାବନା ସେ ପୁରରୁ ଏ ପୁରକୁ ଫେରି ଆସିଥିଲା, ଯେଉଁଥିପାଇଁ ବଞ୍ଚିବାକୁ ତାର ଆଗ୍ରହ ହୋଇଥିଲା । ରାତି ଅଧରେ ନିଧେଇ ସୋଇଁ ନିଜେ ଖାଦ୍ୟ ନେଇ ଆସନ୍ତି । କେଡ଼େ ଆଗ୍ରହ ଓ ଯତ୍ନରେ କାଙ୍ଗାଳକୁ ଖୁଆନ୍ତି । ଅନ୍ୟକେହି ଜାଣେ ନାହିଁ, ଅନ୍ୟ କାହାକୁ ସେ ଜାଣିବାକୁ ଦିଅନ୍ତି ନାହିଁ-

ଗାଁ ଲୋକ ଦେଖନ୍ତି, ଦିନୁଦିନ ସନେଇଁ ପରିଡ଼ାର ସ୍ୱାସ୍ଥ୍ୟ ଫେରିଆସୁଛି, ବିଦାକାଠି ପରି ଦେହରେ ଯେଉଁ ହାଡ଼ଗଣି ହେଉଥିଲା । ସେ ସବୁ ଲୁଚିଯିବାକୁ ବସିଲାଣି । ସନେଇଁ କେଉଁଠି ଥାଏ, କଣ କରେ, କଣ ଖାଏ, ସେ ସବୁ ବୁଝିବାକୁ କେହି ଚେଷ୍ଟା କରନ୍ତି ନାହିଁ । ସନେଇଁକୁ ଦେଖିଲେ ଆଡ଼ ହୋଇ ଚାଲିଯାଆନ୍ତି, କାଳେ କାଙ୍ଗାଳ ଛତରଖିଆର ଛାଇ ପଡ଼ିବ, କାନି ବାଜିବ । ସନିଆଁ ନିଜେ ମଧ୍ୟ ଦୂରେଇ ରହେ । ଦୁର୍ଯୋଗରେ ପଡ଼ି ସେ ସମାଜରୁ ବାହାରି ଆସିଛି, ଲୋକେ କଣ କରିବେ । କାହାର ଦୋଷ ସେ ଦେବ କାହିଁକି ?

ପର ଘରେ ମୂଲ ଲାଗି ପେଟ ପୋଷିବାର ଶକ୍ତି ସନେଇଁର ହେଲା । ସେ ଆଉ ନିଧେଇ ସୋଇଁଙ୍କର ଦୟା ଉପରେ ନିର୍ଭର କରି ଗାଁରେ ପଡ଼ି ରହିବ କାହିଁକି ? ଯେଉଁ ବିଷ୍ଣୁପୁର ଗାଁରେ ତାର ବାପା ନିଜେ ମୂଲିଆ ଲଗାଇ କାମ କରୁଥିଲା, ସେଇଠି ସେ ପର ଓଳିତଳେ ମୂଲ ଲାଗିବ ? ପର ଦିଆ ଭାତ ତୋରାଣି ପିଣ୍ଡା ତଳେ ବସି ଖାଇବ ? ତାକୁ ଖରାପ ଲାଗିବ । ନଈ ସେପାରି ଦୁର୍ଗାପୁର, ଆଖପାଖରେ ଆଉ କେତେ ଗାଁ ଅଛି, ଯେଉଁଠି ତାକୁ କେହି ଚିହ୍ନନ୍ତି ନାହିଁ, ସେଇଠି ସେ ମୂଲ ଲାଗିଲେ ପେଟ ଅପେଷା ରହିବ ନାହିଁ ।

ଦିନେ ନିଧେଇ ସୋଇଁଙ୍କୁ ସନେଇଁ ସେଇକଥା କହିଲା, ନିଧିଆଦି, ଅଜଣା ଥାନରେ କିଏ କାହାକୁ ଦେଖୁଛି ? ଜଣକୁ ଜଣେ ହାତ ହଲେଇଲେ କୌଣସିମତେ ଚଳିଯିବ । ନିଜ ଗାଁରେ ଆପଣା ଲୋକଙ୍କୁ ପାଖରେ ଅଲଗା ହୋଇ, ଅଛୁଆଁ କୁକୁର ପରି ଦାନ୍ତ ଦେଖେଇ ପଡ଼ି ରହିବାକୁ ସରମ ମାଡ଼ିବ । ପର ଗାଁରେ ଲାଜ ହେବ ନାହିଁ ।

ନିଧେଇ ବୁଝେଇ କହିଲେ, ତୁ ଭୁଲ ବୁଝିଚୁ । କିଛି ନ ଥାଉ ଡ଼ିହ ଖଣ୍ଡକ ତ ପଡ଼ିଛି, ସାତପୁରୁଷର ଡ଼ିହ । ତୁ ଚାଲିଗଲେ ଏ ଗାଁରୁ ପରିଡ଼ାବଂଶ ନାଁ ଛପିଯିବ । ଆରେ ଭଲ ମନ୍ଦ ଲାଗିଛି-। ବଡ଼ସାନପଣ ମଣିଷ ହାତର କଥା ନୁହେଁ । ଏଇ ଗାଁ ମାଟିରେ ନିଅତିକୁ ଜଗି ଚଳ । ହାତରେ କିଛି ପଇସା ହେଲେ ପ୍ରାୟଶ୍ଚିତ୍ତ କରିବୁ । ସେଇଠୁ ସବୁ ଭଲ ।

ମୁଣ୍ଡ ଗୁଞ୍ଚିବାକୁ ମୋର ଥାନ ନାହିଁ ନିଧିଆଦି ।

ନିଧେଇ କଣ କହିବାକୁ ବସିଥିଲେ, ଅଟକି ଗଲେ । ଗଛ ଉହାଡ଼ରୁ ପରି ଦଳେଇ ଓ ରାମ ପହରାଜେ ସେଇ ବାଟ ଦେଇ ଆସୁଛନ୍ତି । କଥାଟି ସେଇଠି ଶେଷ କରିଦେବାକୁ କହିଲେ, ସବୁର କଲେ ସବୁ ହୋଇଯାଏରେ ସନିଁଆ, କେଉଁକଥା ବାକି ରହିଛି ?

ନିଧେଇ ବାଟ ଭାଙ୍ଗି ଚାଲିଗଲା ।

ସନିଆଁ ପହରାଜଙ୍କୁ ଅପେକ୍ଷା କରି ରହିଲା । ପାଖକୁ ଆସିବାରୁ ଓଳଗି ହେଲା । ପହରାଜେ ମୁଡ଼ୁକି ହସି ମୁଣ୍ଡ ଟୁଙ୍ଗାରିଲେ । ଗଳାସଫା କରି କହିଲେ ବେଶ୍ ଚେରେଇ ଗଲୁଣିରେ ସନିଆଁ । ପରି ଦଳେଇ କଣ କହୁଛି ଶୁଣିଲୁଣି ?

ପରି ଦଳେଇ କହିଲ, ଯାଉନ ଆପଣେ ଦେଖି ଆସିବ ? ଚୁଡ଼ା ଟୋକେଇ ନେଇ ମା’ ଯାଇଥିଲେ ଦୁର୍ଗାପୁର, ସେଇଠି ଦେଖିଲା ତୋ ଭଉଣୀ ପୁନିକୁ । ମଧୁଭୋଇ ବାଉରି, ନିତେଇ ନାଏକଙ୍କର କୋଠିଆ ଘରେ ସେ ଆଶ୍ରା ନେଇଛି । ଭଲରେ ଅଛିରେ, କେତେ କଥା ପଚାରୁଥିଲା ।

 

ପହରାଜେ କହିଲ, ଆରେ ସନିଆଁ, ଯେତେ ପ୍ରାୟଶ୍ଚିତ୍ତ କଲେ ତୁ ଆଉ ଜାତିରେ ପଶିପାରିବୁ ନାହିଁ । ଘର ଝିଅ ବାଉରି ଟୋକାର ଆଶ୍ରା ନେଲା, ଆଉ ରହିଲା କଣ ? ତୁ ଏଥର ବାଉରି ଜାତିରେ ମିଶିଯା । ଯୁଆଡ଼େ ହେଲେ ସମାଜ ଧରି ରହିବା ଭଲ ।

 

ପହରାଜେ ଓ ଦଳେଇ ବାଣ ମାରିଲା ପରି କଥାଗୁଡ଼ା କହିଦେଇ ବାଟ ଭାଙ୍ଗି ଚାଲିଗଲେ । ସନିଆଁ ଖଣ୍ଡେ ଦୂର ଆସି ନଈ ବନ୍ଧକୁ ଉଠିଲା । ବନ୍ଧକଡ଼ ଓସ୍ତଗଛ ତଳେ ବସି ନଈ ସେପାରି ଗଛଗହଳି ଆଡ଼କୁ ଚାହିଁ ରହିଲା । ସକାଳର କଅଁଳ କିରଣ ଚାରିଆଡ଼େ ବିଞ୍ଚିହୋଇ ପଡ଼ିଥାଏ ଚାରିଆଡ଼େ ।

 

ମୁଣ୍ଡ ଭିତରେ କେତେ ଭାବନା ଖେଳି ଯାଉଥାଏ । ପରି ଦଳେଇ ମିଛ କହେ ନାହିଁ । କିଏବା ମିଛ କହିବ କାହିଁକି ? ପୁନି ଶେଷକୁ ବାଉରି ଘରେ ଆଶ୍ରା ନେଲା । ଆଉମାନେ ଗଲେ କୁଆଡ଼େ ? ପୁନି ଜୀବନରେ ଅଛି, ଏହା ସନିଆଁର ମନରେ ଆନନ୍ଦ ଆଣିଲା ନାହିଁ । ବଞ୍ଚି ମଧ୍ୟ ପୁନି ବଞ୍ଚିନାହିଁ, ବରଂ, କୁଳରେ କଳଙ୍କ ଲଗାଇଛି । ପେଟ ପାଇଁ କିଏ କେତେ କଣ ନ କରିଛି ? କୁକୁର ମୁହଁରୁ ଆହାର ଛଡ଼ାଇ ଖାଇଛି ମଣିଷ । ଅତି ଅଭାବରେ ବାଟରେ ଘାଟରେ ପଡ଼ି ମରିଛି; କିନ୍ତୁ ଦୁନିଆଁ ଲୋକଙ୍କୁ ଦେଖେଇ ସମାଜ ଆଗରେ ଅଛୁଆଁ ବାଉରି ଘରେ ଆଶ୍ରା ନେଇ ନାହିଁ ।

 

ଭଳମନ୍ଦ ଭାବି ସ୍ଥିର କରିବା ଭଳି ଅବସ୍ଥା ତାର ନ ଥିଲା । ପୁନି ଯାହା କରିଥାଉ, ଲୋକେ ଯାହା କୁହନ୍ତୁ, ତାକୁ ଥରେ ଦେଖିବାକୁ ସନେଇଁର ପ୍ରାଣ ଛଟପଟ ହେଲା । ସେ ଯିବ । ନିଜ ଆଖିରେ ଭଲମନ୍ଦ ଦେଖି ଆସିବ, ଯଦି ସମ୍ଭବ ହୁଏ, ପୁନିକୁ ବାଉରି ଘରୁ ଉଦ୍ଧାର କରି ଆଣିବ-

 

ବନ୍ଧ ଉପରୁ ଗଡ଼ିଯାଇଛି ଚଲାବାଟ ଓସ୍ତଗଛ ତଳେ । ଡାକେବାଟ କଣ୍ଡିଆ । ତା ପରେ ନଈକୂଳ, ବାଲି, ପାଣିଧାର । ଗାଁ ଲୋକେ ସେଇଠି ଗାଧୁଆନ୍ତି ।

 

ପୁଷମାସ, ହେମାଳିଆ ସକାଳ, ନଈର କଣ୍ଡିଆରେ କୋଳଥ ଓ ବିରି ଲଟା ମାଡ଼ି ଆଖି ପାଉନାହିଁ, ଗୋଟିଏ ସାବୁଜା ଗାଲିଚା ପାରିଦେଲା ପରି ଦିଶୁଛି । ରାତିର କାକର ଉପରେ ତେରଛା କିରଣ ଚକ୍‌ଚକ୍ ଦେଖାଯାଉଛି । ଗାଁ ଲୋକଙ୍କର ଖରା ପୁହିଁବାର ବେଳ ହେଲାଣି, କିନ୍ତୁ ସେତବେଳଯାଏ ଲୋକବନ୍ଧ ଉପରକୁ ଆସିନାହାନ୍ତି । ଘର ଘର ହୋଇ ମେଲେରିଆ ଜ୍ୱରରେ ଲୋକ ପଡ଼ିଛନ୍ତି । ବେଳେବେଳେ ଜଣେଅଧେ ମଧ୍ୟ ମରୁଛନ୍ତି । ଗାଁ ବଇଦର ପାଞ୍ଚଣପାଣି କିଛି କାଟୁ ନାହିଁ । ବାଆକୁ ବତା, ଘର ଲୋକଙ୍କ ମନରେ ଶାନ୍ତି, ଚିକିତ୍ସା ହୋଇଛି । ଭଳମନ୍ଦ ବେଳକୁ ଠାକୁରଙ୍କ ଉପରେ ଦାୟିତ୍ୱ ଲଦିଦେଇ ଲୋକେ ନିଶ୍ଚିନ୍ତ ।

 

ଆଜି ବଉଳ ଅମାବାସ୍ୟା, ଆମ୍ବଗଛରେ ନୂଆ ବଉଳର ଉଦ୍‍ଗମ । ସ୍ଵର୍ଗରେ ଆମ୍ବ ନାହିଁ ବୋଲି ଦେବତାମାନେ ଛପି ଛପି ଏ ପୁରକୁ ଓହ୍ଲାଇ ଆସନ୍ତି ଆମ୍ବ ବଉଳର ଗନ୍ଧ ଲୋଭରେ । ସେଥିପାଇଁ ଘରେ ଘରେ ହୁଏ ବଉଳର ପୂଜା, ଗଇଁଠା, ମଣ୍ଡା, ଆଉ ପିଠା । ଗାଁ ମାଇପେ ଦଳଦଳ ହୋଇ ନଈକୁ ଯାଆନ୍ତି ଗାଧୋଇ । ସୂର୍ଯ୍ୟ ଉଠିବା ଆଗରୁ ଫେରନ୍ତି ।

 

ଫେରିଲେ ଯେଉଁମାନେ, ସନିଆଁ ଆଡ଼କୁ ବଙ୍କେଇ ଚାହିଁ ନିଜ ରାହା ଧରି ଚାଲିଗଲେ । ସମସ୍ତଙ୍କୁ ସେ ଚିହ୍ନେ । ଗାଁ ପୁଅ ସମସ୍ତେ ତାକୁ ଜାଣନ୍ତି । କେହି ପଦେ ପଚାରିଲେ ନାହିଁ । ସତେ କି ସେ ନାହିଁ । ସନିଆଁ କାହାକୁ ପାଟି ଫିଟାଇଲା ନାହିଁ । ନିଜ ଭାବନାରେ ସେ ବୁଡ଼ି ରହିଲା ।

 

ନଈ ଭିତରୁ କଣ୍ଡିଆ ଉପରକୁ ଉଠିଲା ଧୋବୀ । ବାମ ଓଝାର ଝିଅ ଟିମି ଚାଲିଛି ତାର ସଙ୍ଗେ ସଙ୍ଗେ । ସାବୁଜା ଲଟାକୁ ଦୁଇ ଭାଗ କରି ହସି ହସି ସାଙ୍ଗ ଦିହେଁ ଚାଲି ଚାଲି ଆସିଲେ ବନ୍ଧ ଉପରକୁ । ରୂପର ଢେଉ ସତେକି ଖେଳିଯାଉଥାଏ ନିର୍ଜନ ସାବୁଜା କ୍ଷେତ ଉପରେ । ହସର ଲହରୀରେ ଢେଉ ଉଠୁଥାଏ ନୀରବତାର ମଝିରେ ।

 

ସନିଆଁର ଭାବନା ଭାଙ୍ଗିଲା । ଆଖି ଆଗରେ ଠିଆହେଲା ସ୍ଵପ୍ନ । ରାତିର କଥା। ଧୋବୀ, ଯାହା ପାଇଁ ଆଜି ସେ ବଞ୍ଚିଛି । ଯାହାପାଇଁ ବଞ୍ଚିବାର ମାୟା ଜାଗିଛି ତାର ମନରେ, ଯାହାର ଦୟା ତାର ଦେହ ମନ ଆବୋରି ରଖିଛି । ସନିଆଁର ଦରମଲା ଆଗ୍ରହ ମୁଣ୍ଡ ଟେକି ଉଠିଲା ।

 

ଧୋବୀ ମଧ୍ୟ ଯାଇପାରିଲା ନାହିଁ । ଗଛମୂଳରେ ଅଟକି ଠିଆହେଲା । ଟିମି ଧରିଲା ତାର ହାତ । ଆସୁନୁ ଧୋବୀ ଅପା, ସନିଆଁ ବାଉରିଟାକୁ କଣ ଚାହିଁ ଠିଆ ହୋଇଛୁ ? ଶୁଣିଲୁଣି–

 

ଧୋବୀ ତାର ତୁଣ୍ଡରେ ହାତ ଦେଇ କହିଲା, ଚୋପ୍ । ସବୁ ମୁ ଶୁଣିଛି । ପୁନି ରହିଲା ବାଉରି ଘରେ, ସେଥିକି ସନିଆଁ ଭାଇର କଣ ଥାଏ ? ପୁନି ସଙ୍ଗେ ନ ମିଶିଲେ, ଆଉ ପ୍ରାୟଶ୍ଚିତ୍ତ ହେଲେ ସେ ପୁଣି ଜାତିରେ ମିଶିବ ।

 

ସନିଆଁ ମୁଣ୍ଡ ଟେକି ଧୋବୀକୁ ଚାହିଁଲା । ଧୋବୀ ଜୀବନ ଉପରେ ଦୁଃଖ ନୌରାଶ୍ୟର ଯେଉଁ ଝଡ଼ ବୋହିଯାଇଛି ସେ କଥା ସେ ନିଧେଇ ସୋଇଁଙ୍କ ମୁହଁରୁ ଦିନେ ଶୁଣିଥିଲା । ଆଜି କିନ୍ତୁ ଧୋବୀ ଠିକ୍ ଅଭିଆଡ଼ୀ ଝିଅଟି ପରି ଦିଶୁଛି । ପିଲାଦିନେ, ବିଜୁଳି ପରି ଥିଲା ଯାହାର ଗତି, ମୁହୂର୍ତ୍ତକରେ ଚକ୍ରପରି ଭ୍ରମିଯାଉଥିଲା ଯାହାର ଆଖିଡ଼ୋଳା, ପାଖରେ ଥିଲେ ଧରିବାକୁ ହାତ ବଢ଼ାଇଲେ ତୀରପରି ଛୁଟି ପଳାଏ ଯେଉଁ ଧୋବୀ, ସଦା ଚଞ୍ଚଳ, ଅସ୍ଥିର, ଦୁଷ୍ଟ, ସେ ତାର ଯୌବନର ପୂର୍ଣ୍ଣଶୋଭା ଧରି ସକାଳର କଅଁଳ ଖରାରେ ଠିଆ ହୋଇଛି ଆଗରେ । ସେଦିନ ପରି ଆଜି ଆଉ ସେ ଜିଭ ଦେଖୋଇ ଖତେଇ ହେଉନାହିଁ କି ପାହାଡ଼ ଉପରରୁ ଗଡ଼ି ଆସୁଥିବା ଝରଣା ପରି ଚଞ୍ଚଳ ମୁଖର ହୋଇନାହିଁ ।

ଧୋବୀ, ଯାହାରି ପାଇଁ ଦିନେ ଚହଳି ଉଠିଥିଲା ସନିଆଁର ମନ, ନିଜେ ନ ବୁଝିପାରିଲେ ମଧ୍ୟ ଯାହାର ମାୟା, ଆଖିର ଲୁହ କାଙ୍ଗାଳ କଙ୍କାଳର ମନର କେଉଁ ଅନ୍ଧାରି ଅବୁଝା କନ୍ଦିରେ ଜାଳିଥିଲା ଜୀବନର ହୋମଶିଖା, ମରଣମୁହାଁ କଙ୍କାଳର ହାଡ଼ରେ ଜଗାଇଥିଲା ଶକ୍ତି, ଯେଉଁ ଧୋବୀର ଲିଭି ଲିଭି ଆସିୁଥିବା ସ୍ମତି, ଯାହାର ଆଦରଯତ୍ନ, କଅଁଳ କଥା, ଅମୃତସ୍ପର୍ଶରେ ମରଣର ନିମନ୍ତ୍ରଣକୁ ଉପେକ୍ଷା କରି ବଞ୍ଚିବାକୁ ଆକୁଳ ହୋଇ ଉଠିଲା ସନିଆଁ, ସେହି ଧୋବୀ ଓଦାଲୁଗା ପିନ୍ଧି ଠିଆ ହୋଇଛି ତା’ରି ଆଗରେ ।

ସୁନ୍ଦର, ଉଜ୍ଜ୍ୱଳ ଆଖିଡ଼ୋଳାରେ ଭରି ରହିଛି ଗାମ୍ଭୀର୍ଯ୍ୟ, ଛଳଛଳ ଦୃଷ୍ଟିରେ ଆଗ୍ରହ, କରୁଣାର ଆଭା । ପୂରିଲା ପୂରିଲା ଗାଲ, ନାଲି କଇଁର ପାଖୁଡ଼ା ପରି ଓଠ ଦି’ଫାଳରେ ଜାଣିହେଉ ନାହିଁ ମୃଦୁ କମ୍ପନ । ଯୌବନ ପର୍ବତ ଉଠିଲା ଉଠିଲା ଛାତିର ଲୁଗା ଥରି ଥରି ଉଠୁଛି । ଅଚଞ୍ଚଳ ଅନାବୃତ ସୁଗୋଲ ହାତ ଦିଓଟା ।

କ୍ଷଣକ ପାଇଁ ସନେଇଁ ନିଜକୁ ଭୁଲିଗଲା ।

ଧୋବୀ ମୁହଁ ଖୋଲିଲା, କେମିତି ଅଛୁରେ ସନିଆଁ ଭାଇ ?

ସନିଆଁ ଉତ୍ତର ଦେଲା, ପରର ଯାଚିଲା ଭାତ ଖାଇବାକୁ ବଞ୍ଚି ରହିଛିଲୋ ।

ଧୋବୀ କହିଲା, ପରର ନୁହେଁ, ତୋର ନିଜର । ଆଉ କଣ କହିବାକୁ ହେଉଥିଲା, ଟିମି ଆଡ଼କୁ ଦରହସିଲା ମୁହଁରେ ଚାହିଁ କଥା ବୁଲେଇ କହିଲା, ବେଶ୍‍ତ ଗୋଲଗାଲ ହୋଇ ଆସିଲୁଣି, ଏଥର ପରର ହାତକୁ ଚାହିଁ ରହିଚୁ କାହିଁକି ? ନିଜେ ହାତ ହଲେଇଲେ ତୋର ପେଟ ଅପୋଷା ରହିବ ନାହିଁ । ବାପା ଅଜାଙ୍କର ଘରଡ଼ିହ ଓ ବାରି ଅରମା ହୋଇ ପଡ଼ିଛି । ସବୁଦିନେ ସଞ୍ଜରେ ଶିବମନ୍ଦରରୁ ଫେରିବାବେଳେ ସେଇ ଅରମାଡ଼ିହ ଆଉ ଖଣ୍ଡିଆ କାନ୍ଥ ଆଡ଼କୁ ଚାହିଁ ଚାହିଁ ଆସେ, ଖରାପ ଲାଗେ । ସନିଆଁ ଭାଇ, ଗଛମୂଳେ ପର ଓଳିତଳେ ରାତିରେ ଶୋଉଛୁ କାହିଁକି ? ମଗାଯଚା କରି ଆମ୍ବ ଡିମିରି କରି ଚାଳି ଖଣ୍ଡେ ଉଠେଇ ଦେ, ସେଇଠି ରହ ।

 

ସନିଆଁ କହିଲା, ସେଇ ଖଣ୍ଡିଆ ଡିହକୁ ଚାହିଁଲେ କେମିତି ହତାଶିଆ ଲାଗୁଛି । ତା’ ଭିତରକୁ ଗୋଡ଼ ବଢ଼ାଇଲେ ଯେମିତି କିଏ ମାରି ଗୋଡ଼ାଉଛି । ମନ ହେଉଛି, ସବୁ ଛାଡ଼ି ଏକା ମୁହଁ ହୋଇ ଗାଁରୁ ପଳାଇବି ଯୁଆଡ଼କୁ ମନ ଟାଣିବ, ଗୋଡ଼ ଚାଲିବ । ଯେଉଁମାନଙ୍କୁ ନେଇ ଘର ସଂସାର ସେମାନେ କିଏ କେଉଁଠି ରହିଲେ ।

 

ଏତିକିବେଳେ ଟିମି ମୁହଁ ଖୋଲିଲା, କାହିଁକି ? ତୋ ଭଉଣୀ ପୁନି ଧୋବୀଅପାର କୋଠିଆ ବାଉରି ଟୋକାକୁ ବାହା ହୋଇ ଦୁର୍ଗାପୁରରେ ଅଛି । ସେମିତି ହାଉଲେ ହାଉଲେ ଆଉମାନଙ୍କର ଖବର ପାଇବୁ ଯେ ।

 

ସନିଆଁ କହିଲା, ଆଲୋ ଟିମି । ଏମିତି ହୁଏତ କେତେ ଖବର ପାଇବି । ତୋରି ଭଳି ଆଉ ପାଞ୍ଚଜଣ କାନ୍ଥକୁ ବାଡ଼କୁ ଦେଖେଇ ଥଟ୍ଟା ତାମସା କରିବେ, ଅପମାନ ଦେବେ । କାହାରି କଥାକୁ ମୋର ଛଳ ନାହିଁ । କାହାରି କଥାରେ ମୋର ରାଗ ଅଭିମାନ ନାହିଁ । ଭଗବାନ ଯାହାକୁ ବାମ, ଭଗବାନ ଯାହାକୁ ଦଣ୍ଡ ଦେଇଛନ୍ତି, ସେ କାହିଁକି ପରର ଦୋଷ ଦେବ ? ତା’ ପକ୍ଷରେ ଉଚିତ ହେଉଛି ଚିହ୍ନାଲୋକଙ୍କ ପାଖରୁ ଦୂରେଇ ଯିବା ।

 

ଧୋବୀ କହିଲା, ଚିହ୍ନାଲୋକ ଟାପରା କରନ୍ତୁ ପଛେ ତାଙ୍କରି ମନ ତୁଟିବ । କେହି ହେଲେ ଜଣେ ଆହା ବୋଲି କହିବ । ସନିଆଁ ଭାଇ ତୋ ବାଇଆ ବୁଦ୍ଧି ଛାଡ଼ । ପରିଡ଼ାକୁଳ ଲୋପ କରିବା ଠାକୁରଙ୍କର ଇଚ୍ଛା ନୁହେଁ । ସେଥିପାଇଁ ତୁ ଫେରି ଆସିଛୁ । ଗାଁ ମାଟିରେ ପଡ଼ିଥାଆରେ, ମୋ ବୋଲ କର ।

 

ସନିଆଁ ହସିଲା । ଧୋବୀର ତୋରା ମୁହଁକୁ ପିଇଲା ଆଖିରେ ଦଣ୍ଡେ ଚାହିଁ କହିଲା, ଗାଁ ମାଟିରେ ଅଛୁଆଁ ଅଛବ ହୋଇ ପଡ଼ିରହିବି ? ଯେଉଁମାନଙ୍କୁ ଛୁଇଁଲେ ଦିନେ ମୁଁ ଛୁଆଁ ହେଉଥିଲି, ସେମାନେ ମୋତେ ଛୁଇଁଲେ ଛୁଆଁ ହେବେ ? କେମିତି ପ୍ରାଣଧରି ସହିବି ଧୋବୀ ? ପର ଗାଁରେ ଅଜଣା ଥାନରେ, ଅଚିହ୍ନା ଲୋକଙ୍କ ମଝିରେ ରହି ନିଜକୁ ପାଣହାଡ଼ି ବୋଲି ପରିଚୟ ଦେଲେ କିଛି କ୍ଷତି ନାହିଁ । ବଞ୍ଚିବାର କଥା ବଞ୍ଚିବି ।

 

ଘୃଣାରେ ଫୁଲି ଉଠିଲା ଧୋବୀର ନାକପୁଡ଼ା । ଟିମି ଆଡ଼କୁ ମୁହଁ ଫେରାଇ କହିଲା, ଚାଲଲୋ, ଯାହାକୁ ବୁଦ୍ଧି ଦିଶିବ ସେ କରିବ, ଆମର କି ଥାଏ ?

 

ଦିହେଁ ଚାଲିଗଲେ । ଥରେ ହୋଇ କେହି ମୁହଁ ବୁଲାଇ ଚାହିଁଲେ ନାହିଁ; କିନ୍ତୁ ସନିଆଁ ଧୋବୀର ଗଲା-ଦୋହଲା–ଦେହକୁ ଚାହିଁ ରହିଥିଲା ବନ୍ଧ ଆରପାଖ ଛପିଯିବା ଯାଏ ।

 

ଦୁର୍ଗାପୁରରେ ନିତେଇ ନାଏକଙ୍କର ଘର । ଏତେବଡ଼ ଘର, ଖାଁ-ଖାଁ ଲାଗୁଛି । ଜିତେଇ ନାଏକ ଓ ନିତେଇ ନାଏକଙ୍କର ମରଣ ପରେ ଯେତେବଳେ ଚିନ୍ତେଇ ସୋଇଁ ବିଧବା ଝିଅ ଧୋବୀକୁ ନିଜ ଘରକୁ ନେଇଗଲେ, ନାଏକଙ୍କର ଘର ଘରେ ତାଲାପଡ଼ିଲା । ଅମାରରେ ଧାନକୁ ଜଗିବା ପାଇଁ ବିଷ୍ଣୁପୁରରୁ ଲୋକ ଆସିଲେ । ଅନ୍ନଛତ୍ର ମଧ୍ୟ ବନ୍ଦ ହେଲା । ଗାଡ଼ି ଗାଡ଼ି ହୋଇ ଧାନ ବିଷ୍ଣୁପୁର ସୋଇଁଙ୍କ ଅମାରକୁ ବୁହା ଲାଗିଲା । କାଙ୍ଗାଳମାନେ ହତାଶ ହୋଇ ଯିଏ ଯୁଆଡ଼େ ପ୍ରାଣ ବିକଳରେ ପଳାଇଲେ । ଯେଉଁମାନଙ୍କର ଯିବାର ଶକ୍ତି ନ ଥିଲା, ସେମାନେ ବାଟରେ ଘାଟରେ ପଡ଼ିମଲେ ।

 

ଜିତେଇ ନାଏକ ବଞ୍ଚିଥିବା ଯାଏ ଦୁର୍ଗାପୁରରୁ ଜଣକୁ ହେଲେ ଗାଁ ଛାଡ଼ିବାକୁ ଦେଇ ନ ଥିଲେ । ଲୋକ ଲଜ୍ଜାକୁ ଡରି କାଳେ କିଏ ମାଗିବାକୁ ଆସିବ ନାହିଁ, ସେହି ଚିନ୍ତାରେ ସେ ନିଜେ ଘରଘର ବୁଲି ଲୋକଙ୍କର ହାନିଲାଭ ବୁଝିଥିଲେ । ମାଗିବା ଆଗରୁ ସେ ନିଜେ ନେଇ ଧାନ ଚାଉଳ ଦେଇ ଆସୁଥିଲେ । ଭାବୁଥିଲେ, ପ୍ରଥମରୁ ଲୋଭ ଛାଡ଼ି ସେ ଯଦି ଏଇଆ କରିଥାନ୍ତେ, ହତାଶ ହୋଇ ଗାଁରୁ ଅଧେ ଲୋକ ଛତରରେ ପଶି ନ ଥାନ୍ତେ । ବଡ଼ ଡେରିରେ ତାଙ୍କ ମୋହ ଭାଙ୍ଗିଲା । ସେ ବୁଝିଲେ, ଧାନଚାଉଳ ଯଦି ସେ ସଞ୍ଚି ରଖି, ଲୋକଙ୍କୁ ନ ଦେଇ ସମ୍ପତ୍ତି ବଢ଼େଇବାର ପଣ କରନ୍ତି, ତେବେ ଗାଁରେ ଆଉ କେହି ରହିବେ ନାହିଁ । ପୂର୍ବପୁରୁଷଙ୍କର କଲ୍ୟାଣରୁ ସେ ଏତେ ସମ୍ପତ୍ତିର ମାଲିକ ହୋଇଛନ୍ତି, ଏତେ ଧାନ ପାଖରେ ଜମାଇ ରଖିଛନ୍ତି ବୋଲି ଗାଁ ଲାକଙ୍କୁ ଡହଳ ବିକଳ କରି ମାରିବେ ନାହିଁ ।

 

ପୁଅକୁ ବାହା କରି, ଲକ୍ଷ୍ମୀପ୍ରତିମା ବୋହୂ ଘରକୁ ଆଣି ତାଙ୍କର ଦୁଇ ହାତ ଖୋଲିଯାଇଥିଲା । ଲୋକେ ଧନ୍ୟ ଧନ୍ୟ କହିଲେ । ପ୍ରଶଂସା କଲେ । ଯେତେ ଦେଲେ ସୁଦ୍ଧା ଲକ୍ଷ୍ମୀଭଣ୍ଡାର ସରିଲା ନାହିଁ । ଯେତେବଳେ ନାଏକ ବଂଶର ସର୍ବନାସ ହେଲା, ଆଉ ଗାଁ ଲୋକଙ୍କ ଆପତ୍ତି ଅଭିଯାଗ ନ ଶୁଣି ବିଷ୍ଣୁ ପୁରକୁ ଧାନ ବୁହା ଲାଗିଲା, ପର ଗାଁର କାଙ୍ଗାଳଙ୍କ ସଙ୍ଗେ ଦୁର୍ଗାପୁରର ଲୋକେ ମଧ୍ୟ ଛତରକୁ ବାହାରି ପଡ଼ିଲେ, ଆଉ ଉପାୟ କଣ ଅଛି । କ୍ଷମତାପନ୍ନ କାରପଟଦାର ଓ ତହସିଲଦାର ହରି ମାହାନ୍ତିଏ ସାକ୍ଷାତ୍‍ ଯମ । ମୁଣ୍ଡରେ ଚୁଟି, ବେକରେ ଘାଗଡ଼ା ତୁଳସୀ ମାଳି ଓ କପାଳରେ ଚନ୍ଦନଚିତା ଥିଲେ ମଧ୍ୟ ସେ ତଟିବାର ଲୋକ ନୁହନ୍ତି । ଦୁର୍ଗାପୁରର ଭୋକିଲା ଲୋକେ ଯେତେବେଳେ କରପତ୍ର ଯୋଡ଼ି ତାଙ୍କ ଆଗରେ ଠିଆ ହୁଅନ୍ତି, ସେ କଅଁଳେଇ କୁହନ୍ତି, ଆରେ ବାପ, ମୁଁ କଣ କରିବି, ମୋର କି ଚାରା ଅଛି ? ଚାକର ଲୋକ ମୁଁ, ବିଧବାର ଲୁଣ ଖାଉଛି, କେମିତି କାହାକୁ ଦେବି ? ଚିନ୍ତେଇ ସୋଇଁଙ୍କ ପାଖକୁ ତମେ ଯାଅ ।

 

ଲୋକେ ଚିନ୍ତେଇ ସୋଇଁଙ୍କ ପାଖକୁ ଯାଇ ଠିକ୍ ଏମିତି ଚିକ୍କଣ କଥା ଶୁଣି ଫେରିଥିଲେ-। ନାଏକ ବଂଶର ସେ ଥିଲେ ଲକ୍ଷ୍ମୀ ସେ ବିଛଣାରୁ ଉଠୁ ନାହାନ୍ତି, ଦୁଃଖ ଜଣାଣ କରିବେ କାହା ପାଖରେ ? ହତାଶ ହୋଇ ଫେରିଲେ ।

 

ହରି ମାହାନ୍ତିଏ ସେଇଠି ତାଙ୍କର ଦୟାର ମୁଣି ଝାଡ଼ିଦେଲେ । ଲୋକଙ୍କର ଦୁଃଖ ସହି ନ ପାରି, ଗୋପନରେ ଗଚ୍ଛିତ ଧାନର କେତେ ଅଂଶ ମହତ ଥିଲା ଲୋକଙ୍କୁ ଦେଲେ । ଜମିବାଡ଼ି, ଘରଡ଼ିହ ବନ୍ଧା ରଖି, ଅବା ଖରିଦ କରି, କିଛି ନ ହେଲାବେଳକୁ ସାଦାକାଗଜରେ ଟିପ ଚିହ୍ନ ନେଇ, ମାଛ ଦରରେ ପରର ଜମି ଖରିଦ କଲେ, ବିଧବାର ଧନ ଭୋକିଲାଙ୍କର ତୁଣ୍ଡରେ ଦେଇ ଧର୍ମ ଅର୍ଜିଲେ ।

 

ଧୋବୀ ସମ୍ପତ୍ତି ବାଡ଼ିର ଖବର କିଛି ଜାଣେ ନାହିଁ । ସେ ବିଷୟରେ କେବେ ସେ ଭାବେ ନାହିଁ । ବେଳେବେଳେ ହରି ମାହାନ୍ତିଏ କେତେ କଣ କାଗଜପତ୍ର ନେଇ ପାଖରେ ପହଞ୍ଚନ୍ତି । ଚିନ୍ତେଇ ସୋଇଁ ସେସବୁ ଦେଖାଶୁଣା କରି ଝିଅକୁ ଡକାଇ ପଠାନ୍ତି । ହରି ମାହାନ୍ତିଏ ଯେଉଁଠି ଆଙ୍ଗୁଠି ଦେଖାନ୍ତି, ଧୋବୀ ସେଇଠି ତାର ନାମ ଲେଖି ଚାଲିଆସେ । ସେ ଜାଣେ, କାଗଜରେ ଦସ୍ତଖତ କଲେ ଜମି ଜମିଦାରୀ ଚଳେ । ଚଳୁ ନ ଚଳୁ ତାର ସେଥିରେ ଥାଏ କଣ ? କିଏ ଭୋଗ କରିବ ସେ ସମ୍ପତ୍ତି ? ତାକୁ ମୁଠାଏ ଖାଇବାକୁ ମିଳିଲେ ହେଲା, ନିଅଂଶୀ ସମ୍ପତ୍ତି ରହୁ ଅବା ପୋଡ଼ି ଜଳିଯାଉ । ଯେଉଁମାନେ ଏତେ ସମ୍ପତ୍ତି ଭେଇଥିଲେ, ଯେଉଁମାନେ ସେ ସମ୍ପତ୍ତିକୁ ମୋର ମୋର କହି ଭୋଗ କରିବାକୁ ଆଣ୍ଟ ବାନ୍ଧିଥିଲେ, ସେମାନେ ଆଜି ନାହନ୍ତି । ଆଉ ଯେଉଁମାନେ ମୋର ହୋଇ ଲହୁ ଶୋଷି ଶୋଷି ଜାଲ ଜାଲିଆତି ଫିସାଦି କରି ସମ୍ପତ୍ତି ଭେଉଛନ୍ତି, ଦୁଇଦିନ ପାଇଁ ଛାତି ଫୁଲାଇ ଚାଲୁଛନ୍ତି, ସେମାନେ କାଲି କେଉଁଠି ରହିବେ ? ଧୋବୀକୁ ହସ ମାଡ଼େ ।

 

ହରି ମାହାନ୍ତିଙ୍କ ଉପରେ ସୋଇଁଙ୍କର ପ୍ରଗାଢ଼ ବିଶ୍ଵାସ । ତାଙ୍କର ଧାରଣା, ମାହାନ୍ତିଏ ସଚ୍ଚୋଟ ଲୋକ, ସତଛଡ଼ା ମିଛକୁ ଯିବେ ନାହିଁ । ଅନ୍ୟାୟର ପାଖରେ ପଶିବେ ନାହିଁ । କାଗଜପତ୍ର ସବୁବେଳେ ଦୋରସ୍ତ । ଚିନ୍ତେଇଁ ସୋଇଁ ସେହି ବିଶ୍ଵାସରେ ନିଶ୍ଚିନ୍ତ ରହନ୍ତି । ହରି ମାହାନ୍ତିଙ୍କ କାଗଜପତ୍ରକୁ ଓଲଟାଇବାକୁ ତାଙ୍କୁ ସରମ ଲାଗେ, ସଂକୋଚ ଲାଗେ । ଚିନ୍ତେଇ କେବେ ଦୁର୍ଗାପୁରକୁ ଗଲେ ଦିନେ ଓଳିଏ ରହି ଚାଲି ଆସନ୍ତି । ସବୁକାମ ଶୃଙ୍ଖଳାରେ ଚାଲିଛି । ଚାକର, କୋଠିଆ, ଗାଈ ବଳଦ, ବାରିବଗିଚା ସବୁ । ସେ ଖୁସି ହୋଇ ଫେରନ୍ତି ।

 

କାମ ବଳେଇବାରୁ ହରି ମାହାନ୍ତି ନିଜର ଭଣଜା ନଦିଆକୁ ଆଣି ପାଖରେ ରଖିଛନ୍ତି । ପନ୍ଦର ବର୍ଷର ସବଳ ଟୋକା ସେ, ମାମୁଁଙ୍କଠୁ ଆହୁରି ବୁଦ୍ଧିଆ, ଆହୁରି ଫିସାଦିଆ ପଡ଼ିବ । ବର୍ତ୍ତମାନ ତାଲିମ ହେଉଛି, ଶିକ୍ଷାନବିସ । ମାହାନ୍ତିଏ ତା’ ଉପରେ ଖୁସି ।

 

ଯେତେବେଳେ ଗାଁ ଲୋକେ ଜଣ ଜଣ ହୋଇ ହାଡ଼ କେଇଖଣ୍ଡି ନେଇ ଦୁର୍ଗାପୁରକୁ ଫେରି ଆସିଲେ । ଆତ୍ମୀୟସ୍ଵଜନ ହରାଇ, ଗାଁ ମାଟିର ଲୋଭ ଛାଡ଼ି ପାରିଲେ ନାହିଁ । ହରି ମାହାନ୍ତି ତାଙ୍କର ବୁଦ୍ଧିର ଜାଲ ଖେଳାଇ ଦେଲେ । ଫେରିଲା କାଙ୍ଗାଳର ଅବଶିଷ୍ଟ ଯାହା କିଛି ସମ୍ପତ୍ତି ଥିଲା, ସେତକ ଲେଖେଇ ନେଇ, ପିଠିରେ ହାତ ଆଉଁସି କାଙ୍ଗାଳକକୁ ବଞ୍ଚିବା ପାଇଁ ସେ ଖାଦ୍ୟ ଯୋଗାଇଲେ । କାଙ୍ଗାଳ ଯେତେବେଳେ ପ୍ରାଣ ପାଇ ମଣିଷ ରୂପରେ ଠିଆହେଲା, ସେ ଦେଖିଲା ତାର ସର୍ବସ୍ଵ ଯାଇଛି । ମୁଣ୍ଡ ଗୁଞ୍ଜିବାକୁ ଛପର ନାହିଁ, କି ବିଲମାଟି ହିଡ଼ରେ ନଦି ପେଟ ପୋଷିବାକୁ ଜମି ନାହିଁ । ସଂସାର ତାକୁ ଦିଶିଲା ଶୂନ୍ୟ ।

 

କଣ କରିବ ? ଯେଉଁ ଜମି ହରି ମାହାନ୍ତିକୁ ଲେଖିଦେଇଛି, ଜୀବନ ଥାଉଣୁ ତାକୁ ଫରାଇ ଆଣି ପାରିବ ନାହିଁ । କାଗଜର ମହତ୍ତ୍ଵ ରଖିବାକୁ ଶକ୍ତିଶାଳୀ ଆଇନ୍‍ ଆଖି ତରାଟି, ଠେଙ୍ଗା ଧରି ବସିଛି । ନିଜେ ଠେଙ୍ଗା ଟେକିଲେ ନିଜେ ମୁଣ୍ଡରେ ପଡ଼ିବ ସନା ।

 

ହରି ମାହାନ୍ତିଙ୍କ କୋଠିଆ ମୂଲିଆ ହୋଇ ନିଜ ଜମିରେ ନିଜେ ମୂଲଲାଗି କେହି କେହି ଚଳିଲେ । ଯେଉଁମାନେ ଚାରି ଦଉଡ଼ି କଟା, ଯେଉଁମାନଙ୍କର ଆତ୍ମସମ୍ମାନ ଅଛି, ସେମାନେ ଗାଁ ଠାକୁରଙ୍କୁ ଶେଷ ନମସ୍କାର କରି ଯୁଆଡ଼କୁ ମନ ଟାଣିଲା ଚାଲିଲେ । ଗାଁ ମାଟିର ମାୟା, ଗାଁ ଲୋକଙ୍କର ମମତା ଚିରଦିନ ପାଇଁ କାଟିଦେଲେ ।

 

ଯେଉଁମାନେ ମୂଲିଆ କୋଠିଆ ହୋଇ ପେଟ ପୋଷିବାକୁ ରହିଲେ, ସେମାନଙ୍କର ପରିତ୍ରାଣ କାହିଁ ? ସନେଇଁ ପରିଡ଼ା ପରି ସେମାନେ ହେଲେ ଅଛୁଆଁ, ଅଜାତି, ପତିତ । ଜମିଦାରଙ୍କୁ କର ଦେବାକୁ ସିନା ତାଙ୍କୁ ପଡ଼ିଲା ନାହିଁ, ଏ ଜୀବନରେ ଜମିବାଡ଼ିର ଯିଏ ମାଲିକ, କିନ୍ତୁ ଦେହର ମାଲିକ ଯେଉଁ ପୁରୋହିତ, ଜୀବନର ସେପାରିକୁ ଆତ୍ମାର ବାଟ ଯେଉଁ ବ୍ରାହ୍ମଣ ଫିଟାନ୍ତି, ସ୍ଵର୍ଗ କି ନରକର ସିଢ଼ି ରହିଛି ଯାହାଙ୍କ ହାତରେ, ଭଗବାନଙ୍କର ଧର୍ମ କଲ୍ୟାଣ ଗନ୍ତାଘରର ଚାବି ଯାହାଙ୍କ ପାଖରେ, ଯୁଗ ଯୁଗ ଧରି ଆତ୍ମାର ଉନ୍ନତି ପାଇଁ ଯେଉଁ ଆଇନ୍‍ ଗଢ଼ା ହୋଇଛି, ସେ ସବୁକୁ ବ୍ୟବହାର କରିବାର ଅଧିକାର ଯାହାର ହାତରେ ଅଛି, ବିନା କରରେ ତାଙ୍କ ମନ ତଟିଲା ନାହିଁ, ଆଇନ୍‍ ଖୋଲିଲା ନାହିଁ ।

 

ଯେଉଁମାନେ ଅଛୁଆଁ ଅଜାତି ହୋଇ ରହିଲେ, ସେମାନଙ୍କର ସମ୍ବଳ ନାହିଁ । ବ୍ରାହ୍ମଣର ଶାଗପଟାଳି, ମଣିଷର ହାତଗଢ଼ା ମାଟି ପଥରର ଦେବତା ଆଗରେ ଭୋଗ ଲଗାଇ ପାରିବେ, ବ୍ରାହ୍ମଣଭୋଜନୀ ଓ ଦକ୍ଷିଣାର ବ୍ୟବସ୍ଥା କରି କାୟା ଶୁଦ୍ଧି କରିବେ, କଳଙ୍କି-ଲଗା ଆତ୍ମାରୁ କଳଙ୍କ ଧୋଇ ପାରିବେ । ଭବିଷ୍ୟତରେ ଏସବୁ କରିବା ବାସନାରେ ଅଜାତି ମୂଲିଆ ମାଟି ତାଡ଼ିଲା । ଦେହରୁ ପୋଷ ପୋଷ ଝାଳ ନିଗାଡ଼ି ଦେଲା ମାଟି ଉପରେ । ପେଟକୁ ଖେଣ୍ଟି ଧନ ସଞ୍ଚିବାରେ ମନ ଦେଲା ।

 

ଯେଉଁ ଫେରନ୍ତା-କାଙ୍ଗାଳ ମୂଲ ଲାଗି ପେଟ ପୋଷିଲା, ରକ୍ତ ନିଗାଡ଼ି ତଇଲା ତାଡ଼ି ପଥର ଭାଙ୍ଗି ଜମି କରିଥିଲା ଯିଏ, ସେ ପୁଣି ରକ୍ତ ନିଗାଡ଼ିଲା ସେହି ଜମି ଉପରେ ପର ପାଇଁ, ବେଶି ଧନ ଅଳ୍ପ ଧନକୁ ପାଖକୁ ଓଟାରି ନେଲା । ବେଶୀ ଜମିର ଆକର୍ଷଣରେ ଅଳ୍ପ ଜମି ଟାଣି ଟାଣି ହୋଇ ଲାଗିଗଲା ତା ଦେହରେ ମିଶି ଏକାକାର ହେଲା, ଝରଣାର ପାଣି ଟାଣି ହୋଇ ଆସେ ଯେପରି ନଦୀ ଆଡ଼କୁ; ଆଉ ନଦୀ ଅସ୍ତବ୍ୟସ୍ତ ହୋଇ, ଲଙ୍ଗଳା ମୁକୁଳା ହୋଇ ଧାଏଁ ଦରିଆକୁ ।

 

ମୂଲିଆ ହେଉ, ଅଜାତି ଅଛୁଆଁ ହେଉ, ଭିତରର ନିଆଁ ତ ଲିଭିଲା ନାହିଁ, ମଣିଷ ମାଂସର ଲୋଭ ତ କମିଲା ନାହିଁ, ବରଂ ବଢ଼ିଲା । ସୃଜନୀଶକ୍ତି ଦେଲା ଇଙ୍ଗିତ । ଶୃଙ୍ଖଳା ନାହିଁ ସମାଜର ଯେତେବେଳେ, ଧର୍ମ-ସମାଜ ଛଡ଼ା ସ୍ତ୍ରୀ ପୁରୁଷ ଏକାଠି ହେଲେ ମିଳନର ଆକାଂକ୍ଷା ବଢ଼ିଲା । ସୃଜନ-ପ୍ରେରଣାରେ ହାତଗଢ଼ା ଠାକୁର, ମନଗଢ଼ା ଧର୍ମର ନୀତିଶିକ୍ଷା ପଛେଇ ରହିଲେ । ଯାହାର ଯେଉଁଠି ମନ ମିଳିଲା, ସେ ରହିଲା ତାହାରି ପାଖରେ । ଦରମଲା ସମାଜ ପାଟିକରି ଉଠିଲା, ଅଜାତି, ଅଛୁଆଁ, ପତିତ, ଛତରଖିଆ ।

 

ପୁନିର ଜୀବନରେ, ତାହାହିଁ ଘଟିଛି ।

 

କେତେ ଦୁଃଖ ଅଙ୍ଗେ ନିଭେଇ, ଆପଣାର ଲାକଙ୍କ ପାଖରୁ ଅଲଗା ହୋଇ ଜୀବନକୁ ସେ ବଞ୍ଚାଇ ରଖିଲା । ଦୁର୍ଭିକ୍ଷ ପରେ କେତେ ଆଶା କରି ଭିକ ମାଗି ପେଟ ପୋଷି ଜନ୍ମମାଟିର ମାୟାରେ ଗୋଡ଼ ଫେରାଇଲା । କେତେ ଲୋକଙ୍କ ଘରେ ଆଶ୍ରା ନେଇଛି, ପୁଣି ମାଟିର ମାୟାରେ ଛପି ଛପି ଚାଲି ଆସିଛି । କଅଁଳ ଯୌବନର ଅମାନିଆ ଉତ୍ତେଜନାକୁ ଆୟତ୍ତ କରି ନ ପାରି କେତେ ଅପରିଚିତ ମାଟିର ମଣିଷଙ୍କ ଉପରକୁ ମୁହୁର୍ତ୍ତକ ପାଇଁ ଆଉଜି ପଡ଼ିଛି, ପୁଣି ଚାଲିଛି ଆଗକୁ-। ବାଟ କଡ଼ର ବନ୍ଧୁ ତାକୁ ଅଟକାଇ ରଖି ପାରିନାହିଁ । କ୍ଷଣକର ଆନନ୍ଦରେ ଗାଁ ମାଟିର ମମତା ସେ ଭୁଲିପାରିନାହିଁ । ଚାଲିଛି ।

 

ଦୁର୍ଗାପୁରରେ–

 

ନାଏକଙ୍କର ଅନ୍ନଛତ୍ର ଅତିଥି ହେବାକୁ ସେ ଆହୁରି କେତେ କାଙ୍ଗାଳଙ୍କ ସଙ୍ଗରେ ଧାଇଁ ଆସିଥିଲା ଦୂର ବାଟରୁ । ଦୁର୍ଗାପୁରରେ ପହଞ୍ଚି ଦେଖିଲା, ନାଏକ ନାହାନ୍ତି, ଅନ୍ନଛତ୍ର ନାହିଁ । ଅନ୍ୟ କାଙ୍ଗାଳମାନେ ଯିଏ ଯୁଆଡ଼େ ଚାଲିଗଲେ । ପୁନି ଯାଇ ପାରିଲା ନାହିଁ । ବିଷ୍ଣୁପୁର ବାଟ ତିନିକୋଶ-। ନିଜ ଗାଁକୁ ଫେରିଯିବାକୁ ମନ କଲା, କାଳେ ସେମାନେ ଫେରିଥିବେ ।

 

ତାର ଆଶା ଫଳିଲା ନାହିଁ । ଦୁର୍ଗାପୁରରେ ତାକୁ ହେଲା ହଇଜା । ବାଟକଡ଼ ଅପନ୍ତରାରେ ମରଣର ଅପେକ୍ଷାରେ ପଡ଼ି ରହିଲା ଗଛତଳେ ।

 

ସେଦିନ ଝିପିଝିପି ବର୍ଷା ହେଉଥାଏ । ସଞ୍ଜବେଳକୁ ଭଲକରି ଅଶ୍ରାଏ ବର୍ଷା କୁଟି ଦେଇଗଲା । ପୁନି ସବୁ ସହିଲା ତାର ପୁଙ୍ଗୁଳା ଦେହରେ । ତଥାପି ତାର ମରଣ ହେଲା ନାହିଁ । ପେଟର ଯନ୍ତ୍ରଣାରେ ସେ ଛଟପଟ ହେଉଥାଏ । ଦୁଇ ମୁହଁ ଛୁଟିଥାଏ । କ୍ଷୀଣ ସ୍ଵରରେ ଡାକୁଥାଏ ପାଣି ଟୋପାଏ ପାଇଁ ।

 

ପଚିଶ ବର୍ଷର ଭେଣ୍ଡା ମଧୁ ଭୋଇ, ତାଳ ପତ୍ରର ଛତା ଧରି ହରି ମାହାନ୍ତି ତହସିଲଦାରଙ୍କ ହଜିଲା ଗାଈ ଅଡ଼େଇ ସେଇବାଟେ ସେ ଯାଉଥିଲା । ମଧୁଆ ହୁଣ୍ଡା ବୋଲି ଯାହାର ନାମ ଡାକ ଅଛି, ଚୋର ବୋଲି ଯାହାକୁ ଲୋକେ ପିଲାଦିନୁ ଜାଣନ୍ତି । ଦୁଇ ଦୁଇଥର ସଜା ଖଟି ଆସିଛି । ମଧୁଆ ରାତି ଅଧରେ, ଅନ୍ଧାର ରାତିରେ ସେ ନଡ଼ିଆ ଗଛରେ ଚଢ଼ି ନଡ଼ିଆ ଚୋରି କରି ଖାଏ, ସୋରଶବ୍ଦ କିଛି ହବ ନାହିଁ । ଦାନ୍ତରେ ଛିଡ଼ାଏ, କହୁଣିରେ ଭାଙ୍ଗେ ।

 

ଗାଁ ଗାଁକେ ଯେତେବେଳେ ଘୋଷରା ପଡ଼ିଥାଏ, ଲୋକେ ପଣାପାଣି ନେଇ ମଶାଣି ପାଖରେ ଥୋଇ ଦେଇ ଆସନ୍ତି, ମଧୁଆ ଛପି ଛପି ଆସି ପିଏ । ମୁହଁ ପୋଛି ହାକୁଟି ମାରି ହରିବୋଲ ଦେଇ ଚାଲେ । ମଧୁଆ ଦିନେ ଆମ୍ବଗଛର ଦୋକନ୍ଦିରେ ଘୁମେଇ ପଡ଼ିଥିଲା । ଏକ ଦନ୍ତା ଗେଧର ଚାପୁଡ଼ା ଖାଇ ବିଳିବିଳେଇ ଉଠିଲା । ଆଉଦିନେ, ଛପିଛପି ପଛରୁ ଯାଇ ବନ୍ଧତଳ ବୁଦା ପାଖରେ ପଛଆଡ଼ୁଆ କରି ଧରିଲା ତା ମୁଣ୍ଡରୁ । ଶୂନ୍ୟେ ଶୂନ୍ୟେ ଟେକି ଧାଇଁଲା ନଈ ପାଣିକୁ-। ପାଣିରେ ବୁଡ଼ାଏ ପୁଣି ଉଠାଏ, କହେ ଆଉଦିନେ, ଆଉଦିନେ ।

 

ହୁଣ୍ଡା ମଧୁଆ ସମ୍ବନ୍ଧରେ କେତେ ପ୍ରବାଦ ଅଛି । ନାଗସାପ ବେକକୁ ଧରେ, ମାରଣା ଷଣ୍ଢର ପିଠିରେ ବସେ, ଦି’ କୁଳଖିଆ ନଦୀ ଅକ୍ଲେଶରେ ପାରିହୁଏ । ଭୂତ ଧରି ଆଣିବାକୁ ଅଧରାତିରେ ମଶାଣିରେ ଜଗି ବସି ବସି ଶେଷକୁ ବାନ୍ଧିଆଣେ କଞ୍ଚାଡାଆଣୀ ଗନ୍ଧିଆ ପାଳର ଖନୀ, ବେଡ଼ି, ଜାଡ଼ି ବୁଢ଼ୀ ପିଉସୀକୁ, ରାତି ଅଧରେ ଯିଏ ପୋଖରୀଆଡ଼େ ଯାଇଥିଲା ।

 

ସେଇ ମଧୁଆର କାନରେ ପଡ଼ିଲା ପୁନିର କରୁଣ ଡାକ । ଗାଈ ଛାଡ଼ି ସେ ଗଛ ମୂଳକୁ ଆସିଲା । ଅନ୍ଧାର ହୋଇ ନ ଥାଏ । ମୁହୂର୍ତ୍ତେ ଚାହିଁଲା ପୁନିର ବିକଳ ବିକୃତ ମୁହଁକୁ ।

 

ମଧୁଆ ଭାବେ ନାହିଁ କୌଣସି ବିଷୟ, ଭାବି ସ୍ଥିର କରିବାକୁ ତାର ତର ସହେ ନାହିଁ । ମନ ଯାହା ବତାଏ ସେ କରେ, ଭଲ କଣ, ମନ୍ଦ କଣ ? ମଙ୍ଗୁଳୁ ଘୋଷ ଖଣ୍ଡଇତ ପିଲା । ବିଦେଇ ପୃଷ୍ଟିର କଦଳୀକାନ୍ଧି ଦେଖି ଲୋଭ ହୋଇଥିଲା । ସାତବରଷ ତଳର କଥା । ମଧୁଆକୁ ଡାକି କହିଲା, ଆଣିପାରିବୁ ରେ, ପେଟେ ଖେଚେଡ଼ି ଖୋଇବି । ବାହାଦୂରି ନେବାକୁ ମଧୁଆ ଗଲା । ଆଣୁ ଆଣୁ ଧରାପଡ଼ିଲା । ସଜା ପାଇ ପନ୍ଦର ଦିନ ଜେଲ ଘରେ ଘଣା ପେଲିଲା, ଆଉ ଖେଚେଡ଼ି ଖାଇଲା । ମଙ୍ଗୁଳୁ ମିଛ କହି ଖଲାସ । ଦିନ ଦି’ ପହରେ ଗାଁ ମଝିରେ ପାଞ୍ଚଜଣଙ୍କ ଆଗରେ ଘୋଷ ମୁଣ୍ଡରେ ଠେଙ୍ଗା କଚାଡ଼ିଲା । ଗଲା ପୁଣି ଦି’ ମାସ । ଘୋଷ ବାନ୍ଧିଲା ଛାମୁଡ଼ିଆ, ଶହେ ପାଞ୍ଚପା ଖରଚ ।

 

ପୁନି ଆକୁଳ ହୋଇ କହିଲା, ମନ୍ଦାଏ ପାଣି ଦିଅ–

 

ଚାରିଆଡ଼କୁ ଚାହିଁଲା ମଧୁଆ, କାହିଁରେ ପାଣି ଆଣିବ ? ଟିକିଏ ଦୂରରେ ପଡ଼ିଥିଲା ମଣିଷମୁଣ୍ଡର ଉପର ଫାଳକ । ସେଇଥିରେ ପାଖ ନାଳରୁ ପାଣି ଆଣି ପୁନି ପାଟିରେ ସେ ଦେଲା । ପୁନି ଢକ ଢକ କରି ପିଇଗଲା, ଉଠିବସିଲା, କୃତଜ୍ଞ ଆଖିରେ ମଧୁଆକୁ ଚାହିଁ ରହିଲା । କଣ ଯେପରି କହିବ କହିବ ହେଉଥାଏ ।

 

ମଧୁଆ ପଚାରିଲା, ଘର କେଉଁଠି ଲୋ ?

ପୁନି କହିଲା ବିଷ୍ଣୁପୁର ।

 

ମଧୁଆ କହିଲା, ହଇଜା ଧଇଲାଣି । ଏଥର ଆପେ ଆପେ ସେଇଠିକୁ ଚାଲିଯିବୁ ଯେ, ବସି ଥା ।

 

ମଧୁଆ ଚାଲି ଯାଉଥିଲା । ପୁନ ଉଠିବାକୁ ଚେଷ୍ଟା କଲା, ପୁଣି ବସି ପଡ଼ିଲା । କହିଲା, କାହାଘରେ ରାତିକ ରହନ୍ତି, ସକାଳୁ ଉଠି–

 

ମଧୁଆ ହସିଲା । କହିଲା ଯାହାଘରେ ରାତିକ ରହିବୁ ସକାଳୁ ତାକୁ ମଢ଼ କଢ଼େଇବୁ । ତା’ ଘରୁ ଦି’ ଜଣକୁ ସାଙ୍ଗରେ ନେଇଯିବୁ । ଆରେ, ବାଃ ରେ–

 

ମଧୁଆ ତୀକ୍ଷ୍‍ଣ ଆଖିରେ ଚାହିଁଲା ପୁନିକୁ । ଭଲ ଝିଅଟିଏ ତ । ବଞ୍ଚିବ ? ଅବସ୍ଥା ଖରାପ ହୋଇନାହିଁ । ଜିତେଇ ନାଏକ ଥିଲାବେଳେ ଏମିତିଆ କେତେ ରୋଗୀଙ୍କୁ ବଞ୍ଚେଇଛନ୍ତି । କାଳେ ତାର ଆଇସ ଥିବ ? ମନେପଡ଼ିଲା, ସାଆନ୍ତେ ଯେଉଁ ଓଷଦ ତାର ବୁଢ଼ୀମା’ ପାଇଁ ଦେଇଥିଲେ, ସେତିକି ଚାଳରେ ସେମିତି ଖୋସାହୋଇ ରହିଛି । କିରାସିନି ବୋତଲରେ ପୂର୍ଣ୍ଣ ହୋଇ ରହିଛି ମଦ । ଘରକୁ ନେଇ ଦି’ ପାନେ ଚଢ଼େଇ ଦେଲେ ହୁଅନ୍ତା । ବଞ୍ଚିଲେ ସେ ତାର ବାଟେ ବାଟେ ଯିବ । ଆଉ ଯଦି ମରେ ବା କ୍ଷତି କଣ ? ସକାଳୁ ଘୋଷାଡ଼ି ଆଣି ନଈ ବାଲିରେ ପକେଇ ଦେଇ ଆସିବ । ଗାଁ ବିଲୁଆ ଖାଇବେ ତ ।

 

ମନେପଡ଼ିଲା ଅଇରି ଗଉଡ଼ର କୁହୁକ କଥା । କୁଆଁରୀ ହାଡ଼ର କରାମତି । ହାଡ଼ ଖଣ୍ଡେ ଛୁଇଁଦେଲେ, କଳାଫୁଲ ଧଳା ହୁଏ, କଣ୍ଢେଇ ନାଚେ, ପତର କଥା କହେ, ମଣିଷ ଅନ୍ତର୍ଦ୍ଧାନ ହୁଏ, ଗୋଟିଏ ଟଙ୍କାରୁ ଟୋକେଇଏ ଟଙ୍କା ବାହାରେ, ଦେଖୁ ଦେଖୁ ଆମ୍ବ ଟାକୁଆ ଗଛ ହୁଏ, ଫଳେ, ପାଚେ । କୁଆଁରୀ ହାଡ଼ ଛୁଇଁଲେ, ଯା କହିଲେ ଯାଏ, ଆ କହିଲେ ଆସେ ।

 

କୁଆଁରୀ ହାଡ଼ ପାଇଁ କେତେ ମଶାଣି ସେ ରାତି ରାତି ଅନିଦ୍ରା ହୋଇ ବୁଲିଛି, ପାଇ ନାହିଁ, କାଳେ ସେ କୁଆଁରୀ ହୋଇଥିବ । ହାଡ଼ ଖଣ୍ଡେ ମିଳନ୍ତା ଯଦି, ମଧୁଆ ଆଉ ଚନ୍ଦ୍ର ସୂର୍ଯ୍ୟ ମାନନ୍ତା ନାହିଁ, ଫୁତ୍‌ କରି ଫୁଙ୍କି ସବୁ ଉଡ଼େଇ ଦିଅନ୍ତା ।

 

ମଧୁଆ ଶୁନ୍ୟେ ଶୁନ୍ୟେ ପୁନିକୁ ଟେକି ଆଣିଲା ।

 

ପୁନି ମଲା ନାହିଁ । ପୁନି ଭଲ ହେଲା । ମଧୁଆର କୁଆରୀ ହାଡ଼ ସ୍ଵପ୍ନ ଭାଙ୍ଗିଲା । ଗାଁ ଲୋକେ ଜାଣିଲେ, ମଧୁଆ ଗଛତଳୁ ଗୋଟେଇ ଟୋକୀଟିଏ ଆଣିଘରେ ରଖିଛି । ହରି ମାହାନ୍ତି ପଚାରିଲେ । ମଧୁଆ ମୁଣ୍ଡ କୁଣ୍ଡେଇ ସବୁ କହିଲା । ମାହାନ୍ତିଏ କହିଲେ, ଭଲ କାମ କଲୁରେ ମଧୁଆ । ଏଥର ତାକୁ କହ, ସେ ଚାଲିଯାଉ । ବାଉରିସାହିଆ ଗୁହାରି କରିଛନ୍ତି । ତୋ ଜାତି ଅଟକେଇ ଦେବେ ।

 

ସେଇ ରାତିରେ ମଧୁଆ କହିଲା ପୁନିକୁ, ଆଲୋ ହେ, ଚାଲିଯା ମୋ ଘରୁ, ବଖରାଏ ତ ଘର । ସେଇଥିରେ ମୁଁ ରହିବି । ତୁ ରହିବୁ କୋଉଠି ? ମରିଥିଲେ କାମକୁ ଆସିଥାନ୍ତୁ ।

 

ପୁନି ମଧୁଆର ମୁହଁକୁ ଅନେଇ ହସିଲା । ତୁନି ତୁନି କରି କହିଲା, ଖଣ୍ଡେଇତ ଘରର ଝିଅ ମୁଁ ବାଉରି ଘରେ ରହିଲି, ଖାଇଲି, ପିଇଲି, କୁଆଡ଼େ ଆଉ ଯିବି ? ତମରି ଗୋଡ଼ତଳେ କାନି ପାରି ଶୋଇବି ।

 

ମଧୁଆର ରାଗ ହେଲା । ପୁନିକୁ ଟାଣିଆଣି ନଙ୍ଗଳ କଣ୍ଟିଧରା ଲୁହା ହାତରେ ବ୍ରହ୍ମଚାପୁଡ଼ା ମାରିଲା । ବଦମାସ, ରହିବାକୁ ଖାଇବାକୁ କିଏ କହୁଥିଲା କି ? ବାହାର ମୋ ଘରୁ ।

 

ଥରି ଥରି ପୁନ ବସି ପଡ଼ିଲା । ମୁଣ୍ଡ ଘୁରି ଯାଉଥାଏ ।

 

ଥିରିଥିରି ଜଳୁଥାଏ ଡିବିର ଆଲୁଅ । କାନ୍ଥକଡ଼ ଚୁଲି ଭିତରେ ଜୁକୁଜୁକୁ ଦିଶୁଥାଏ ନିଆଁ । ଟେଙ୍ଗେରା ଉପରେ ହାଣ୍ଡି । ରୋଷେଇବାସ କରି ପୁନି ଘେଡ଼ାଇ ରଖିଛି । ସେ କଡ଼କୁ ପାଣି ମାଠିଆ । ବାସନ ଦି’ଖଣ୍ଡି ମଜାମଜି ହୋଇ ଚିକ୍ ଚିକ୍ ଦିଶୁଛି । ଏପାଖ କାନ୍ଥକଡ଼କୁ ପରା ହୋଇଛି ହେଁସ । ତା’ ଉପରେ ସଫା ଚାଦର ଖଣ୍ଡେ । ମୁଣ୍ଡ ଦେବାକୁ ପୁରୁଣା କନାପୂରା ତକିଆ ସବୁ କରିଛି ପୁନି ।

 

ମଧୁଆ ଭାବିଲା, ଏମିତି ଆଉ କେବେ ହୋଇ ନ ଥିଲା । ଇସ୍ କେଡ଼େ ମଇଳା ହୋଇ ପଡ଼ିଥିଲା ଘରଟା । ମୂଷାମାଟି, କଙ୍କଡ଼ାବିଛା, ବେଙ୍ଗ । ରାତି ଅଧରେ ଫେରେ ପଖାଳ ଗଣ୍ଡାକ ଗିଳି ଦେଇ, ସେଇ ଅସନା ଅରମା ଉପରେ ପଡ଼ିଯାଏ ସେ । ରାତି ପାହେ, ନିଦ ଭାଙ୍ଗେ । ପୁଣି ଗଣ୍ଡାଏ ପଖାଳ ଖାଇ ବାହାରି ପଡ଼େ କାମକୁ ।

 

ପୁନିର ସେବା ମଧୁଆ ପାଞ୍ଚ ସାତ ଦିନ କରିଥିଲା । ନିଜ ହାତରେ ଗାଧୋଇ ଦିଏ, ଖୋଇପେଇ ଦିଏ, ଓଷଧ ଖୁଆଏ, ଶୁଆଏ, ରାତିରେ ଅନିଦ୍ରା ହୋଇ ଜଗିବସେ । ପୁନି ଭଲ ହେଲା । ଦେହ ଫେରି ପାଇବା ଆଗରୁ ମଧୁଆର ସେବାରେ ସେ ମନପ୍ରାଣ ଢାଳିଦେଲା । ମଧୁଆର ଘରର ଯତ୍ନ ନେଲା, ପୁଣି ମଧୁଆର କଲା ସେବା । ମଧୁଆ ଖାଇ ପିଇ ଶୋଇପଡ଼େ, ପୁନି ତାର ଗୋଡ଼ ଘଷେ । ମଧୁଆ ନିଘଡ଼ ନିଦରେ ନିହିମାକେ ଶୋଇପଡ଼େ । ପୁନି ତାରି ପଥରଛାତି ଉପରେ ଥରିଲା ଥରିଲା ଡରିଲା ମୁଣ୍ଡ ଅଜାଡ଼ି ଦିଏ । ମଧୁଆ କଡ଼ ଲେଉଟାଏ । ଅନ୍ଧାର ଘରେ ମଶା ତଡ଼ିଲା ପରି ପୁନିକୁ ଆଡ଼େଇ ଦିଏ । ପୁନି ଥରି ଥରି ଆସି ଗୋଡ଼ତଳେ କାନ ପାରି ଶୁଏ ।

 

ରାତି ପାହେ, ମଧୁଆ ଉଠି କାମକୁ ଯାଏ ।

 

ପୁନିକୁ ଥରି ଥରି ବସି ପଡ଼ିବାର ଦେଖି ମଧୁଆ ଚମକି ଉଠିଲା । ଆରେ, ତା ହାତରେ ବ୍ରହ୍ମଚାପୁଡ଼ା ଖାଇ ଏଡ଼େ ଏଡ଼େ ଗାଈ ବଳଦ ଘୁମେଇ ପଡ଼ନ୍ତି । ପୁନିଟା ତ କଅଁଳିଆ ମଣିଷ ପିଲା-। ମଧୁଆ ତା’ ହାତର କରାମତି ଜାଣେ । ପୁନି ପାଖକୁ ଯାଇ ତାର ହାତ ଧରି ଉଠାଇଲା, ସ୍ଵର ନରମେଇ କହିଲା, ଆଲୋ ତୁ ଯୋଉ ଘର ପିଲା ହ ଯାହାର ମାଇପ ହ, ଛତର ଖାଇଟା, ମୋ ଘରେ ରହିଲେ ମୋର ଜାତି ଅଟକ ହେବ । ଜାତି ଭାଇ ଏକଘରିଆ କରିବେ । ମୋ ସାନ କୁହା ମାନ, ଚାଲିଯା । ଖାଉଁଦେ ମତେ ସେଇ କଥା କହିଛନ୍ତି ।

 

ପୁନିର ଆଖିରୁ ଲୁହ ଝରିଲା । କାନ୍ଦିଲା ସ୍ୱରରେ କହିଲା, ମୁଁ ଖଣ୍ଡେଇତ ଘର ଝିଅ, ବାହା ହେଇନି, ମୋର କେହି ସାହା ସମ୍ୱଳ ନାହିଁ । ଯାଇଥିଲେ ମଶାଣିକୁ ଯାଇଥାନ୍ତି । ମତେ ତମେ ବଞ୍ଚେଇଲ । ଘରୁ ତଡ଼ି ଦିଅ ନା, ତମ ଗୋଡ଼ ଧରୁଛି ।

 

ପୁନି ତାର ଗୋଡ଼ ଧରିଲା ।

 

ମଧୁଆ ରାଗିଯାଇ ଘୁଞ୍ଚି ଆସିଲା । ପୁନିର ହାତ ଧରି ଘୋଷାଡ଼ି ଆଣି ପାଖରେ ଠିଆକଲା । ଡିବିର ଆଲୁଅ ସେମିତି ଥରି ଥରି ଜଳୁଥାଏ । ପୁନିର ଧଳାଗାଲରେ ମଧୁଆର ଆଙ୍ଗୁଠିର ଚାରିଗାର ନାଲି ଦିଶୁଥାଏ । ଅଧଲଙ୍ଗଳା ଦେହରେ ଯୌବନର ଲାବଣ୍ୟ ଢେଉ ଖେଳୁଥାଏ ।

 

ପଥର ଛାତି ନରମି ଆସିଲା । ମଧୁଆ କହିଲା କମ୍ପିଲା କଣ୍ଠରେ, ଯିବୁ ନାହିଁ ? ବଜାତ୍, ଯେମିତି ତତେ ସେଦିନ ଯେଉଁଠୁ ଆଣିଥିଲି ସେମିତି ତତେ ସେଇଠି ଛାଡ଼ି ଆସିବି । ନିମକହାରାମ୍‍, ଛତର ଖାଇ ।

 

ମଧୁଆ ତାର ଦୁଇହାତ ଧରି ଟାଣିଆଣିଲା । ମୁକୁଳା ଦେହରେ ଫୁଙ୍ଗୁଳା ଦେହକୁ କୁଣ୍ଢାଇ ଧରି ଘରଭିତରୁ ବାହାରି ଆସୁଥିଲା । ଦେହର ପରଶରେ ଗୋଡ଼ ଦୁଇଟା ଥରି ଥରି ଉଠିଲା । ଗୋଡ଼ ବାଜି ରୁଖା ଉପରୁ ଡିବିରି ଖସି ପଡ଼ି ଆଲୁଅ ନିଭିଲା । ହୁଣ୍ଡା ମଧୁଆର ପଥର ଛାତି ତରଳିଲା । ସେ ଦ୍ଵାରବନ୍ଧ ଡେଇଁ ପାରିଲା ନାହିଁ । ଘର ବାହାରେ ନିଘଞ୍ଚ ଅନ୍ଧାର । ନିର୍ଜନ ରାତି ।

 

ମଧୁଆର ଘରୁ ପୁନି ବାହାରି ଗଲା ନାହିଁ ।

 

ଛୋଟ ସଂସାରଟି ତାର ସୁଖରେ କଟେ । ନାଏକ ଘର ଗୁମାସ୍ତା ମାହାନ୍ତିଙ୍କ ଆଦେଶରେ ସେ ଦିନସାରା ଖଟେ, ସଞ୍ଜବୁଡ଼େ ଫେରିଆସେ । ଯାହା ପାଏ ପୁନି ଆଗରେ ଥୋଇ ଫାଁ ଗାଳିଦେଇ ପଡ଼ିଯାଏ । ପୁନି ସବୁ ସାଇତି ରଖେ । ମଧୁଆର ସେବା କରେ । ଖୋଇପିଇ ଶୋଇଦିଏ । ଅଇଁଠା ଶଙ୍କୁଡ଼ି ଉଠାଏ । ଯାହା ବଳିଥାଏ ନାକରେ କାନରେ ଗୁଞ୍ଜି, ମଧୁଆର ଗୋଡ଼ରେ ହାତରେ ଦିଏ । ଦୀପ ନିୀଭାଏ, କେତେବେଳେ ମଧୁଆର ଛାତି ଉପରେ ମୁଣ୍ଡ ରଖି ଶୋଇପଡ଼େ । ଦୁଇଟା ଦେହର ପରଶରେ ସ୍ଵର୍ଗର ଆନନ୍ଦ ଓହ୍ଲାଇ ଆସେ ଗରିବର ମାଟିଘରକୁ ।

 

ଆତ୍ମାକୁ ଚିହ୍ନିଲା ଆତ୍ମା । ପ୍ରେମ କଣ ନ ଜାଣି ମଧ୍ୟ ଦିହେଁ ଅନୁଭବ କରୁଥିଲେ । ଜଣକ ଛଡ଼ା ଆଉ ଜଣଙ୍କର ସଂସାରରେ ଆଉ କେହି ନାହିଁ । ଜଣକୁ ଛାଡ଼ି ଆଉ ଜଣେ ରହିପାରିବ ନାହିଁ । ଜଣକ ଉପରେ ନିର୍ଭର କରିବାରେ ଏତେ ଆନନ୍ଦ, ଏତେ ସୁଖ, ଏତେ ଉତ୍ତେଜନା ଅଛି ? ପୁଲକର ସ୍ନିଗ୍‍ଧ ଅଜଣା ଶହିରଣରେ ଥରିଉଠନ୍ତି ଦିହେଁ । କେତେ ସ୍ଵପ୍ନର କଳ୍ପନାରେ ପୂରିଉଠେ ଦୁହିଁଙ୍କର ମନ, ଘର ସଂସାର ଭବିଷ୍ୟତ ।

 

ସମାଜ ନାଲି ଆଖି ଦେଖାଇ ଧମକ ଦେଇଛି । ହୁଣ୍ଡା ମଧୁଆ ଛାତି ଫୁଲାଇ କହିଛି, ଜାତିରେ ମୁଁ ଛତରଖିଆ । କେତେ ମାଇପେ ଆଙ୍ଗୁଠି ଦେଖାଇ ପୁନିକୁ ଥଟ୍ଟା କରିଛନ୍ତି, ଘୃଣା କରିଛନ୍ତି, ପୁନି ହସିଛି, ବୁଝାଇ କହିଛି, ମୁଁ ଛତରଖାଇଟା ।

ପୁନି କେବେ କାହା ଆଗରେ ନିଜର ଗତ ଜୀବନର ଇତିହାସ କହିନାହିଁ । ଘର କାମ ଛଡ଼ା ପାଞ୍ଚଘରେ ପାଞ୍ଚପାଇଟି କରିବାକୁ ସେ ଯାଏ । ନାହିଁଲେ, ନାଏକ ଘର ପାଚେରି ନିପାପୋଛା କରେ, ଗୁହାଳ ସଫା କରେ, ଅଳିଆ ଉଠାଏ । ଯିଏ ଯାହା ଦିଏ ମଧୁଆର ଆଗରେ ଥାଇଦେଇ ନିଶ୍ଚିନ୍ତ ହୁଏ । ମଧୁଆ ତାକୁ କଟମଟ କରି ଚାହେଁ, ହସିଦିଏ ପୁଣି । ପୁନିକୁ କୋଳକୁ ନେଇ ଗେହ୍ଲାକରି କହେ, ଆଲୋ ଭଲଘର ଝିଅ, ମୁଁ ଥାଉଣୁ ତୁ ପାଇଟି କରିଯିବୁ ?

ପୁନି ତା ଦେହରେ ଲଟେଇ ଯାଇ କହେ, ମୁଁ ଥାଉଣୁ ତମେ ଯାଉଛ ଯେ ।

ମୁଁ କଣ କୋଢ଼ି ହୋଇ ଘରେ ବସିବି ?

ଆଉ କଣ ମୁଁ ବସିବି

ଦିହେଁ କହନ୍ତି ଏକସଙ୍ଗେ, ଏକାଠି ଯିବା ଦିହେଁ ।

ନୂଆ ସଂସାରର ଭୁଲାଣ ମାୟାରେ ନୂତନ ଯାତ୍ରୀ ଦିଓଟି ଭୁଲି ରହିଥାନ୍ତି । ମୂହୁର୍ତ୍ତ ପରି ଦିନରାତି କଟିଯାଏ । ଜଣଙ୍କ ମନରେ ଆଉ ଜଣକର ଚିନ୍ତା ସବୁବେଳେ ଲହଡ଼ି ଭାଙ୍ଗୁଥାଏ । ଦୁନିଆଁ ଦିଶେ ସୁନ୍ଦର, ଜୀବନଲାଗେ ମୋହ ଉତ୍ତେଜନାର ଉତ୍ସପରି । ଅତୀତ ପଛେଇ ଯାଏ, ନିଭିଯାଏ । ଭବିଷ୍ୟତ ଦିଶେ କେଡ଼େ ଉଜ୍ଜ୍ୱଳ, ସୁନ୍ଦର, ମନଭୁଲାଣିଆ ।

ପୁନିର ସୁଖର ଜୀବନ ଉପରେ ସେଦିନ ପରିଆ ମାଆର କଥା କେତେ ଦୁଃଖ ବର୍ଷିଗଲା । ଚୁଡ଼ା ବିକିବାକୁ ଆସି ବୁଢ଼ୀ ହଠାତ ଚିହ୍ନି ପକାଇଲା । ପୁନି ଲୁଚାଇ ପାରିଲା ନାହିଁ । ପୁରୁଣା ଲୋକଙ୍କୁ ପାଖରେ ଦେଖି ତାର ପ୍ରାଣ ଖୋଲି ହୋଇଗଲା । ଆଖିରୁ ଝରି ପଡ଼ିଲା ଲୁହ । ସେ ସବୁକଥା କହିଗଲା; କିଛି ଛପେଇଲା ନାହିଁ । ନିଜେ କାନ୍ଦିଲା; ପରିଆ ମାଆ ବୁଢ଼ୀକୁ କନ୍ଦାଇଲା ।

ପରିଆ ମା’ ମୁହଁରୁ ସନେଇଁର ସବୁ ଦୁଃଖକଥା ଶୁଣିଲା । ମନ କଲା ତା’ରି ସଙ୍ଗରେ ଧାଇଁଯିବ ବିଷ୍ଣୁପୁର, ଭାଇର ଦୁଃଖ ବେଳରେ ତାରି ହାତ ଧରି ଚାଲିବ; କିନ୍ତୁ ଛତରଖିଆ ହେଲେ ମଧ୍ୟ ସନିଁଆ ତ ବାଉରି ଘରେ ପଶିନାହିଁ, ବାଉରିର ରାନ୍ଧିଲା ଭାତ ଖାଇ କାୟା ଅପବିତ୍ର କରିନାହିଁ-। ଠାକୁର କଲେ କାଲି ପୁଣି ସନିଆଁ ବଡ଼ ହେବ, ଜାତିରେ ମିଶିବ, ସଂସାର କରିବ । ପୁଣି, ବାଉରି ଘରେ ଆଶ୍ରା ନେଇ, ବିଷ୍ଣୁପୁରରେ ପୁନି ମୁହଁ ଦେଖାଇବ କିପରି ? ଲୋକେ ଘୃଣା କରିବେ, ଛି-ଛା କରିବେ । ଛି ଛା କରିବେ, ଘରେ ପୁରେଇବେ ନାହିଁ । ନ ମରି ରହିଛି ଯାହା । କାହିଁକି ସେ ଏ କର୍ମ କଲା । ବାଟକଡ଼ରେ ଗଛମୂଳରେ ମରି ପଡ଼ିଥିଲେ କଣ ଭଲ ହୋଇ ନ ଥାନ୍ତା-?

ପରିଆ ମା’ର ମୁହଁକୁ ଅନେଇ ପୁନି କେତେ କାନ୍ଦିଲା । ବୁଢ଼ୀ ବୋଧଶୋଧ ଦେଇ କହିଲା, କାହିଁକି ଆଉ କାନ୍ଦୁଛୁ ଲୋ ମା’, କପାଳେ ଯାହା ଥାଏ ଭୋଗତମାନ ହୁଏ, ମଣିଷର କି ଚାରା ? ପ୍ରାଣ ପାଇଁ ପେଟ ପାଇଁ ମଣିଷ ହାଡ଼ି ଘରେ ପଶେ । ନୂଆ କଥା ନୁହେଁ ଲୋ, ନୂଆଁ କଥା ନୁହେଁ ।

ପରିଆ ମା’ ଚାଲିଗଲା । ପୁନି ସେଇଠି ବେଡ଼ା ମଧୁଆର ଘର ଆଗରେ ଠିଆହୋଇ ଭାବିଲା, ସେ ଭୁଲ କରିଛି । ପେଟ ପାଇଁ ବାଉରି ଘରେ ପଶିଛି । ଇଚ୍ଛା ହେଲା, ମଧୁଆର ଘର ମୁକୁଳା ପକାଇ ସେ ଦିହେ ଦିହେ ଚାଳିଯିବ ଦୂରକୁ । ଯେଉଁଠି ତାକୁ କେହି ଚିହ୍ନିପାରିବେ ନାହିଁ, ଯେଉଁଠି ସେ ତାର କଳଙ୍କ କାମ ଛପେଇ ପୁଣି ନୂଆ ହୋଇ ସଂସାରକୁ ବାହାରି ଆସିବ । ଲୋକେ ତ କହିବେ ନାହିଁ, ଅଛୁଆଁ ବାଉରୀ ।

ପୁନିର ମନରେ ଅନୁତାପ ଆସିଲା । ମଧୁ ଭୋଇର ମୁକୁଳାଘର ଭିତରକୁ ଫେରିଯାଇ ପାରିଲା ନାହିଁ । ଭାବନା ଫେରିଗଲା ଅତୀତକୁ, ମଧୁଭୋଇ, ରାତି ରାତି ଅନିଦ୍ରା ହୋଇ ଯେ ତାର ସେବା କରିଛି, ନିଜ ଜୀବନକୁ ପାଣି ଛଡ଼େଇ ଯେ ପୁନିର ଜୀବନ ବଞ୍ଚାଇଛି, ଲୋକଙ୍କର କଥା ସହି, ଜାତିଆଣର ଧମକ ନ ମାନି ଯେ ନିଜର କରିଛି, ତାକୁ ଛାଡ଼ି ପୁନି କେମିତି ଚାଲିଯିବ ? ମଧୁଆର ଚଉଡ଼ା ଛାତି ଉପରେ ମୁଣ୍ଡଟି ରଖି ଶୋଇବାରେ ଯେଉଁ ଆନନ୍ଦ, ତାର ଦୁଇ ବାହୁର ମଝିରେ ଛନ୍ଦି ହେବାର ଯେଉଁ ଉତ୍ତେଜନା, ଯେଉଁ ଶିହରଣ, ତାର ଦୁଇଟି ଓଠର ନିବିଡ଼ ପରଶରେ ମୂର୍ଚ୍ଛା ହେଲାଭଳି ଯେଉଁ କାଉଁରୀ-ମାୟା, ନିଜ ଦେହ ଛାଡ଼ି ମଧୁଆର ବଳିଷ୍ଠ ଦେହ ଭିତରେ ପଶିଯିବା ଭଳି ଯେଉଁ ପାଗଳ ଆକାଂକ୍ଷା, ଏସବୁ କିପରି ଭୁଲିବ ପୁନି ।

 

କେତେ ଲୋକ ଦୁର୍ଭିକ୍ଷରେ ଟଳିପଡ଼ିଲେ । ପୁନି ଓ ମଧୁଆ ମଧ୍ୟ ସେମିତି ଟଳି ପଡ଼ିଥାନ୍ତେ, ବଞ୍ଚାଇଲା କିଏ ? ଦୁଇଟା ଜୀବନକୁ ଛନ୍ଦିଲା କିଏ ? ପୁନି ଅଜଣା ଭଗବାନଙ୍କ ଉଦ୍ଦେଶ୍ୟରେ ମୁଣ୍ଡ ନୋଇଁ ମଧୁଆର ମୁକୁଳା ଘରକୁ ଫେରି ଆସିଲା ।

 

ସନେଇଁର ଅରମା ଡିହ ସଫା ହେଲା । ଚାରିଦିନ ପରିଶ୍ରମ କରି କପାଳର ଝାଳ ପୋଛି, ସନେଇଁ ଆମ୍ବ ଡିମିରି କରି କୁଡ଼ିଆ ଖଣ୍ଡେ ଠିଆକଲା । ତା’ରି ବାରିର କେଞ୍ଚୁଡ଼ି ବାଉଁଶ, ତାରି ଆମ୍ବଗଛର ଖୁଣ୍ଟ । ଗାଁ ସେ ପାଖ ବୁଦିବୁଦିକା ଜଙ୍ଗଲରେ ମାଡ଼ିଥିଲା ଯେଉଁ ଲଇ ଲଟା, ସେଇଥିରେ କାମଡ଼ା ଭିଡ଼ିଲା । ଘର ଉପରେ ଛୁଆଣି କରିବାକୁ ନଡ଼ା ନାହିଁ । ଏଇ ସାମାନ୍ୟ ଜିନିଷ ପାଇଁ ସେ ପୁଣି ଯିବ ଗାଁ ଲୋକଙ୍କ ଦୁଆରକୁ, ନାସ୍ତିବାଣୀ ଶୁଣି ଫେରିବ ?

 

ମନେପଡ଼ିଲା, ନଈକଣ୍ଡିଆର ତଳେ ତଳେ ଖରି-ବୁଦା । ଛୋଟ ଛୋଟ କଅଁଳିଆ । କଞ୍ଚା, କାମକୁ ପାଇବ ନାହିଁ । ବାରିକଣକୁ ଯେଉଁ ତାଳଗଛ ଦିଓଟି ଦୁଇଭାଇ ପରି ବାହୁଙ୍ଗା ଧରାଧରି ହୋଇ ବାଦବୁଦିଆ ହାଇ ଉପରକୁ ଉଠୁଛନ୍ତି, ତାରି ଉପରେ ଆଖି ପଡ଼ିଲା । ସନିଆଁ ପୁଲକି ଉଠିଲା, ବରଡ଼ା ପତ୍ରରେ କୁଡ଼ିଆଁ ଛୋଇଁବ । ହାତରେ କଟୁରି ଧରି ସେ ଗଛ ପାଖକୁ ଚମକି ଗଲା ।

 

ସୂର୍ଯ୍ୟ ବୁଡ଼ି ନ ଥାନ୍ତି । କଅଁଳ କିରଣ ବିଞ୍ଚି ହୋଇ ପଡ଼ିଥାଏ ଚାରିଆଡ଼େ । ଆଜି ମକର ସଂକ୍ରାନ୍ତି, ସୂର୍ଯ୍ୟଦେବଙ୍କର ଉତ୍ତରାୟଣି ହେବାର ଦିନ । ପୌଷ ଶୁକ୍ଲପକ୍ଷ ନବମୀ, ନୀଳକଣ୍ଠେଶ୍ଵର ମହାଦେବଙ୍କ ନିକଟରେ ମକରଯାତ୍ରା । ଏତିକିବେଳୁ କେତେ ଲୋକ ଜମିଲେଣି । ଆଖପାଖ ଦୁଇ ଚାରିଖଣ୍ଡି ଗ୍ରାମର ଲୋକ । ମନୋହରୀ ଦୋକାନ ଓ ମିଠେଇ ମୁଆଁ ଦୋକାନରେ ବେଢ଼ା ଭିତରେ ବିକାକିଣା ଲାଗିଛି । ଧୀରେ ଧୀରେ ଆହୁରି ଲୋକଭିଡ଼ ହେଉଛି । ମହାଦେବଙ୍କ ପଣ୍ଡାଙ୍କର ଆଜି ରୋଜଗାରର ଦିନ । ସାଙ୍ଗ ସୁଖ ଉଚ୍ଛନ୍ନ ହେଉଛନ୍ତି, କେତେବେଳେ ସୂର୍ଯ୍ୟ ବୁଡ଼ିବେ, ମକର ଚାଉଳ ପାଟିରେ ଦେଇ ସେମାନେ ମକର ବସିବେ ।

 

ବର୍ଷକ ଭିତରେ ଆଜି ସବୁଠାରୁ ଛୋଟଦିନ । ମକରଠାରୁ ଦିନ ବକର ହେବ, ବଢ଼ିବ । ରାତି ହୋଇ ଆସିବ ଛୋଟ । ଦିହଥରା ଶୀତ କମି ଆସିବ । ସୂର୍ଯ୍ୟ ନ ବୁଡ଼ୁଣୁ, କିପରି ଦେହ ଶୀତେଇ ଉଠିଲାଣି । ବନେଇଁ ପରିଡ଼ାଙ୍କ ଅରମା ବାଡ଼ିଦେଇ ଯେଉଁ ବାଟ ମହାଦେବଙ୍କ ମନ୍ଦିର ଆଡ଼େ ପଡ଼ିଛି, ବେଳେବେଳେ କେହି କେମିତି ସେହିବାଟ ଦେଇ ଚାଲି ଯାଉଛନ୍ତି । ଗରିବ ସନିଆଁର ବରଡ଼ା ହଣା ଠକ୍‍ ଠକ୍ ଶବ୍ଦ ସେମାନଙ୍କ କାନରେ ବାଜୁଛି । ଥରଟିଏ ଉପରକୁ ଚାହିଁ ଯିଏ ଯାହାର ରାହା ଧରି ଚାଲି ଯାଉଛନ୍ତି ।

 

ଯାଇ ପାରିଲା ନାହିଁ ଧୋବୀ । ପଲକହୀନ ଆଖିରେ ଚାହିଁ ରହିଲା, ଗଛର ବାହୁଙ୍ଗା ଉପରେ ସନେଇଁ ପରିଡ଼ା ବସିଛି । ଛୋଟ ଲୁଗା ଖଣ୍ଡେ ପିନ୍ଧିବା ଛଡ଼ା ଦେହରେ କିଛି ନାହିଁ । ତଳ ବାହୁଙ୍ଗାରେ ଚୋଟ ମାରୁଛି ଠକ୍‍ ଠକ୍ । ଯେମିତି ଦୁନିଆଁର ଲୋକେ ମାରନ୍ତି । ଯାହାରି ଉପରେ ଗୋଡ଼ ଦେଇ, ଯାହାରି ଆଶ୍ରା ଧରି ଉପରକୁ ଉଠନ୍ତି, ଆଗ ଚୋଟ ତାଆରି ଉପରେ ପଡ଼େ । ତଳର ମଣିଷ ନୀରବରେ ସହେ ମାଡ଼ । ବିନା ଅଭିଯୋଗ ବିନା ଆପତ୍ତିରେ ଟଳିପଡ଼େ ତଳେ ।

 

ସେମିତି ମାଡ଼ ସନିଆଁ ସହିଛି । ମୂଲିଆର ଯେଉଁ ରକ୍ତ ଧନ ଆକାରରେ ସଞ୍ଚି ରଖିଥିଲେ ଚିନ୍ତେଇ ସୋଇଁ ସେହି ରକ୍ତରୁ ଢୋକେ ଢୋକେ ଦେଇ ମୂଲିଆର, ବନେଇଁ ପରିଡ଼ାର ଜୀବନ ହାତଗଢ଼ା ଜମି ଛଡ଼ାଇ ନେଇଛନ୍ତି । ଦରମଲା ଦେହ ଧରି ଫୁଙ୍ଗା ପିଠିରେ ସନେଇଁ ଘରକରି ପୁଣି ପୁଞ୍ଜିପତିର ରକ୍ତଭଣ୍ଡାର ବଢ଼ାଇବାକୁ ଝାଳ ନିଗାଡ଼ି ଦେଉଛି ଦେହରୁ ।

 

ଧୋବୀ ଚାହିଁ ରହିଲା ମୂଲିଆ ସନେଇଁକୁ । ବରଡ଼ା ଉପରେ ଠକ୍ ଠକ୍ ପଡ଼ୁଛି ତାର କଟୁରି ଚୋଟ । କାହିଁକି ? ଘର କରିବ ? ସୁଖରେ ରହିବ ? ରକ୍ତ ଢାଳି ପୁଞ୍ଚିପତି ହୋଇ ରକ୍ତ ସଞ୍ଚିବ ? ପୁଣି ତଳ ବାହୁଙ୍ଗାରେ ଚୋଟମାରି ରକ୍ତ ଶୋଷିବ ? ଧନୀ ହେବ ? କୁଳର ମର୍ଯ୍ୟାଦା ରଖିବ ? ଚକ ବୁଲି ଆସିଲେ, ଝଡ଼ ତୋଫାନ ବହିଲେ ଗଛ ଉପରୁ ଖସି ପଡ଼ିବ ତଳକୁ ? ପୁଣି ଚକ ବୁଲିବ ।

 

ଧୋବୀର ଗୋଡ଼ ଅଟକି ରହିଲା । ହାତରେ ଧରିଥିବା ଭୋଗ ଥାଳିଆ ଥରି ଉଠିଲା । ସେ ଥରେ ଚାରିଆଡ଼କୁ ଚାହିଁଲା । ପାଖରେ କେହି ନାହିଁ । ଭଙ୍ଗା ବାଡ଼ର ଅରମା ବାଟ ମଝିରେ ଆଡ଼େଇ ଆଡ଼େଇ ତାଳଗଛ ମୂଳକୁ ଗଲା । ଡାକ ଛାଡ଼ିଲା–ସନିଆଁ ଭାଇ । ଓହ୍ଲେଇଆ ।

 

ସନିଆଁର କାନରେ ବାଜିଲା ଧୋବୀର ଡାକ । ସେ ତଳକୁ ଚାହିଁଲା । ଧୋବୀକୁ ଦେଖି ଆଶ୍ଚର୍ଯ୍ୟ ହେଲା । କଟୁରିଟା ଅଣ୍ଟାରେ ଖୋସି ସନିଆଁ ତଳକୁ ଓହ୍ଲାଇଲା, ଧୋବୀ ଆଗରେ ଠିଆହେଲା । ନିଶ୍ଵାସ ଘନଘନ ବୋହୁଥାଏ । ଦରଲୁଚିଲା ଛାତିହାଡ଼ ପଡ଼ୁଥାଏ ଉଠୁଥାଏ । ଥରି ଉଠୁଥାଏ ନାକପୁଡ଼ା ଦିଓଟି । ତାର ସୁନ୍ଦର ମୁହଁରେ ରୁଢ଼ । ମୁଣ୍ଡର ଲମ୍ବ ଲମ୍ବ ଜଟାଳିଆ ବାଳ ବେତପରି ଦିଶୁଛି । ଝାଳ ନିଗିଡ଼ି ପଡ଼ୁଛି ସର୍ବାଙ୍ଗରୁ । ଛାତି ଉପରେ ଆଞ୍ଚୁଡ଼ା ଦାଗ । ବାହୁଙ୍ଗାର ଆଂଶ ବାଜି ଗୋଡ଼ର ଭଣ୍ଡା କାଟି ହୋଇ ରକ୍ତ ଝରି ଗୋଇଠିବାଟେ ଝରିପଡ଼ୁଛି ମାଟି ଉପରେ । ଦେହରେ ଠାଏ ଠାଏ ମାଟି କାଦୁଅ ଲାଗିଛି ।

 

ଧୋବୀ ପଚାରିଲା, ଆଜିପରା ମକର ସଂକ୍ରାନ୍ତି ସନିଆଁ ଭାଇ, ମହାଦେବଙ୍କ ପାଖରେ ମେଳା, ତୁ କଣ ଯିବୁ ନାହିଁକି ? ବର୍ଷଯାକ ତ କାମ କରୁଥିବୁ, ଆଜି ଦିନକ ନ କଲେ କଣ ହେବ ନାହିଁ ।

 

କପାଳରୁ ଝାଳ ପୋଛି ସନେଇଁ କହିଲା, ଅଜାତି ଅଛୁଆଁକୁ ମନ୍ଦିର ମନା ଲୋ ଧୋବୀ । ଘର ଖଣ୍ଡି ଅଧା ପଡ଼ିଛି ପରା । ଠାକୁରତ ଘର କରିଦେବେ ନାହିଁ ।

 

ଧୋବୀ କହିଲା, ଠାକୁରେ କିଛି କରନ୍ତି ନାହିଁ, ମଣିଷ ଯାହା କରେ ଠାକୁର ସେଇଆ ଚାହାନ୍ତି । ମଣିଷର ଭଲମନ୍ଦ ଯାହା ହୁଏ ଠାକୁରଙ୍କ ଇଚ୍ଛା ସେଇଆ, ଛାଡ଼ ସେ କଥା । ମୁଁ ପଚାରୁଛି, ତୋର ନିଜର ଜମି ଆଉ ଧାନ ନଡ଼ା ଥାଉଁ ଥାଉଁ ତୁ ଏମିତି ହଇରାଣ ହେଉଛୁ କାହିଁକି ? ଯେଉଁଦିନ ବନେଇଁ ପରିଡ଼ା ପିଲାକୁଟୁମ୍ବ ଧରି, ବାପାଙ୍କୁ ତିନିମାଣ ଜମି ବନ୍ଧା ଦେଇ କିଛି ଧାନ ମାଗିବାକୁ ଯାଇଥିଲେ, ବାପା ନାହିଁ କଲାରୁ ସେ ହତାଶ ହୋଇ ଫେରିଲେ । ତା ପରେ ତମେ ସବୁ ଗାଁଛାଡ଼ି ଚାଲିଗଲ । ଜମି ତିନିମାଣ ତ ତମ ସଙ୍ଗେ ଗୋଡ଼ାଇ ଯାଇ ନ ଥିଲା । ସେ ଜମି ଗଲା କୁଆଡ଼େ ?

 

ସନେଇଁର ଆଖିରେ କୃତଜ୍ଞତା ଭରି ଉଠିଲା । ସେ ଧୋବୀର ମୁହଁକୁ ନିବିଷ୍ଟ ଭାବରେ ଚାହିଁ ରହିଲା । ଚିନ୍ତେଇ ସୋଇଁର ଝିଅ, ମନରେ ଏତେ ସହାନୁଭୁତି, ଏତେ ଉଦାରତା । ପର ପାଇଁ ସେ ଏତେ ଭାବେ ? ଆଖି ଆଗରେ ଠିଆ ହୋଇଛି ଦେବୀ ପ୍ରତିମା ସୁନାପାଣି ଧୂଆ ଉଜ୍ଜ୍ୱଳ ଦେହରେ ନାଲିଶାଢ଼ୀ କେଡ଼େ ସୁନ୍ଦର ଦିଶୁଛି । ପିଠି ଉପରେ ଦୋହଲୁଛି କଳା ମିଚମିଚ ବାଳ । ତେଜିୟାନ୍ ଜଳିଲା ଜଳିଲା ଆଖିଡ଼ୋଳା । ଦୁଇ ହାତରେ ଦୁଇପଟି ସୁନାକାଚ ଛଡ଼ା ଦେହରେ କାହିଁ ଆଉ ଗହଣା ନାହିଁ । ହାତରେ ଭୋଗଥାଳି । ପୂଜାରିଣୀ ବେଶ ।

 

ଏତେଗୁଡ଼ାଏ ନିଷ୍ଠୁର ଲୋକଙ୍କ ମଝିରେ ବସା ବାନ୍ଧି ରହିବାକୁ ମନ ଝଗଡ଼ି ଉଠୁଥିଲେ ମଧ୍ୟ କାହିଁକି ସେ ଯାଇପାରି ନାହିଁ ? ଏହି ଧୋବୀ ପାଇଁ ।

 

ଧୋବୀ ଆସିଛି ।

 

ସନିଆଁ ତା ପ୍ରଶ୍ନର ଉତ୍ତର ଦେଇପାରିଲା ନାହିଁ । କେବଳ ତାରି ମୁହଁକୁ ବଳବଲ କରି ଅନେଇ ରହିଲା ।

 

ଧୋବୀ ଦରହସିଲା ହୋଇ କହିଲା, ଚାହିଁ ରହିଛୁ କଣ ? ନିଜେ ଯାଇ ପହରାଜଙ୍କଠୁ ତୋ ଧାନ ମାଗି ନେ । ସେ ଯଦି ନ ଦିଅନ୍ତି, ବାପାଙ୍କ ପାଖରେ ଗୁହାରି କର । ତେଣିକି ଦେଖାଯିବ-

 

ଧୋବୀ ସନିଆଁର ଗୋଡ଼ରୁ ମୁଣ୍ଡଯାଏ ଥରଟିଏ ଚାହିଁ, କଅଁଳେଇ ପଚାରିଲା, ସନିଆଁ ଭାଇ, ଆଜିକାଲି ତୁ କଣ, କେଉଁଠି ଖାଉଛୁ କହିଲୁ ?

 

ସନିଆଁ ହସି ହସି କହିଲା, ଦୁର୍ଭିକ୍ଷରୁ ପ୍ରାଣଘେନି ଫେରିଲା ଲୋକର ଖାଇବାକୁ ଅଭାବ ହୁଏ ନାହିଁ ଲୋ ଧୋବୀ, ଦୁନିଆଁରେ ଘାସପତ୍ର ପୂର୍ଣ୍ଣ ହୋଇ ରହିଛି । ବାରି ତଳର ବଣ ସାରୁ, ଗଛ ଉପରେ କଷି ପିଜୁଳି ।

 

ଗୋଟାଏ ଜିନିଷ ଦେବି ତୁ ନେବୁ ?

ଆଶ୍ଚର୍ଯ୍ୟ ହୋଇ ସନେଇଁ ପଚାରିଲା, କଣ ?

 

ଆଗ୍ରହରେ ଧୋବୀ କହିଲା, ପିଲାଦିନର କଥା ମନେ ପକାଇଲୁ ? ଗଛରେ ଚଢ଼ି କେତେ ପିଜୁଳି, ପାଚିଲା ଆମ୍ବ ତୁ ଆମକୁ ଦେଉ । ଗାଁ ମୁଣ୍ଡ ନଟିରେ କେତେ କଣ୍ଟେଇକୋଳି, ବରକୋଳି, ପାଚେ । କଣ୍ଟାରେ ପଶି, ଦେହହାତ ଖଣ୍ଡିଆ କରି ତୁ ତୋଳୁ, ଆଉ ନିଜେ ନ ଖାଇ ଆମକୁ ଦେଉ । ମନେଅଛି ନା ଯେଉଁଦିନ ସାପଟାଏ ତୋ ଗୋଡ଼ରେ ଗୁଡ଼େଇ ହୋଇଗଲା ? ତୁ ତାକୁ ଛାଟିଦେଲୁ । ମହାଦେବ ପୋଖରୀରୁ ଆମ ଖୁଦୁରୁକୁଣୀ ପାଇଁ ଫୁଲ ତୋଳୁ ତୋଳୁ ଗୋଡ଼ରେ ତୋର ଚାରିଟା ଯୋକ ଲାଗିଲା । ସନିଆଁ ଭାଇ–

 

ସବୁ ମନେଅଛି ଲୋ ଧୋବୀ ।

ସାଙ୍ଗ ପିଲାଏ କିଏ କେଉଁଠି ରହିଲେ–

 

ଧୋବୀର ଆଖି ଛଳ ଛଳ ହେଲା । କହିଲା ସାଙ୍ଗ ପିଲାଏ କିଏ କେଉଁଠି ରହିଲେ । ମୁଠିଏ ଖାଇବାକୁ ନ ପାଇ ହୁଏତ କିଏ କେଉଁଠି ମରି ପଡ଼ିଥିବେ । ଏକା ଫେରିଛୁ ତୁ, ଅଜାତି ଅଛୁଆଁ ହୋଇ । ଖାଇବାର ଅଭାବ ମୋର ନ ଥିଲା, ତଥାପି ପରଘରକୁ ଯାଇ ନିଜ ଘରକୁ ଫେରି ଆସିଛି । ମୁଁ ବି ଅଜାତି ହୋଇଛିରେ ସନିଆଁ ଭାଇ, ମୁଁ ବି ଅଛୁଆଁ ହୋଇଛି । ସମସ୍ତେ କହୁଛନ୍ତି, ମୁଁ ଧନୀ, କେତେ ଜମି, ଗାଈଗୋରୁ, ଚାକର ବାକରଙ୍କର ମୁଁ ମାଲିକ । ମୁଁ ଜାଣେ, ମୁଁ ଅନୁଭବ କରେ, ତୋଠୁ ମୁଁ ଗରିବ, ତୋଠୁ ମୁଁ ସାହାହୀନ, ଏକୁଟିଆ ।

 

ଧୋବୀର ଦୁଇ ଆଖିରୁ ଲୁହ ଝରିଲା ।

ସନିଆଁ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲା । ତା ତୁଣ୍ଡରୁ କଥା ବାହାରିଲା ନାହିଁ ।

 

ଲୁହ ପୋଛି ଧୋବୀ କହିଲା, ତୋର ମୁଁ ଅନେକ କଥାରେ ଧାରୁଆ ରହିଛି । ମୋର ଶୁଝାଇବାର ବେଳ ଆସିଛି । ତୋତେ ଗ୍ରହଣ କରିବାକୁ ହେବ ।

 

ଧୋବୀ ଭୋଗ ପାଚିଆ ତଳେ ରଖିଲା । ଅଣ୍ଟାରେ ଖୋସିଥିବା ବଟୁଆ କାଢ଼ିଲା । ମୁହୁର୍ତ୍ତେ ଅପେକ୍ଷା ନ କରି ସନେଇଁର ଗୋଟିଏ ହାତ ଟାଣିଆଣି ତାର ମୁଠା ଭିତରେ ବଟୁଆଟି ରଖି ହାତ ବୁଜିଦେଲା । ସନେଇଁର ହାତକୁ ଦୁଇହାତରେ ମୁଠାଇ ଧରି କହିଲା, ମୋରି ପାଇଁ ତମରି ଏଇ ଅବସ୍ଥା ହୋଇଛି ସନେଇଁ ଭାଇ । ବାପା ଯଦି ପ୍ରସ୍ତାବ ପଠାଇ ନ ଥାନ୍ତେ, ତୋ ବାପା ଯଦି ଅପମାନିଆ କଥା କହି ନ ଥାନ୍ତେ, ତୁମକୁ ଗାଁ ଛାଡ଼ି ଯିବାକୁ ହୋଇ ନ ଥାନ୍ତା । ଶାଗମାଛ ମୂଲ୍ୟରେ ତମର ସୁନାଥାଳି ଜମିକୁ ନେଇ ତୁମକୁ ବାପା ଆଜି କାଙ୍ଗାଳ କରି ନ ଥାନ୍ତେ । ସମସ୍ତଙ୍କୁ ହରାଇ ଏକୁଟିଆ ତୁ ଫେରି ଆସି ନ ଥାନ୍ତୁ । ସନେଇଁ ଭାଇ, ଯାହା ମୁଁ ଦେଲି ସେ ମୋର, ବାପାଙ୍କର ନୁହେଁ । ସ୍ଵାମୀ, ଶ୍ଵଶୁର ଓ ଶାଶୁଙ୍କର ଜୀବନ ମୂଲରେ ମୁଁ ପାଇଛି । ତୁ ଜାତି ହ, ତୁ ଘର କର, ସଂସାର କରି ସୁଖରେ ରହ । ପୁଣି ପରିଡ଼ା ବଂଶର ନାମ ଟେକ ହେଉ ।

 

ଧୋବୀ ସନେଇଁର ହାତ ଛାଡ଼ିଲା । ଆଖିଲୁହ ଗାଲ ଉପରେ ଦୁଇଧାର ହୋଇ ଗଡ଼ି ପଡ଼ୁଥାଏ । ପୁଣି କହିଲା, ବାପାଙ୍କର ଆକ୍ରୋଶରୁ ମାଧୋଇ ରାଉତ, ଆଉ କଇଁ ମଧ୍ୟ ରକ୍ଷା ପାଇଲେ ନାହିଁ । ପେଟ ପାଇଁ, ତାଙ୍କୁ ବି ଦିନେ ଆମ ଦୁଆରୁ ହତାଶ ହୋଇ ଫେରି, ଗାଁ ଛାଡ଼ି ଯିବାକୁ ହେଲା । ସମସ୍ତଙ୍କର ଅଭିଶାପ ମୋରି ମୁଣ୍ଡରେ ପଡ଼ିଛି । ସନିଆଁ ଭାଇ, ସମସ୍ତଙ୍କର ଅକଲ୍ୟାଣ ମୋରି ମୁଣ୍ଡରେ ପଡ଼ୁ ପଛେ, ସମସ୍ତେ ଫେରି ଆସନ୍ତୁ, ସୁଖରେ ରହନ୍ତୁ ।

 

ସନେଇଁ ଉତ୍ତର ଦେବା ପୂର୍ବରୁ, ଧୋବୀ ତା ଆଗରୁ ଚାଲି ଯାଇଥିଲା, ଭୋଗ ପାଚିଆ ସେମିତି ତା ଆଗରେ ଥୁଆ ହୋଇଥାଏ ।

 

ଧୋବୀ ଲୁଚିଗଲା ବୁଦା ଆରପାଖେ, ତଥାପି ସନିଆଁ ଚାହିଁ ରହିଲା ବିହ୍ୱଳ ଆଖିରେ । ଆଖି ଆଗରେ ଭାସି ଉଠିଲା ରୂପସୀ ଧୋବୀର ଚଞ୍ଚଳ ଅଞ୍ଚଳ ପ୍ରାନ୍ତ । ପ୍ରଥମ ଯୌବନର କେତେ ହଜିଲା ସ୍ଵପ୍ନ ମନର ଚାରିପାଖେ ଖେଳି ବୁଲିଲା । ମନର ଅତଳ ତଳରେ କଳ୍ପନାର ଉତ୍ସ । ଚିର ରହସ୍ୟ ଘେରା ଏକ ନାରୀ । ଅବୁଝା ତାର ହସକାନ୍ଦ । କଳ୍ପନାର ଅତୀତ ତାର ବ୍ୟବହାର । ସନିଆଁ ଅବାକ୍ ହେଲା ।

 

ନିର୍ବୋଧ ଶିଶୁ ପରି ଏଣେ ତେଣେ ଚାହିଁଲା, ଖୋଜୁଛି ଯେପରି ଶୂନ୍ୟର ସଙ୍କେତ, ଅଶରୀରୀ ବାଣୀ, ଏଇ ରହସ୍ୟମୟୀ ନାରୀର ପ୍ରତି ଭାବଭଙ୍ଗୀ, କଥା ଓ କାର୍ଯ୍ୟର ଅର୍ଥ ବୁଝିବ । ଝଡ଼ପରି ତାର ଆଗମନ, ବିଦ୍ୟୁତ୍‍ ପରି ତାର ହସ, ଅବଶ କରିଥିଲା ଯେ ସନିଆଁର ଦେହ । ବିକଶିତ ରୂପଶ୍ରୀ, ଜ୍ୟୋତ୍ସ୍ନାର ଫୁଟନ୍ତା ଆଲୋକ ପରି ମୁହୁର୍ତ୍ତେ ଯିଏ ଉଜ୍ଜ୍ୱଳ କରିଥିଲା ତାର ଅନ୍ତରର ଅନ୍ଧାର ।

 

ନିର୍ଜନ ନିଃସହାୟ ରାତିରେ ମରଣ ମୁହଁରୁ ତାକୁ ଫେରାଇ ଆଣିଥିଲା । ବଞ୍ଚି ରହିବାକୁ ମନରେ ଆଣିଥିଲା ପ୍ରେରଣା । ଗାଁ ଛାଡ଼ି ଚାଲିଯିବାକୁ ଯେତେବେଳେ ସେ ସ୍ଥିର କରିଥିଲା, ଏଇ ଧୋବୀର ମୂର୍ତ୍ତି ଆସି ଠିଆ ହୋଇଥିଲା ତାର ଆଗରେ । ପ୍ରଭାତର ପ୍ରଥମ ଆଲୋକ ଝରିପଡ଼ୁଥିଲା ତାର ତରଳ ଦେହର ପ୍ରତି ଅଙ୍ଗରୁ । ସ୍ନିଗଧ୍ ବିଭାରେ ରଞ୍ଜିତ ହୋଇଥିଲା ମୁଖଶ୍ରୀ । କେତେ କଥା ସେ କହିଥିଲା, କେତେ ବୁଝାଇଥିଲା । ସନିଆଁର ଚହଲା ମନକୁ ସେ ସ୍ଥିର କରି ପାରି ନ ଥିଲା । ଧୋବୀର ଅଭିମାନିଆ କଥା, ମମତା ଲଗା ଅବହେଳା ସନିଆଁକୁ ବାନ୍ଧି ରଖିଥିଲା । ଆଜି ଏଇ ସଞ୍ଜର ମହକ ଛାଇରେ ଧୋବୀର ଆଦର, ସ୍ନେହ, ତାର ପ୍ରତି ପଦ କଥାରେ ଦୃଢ଼ତା, ସନିଆଁର ମନରେ ନୂଆ ଆଶା ଜନ୍ମାଇଲା, ସନିଆଁର ଆଖିରେ ଲଗାଇଲା ଭେଳିକି ।

 

ବଟୁଆ ଖୋଲି ସନିଆଁ ଦେଖିଲା । ପାଞ୍ଚଟି ଟଙ୍କା ଆଉ ପଚିଶିଟି ସୁନା ମୋହର । ଇଚ୍ଛାହେଲା, ଧାଇଁଯାଇ ଫେରାଇ ଦେବ । କାହିଁକି ସେ ଧୋବୀର ଧାରୁଆ ହୋଇ ରହିବ ? ଚିନ୍ତେଇ ସୋଇଁ ଯାହା କରିଛନ୍ତି ସେଥିପାଇଁ ତ ଧୋବୀ ଦାୟୀ ନୁହେଁ ।

 

ଚିନ୍ତେଇ ସୋଇଁ ବା ଦାୟୀ ହେବେ କାହିଁକି ? ଯେଉଁଦିନ ପହରାଜେ ସମ୍ବନ୍ଧ ନେଇ ଆସିଥିଲେ ତାର ବାପା ଜାତିର ଟେକ ଦେଖେଇ ଚିନ୍ତେଇ ସୋଇଁଙ୍କୁ ଅପମାନ ଦେଇଥିଲେ । ପରିଡ଼ା ବଂଶର ସେଇ ଜାତି ଟିକକ ଥିଲା ଗର୍ବ । ଯେତେବେଳେ ଚିନ୍ତେଇ ସୋଇଁଙ୍କର ପାଳି ପଡ଼ିଲା, ସେ ତାଙ୍କ ଧନର ମହତ୍ୱ, କରାମତି ଦେଖାଇଲେ । ଜାତି ଗର୍ବ, ବଂଶମର୍ଯ୍ୟାଦାର ବଡ଼ିମାରେ ବନେଇଁ ପରିଡ଼ା ତଳକୁ ଚାହିଁ ନ ଥିଲେ । ଧନ ଧାନର ଶକ୍ତିରେ ଚିନ୍ତେଇ ସୋଇଁ ପରିଡ଼ା ବଂଶକୁ ଆଡ଼ ଆଖିରେ ଅନାଇ ନ ଥିଲେ । ଅହମିକାର ଅହମିକା ସଙ୍ଗେ ହେଲା ସଂଘର୍ଷ, ଯେତେବେଳେ ଯିଏ ହେଲା ଶକ୍ତୀଶାଳୀ ସେ ଜିତିଲା ।

 

ଚିନ୍ତେଇ ସୋଇଁ ବା ଧୋବୀର ଦୋଷ କଣ ? ଦୋଷ ମଣିଷର ବଡ଼ିମାର । କିଏ କରେ ଧନର ବଡ଼େଇ, କେହି କରେ ଧର୍ମର, ଜାତିର, ବିଦ୍ୟାର, ବୁଦ୍ଧିର, ଜ୍ଞାନର । କିଏ କରେ ଶକ୍ତିର ଗରିମା, ଆଉ କିଏ କରେ ରୂପର । ସବୁ ମଣିଷ ଭିନ୍ନେ । ସମସ୍ତଙ୍କର ସ୍ଵାତନ୍ତ୍ର୍ୟ ଅଛି । ବିନା ସ୍ଵାତନ୍ତ୍ର୍ୟରେ କେହି ବଞ୍ଚି ପାରିବେ ନାହିଁ । ଗର୍ବ ନାହିଁ, ବଡ଼ିମା ନାହିଁ, ସଂସାରବିରାଗୀ ସନ୍ୟାସୀର, ଏହି ନାହିଁତ୍ଵହିଁ ସ୍ଵାତନ୍ତ୍ର୍ୟ ।

 

ଚିନ୍ତେଇ ସୋଇଁଙ୍କର ଦୋଷ କଣ ? ଧର୍ମ ଯଦି ନ ଥାନ୍ତା, ନ ଥାନ୍ତା ଜାତି, ଧନ ଉପରେ ଅଧିକାର । ଦୁନିଆଁରେ ଯାହାର ଯାହା ନିଜତ୍ୱ ଅଛି, ସେତକ ଯଦି ବିଶ୍ଵର ସଭିଙ୍କ ପାଇଁ ନିୟାଜିତ ହୁଅନ୍ତା, ନିଜର ବୋଲି କହିବାକୁ ଅଧିକାର ଯଦି ନ ଥାନ୍ତା କାହାରି, ତେବେ କେଜାଣି ସୁଖଦୁଃଖ ଉଭେଇ ଯାଆନ୍ତା ଦୁନିଆଁର ଛାତି ଉପରୁ । ଅଛୁଆଁ, ଅଜାତି, ନିର୍ଦ୍ଧନ ବୋଳି ସନିଆଁର ଆଖି ତଳକୁ ହୁଅନ୍ତା ନାହିଁ, ବିଧବା ବୋଲି ନିଜକୁ ନିଃସହାୟା ମଣି ଧୋବୀର ଆଖିରୁ ଝରନ୍ତା ନାହିଁ ଲୁହ । ଧନୀର ବାରିତଳେ ଭାଗ୍ୟକୁ ଆଦରି ଲୋକେ ଟଳି ପଡ଼ନ୍ତେ ନାହିଁ ।

 

ତେବେ ନିଶ୍ଚଳ ଜଳରାଶି ପରି ବିଶ୍ଵର ମଣିଷ ସମାଜ ହୁଅନ୍ତା ସ୍ଥିର, ଅଚଞ୍ଚଳ, ଜଡ଼, ନିର୍ଜୀବ । ହିଲ୍ଲୋଳ ନାହିଁ, ସୁଖଦୁଃଖ, ଆଶାଦୁରାଶା, ଉଠୁପଡ଼ ନାହିଁ । ଲୁଚି ଯାଆନ୍ତା ଜୀବନର ସୂଚନା । ସମସ୍ତେ ସଭିଙ୍କ ପାଇଁ ହୋଇ, କେହି କାହାରି ପାଇଁ ହୁଅନ୍ତି ନାହିଁ, ସବୁ ସବୁରି ପାଇଁ ଥାଇ ମଧ୍ୟ କିଛି କାହାରି ପାଇଁ ନ ଥାନ୍ତା ।

 

ସନେଇଁ ଯାଇ ପାରିଲା ନାହିଁ । ଧୋବୀର କଥା କେଇପଦ ସ୍ଵପ୍ନରେ ଦୈବବାଣୀ ପରି ମନ ଭିତର ଓଲଟ ପାଲଟ ହେଲା । ଜାତି ହବ, ଘର କରିବ, ପୁଣି ପରିଡ଼ା ବଂଶର ଟେକ ରଖିବ । ଘର କରିବ । ଧୋବୀର ହାତର ପରଶ । କହୁ କହୁ ଅଟକି ଯାଉଥିଲା କଥା, ଥରି ଉଠିଲା ଦେହଲତା । ଫିଟିଥିବା କବରୀ ଦୋହଲି ଉଠୁଥିଲା । କଥାରେ ଉତ୍ତେଜନା ନ ଥିଲା । ମୁହଁକୁ ଚାହୁଁଚାହୁଁ ଆଖି ନୋଇଁଥିଲା ଧୋବୀ ।

 

ସନିଆଁ ଆଖି ଆଗରେ ସ୍ଵପ୍ନମୟ ଭବିଷ୍ୟତ କେତେ କୁହୁକ ଧରି ଠିଆ ହେଲା, ସୁନେଲି ଆଶାର ଅସରନ୍ତି ଡୋର ସନିଆଁର ମନ ଚାରିପାଖେ ବୁଣିଲା, ସେ ଛନ୍ଦି ହେଲା । ମନ ତାର କୁହାଟ ଛାଡ଼ିଲା, ସନିଆଁ ଜାତି ହେବ, ଘର କରିବ, ପରିଡ଼ା ବଂଶର ଟେକ ରଖିବ ।

 

ସନିଆଁ ଜାତି ହେଲା ।

 

ପୂର୍ବପୁରୁଷର ଅରମା ଡିହରେ, ଯେଉଁଠି ସନିଆଁ ତୋଳିଥିଲା ତାର କୁଡ଼ିଆ, ତାରି ଆଗରେ ଛାମୁଣ୍ଡିଆ ବନ୍ଧା ହେଲା । ସେଦିନ ମାଘ ଶୁକ୍ଲ ପଞ୍ଚମୀ, ସରସ୍ଵତୀ ଦେବୀଙ୍କର ପୂଜା ।

 

ଆସିଲେ ବ୍ରାହ୍ମଣ ପୁରୋହିତ, ପହରାଜଙ୍କ ପରାମର୍ଶରେ ପ୍ରାୟଶ୍ଚିତ୍ତରେ ସବୁ କରାହେଲା । ଗାଁର ପ୍ରତି ମନ୍ଦିରରେ ଭୋଗରାଗ, ଠାକୁର ମାର୍ଜଣା, ବାଇଦ ବାଜଣାରେ ଗାଁ ପଡ଼ୁଥାଏ ଉଠୁଥାଏ । କର୍ମ କର୍ମାଣୀ ପରେ ବ୍ରାହ୍ମଣ ଭୋଜନ । ଚିନ୍ତେଇଁ ସୋଇଁଙ୍କ ଆଦେଶରେ ନିଧେଇ ସୋଇଁ ସବୁ ଦେଖାଶୁଣା କରୁଥାନ୍ତି । ଉପରେ ପଡ଼ି ଗାଁର କେତେ ମାମଲତକାର ଆସି ବିଧିବିଧାନ ବତେଇ ଯାଉଥାନ୍ତି, ପଇସାକ ଯାଗାରେ ଚାରି ପଇସା ଖର୍ଚ୍ଚର ବ୍ୟବସ୍ଥା କରୁଥାନ୍ତି ।

 

ରାତିରେ ଛାମୁଣ୍ଡିଆ ତଳେ ଗାଁ ଭାଇଙ୍କର ପତ୍ର ପଡ଼ିଥିଲା । ପଙ୍ଗତରେ ନିଧେଇ ସୋଇଁ ମଧ୍ୟ ବସିଥିଲେ । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ତୁହାଇ ଉଠୁଥାଏ- କାଙ୍ଗାଳ ସନିଆଁ ଟଙ୍କା ପାଇଲା କେଉଁଠୁ ? ଯିଏ ଯାହା ବତାଇଲେ କରୁଛି । କୁଣ୍ଠିତ ଭାବ ନାହିଁ । ଖରଚ କରିବାକୁ ଟିକିଏ ହେଲେ ପଛଉ ନାହିଁ । ବ୍ରାହ୍ମଣମାନଙ୍କୁ ଦକ୍ଷିଣା ମଧ୍ୟ ଭଲ ଦେଇଥିଲା । କିଏ କେତେ କଥା କହିଲେ-। ଭରସି କରି ଜଣେ ଅଧେ ସନେଇଁକୁ ପଚାରିଥିଲେ । ସମସ୍ତଙ୍କୁ ସନିଆଁ ଗୋଟିଏ ଜବାବ ଦେଲା, କାହାର ଗଣ୍ଠିମାଲ ମୁଁ ଚୋରି କରିନାହିଁ ।

 

ଲୋକେ କହିଲେ ମାଟି ଖୋଳୁ ଖୋଳୁ ପୁରୁଣାଡିହରୁ ସନେଇଁ ପରିଡ଼ାର ହାବୁଡ଼େ ପୋତାମାଲ କିଛି ପଡ଼ିଯାଇଛି, ସାତପୁରୁଷର ଡିହ । ନିଧେଇ ସୋଇଁ ଏକମତ ହୋଇ କହିଲେ, ବେଶି ନୁହେଁ, ଯାହାକିଛି ପାଇଛି ଖାଲି ସୁନାମୋହର । ମୋରି ପାଖରେ ବିକ୍ରିକରି ଟଙ୍କା ଆଣୁଛି, ଯେତେବେଳେ ତାର ଯେପରି ଲୋଡ଼ା । ପଚାରିଲେ କହୁଛି କାହାର ଗଣ୍ଠିମାଲ ସେ ଚୋରି କରିନାହିଁ ।

 

ପାଲା ଭାଙ୍ଗିଲା, ସନିଆଁ ଜାତିରେ ମିଶିଲା । ମନେ ମନେ ଗର୍ବ ଅନୁଭବ କଲା, ସେ ଆଜି ସମାଜରେ ମିଶିଛି । କେହି ତାକୁ ଅଛୁଆଁ ଅଜାତି ବୋଲି ଘୃଣା କରିପାରିବେ ନାହିଁ । କେହି ତାକୁ ଘର ମନା କରିପାରିବେ ନାହିଁ ।

 

ସନିଆଁ ଜାତିରେ ମିଶିଛି । ପେଟର ଜ୍ୱାଳାରେ ଜୀବନ ପାଇଁ ଯେତେ ଯାହା ଅଖାଦ୍ୟ ଖାଇ ସେ ତାର କାୟା ନଷ୍ଟ କରିଥିଲା, ପଞ୍ଚାମୃତ ପାଣି ଦେହରେ ପଡ଼ି ସବୁ ଅପବିତ୍ରତା ତାର ଧୋଇ ହୋଇଯାଇଛି । ଲଣ୍ଡିତ ମୁଣ୍ଡ ହୋଇ ସେ ଆଜି ସମାଜ ଭିତରେ ପଶିଛି । ଏଥର ସେ ଠାକୁର ମନ୍ଦିର ଭିତରେ ପଶିପାରିବ, ଛୁଆଁ ଜାତିଙ୍କ ପିଣ୍ଡାରେ ବସିବ, ତା’ ହାତରୁ ସମସ୍ତେ ପାଣି ପିଇବେ । ଯେଉଁମାନେ ଅଛୁଆଁ, ଅଜାତି ସେମାନଙ୍କ ପାଖରୁ ସେ ଦୂରେଇ ରହିବ ।

 

ଦୂରଦେଶାଗତ ପଡ଼ୋଶୀ ପରି ସନିଆଁ ସବୁ ଘରକୁ ଛୁଟିଲା । ସେ ଆଜି ନୂଆ ଜନ୍ମ ଲାଭ କରିଛି । ସମସ୍ତଙ୍କ ଉପରେ ତାର ଅଧିକାର । ସମସ୍ତେ ତାକୁ ଆଦର କଲେ, ହସିକରି କଥା କହିଲେ । କେହିକେହି ସୁଖଦୁଃଖ ହେଲେ । ସନିଆଁକୁ କେଡ଼େ ଭଲ ଲାଗିଲା । ସେ ଛାତି ଫୁଲାଇ ଘରକୁ ଫେରିଲା ।

 

ଘର ? ସେଇ ଯେ ଆମ୍ବ ଡିମିରିର କୁଡ଼ିଆଖଣ୍ଡି । ଭିରକୁ ପଶିଲେ ମୁଣ୍ଡରେ ରୁଅ ବାଜୁଛି । ରୁଅ ଉପରେ ତାଳ ବରଡ଼ା । ଏଇ ଘରେ ସେ ରହିବ ?

 

ତାକୁ ଲାଜ ଲାଗିଲା । ଅଣ୍ଟାରୁ ବଟୁଆ କାଢ଼ି ଦେଖିଲା, ଆଉ କିଛି ଅଛି । ଭଲକରି ଘର ଖଣ୍ଡିଏ ତୋଳି ହେବ । ମୁଣ୍ଡ ଗୁଞ୍ଜିବାକୁ ରାହା ମିଳିଲେ ପେଟ ପାଇଁ ସେ ଯେଉଁଠି ହେଲେ ମୂଲ ଲାଗିବ ।

 

ସନିଆଁ ଘର ତୋଳାଇଲା, ଦୁଇ ବଖରା ତିନି ଶେଣିଆଁ ଘର । ଉଚ୍ଚ ମୂଳଦୁଆ । ତିନିପଟେ କାନ୍ଥ, ଚାଳିଦେଇ ନିବୁଜ ଖଞ୍ଜା । ଅଗଣାରେ କୂଅ । ଦଶଗୁଣ୍ଠ ବାରିର ଚାରିପାଖେ ବୁଜା ହେଲା ବାଡ଼ । ପରିଡ଼ାଙ୍କର ଅରମା ଡିହ ଘର ପରି ଦିଶିଲା । ଲୋକେ ଦେଖି ନିଶ୍ଵାସ ମାରିଲେ । କିଛି ପୋତାମାଲ ହାବୁଡ଼େ ପଡ଼ିଛି, ବେଶିଦିନ ନୁହେଁ ଯେ, ଏମିତି ମାଲ ଏକା ଫାଙ୍କରେ ଉଡ଼ିଯାଏ, ଝାଳବୁହା ନୁହେଁ ପରା ।

 

ଘର ଆଗରେ ଠିଆ ହୋଇ ସନିଆଁ ଘର ଆଡ଼କୁ ଚାହିଁ ରହିଲା । ତୃପ୍ତିରେ ନିଶ୍ଵାସ ଛାଡ଼ିଲା । ମନେହେଲା ଯେପରି ସେହି ଘରଭିତରୁ ହସି ହସି ଧୋବୀ ବାହାରି ଆସୁଛି । କିନ୍ତୁ କାହିଁ ଧୋବୀ ? ମକର ସଂକ୍ରାନ୍ତି ଦିନ ତା ସାଙ୍ଗରେ ଦେଖା ହୋଇଥିଲା । ଏ ଭିତରେ ତାର ଏତେ ପରିବର୍ତ୍ତନ ହୋଇ ଗଲାଣି; କିନ୍ତୁ ଧୋବୀ ସଙ୍ଗେ ଦେଖା ହୋଇନାହିଁ । ମନ ଛଟପଟ ହେଉଛି ଦେଖା କରିବାକୁ, ସାହାସ ହେଉନାହିଁ । ମୂଲିଆ ସନିଆଁ କି ଭରସାରେ ଲକ୍ଷପତି ଚିନ୍ତେଇ ସୋଇଁର ଝିଅ, ଲକ୍ଷପତି ଜିତେଇ ନାଏକଙ୍କ ବୋହୂ ସଙ୍ଗେ ଦେଖା କରିବ ?

 

କାହିଁକି ଧୋବୀ ଏତେ ମାୟା ଲଗାଇଲା । କାହିଁକି ସେ କାଙ୍ଗାଳ ସନିଆଁକୁ ମରଣ ମୁହଁରୁ ଅଟକାଇ ରଖିଲା ? ଦେଶାନ୍ତରୀ ସଂକଳ୍ପ ଆଗରେ ଠିଆହୋଇ ପୁଣି ସେହି ପୁରୁଣା ସମାଜ, ପୁରୁଣା ମାଟିରେ ତାର ଚେର ପୋତିଲା ? ଏ ଘର କାହାର ? ନୂଆ ଜନ୍ମ ପାଇ ଫେରି ଆସିଛି ଯେଉଁ ସନିଆଁ ସେ ବା କାହାର ? ସନିଆଁର ମନରେ ଖେଳି ବୁଲୁଛି ଯେଉଁ ଭାବନା, କାମନା, ଭବିଷ୍ୟତର ସୁନେଲି ଛବି, ସେଥିପାଇଁ ଦାୟୀ କିଏ ? ସବୁ ଧୋବୀର, ସନିଆଁ ତାର ସ୍ନେହ ଆଗ୍ରହର ଖେଳନା ।

 

ଧୋବୀ ତାକୁ ଯାହା ଦେଇଥିଲା, ସବୁ ଶେଷ ହୋଇଛି । ପେଟପାଇଁ ପୁଣି ଏଣିକି ତାକୁ ମୂଲ ଲାଗିବାକୁ ହେବ । କାହିଁକି ? ବଞ୍ଚିବାକୁ ? ପରର ଧନସମ୍ପତ୍ତି ବଢ଼ାଇବାକୁ ? ବଞ୍ଚିବ ବା କାହିଁକି ? କେବଳ ମୂଲ ଲାଗିବାକୁ ? ଭଗବାନଙ୍କର କଣ ଏହାହିଁ ବିଧାନ ? ବିନା ଦୋଷରେ ଜଣକୁ କରିବେ ମୂଲିଆ, ବିନା ପରିଶ୍ରମରେ ଆଉ ଜଣେ ହେବ ତାର ମାଲିକ ।

 

ପ୍ରତି ମନ୍ଦିରରେ ଯେଉଁ ଅଚଳ ମୂକଦେବତା ମଣିଷ ହାତରେ ଗଢ଼ାହୋଇ ମଣିଷ ହାତରେ ପ୍ରତିଷ୍ଠିତ ହୋଇଛନ୍ତି, ମଣିଷର ସ୍ଵାର୍ଥପରତା ପାଇଁ ସେ ଯେଉଁ ନୂଆ ଧର୍ମର ମନ୍ତ୍ର ଗଢ଼ିଛି, ସେହି ମନ୍ତ୍ର ଶୁଣି ଶୁଣି, ଯେଉଁ ଅଚଳ ଅଥର୍ବ ପଥର ମୂର୍ତ୍ତି ଫୁଲଚନ୍ଦନରେ ଘୋଡ଼ାଇ ହୋଇଛି, ସେ ତ ପ୍ରଚାର କରେ ନାହିଁ ଉଚ୍ଚ ନୀଚତା, ଅସମାନତା । ପ୍ରଚାର କରେ ମଣିଷ, ଯିଏ ଗଢ଼ିଛି ଠାକୁର, ଯିଏ ରଚିଛି ବେଦ, ପୁରାଣ, ମନ୍ତ୍ର ।

 

ପର ଦୁଆରେ ମୂଲ ନ ଲାଗି ସନିଆଁର ଅନ୍ୟ ଉପାୟ ନାହିଁ । ପେଟ ପୋଷିବ, ବଞ୍ଚିବ ପୁଣି ଡହଳ ବିକଳ ହେବ । ମଣିଷ ପିଲା ହୋଇ ଏଇ ଟିକି ପୃଥିବୀ ପିଠିରେ ଗୋଡ଼ ଦେଲାଦିନୁ ସେ ଏଇ ପୃଥିବୀର, କିନ୍ତୁ ଏ ପୃଥିବୀ ତାର ନୁହେଁ । ଯେଉଁମାନେ ଯାହା ଆଗତୁରା ମାଡ଼ି ବସିଛନ୍ତି ସବୁ ତାଙ୍କର । ସେମାନେ ଆଗ ଚାଲିଯିବେ, କିନ୍ତୁ ଯେଉଁମାନଙ୍କୁ ନିଜର ବୋଲି ଡାକନ୍ତି, ଛାଡ଼ିଯିବେ ତାଙ୍କରି ପାଇଁ, ସତେ ଯେପରି ମା ପେଟରୁ ସେମାନେ ସବୁ ସଙ୍ଗରେ ଘେନି ଆସିଥିଲେ । ସନିଆଁ ତାଙ୍କରି ଦୁଆରେ ମୂଲ ଲାଗିବ । ତାଙ୍କରି ପରି ହେବାକୁ, ନୋହିଲେ ତାଙ୍କଠୁ ବଡ଼ ହେବାକୁ ସେ ଦିନରାତି ପରିଶ୍ରମ କରିବ ।

 

ସନିଆଁ ପରଦୁଆରେ ମୂଲ ଲାଗିବାକୁ ଗଲା । ନିତି ସକାଳେ ଉଠି ସେ ଘରକାମ କରେ-। ନିଜେ କରିଥିବା ବଗିଚାରେ କୋଡ଼ିଧରି ହାଣେ, ଗଛରେ ପାଣିଦିଏ । ସୂର୍ଯ୍ୟ ଉଠି ଆସିଲେ ମୁକୁଳା ଘରେ ତାଲା ଦେଇ ସେ ବାହାରି ପଡ଼େ କାମକୁ । ପର ଦୁଆରେ ଖଟି ଖଟି, ହାଡ଼ଭଙ୍ଗା ପରିଶ୍ରମ କରି ଗାଧୁଆ ବେଳକୁ ସେ ଫେରେ । ରାତିରେ ପଖାଳ ଗଣ୍ଡିକ ଖାଇ ଦମ୍ ନିଏ । ପୁଣି ଉଠେ, ଯାଏ କାମକୁ । ସଞ୍ଜବତୀ ଲାଗେ । ପଇସା ତିନିଅଣା ମୂଲ ଧରି ସେ ଫେରେ । ଦୋକାନରୁ ଚାଉଳ, ଡାଲି, ଲୁଣ, ତେଲ କିଣି ଆଣେ । କାମରୁ ଫେରି ଘର ପିଣ୍ଡାରେ ଫା ଗାଳିଦେଇ ପଡ଼ିଯାଏ ଘଣ୍ଟାଏ ।

 

ଆଖଡ଼ାଘରୁ ମୃଦଙ୍ଗ ବାଜି ଉଠେ । ଏପାଖରୁ ଶୁଭେ ଖଞ୍ଜଣିମାଡ଼ । ସନିଆଁ ଉଠେ, ରୋଷେଇ କରେ, ପୁଣି ବଗିଚାରେ କାମ କରେ । ବାଇଗଣ କଷି ଧରିଲାଣି, ସାରୁ ଗଛ ମରି ମରି ଆସୁଛି । ଲଙ୍କା ମରିଚ ଗଛଗୁଡ଼ିକରେ ଫୁଲ କଷି ନଦି ହେଲାଣି । କେତେ ଯତ୍ନରେ ସନିଆଁ ସେ ସବୁ ଲଗାଇଛି, ବଢ଼ାଇଛି । ରାତି ଅଧରେ ସନିଆଁ ହାତରନ୍ଧା ଭାତ ଖାଏ । ବାକିତକ ପଖାଳି ଦେଇ ସେ ଶୋଇପଡ଼େ । ପୁଣି ନିଦ ଭାଙ୍ଗେ ପାହାନ୍ତାକୁ ।

 

ସାଙ୍ଗ ମୂଲିଆ- ଗାଁ ଲୋକେ କଥାଭାଷା ହୁଅନ୍ତି, ସନିଆଁର ପୋତାପାଣ୍ଠି ସରିଗଲା ପରା-। କେହି କେହି ପଚାରି ଦିଅନ୍ତି । ସନିଆଁ ମୁଣ୍ଡ ହଲାଇ କହେ, ସରିନାହିଁ ଅଛି, ଢେର ଅଛି । ଲୋକେ ଆଶ୍ଚର୍ଯ୍ୟ ହୁଅନ୍ତି । ସନିଆଁ ହସି ହସି କହେ, ଦିନେ ବାହାରିବ ଯେ, ଦେଖିବ ।

 

ନିତି ନିତି ପରିଶ୍ରମ କରି ସନିଆଁ ଯେଉଁ ମୂଲ ଭେଇଆଣେ, ସେତକ ତାରି ପେଟକୁ ନିଅଣ୍ଟ ହୁଏ । ଚାରି ପଇସା ବଳେଇ ରଖି ବାଛୁରୀ କି ଛେଳିଟିଏ କିଣିବାକୁ ତାର ଉପାୟ ନ ଥାଏ-। ଯେଉଁ ତିନିମାଣ ଜମି ବାପ ଛାଡ଼ି ଯାଇଥିଲା । ସେତକ ଚିନ୍ତେଇ ସୋଇଁ ଦଖଲ କରି ବସିଛନ୍ତି । ଜମିର ଭାଗଧାନ ପହରାଜଙ୍କ ପାଖରେ ଜିମା ଅଛି । ଏହା ଜାଣି ମଧ୍ୟ ସାହାସ କରି ସୋଇଁଙ୍କ ଘରକୁ, କି ପହରାଜଙ୍କ ଘରକୁ ସେ ଯାଇପାରେ ନାହିଁ । ନିଜର ମାଲ ହେଲେ ବି ଗାଁ ଲୋକେ ଠାକୁରଙ୍କ ନାମରେ ସୋଇଁଙ୍କୁ ଆଗରେ ରଖି, ଜମିତକ ଦଖଲ କରିଛନ୍ତି । ସନେଇଁ ସେ ଜମି ପାଖକୁ ଯିବାକୁ ସାହାସ କରେ ନାହିଁ, କି ଉପାସ ରହି ମଧ୍ୟ ପହରାଜଙ୍କୁ ଧାନ ମାଗେ ନାହିଁ । ଗାଁ ଲୋକ ଯଦି ମେଳି ହେବେ କାହାରି ବିରୁଦ୍ଧରେ ସେ ଠେଙ୍ଗା ଉଠାଇ ପାରିବ ନାହିଁ । ଜମିଦାରଙ୍କ ଆଗରେ ଗୁହାରି କରିବାକୁ ଗଲେ ସଲାମି ଦରକାର । ସରକାରଙ୍କ ଅଦାଲତରେ ଫେରାଦି ଦେଲେ ଧନ ଲୋଡ଼ା । କଂସାବାସନ ନାହିଁ ବୋଲି ଯିଏ କଦଳୀପତ୍ର, ଖଲିପତ୍ରରେ କାମ ଚଳାଏ, ସେ ବା ପଇସା ପାଇବ କେଉଁଠୁ ?

 

ଧୋବୀର ଉପଦେଶ ତାର ମନେପଡ଼େ । ସ୍ତ୍ରୀ ଲୋକ, ପୁଣି ପିଲା ବୟସ, ଭଲମନ୍ଦ ବିଚାରି କହିବା ଭଳି ବୁଦ୍ଧି ତାର ହୋଇ ନାହିଁ । ଗାଁ ଲୋକଙ୍କ ବିରୁଦ୍ଧରେ ଠିଆହେଲେ ଶେଷଫଳ କଣ ହୁଏ ତାକୁ ଜଣାନାହିଁ । କିନ୍ତୁ ସନିଆଁ ଆଉ ଧୈର୍ଯ୍ୟ ଧରି ରହିପାରୁ ନାହିଁ । ନିଜର ହୋଇ ଯଦି ବୃତ୍ତି ନ ଥାଏ, ପାଞ୍ଚଜଣକ ଭିତରେ ସାଙ୍ଗ ସରିସା ହୋଇ ସେ ଚଳିବ କିପରି ? ଯେଉଁମାନଙ୍କ ଦୁଆରେ ମୂଲ ଲାଗି ପେଟ ପୋଷିବ ସେମାନଙ୍କ ପାଖରେ ମୁଣ୍ଡ ନୋଇଁ ଚାଲିବ ସିନା । ତା ପରିବର୍ତ୍ତେ ଗାଁ ଛାଡ଼ି ଚାଲିଯିବା ବରଂ ଭଲ ଥିଲା । କି ଉଦ୍ଦେଶ୍ୟରେ ବା ଏତେ କଷ୍ଟ ସହି ଗାଁ ମାଟି ଆଦରି ପଡ଼ି ରହିବ ?

 

ଧୋବୀର ରୂପ, ଧୋବୀର ସେବା, ସହାନୁଭୂତି, ହସକାନ୍ଦ, ଉତ୍ସାହ ମନେପଡ଼େ । ସନିଆଁର ଛାତି ଭିତରେ ପୁଲକ ଜାଗେ । ବାମନ ହୋଇ ଚନ୍ଦ୍ରକୁ ହାତ ବଢ଼ାଇବାକୁ ତାର ମନ ଡାକେ । ଆତ୍ମା ତାର ଗର୍ଜି ଉଠେ, ଗରିବ ହୋଇ, ଅପମାନ, ଦୁଃଖକଷ୍ଟ ସହି ଛାତିତଳର ଛପିଲା ଆଗ୍ରହକୁ ପୋଡ଼ିଜାଳି ପାଉଁଶ କରି, ସେ ବଞ୍ଚି ରହିବାକୁ ଚାହେଁ ନାହିଁ । ବଞ୍ଚିବ ଯଦି ସେ ମଣିଷ ଭଳି ବଞ୍ଚିବ । କାଠ ପଥର ପରି ନିର୍ଜୀବ ଜଡ଼ ପଦାର୍ଥ ହୋଇ ସେ ବଞ୍ଚିବ ନାହିଁ କି କାମ କରି ପର ପାଇଁ ଧନ ଅର୍ଜିବାର ଯନ୍ତ୍ର ହୋଇ ବଞ୍ଚିବ ନାହିଁ । ଆଗ ସେ ପହରାଜଙ୍କ ପାଖକୁ ଯିବ, ନିଜର ଦାବି ସାବ୍ୟସ୍ତ କରିବ ।

 

ପହରାଜେ ବି କିଛି ଶୁଣିଲେ ନାହିଁ । ସନିଆଁର ସବୁ କଥା ଶୁଣି ନାସ ଟିପେ ନାକରେ ଦେଇ ଚୁଟି ଅଗରେ ଫୁଲ କେଣ୍ଡିକ ହଲାଇ ହଲେଇ କଅଁଳେଇ କହିଲେ, ଆରେ ବାପା ସନେଇଁ, ଜମିର ମାଲିକ ହେଲେ ଜମିଦାର । ଯେତେଦିନ ଯାଏ ଖଜଣା ଦେଉଥିବ, ସେତେ ଦିନ ଯାଏ ଜମି ଚଷି ଖାଇବ । ଖଜଣା ବାକିଆ ପଡ଼ିଲେ ଜମିଦାର ଅଦାଲତରେ ନାଲିସ କରି ଜମି କୋରକ କରି ନେବେରେ । ଜମିଦାରକୁ ପୁଣି ରାଜସ୍ଵ ଦେବାକୁ ପଡ଼ୁଛି । କହିଲୁ ବାପ ସେ କେଉୁଁଠ ଆଣିବ ? ତମେ ଆମେ ଦେଲେ ତ ହେବରେ ବାପ । ଜମି ତିନିମାଣ ତୋର ନିଲାମରେ ଉଠିଲା । ଖଜଣା ବାକି । ଚିନ୍ତେଇ ସୋଇଁ ନିଲାମରେ କିଣିଲେ । ଆହା, ଧନ୍ୟ ସୋଇଁଏ । ନିଲାମ ଧରି ଗ୍ରାମବାସୀଙ୍କୁ ଡାକି କହିଲେ, ଠାକୁରଙ୍କ ସମ୍ପତ୍ତି ନାହିଁ । କେମିତି ଅଭେକାଙ୍କ ପରି ପଡ଼ିଛିନ୍ତି । ନିଅ ପହରାଜେ ଏହାର ବ୍ୟବସ୍ଥା କର । ଠାକୁରଙ୍କ ପୂଣ୍ୟପର୍ବ କର । ପାଞ୍ଚ ଗାଁର ପାଞ୍ଚ ଠାକୁରଙ୍କ ସଙ୍ଗେ ଆମ ଗାଁ ଠାକୁର ସମାନ ହୋଇ ଠିଆ ହେଉନ୍ତୁ । ଆହା ହା, ଧନ୍ୟ ସୋଇଁଏ । ଠାକୁରରେ ତାଙ୍କର ଅଧିକରୁ ଅଧିକ କରନ୍ତୁ । ଆରେ ସନେଇଁ, ସେ ଜମି ଉପରେ ତୋର କିଛି ଅଧିକାର ନାହିଁ ।

 

ପହରାଜେ ଆଉଟିପେ ନାସ ନେଇ ଦୁଇଥର ଛିଙ୍କି କହିଲେ, ମାଧେଇ ରାଉତ, ଗୋକୁଳି ପାତ୍ର, ଗୋବରି ବସ୍ତିଆ ଏମାନଙ୍କର ଜମି ବାଡ଼ି, ଘର ଡିହ ସବୁ ପୁଣି ସୋଇଁଏ ନିଲାମ ଧରିଥିଲେ, ସବୁ ଜମି ସେ ଠାକୁରଙ୍କୁ ଦେଇଛନ୍ତି । ପୁଣ୍ୟବନ୍ତ ପୁରୁଷ ସୋଇଁଏ, ଠାକୁରେ ତାଙ୍କର ବଡ଼ତି କରନ୍ତୁ । ଆରେ ବାପା ସନେଇଁ, ସମ୍ପତ୍ତି ଏଇ ମଣିଷ କମାଏ । ସବୁ ପ୍ରଭୁଙ୍କର ଇଚ୍ଛା । ତାଙ୍କର ବିନା ଇଚ୍ଛାରେ ଗଛର ପତ୍ର ଝଡ଼େ ନାହିଁ । ଦେବତା ବ୍ରାହ୍ମଣଠେଇଁ ଭକ୍ତି ରଖିଥା ବାପା, ଠାକୁର ଯେବେ ଦେବେ ଛପର ଫାଡ଼ିକରି ଦେବରେ ।

 

ପହରାଜେ ପିଣ୍ଡି ଉପରେ ବସି ପୋଥି ଘାଣ୍ଟିଲେ । ପିଣ୍ଡିତଳେ ଯୋଡ଼ହାତ ହୋଇ ବସିଚନ୍ତି ପରି ଦଳେଇ, ବିନି କାଣ୍ଡି, ସେବା ବେହରା । ପହରାଜେଙ୍କ କଥାଶୁଣି ସମସ୍ତେ ଏକସ୍ଵରରେ କହି ଉଠିଲେ, ହଁରେ ସନେଇଁ, ଠାକୁରଙ୍କ ଠେଇଁ ଲୟ ରଖିଥା, ଅବଶ୍ୟ ତୋ ଦୁଃଖ ଯିବ, ଅଧିକରୁ ଅଧକ ହେବ ।

 

ବିନି କାଣ୍ଡି କହିଲା, ଆରେ ପୁଅ, କୋଉ ଜନ୍ମରୁ ସୁକୃତ ଥିଲା, ଠାକୁରଙ୍କ ଦୟା ହେଲେ, ତୁ ସେ ପୁରରୁ ଫେରିଆସିଲୁ, ପରିଡ଼ା ବଂଶର କୁଳ ରହିଲା । ମାଧୋଇ ରାଉତ ଆଉ ଫେରିଲା ନାହିଁ । ଗୋକୁଳି ପାତ୍ର, ଗୋବରି ବସ୍ତିଆ, ସମସ୍ତେ ଯାଇଥିଲେ, କେହି ଗୋଟିଏ ଫେରିଲେ ନାହିଁ । ମାହାପାତକୀ ସେମାନେ ।

 

ପହରାଜେ କହିଲେ, ବିନା ଯାହା କହିଲା ମିଛ ନୁହେଁ । ସେଇ ମାଧିଆଟାକୁ ମୁଁ ଦେଖିଛି, ଓହୋ, ଯେମିତି କରି ବଦଳଟାକୁ ପାଞ୍ଚଣ ମାରିଥାଏ; ନୋଳା ଫାଟି ରକ୍ତ ବୋହୁଥାଏ । ଗୋରୁ ନିଶ୍ଵାସ ସ୍ଵର୍ଗ, ମର୍ତ୍ତ୍ୟ ପାତାଳ ଥରାଇ ଦିଏ ।

 

ପରି ଦଳେଇ କହିଲା, ନିଜ କଥା ଲୁଚାଉଛ ଗୋସାଇଁ, ଗୋକୁଳ କେମିତି ସେ ଦିନ ଚାହିକିଁ ଆସିଲା ତୁମକୁ ମାରିବାକୁ । ତମ ଅପଶାଇପ ପଡ଼ିଗଲା ।

 

ହସି ହସି ପହରାଜେ କହିଲେ, ଆହା ହା, ସେ କଥା କହନାରେ ପୁଅ, ସଂସାରର ମଙ୍ଗଳ କରିବାକୁ ବ୍ରାହ୍ମଣର ଜନ୍ମ, ଆମତୁଣ୍ଡରୁ ଅପଶାଇପ ବାହାରିବ ? ନାଇଁ,ନାଇଁ । ନିଜ କର୍ମ ଫଳ ସେ ଭୋଗିଲା, ମୋର ଅପଶାଇପ ନୁହେଁ ।

 

ସେବା ବେହେରା ମୁଣ୍ଡ କୁଣ୍ଡେଇ କହିଲା, ଦେବତା ବ୍ରାହ୍ମଣ ପ୍ରତି ଅଭକ୍ତି ଦେଖାଇ ଗୋବରି ବସ୍ତିଆ ସବଂଶେ ନାସଗଲା । ଠାକୁରାଣୀଙ୍କ ଓସ୍ତ ଗଛରୁ ଡାହି ହାଣି ଜାଳିଥିଲା ସେ, ଦେଖ ତ ବହପ ।

 

ସନେଇଁ ହାତଯୋଡ଼ି କହିଲା, ମୁଁ ତେବେ କେମିତି ଚଳିବି ରାମ ନନା, ମୂଲ ଲାଗି ଯାହା ଆଣୁଛି, ପେଟକୁ ଅଣ୍ଟୁ ନାହିଁ । ସବୁଦିନ ମୂଲ ମିଳୁନାହିଁ । ଠାକୁରଙ୍କ ଧାନଗଦାରୁ ମେତେ କିଛି ଧାନ ଉଧାର ଦିଅ । ତାଙ୍କର କିଛି ଜମି ଭାଗବଖରା ଦିଅ; ମୁଁ ଚାଷ କରି ଚଳିଯାଏ ।

 

ରାମ ପହରାଜେ ଗମ୍ଭୀର ହେଲେ । ଭାବିଚିନ୍ତି କହିଲେ, ଚିନ୍ତେଇ ସୋଁଇଙ୍କ ବିନା ଅନୁମତିରେ ମୁଁ କିଛି କରିପାରିବି ନାହିଁ । ବାପା ଠାକୁର ମାଲ, ହଳାହଳ ବିଷ, ମୁଁ ସିନା ମଝିରେ ମଧ୍ୟସ୍ଥି ।

 

ସେବା କହିଲା, ଯେଉଁ ପୋତା ମାଲ ହାବୁଡ଼ି ଥିଲା ସେତିକି ସରିଗଲା କିରେ ? ଆରେ ଯାହା ପାଇଲୁ, ସେଥିପାଇଁ ତ ତୋ ଦେହରୁ ଝାଳ ବୋହି ନାହିଁ, ଠାକୁରେ ମନ କଲାରୁ ସିନା ମିଳିଲା । ପାଞ୍ଚଆଙ୍ଗୁଠି ପାଟିରେ ପୂରେଇଲୁ । ଠାକୁର ପାଖରେ ଭୋଗରାଗ କଲୁ ନାହିଁ ; ସେ ଧନ କଣ ତୋତେ ଭୋଗ ହେବ ?

 

ସନେଇଁ କଟମଟ କରି ଚାହିଁଲା ସେବା ମୁହଁକୁ ।

 

ବିନି କାଣ୍ଡି କହିଲା, ଆରେ ପୁଅ, ତୁ ଭାରି ଭୁଲଟାଏ କରି ପକାଇଲୁ । ଏଡ଼େ ବଡ଼ ଘରଟାଏ ତୋଳି ଏତେ ଟଙ୍କା ଉଡ଼େଇ ଦେଲୁ କାହିଁକି ? ଜଣକ ପାଇଁ ବଖରାଟିଏ କରି ବାକି ଟଙ୍କାରେ ଜମି ଦି’ ମାଣ କରିଥିଲେ ତୋର ଦୁଃଖ ଯାଇଥାନ୍ତା । ତେଣିକି ହାଉଲେ ହାଉଲେ ଅଧିକ କରିଥାନ୍ତୁ ।

 

ରାମ ପହରାଜେ ପୋଥି ଘାଣ୍ଟି କହିଲେ, ଏଇରେ ପରି, ବାହାରିଲା, ତୋ ଭାଉଜର ନଳୀ ଗୋଡ଼ ଘାଆରେ ମାଛି ବସିଗଲା । ସେଇଟା ହେଲା ମାଛିଆ ପାତକ ଦୋଷ । କେତେ ପାପ କଲେ ଦେହରେ ପୋକ ପଡ଼େ । ପ୍ରାୟଶ୍ଚିତ୍ତ କରିବାକୁ ପନ୍ଦରଟି ଟଙ୍କାରୁ କମ୍ ଖରଚ ହେବ ନାହିଁ । ଯାହା ବିଧିବିଧାନ ଅଛି ସେତକ ତ କରିବାକୁ ହେବ, ନୋହିଲେ ପାପ ଖଣ୍ଡିବ କିପରି ? ଗୋଳାଗୋଳି କରି, ଏଣୁତେଣୁ କରି ମାରି ତାଳି ଉଠା ଥାଳି କଲେ, ଲୋକ ଦେଖିବାକୁ ସିନା ଶୁଦ୍ଧି ହେବାରେ ବାପ, ସବୁକଥା ଜାଣିଛନ୍ତି ଯେଉଁ ଠାକୁର ତାଙ୍କ ଆଖିରେ ତ ଧୂଳି ଦେଇ ହେବ ନାହିଁ । ପାପଟା ଗୋଟିଏ ଜନ୍ମରେ ଖଣ୍ଡେ ନାହିଁ । ଜନ୍ମକୁ ଜନ୍ମ ପଛରେ ଗୋଡ଼ାଇ ଥାଏ । ଦେଖୁନୁରେ ପୁଅ, ସମସ୍ତେ ତ ଆମେ ମଣିଷ ;ବଡ଼ ସାନ, ଉଚ୍ଚ ନୀଚ, ସୁଖ ଦୁଃଖ, ଭଲ ମନ୍ଦ, ସୁନ୍ଦର ଅସୁନ୍ଦର ଭେଦ କାହିଁକି ହେଲା ? ସବୁ କର୍ମ ଫଳ । ସେଥିପାଇଁ ମୁଁ କହେ ଚାରିପଇସା ବେଶୀ ଖରଚ ହେଉ ପଛେ, ପାପଟାକୁ ଏକାଥରେ ଧୋଇ ଆତ୍ମାକୁ ନିର୍ମଳ କରିନେବା ଭଲ । ତୋ ଇଚ୍ଛା ।

 

ପରି ଦଳେଇ ନିଃସହାୟ ଆଖିରେ ପୋଥି ଆଡ଼କୁ ଚାହିଁ ରହିଲେ । ପନ୍ଦର ଟଙ୍କା । ଗରିବଟା ସେ, କାଦୁଅ ପାଣି ଚକଟି ମୀନ ଧରି ପେଟ ପେଷେ । ଭାଗଜମି ଓ ଚୁଡ଼ାକୁଟାରୁ ଯାହାମିଳେ, ଦି’ ଓଳିରେ ଓଳିଏ ଚୁଲିରେ କୁହୁଳା ପକେଇବାକୁ ସମ୍ବଳ ନ ଥାଏ । ପନ୍ଦର ଟଙ୍କା କାହୁଁ ପାଇବ ? ରୋଜଗାରିଆ ବଡ଼ଭାଇ ବସନ୍ତରେ ଚାଲିଗଲା ଦିନୁ ସଂସାରର ବୋଝ ତା’ ମୁଣ୍ଡରେ ପର୍ବତପରି ଲଦା ହୋଇଗଲା । ଅବସ୍ଥା ଅଚଳ । ପନ୍ଦର ଟଙ୍କା କାହୁଁ ପାଇବ ? ଆଉ ନ କଲେ ବି ନ ଚଳେ । ଜାତିଭାଇ ଅଟକ କରିଛନ୍ତି । ତା’ ଘରେ ପାଣି ଛୁଉଁ ନାହାନ୍ତି । କେହି ଆଉ ଚୁଡ଼ା କୁଟିବାକୁ ଦେଉ ନାହାନ୍ତି ।

ବିନି କାଣ୍ଡିକୁ ଲକ୍ଷ୍ୟକରି ପହରାଜେ ଚୁଟି ହଲାଇ କହିଲେ, ପଘାରେ ଗୋରୁ ମରିବାଠାରୁ ବଳି ଆଉ ବଡ଼ ପାପ ନାହିଁ । ଗୋହତ୍ୟା ପାପ । ଦାନ୍ତରେ କୁଟାଧରି ଘର ଘର ବୁଲି ଭିକ୍ଷା ମାଗିବାକୁ ହେବ । ପାଟି ଖୋଲିବ ନାହିଁ । ପ୍ରାୟଶ୍ଚିତ୍ତ ଲୋଡ଼ା । ଶକ୍ତିକୁ ଚାହିଁ ବ୍ରାହ୍ମଣ ଭୋଜନୀ କରାଇବ । ଖରଚବାରଚ କଣ ହେବ ହିସାବ କଲେ ସିନା ହେବ କାଣ୍ଡିଏ, ବର୍ତ୍ତମାନ କିଛି କହିହେବ ନାହିଁ । ମୁଁ ଫର୍ଦ୍ଦ ରଖଥିବି, ତମେ ଦୁଇ ତିନିଦିନ ପରେ ଆସିବ ।

ସେବା ବେହେରା କହିଲେ, ମୋ କଥା ଟିକିଏ ବୁଝ ନନା ।

ପହରାଜେ କହିଲେ, ଆରେ ତତେ ବୁଝାଇବି କେମିତି ? ରୋଗା ହେଉ, ଭଲ ହେଉ ବିଲେଇଟାଏ । ତୋ ଘରଣୀ ଯେତେବେଳେ ବାଡ଼ି ପକାଇଲେ, ଆଉ ସେହି ବାଡ଼ି ବାଜି ପ୍ରାଣ ଗଲା, ପାପରେ ଭାଗୀ ତ ହେଲା ସେ । ସେ ବିଲେଇ ଓଜନର ଲୁଣ ଓଜନ କରି ବ୍ରାହ୍ମଣ ହାତରେ ଟେକି ଦେ । ଯାହା ତୋର ଶକ୍ତିକୁ ପାଇବ ଗଣ୍ଡାଏ ଖାଇବାକୁ ଦେଇ ଫଳେ ପୁଷ୍ପେ ବିଦାକି ଦେଇ କାମ ଶେଷ କର ।

ପହରାଜେ ଉଠିଲେ । କହିଲେ ଚିନ୍ତେଇ ସୋଇଁ ଝିଅ ଧୋବୀ କାଲି ଏକାଦଶୀ । ସେ ଡକେଇ ପଠାଇଛି । ପ୍ରତି ଏକାଦଶୀକୁ ହୋମ ହୁଏ, ପାଞ୍ଚମୂର୍ତ୍ତି ବ୍ରାହ୍ମଣ ଭୋଜନ କରନ୍ତି, ଭାଗବତ ପାଠ ହୁଏ । ଯାହାକହ, ପିଲା ବୟସରେ ବିଧବା ହୋଇ ଖଣ୍ଡେଇତ ଘରେ ଜନ୍ମ ହୋଇ, ଏପରି ନିଷ୍ଠାରେ ଚଳିବା ଦେଖି ନ ଥିବ । ମତେ ସେଠିକି ଯିବାକୁ ହେବ । ତମେ ସବୁ ଯାଅ ଏଥର ।

 

ସମସ୍ତେ ଉଠି ଠିଆ ହେଲେ ।

 

ଥଙ୍ଗେଇ ଥଙ୍ଗେଇ ସନେଇଁ ପଚାରିଲା, ମୋ କଥା କଣ ବୁଝିଲେ ନନା, ନାହିଁ କଲେ ଚଲିବ ନାହିଁ । ମୁଁ ପୁଣି ଖାଇବି କଣ, ବଞ୍ଚିବି କିପରି ? ନୋହିଲେ, ତମର ଜମିରୁ ମତେ ଭାଗ ଦିଅ-। ମୁଁ ଫସଲ କରିବି । ତମ ଭାଗ ତମକୁ ବୁଝାଇ ଦେବି । ଚଳିବା ମାନିଆଁ ମତେ କିଛି ଧାନ ଦିଅ । ଫସଲ କରି ସୁଧ ସହିତେ ତମକୁ ମୁଁ ସୁଝେଇ ଦେବି ।

 

ରାମ ପହରାଜେ ବିରକ୍ତିଆ ସ୍ଵରରେ କହିଲେ, ତୋ ଚଳାଚଳ ପାଇଁ ମୁଁ ଦାୟୀ ନୁହେଁ । ଗାଁର ହର୍ତ୍ତାକର୍ତ୍ତା ହେଲେ ଚିନ୍ତେଇଁ ସୋଇଁ, ତାଙ୍କ ଆଗରେ ଗୁହାରି କର । କେଉଁ କଥାର ଅଭାବ ? ଧାନ କହିଲେ ସେ ଦେବେ, ଜମି କହିଲେ ସେ ଦେବେ । ତାଙ୍କୁ ଭିଜେଇ ପାରିଲେ ତୋର ଦୁଃଖ ଯିବ । ଆମ ସବୁ ଛେଳି ମେଣ୍ଢା । ଆମ ଗୋଡ଼ରେ କି ଧାନ ମକଚି ହେବରେ ବାପ ?

 

ଏତିକି କହି ପହରାଜେ ଭିତରକୁ ଗଲେ । ପରି, ବିନି ଓ ସେବା ଧୀରେ ଧୀରେ ଚାଲିଗଲେ । ସନେଇଁ ପହରାଜଙ୍କ ଆଗରେ ଘର ଆଗ ନଡ଼ିଆ ଗଛ ମୂଳରେ ହତାଶ୍‍ ହୋଇ ବସିପଡ଼ିଲା । ଆଜି ପୌଷ କୃଷ୍ଣ ଦଶମୀ । ଶୀତ କମିଥିଲେ ମଧ ଦି’ପହରଟାରେ ଦେହ ଶିତେଇ ଉଠୁଛି । ଛାଇରେ ବସିଲେ ଦିହ ଶୀତଉଛି, ଖରାକୁ ଗଲେ ଖରା କାଟୁଛି । ସନେଇଁ ନଡ଼ିଆଗଛ ମୂଳର ପାତଳ ଛାଇତଳେ ବସି ଭାବିବାକୁ ଲାଗିଲା, ଏଥର ଉପାୟ କଣ ।

Unknown

 

କାହାର ଖିଲି ଖିଲି ହସ ଓ ଗୋଡ଼ିଆଗୋଡ଼ି ଶବ୍ଦ ଶୁଣି ସେ କରେଇ ଚାହିଁଲା । ପହରାଜଙ୍କ ଘରକଡ଼ ଖଳାବାରିରେ ଧାନ ଓ ପାଳଗଦା କରରେ, ଖଳାର ଖୁଣ୍ଟ ପାଖରେ ଲୁଚିଯାଉଛି ଝିଅଟିଏ–ତେର ଚଉଦ ବର୍ଷରର ସୁନ୍ଦର ଡଉଲଡାଉଲ, ଅଧଲଙ୍ଗଣା ଠାଣି, ମୁହଁରେ ହସ, ଆଖିରେ ଆଗ୍ରହ ଓ ଉତ୍ତେଜନା । ତାର ଲୁଗା କାନିକୁ ଓଟାରି ଧରିଛି ସତର ଅଠର ବର୍ଷ ବଳିଷ୍ଠ ଟୋକାଟିଏ । ସିଏ ମଧ୍ୟ ହସୁଛି, ପଛ କରିଛି, ସନିଆଁ ଆଡ଼କୁ ।

 

ଝିଅଟି ପହରାଜଙ୍କ ନାତୁଣୀ; ବାଲ୍ୟବିଧବା, ପାର୍ବତୀ ତାର ନାମ, ଡାକନ୍ତି ପାର ବୋଲି-। ପୁଅଟି ତାଙ୍କର କୋଠିଆ, ଶିବ ଘୋଷ । ସେ ଅନାଥ ଖଣ୍ଡେଇତ ପିଲା ।

 

ପାରର ଆଖିରେ ପଡ଼ିଲା ସନିଆଁ । ଲାଜରେ ମୁହଁ ଫିକ୍‍କା ପଡ଼ିଗଲା । ଶିବ ଉପରେ ବିରକ୍ତିର ଭାବ ଦେଖାଇ କହିଲା, ଛାଡ଼ ମୋ ଲୁଗା ।

 

ସନିଆଁ ମୁହଁ ଫେରାଇ ଧୀରେ ଧୀରେ ଉଠି ଆସିଲା ।

 

ବେଳବେଳେ ଆଗ୍ରହ ହୁଏ, ଥରେ ଯାଇ ସନେଇଁର ନୂଆଘର ଦେଖି ଆସିବ, ସୁବିଧା ପାଇଲେ ତା’ ସଙ୍ଗେ ଚାରି ପଦ କଥା ହେବ, କିନ୍ତୁ ଧୋବୀକୁ ଲାଜ ମାଡ଼େ । ଡର ମାଡ଼େ । କେବେ କେମିତି ଶିବ ମନ୍ଦିରକୁ ଗଲେ ସନେଇଁର ନୂଆଘର ତାର ଆଖିରେ ପଡ଼େ । କଡ଼େଇ କଡ଼େଇ ଚାହିଁ ସେ ବାଟେ ବାଟେ ଯାଇ ଫେରିଆସେ । ସନେଇଁର ଘର ପାଖରେ ଅଟକି ରହିବାକୁ ମନ ଡାକିଲେ ବି ସେ ବେଗି ବେଗି ପାହୁଣ୍ଡ ଚାଲେ । ସନେଇଁର ଭେଟ ପାଇବାକୁ ଆଗ୍ରହ ହେଲେ, ସେ ଆଗକୁ ପଛକୁ ଭୟାତୁର ଆଖିରେ ଚାହେଁ, ସତେ ଯେମିତି ଦୁନିଆଁ ଯାକ ଲୋକ ତାରି କାମକୁ, ତାର ଢଙ୍ଗଢାଙ୍ଗକୁ ଅନେଇ ବସିଛନ୍ତି, ଧୋବୀର ମରମ ଭିତରର ଆଗ୍ରହକୁ ଦେଖି ପାରୁଛନ୍ତି । ସନେଇଁ ପରିଡ଼ାର ନୂଆଘର ତା’ ପଛରେ ଛପିଯାଏ । ଧୋବୀ ଶେଷଥର ପାଇଁ ତା’ ଘରର ମଥାନକୁ ଚାହିଁ ଦୀର୍ଘଶ୍ଵାସ ଛାଡ଼େ । ସହଜ ପାଦରେ ଘରକୁ ଫେରେ ।

 

ସେ ବୁଝି ମଧ୍ୟ ବୁଝି ପାରେ ନାହିଁ, ଯେଉଁ ସନେଇଁ ପରିଡ଼ା ଗାଁ ଛାଡ଼ି, ଘର ଏବଂ ଗ୍ରାମବାସୀଙ୍କୁ ପରିତ୍ୟାଗ କରି ଚାଲି ଯିବାକୁ ବସିଥିଲା, ଧୋବୀର ଅଭିମାନିଆଁ କଥା ଓ ଢ଼ଙ୍ଗ ଦେଖି ସେ ତାର ସଂକଳ୍ପ ଭାଙ୍ଗିଲା କାହିଁକି ? ଧୋବୀର ଆଗ୍ରହ ନଭାଙ୍ଗି ସେ ସୁନାମୋହର ଗ୍ରହଣ କଲା । ତାର କଥା ମାନି ଘର ପ୍ରତିଷ୍ଠା କଲା, ଜାତି ହେଲା, ପୁଣି ପେଟ ପୋଷିବାକୁ ମୂଲ ଲାଗୁଛି । କାହିଁକି ଏତେ କଷ୍ଟ ସେ ସହୁଛି । ପରିଡ଼ା ବଂଶର ଅଂଶ ରଖିବାକୁ ସେ ବାହାହେବ ?

 

ଧୋବୀ ଏତିକି ସହିପାରେ ନାହିଁ । କିପରି ଖରାପ ଲାଗେ ତାକୁ । ସ୍ଵାମୀ ଓ ଶ୍ଵଶୁରଙ୍କ ମରଣବେଳର ମୁହଁ ତାର ଆଖିଆଗରେ ଭାସିଯାଏ । ସେମାନଙ୍କର ସ୍ନେହ, ମମତା, ଦିନ ଦିନକର କଥା ମନେପଡ଼େ । ଦୁଃଖରେ କୋହ ଉଠେ । ନିଜ ଉପରେ ନିଜର ରାଗ ହୁଏ । ନିଜେ ନିଜକୁ ଧିକ୍‌କାର କରେ । କାହିଁକି ସେ ସନେଇଁ ପରିଡ଼ାକୁ ବଞ୍ଚାଇଲା ? କାହିଁକି ସେ ତାର ସ୍ଵାମୀ ଶ୍ଵଶୁରଙ୍କର ଉପାର୍ଜିତ, ସଞ୍ଚିତ ଧନରୁ ଭାଗ ନେଇ ବାଟର ଭିକାରି ସନେଇଁ ପରିଡ଼ାକୁ ଦେଲା ?

 

ଏକୁଟିଆ ଘରେ ଖଟ ଉପରେ ମୁହଁମାଡ଼ି ପଡ଼ି ଆଖି ଲୁହରେ ଧୋବୀ ତକିଆ ଭସାଏ । ଟିକି ଟିକି ଭାଇଭଉଉଣୀ ପିଠି ଉପରେ ନାଟ କରନ୍ତି । ଲୁଗା ଟାଣନ୍ତି । ଅସ୍ତବ୍ୟସ୍ତ କରନ୍ତି । କାଠଗରିଣ୍ଡା ପରି ଧୋବୀ ପଡ଼ିରହେ । ଖୁଡ଼ୀ ଆସି କାନ୍ଥବାଡ଼କୁ ଦେଖେଇ କେତେ କଣ କହନ୍ତି । ପିଲାଗୁଡ଼ିଙ୍କୁ ଟାଣିନେଇ ରୁକ୍ଷସ୍ଵରରେ କହନ୍ତି-ଝିଅ ଶୋଇଛି, ଏ ଅବେଇଜ ପିଲା କଣ ହେଉଛନ୍ତି ମ, ଆସରେ ଭାତ ଖାଇବ । ଅମାନିଆଁ ପିଲାର ହାତ ଧରି ଘୋଷାଡ଼ି ନିଅନ୍ତି । ଧୋବୀ ଉଠେ ନାହିଁ-

 

ଆଈମା’ ଆସନ୍ତି, ମୁଣ୍ଡ ଆଉଁସନ୍ତି । ବାପା ଡାକ ଛାଡ଼ନ୍ତି ଉପର ଖଞ୍ଜାରୁ-ଆଲୋ ଧୋବୀ, ହରି ମାହାନ୍ତି ତହସିଲଦାର କାଗଜପତ୍ର ସହି କରେଇବାକୁ ଆସିଛନ୍ତି । ମୁଁ ସବୁ ଯାଞ୍ଚ କରି ଦେଇଛି । ଯା ସହିକରି ଆସିବୁ । ଧୋବୀର ମନ କହେ ପୋଡ଼ି ଜଳିଯାଉ ସେ କାଗଜପତ୍ର । ତଥାପି ସେ ଉଠେ । ଆଖିର ଲୁହ ପୋଛି ଦାଣ୍ଡଘରକୁ ଯାଏ । ଆଡ଼ ଆଡ଼ ହୋଇ ସେ ମାହାନ୍ତିଙ୍କ ଆଗରେ ବସେ । କଲମ ଉଠାଇ ସେ ଯେଉଁଠି ଟିପ ଦିଅନ୍ତି, ସେଇଠି ସ୍ଵାକ୍ଷର କରେ । ମାହାନ୍ତିଏ ଗୋଟି ଗୋଟି କରି ସବୁ ବୁଝାନ୍ତି । କୌଣସି କଥା ଧୋବୀର ମନରେ ପଶେ ନାହିଁ, କାନରେ ବାଜି ଫେରେ । ଧୋବୀ କାମ ଶେଷକରି ଘର ଭିତରକୁ ଆସେ ।

 

ବୋଉ ପଚାରନ୍ତି, ମା’ ଖାଇବୁ ନାହିଁ । ଧୋବୀ ଆଖି ଛଳଛଳ କରି କହେ ଆଜି ସୋମବାର, ମୋର ଉପାସ । ଏକୁଟିଆ ଘରକୁ ସେ ଉଠିଯାଏ, ଭାଗବତ ପଢ଼େ, ଆଈବୁଢ଼ୀ ଶୁଣନ୍ତି ।

 

ଆଜି ସୋମବାର, ଆଜି ଏକାଦଶୀ, ଅମୁକ ବ୍ରତ, ଏହିପରି ଅଧେଦିନ ଧୋବୀର ଉପାସରେ କଟେ । ପହରାଜେ ଆସି ପୁରାଣ ଶୁଣାନ୍ତି । ଭଲ ଦିନବାର ଦେଖି ହୋମ ହୁଏ, ବ୍ରାହ୍ମଣ ଭୋଜନ କରାହୁଏ । ଲୋକେ ଧନ୍ୟ ଧନ୍ୟ ପ୍ରଂଶସା କରନ୍ତି, ପିଲା ବୟସରେ ନିଷ୍ଠାରେ ଚଳୁଛି ଧୋବୀ । ପଦାକୁ ଓହ୍ଲାଇଲେ ଲୁଗା ବଦଳୁଛି, ଅଛବ ଜାତିର ଛାଇ ପଡ଼ିଲେ ଅବେଳ ହେଲେବି ଧୋବୀ ଗାଧୁଆଏ । ଚିନ୍ତେଇ ସୋଇଁ ଖୁସି ହୁଅନ୍ତି । ତାଙ୍କର ଝିଅ ସମାଜର ନିୟମ ମାନି କେଡ଼େ ନିଷ୍ଠାପର ହୋଇ ଚଳୁଛି । ଲୋକେ ପ୍ରଶଂସା କରୁଛନ୍ତି । ପହରାଜେ ଧର୍ମଶାସ୍ତ୍ର ଖୋଲି ବୁଝାଉଛନ୍ତି, କହୁଛନ୍ତି-କେବଳ ଧୋବୀର ଧର୍ମଭାବ ପାଇଁ ସପ୍ତପୁରୁଷ, ଦୁଇକୁଳ ସ୍ଵର୍ଗରେ ବସିବେ ।

 

ନିଧେଇ ସୋଇଁ କାବା ହୋଇ ଝିଆରୀର ମୁହଁକୁ ଚାହାନ୍ତି । ଧୋବୀ ମୁହଁ ନୁଆଁଏ । ବୋଉଙ୍କ ଆଖିରୁ ଲୁହ ଝରେ । ତପସ୍ଵିନୀ ଝିଅକୁ ଛାତିରେ ଜାକି ସେ କାନ୍ଦନ୍ତି, ଧୋବୀ ବି କାନ୍ଦେ । ରକ୍ତମାଂସ ଦେଇ ଯାହାକୁ ସେ ଗଢ଼ିଛନ୍ତି, ତାର ଛାତି ତଳର ଛପିଲା ବ୍ୟଥାର ଆଭାସ ସେ ପାଇ ପାରନ୍ତି ନାହିଁ ।

 

ଦିନରେ ଦୁଇପ୍ରହରେ ଦାଣ୍ଡଘର ଚଉପାଢ଼ୀ ଉପରେ ଚିନ୍ତେଇ ସୋଇଁ ହରି ମାହାନ୍ତିଙ୍କର କାଗଜପତ୍ର ଯାଞ୍ଚ କରୁଛନ୍ତି । ନିଧେଇ ସୋଇଁ ମହାଜନୀ କାଗଜପତ୍ର ନେଇ ବ୍ୟସ୍ତ । ହଠାତ୍ ଧୋବୀ ଆସି ପହଁଞ୍ଚିଲା । ଫୁଲିଲା ଆଖିପତା, ଖୋଲା ନୁଖୁରା ବାଳ ପିଠି ଉପରେ ଇତସ୍ତତଃ ପଡ଼ିଛି, ମୁହଁରେ ବିରସଭାବ, ଆଖିପତା ମଳିନ ।

 

ମାହାନ୍ତିଏ ଉଠି ଠିଆହେଲେ ।

 

ଚିନ୍ତେଇ ଆଗ୍ରହରେ ଝିଅ ମୁହଁକୁ ଚାହିଁ ଟିକିଏ ଶଙ୍କିଗଲେ । ପ୍ରକୃତିସ୍ଥ ହୋଇ ପଚାରିଲେ, କଣ ମା’ ? ନିଧେଇ ସୋଇଁ କାଗଜ ଉପରୁ ଆଖି ଟେକି ଝିଆରୀର ମୁହଁକୁ ବ୍ୟଥାତୁର ଦୃଷ୍ଟିରେ ଚାହିଁ ରହିଲେ । ଧୋବୀର ଓଠପାଖୁଡ଼ା ଥରି ଉଠିଲା । କଣ କହିବାକୁ ଯାଉଣୁ ଅଟକି ଗଲା । ଚିନ୍ତେଇ ମନର କଥା ବୁଝିଲା ପରି କହିଲେ, ବ ।

 

ବିନା ଆପତ୍ତିରେ ଧୋବୀ ସୋଇଁଙ୍କର ପାଖରେ ବସିଲା । ମାହାନ୍ତି ସାମାନ୍ୟ ଦୂରରେ ବସି, ନିଜର ବଡ଼େଇ ଓ ବାହାଦୂରୀ ଦେଖେଇବାକୁ କହିଲେ, ଏଇ ଦେଖନ୍ତୁ ଏହି ହେଲା ଖରିଦା-ନିଚାଷ ଖାତା । ମୁଁ ନାୟକଙ୍କର ସମ୍ପତ୍ତି ବୁଝିଲା ଦିନୁ ୩୨୫ ଏକର ଜମି ଦଶ ଆଇନ୍‍ ଖଜଣାବାକି ନିଲାମରେ ଧରିଛି । ଗାଏମୋଟ, ୫୭୭ ଏକର । ଇଏ ହେଲା ଭାଗଚାଷୀଙ୍କ ରୋକଡ଼ । ଏଇଘରେ ସଞ୍ଜାଧାନର ପରିମାଣ ପଡ଼ିଛି । ଇଏ ବାକି ଖାତା । ସଞ୍ଜାଧାନ ବାବଦ ୧୧୦୦ ଭରଣ ଧାନରୁ ଆଦାୟ ୧୦୨୮ ଭରଣ । ମିଳାଇ ଦେଖନ୍ତୁ ଏହି ଦେଢ଼ି ଖାତା । ୯୦୦ ଭରଣ ଧାନ ଦେଢ଼ି ଲାଗିଛି । ୧୨୮ ଭରଣ ବିକ୍ରୀ କରି ଟଙ୍କା ଜମା ଦେଇଛି । ବାକି ଧାନ ପାଇଁ ଦଶଆଇନ୍‍ କୋଟ୍‍ରେ ନାଲିସ୍‍ କରିଛି ।

 

ମାହାନ୍ତିଏ ଟିକିଏ ଦମ ନେଇ ଧୋବୀର ମୁହଁକୁ ଚାହିଁଲେ । ଧୋବୀ କଟମଟ କରି କାଗଜପତ୍ର ଆଡ଼କୁ ଚାହିଁ ରହିଛି । ମାହାନ୍ତିଏ କଣ ମନେକରି ଆଉଖଣ୍ଡେ ଖାତା ଟାଣି କହିଲେ, ଦେଖିବା ହେଉ, ଆଗରୁ ପଳାତକ ଖରିଦା ବାବଦ ୧୮୦ ଏକର ଥିଲା । ଯେଉଁମାନେ ଫେରିଲେ ସେମାନଙ୍କ ଶୁଦ୍ଧି ଓ ପ୍ରାୟଶ୍ଚିତ୍ତ ପାଇଁ ଧନ ଲୋଡ଼ା ହେଲା । ଜମି ବିକ୍ରି ନ କରି ଉପାୟ ନାହିଁ । ଅଳ୍ପଦରରେ କିଛି ଧାନ ଓ ଟଙ୍କାଦେଇ ଏଇ ୨୧୯ ଏକର ଜମି ରେଜିଷ୍ଟ୍ରି କବଲା-ସୂତ୍ରେ ଖରଦି କରି ଦଖଲ ନିଆ ହୋଇଛି । ଏ ସବୁ ଜମି ମଧ୍ୟ ଭାଗ ଲାଗିଛି । ଯେଉଁମାନଙ୍କର ଜମି ସେଇମାନେ ଭାଗ ନେଇଛନ୍ତି ।

 

ଚିନ୍ତେଇ କହିଲେ, ତା’ ହେଲେ ତ ଭବିଷ୍ୟତରେ ଦଖଲ ପାଇଁ ଅସୁବିଧା ପଡ଼ିବ ?

 

ମାହାନ୍ତିଏ କହିଲେ, ଆଜ୍ଞା ନା, ଜମି ସବୁ ଅଦଳ ବଦଳ କରି ଭାଗ ଦିଆହୋଇଛି । ପ୍ରତିବର୍ଷ ଅଦଳ ବଦଳ କରାହେବ । ତା’ ହେଲେ ଭବିଷ୍ୟତରେ ଧୂଳିଭାଗ ସ୍ୱତ୍ଵ ଦାବି କରିବାର ଉପାୟ ନ ଥିବ ।

 

ସୋଇଁଏ ଖୁସି ହୋଇ କହିଲେ, ସାବାସ ମାହାନ୍ତିଏ, ଚାରିଆଡ଼କୁ ନଜର ଦେଇ କାମ କରିବାର ବୁଦ୍ଧି କେତେ ଜଣଙ୍କର ଥାଏ ? ଯେତେ ବୁଝାଇଲେ ଯେତେ ଶିଖାଇଲେ ଏଇ ନିଧିଆର ମୁଣ୍ଡରେ କଣ ପଶୁଛି । ବଳଦ ପରି ଖଟିବ, ନିକୁଟି-ନାଥିଆ ପରି କାଗଜ ଭିତରେ ମୁଣ୍ଡ ଗଳେଇ ହିସାବ କରିବ, ହେଲେ ବାହାର ମାମଲତ କଣ କଲେ କଥା ଚାରିଆଡ଼କୁ ପାଇବ, ସେଥିକି ତାର ନଜର ନ ଥାଏ । କେତେ ଆଉ ଶିଖିବ ? ଝିଅଘର ସମ୍ପତ୍ତି ଯଦି ସେ ସମ୍ଭାଳନ୍ତା, ମୁଁ ଏପାଖ କଥା ବୁଝନ୍ତି ।

 

ନିଧେଇ ସୋଇଁ ବଡ଼ଭାଇଙ୍କର କଥାରେ ଛଳ କରନ୍ତି ନାହିଁ । ପିଲାଦିନୁ ଗାଳିମାଡ଼, ସ୍ନେହଯତ୍ନ ସବୁ ପାଇ ଭାଇଙ୍କର ହୁକୁମ ଛଡ଼ା ଆଉ କିଛି ସେ ବୁଝନ୍ତି ନାହିଁ । ଭଲ ମନ୍ଦ ସବୁ ବୁଝିବେ ଭାଇ । ତାଙ୍କର କାମ- ଭାଇ ଯାହା କହିବେ, ବିନା ଆପତ୍ତି ବିନା ତର୍କରେ ଆଖି ବୁଜି କରିବା । ଚିନ୍ତେଇ ସୋଇଁ ସାନଭାଇକୁ ଆକଟି କହିଲାବେଳେ ତାଙ୍କର ବେଳାବେଳ, ସ୍ଥାନସ୍ଥାନ ଜ୍ଞାନ ନ ଥାଏ । ନିଧେଇ ସୋଇଁ ଆଖି ବୁଝି ଭାବନ୍ତି, ଆଉ କେହି ନାହିଁ । ଭାଇ କହୁଛନ୍ତି, ସେ ଶୁଣୁଛନ୍ତି ।

 

ନିଧେଇ ଭାଇଙ୍କ କଥାରେ ଛଳ କଲେ ନାହିଁ । ସେ ଭାବୁଥାନ୍ତି, ଧୋବୀ କଥା, ଦିନେ ନାହିଁ, କାଳେ ନାହିଁ, ହଠାତ୍ କାହିଁକି ଆଜି ସେ ଜମିଜମାର ହାଲ ଶୁଣିବାକୁ ଆସିଲା ? ଦୁଇଦିନ ହେବ ତାର ଭାବ ଉଦାସ, କାହାରି ସଙ୍ଗେ ମନଖୋଲି କଥାଭାଷା କରୁନାହିଁ, ଯେଉଁଠି ବସୁଛି, ତୁନି ହୋଇ, ଖିଆପିଆର ଠିକ୍‍ ନାହିଁ । ଯେତେବେଳେ ପାରି ସେତେବେଳେ ଆଖିରୁ ଝରି ପଡ଼ୁଛି ଲୁହ, ଡାକିଲେ ଜବାବ ଦେଉ ନାହିଁ ।

 

ନିଧେଇ ଧୋବିର ମୁହଁକୁ ଚାହିଁଲେ । ତାର ଦୁଇ ଆଖି ଲୁହରେ ଛଳଛଳ ହେଉଛି । ନିଧେଇଙ୍କ ଛାତି ଥରି ଉଠିଲା । ସତେକି ତାଙ୍କର କଲିଜା ଛିଣ୍ତି ପଡ଼ୁଛି । ଭାଇଙ୍କ ଆଗରେ ସେ କିଛି ପଚାରି ପାରୁନାହାନ୍ତି । ବୋଧଶୋଧ କରିପାରୁ ନାହାନ୍ତି । ଧୋବୀର ମନ ଜାଣିବା ଅସମ୍ଭବ ହୋଇ ପଡ଼ିଲା ।

 

ମାହାନ୍ତିଏ କାଗଜପତ୍ର ସଜାଡ଼ି କହିଲେ, ମଧୁଆ ଭୋଇର ହାଲ୍‍ ଆପଣ ଶୁଣିଲେ ନାହିଁ-? ବନେଇଁ ପରିଡ଼ାର ଝିଅକୁ ରଖିଲା ଦିନରୁ ବାଉରି ସାହିଆ ଅଡ଼ି ବସିଛନ୍ତି । ମଧୁଆ ଜାତି ଭାତ ଦେଉ ନାହିଁ କି ପୁନିକୁ ଛାଡ଼ୁ ନାହିଁ । କାନ କାନ କରି ବୁଝେଇଲି, ଧମକ ଚମକ ଦେଲି, ତଥାପି ଶୁଣୁନାହିଁ । କାଲି ଡକେଇଥିଲି, ଦେଖନ୍ତୁ ତାର ସାହାସ, କହୁଛି, ହାତ ଥିଲେ ଭାତ ନିଶ୍ଚୟ ମିଳିବ, ତମ ଧମକକୁ ମୁଁ ଡରିବି କାହିଁକି ?

 

ଚିନ୍ତେଇ ସୋଇଁ ହସିଲେ । କହିଲେ, ରହୁନା ସେ । ଲୋକ ଦେଖନ୍ତୁ, ଜାଣନ୍ତୁ, ବନେଇଁ ପରିଡ଼ାର ଝିଅ ବାଉରି ଘରେ ପଶିଛି । ମନେଅଛି ତ ମାହାନ୍ତିଏ, ପରିଡ଼ାଏ କଣ କହିଥିଲେ ? ଦାଣ୍ଡର ଭଗାରି ହସିଥିଲେ । ବାଉରି ସାହିଆଙ୍କୁ ବୁଝେଇ ଦେବ । ମାଧିଆ ଆଉ ପୁନି ସେଇ ଗାଁରେ ରୁହନ୍ତୁ । ଯେଉଁ ଲୋକେ କାଲି ପରିଡ଼ା କଥା ଶୁଣି ହସିଥିଲେ, ସେମାନେ ଆଖି ଖୋଲି ଥରେ ଦେଖନ୍ତୁ, ପୁଣି ହସନ୍ତୁ ।

 

ଚିନ୍ତେଇ ତୁନି ହେଲେ । ମନକୁ ମନ ହସି ପୁଣି କହିଲେ, ବନେଇଁ ପରିଡ଼ାର ପୁଅ ସନେଇଁ ପରିଡ଼ା ପୋତାମାଲ ପାଇ ଜାତିହେଲା, ଘର କଲା, ପର ଦୁଆରେ ମୂଲ ଲାଗିଲା, ତଥାପି ଦେଖ ତାର ଗର୍ବ । ମୋ ଦୁଆରକୁ ତାର ମନ ହେଲା ନାହିଁ । ପହରାଜଙ୍କ ଘରକୁ ଯାଇଥିଲା ଜମି ପାଇଁ ।

 

ଚିନ୍ତେଇ ସୋଇଁ ପହରାଜଙ୍କଠାରୁ ଶୁଣିଥିବା ସବୁକଥା କହିଲେ । ହସି ହସି ପୁଣି କହିଲେ, ଯାଇଛି ଜମିଦାରଙ୍କ ପାଖରେ ଗୁହାରି କରିବ । ଜମିଦାର କରିବେ କଣ ? ଆଇନ୍‍ ତାର କାମ କରିଛି । ସନେଇଁର ଜମି ମୁଁ ନିଲାମ ଧରି ଠାକୁରଙ୍କୁ ଦେଇଛି । ଜମିଦାର ଖଜଣାର ମାଲିକ ।

 

ଧୋବୀର ଓଠ ଥରି ଉଠିଲା, ତଥାପି ସେ ଯାହା କହିବାକୁ ଆସିଥିଲା କହିପାରିଲା ନାହିଁ-। ତାର ଆଖିରେ ସେତିକି ନିଆଁଜଳି ଉଠିଲା । ନାକପୁଡ଼ା ଫୁଲି ଫୁଲି ଉଠିଲା । କହିବାକୁ ତାର ସାହସ ହେଲାନାହିଁ । ବାବା ଦାଦିଙ୍କ ପାଖରେ ବସି ସେମାନଙ୍କର ଆଲେଚନା ଶୁଣିବାକୁ ଆଗ୍ରହ ହେଲା ନାହିଁ, ଧୈର୍ଯ୍ୟ ରହିଲା ନାହିଁ । ସେ କାହାକୁ କିଛି ନ କହି ଧୀରେ ଧୀରେ ଉଠି ଚାଲିଗଲେ ।

 

ଦୁର୍ଗାପୁରକୁ ନିମପୁର କଜରା ତିନିକୋଶ ବାଟ । ସନେଇଁ ବାରମ୍ବାର ଯାଇ ଜମିଦାର ଶିବ ଛୋଟରାୟଙ୍କ ସଙ୍ଗେ ଦେଖା କରି ପାରିଲା ନାହିଁ । ଛୋଟରାୟ କ୍ଷତ୍ରିୟ ଘର ପିଲା । ଅୟସରେ ବେଳ କଟୁଛି । ଉଠୁ ଉଠୁ ବେଳ ଦି ଘଡ଼ିହୁଏ । ନୀତି ଶେଷ ହେଉଣୁ ଦିପ୍ରହର । ତା ପରେ ପଶା ପାଲି । ସଞ୍ଜ ହୁଏ । ରାତି ଦି’ଘଡ଼ିକୁ ଭାଙ୍ଗ ବଟା । ରାତି ଅଧରେ ମଣୋହି ସେଇଠି ବିଛଣା ।

 

ପ୍ରଜାଙ୍କର ହାରି ଗୁହାରି ଶୁଣିବାକୁ ବେଳ ନ ଥାଏ । ତହସିଲଦାରମାନେ ଯାହା କହନ୍ତି ସେଇଆ । ଦୁର୍ଗାପୁର ତହସିଲଦାର ଗୋବିନ୍ଦ ପ୍ରଧାନ । ସନେଇଁ ପରିଡ଼ା ତାଙ୍କରି ଆଗରେ ଦୁଃଖ ଗୁହାରି କଲା । ଗୋବିନ୍ଦ ସବୁ ଶୁଣି କହିଲେ, ଭାଗ୍ୟରେ ସନେଇଁ, କପାଳରେ ଯାହାଥାଏ, କିଏ ତାକୁ ବଦଳାଇ ପାରିବ ? ଚିନ୍ତେଇ ସୋଇଁ ଯାହା କରିଛନ୍ତି, ସେଥିରେ ପାଟି ଖୋଲି ହେବ ନାହିଁ । ଆଇନ୍‍ କଥା, ଠାକୁର କଥା, ତା ଛଡ଼ା, ବିନା ଲାଭରେ କିଏ କେଉଁଠି ବେଉସା କଲାଣି ?

 

ଗୋବିନ୍ଦ ଉପଦେଶ ଛଳରେ କହିଲେ, ତୁ ତାଙ୍କର ଗୋଡ଼ ଧର । କେଉଁ କଥାରେ ତାଙ୍କର ଅଭାବ ଅଛି ? ସୋଇଁଏ ଦୟା କଲେ ତୋର ଘର ପୁଣି ତୁ କରିବୁ ।

 

ଦୁଇ ସେର ବାଇଗଣ ଓ କାନ୍ଦିଏ କଦଳୀ ଭେଟି ଦେଇ ଜାତିପୁଅ ଗୋବିନ୍ଦ ପ୍ରଧାନଙ୍କ ମୁହଁରୁ ଉପଦେଶ ଶୁଣି ସନେଇଁ ବାଟେ ବାଟେ ଘରକୁ ଫେରିଲା । ଭାବିଲା, ଯିବ ଚିନ୍ତେଇ ସୋଇଁଙ୍କ ପାଖକୁ । ତାଙ୍କର ଗୋଡ଼ ଧରି ଜମି ପାଞ୍ଚମାଣ ଭାଗ ମାଗିବ । କେତେ ଲୋକ ତାଙ୍କର ଜମି ଚାଷ କରି କୁଟୁମ୍ବ ପୋଷୁଛନ୍ତି । ଚିନ୍ତେଇ ସୋଇଁ ଦୟା କଲେ ତାର କିଛି ଅଚଳ ରହିବ ନାହିଁ । ମଣିଷ ଜନ୍ମ ପାଇ ମାନଅଭିମାନ କରି ବସି ରହିଲେ କ୍ଷତିଛଡ଼ା ଲାଭନାହିଁ । ରାଜା ହରିଶ୍ଚନ୍ଦ୍ର ମଶାଣି ଜଗିଥିଲେତ ।

 

ସଞ୍ଚବେଳେ ଘରକୁ ଫେରି ସନେଇଁ ତହସିଲଦାରଙ୍କ କଥା ପୁଣି ଭାବି ବସିଲା । ଚିନ୍ତେଇଁ ସୋଇଁଙ୍କ ଘରକୁ ଯିବାକୁ ମନ ଡାକୁଥିଲେ ମଧ୍ୟ ଗୋଡ଼ ଚଳୁ ନ ଥାଏ । କାହିଁକି ସେ ଯିବ-? ଜମି ଭାଗଚାଷ କରି କଣ କରିବ ? ଭାଗଚାଷୀ ମୂଳିଆ ହାତରେ ସୋଇଁଏ ଧୋବୀକୁ ଟେକିଦେବେ ନାହିଁ । ମୂଲିଆ ଚାଷୀର ହାତ ଧରିବାକୁ ଧୋବୀ ଆଗେଇ ଆସିବ ନାହିଁ । କାହିଁକି ତେବେ ସେ ଘର କଲା ? କାହିଁକି ଜାତି ହେଲା ? କାହିଁକି ଜମି ଚଷିବ, ଦେହରୁ ରକ୍ତ ନିଗାଡ଼ି ଧନ ସଞ୍ଚିବ ?

ଯେଉଁଦିନ ଧୋବୀ ତା ହାତରେ ସୁନାମୋହର ଦେଇଗଲା, ସେହିଦିନରୁ ତା’ ସାଙ୍ଗେ ଦେଖା ହୋଇନାହିଁ । ତାକୁ ଥରେ ଦେଖିବ ବୋଲି ସନେଇଁ କେତେ ଚେଷ୍ଟା କରିଛି । ଭକ୍ତି ନ ଥିଲେ ମଧ୍ୟ ଶିବ ମନ୍ଦିରକୁ ଭିନ୍ନ ଭିନ୍ନ ସମୟରେ ଦର୍ଶନ କରିବାକୁ କେତେଥର ଧାଇଁଛି । କେତେଥର ନଈକୂଳରେ ବନ୍ଧ ଉପରେ ଟହଲିଛି, ତଥାପି ଦେଖା ପାଇନାହିଁ । ଭରସି କରି ଧୋବୀ କଥା କାହାରିକୁ ସେ ପଚାରି ପାରିନାହିଁ । କିଏ କଣ ଭାବିବ, କିଏ କଣ କହିବ ।

ଧୋବୀର ମନକଥା ବୁଝିବା ସନେଇଁ ପକ୍ଷରେ ଅସମ୍ଭବ ହୋଇପଡ଼ିଲା । ଧୋବୀ ତାକୁ ଭଲପାଏ, ଏହା ଜାଣିଲେ ତାର ଲାଭ କଣ ? ଚିନ୍ତେଇଁ ସୋଇଁଙ୍କର ମତ ବିରୁଦ୍ଧରେ ଧୋବୀ କଣ କରିପାରିବ ?

ସନେଇଁ କିଛି ସ୍ଥିର କରିପାରିଲା ନାହିଁ ।

ସଞ୍ଜ ହେଲା । ଶ୍ରୀପଞ୍ଚମୀର ଜହ୍ନ ପଶ୍ଚିମ ଆକାଶରେ ଗଡ଼ନ୍ତି ମଥାନରେ ଉଜ୍ଜ୍ୱଳ ଦିଶିଲା-। ସନେଇଁ ଚାହିଁଲା ସେଇ ଆଡ଼କୁ ନିରାଶ ଆଖିରେ । ତାର ବାରି କବାଟ ଖୋଲି, କିଏ ଜଣେ ଘର ଆଡ଼କୁ ମୋହିଁଛନ୍ତି । ସନେଇଁ ଉଠି ଠିଆହେଲା । ଆଗନ୍ତୁକ ଖଣ୍ଡେ ଦୂର ଆସି ଗଳାଖଙ୍କାରି ଗେହ୍ଳେଇ ଡାକିଲେ, କିଏ ସନେଇଁ କିରେ ?

ଗଳା ବାରି ସନେଇଁ ପାଖକୁ ଆସି ଓଳଗି ହୋଇ କହିଲା, ଅବେଳାଟାରେ ପହରାଜେ କେମିତି ଆସିଲେ ?

ରାମ ପହରାଜେ କଲ୍ୟାଣ କରି କହିଲେ, ଯଜମାନର ଘରକୁ ଆସିଲାବଳେ ଅବେଳା ଖୋଜାଯାଏ ନାହିଁରେ ବାପ, ଯଜମାନର ହିତ କାମନା କରିବା ପୁରୋହିତର କର୍ତ୍ତବ୍ୟ ।

ସନେଇଁ ଖଣ୍ଡେ ନଡ଼ିଆ ଚାଞ୍ଚରା ପିଣ୍ଡା ଉପରେ ବିଛାଇ ଦେଲା । ପହରାଜେ ବସିଲେ । ସନେଇଁ ଖୁଣ୍ଟକୁ ଆଉଜି ଠିଆ ହେଲା । ପହରାଜ ଆଗମନର କାରଣ ବୁଝିପାରିଲା ନାହିଁ । ତାକୁ ମଧ୍ୟ ବିଶେଷ ଭାବିବାକୁ ପଡ଼ିଲା ନାହିଁ । ପହରାଜେ ଆରମ୍ଭ କଲେ, ଆରେ ସନେଇଁ, ତୁ ସିନା ସୋଇଁଙ୍କ ଘରକୁ ଗଲୁନାହିଁ । ତୋର ହୋଇ ମୁଁ ତାଙ୍କୁ ତୋର ଦୁଃଖ କହିଥିଲି । ଦୟାବନ୍ତ ଲୋକ ସୋଇଁଏ, ଭାରି ଦୁଃଖ କଲେ । କହିଲେ, ଆହା, ବନେଇଁ ପରିଡ଼ା କେଡ଼େ ଭଲରେ ଘର କରୁଥିଲେ-। ଭାଗ୍ୟ ଖରାପ ହେଲାରୁ ସିନା, ଏ ଅବସ୍ଥା ହେଲା । ହଉ, ପହରାଜେ, ସଂସାରରେ ତ ସମସ୍ତେ ଘର କରି ରହିବା । ସନିଆଁର ହଳ ବଳଦ ନାହିଁ । ଯାହା ପାଇଥିଲା ଛୁଟୁରୁ ବୁଟୁରୁ କରି ଉଡ଼ାଇ ଦେଲା । ଜମି ଭାଗ ଦେଲେ ଏକୁଟିଆ ଲୋକ ସେ କଣ କରିବ ? ନିତି ପର ଦ୍ଵାରକୁ ମୂଲ ଲାଗିବାକୁ ଯିବ କାହିଁକି । ଯଦି ମୋ ଘରେ ଦିନ କେଇଟା ରହନ୍ତା, ଖାଇବା ପିନ୍ଧିବାର ଚିନ୍ତା ତାର ଆଉ ରହନ୍ତା ନାହିଁ । ହାତରେ କିଛି ପଇସା ହେଲେ, ତେଣିକ ସେ ହଳ ବଳଦ କରନ୍ତା, ଜମି ଭାଗ ନିଅନ୍ତା ।

ପହରାଜେ ତୁନି ରହିଲେ ।

ସନେଇଁ ଭାବିବାକୁ ଲାଗିଲା, ଚିନ୍ତେଇ ସୋଇଁଙ୍କ ଘରେ କୋଠିଆ ହୋଇ ରହିବ ସେ ? କେଉଁ ଆଶାରେ ? ପରଦୁଆରେ ମୂଲ ଲାଗିଲେ ପେଟ ଚାଖଣ୍ଡ ଅପୋଷା ରହିବ ନାହିଁ । ଅସମୟ ଓ ଅଭାବର ସୁଯୋଗ ନେଇ ଯେଉଁ ସୋଇଁଏ କେବଳ ତାରି ନୁହେଁ, କେତେ ଦରିଦ୍ର ବିପଦଗ୍ରସ୍ତଙ୍କର ଜମିବାଡ଼ି, ଘରଡ଼ିହ ଆତ୍ମସାତ୍‍ କରିଛନ୍ତି, ତାଙ୍କର ଗୋଡ଼ତଳେ ଆଶ୍ରାନେଇ ଦୁନିଆଁ ଆଗରେ ତାଙ୍କର କୋଠିଆ ବୋଲି ପରିଚୟ ଦେବ ?

ପହରାଜେ ତାର ମନକଥା ବୁଝିଲା ପରି କହିଲେ, ଆରେ ସନେଇଁ, ବିପଦବେଳେ ଭଳମନ୍ଦ ବାରିବାର କଥା ନ ଥାଏ । ଚୋରକୁ ମାନ କରି ଯିଏ ଖରାପରେ ଖାଏ, ସେ ନିର୍ବୋଧ । ମୋର କୁହା ମାନ । ନିଜେ ଯାଇ ଥରେ ସୋଇଁଙ୍କ ସଙ୍ଗେ ଦେଖାକର, ମନ ଖୋଲି କଥାଭାଷା ହ । ତେଣିକି ତୋର ଯାହାଇଚ୍ଛା ତୁ କରିବୁ । ବୁଡ଼ିଗଲା ଲୋକ କୁଟାଖିଅକୁ ହାତ ବଢ଼ାଏ ବାପ, ତୋର ଅବସ୍ଥା ଆଜି ସେଇଆ । ଠାକୁରେ ମନକଲେ ଘଡ଼ିକରେ ତୋର ଦୁଃଖଯିବ । ପ୍ରଭୁ ବଡ଼ଲୋକ ।

ପହରାଜେ ବିଦାୟ ନେଲେ । ଫାଟକ ବନ୍ଦକରି ସନେଇଁ ଫେରିଆସିଲା । ପହରାଜଙ୍କର ଆଗମନର କାରଣ କଣ ସେ ବୁଝିପାରିଲା ନାହିଁ ।

ପରଦିନ ଦୁଇ ପ୍ରହରେ–

ସନେଇଁ ଚିନ୍ତେଇ ସୋଇଁଙ୍କର ଦାଣ୍ଡ କଚେରି ଘରେ ପହଞ୍ଚିଲା । ସୋଇଁଏ ଚଉପାଢ଼ୀ ଉପରେ ବସି କାଗଜପତ୍ର ଓଲଟ ପାଲଟ କରୁଥିଲେ । ଆଖିରେ ଚଷମା ଦେଇ, କାନରେ ପରକଲମ ଖୋସି ହରି ମାହାନ୍ତିଏ ତାଙ୍କୁ କଣ ବୁଝାଉଥିଲେ । ସାମନାରେ, ଟିକିଏ ଦୂରେଇ ବସି ନିଧେଇ ହିସାବ କରିବାରେ ବ୍ୟସ୍ତ ।

ସନେଇଁକୁ ଦେଖି ଚିନ୍ତେଇ ସଁଇଁ ମୁଣ୍ଡ ଟେକି ଚାହିଁଲେ । ନିଧେଇ ମଧ୍ୟ ହିସାବ ବନ୍ଦକରି ଅନେଇଲେ । ଚଷମାକୁ କପାଳ ଉପରକୁ ଟେକି ହରି ମାହାନ୍ତି ତାରି ଆଡ଼କୁ କଣେଇ ଚାହିଁଲେ ।

ସନେଇଁ ମୁଣ୍ଡ ନୂଆଇଁ ସମସ୍ତଙ୍କୁ ଦଣ୍ଡବତ କଲା ।

ହସ ହସ ହୋଇ ଚିନ୍ତେଇ ସୋଇଁ ପଚାରିଲେ, କିରେ କୁଆଡ଼େ ସନେଇଁ ? ଏଠିକି କେମିତି ମନେପଡ଼ିଲା ? ହଉ ହଉ, ବସ ।

ଏତିକି କହି ଚିନ୍ତେଇ ସୋଇଁ ପୁଣି କାଗଜପତ୍ରରେ ମନଦେଲେ ।

ସନେଇଁ ଚଉପାଢ଼ୀର ଗୋଟିଏ ପାଖରେ ବସି ରହିଲା । ଆଶା କରିଥିଲା, ଚିନ୍ତେଇ ସୋଇଁ ତାକୁ ଭଲମନ୍ଦ ପଚାରିବେ, ଆସିବାର ଉଦ୍ଦେଶ୍ୟ ବୁଝିବେ; କିନ୍ତୁ ସେ ଆଉ ମୁଣ୍ଡ ଟେକି ଚାହିଁଲେ ନାହିଁ, ମାହାନ୍ତିଙ୍କଠାରୁ ଖର୍ଚ୍ଚବାର୍ଚ୍ଚର ହିସାବ ବୁଝିବାରେ ମନଦେଲେ ।

ଘଣ୍ଟାଏ ବିତିଲା ।

କାଗଜପତ୍ର ଗୋଟିଏ କଡ଼କୁ ସଜାଡ଼ି ରଖି ଚିନ୍ତେଇ ସୋଇଁ ନିଧେଇକୁ ଡାକି କହିଲେ, ଯା ତ ନିଧି, ଧୋବୀକୁ ଡାକି ଦିଅ, ହିସାବ ବୁଝାଇବାକୁ ମାହାନ୍ତିଏ ଅନେକ ଦିନ ରହିଗଲେଣି । ଧୋବୀ ଏସବୁ କାଗଜପତ୍ର ସହି କରିଦେଲେ, ସେ ଆଜି ଦୁର୍ଗାପୁର ଚାଲିଯିବେ । ଯା ।

ପ୍ରତିବାଦ ନ କରି ନିଧେଇ ସୋଇଁ ଖଞ୍ଜା ଭିତରକୁ ଉଠିଗଲେ ।

ସନେଇଁ ଛାତିରେ ଚମକ ଲାଗିଲା । ଧୋବୀ ଆସିବ କାଗଜପତ୍ର ସହି କରିବାକୁ । ଏତେଦିନ ପରେ ଧୋବୀକୁ ଦେଖିବାର ସୁଯୋଗ ସେ ପାଇବ, କିନ୍ତୁ ତା’ ଆଗରେ ଚିନ୍ତେଇ ସୋଇଁଙ୍କୁ ମନକଥା କହିପାରିବି ନାହିଁତ । ବରଂ ଧୋବୀ ଆସିବା ଆଗରୁ ସବୁ ବିଷୟ କହିଦେବା ଭଲ ।

ସନେଇଁ କହିଲା, ମୁଁ ଆପଣଙ୍କ ପାଖକୁ ଆସିଥିଲି ।

 

ସୋଇଁଏ କହିଲେ, ହଁ ହଁ କଣ କହୁଛୁ କହ । ପହରାଜଙ୍କଠାରୁ ମୁଁ ସବୁ ଶୁଣିଛି । ତାଙ୍କ ହାତରେ ତୋ ପାଖକୁ ଖବର ପଠାଇଥିଲି । ସେ କହିଛନ୍ତି ତ ?

 

ସନେଇଁ କହିଲା, କହିଛନ୍ତି । ସେ ବିଷୟ ନେଇ କଥାଭାଷା କରିବାକୁ ମୁଁ ଆସିଛି ।

 

ସୋଇଁଏ କହିଲେ, ଭଲକଥା । ମୋ ଘରେ କୋଠିଆ ରହିବାକୁ ତତେ ଖବର ପଠାଇଥିଲି । ଦିନାକେତେ ରହିଯା ।

 

ଆଉ ପାଞ୍ଚଜଣ ଅଛନ୍ତି, ତୁ ବି ରହ । ହାତରେ କିଛି ପଇସା ହେଲେ ହଳବଳଦ କରିବୁ-। ସେତେବେଳକୁ ଜମି ଦୁଇଚାରି ମାଣ ଚାଷ କରିବାକୁ ଦେବି । ବର୍ତ୍ତମାନ ତ ପାରିବୁ ନାହିଁରେ । ଆଉ କୋଠିଆମାନେ ଯାହା ବର୍ତ୍ତନ ପାଉଛନ୍ତି, ତୁ ମଧ୍ୟ ସେଇଆ ପାଇବୁ । ମୋ ଆଖିରେ ସମସ୍ତେ ସମାନ । ଯିଏ ଖଟିବ ସେ ମୂଲ ନେବ । ସେଥିରେ ମୁଁ ପାତରଅନ୍ତର କରିବି ନାହିଁ । କଣ ରାଜିତ-?

 

ହୁଏତ ସନେଇଁ ରାଜି ହୋଇଥାନ୍ତା, ଏତେ ଲୋକଙ୍କର ଉପଦେଶ ମାନି ଚିନ୍ତେଇ ସୋଇଁଙ୍କ ପ୍ରସ୍ତାବଙ୍କୁ ଗ୍ରହଣ କରିଥାନ୍ତା, କିନ୍ତୁ ଠିକ୍ ସେତିକିବେଳେ ପବନରେ ସୋହଡ଼ିଆ ଗଛ ଦୋହଲିଲା ପରି ଟଳିଟଳିକା ଧୋବୀ ଆସି ପହଞ୍ଚିଗଲା । ନିଧେଇ ସୋଇଁ ତା’ ପଛରେ ଅଛନ୍ତି ।

 

ସନେଇଁ ଚାହିଁ ରହିଲା ତାରି ଆଡ଼କୁ । ନିଜର ଆଖିକୁ ସେ ବିଶ୍ଵାସ କରିପାରିଲା ନାହିଁ । ଧୋବୀ, ତାର ପ୍ରାଣର ଧୋବୀ, ଆଜି ତାର ଏପରି ଅବସ୍ଥା ହୋଇଛି କାହିଁକି ? ମଉଳା ଫୁଲପରି ମୁହଁ ଜ୍ୟୋତିଃହୀନ, ନିଷ୍ପଭ୍ର ଆଖି । ଅସଜଡ଼ା କେଶ । ଦୁର୍ବଳ ଦେହଲତା । ଧୋବୀ ।

 

ଚିନ୍ତେଇଁ ସୋଇଁଙ୍କ ପାଖରେ ଟିକିଏ ଦୂରରେ ବସି ଥରଟିଏ ଧୋବୀ ସନେଇଁ ଆଡ଼କୁ ଚାହିଁଲା । ସେ ଚାହାଣିରେ ଯେପରି କେତେ କାଳର ବେଦନା ପୂର୍ଣ୍ଣ ହୋଇଥିଲା । ସନେଇଁର ଆଗ୍ରହ ଓ ଆନନ୍ଦଭରା ଦୃଷ୍ଟି ଧୋବୀର କାତର ଦୃଷ୍ଟିରେ ବାଧାପାଇ ଫେରିଲା । ସନେଇଁ ଅନିଚ୍ଛାରେ ଧୀରେ ଧୀରେ ମୁହଁ ବୁଲାଇଲା । ଧୋବୀ ତଳକୁ ଚାହିଁଲା ।

 

ସନେଇଁକୁ ବିଦାୟ ଦେବା ପାଇଁ ସୋଇଁଏ ତାର ମନେପକେଇ ଦେବାକୁ ପୁନରାବୃତ୍ତି କଲେ, ଶୁଣ୍‍ ସନେଇଁ, ଯଦି କୋଠିଆ କାମ କରିବାକୁ ଦୁଇବେଳା ଦୁଇମୁଠି ଖାଇ ସାମାନ୍ୟ କିଛି ବେତନ ନେଇ ରହିବାକୁ ରାଜି ହେଉ, ତେବେ କାଲିଠାରୁ ଆସି ମୋ ଘରେ ରହିଯା, ନାହିଁ ଯଦି ତୋର ରାଜି ନ ହେଉଛି, ତୁ ତୋର ଅନ୍ୟବାଟ ଖୋଜ । ଭାତ ଥିଲେ ହାତର ଅଭାବ ରହିବ ନାହିଁ ।

 

ସନେଇଁର ଧୈର୍ଯ୍ୟ ଭାଙ୍ଗିଲା । ରାଗରେ ଘୃଣାରେ ତାର ନାକପୁଡ଼ା ଫୁଲି ଫୁଲି ଉଠିଲା-। ଦୁଇ ଆଖିରେ ସତେକି ନିଆଁ ଜଳି ଉଠିଲା । ସେ କଥାରେ ଜୋର୍ ଦେଇ କହିଲା, ହାତ ଥିଲେ ମଧ୍ୟ ଭାତର ଅଭାବ ହେବ ନାହିଁ ସୋଇଁଏ । ତମର ଭାତ ଅଛି ବୋଲି ମୁଁ ଡରିକରି ହାତପାତି ଭିକ ମାଗିବାକୁ ଆସିନାହିଁ ।

 

 

 

ଚିନ୍ତେଇ ହସି ଉଠିଲେ । ହସିଲେ ମାହାନ୍ତିଏ । ଆଶ୍ଚର୍ଯ୍ୟ ହୋଇ ନିଧେଇ ଚାହିଁଲେ ସନିଆଁ ଆଡ଼କୁ । ଧୋବୀର ଛାତିରେ ଚମକ ଲାଗିଲା । ସେ ଥରଟିଏ କଣେଇ ଚାହିଁ ସନେଇଁର ଜଳିଲା ଆଖିକୁ ଦେଖି ଦୃଷ୍ଟି ଫେରାଇଲା ।

 

ଥଟ୍ଟାଳିଆ ସ୍ଵରରେ ଚିନ୍ତେଇଁ କହିଲେ, ସାବାସ୍‍ରେ ପରିଡ଼ା ପୁଅ । ହାତରେ ଯଦି ଏତେ କରାମତି ଥିଲା, ତୋ ବାପା ପିଲାକବିଲା ଧରି, ଗାଁ ଛାଡ଼ି, ଘର ଛାଡ଼ି ଛତରରେ ପଶିଲା କାହିଁକି ? କାହାରି ତ ହାତଗୋଡ଼ ଛିଡ଼ି ପଡ଼ି ନ ଥିଲା ? ପଲ ପଲ ହୋଇ ତମରି ପରି ବଳୁଆ ବଳୁଆ ହାତଗୋଡ଼ ଥିଲା ମଣିଷ ଭାତକୁ ମନ୍ତ୍ରପରି ଜପି ଜପି ମଶାଣିରେ ଶୋଇଲେ, ବିଲୁଆ କୁକୁରଙ୍କ ଆହାର ହେଲେ । ହାତଗୋଡ଼ ଦରି ପରିଡ଼ା ବଂଶ ତମର, ନିରୋଳା ରକ୍ତ, ନିର୍ମଳ ବଂଶ ମର୍ଯ୍ୟାଦା ଧରି ପଦାକୁ ବାହାରି ପଡ଼ିଥିଲ । ଫେରିଲା କିଏ ? ଦରମରା ହୋଇ ଫେରିଥିଲୁ ଏକା ତୁଇ । ହାତଗୋଡ଼ ସେମିତି ଥିଲା । ଏଇ ନିଧିଆ ଅନ୍ଧାର ରାତିରେ ନୁଚେଇ କରି ତୋ ତୁଣ୍ଡରେ ମୋରି ଭାତ ଦେଇ ତତେ ବଞ୍ଚେଇଛି । ସବୁ ମୁଁ ଜାଣେ । ନିଧିଆ ମତେ ଡରି ସବୁ ନୁଚେଇଛି । ଆରେ ସନେଇଁ, କାହା ପେଟରେ କଣ ଅଛି, ମୁଁ ସେ ଖବର ଜାଣେ । ଭାତର କରାମତି ସେ, ହାତର ନୁହେଁ । ସ୍ଵର୍ଗରୁ ଦେବତାମାନେ ଓହ୍ଲାଇ ଆସି ଜନ୍ଦା ପିମ୍ପୁଡ଼ି ପରି ଭାତର ଚାରିପାଖେ ବେଢ଼ି ଯାଆନ୍ତି-। ସୁଧର୍ମା ସଭାର ସବୁ ଗୁପ୍ତକଥା କାନେ କାନେ କହିଯାଆନ୍ତି । ନିଧିଆ ତତେ ବଞ୍ଚଇଲା, ନିଧିଆ ତୋର ଦରମଲା ହାତ ଗୋଡ଼ରେ ବଳ ଖୁନ୍ଦିଦେଲା । ମୁଁ ଖୁସିହେଲି, ଭାବିଲି, ଭଲକଥା, ପରିଡ଼ା ବଂଶର ଗାଟାଏ ହେଲେ କେହି ବଞ୍ଚୁ, ବଂଶ ବୁଡ଼ି ନ ଯାଉ । ସେଇ ହାତର ବଡ଼େଇ ତୁ କରୁଛୁ ମୋ ଆଗରେ ? ସାବାସରେ ପରିଡ଼ା ପୁଅ ।

 

ନିଧେଇ ସୋଇଁ ଭୟରେ ତଟସ୍ଥ ହେଲେ । ଚିନ୍ତେଇ ସୋଇଁଙ୍କ ଆଡ଼କୁ ଚାହିଁ ପାରିଲେ ନାହିଁ । ଚିନ୍ତେଇ ସବୁ ଜାଣନ୍ତି, ଧୋବୀ ମଧ୍ୟ ଅସ୍ଥିର ହୋଇ ପଡ଼ିଲା । ମୁଣ୍ଡ ଟେକି ପାରିଲା ନାହିଁ । ସନେଇଁ ଜଳିଗଲା ରାଗରେ । ଇଚ୍ଛାହେଲା, ଉଠିଯାଇ ଧରିଥିବା ଠେଙ୍ଗାରେ ଚିନ୍ତେଇ ସୋଇଁଙ୍କର ମୁଣ୍ଡ ଦିଫାଳ କରିଦେବ । ଆଖି ଆଗରେ ହାତର କରାମତି ଦେଖାଇବ; କିନ୍ତୁ ଫଳ ହେବ କଣ ? ପୋଲିସ୍, ଆଇନ୍‍, ଜେଲ ସବୁ ଚଳେ ଭାତର କରାମତିରେ । ପାଣିର ଛାତିରେ ଗୋଡ଼ି ପଡ଼ିଲେ ଯେପରି ଟବ୍ କରି ଶବ୍ଦ ହୋଇ ପୁଣି ସବୁ ନିଶ୍ଚଳ ହୋଇଯାଏ, ସେମିତି ସନେଇଁର ହାତର କରାମତି ଏଇ ସମାଜରେ ଚହଳ ଆଣିବ । ତା’ ପରେ ସବୁ ତୁନିତାନି । ଗୋଡ଼ି ଯେପରି ପାଣିତଳେ ପଙ୍କ ଭିତରେ ଆପେ ଆପେ ମାଡ଼ି ହୋଇଯାଏ, ସେମିତି ସନେଇଁ ସମାଜର ସାତତାଳ ପଙ୍କ ଭିତରେ ପୋତି ହୋଇଯିବ ।

 

ଯେଉଁ ହାତ ଦୁନିଆଁର ବୁକୁ ଚିରି ଭାତ କାଢ଼େ, ସେଇ ହାତ ଭାତଗଦା ପାଖେ ନଇଁପଡ଼େ ଦୁର୍ବଳ ନିସ୍ତେଜ ହୋଇ । ସନିଆଁର ଉଠିଲା ମୁଣ୍ଡ ତଳକୁ ନଇଁଲା, ତେଜିଲା ଆଖିର ଜଳିଲା ଆଲୁଅ ଲିଭି ଲିଭି ଆସିଲା । ସେ ବୁଝିଲା ଚିନ୍ତେଇ ସୋଇଁ ସତ କହୁଛନ୍ତି, ନୋହିଲେ ଲକ୍ଷ ଲକ୍ଷ ଲୋକଙ୍କର ଲକ୍ଷ ଲକ୍ଷ ହାତ ମାଟିରେ ମିଶିଲା କାହିଁକି ?

 

ସନେଇଁ କ୍ଷଣକାଳ ନୀରବ ହୋଇ କହିଲା, ସାମାନ୍ୟ କେତେ ଗଉଣୀ ଧାନ ଦେଇ ଆପଣ ଆମର ଦଶମାଣ ଜମି ନେଇଛନ୍ତି । ତିନିପୁରୁଷ ପରିଶ୍ରମ କରି ମୁଣ୍ଡଝାଳ ତୁଣ୍ଡରେ ମାରି, ପେଟରେ ଓଦାକନା ଦେଇ ମୋର ବାପ, ଅଜା, ଅଣଅଜା, ତଇଲା ତାଡ଼ି ଯେଉଁ ଜମି ଦଶମାଣ ସୁନା ଥାଳି କରିଥିଲେ, ଜୀବନ ଲୋଭରେ ମୋର ବାପ ତମକୁ ସେତକ ଦେଇଛି । କାହାରି ଜୀବନ ରହିଲା ନାହିଁ । ଏକା ମୁଇ ଫେରି ଆସିଛି । ମତେ ମୋର ଜମିତକ ଫେରାଇ ଦିଅ ସୋଇଁଏ, ଫେରାଇ ଦିଅ ।

 

ଚିନ୍ତେଇ ସୋଇଁ ହସିଲେ । ଥଟ୍ଟା କରି କହିଲେ, ଜମି ଯିଏ କିଣେ ସେ ଫେରାଇ ଦେବାକୁ କିଣେ ନାହିଁ । ଗହୀର ବିଲର ଏମୁଣ୍ଡରୁ ସେମୁଣ୍ଡ ଯାଏ ଯେତେ ଜମି ପଡ଼ିଛି, ଯେଉଁମାନେ ତାକୁ ତଇଲା ତାଡ଼ି ଜମି କରିଥିଲେ, ବାଘ, ଭାଲୁ, ସାପ କାମୁଡ଼ାରେ ଜୀବନ ଦେଇ ପ୍ରଥମେ ହିଡ଼ ମାଡ଼ି ଚାଷ କରିଥିଲେ ସେମାନେ କି ତାଙ୍କ ପୁଅ, ନାତି, ଅଣନାତିଙ୍କର ସେ ଜମି ଆଜି ନାହିଁ । ସେମାନେ ମଲେଣି । ତାଙ୍କର ପୁଅ ନାତି ଭାତ ମୁଠିଏ ଖାଇବାକୁ ନ ପାଇ କେବେଠୁ ମଲେଣି । ଯିଏ ପଇସା ଦେଇ ଜମି କିଣିଥିଲା, ଆଜି ସେ ଜମିର ମାଲିକ । ଆରେ ସନେଇଁ, ଜମି ଯଦି ଫେରାଇ ନେବାକୁ ଚାହୁଁ, ପଇସା କାଢ଼ । ପଇସା ଯଦି ନାହିଁ, ପରଘରେ ମୂଲ ଲାଗି ତୋରି ବାପ ଅଜାଙ୍କ ପରି ପେଟରେ ଓଦାକନା ଦେଇ ପଇସା ସଞ୍ଚିରଖ । ଏ ପୁରୁଷରେ ନ ହେଲେ ତିନି ପୁରୁଷରେ ଜମି କରିପାରିବୁ ।

 

ସନେଇଁ କହିଲା, ତମେ ତ ପଇସା ଦେଇ ଜମି କିଣି ନ ଥିଲ । ଯେତିକି ଧାନ ଦେଇ ଆମର ବିପଦବେଳେ ଜମି ନେଇଥିଲ, ସେ ଧାନ ମୂଁ ସୁଧକଳନ୍ତର ଦେଇ ସୁଝି ଦେବି । ତମର ଧାରୁଆ ହୋଇ ରହିବି ନାହିଁ । ମୋ ଜମି ମତେ ଫେରାଇ ଦିଅ ।

 

ସନେଇଁର କଥାରେ ଚିନ୍ତେଇ ସୋଇଁ କୌତୁକ ଅନୁଭବ କଲେ । ଭାବିଲେ ସନେଇଁ ପାଗଳ ନୁହେଁ, ନିର୍ବୋଧ । କହିଲେ, ଧାନ ମୁଁ ଦେଢ଼ି ମହାଜନ ହିସାବରେ ଦେଇ ନ ଥିଲି, ଧାନ ଦେଇ ମୁଁ ଜମି କିଣିଥିଲି । ତୋ ବାପ ମତେ କାଗଜ କରିଦେଇଛି । ସରକାରୀ କାଗଜପତ୍ରରେ ମୋ ନାମରେ ସବୁ ଦରଜ ହୋଇଛି । ଜମିଦାରକୁ ଖଜଣା ଦେଇ ମୁଁ ପାଉତି ହାସଲ କରିଛି । ଜମିର ଦଖଲକାର ମୁଁ, ତୋର ସେଥିରେ ଅଧିକାର ନାହିଁ । ଜମି ପାଖକୁ ତୁ ଯାଇ ପାରିବୁ ନାହିଁ ।

 

ସନେଇଁର ଆଖିରେ ଛଳଛଳ ହେଲା ସାତପୁରୁଷର ଜମାଟବନ୍ଧା ଲୁହ । ସେ ଅଧୀର ହୋଇ ଦୁଇହାତ ଯୋଡ଼ି ମୁଣ୍ଡରେ ଲଗାଇଲା । ଥରିଲା ସ୍ଵରରେ କହିଲା, ଯାହା କହିଲ ସବୁ ଠିକ୍‍ । ଆଇନ୍‍ ଅନୁସାରେ ତମେ ସେ ଜମିର ମାଲିକ, ମୁଁ ନୁହେଁ । ମୁଁ ହାତଯୋଡ଼ି ଭିକ ମାଗୁଛି ସୋଇଁଏ, ଥରେ ଭଗବାନଙ୍କୁ ସ୍ମରଣ କରି କହ, ଜମି କାହାର ସୋଇଁଏ, ଜମି ତୁମର ହୋଇଥାଉ, ମତେ ଚାଷ କରିବାକୁ ଦିଅ । ତୁମର ଭାଗ ଧାନ ତୁମକୁ ମୁଁ ଦେଇ ଯାଉଥିବି ।

 

ସନେଇଁର ଆଖିରେ ଲୁହ ଦେଖି, ସନେଇଁର ଯୋଡ଼ିଲା ହାତ କପାଳରେ ଲାଗିବାର ଦେଖି ଧୋବୀର ପ୍ରାଣରେ ଆଘାତ ଲାଗିଲା । ତାର ମନ ଡାକିଲା, ସେ ଧାଇଁଯାଇ ତାର ହାତ ଧରି ତଳୁ ଉଠାଇବ । ତା’ ପରେ କଣ କରିବ ? ଭାବି ସ୍ଥିର କରିପାରିଲା ନାହିଁ । ହଠାତ୍ ତା ମନରେ ଧାରଣା ହେଲା, ଯେପରି ବାପା ତାକୁ ଡକାଇ ଆଣିଛନ୍ତି, ତାରି ଆଗରେ ସନେଇଁ ପରିଡ଼ାର ନିଃସହାୟ ଅବସ୍ଥା, ଦରିଦ୍ରପଣର ପ୍ରମାଣ କରାଇ, ତାର ଦୁଇଆଖି ଆଗରେ ତାକୁ ଅପମାନ ଦେଇ ଛାଡ଼ିବେ । ସେ ତାର ନିଷ୍ଠୁର ବାପର ହସିଲା ମୁହଁକୁ ଚାହିଁଲା । ସେଇ ହସିଲା ଓଠରେ ବିଦ୍ରୁପର ଇଙ୍ଗିତ । ତେଜିୟାନ୍ ଆଖି ଡୋଳାରେ କେତେ କାଳର ପ୍ରତିହିଂସା ଜଳୁଛି । ମଣିଷର ମାୟା ମମତା ସେଥିରେ ନାହିଁ । ତଥାପି ଧୋବୀ ନିଜକୁ ସମ୍ଭାଳି ପାରିଲା ନାହିଁ । ଥରିଲା କଣ୍ଠରେ କହିଲା, ବାପା, ସନେଇଁ ଭାଇର କଥା ଥରେ ଶୁଣ । ସେ ଦୁଃଖୀ, ନିରାଶ୍ରୟ । ସାହା ଭରସା ତାର କେହି ନାହିଁ । ଅକୂଳରେ ସେ ଭାସୁଛି । ତମେ ତାକୁ ଦୟାକର । ତମେ ତାର ଜମି ତାକୁ ଫେରାଇ ଦିଅ, ନୋହିଲେ ତାରି ଜମି ତାକୁ ଭାଗରେ ଚଷିବାକୁ ଦିଅ । ସେ ଭିକାରୀ ବାପା ।

 

ଧୋବୀ ଏକା ନିଃଶ୍ୱାସରେ କଥାଗୁଡ଼ିକ କହିପକାଇ ସଙ୍କୁଚିତ ହୋଇପଡ଼ିଲା । ଚିନ୍ତେଇ ସୋଇଁ ମୁହଁ ଫେରାଇ କଟମଟ କରି ଧୋବୀର ମୁହଁକୁ ଚାହିଁଲେ । ତାଙ୍କର ଦୃଷ୍ଟିରେ ଯେପରି ନିଆଁ ଜଳୁଥିଲା । ଧୋବୀ ମୁଣ୍ଡ ନୋଇଁଲା ।

 

ଚିନ୍ତେଇଁ କହିଲେ, ହଁ ମାଁ, ସନେଇଁଟା ଗରିବ, ନିଆଶ୍ରା । ସେକଥା ମୁଁ ଜାଣେ । ତାର ଦୁଃଖ ମୋତେ ବାଧିଛି । ତା’ ବୋଲି ନିଜର ସମ୍ପତ୍ତି ଦୁଃଖୀ ଦରିଦ୍ରଙ୍କୁ ବାଣ୍ଟି ଦେଇ ଆମେତ ଆଉ ଦାଣ୍ଡରେ ଥାଳ ଧରି ବୁଲିବା ନାହିଁ । ମୋ ଆଖିରେ ସବୁ ଦୁଃଖୀ, ସବୁ ଦରିଦ୍ର ସମାନ । ଆଉ ପାଞ୍ଚଟାଙ୍କ ପାଇଁ ମୋ ମନ ଯେତିକି ତଟେ, ସନିଆଁ ପାଇଁ ବି ସେତିକି ତଟେ ।

 

ଏତିକି କହି ଧୋବୀର ମୁଣ୍ଡରେ ହାତ ଆଉଁସି ଚିନ୍ତେଇ ସୋଇଁ ସନେଇଁ ଆଡ଼କୁ ଚାହିଁ ଦରହସିଲା ହୋଇ ମନକୁ ମନ କହିହେଲେ, ମାଆ ମୋର କାହାରି ଦୁଃଖ ସହିପାରେ ନାହିଁ ମାହାନ୍ତିଏ । ଆରେ ସନେଇଁ, ତୁ ତେବେ ଯାଆ, କାଲିଠାରୁ ଚାଲିଆ ମୋ ଘରକୁ । ଏ ଘର କଣ ତୋର ନୁହେଁ ? ଘର କାମ କଣ ଲୋକେ କରୁ ନାହାନ୍ତି ? ପାଞ୍ଚପାଇଟି ଉପରେ ପଡ଼ି କରିବୁ । ଖାଇବୁ, ପିନ୍ଧିବୁ ରହିବୁ । ସେଇ ତୋର ବାପ ଅଜାଙ୍କ ଜମିରେ ହଳକରି ଧାନମୁଗ କରିବାକୁ କଣ ମୁଁ ମନା କରିବି ? ତୋର କିଛି ଅଭାବ ନ ହେଲେ ହେଲା । ଯିଏ ସିନା ବର୍ତ୍ତନ ନିଏ ତାକୁ ମୂଲିଆ କୋଠିଆ ବୋଲି କହନ୍ତି । ଯେ ଦରମା ନ ନିଏ ସିଏ ତ ଘରର ପୁଅ ।

 

ମାହାନ୍ତିଏ ମୁଣ୍ଡ ଟୁଙ୍ଗାରି କହିଲେ, ସୋଇଁଏ ନାକରା କଥା କହୁନାହାନ୍ତି ସନେଇଁ ।

 

ସନେଇଁ ହସିଲା । ଠେଙ୍ଗାଧରି ଉଠିଲା । କହିଲା, ସୋଇଁଏ ଦୟାବନ୍ତ ଲୋକ, ନାକରା କଥା କହିବେ କାହିଁକି ? ମୋ ପରିକା ଘରପୁଅ ତାଙ୍କୁ ଅନେକ ମିଳିବେ, ଆଉ ତାଙ୍କପରି ଦୟାଳୁ ବାପବି ଦୁନିଆଁରେ ମୋର ଅଭାବ ହେବ ନାହିଁ ।

 

ଥରଟିଏ ଆଉ ଫେରି ଚାହିଁଲା ନାହିଁ । ଟଳି ଟଳି ଘରୁ ବାହାରି ଗଲା । ସମସ୍ତେ ଅବାକ୍‌ ହୋଇ ତା’ରି ଆଡ଼କୁ ଚାହିଁ ରହିଲେ ।

 

ଡାଆଣିଆ ଖରା ଗଛ ଅଗର କଅଁଳପତ୍ରରେ ପଡ଼ି ଚିକ୍ ଚିକ୍ ଦିଶୁଥାଏ ।

 

କାହାକୁ କିଛି ନ କହି ଧୋବୀ ମଧ୍ୟ ଧୀରେ ଧୀରେ ଉଠି ଟଳି ଟଳି ଖଞ୍ଜା ଭିତରକୁ ପଶି ଯାଉଥିଲା, କବାଟର ଚଉକାଠ ହଠାତ୍‍ ମୁଣ୍ଡରେ ବାଜିବାରୁ ସେ ଚିତ୍କାର କରି ଗଛ କାଟିଲାପରି ତଳେ ପଡ଼ିଲା । ହାଁ ହାଁ ହୋଇ ସମସ୍ତେ ଉଠି ଆସିଲେ ତା’ ପାଖକୁ । ପାଟି ଶୁଣି ସନେଇଁ ମଧ୍ୟ ଧାଇଁ ଆସିଲା ।

 

ଧୋବୀ ମୂର୍ଚ୍ଛିତା ।

 

କେତେ ଯତ୍ନରେ ଧୋବୀର ମୂର୍ଚ୍ଛା ଭାଙ୍ଗିଲା; କିନ୍ତୁ ଯାହାକୁ ସେ ଦେଖିବ ବୋଲି ଆଖି ଖୋଲିଲା, ସେଇ ସନେଇଁର ଦେଖା ପାଇଲା ନାହିଁ । ଛୋଟ ଘରଟି ଭିତରେ ଖଟ ଚାରିପାଖରେ ତାର ବାପ, ମା’, ଦାଦି, ବେଢ଼ି ବସିଛନ୍ତି ।

 

କବିରାଜେ ଆଲୁଅ ତେଜି କହିଲେ; ଭୟ ନାହିଁ ସୋଇଁଏ, ଛାତିଟା ବଡ଼ ଦୁର୍ବଳ ଅଛି । ସେଇଥି ପାଇଁ ମୁଣ୍ଡ ବୁଲେଇ ଦେଉଛି । ଅଦାରସ ଓ ମହୁରେ ଘୋରି ଏଇ ବଟିକାଟି ଚଟେଇ ଦିଅ-

 

ଧୋବୀ କଡ଼ ବୁଲାଇ କାନ୍ଥଆଡ଼କୁ ମୁହଁକଲା ।

 

ସାତଆଠ ଦିନ କଟିଗଲାଣି । ଧୋବୀର ମୁଣ୍ଡରେ କ୍ଷତ ଭଲ ହେଲାଣି, କିନ୍ତୁ ତାର ଛାତି ଭିତରର ଘା ଭଲ ହୋଇ ନାହିଁ । ଛାତିରେ ତାର ଯେଉଁ ଆଘାତ ଲାଗିଛି, ଯେଉଁ କ୍ଷତ ହୋଇଛି, ଦୁନିଆଁରେ କେହି ତାର ଆଭାସ ପାଇଲେ ନାହିଁ । ରାତି ରାତି ଅନିଦ୍ରା ହୋଇ ମା’ ତାର ପାଖରେ ଜଗି ବସନ୍ତି । ଝିଅର ଦେହରେ ହାତ ଦେଇ ଚମକି ପଡ଼ନ୍ତି, ଖଇ ଫୁଟା ତାତି । ତ’ର ମୁଦିଲା ଆଖିରୁ ଝରିପଡ଼େ ଲୁହଧାର । ପଣତରେ ଝିଅର ଆଖିରୁ ଲୁହ ପୋଛି, ଶୁଖିଲା ଆଖିରୁ ନିଜେ ମା’ ଢାଳନ୍ତି ଲୁହ । ମା’ ଡାକନ୍ତି, ଧୋବୀଲୋ, କଣ ତୋ ମନର କଥା ମତେ କହ, କଣ ତୁ ଭାବି ଏତେ ସରି ହେଲୁ ?

 

ଧୋବୀ ବିଳିବିଳେଇଲା ପରି କହେ, କିଛି ନାହିଁ ମା’, ମୋତେ ସେ ପୁରରୁ ଡାକରା ଆସିଲାଣି, ଯେଉଁଠି ମୋର ଶାଶୁଶ୍ଵଶୁର ମତେ ଚାହିଁ ବସିଛନ୍ତି । ବୋଉଲୋ, ମତେ ସେମାନେ କେତେ ଭଲ ପାଉଥିଲେ । କେଇଟା ଦିନ ତାଙ୍କ ପାଖରେ ବା ରହିଲି, ମତେ କାଖରୁ କୋଳରୁ ଓହ୍ଲାଇ ନ ଥିଲେ । ମତେ ସେ କେତେ ଭଲ ପାଉଥିଲେ ବୋଉ, ସେଇଥିପାଇଁ ସେମାନେ ଜୀବନ ଦେଲେ, ଦିନଟିଏ ହୋଇ ତାଙ୍କ କାମରେ ମୁଁ ଲାଗି ନାହିଁ, ଦିନଟିଏ ତାଙ୍କର ସେବା କରିନାହିଁ । ଗୋଡ଼ରେ ହାତ ଦେଲେ ଟାଣିନେଇ କୋଳରେ ପୂରାନ୍ତି ।

 

କଇଁ କଇଁ ହୋଇ କାନ୍ଦିଉଠେ ଧୋବୀ । ଅଧୀର ହୋଇ ମା’ ତାର ମୁଣ୍ଡରେ ହାତ ବୁଲାଇ କହନ୍ତି, ଭୁଲି ଯା ମା’, ସେ ସବୁ ସପନ କଥା, ସତକଥା ନୁହେଁ । ତୁ ମୋର ପିଲାଝିଅ, ଅଭିଆଡ଼ୀ ।

 

ପ୍ରକୃତିସ୍ଥ ହୋଇ ଧୋବୀ ଉଠିବସେ । ବଲବଲ କରି ଚାରି ଆଡ଼କୁ ଚାହେଁ । କହେ ଅସ୍ଥିର ହୋଇ, ସପନ ନୁହଁଲୋ ବୋଉ, ସତ କଥା । କୋଳରେ ପୂରାନ୍ତି ଶାଶୁ, ମୋତେ ଗେଲ କରନ୍ତି । ଏଇ, ମୋ ମୁଣ୍ଡରେ ତାଙ୍କ ଗେଲ ଦାଗ ରହିଛି । କହନ୍ତି ସେ, ଏଘରେ କଣ ଆଉ କେହି ନାହିଁଲୋ, ତୁ ମୋର କୁଳର ଲକ୍ଷ୍ମୀ, ଗୋଡ଼ରେ ହାତ ଦେବୁ ? କୋଳରେ ପୂରାନ୍ତି । ବୋଉଲୋ, ଛାତିରେ ଜାକନ୍ତି । ତାଙ୍କ ଛାତି ଭିତରେ, ପଶିଯିବାକୁ ମୋର ମନ ଡାକେ । ତାଙ୍କର ପିଠି ଆଉଁସାରେ ଦେହ ମୋର ତାତି ଉଠେ, ଆଜି ଯେମିତି ତାତିଛି, ବୋଉଲୋ ।

 

ଧୋବୀ ଖଟ ଉପରେ ଶୋଇପଡ଼େ । ମା’ ତାର ମୁଣ୍ଡ ଆଉଁସନ୍ତି । କେତେବେଳେ ନିଦ ହୋଇଯାଏ । ନିଧେଇଁ ସୋଇଁ ଘରକୁ ଆସନ୍ତି । ତାଙ୍କରି ହାତରେ ଶୋଇଲା ଧୋବୀକୁ ସମର୍ପି ଦେଇ ମା’ ଉଠିଯାନ୍ତି । ନିଧେଇ ଜଗି ବସନ୍ତି ପାଖରେ, ରାତି ପାହେ । ଚିତ୍କାର କରି ଉଠେ ଧୋବୀ, ସେ ଗରିବଟା, ସେ ନିଆଶ୍ରା, ତାକୁ ତଡ଼ିଦିଅ ନାହିଁ । ନିଧେଇ ସୋଇଁ ବୁଝନ୍ତି ତାର ମନର କଥା । ଧୋବୀର ଦୁର୍ବଳ ହାତପାପୁଲି ଆଉଁସି ଦିଅନ୍ତି । ଧୋବୀ ଆଖି ଖୋଲେ, ପାଖରେ ନିଧେଇଙ୍କୁ ଦେଖି କହିଉଠେ, ଦାଦା ।

 

ନିଧେଇ ସୋଇଁ ତୁନି ରହନ୍ତି, ହାତ ଆଉଁସନ୍ତି ।

 

କଟିଗଲା ଆହୁରି ସାତଆଠ ଦିନ । ଧୋବୀ ଭଳ ହେଲା, ପଥି ଖାଇଲା । ଦୁର୍ବଳତା ଛାନି ନ ଥାଏ । ଚିନ୍ତେଇ ସୋଇଁ ବ୍ରାହ୍ମଣ ପଣ୍ଡିତ ଆଣି ଭଲ ବାର, ଭଲ ତିଥି ଖୋଜାଉଛନ୍ତି, ଯେଉଁଦିନ ସଂସାର ଲୋକଙ୍କ ଆଗରେ ମୁଖିଆ ଲୋକେ ଓ ଆଖପାଖ ପାଞ୍ଚଦଶ ଖଣ୍ଡି ଗ୍ରାମର ଗଣ୍ୟମାନ୍ୟ ଲୋକେ ଏହି ପୋଷ୍ୟପୁତ୍ର ଉତ୍ସବରେ ଯୋଗ ଦେବେ, ଭବିଷ୍ୟତକୁ ସାକ୍ଷୀ ରହିବେ ।

 

ଚିନ୍ତେଇ ସୋଇଁଙ୍କର ମନକଥା କେହି ବୁଝିପାରୁ ନାହାନ୍ତି । ଘରର ଅନ୍ୟ କାହାରିକୁ ନ ପଚାରି କାହିଁକି ସେ ଧୋବୀକୁ ପୋଷ୍ୟପୁତ୍ର କରାଇ ଦେବାକୁ ଏତେ ଉଚ୍ଛନ୍ନ ? ସେ ଜାଣନ୍ତି ଲୋକେ ମଧ୍ୟ ଜାଣନ୍ତି, ତାଙ୍କର କଥାରେ କେହି ପ୍ରତିବାଦ କରି ପାରିବେ ନାହିଁ, ତାଙ୍କର ଉଦ୍ଦେଶ୍ୟରେ କେହି ବାଧା ଦେବାକୁ ସାହାସ କରିବେ ନାହିଁ ।

 

ଆଉ ଧୋବୀ, ଦିନେ ଦ୍ଵିପ୍ରହରରେ ତାର ପେଟରା ସଜାଡ଼ୁ ସଜାଡ଼ୁ ଦୁର୍ବଳ ହାତ ଥରି ଉଠିଲା । ଅନ୍ଧାରିଆ ଘରର ଚାରି ଆଡ଼କୁ ଚାହିଁ ବିଚଳିତ ହେଲା । ଭଲ ପାଇବାର ଅଧିକାର ତାର ନାହିଁ । ସେ ବିଧବା, ସେ ଧନୀ ଘରର ଝିଅ, ଧନୀଘର ବୋହୂ । ସନେଇଁକୁ ସହାନୁଭୂତି ଦେଖାଇବାକୁ ଯାଇ ଅଜାଣତରେ ତା’ରି ପଛରେ ନିଜର ଦୁର୍ବଳ ଚହଲା ମନକୁ ଧାଇଁବାକୁ ଛାଡ଼ି ଦେଇଥିଲା ।

 

ଯେଉଁ ଆଶା ସେ ସନେଇଁର ମନରେ ଜଗାଇଛି ସେ ଆଶାର ପରିଣତି କେଉଁଠି ? ନିଜର ଦେହଟାକୁ ଦୂରଇ ରଖିଲେ ମଧ୍ୟ ମନଟାକୁ ତ ସନେଇଁ ପାଖରୁ ଦୂରକୁ ନେଇପାରୁ ନାହିଁ ? ସନେଇଁ ଘର କଲା, ଜାତି ହେଲା, ସନେଇଁ ଜମି କରିବ, ସଂସାର କରିବ, ସୁଖରେ ରହିବ । ଧୋବୀର ଆନନ୍ଦ, ଧୋବୀର ସୁଖ ସେତିକିରେ ରହୁ । ଧୋବୀର ପ୍ରେମ ସନେଇଁକୁ ସୁଖୀ କରୁ, ସଂସାରରେ ଥାନଦେଉ ।

 

ଧୋବୀର ଆଖି ଉଜଳି ଉଠିଲା । ସତେକି ସେ ସେପୁରରୁ ସଙ୍କେତ ପାଇଲା, ଆଲୋକ ପାଇଲା । ସେଇ ଅନ୍ଧାରିଆ ଘର ଭିତରେ, ଦୁଇହାତ ଉପରକୁ କରି ସେ ପ୍ରଣାମ କଲା ।

 

ସେ ତାର ଶାଶୁଘରର ପେଟରା ଅଣ୍ଡାଳିବାକୁ ଲାଗିଲା । ସେ ବିଧବା ହେଲାପରେ ତାର ଗହଣାଗାଣ୍ଠି ସବୁ ଓହ୍ଲାଇ ରଖା ହୋଇଥିଲା । ସବୁ ଥିଲା ତାରି ପେଟରାରେ । କାଳେ କେଉଁଠି ହଜିଯିବ, କାଳେ କିଏ ନେଇଯିବ ବୋଲି ଦିନେ ଚିନ୍ତେଇ ସୋଇଁ ଧୋବୀଠାରୁ ପେଟରାଗୁଡ଼ିକର ଚାବି ମାଗି ନେଇଥିଲେ । ସେ କଣ ନେଲେ, କଣ ରଖିଗଲେ ଧୋବୀର ବୁଝିବାର ଆବଶ୍ୟକ ନ ଥିଲା । ଚାବିଟି ଫେରସ୍ତ ପାଇ ସେ ନିଜ ପାଖରେ ରଖିଥିଲା । ଏତେଦିନ ପରେ ଆଜି ତାର ମନେପଡ଼ିଲା । ଖାଜି ଖୋଜି କିଛି ପାଇଲା ନାହିଁ । ସବୁ ଗହଣା ତାର ବାପା ନେଇ ଯାଇଛନ୍ତି ।

 

ଧୋବୀ ହତାଶ ହେଲା । ପେଟରାକୁ ଧରି ଅଚଳ ପଥର ମୂର୍ତ୍ତିପରି ମୁହୂର୍ତ୍ତେ ଠିଆହୋଇ ରହିଲା । କାହିଁକି ତାର ବାପା ଏଡ଼େ ନିଷ୍ଠୁର ହେଲେ ? କାହିଁକି ସେ ଧୋବୀକୁ ଅବିଶ୍ଵାସ କଲେ ? ମନରେ ସନ୍ଦେହ ହେଲା; ହୁଏତ ସେ ଜାଣିପାରଛନ୍ତି ଯେ ଧୋବୀ ଗୋପନରେ ସନେଇଁକୁ ସୁନା ମୋହର ଦେଇଛି, କାରଣ ସୁନା ମୋହର ଦେବାର କିଛିଦିନ ପରେ ସେ ଧୋବୀଠାରୁ ସେ ଚାବି ମାଗି ନେଇଥିଲେ । ସେ ସମ୍ବନ୍ଧରେ ଦିନେ ହେଲେ କେହି ତାକୁ କିଛି ପଚାରି ନାହିଁ ।

 

ବିଦ୍ରୋହ କରିବାକୁ ଧୋବୀର ମନ ଝଗଡ଼ି ଉଠିଲା । ସବୁ ପୁରୁଣା ସଂସ୍କାରକୁ ଗୋଡ଼ରେ ଦଳି ଆଗକୁ ଚାଲିବାକୁ ତାର ଇଚ୍ଛା ହେଲା; କିନ୍ତୁ ଏହି ଜଟିଳ ହିନ୍ଦୁସମାଜରେ, ଅତି ଜଟିଳ ସାମାଜିକ ନିୟମ ଓ ପ୍ରଥାର ବନ୍ଧନୀ ଭିତରେ ସବୁ ବିଦ୍ରୋହ ଛପିଯିବ, ଉତ୍ତେଜନାର ନିଆଁ ଆପେ ଆପେ ଲିଭିଯିବ । ପୁରୁଣା ରକ୍ଷଣଶୀଳତା ପୁଣି ତା’ କାୟା ମେଲାଇ ବସିବ ।

 

ସନେଇଁ ଆଡ଼କୁ ଧୋବୀର ଅବାଧ୍ୟ ମନ ଧାଇଁଯାଏ, ଅସଂଯତ କଳ୍ପନା ସନେଇଁର ଚାରିପାଖେ ଚେକା ଚେକା ଭଉଁରି ଖେଳେ, ସମାଜର ସଂସ୍କାର ତାକୁ ଓଟାରିଆଣେ ପଛକୁ । ସନେଇଁ ଆଡ଼କୁ ଯେମିତି ଦ୍ରୁତ ଗତିରେ ତାର ପ୍ରବୃତ୍ତିବିହ୍ୱଳ କାମନା-ଚଞ୍ଚଳ ଭାବନା ଧାଇଁଯାଏ, ସେତିକି ଦ୍ରୁତଗତିରେ ଆଗକୁ ଆସେ ତାର ନ ଥିଲା ସ୍ଵାମୀ, ଶ୍ଵଶୁରଙ୍କର ସ୍ନେହ, ତା’ ପାଇଁ ସେମାନଙ୍କ ଆତ୍ମତ୍ୟାଗ ।

 

ଧୋବୀର ମନ ଫେରେ । ଲଗାମ ହୁଗୁଳା ଚଞ୍ଚଳ ମନକୁ ସେ ଆକଟ କରେ, ଅନୁତାପ କରେ ସ୍ଵାମୀଙ୍କର ସ୍ମୃତିକୁ ପୂଜା କରିବାକୁ, ଗତକଥା ମନେପକାଇ ସେ କାନ୍ଦେ । ବ୍ରତ ଉପବାସ କରି ମଇଳା ମନ ଧୋଇଦିଏ । ନୀତିକଥା, ଗୀତା, ପୁରାଣ ପଢ଼ି ଶୁଣି ଦୁର୍ବଳ ମନକୁ ନୀତିର ବନ୍ଧନରେ ବାନ୍ଧି ଅଟକାଇ ରଖିବାକୁ ଚେଷ୍ଟା କରେ ।

 

ରହେ କେଉଁଠି ? ସଂସ୍କାର ପଘା ଛିଣ୍ଡାଇ ଅରଣା ମଇଁଷି ପରି ଛୁଟେ ତାର ଭାବନା । ଦ୍ଵନ୍ଦ ଜାଗେ ମନରେ । ଭଲମନ୍ଦ ସ୍ଥିର କରିବାର ଶକ୍ତି ସେ ହରାଇ ବସେ । ପୁଣି ଭାବେ ।

 

ସନେଇଁ ପରିଡ଼ାର ସର୍ବନାସ କରି ଶେଷକୁ ତାକୁ ନିଜଘରେ ମୂଲିଆ କୋଠିଆ କରି ରଖି ନିଜର ବଡ଼ପଣର ଟେକ ରଖିବାକୁ ଚିନ୍ତେଇ ସୋଇଁଙ୍କର ଯେଉଁ ପ୍ରୟାସ, ସନେଇଁ ପରିଡ଼ା ତହିଁରେ ବାଧା ଦେଇଛି । ମୂଲିଆ ପଣର ଟେକ ରଖିଛି । ଜାଣି ଜାଣି ବଡ଼ ଲୋକର ପଘା ଭିତରେ ମୁଣ୍ଡ ଗଳାଇ ନାହିଁ ।

 

ସନେଇଁର ଆଚରଣ ଧୋବୀର ମନରେ ଗର୍ବ ଆଣିଛି । ଧୋବୀ ହୃଦୟର ଅତି ପାଖକୁ ଟାଣି ହୋଇ ଆସିଛି ସେ । ତାକୁ ସେ ପରଘରେ ମୂଲ ଲଗେଇ ଦେବ ନାହିଁ । ସନେଇଁ ନିଜ ଗୋଡ଼ରେ ଠିଆ ହେବ, ଆଉ ସେଥିପାଇଁ ଧୋବୀ ତାର ସର୍ବସ୍ଵ ଦେଇ ସାହାଯ୍ୟ କରିବ ।

 

ଧୋବୀର ଅଛି କଣ ? ଏହି ସୁନା ହାରଟି । ବୋହୂ, ଦେଖିଲାବେଳେ ତାର ଶ୍ଵଶୁର କେଡ଼େ ଆଦର ସ୍ନେହରେ ନିଜ ହାତରେ ତାର ବେକରେ ପିନ୍ଧାଇ ଦେଇଥିଲେ । ଆଉ ଏଇ ସୁନାକାଚ ଚାରିପଟି ନିଜ ହାତରେ ଶାଶୁ ପିନ୍ଧାଇ ଦେଇଥିଲେ । ଏହା ଉପରେ ବାପ ଦାଦିଙ୍କର ଅଧିକାର ନାହିଁ । ସବୁ ତାର, ଶାଶୁ ଓ ଶ୍ଵଶୁରଙ୍କର ସ୍ନେହର ଦାନ ।

 

ଶିବରାତ୍ରି । ନୀଳକଣ୍ଠେଶ୍ଵର ମହାଦେବଙ୍କର ଯାତ୍ରା ।

 

ଧୋବୀର ନିର୍ଜଳା ଉପବାସ । ଶିବରାତ୍ରି ବ୍ରତ ମହାଦେବଙ୍କ ବେଢ଼ାରେ ପାଳନ କରିବ ବୋଲି ସଞ୍ଜ ନ ହେଉଣୁ ଟିମିକୁ ସାଙ୍ଗରେ ନେଇ ସେ ଆସିଛି । ବାପ ମା’ କି ଦାଦିଖୁଡ଼ୀ କାହାରି ଅନୁମତି ଲୋଡ଼ି ନାହିଁ । ଟିମି ସଙ୍ଗରେ ଅଛି ଜାଣି ସେମାନେ ମଧ୍ୟ ନିଶ୍ଚିନ୍ତ । ଗାଁ ଠାକୁର, ଗାଁ ଲୋକ, ଭୟଭାବନା କରିବାର କଥା ନୁହଁ ।

 

ସନେଇଁ ପରିଡ଼ାର ଘର ପାଖଦେଇ ଆସିଲାବେଳେ ଧୋବୀର ମନ ଡାକିଥିଲା ଥରଟିଏ ତାର ଘରକୁ ଯାଇ ଭଲମନ୍ଦ ବୁଝି ଆସିବ; କାଳେ ଟିମି କଣ ଭାବିବ ବୋଲି ମନର କଥା ପ୍ରକାଶ କରିପାରିଲା ନାହିଁ । ଅନ୍ଧାର, ଦୂର ଶିବମନ୍ଦିରରୁ ଜୁଳୁ ଜୁଳୁ ହୋଇ ଶହ ଶହ ଆଲୁଅ ଦେଖାଯାଉଛି । ଚାରି ପାଖରେ ଗହୀର ମଝିରେ ଚଳନ୍ତି ଆଲୁଅ, ଲୋକେ ଶିବମନ୍ଦିରକୁ ଆସୁଛନ୍ତି-। ସନେଇଁ ପରିଡ଼ା ଘରେ ଆଲୁଅର ଚିହ୍ନବର୍ଣ୍ଣ ନାହିଁ । କେହି ଅଛି ବୋଲି ମନେ ହେଉନାହିଁ ।

 

ଧୋବୀ ଆଗକୁ ଚାଲିଲା । ଟିମି ମଧ୍ୟ ବ୍ରତ ପାଳିଛି, ହଜିଲା ସ୍ଵାମୀ ଫେରି ଆସିବ ବୋଲି ମାନସିକ କରିଛି । ଯିବାକୁ ତ ହେବ ।

 

ଖଣ୍ଡେଦୂର ଯାଇ ଟିମି କହିଲା, ଧୋବୀଲୋ, ମୋ ଜୀବନରେ ଶାନ୍ତି ନାହିଁ, ଖାଲି ଛଟପଟ ଡହଳବିକଳ ହେବାର କଥା । ଘରଦ୍ଵାର ଛାଡ଼ି ପେଟ ବିକଳରେ ସେ କୁଆଡ଼େ ଚାଲିଗଲା-। ମୁଁ ଆସି ବାପଘରେ ପଶିଲି । ଏତେ ଲୋକ ଫେରି ଅଇଲେ; ସେ ଫେରିଲା ନାହିଁ । ବାପ ଯାହାକୁ ଦେଖୁଛି, ବାଇଆ କୁକୁର ପରି ଧାଇଁ ଯାଉଛି । ପଚାରି ଆସୁଛି । ସମସ୍ତେ କହୁଛନ୍ତି ଜାଣନ୍ତି ନାହିଁ । ବାହା ହେଇ କେଇମାସ ତାର ସଂସାର କରିଥିଲି । ସପନ ପରି ଲାଗୁଛି । ଦିନଟିଏ ଖୁସି ଆନନ୍ଦରେ କଟି ନାହିଁ । ମୂଲିଆ ମୁଣ୍ଡ । ପରଘରେ ବଟାଳି ଠୁକ୍ ଠୁକ୍ କରି ଯାହା ଆଣେ ସେଥିରୁ ଅଧେ ଖରଚ କରେ ମଦଖିଆରେ, ଗଞ୍ଜେଇ ଟଣାରେ, ବାକିତକ ପେଟକୁ ନିଅଣ୍ଟ । ମହରଗ କାଳ-। ମୋରି ପିଠିରେ ହାତସୁଖ ସାରେ । କେତେ ସହିବି ? କାହା ପାଖରେ ଗୁହାରୀ କରିବି ? କହିଲେ, ଯିଏ ଶୁଣେ କହେ ନିଶୁନିଆ (ବିଶୁନିଆ) ଭଲ ପିଲା, ମାଛିକି ମ କହେ ନାହିଁ । ମୋରି ହୁଏ ଦୋଷ । ଗାଁ ଦାଣ୍ଡରେ ମୋ ନାଁ ପଡ଼େ, ମୁଁ ଓଲେଈ, ମୁଁ ଟକଳୀ, ବରକୁ ଦେଖିପାରେ ନାହିଁ ।

 

ଟିକିଏ ଥମି ଯାଇ ଟିମି କହିଲା, ମଣିଷର ଦେହ ଧରି କେତେ ସହିବି ? କନ୍ଦାକଟା କରି ଗାଁକୁ ଚାଲି ଅଇଲି । ଶୁଣିଲି, ସେ କୁଆଡ଼େ ବାଇଆ ପରି ହେଲା । ଭାବିଲି, ସତେ ଆଉ କଣ ସେ ମୋତେ ଖୋଜୁଛି ? ମନ ଡାକିଲା ଯିବାକୁ । କାଳେ ସେ ବଦଳିଥିବ । ଡରମାଡ଼ିଲା, ନାଇଲୋ, ତାର ହାତ ଗଲୁ କରୁଥିବ । ବିନା ଦୋଷରେ କିଏ ଗାଳି ମାଡ଼ ସହିବ ? ବୋଉ କହିଲା ଯା, ବାପା କହିଲା ଯା । ମୁଁ କହିଲି ଗଲେ ଜୀବନ ହାରିଦେବି । ଦିନେ ସେ ଆଇଲା । ବୋଉ ପାଖରେ କେତେ କନ୍ଦାକଟା କଲା, ନେହୁରା ହେଲା । ମୁଁ ଲୁଚିଲି । ଆଗକୁ ଯିବାକୁ ବାଘ ମୁହଁକୁ ଯିବାପରି ଲାଗିଲା । ବୋଉ ତାକୁ ବୁଝାସୁଝା କରି ପଠେଇ ଦେଲା । ମତେ କହିଲା ନିଶୁନିଟି ଭାରି ଭଲ ପିଲା । ସାଙ୍ଗ ସାଥିରେ ପଡ଼ି ନିଶାପାଣି ଟିକେ ଧରିଥିଲା । ମରଦ ପିଲା ସେମିତି ହୁଅନ୍ତି । ଦେଖୁନୁ ତୋ ବାପକୁ ।

 

ବାପା ଲୁଚେଇ ଲୁଚେଇ ଗଞ୍ଜେଇ ଟାଣେ, କେବେ କେମିତି ।

 

ଟିମି ବଡ଼ପାଟି କରି ହସିଲା । ମହାଦେବ ମନ୍ଦିର ପାଖେଇ ଆସିଲା । ଲୋକଙ୍କର କୋଳାହଳରେ କାନ ଅତଡ଼ା ପଡ଼ୁଥାଏ । ଆଗରେ ପଛରେ ଆଲୁଅ ଧରି ଆଉ କେତେ ଲୋକ ଆସୁଛନ୍ତି । ଟିମି ଧୋବୀର ଦୁର୍ବଳ ହାତକୁ କଟମଟ କରି ଧରିଲା । ଉଚ୍ଚ ହିଡ଼ । ଦୁଇପାଖେ ଟାଣ, ଶୁଖିଲା ଆବଡ଼ା ଖାବଡ଼ା ବିଲ । ଗୋଡ଼ ଖସିଲେ ହାତ ଗୋଡ଼ ଚୂନା ହୋଇଯିବ ।

 

ଧୋବୀ କହିଲା, ଛାଡ଼ ମୋ ହାତ ।

ପଡ଼ିଯିବୁଲୋ ।

 

ନାଇଁ, ମୁଁ ହୁସିଆର ଅଛି । କହ କହ, ତୋ କଥା । ଏତେଦିନ ହେଲା ମୁଁ ତୋର ସାଙ୍ଗ । ମତେ ଲୁଚେଇ ରଖିଥିଲୁ ?

 

ଟିମି ଆରମ୍ଭିଲା, ଲୁଚେଇବି କାହିଁକି ? କହିବାକୁ ବେଳ ମିଳି ନାହିଁ । ଶୁଣ, ସେ ତ ଫେରିଗଲା । ମୁଁ ନିଶ୍ଵାସ ଛାଡ଼ି ବଞ୍ଚିଲି । କେତେଥର ଖବର ପଠାଇଲା । ଆଉ ମୁଁ ଗଲି ନାହିଁ । ସେଇଠୁ ପଡ଼ିଲା କାଳ, ଆଉ ସେ ମତେ ପଚାରିଲା ନାହିଁ । ଜମି ଦୁଇତିନି ମାଣ ଥିଲା । ତୋରି ଶ୍ୱଶୁର ଘରକୁ ସେତକ ବିକିଦେଇ ଯାହା ବଳିଲା ସେତକ ମଦପାଣିରେ ଉଡ଼େଇ ଦେଇ ଗାଁ ଛାଡ଼ି ଚଲ । ମତେ ପଦେ ପଚାରିଲା ନାହିଁ କି କିଛି ଦେଇ ନାହିଁ ।

 

କେତେ ବର୍ଷତ କଟିଗଲାଣି । ତା’ ଖବର ଅନ୍ତର କେହି କହି ପାରିଲେ ନାହିଁ । ବାପା କହିଲା, ଟିମିକି ଆଉ ଠାଏ ବାହା କରିଦେବା । ମା’ କହିଲା, କେମିତି ହେବ, ନିଶୁନିଆ କଣ ଛାଡ଼ପତ୍ର ଦେଇଛି ? ବାରବରଷ ଅନେଇବାକୁ ହେବ, ଖବର ନ ମିଳିଲେ ପଳାସପତ୍ର ଦାହ ହୋଇ ଶୁଦ୍ଧି ହେବ, ସେଇଠୁ ଯାହା କରିବ । ମତେ ଡାକି ବୋଉ କହେ, ଉପାସ ବରତ କର, ନିଶୁନିଆ ଫେରିବ । ବୋଉକୁ ଡରି ଉପାସ କରେ, ବାର ବରତ କରେ । ଭଲା କହ ତ ଧୋବୀ, ଏମିତି କଣ ବାରବରଷ ଉପାସ ବରତ କରି କେହି ଅନେଇ ବସେ ? ଡହଳ ବିକଳିଆ ଜୀବନରେ ମୋର ଶାନ୍ତି କାହିଁ ?

 

ମନ୍ଦିର ପାଖେଇ ଆସିଲା । ଲୋକଙ୍କର କୋଳାହଳ ବଢ଼ିଲା । ଆଲୁଅଗୁଡ଼ାକ ବେଶି ବେଶି ଉଜ୍ଜ୍ୱଳ ଦିଶିଲାଣି । ଅତି ଦୁଃଖରେ ଟିମି ପୋଛିଲା ଆଖିରୁ ଲୁହ । ଧୋବୀ ତାକୁ ସାନ୍ତ୍ୱନା ଦେଇ ପାରିଲା ନାହିଁ । ଟିମି କହିବାକୁ ଲାଗିଲା, ଉଜାଗର ହୋଇ ବରତ କରିବି, ଠାକୁରଙ୍କ ପାଖେ ଗୁହାରି କରିବି, ସେ ଫୋରିଆସୁ, ମଦପିଇ, ଗଞ୍ଜେଇ ଫୁଙ୍କି ମୋ ପିଠିରେ ହାତସୁଖ ସାରୁ ? ନାଇଁଲୋ ଧୋବୀ, ଲୋକେ ପଛେ ସେଇଆ ଭାବନ୍ତୁ ମୁଁ ବରତ କରୁଛି, କିଏ କୋଉଠୁ ଆସି ଆଖିରେ ଦେଖିଲା ଖବର କହୁ ନିଶୁନିଆର ମରଣ ଦେଖିଛି ।

 

ଧୋବୀ ଚମକି ପଡ଼ିଲା । ଟିମିର ହାତଧରି ଜୋରରେ ଝିଙ୍କିଆଣି କହିଲା,ମରୁନୁ ଲୋ, ଏମିତି କଥା ଭାବିବାକୁ ତୋ ମନ କେମିତି ହେଉଛି ? କହିବାକୁ କେମିତି ଜିଭ ଓଲଟୁଛି ?

 

ଟିମି ବିରକ୍ତ ହେଲାପରି ହାତ ଛିଞ୍ଚାଡ଼ି କହିଲା, କିଲୋ, କାହିଁକି ନ କହିବି ? ଆଖିଆଗରେ ତୁ ଦେଖିଲୁ ତୋର ବର ମଲା । କନ୍ଦାକଟା କଲୁ, ମନ ବୁଝିଲା, ତୁନି ହୋଇ ରହିଲୁ । ଜାଣିକରି ଏକା ନିରାଶ । ମନ ହେଲେ କାଲି ନୂଆ ଘର କରିବୁ, ନୋହିଲେ ନାହିଁ । ଛଟପଟ ହୋଇ ବେଳକାଳ କାଟିବୁ ନାହିଁତ ।

 

ଧୋବୀର ଦେହସାରା ଥରି ଉଠିଲା । ସେ ଉତ୍ତର ଦେଇ ପାରିଲାନାହିଁ । ତାର ସ୍ଵାମୀର ମରଣବେଳର ରୂପ ଆଖି ଆଗରେ ଉଭାହେଲା । ନିଜେ ନିଜେ ସଙ୍କୁଚିତ ସେ ହେଲା । କାହିଁକି ସେ ଉପାସ କରିଛି । କାହିଁକି ସେ ରାତି ଉଜାଗର ହୋଇ ବ୍ରତ ପାଳିବାକୁ ମହାଦେବଙ୍କ ପାଖକୁ ଧାଇଁ ଆସିଛି ? ସନେଇଁ ଭାଇର ଘର ଆଗରେ କାହିଁକି ତାର ଗୋଡ଼ ଅଟକି ରହିଥିଲା ?

 

ମହାଦେବଙ୍କର ବେଢ଼ାଭିତରେ ଭିଡ଼ । ଧୋବୀ ଓ ଟିମି ମନ୍ଦିରର ଚାରିପାଖେ ବୁଲି ଆସିଲେ । ମନ ଯାହାଙ୍କୁ ଖୋଜିଲା ମିଳିଲା ନାହିଁ । କେତେ ଗାଁର କେତେ ଲୋକ । ବୋହୂ ଭୂଆସୁଣି, ପିଲା ମନ୍ଦିରକୁ ବେଢ଼ି ବସିଛନ୍ତି । ବେଳେ ବେଳେ ହୁଳହୁଳି ଓ ହରିବୋଲ ଧ୍ୱନିରେ ସ୍ଥାନ କମ୍ପି ଉଠୁଛି । ଗଛ ମୂଳରେ କେଉଁଠି କିଏ କେତେ କଥା ମନାସି ଉପାଧିଆ ପଡ଼ିଛି ।

 

ଠାକୁର ଦର୍ଶନ କରି ଧୋବୀ ଓ ଟିମି ଫେରିଲେ ବେଢ଼ା ଭିତରକୁ । ମନ୍ଦିର ପାଖରୁ କିଛିଦୂର ଛାଡ଼ି ପୁରୁଣା ଯୋଡ଼ କଡ଼କୁ ଗୋଟିଏ ବଉଳଗଛ, ତାରି ମୂଳରେ କେତେ ମାଇପେ ଆଶ୍ରା ନେଇଛନ୍ତି । ବେଳୁ ବେଳ ରାତି ଅଧିକ ହେଉଛି, ଦେହ ଶୀତେଇ ଉଠୁଛି । ଫଗୁଣ ମାସ । ଶୀତ ଦି’ଗୁଣ ହେବାର କଥା । ମନ୍ଦିର ପାଖ ଛାଡ଼ିଦେଲେ ଦୂରରେ ଯେପରି ଘନ ଅନ୍ଧାର ଗାଢ଼ତର ହେଉଛି । କେତେବେଳେ ମହାଦୀପ ଉଠିବ; ଲୋକେ ଅନାଇଁ ରହିଛନ୍ତି । ମହାଦୀପ ଦର୍ଶନ ନ କରି ଫେରିଲେ ବ୍ରତ ଉପାସର ଫଳ ମିଳିବ ନାହିଁ ।

 

ଦିହେଁ ସେହି ଗଛମୂଳରେ ବସିଲେ । କାହାରି ମୁହଁରୁ କଥା ବାହାରୁ ନାହିଁ । ଧୋବୀ ଆଶା କରିଥିଲା, ନିଶ୍ଚୟ ସନେଇଁର ଦେଖା ପାଇବ; କିନ୍ତୁ ତାର ଦେଖାଦର୍ଶନ ମିଳିଲା ନାହିଁ । ମନ ଡାକିଲା, ପୁଣି ସନେଇଁ ଭାଇର ଅନ୍ଧାର ଘରକୁ ଫେରିଯିବ, ନିଜେ ଦେଖି ଆସିବ ସେ କଣ କରୁଛି-। କେତେ ଡରକଥା ମନ ଛୁଇଁଗଲା । ପ୍ରାଣ ତାର ଆକୁଳ ହୋଇ ଉଠିଲା; କିନ୍ତୁ ଟିମି ଆଗରେ ସାହାସ କରି ମନର କଥା କହିପାରିଲା ନାହିଁ । କୌଣସିମତେ ଟିମି ପାଖରୁ ଖସିଆସିଲେ ସେ ବାଟ-ଅବାଟ କି ଆଲୁଅ-ଅନ୍ଧାର ମାନିବ ନାହିଁ । ଥରେ ଯାଇ ଦେଖିଆସିବ ସନେଇଁ ଭାଇକୁ । ନୋହିଲେ ହତାଶ୍‍ ହୋଇ ଫେରିବ ।

 

ଟିମି ମଧ୍ୟ ସେମିତି ଆରା ଖୋଜୁଥିଲା । ମନ୍ଦିର ଭିତରୁ ବାହାରି ଆସିଲା ବେଳକୁ ବିଶି ଜେନାର ପୁଅ ଚନ୍ଦରା ମୁଖଶିଆଳିର ଗୋଟିଏ କଡ଼କୁ ଆଉଜି ଠିଆ ହୋଇଥିଲା । ଟିମିକୁ ଦେଖି ହସିଥିଲା । ପାଟି ଶୁଣେଇ କାହାକୁ କଣ କହିଲାପରି ବଉଳ ଗଛର ଆଗ ଦେଇ ଦୁଇ ତିନିଥର ନହରପହର ହେଲାଣି । ଦୂର ଦୀପଗୁଡ଼ିକର ଆଲୁଅରେ ଅନ୍ଧାର ଟିକିଏ ପାତାଳ ହୋଇଛି । ପାଖକୁ ନ ଆସିଲେ ଚିହ୍ନି ହେଉନାହିଁ । କେତେ ମାଇପିଙ୍କ ପାଖରେ ବସିଛି ଟିମି । ସୋଇଁ ଘର ଝିଅ ମଧ୍ୟ ପାଖରେ ଅଛି । ଭରସି କରି ପଦେ ରସୁଆଳ ଥଟ୍ଟା କଥା ତୁଣ୍ଡରୁ ବାହାରୁ ନାହିଁ ।

 

ଶୁଣେଇ ଶୁଣେଇ ଟିମି କହିଲା, ଏ ନିଉଁଛଣା ମିଣିପଗୁଡ଼ା କଣ ହେଉଛନ୍ତି, କେଉଁଠି ହେଲେ ଟିକିଏ ବସେଇ ଦେଉଛନ୍ତି ? ହେଇ ଦେଖଲୋ ଧୋବୀ, ଚନ୍ଦରାକୁ ।

 

ଧୋବୀ ଚନ୍ଦରା ଉପରେ ଆଖି ପକାଇଲା । ବିରକ୍ତ ହେଲାପରି ଟିମିର ହାତଧରି ଉଠିଲା । ଟିମି ମଧ୍ୟ ତା’ ସଙ୍ଗରେ ମନ୍ଦିର ଆଡ଼କୁ ଚାରିଖୋଜ ଆଗେଇ ଗଲା । ରାଗ ତମତମ ହୋଇ ଧୋବୀ କହିଲା, ଭାରି ବହପଲୋ ଟିମି, ଯିବୁଟି ଚନ୍ଦରାକୁ ସେଇ ଗଛକଡ଼କୁ ଡାକି ଭଲରେ ବୁଝେଇ କହ, ଯଦି ଭଲଦଶା ଅଛିତ ହାତେ ମାପି ଚାଖଣ୍ଡକରେ ଚାଲୁ, ନୋହିଲେ ତା’ ହେଞ୍ଜଡ଼ାପଣର ପ୍ରରାଭବ ପାଇବ । ସବୁବେଳେ ସବୁକଥା ଭଲ ଦିଶେ ନାହିଁ । ଲୋକେ କଣ କହିବେ ? ହେଇ ଦାଦା ଆସୁଛନ୍ତି । ମୁଁ ଯାଉଛି । ତୁ ପଛରେ ଯିବୁ ।

 

ଧୋବୀ ଟିମିର ମନକଥା ଠଉରେଇ ନେଲା । ଟିମିକୁ ଛାଡ଼ି ମନ୍ଦିରର ଏ ପାଖକୁ ବୁଲି ଆସିଲା । ନିଧେଇ ସୋଇଁ ପଚାରିଲେ, କେତେବେଳେ ଫେରିବୁ ମା’ ? ସଙ୍ଗରେ କିଏ ଅଛି ? ମୋ ସଙ୍ଗରେ ଯିବୁ ?

 

ଧୋବୀ କହିଲା, ସାଙ୍ଗରେ ଟିମି ଅଛି । କେତେ ଲୋକ ତ ଯା ଆସ କରୁଛନ୍ତି । ମହାଦୀପ ଉଠିଲେ ଆମେ ଆମର ଫେରିଯିବୁ । ତମେ ଯାଅ ।

 

ସେହି ଅନ୍ଧାର ରାତିରେ ଧୋବୀ ଚାଳିଲା ଏକୁଟିଆ ସନେଇଁ ଘରକୁ । ବାହାରର ଅନ୍ଧାର, ଗହୀର ବିଲର କଣ୍ଟାଝଣ୍ଟା, ଆବଡ଼ାଖାବଡ଼ା ନଅଁନୁଆଣି ତାର ମନରେ ଦକ ଚମକ ଆଣିଲା ନାହିଁ । ଭୟ ହେଲା ତାର ମଣିଷକୁ, ଯିଏ ଗଢ଼ିଛି ଦେଶର ପ୍ରଥା, ଯାହାର ତୁଣ୍ଡରୁ ଅପବାଦ ଓ କଳଙ୍କର ବିଷ ନିଗିଡ଼ି ପଡ଼େ ।

 

ବେଗି ବେଗି ପାହୁଣ୍ଡ ଚାଲିଲା । ଭାବିଲା, ସନେଇଁ ଯଦି ତାରି ଉପହାର ଗ୍ରହଣ ନ କରେ ? ସନେଇଁ ଭାଇ ଯଦି ତାର ମନର କଥା ଖୋଲି କହେ, କି ଉତ୍ତର ସେ ଦେବ ? ଭାବି ସ୍ଥିର କରି ପାରିଲା ନାହିଁ, ତଥାପି ସେ ଚାଲିଲା ।

 

ସନେଇଁର ଘର ଆଗରେ ଗୋଡ଼ ଅଟକିଗଲା । କିଏ କୁଆଡ଼ୁ ଆସୁଛୁକି ? କିଏ ଆଉ ଦେଖିଲାକି ? ଦାଉଁ ଦାଉଁ ଛାତି । ଥରିଲା ଦେହ । ଉଦ୍‍ବେଗଭରା ମନ । ସେଇ ଆଖିବୁଜା ନିଘଞ୍ଚ ଅନ୍ଧାର ଭିତରେ ଦୃଷ୍ଟି ବୁଲାଇଲା । କେହି କୁଆଡ଼େ ନାହିଁ ।

 

ସନେଇଁର ଘର ଭିତରୁ ଆଲୁଅର ସରୁଗାର ପଦାକୁ ଆସୁଛି । ସେ ତେବେ ଘରେ ଅଛି-। ଦାଉଁ ଦାଉଁ ଛାତିରେ ଥରିଲା ଥରିଲା ପାଦ ପକାଇ ସେ ସନେଇଁର ହତା ଭିତରକୁ ପଶିଲା ।

 

ପୁଣି ଅଟକି ଗଲା ପାଦ । ଯିବ ? କିଏ କାଳେ ଦେଖୁଥିବ ? କେହି ତ ବୁଝିବେ ନାହିଁ ମନର ଗୋପନ କଥା । ରାତି ପାହିଲେ ଦୁର୍ନାମର କୁହାଟ ଶୁଭିବ । ଜଣେ ଜଣକୁ ଧରି କାନ ପାଖେ କହୁଥିବ, ଦେଖ ଗୋ ଧୋବୀଟା ମ, ରାତି ଅଧଟାରେ-

 

ଧୋବୀର ମୁଣ୍ଡ ଭିତରେ ଜଳିଲା ନିଆଁ । ଯିବ ନାହିଁ ? ଫେରିବ ? ଆଖି ଫେରାଇଲା । ଅନ୍ଧାରି ଆକାଶରେ ଆଜି ବେଶୀ ତରା, ସେମାନେ ଆଜି ବେଶି ଉଜ୍ଜ୍ୱଳ, ପ୍ରଫୁଲ୍ଲ । କେହି ନ ବୁଝୁ, ସେମାନେ ତ ବୁଝୁଛନ୍ତି, ଭଲମନ୍ଦ, ସତମିଛ, ପାପପୁଣ୍ୟ ।

 

ନଈକୂଳିଆ ପବନ ଧୀରେ ଧରେ ବହି ଆସିଲା, ଶୀତେଇ ଉଠିଲା ଧୋବୀର ଝାଳୁଆ ଦେହ ।

 

ନା, କେହି କୁଆଡ଼େ ନାହିଁ ।

ଧୋବୀ ସନେଇଁର ଘରେ ପଶିଲା ।

 

ସନେଇଁ ଆଲୁଅ ଜାଳି ବସିଛି । ଆଗରେ ଧୋବ ଫର ଫର ବିଲେଇ ଛୁଆଟିଏ, ତାରି ସଙ୍ଗେ ଖେଳୁଛି । ଏକୁଟିଆ ଜୀବନ ସାଥି ସେଇ ବିଲେଇଟି ।

 

ସନେଇଁର ଆଖି ପଡ଼ିଲା ଧୋବୀ ଉପରେ । ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲା । କିଛି ବୁଝିପାରିଲା ନାହିଁ । ତାରି ମନ ଭିତରେ ମଧୁର ଭାବନା ଯେପରି ରୂପ ପାଇ ଆଗରେ ଠିଆ ହୋଇଛି । କେଡ଼େ ଦୁର୍ବଳ । ମଳିନ । ମୁହଁର ଜ୍ୟୋତି ଲିଭିଯାଇଛି । କାନ୍ଦ କାନ୍ଦର ଭାବ ଫୁଟି ଦିଶୁଛି ଆଖି ଭ୍ରୂଲତାରେ । ଥରି ଉଠୁଛି ଓଠ ଦିଫାଳି । ଖର ନିଶ୍ଵାସରେ ଥରି ଉଠୁଛି ନିରକ୍ତିଆ ଦେହଟା ।

 

ଧୋବୀ ।

ହଁ ସନେଇଁ ଭାଇ, ଚିହ୍ନି ପାରୁନୁ ?

ଚିହ୍ନୁଛି । ଏକା ?

 

ହଁ, ଏକା । ମହାଦେବଙ୍କ ଦର୍ଶନ କରିବାକୁ ଆସିଥିଲି । ତତେ ଦେଖିବାକୁ ଚାଲି ଆସିଛି-

 

ସନେଇଁ କାବା ହୋଇ ଚାହିଁ ରହିଲା ।

କେମିତି ଅଛୁ ସନେଇଁ ଭାଇ ?

ପାଳି ଜର ହେଉଛି ।

ପାଳି ଜର ।

 

ହଁ ଦୁଇ ତିନିଦିନ ଛାଡ଼ି ଦିନେ ହୁଏ । ପୁଣି ତା’ ମନକୁ ଛାଡ଼ିଯାଏ । କେବେ ସେ ଆସେ ପୁଣି କେବେ ଯାଏ, ମୋର ମନେ ରହେ ନାହିଁ । ପର ଦୁଆରେ ପାଇଟି କରୁ କରୁ ଜର ଆସେ । ଗଛତଳେ ନୋହିଲେ ଗାଈ ଗୁହାଳେ, ପର ଓଳିତଳେ ଗାମୁଛା ଘୋଡ଼ିହୋଇ ଗଡ଼ିଯାଏ । ଝାଳ ବୁହେ । ଜର ଛାଡ଼େ । ପୁଣି କାମରେ ହାତଦିଏ ।

 

ଧୋବୀ ତାଟକା ହୋଇ ଶୁଣିଲା ।

ବସ୍‍ ଧୋବୀ, ବସି ଯା ଟିକେ ।

 

ଧୋବୀ ସନେଇଁ ଆଗରେ ବସିଲା । କେତେ କଣ କହିବାକୁ ମନ ହେଉଥିଲା । କଥାଗୁଡ଼ାକ ତୁଣ୍ଡରେ ଅଟକି ଗଲା ।

 

ଦୁହେଁ ଦୁହିଁଙ୍କୁ ଚାହିଁ ରହିଲେ । ଦୁହିଁଙ୍କ ଆଖିରେ ଭରିଗଲା ଲୁହ ।

 

ଶିବ ମନ୍ଦିର ଆଡ଼ୁ କୋଳାହଳ ଶୁଭିଲା । ନଈକୂଳିଆ ପବନରେ ଥରି ଥରି ଉଠିଲା ଡିବିର ଆଲୁଅ । ଦୁହିଁଙ୍କର ଭାବନା ଭାଙ୍ଗିଲା । ଦୁହେଁ ଦୁହିଁଙ୍କୁ ଦେଖି ହଠାତ୍ ଚମକି ଉଠିଲେ । ଥରି ଉଠିଲେ ଭୟରେ । ସଙ୍କୁଚିତ ହେଲେ ଲାଜରେ ।

 

ଉଭୟେ ପୋଛିଲେ ଲୁହ ।

ସନେଇଁ ଭାଇ ।

 

ଧୋବୀ । ନା, ଆଉ ମୁଁ ସହି ପାରିବି ନାହିଁ । ତୁ ମୋତେ ତୋରି ଖେଳନା କରି ଖେଳିବୁ-? ତୋରି କୁହା ମାନି, ତୋରି ଦାନରେ ମୁଁ ଜାତି ହେଲି, ଘର କଲି । ତୋରି କୁହାରେ ପରଦୁଆରେ ମୂଲ ଲାଗି ପେଟ ପୋଷିଲି । ପୁଣି ତୋରି କଥାରେ ଚିନ୍ତେଇ ସୋଇଁଙ୍କ ଆଗରେ ଗୋଡ଼ଭାଙ୍ଗି ଠିଆହୋଇ ବାପ ଅଜାଙ୍କର ଟାଣପଣକୁ ତାଙ୍କରି ଗୋଡ଼ ତଳେ ଅଜାଡ଼ି ଦେଲି । ଅପମାନ ସହି ମୁଣ୍ଡ ନୋଇଁ ଫେରିଲି ।

 

ପୁଣି ଝରିଲା ଧୋବୀ ଆଖିରୁ ଲୁହ ।

 

ସନେଇଁ କହିଲା, ମୁଁ ତୋର କଣ୍ଡେଇ ହୋଇଛି । ତୁ ଖେଳୁଛୁ, ମୁଁ ପାଉଚି ଦୁଃଖ, ମୋ ବାପ ତୋର ବାପକୁ ପଦଟିଏ କହିଥିଲା । ଅପମାନ ଦେବା ତାର ଉଦ୍ଦେଶ୍ୟ ନ ଥିଲା । ତୋରି ବାପ ହାରିଲା । ତୁ କିନ୍ତୁ ଜିତିଲୁ । ମାର ଅବସ୍ଥାର ସୁଯୋଗ ନେଇ ତୁ ନେଲୁ ପ୍ରତିଶୋଧ ।

 

ଧୋବୀ ସହିପାରିଲା ନାହିଁ । ମୁହଁ ଖୋଲିଲା, ତୁନି ହ ସନେଇଁ ଭାଇ ।

 

ତୁନି ହେବି କାହିଁକି ? ଏ ଘର ତୋର, ଏଥିରେ ଯାହା ଅଛି ସବୁ ତୋର । ମୁଁ ତୋର ଖେଳନା ହୋଇ ରହିବି ନାହିଁ । ଖୋଲା ଦୁନିଆଁ ମୋ ଆଖି ଆଗରେ ପଡ଼ିଛି । ଆଶ୍ରା ଦେବାକୁ ଶହ ଶହ ଗଛ ଡାଳ ମେଲାଇ ନିମନ୍ତ୍ରଣ କରୁଛନ୍ତି ।

 

ସନେଇଁ ଭାଇ । ଧୋବୀ କଣ କହିବାକୁ ବସିଥିଲା କହିପାରିଲା ନାହିଁ ।

 

ସନେଇଁ କହିବାକୁ ଲାଗିଲା, ମନର କଥା ତତେ ମୁଁ କହୁଛି । କାହିଁକି ମୁଁ ହାଡ଼ଭଙ୍ଗା ପରିଶ୍ରମ କରି ପରଦୁଆରେ ପୋଷପୋଷ ଝାଳ ନିଗାଡ଼ି ଏକୁଟିଆ ପଡ଼ି ରହିଛି ? ଏଇ ଘରେ ଆତଯାତ ହେଲେ କେତେ ଗତକଥା ମୋର ମନେପଡ଼େ । ବାପ ମା’ ଭାଇଭଉଣୀ ସମସ୍ତଙ୍କର ରୂପ ଆସି ଆଗରେ ଠିଆ ହୁଏ ।

 

ଧୋବୀ କହିଲା, ସନେଇଁ ଭାଇ, ମଣିଷ ଏକୁଟିଆ ରହିଲେ ତାର ମନ ଏମିତି ଅସ୍ଥିର ହୁଏ । ସେ ଏମିତି ପାଗଳ ପରି ପ୍ରଳାପ କରେ । ଏ ଘରକୁ ଯଦି ଘରଣୀ ଆସନ୍ତା ତୋର ପାଗଳାମୀ ଛାଡ଼ି ପଳାନ୍ତା ।

 

ଧୋବୀ ହସିଲା ମୁହଁରେ ସନେଇଁର ହାତ ଧରିଲା । ତାର କହିବାର ଭଙ୍ଗୀ, ତେରଛା ଚାହାଣୀ, ହସିଲା ଓଠ, ଥରିଲା ଗାଲ, ହାତର ପରଶ ଯେପରି ତାକୁ ମନ୍ତ୍ରମୁଗ୍ଧ କଲା । ତାର ସର୍ବାଙ୍ଗ ଥରି ଉଠିଲା । ତୁଣ୍ଡରୁ କଥା ବାହାରିଲା ନାହିଁ ।

 

ଧୋବୀ କହିବାକୁ ଲାଗିଲା, ସୁଖଦୁଃଖ ଆଲୁଅ ଛାଇ ପରି ଲାଗି ରହିଥାଏରେ । ମଣିଷ ପୁଅର ଭାଗ୍ୟ ପତର ତଳେ, ଧୈର୍ଯ୍ୟଧର, ତୋରି ବାପ ମା’, ତୋରି ଭାଇଭଉଣୀ ପୁଣି ଏଇ ଘରେ ତୋରି କୋଳରେ ଜନ୍ମ ହେବେ, ନାଚିବେ, ଖେଳିବେ । ଏଇ ଘର ସେମାନଙ୍କର ହସଖେଳ, ପାଟି ଆନନ୍ଦରେ ଫାଟି ପଡ଼ିବ । ଯେଉଁମାନଙ୍କର ସେବା କରିପାରିଲୁ ନାହିଁ ବୋଲି ଅନୁତାପ କରୁଛୁ, ସେମାନଙ୍କ ସେବା ମନଇଚ୍ଛା କରିବୁ । ପୂର୍ବପୁରୁଷର ଋଣ ସୁଝାଇବୁ । ବ୍ୟସ୍ତ ହେଉଛୁ କାହିଁକି ?

 

ଧୋବୀର ହାତମୁଠା ଭିତରେ ସନେଇଁର ହାତ ଥରି ଉଠିଲା । ଧୋବୀ କଣ କହୁଛି ? ଏଇ ଘର ପୁଣି ହସି ଉଠିବ ? ପୁଣି ଏଇ ଘରେ ଆନନ୍ଦର ସୁଅ ଛୁଟିବ ? କିନ୍ତୁ କିଏ ହେବ ଏ ଘରର ଘରଣୀ ? କିଏ ତାର ପୂର୍ବପୁରୁଷ, ବାପ ମା’, ଭାଇଭଉଣୀଙ୍କୁ କୋଳକୁ ଆଣିବ ?

 

ଧୋବୀର ଆଖିରୁ, ତାର ଢଙ୍ଗରୁ ଯେପରି ସେ ତାର ଏତେ କଥାର ଉତ୍ତର ପାଇଲା । ଇଚ୍ଛା ହେଲା, ତାର ଭବିଷ୍ୟତ ବଂଶଧରଙ୍କ ସୃଷ୍ଟିକାରିଣୀକୁ ଆଲିଙ୍ଗନ କରିବ । ମୁହଁରେ ବୋକ ଦେଇ ପଚାରିବ, କେବେ ସେ ସୌଭାଗ୍ୟ ହେବ ଧୋବୀ ? ଧୋବୀର ମୁହଁରୁ ଫୁଟି ଉଠୁଥିଲା ଅଦିନିଆଁ ଉତ୍ସୃଙ୍ଖଳତା ବିରୁଦ୍ଧରେ ଯେଉଁ ନାହିଁ ନାହିଁ ଭାବ ସନିଆଁ ଯେପରି ସେ କଥା ବୁଝିଲା । ଦୁଇ ହାତରେ ଧୋବୀର କଅଁଳ ହାତକୁ ମୁଠାଇ ଧରି କହିଲା, କିନ୍ତୁ, ମୁଁ ଯେ ଅତି ଗରିବ ଧୋବୀ ।

 

ଧୋବୀ ପୂର୍ବପରି ଅବିଚଳିତ ସ୍ଵରରେ କହିଲା, ଗରିବ ତୁ ? ନାଇଁ ସନେଇଁ ଭାଇ । ଭଗବାନ ତତେ ବୁଦ୍ଧି ଦେଇଛନ୍ତି । ବିଦ୍ୟା ଦେଇଛନ୍ତି । ତୋ ଦେହରେ ଶକ୍ତି ଦେଇଛନ୍ତି । ତୁ କାହିଁକି ଗରିବ ହେବୁ ? ତୋର ଯାହା ଲୋଡ଼ା ମୁଁ ଜାଣେ । ଅନ୍ୟର ସାହାଯ୍ୟ ବିନା ମଣିଷ ଉଠିପାରେ ନାହିଁ । ସେଥିଇପାଇଁ ତତେ ବାପାଙ୍କ ପାଖକୁ ପଠାଇଥିଲି । ସେ ନାହିଁ କଲେ, ତୁ ଫେରି ଆସିଲୁ । ଏଥକୁ ମାନ ଅପମାନ କଣରେ ? ଯିଏ ବଡ଼ ହେବାକୁ ଚାହେଁ, ତାକୁ ଛୋଟ ହେବାକୁ ପଡ଼େ । ଯିଏ ସହିପାରେ ସିଏ ହୁଏ ମଣିଷ । କେତେଥର ତତେ ତାଙ୍କ ପାଖକୁ ଯିବାକୁ ହେବ । ଆଉ ଥରେ ଯା, ଟଙ୍କା ଦେଇ ତୋ ଜମି ତୁ ଫେରସ୍ତ ମାଗ ।

 

ଟଙ୍କା । ସନେଇଁ ଆଶ୍ଚର୍ଯ୍ୟ ହୋଇ ପଚାରିଲା । ଧୋବୀର ଦୁଇ ହାତ ଛାଡ଼ି ସେ କହିଲା, ଟଙ୍କା କାହୁଁ ପାଇବି ? ଯାହା ସଞ୍ଚି ରଖିଥିଲି ସେଥିରେ ଗୋଟିଏ ଛେଳି, ଆଉ ଗୋଟିଏ ବାଛୁରୀ କିଣିଛି । ମୋ ପାଖରେ ତ ଟଙ୍କା ନାହିଁ ।

 

ପୁଣି ତତେ ଟଙ୍କା ମାଟିତଳୁ ମିଳିବ । ଏତିକି କହି ଧୋବୀ ଅଣ୍ଟାରେ ଖୋସିଥିବା ସୁନାର ହାରଟି କାଢ଼ିଲା । ଡିବିର ଆଲୁଅରେ ସେଇଟି ଝଟକି ଉଠିଲା । ସନେଇଁ ଚମକି ଚାହିଁଲା ।

 

ଧୋବୀ କହିଲା, ଏ ହାର ଚିନ୍ତେଇ ସୋଇଁଙ୍କର ନୁହେଁ । ମୋର ଶ୍ଵଶୁର ମତେ ଦେଇଥିଲେ । ଏ ମୋର, ମୁଁ ତତେ ଦେଉଛି । ୟାକୁ ବିକ୍ରିକରି ତୋର ଜମି ତୁ ଫେରାଇ ଆଣ । ଜମି ଫେରାଇ ଦେବାକୁ ବାପା ଯଦି ଅମଙ୍ଗ ହୁଅନ୍ତି, ନୂଆ ଜମି କିଣ । ସନେଇଁ ଭାଇ ମୁଁ ତୋତେ ଭିକ ଦେଉନାହିଁ, ଏ ହାର ତୋର । ମୋର କଣ ହେବରେ ? ଅନେକ ଟଙ୍କା, ଅନେକ ସୁନାରୁପା ଗହଣା ମୋ ବାକ୍ସ ପେଟରାରେ ଥିଲା । ଦିନେ ମୋଠୁ ଚାବି ମାଗିନେଇ ବାପା ସବୁ ନେଇ ଯାଇଛନ୍ତି । ଏ ହାର ଲୁଗାତଳେ ଥିଲା; ସେଥିପାଇଁ ହୁଏତ ଏଥିରେ ତାଙ୍କର ନଜର ପଡ଼ିନାହିଁ । ଯେବେ ନଜର ପଡ଼ନ୍ତା, ସେ ନେଇଯାନ୍ତେ । ତାଙ୍କ ହାତରେ ପଡ଼ିଥିଲେ ମୁଁ ତ ଆଉ ଫେରି ପାଇବି ନାହିଁ । ସନେଇଁ ଭାଇ, ତୁ ଆକୁ ନେ । ପେଡ଼ିରେ ସାଇତା ହୋଇ ରହିଲେ ଧନରତ୍ନର ମୂଲ୍ୟ କଣରେ, ସେମିତି କେତେ ଗୋଡ଼ି ପଥର ବାଟରେ ଘାଟରେ ପଡ଼ିଛି । କାହାର କୋଉ ଉପକାରରେ ଆସୁଛି ?

 

ଧୋବୀ କାହିଁକି ତୁ–

 

ନାଇଁ, ସନେଇଁ ଭାଇ, ତୁ ଆପତ୍ତି କରନା । ସନେଇଁର ପାଟିରେ ଗୋଟିଏ ହାତ ଚାପିଧରି କହିଲା, ତତେ ଆଉକିଛି କୁହାଇ ଦେବି ନାହିଁ । ପେଡ଼ିରେ ସାଇତା ହୋଇଥାନ୍ତା ଯେଉଁ ହାର ଖଣ୍ଡିକ, ସେଇଟା ମଣିଷର କାମରେ ଲାଗୁ । ତୁ ଜମିବାଡ଼ି କର, ଗାଁର ଆଉ ପାଞ୍ଚଟାଙ୍କ ସଙ୍ଗେ ସମାନ ହ । ସେତିକିରେ ମୋର ଆନନ୍ଦ । ମୋର କେବେ ଯଦି ଦରକାର ପଡ଼େ, ମୁଁ ତୋର ହାତ ଭିତରୁ ତୋର ପାଉଣା ଛଡ଼େଇ ନେବି । ସେତେବେଳେ ତୁ ନାହିଁ କରିପାରିବୁ ନାହିଁ ।

 

ସନେଇଁ କହିଲା, କାହିଁକି କରିବି ଜମିବାଡ଼ି ? କିଏ ଭୋଗ କରିବ ? ଧୋବୀ, କାହିଁକି ତୁ ମୋର ଚାରିଦଉଡ଼ି କଟା ମନଟାକୁ ବାନ୍ଧୁଛୁ ? ଧୋବୀ, ଗୋଟିଏ କଥା ପଚାରିବି ? ପ୍ରାଣ ମୋର ଡାକୁଛି, ପଚାରିବି ? ମନ ଚାହୁଁଛି ତୋର ତୁଣ୍ଡରୁ ତାର ଜବାବ ପାଇବି । ତୋର ତୁଣ୍ଡରୁ ପଦେ କଥା ଶୁଣିଲେ ମୁଁ ଆଉ କୌଣସି ଦୁଃଖକଷ୍ଟ ମାନିବି ନାହିଁ । ମୋର ମନରେ କୌଣସି ଭାବନା ପଶିପାରିବ ନାହିଁ । ତୋରି ଫେରିଲା ବାଟକୁ ଚାହିଁ ରହିଥିବି ଲୋ ।

 

ସନେଇଁର ମୁହଁରେ ସରାଗ ବୋଳିଲା ରଙ୍ଗ । ଅନେଇଁର ଆଖିରେ ଜଳିଲା ଉନ୍ମାଦନା । ତାର କଥା ଭିତରୁ ଫୁଟି ବାହାରିଲା ତାର ଅଭିପ୍ରାୟ । କେତେ ନିର୍ମଳ, ସରଳ, ସଳଖ ତାର ମନ । ଧୋବୀ ବୁଝିଲା, ସନେଇଁ କଣ ପଚାରିବାକୁ ଚାହେଁ । ଧୋବୀ ଅନୁଭବ କଲା, ସନେଇଁର ମନ ଭିତରେ ଯେଉଁ ନିଷ୍କପଟ ବାସନା, ଯେଉଁ ଆଗ୍ରହ ଖେଳି ବୁଲୁଛି । ସେ ଜାଣେ ସନେଇଁର ପ୍ରଶ୍ନର ହସିଲା ଉତ୍ତର ତାକୁ ଦୁନିଆଁ ସଙ୍ଗେ ଲଢ଼ିବାକୁ ପ୍ରେରଣା ଦେବ, ତାର ନଇଁଲା ମଉଳା ମନକୁ ସତେଜ କରିବ, ତାର ନିର୍ଜନ କୁଡ଼ିଆରେ ଭବିଷ୍ୟତର କେତେ ସୁନେଲି ଦୃଶ୍ୟ ନଚାଇବ । କିନ୍ତୁ ସନେଇଁର ପ୍ରଶ୍ନ ଶୁଣିବାକୁ ସେ ପ୍ରସ୍ତୁତ ନ ଥିଲା । ସନେଇଁର ପ୍ରଶ୍ନର ଜବାବ ଦେବାକୁ ସେ ପ୍ରସ୍ତୁତ ନୁହେଁ ।

 

ଧୋବୀ ଜାଣେ, କାଙ୍ଗାଳ ସନେଇଁ କାହିଁକି ବଞ୍ଚିଛି, କାହିଁକି ସେ ଘର କରିଛି, ଜାତି ହୋଇଛି, ଏତେ କଷ୍ଟ ଅପମାନ ସହି ଧୈର୍ଯ୍ୟଧରି ରହିଛି । ସନେଇଁର ପ୍ରଶ୍ନରେ ସେ ନାହିଁ କରିପାରିବ ନାହିଁ । ପଦଟିଏ ନାହିଁରେ ସବୁ ଜଳିପୋଡ଼ି ଛାରଖାର ହେବ । ପରିଡ଼ା ବଂଶ ଲୋପ ହେବ ଏହି ଗାଁରୁ । ନିଜେ ଧୋବୀ ମଧ୍ୟ ବଞ୍ଚିପାରିବ ନାହିଁ । ପଦଟିଏ ହଁ କରିବାର ସାହାସ ମଧ୍ୟ ତାର ନାହିଁ । ସମାଜର ପ୍ରଥା, ବାପର ଇଚ୍ଛା, ଧନର ଅସମାନତା, ଧର୍ମର ଦ୍ଵାହି, ସବୁ ବାଧା ଦୁହିଁଙ୍କର ମଧ୍ୟରେ ଠିଆ ହୋଇଛି ।

 

ତାର ଦୁଇ ଆଖିରେ ଭରିଗଲା ଲୁହ । କହିଲା, ସନେଇଁ ଭାଇ, ତୋର ଗୋଡ଼ ଧରୁଛି ମୋତେ କିଛି ପଚାର ନାହିଁ । ପଚାରିବାର ବେଳ ଆସିନାହିଁ । ଉତ୍ତର ଦେବାର ସାହାସ ମୋର ହୋଇନାହିଁ । ତୁ ମଣିଷ ହ, ତୁ ବଡ଼ ହ । ସନେଇଁ ଭାଇ, ତୋତେ କିଛି ପଚାରିବାକୁ ପଡ଼ିବ ନାହିଁ, ମୋର ମଧ୍ୟ ଉତ୍ତର ଦେବାର ଆବଶ୍ୟକତା ରହିବ ନାହିଁ । ତୁ ବଡ଼ ହ, ତୋରି ଦୁଇ ପାଦରେ ଏମିତି ମୁଣ୍ଡ ଲଗାଇ ତୋ ପ୍ରଶ୍ନର ଉତ୍ତର ଦେବି ।

 

ସନେଇଁର ଦୁଇପାଦରେ ଧୋବୀ ମୁଣ୍ଡ ଲଗାଇଲା । ତାର ଆଖି ଲୁହର ତତଲା ପରଶ ସନେଇଁ ସହି ପାରିଲା ନାହିଁ ।

 

ସନେଇଁ ଧୋବୀକୁ ତଳୁ ଉଠାଇଲା । ତାର ଲୁହଝରା ଆଖି, ତିନ୍ତିଲା ଗାଲରୁ ଲୁହ ପୋଛିଦେଲା । ପ୍ରାଣ ତାର ଡାକିଲା, ସେହି ଦେବୀ ପ୍ରତିମାର ଶୀର୍ଣ୍ଣ ଦେହ ଲତାଟିକୁ ଛାତିରେ ଆଉଜାଇ କହିବ, ତୁ ମୋର, ତୁ ମୋର ।

 

ଧୋବୀ ବୁଝିଲା । ତାର ତାରୁଣ୍ୟ ବାହୁନି ଉଠିଲା ।

ଶିବ ମନ୍ଦିର ଆଡ଼ୁ ଭାସି ଆସିଲା ହରିବୋଲ ଓ ହୁଳହୁଳି ଧ୍ୱନି ।

ଧୋବୀର ବିସ୍ମୃତି ଭାଙ୍ଗିଲା । ମହାଦୀପ ଉଠିଲା ।

ବାହାରକୁ ମୁହଁ ବୁଲାଇ କହିଲା, ସନେଇଁ ଭାଇ ମୁଁ ଯାଉଛି ।

 

ଅପେକ୍ଷା ନ କରି ଅବଶ ପାଦଦୁଇଟି ବାହାରି ଆସିଲା ଘରର ବାହାରକୁ । ସନେଇଁ ତାର ପଛେ ପଛେ ଆସିଲା । ସୁନାହାରଟି ପଡ଼ି ରହିଲା ଭୂଇଁ ଉପରେ ।

 

ଦୋଳପୂନେଇଁ ପାଖେଇ ଆସିଲା ।

 

ଗୋପୀନାଥଜୀଉ ଠାକୁରଙ୍କ ମନ୍ଦିର ଚାରିପାଖ ସଫାସୁତୁରା ହେଲା । ଚାନ୍ଦିନୀ ପାଖରେ ବାଉଁଶ ପୋତା ହେଲାଣି । ଛାମୁଡ଼ିଆ ହେବ । ବିଷ୍ଣୁପୁରର ଠାକୁର ମେଲଣ ବଡ଼ ହୁଏ, ଚତୁର୍ଦ୍ଦଶୀ ଦିନ । ମଝିରେ ଦିନ ସାତଟା । ଆଗରୁ ପ୍ରସ୍ତୁତ ନ ହେଲେ ଠିକଣା ବେଳକୁ ହଇରାଣ ହେବାକୁ ପଡ଼ିବ । ପହରାଜେ ନିଜେ ସବୁ ବିଷୟର ଯତ୍ନ ନେଉଛନ୍ତି । ମନ୍ଦିର ପଛ ଦରଭଙ୍ଗା ଆଖଡ଼ାଘର ମରାମତି ହେଲାଣି । ସଞ୍ଜପହରୁ କୀର୍ତ୍ତନ ଆରମ୍ଭ ହେଲାଣି । ମୃଦଙ୍ଗ ବଜାଳି ଯେଉଁମାନେ ଥିଲେ, ପଚିଶ ଖଣ୍ଡ ଗାଆଁରେ ସଂକୀର୍ତ୍ତନ ମଣ୍ଡଳୀ ଯେଉଁମାନଙ୍କର ଦକ୍ଷତା ଦେଖି ମୁଣ୍ଡ ନୋଉଁଥିଲେ, ସେମାନେ ଆଜି ନାହାନ୍ତି । କିଏ କେଉଁ ଗାଁରେ ଅପନ୍ତରାରେ ପଡ଼ି ମାଟି ହୋଇ ପଡ଼ିଥିଲେ । ଯେଉଁମାନେ ମୃଦଙ୍ଗ ଧରିଛନ୍ତି, ସେମାନେ ନୂଆ ଶିଖାଳି, ଟୋକାଟାକରା, ତଥାପି କାମ ତ ଚଳିବ ।

 

ପହରାଜେ ତାଙ୍କୁ ଉତ୍ସାହ ଦେଉଛନ୍ତି । ଗାଁ ପିଲାଙ୍କ ହାତରେ ଠାକୁରଙ୍କ ବିମାନ ସଫା କରାଉଛନ୍ତି । କେତେ ଗାଁକୁ ଠାକୁର ଯିବେ, କେତେମେଲଣରେ ବସିବେ । ପୁରୁଣା ଚାନ୍ଦୁଆ ଏ ବର୍ଷ ନୂଆ ହୋଇଛି । ଚିନ୍ତେଇ ସୋଇଁ ଧୋବୀନାମରେ ପଚାଶ ଟଙ୍କା ଦେଇ ଠାକୁର ବିମାନ ପାଇଁ ନୂଆ ଘୋଡ଼ଣୀ କିଣେଇ ଆଣିଛନ୍ତି । ଗାଁରେ ଧୋବୀର ଧନ୍ୟ ଧନ୍ୟ ଡାକ ପଡ଼ିଛି । ଆହା ପରଜନ୍ମ ପାଇଁ କେତେ ପୂଣ୍ୟଧର୍ମ ସଞ୍ଚିଯାଉଛି ପିଲାଟା ।

 

ଠାକୁରଙ୍କ କାମ ଦେଖିବାକୁ ବେଳେବେଳେ ଚିନ୍ତେଇଁ ସୋଇଁ ଧାଇଁ ଆସୁଛନ୍ତି । କେତେ ବରାଦ କରି ଯାଉଛନ୍ତି । ବିଷ୍ଣୁପୁର ଗାଁରେ ମେଲେରିଆ ଅଇଁଠା, ହଇଜା ବସନ୍ତ କାମୁଡ଼ା, ଲକ୍ଷ୍ମୀଛଡ଼ା, ଅଧା ଉପାସିଆ ହାଡ଼ମାଳ ଦେଖା, ଧଡ଼ିଆ ଧେଙ୍ଗଡ଼ା ଶୁକୁଟା ସେମଟା, ଟୋକା ଟାକରା କଣ୍ଟାବାଇଁଶି ବାଡ଼ିଧରି ଗାଁ ଦାଣ୍ଡରେ ଧୂଳିରେ ଲଉଡ଼ିଖେଳ ଆରମ୍ଭ କରିଛନ୍ତି । ପର ଗାଁରେ ମେଲଣକୁ ଯିବେ, କେଉଁଠିକାଳେ କଜିଆଗୋଳ ହେବ, ଗାଁର ଟେକ ରଖିବାକୁ ବୀରପଣିଆଁ ଦେଖାଇ ଦୁଇ ଚାରିଜଣଙ୍କର ତାଳୁ ଫଟେଇବାକୁ ହେବ । ବଡ଼ ଆଗ୍ରହରେ ବୁଢ଼ା ଦରବୁଢ଼ା ଚାହିଁ ରହିଛନ୍ତି ।

 

ଠିକ୍ ସେତେବେଳେ ଚିନ୍ତେଇ ସୋଇଁ ମନ୍ଦିର ଆଗ ଚାନ୍ଦିନୀ ପାଖକୁ ଆସିଲେ । ସଙ୍ଗରେ ଅଛନ୍ତି ନିଧେଇ ସୋଇଁ । ତାଙ୍କୁ ଦେଖି ଗାଁ ଭେଣ୍ଡିଆ ଦ୍ଵିଗୁଣ ଉତ୍ସାହରେ ବାଡ଼ିଖେଳ ଆରମ୍ଭ କଲେ । ଆଖଡ଼ା ଘରୁ ମୃଦଙ୍ଗର ଟିପା ଭାସି ଆସିଲା । ପହରାଜେ ମନ୍ଦିର ଭିତରୁ ବାହାରି ସୋଇଁଙ୍କର ଓଳଗିକୁ ଅପେକ୍ଷା ନ କରି କଲ୍ୟାଣ ଆରମ୍ଭ କରିଦେଲେ । ଚିନ୍ତେଇଁ ସୋଇଁଙ୍କୁ ଲକ୍ଷ୍ୟକରି ପହରାଜେ କହିଲେ, ଏବର୍ଷ ମେଳଣଟା ଯେପରି ସରସ ହେବ, ଗାଁର ଟେକ ରହିବ, ସେଥିପାଇଁ ଯତ୍ନ ହେଉଛି ।

 

ସୋଇଁଏ ମୁଡୁକି ହସା ଦେଇ କହିଲେ, ସେତିକି ତ ଲୋଡ଼ା ପହରାଜେ, ମହତ ଥିଲେ ସବୁ ଅଛି । ଆଚ୍ଛା, ଗାଁ ଟୋକା ତ ସମସ୍ତେ ଅଛନ୍ତି, ସନେଇଁ ପରିଡ଼ା କାହିଁ ?

 

ପହରାଜେ କହିଲେ, ଗାଁ ଆଖଡ଼ାକୁ ସେ କେବେ ଆସେ ନାହିଁ । ପିଲାଏ ଭେଦା ପାଇଁ ଯାଇଥିଲେ । ତା’ ଉପରେ ଚାରିଅଣା ଭେଦା କରା ହେଇଥିଲା । ସେ ଗୋଟାଏ ଟଙ୍କା ବଢ଼େଇ ଦେଇ କହିଲା, ଆରେ ଚାରିଅଣିଆଁ ଭେଦାରେ ଠାକୁର କାମ କଣ ହେବରେ ।

 

ସୋଇଁଏ ଗମ୍ଭୀର ହୋଇ କହିଲେ, ଟୋକାର ବୁଦ୍ଧିଶୁଦ୍ଧି ଅଛି, ତେବେ, ଟିକେ ଉପର ମୁହାଁ ହୋଇଛି । ବାଗେଇ ଯିବ ଯେ । ଆଚ୍ଛା, ତମେ ଠାକୁରକାମ ଶେଷ କରି ଟିକିଏ ଆସିବ । ଧୋବୀର ଇଚ୍ଛା, ଦୋଳପୂର୍ଣ୍ଣମୀ ଦିନ ପୋଷ୍ୟପୁତ୍ର ଉତ୍ସବ କରାହେବ । ଯେଉଁମାନଙ୍କୁ ସବୁ ନିମନ୍ତ୍ରଣ ଯିବାର କଥା, ସବୁ ଠିକ୍ ଠାକ୍‍ ହୋଇଛି । ହରି ମାହାନ୍ତିଏ ଚିଟାଉ ଲେଖୁଛନ୍ତି । ଆପଣ ଆସିଲେ ସେ ସବୁ ଦେଖିବେ ।

 

ପହରାଜେ ସମ୍ମତି ଜଣାଇଲେ । ଚିନ୍ତେଇଁ ସୋଇଁ ଓ ନିଧେଇ ସୋଇଁ ଘରକୁ ଫେରିଲେ-। ବାଟରେ ନିଧେଇ ସୋଇଁ ପଚାରିଲେ ଥରେ ଧୋବୀକୁ ପଚାରିବା ଉଚିତ ନୁହେଁ ଭାଇ-?

 

ଚିନ୍ତେଇ ସୋଇଁ ମୁହଁ ଗମ୍ଭୀର କଲେ । ଉତ୍ତର ଦେବା ଆବଶ୍ୟକ ମନେକଲେ ନାହିଁ ।

 

ନିଧେଇ ସୋଇଁଙ୍କର ଦୁଇ ପୁଅ ଓ ଗୋଟିଏ ଝିଅ । ବଡ଼ ପୁଅ ଭଗବାନ ଓରଫ ଭଗି ଆଠ ବରଷର ପିଲା, ଗାଁ ଚାହାଳିରେ ପାଠପଢ଼େ । ଧୀରସ୍ଥିର ଶାନ୍ତ ପିଲାଟି । ବିଦ୍ୟାଧର ଓରଫ ବିଦେଇଟାକୁ ପାଞ୍ଚ ବରଷ । ଭାରି ଫୂର୍ତ୍ତି । ଚାଲିଗଲା ଶଗଡ଼ରେ ହାତ ପୂରାଏ, ବିଚକ୍ଷଣ, ଥରେ ଯାହା ଶୁଣେ ମନେ ରଖେ, କେଉଁକାଳର ବୁଢ଼ାପରି କଥା କହେ । ଝିଅ ରାଣୀଟିକୁ ଦୁଇ ବରଷ । କେଡ଼ ସୁନ୍ଦର ହସକୁଡ଼ୀ ।

 

ପିଲା ତିନୋଟି ଜନ୍ମ ହେଲା ଦିନୁ ବଡ଼ମା’ଙ୍କ କୋଳରେ ବଢ଼ିଛନ୍ତି । ନିଧେଇଙ୍କର ସ୍ତ୍ରୀ ସାନ ବୋହୂ, ସବୁବେଳେ ଘର କାମରେ ଲାଗିଥାନ୍ତି । ପିଲାଗୁଡ଼ିକଙ୍କୁ ଜନ୍ମ କରି ସେ ନିଶ୍ଚିନ୍ତ । ତାକୁ ପାଳିବାର ଦାୟିତ୍ଵ ଅପାଙ୍କର । ଧୋବୀବୋଉ ପିଲାରଙ୍କୁଣୀ । ପିଲାଙ୍କର କାନ୍ଦିଲା ଆଖି ଶୁଖିଲା ମୁହଁ ସେ ସହିପାରନ୍ତି ନାହିଁ । ସାନବୋହୂ ପିଲାଙ୍କୁ ଆକଟିବାକୁ ଗଲେ ସେ ବିରକ୍ତ ହୁଅନ୍ତି ।

 

ବାହାରୁ ଯେଉଁଦିନ ଉଡ଼ାଖବର ଯାଇ ଧୋବୀ ବୋଉଙ୍କ ପାଖରେ ପହଞ୍ଚିଲା ଯେ ଧୋବୀ ପୋଷ୍ୟପୁତ୍ର କରିବ ବୋଲି ସବୁ ଆୟୋଜନ ହେଉଛି, ତାଙ୍କର ମନରେ ଦାରୁଣ ଆଘାତ ଲାଗିଲା । ଯେଉଁ ବିଦେଇକୁ ସେ କୋଳରେ ବସାଇ ଗେଲ କରୁଥିଲେ, ରାଗ ତମ ତମ ହୋଇ ତାକୁ କୋଳରୁ ଓହ୍ଲାଇ ଚିନ୍ତେଇ ସୋଇଁଙ୍କ ପାଖକୁ ଗଲେ । ଆଜି ଯାହା ହେବାର ହେବ, ସେ ଚାରିପଦ ଟାଣ ଟାଣ କରି ଶୁଣାଇ ଦେଇ ଆସିବେ । କାନ୍ଦିଲା ପିଲାକୁ କୋଳକୁ ନେଇ ବିଦେଇ ବୋଉ ମୁହଁ ଫଣଫଣ କରି ଅପାଙ୍କ ପଛରେ ଛପି ଛପି ଚାଲିଲେ ।

 

ଦାଣ୍ଡଘର ଚଉପାଢ଼ି ଉପରେ ଚିନ୍ତେଇ ସୋଇଁ ବସିଛନ୍ତି । ତାଙ୍କ ପାଖରେ ନିଧେଇ, ଟିକିଏ ଦୂରେଇ ବସିଛନ୍ତି ହରି ମାହାନ୍ତିଏ ଓ ପହରାଜେ । ସେମାନଙ୍କ ଭିତରେ କଣ ବାଦାନୁବାଦ ଚାଲିଛି । ଧୋବୀ ବୋଉଙ୍କୁ ଦେଖି ସମସ୍ତେ କଥା ବନ୍ଦ କରି ତାଙ୍କରି ଆଡ଼କୁ ଚାହିଁଲେ । ସମସ୍ତେ ବୁଝିଲେ, କେଜାଣି କାହିଁକି ଧୋବୀ ବୋଉଙ୍କ ଆଖିରେ ନିଆଁ ଜଳୁଛି ।

 

କାହାରି କଥାକୁ ଅପେକ୍ଷା ନ କରି ଧୋବୀ ବୋଉ ନିଧେଇ ସୋଇଁଙ୍କୁ ଲକ୍ଷ୍ୟ କରି ପଚାରିଲେ, ମୁଁ ଯାହା କହୁଛି ସତ କି ନିଧେଇ ? ବିଦିଆକୁ ଧୋବୀ ପୋଷ୍ୟପୁତ୍ର କରିବ ବୋଲି ଆୟୋଜନ ଚାଲିଛି ।

 

ନିଧେଇ ତଳକୁ ମୁହଁ ପୋତିଲା । ଭାଉଜଙ୍କର ତୁଣ୍ଡରୁ ଏପରି ରାଗିଲା କଥା ସେ କେବେ ଶୁଣି ନ ଥିଲେ । ଚିନ୍ତେଇ ସୋଇଁଙ୍କ ସ୍ତ୍ରୀଙ୍କର ନିର୍ଲଜପଣିଆ ଦେଖି ମନେ ମନେ ବିରକ୍ତ ହେଲେ । କଥାକୁ ବାଗେଇ କହିଲେ, ଧୋବୀର ଶଶୁରଘର ସମ୍ପତ୍ତି ତ କମ୍ ନୁହେଁ । ସେ ସବୁର ଦେଖାଶୁଣା କିଏ କରିବ ? ତା’ଛଡ଼ା ନାୟକ ଘର କୁଳରେ ସପ୍ତପୁରୁଷକୁ ପାଣି ଟେକିବାକୁ କେହି ନାହିଁ । ଧୋବୀ ତ କୁଳର ବୋହୂ । ନଅଟା ଛଅଟା ନାହାନ୍ତି । ସେ ଯଦି ପୁଅ ନ କରେ ନାୟକ ବଂଶର ସପ୍ତପୁରୁଷକୁ ପାଣି ଟେକିବ କିଏ ? ତମେ ତ ସବୁ ପୁରାଣ ପଢ଼ିଛ, ତମେ ହେଲେ କହ ।

 

ଧୋବୀର ବୋଉ ଟାଣ ଟାଣ କରି ଜବାବ ଦେଲେ, ନାଏକ ବଂଶର ଛପନ ପୁରୁଷ ଅହିଅ ନରକରେ ଘାଣ୍ଟି ହୁଅନ୍ତୁ କି ତାଙ୍କର ସମ୍ପତ୍ତି ପାଉଁଶ ହେଉ ସେଥିରେ ମୋର ଥାଏ କଣ ? ମୋର ଦୁଧଖିଆ ପିଲାଟିକୁ ସମ୍ପତ୍ତି ଲୋଭରେ ହମ ହମ ହୋଇ ବାହା କରିଦେଲ, ବେଳକାଳ ଚାହିଁଲ ନାହିଁ । ଯାହାର ହାତ ଧରି ଯାଇଥିଲା ତାର ମୁହଁ ନ ଚିହ୍ନଣୁ କାଚ ସିନ୍ଦୂର ଓହ୍ଳେଇଲା । ମଣିଷ ଦେହଧରି ଏହା କିଏ ସହିବ ?

 

କହୁ କହୁ ଧୋବୀ ବୋଉଙ୍କ ଆଖିରୁ ଲୁହ ଝରିଲା । ସେ ପୂର୍ବ କୋହରେ କହିବାକୁ ଲାଗିଲେ, ଯେଉଁମାନଙ୍କ ଶିକ୍ଷାରେ ପଡ଼ି ଝିଅ ଆଖିର ଲୁହ ଦେଖୁନ, ସେମାନେ ଯାଇ ନାୟକ ବଂଶକୁ ପାଣି ଟେକନ୍ତୁ, ଧୋବୀ କାହିଁକି ପୋଷ୍ୟପୁତ୍ର କରିବ ?

 

ବାଧା ଦେଇ ଚିନ୍ତେଇ ସୋଇଁ କହିଲେ, ଲାଜସରମ ନାହିଁ ତୁମକୁ । ଘରର ବୋହୂ ଦାଣ୍ଡକୁ ଆସି ଭଦ୍ରଲୋକଙ୍କ ଆଗରେ ତେଜ କାଢ଼ୁଛ ? ଯାଅ ଭିତରକୁ ।

 

ଆହୁରି ରାଗିଯାଇ ଧୋବୀ ବୋହୂ କହିଲେ, ଲାଜସରମ କଲି ଯେ ମୋର ସର୍ବନାସ କରିଛ । ଆଉ ଲାଜ କଣ ? କହି ଦେଉଛି ଶେଷକଥା, ମୁଁ ବଞ୍ଚିଥାଉଣୁ ଧୋବୀକୁ ପୋଷ୍ୟପୁତ୍ର କରେଇ ଦେବି ନାହିଁ । ଯେଉଁଠୁ ହେଲେ ଦେଖି ମୂଲିଆମୂର୍ଖ ହାତରେ ପୁଣି ଧୋବୀକୁ ମୁଁ ଦେବି । ଗୋଟିଏ ବୋଲି ତ ଝିଅ, ସମ୍ପତ୍ତିରୁ ଅଧେ ତାର ପାଉଣା । ତମ ଭାଗକ ସମ୍ପତ୍ତି ତା’ ନାମରେ ଲେଖିଦିଅ । ପର ଘରକୁ ଗଲେ ନାଏକ ଘର ସମ୍ପତ୍ତି ନ ପାଇବ ତ ନାହିଁ । ଭୂତ ଖାଆନ୍ତୁ । ମୋ ଝିଅ ତ ସୁଖରେ ରହିବ ।

 

ଚିନ୍ତେଇ ସୋଇଁ ଅତି ରାଗରେ ହସି ପକାଇଲେ । ସ୍ୱର ନରମା କରି କହିଲେ, ହଉ, ଏଥର ଯାଅ ଭିତରକୁ । ଅନେକ ଉପଦେଶ ତ ଦେଲଣି ।

 

ଧୋବୀ ବୋଉ କହିଲେ, ଉପଦେଶ ଶୁଣିବ ନାହିଁ ? ନ ହେଲା ତମେ ତମ ସମ୍ପତ୍ତି ଧୋବୀକୁ ନ ଦେବ । ନିଧିଆ ତୁମକୁ ଭଜେଇ ରଖିଛି, ତାର ପିଲାଏ ସବୁ ଭୋଗ କରନ୍ତୁ । ଏଇ ପଞ୍ଚୁଦୋଳ ଭିତରେ ଧୋବୀର ବାହାଘର କରିବି । ମୂଲିଆମୁଣ୍ଡ ହେଲେ ମୂଲ ଲାଗି ଚଳିବ । ବନେଇଁ ପରିଡ଼ା ପୁଅ ସନେଇଁ ଫେରି ଆସିଛି । ଧୋବୀକୁ ମୁଁ ତାରି ହାତରେ ଦେବି ।

 

ତାଙ୍କ କଥା ତୁଣ୍ଡରେ ଅଛି, ସନେଇଁ ଦ୍ଵାରବନ୍ଧର ପାଖରେ ଠିଆ ହୋଇଗଲା । ଛଳେଇ କରି ସ୍ଵାମୀଙ୍କୁ କହିବାକୁ ଯାହର ନାମ ସେ ଉଚ୍ଚାରଣ କରିଥିଲେ, ଆଗରେ ତାକୁ ଦେଖି ସେ ଲାଜରା ହୋଇ ଘର ଭିତରକୁ ପଶିଗଲେ ।

 

ସନେଇଁ ଆସି ସମସ୍ତଙ୍କୁ ଓଳଗି ହେଲା । ଧୋବୀର ବୋଉଙ୍କ ମୁହଁରୁ ସେ ତାର ନାମଟି ମାତ୍ର ଶୁଣି ପାରିଥିଲା । ଆଉ ସେ କଣ କହିଦେଇ ଚାଲିଗଲେ କାନରେ ବାଜିଥିଲେ ମଧ୍ୟ ସେ ଯେପରି ବୁଝିପାରି ନ ଥିଲା । ସମସ୍ତଙ୍କୁ ଗମ୍ଭୀର ଦେଖି ସେ ନିଜକୁ କିପରି ଅପ୍ରସ୍ତୁତ ମଣିଲା, କିନ୍ତୁ ଆଗରେ ଯାଇ ପୁଣି ଫେରି ଆସିବାକୁ ତାର ଗୋଡ଼ ଚଳିଲା ନାହିଁ ।

 

ବୁଦ୍ଧିମାନ ଚିନ୍ତେଇ ଗତ କଥାକୁ ମନରୁ ପୋଛି ଦରହସିଲା ହୋଇ କହିଲେ, ଆରେ ସନେଇଁ ଯେ, ବସ୍‍ ବାବା ବସ୍‍, ତୋରି କଥା ତ ଆଜି ପଡ଼ିଥିଲା । ଗାଁ ଆଖଡ଼ାରେ ସବୁପିଲାଙ୍କୁ ଦେଖିଲି, ତତେ ଦେଖିଲି ନାହିଁ । ଆରେ, ଖାଲି ଚାନ୍ଦା ପଠେଇ ଦେଲେ ତ ହେବ ନାହିଁ । ଲୋକେ ଯଦି ଯୋଗ ନ ଦିଅନ୍ତି, ଠାକୁର କାମ ଉଠିବ କେମିତି ? ବସ୍‍ ରେ ।

 

ସନେଇଁ ଧରିଥିବା ଠେଙ୍ଗାଟି ତଳେ ଶୁଆଇ ଚଉପାଢ଼ି ଆଗରେ ବସିଲା । କହିଲା, ଠାକୁରଙ୍କର କାମ ବୁଝିବାକୁ ମୁଁ ଆସିନାହିଁ । ସେ ସବୁ କାମ ତ ଆପଣ ବୁଝୁଛନ୍ତି, ଆମ ଭଳିଆ ଛାର ଲୋକଙ୍କୁ ଠାକୁରଙ୍କର ଦୟା ନ ଥାଏ କି ଆମର ଡାକୁରଙ୍କ କଥା ବୁଝିବାକୁ ବେଳ ନ ଥାଏ । ଆପଣଙ୍କ ପାଖେ ମୋର କାମ ।

 

ଥଟ୍ଟା କଲାପରି ସୋଇଁଏ କହିଲେ, କଣ ତମର କାମ ?

 

ସନେଇଁ କହିଲା, ମୋର ଜମି ମୋତେ ଫେରାଇ ଦିଅ ସୋଇଁଏ, ତମର କେତେ ଟଙ୍କା ପାଉଣା ହେଉଛି, ଗଣି ନିଅ ।

 

ସମସ୍ତେ ଆଶ୍ଚଯ୍ୟ ହୋଇ ତା’ ଆଡ଼କୁ ଚାହିଁଲେ । ସନେଇଁର ସାହାସ ତ କମ୍ ନୁହେଁ, ପର ଦୁଆରେ ମୂଲ ଲାଗି ପଇସା ସଞ୍ଚିଛି, ଦଶମାଣ ଜମିର ମୂଲ ଦେଇ ଫେରାଇ ନେବାକୁ ଆସିଛି-

 

ଚିନ୍ତେଇ ସୋଇଁ କହିଲେ, ଜମିର ଦାମ୍ ତୁ ଦେଇ ପାରିବୁ ?

 

ସନେଇଁ କହିଲା, ଦାଣ୍ଡରେ ଯାହା ମୂଲ ହୋଇଛି ସେଇ ଦରରେ ମୋତେ ଫେରାଇ ଦିଅ । ମୁଁ ଟଙ୍କା ଯୋଗାଡ଼ କରିଛି ।

 

ଦାଣ୍ଡରେ କଣ ଦର ହୋଇଛି ମୁଁ ଜାଣିନାହିଁ । ଦଶମାଣ ଜମି ଫେରାଇ ନେବାକୁ ଚାହୁଁଛୁ, ହଜାର ଟଙ୍କା ଗଣି ଦେଇ ଯା । ତୋ ଜମି ତୁ ନେଇ ଯା ।

 

ଦାଣ୍ଡଦର ଅନୁସାରେ ଗୁଣ୍ଠ ଟଙ୍କାଏ ହିସାବରେ ଆପଣଙ୍କର ପାଉଣା ୨୫୦ଟଙ୍କା । ମୁଁ ସେତିକି ଯୋଗାଡ଼ କରିଛି ।

 

ସୋଇଁଏ ହସିଲେ, କହିଲେ, ତେବେ ଦାଣ୍ଡରୁ ଯା କିଣିନେବୁ । ମୁଁ ତୋ ବାପାଠୁଁ ଜମି କିଣି ରଖିଛି । ଜମି ବିକିବାକୁ ମୁଁ କିଣି ନ ଥିଲି । ଯଦି ବିକିବି, ମୋର ମନଇଚ୍ଛା ଦାମ ନ ପାଇଲେ ବିକିବି ନାହିଁ । କିହୋ ମାହାନ୍ତିଏ ?

 

ହରି ମାହାନ୍ତିଏ କହିଲେ, ବିକାକିଣା ଖୁସି ଉପର କଥା । କେହି କାହାକୁ ବାଧ୍ୟ କରିପାରିବେ ନାହିଁ ।

 

ସନେଇଁ ଉଠିଲା, ବାଡ଼ି ଖଣ୍ଡି ଧରି ପୁଣି ଥରେ ସମସ୍ତଙ୍କୁ ଓଳଗି ହୋଇ ଚାଲିଗଲା ।

 

ସନେଇଁ ଚାଲିଗଲା ପରେ ନିଧେଇ ସୋଇଁ ହରି ମାହାନ୍ତିଙ୍କୁ କହିଲେ, ଭାଉଜଙ୍କର ମତ ନ ନେଇ କିଛି କରି ହେବ ନାହିଁ । ସେ ବିରକ୍ତ ହୋଇଛନ୍ତି । କାଗଜ ପତ୍ର ବାନ୍ଧି ରଖ । ଦିନାକେତେ ଯାଉ, ବୁଝି ବିଚାରି ତେଣିକି ଯାହା କରାହେବ ।

 

ଚିନ୍ତେଇ ସୋଇଁ ଗର୍ଜି ଉଠିଲେ । କିରେ, ମାଇପେ ଆସି ଦାଣ୍ଡ ମାମଲତ କଲେ ଚୁଲିମୁଣ୍ଡ ସମ୍ଭାଳିବ କିଏ ? ଭାଉଜଙ୍କର ମତାମତ ଲୋଡ଼ିଲେ ଘର ଭାଙ୍ଗିବାକୁ ତ ଦିନ ଦୁଇଟା ଲାଗିବ ନାହିଁ । ପୋଷ୍ୟପୁତ୍ର କାମ ବନ୍ଦ ରହିବ ନାହିଁ । ଲେଖ ମାହାନ୍ତିଏ ଚିଟାଉ ଲେଖ ।

 

ନିଧେଇ ପ୍ରତିବାଦ କରି କହିବାକୁ ସାହାସ କଲେ ନାହିଁ । ଉଠି ଆସୁଥିଲେ, ଚିନ୍ତେଇ ଧମକ ଦେଇ କହିଲେ, ଯାଉଛୁ କୁଆଡ଼େ, ବସ୍ । ହରିବାବୁଙ୍କୁ ସାହାଯ୍ୟ କର । ଚାଲ ପହରାଜେ, ଠାକୁର କାମ କେତେଦୂର ଗଲା ଦେଖି ଆସିବା । ଉଠିଗଲେ ଦୁହେଁ ।

 

ସୋଇଁ ଘରର ସୁରୁଖୁରୁ ସଂସାର ଭିତରେ ଯେ ଆଶନ୍ତିର ନିଆଁ କୁହୁଳି ଉଠିଛି, ଏକଥା ବୁଝିବାକୁ ବାହାର ଲୋକଙ୍କୁ କି ଧୋବୀକୁ ଡେରି ଲାଗିଲା ନାହିଁ । ଖୁଡ଼ୀଙ୍କର ତମତମ ଢଙ୍ଗ, ଫଣଫଣ ମୁଁହ, ଚିଡ଼ୋଳ ପ୍ରକୃତି, ବୋଉର କାନ୍ଦକାନ୍ଦ ଉଦାରଭାବ, ବାପାଙ୍କର ପ୍ରକୃତିବିରୋଧ ନୀରବତା ଓ ଦାଦାଙ୍କର ଘରେ ନ ପଶିଲା ସ୍ଵଭାବରୁ ଧୋବୀ ବୁଝିପାରିଲା, ଗୋଟାଏ କଣ ଗୁରୁତର ଘଟଣା ଘଟିଛି । କାହାରିକୁ ସେ ପଚାରିଲା ନାହିଁ । ଯେତେବେଳେ କଥାଟା ରାଷ୍ଟ୍ର ହୋଇଗଲା, ଗାଁ ଲୋକେ ସମସ୍ତେ ଜାଣିଲେ, ଟିମି ଆସି କଥାଛଳରେ ପଚାରୁ ପଚାରୁ ଧୋବୀ ଆଗରେ ସବୁ କହିଗଲା–

 

ଆଲୋ, ଶୁଣିଲୁଣି ଧୋବୀ, ବାପା ଦାଦି ତୋର ଭିନ୍ନ ହେଉଛନ୍ତି । ତୋ’ ବାପାବୋଉଙ୍କର କଜିଆ । ବୋଉ କହନ୍ତି, ପଞ୍ଚୁଦୋଳ ଭିତରେ ସନେଇଁ ସଙ୍ଗେ ତୋର ବହାଘର କରିବେ, ବାପା କହନ୍ତି, ପଞ୍ଚଦୋଳ ଭିତରେ ତୋତେ ପୋଷ୍ୟପୁତ୍ର କରେଇ ଦେବେ । ଖୁଡ଼ୀ କହନ୍ତି, ପୁଅ ଦେବେ ନାହିଁ । ଦାଦି କହନ୍ତି, ଦେବେ । ସନେଇଁ ଆସିଥିଲା ଟଙ୍କା ଦେଇ ଜମି ନେବାକୁ । ଦାଦି କହିଲେ, ଦିଅ, ବାପା କହିଲେ, ନାହିଁ । ମାଡ଼ ଖାଇ ସନେଇଁ ପିଠି ଆଉଁସି ଫେରିଲା ।

 

ପ୍ରତିପଦ କଥା ତାକୁ ଛୁରୀ ହାଣିଲା ପରି ଲାଗୁଥିଲେ ମଧ୍ୟ ଧୋବୀ ତୁନି ହୋଇ ଶୁଣୁଥାଏ । ତୁଣ୍ଡ ଖୋଲି ଉତ୍ତର ଦେଉ ନ ଥାଏ । ସେ ଜାଣେ, ପଦେ କହିଲେ ଦଶପଦ ହେବ । କୁହୁଳିଲା ନିଆଁ ଜଳି ଉଠିବ । ଟିମି ଶୁଣିଲା କଥା ମନଇଚ୍ଛା ଗପି ଦେଇଗଲା । ସତମିଛ ପଚାରି କାହାଠାରୁ ବୁଝିବାକୁ ତାକୁ ସାହାସ ହେଉ ନ ଥାଏ । ସେ ତୁନି ହାଇ ତାର ଏକୁଟିଆ ଘରେ ପଡ଼ିରହି କେତେ କଥା ଭାବିଲା, କଣ ତାର କର୍ତ୍ତବ୍ୟ ?

 

ମନ କଲା, ସମସ୍ତଙ୍କ ପାଖକୁ ଛୁଟିଯାଇ ସତକଥା ପଚାରି ବୁଝିବ, ଗୋଡ଼ଧରି ଜଣ ଜଣ କରି କହି ଆସିବ, ତାର ଅଲୋଡ଼ା ଜୀବନ, ପୋଡ଼ିଲା ଜଳିଲା ଭବିଷ୍ୟତକୁ ସୁଖର କରିବାକୁ କାହିକି ସୋଇଁଘର ସୁଖର ସଂସାରରେ ଅଶାନ୍ତି ଆଣୁଛ ? କିନ୍ତୁ କାହାରିକୁ କିଛି ପଚାରିବାକୁ ତାର ସାହାସ ହେଲା ନାହିଁ । ଯେତେଦିନ ଏଘରର ଝିଅ ସେ ଥିଲା ତ ଥିଲା, ଯେଉଁଦିନ ପରର ହାତଧରି ପରଘରୀ ହେଲା, ଏ ଘରର କୌଣସିଥିରେ ତାର ଅଧିକାର ରହିଲା ନାହିଁ । ଜନ୍ମମାଟିରେ ସେ କୁଣିଆ ।

 

ଶଶୁରଘରର ମାଟି ତାକୁ ଡାକଦେଲା । ଯେଉଁମାନଙ୍କର ସ୍ନେହ ତାକୁ ବାନ୍ଧି ରଖିଥିଲା, ଯେଉଁମାନେ ସ୍ନହର ଡୋର ଛିଣ୍ଡାଇ ତାକୁ ନିଃସହାୟା କରି ଛାଡ଼ି ଯାଇଛନ୍ତି, ସେହିମାନେ ଯେପରି ଧୋବୀର ମନ ଭିତରେ କହିବାକୁ ଲାଗିଲେ ଆରେ ତୋର ନାହିଁ କଣ ? ନାଏକ ଘରର ବୋହୂ କାହିଁକି ପରଘରେ ପଡ଼ି ଆଖି ଲୁହ ଢାଳିବ ? ସ୍ଵାମୀ ଅଧା ରଖିଲା କାମ ନର-ନାରାୟଣଙ୍କ ସେବାରେ କାହିଁକି ସେ ତାର ମନପ୍ରାଣ, ଧନସମ୍ପତ୍ତି ବ୍ୟୟ ନ କରିବ ? ନାଏକ ବଂଶ ଲୋପ ହୋଇଛି । ଯେଉଁ ବଂଶକୁ ଅନନ୍ତକାଳ ଯାଏ ବଞ୍ଚାଇ ରଖିବାକୁ ଏତେ ଧନସମ୍ପତ୍ତି ସଞ୍ଚି ଯାଇଥିଲେ, ସେ ବଂଶରେ ଆଉ କେହି ନାହିଁ । ସଞ୍ଚିଲା ଧନ ହେବ କଣ ?

 

ପୋଷ୍ୟପୁତ୍ର କଲେ ନାଏକ ବଂଶର ରକ୍ତ ତ ରହିବ ନାହିଁ, ରହିବ ବଂଶର ନାଆଁଟା । ସେମିତି କେତେଥର ଅନାଦି କାଳରୁ ଏଇ ନାଏକ ବଂଶର ସିଧା ଧାର ରକ୍ତରେ ବାଡ଼ ପଡ଼ିଥିବ, ପୁଣି କେତେଥର ଅନ୍ୟ ବଂଶରୁ ପିଲାଆସି ନାଏକ ବଂଶର ନାମ ଧରି ସେହି ନାଆଁଟାକୁ ଏଯାଏ ଗଡ଼ାଇ ଆଣିଥିବ, ତାହା କିଏ କହି ପାରିବ ? ସବୁ କେବଳ ଫମ୍ପା ନାଆଁ । ନାଏକ ବଂଶର ସଞ୍ଚିଲା ଧନ ଯଦି ଯାହାଙ୍କର ଧନ ତାଙ୍କରି ପାଖକୁ ଫେରିଯାଏ, କେତେ କୁଟୁମ୍ବ ବଞ୍ଚିଯିବେ । କାହିଁକି ଧୋବୀ ପୋଷ୍ୟପୁତ୍ର କରିବ । ସ୍ଵାମୀ ଶ୍ଵଶୁରଙ୍କର ଅଧାକାମକୁ କାହିଁକି ସେ ହାତକୁ ନ ନେବ ?

 

ମନେପଡ଼ିଲା ଧୋବୀର ଗତବର୍ଷ କଥା । ଠିକ୍ ଏଇଦିନେ ତ । ଦୋଳପୂନେଇଁ ପାଖେଇ ଆସୁଥାଏ, ରୋଗୀର ସେବା କରିବାକୁ ସ୍ଵାମୀ ଶ୍ଵଶୁର ଅଣ୍ଟାଭିଡ଼ି ବାହାରି ଥିଲେ । ଦୋଳ, ମଉଛବ, ହୁରି ଖେଳ, ବିମାନ ଯାତ୍ରା ପରିବର୍ତ୍ତେ କାନ୍ଦବୋବାଳୀ, ଗୋବରଛିଟା, କୋକେଇ ବୁହା ହୋଇଥିଲା । ଧୋବୀର ଦେହ ଶୀତେଇ ଉଠିଲା । କାହିଁକି ସେ ଅପେକ୍ଷା କରି ରହିଛି ? ଶାଶୁ, ଶ୍ଵଶୁର ଓ ସ୍ଵାମୀଙ୍କର ବରିଷିକିଆ ପାଖେଇ ଆସିଲା । ସେମାନଙ୍କର ଅମୋକ୍ଷ ଆତ୍ମା ତା’ରି ମୁହଁକୁ ଚାହିଁ ରହିଥିବେ । କୁଳର ବୋହୁ ଧୋବୀ, ଗୋଟିଏ ପୋଷ୍ୟପୁତ୍ର ନ କରି କୋଟିଏ କାଙ୍ଗାଳଙ୍କ ତୁଣ୍ଡରେ ଆହାର ଦେବାକୁ ଯିବ । ଗୋଟିଏ ପିଲାର ସେବା ନ କରି ବାଟରେ ଘାଟରେ ଯେତେ ମଣିଷପିଲା ଦେଖିବ, ସମସ୍ତଙ୍କର ସେବା କରିବ । ଜଣକୁ ଘରର ସମ୍ପତ୍ତି ଅଧିକାର ନ ଦେଇ ସବୁ ପିଲାଙ୍କର ଘରକୁ ସୁନ୍ଦର କରିବ । ଗୋଟିଏ ପୋଷା ପୁଅର ତୁଣ୍ଡର ଡାକ, ହାତର ପାଣି ପରିବର୍ତ୍ତେ ଶହଶହ ପିଲାଙ୍କର ଛାତିର ଡାକ, ମନର କଥା ସ୍ଵାମୀ, ଶ୍ଵଶୁର ଶୁଣିବେ । ହସିଲା ମୁହଁର ତୃପ୍ତ ଆଖିରୁ ଆନନ୍ଦରେ ଝରି ପଡ଼ିବ ଯେଉଁ ଶହଶହ ଲୁହଧାର, ସେହି ପାଣିକୁ ଆଞ୍ଜୁଳାରେ ଧରିବେ ତାର ସ୍ଵାମୀ ଓ ଶ୍ଵଶୁର ।

 

ଧୋବୀ ଚମକି ଉଠିଲା । ଦିନର ଆଲୁଅ ଲିଭି ଗଲାଣି । ଝରକାବାଟେ ଶୀତଳ ଜହ୍ନ-ଆଲୁଅ ଘର ଭିତରେ ପଡ଼ିଛି । ଦେବାଳୟରୁ ଶୁଭୁଛି ସଂକୀର୍ତ୍ତନର ନାଦ । ତାର ଆଖି ଆଗରେ ନୂଆ ଆଲୁଅ ଖେଳିଲା, ତାର କାନରେ ବାଜିଲା ନୂଆ ଡାକ । ସେ ଅନୁଭବ କଲା, ସେ ମୁକ୍ତ, ସେ ନିଶ୍ଚିନ୍ତ । କେହି ତାକୁ ଅଟକାଇ ରଖିପାରିବେ ନାହିଁ । ବାପାଦାଦିଙ୍କର ଘରେ ତାର ଦେହଟା ବନ୍ଦୀ ହୋଇ ରହିଛି । ସମସ୍ତଙ୍କର ସ୍ନେହର ଡାରରେ ତାର ମୁକ୍ତ ଆତ୍ମା ବାନ୍ଧି ହୋଇଛି ।

 

ସେ ମୁକ୍ତ ହେବାକୁ ଚାହେଁ, ଚାହେଁ ସବୁ ଘରର ଦ୍ଵାର ତା’ ପାଇଁ ଖୋଲା ରହିବ । ସମସ୍ତଙ୍କୁ ସେ ନିଜର ସ୍ନେହ ଡୋରରେ ବାନ୍ଧିବ । ବାପଘର ତାର ଜନ୍ମସ୍ଥାନ ସିନା, କର୍ମକ୍ଷେତ୍ର ନୁହେଁ-। ସେ ଯିବ ତାର କର୍ମକ୍ଷେତ୍ରକୁ । ବାପ, ମା’ ଓ ଦାଦିଙ୍କର ସ୍ନେହ, ମାୟା ମମତାର ବାହାରକୁ-

 

ଧୋବୀ ପଦାକୁ ଆସିଲା । ଘର ମଥାନ କଡ଼ରୁ ରୂପେଲି ଜହ୍ନ ହସି ହସିକା ଉଠି ଆସୁଛି-। ଅଗଣା ଭିତରେ ଆଲୁଅର ଢେଉ ଖେଳିଲାଣି । କେଡ଼େ ଆରାମ ଲାଗୁଛି ଶୀତଳ ପବନ, ନିଶ୍ଚଳ ଘର । ରୋଷଘରୁ ଶୁଭୁଛି କଂସା ବାସନ ଝମ୍ ଝାମ୍ ।

 

ସେ ପଦାକୁ ଆସିଲା । ଦାଣ୍ଡପିଣ୍ଡାରେ ଗୋଟିଏ କଡ଼ରେ ବୋଉ ଠିଆ ହୋଇ କାହାକୁ କଣ କହୁଛନ୍ତି । କାନପାରି ଶୁଣିବାକୁ ଆଗ୍ରହ ହେଲା, ଘରେ କାହିଁକି ଅଦିନିଆ ଅଶାନ୍ତି ହୋଇଛି, ବୋଉଙ୍କ କଥାରୁ ନିଶ୍ଚେ ବୁଝିପାରିବ । ତାର କାନରେ ପଡ଼ିଲା, ବୋଉ କହୁଛନ୍ତି, ଡାକିଦେବୁ ସନେଇଁକୁ ବାବୁ, ମୁଁ ତାରି ସଙ୍ଗରେ କଥାଭାଷା ହେବାକୁ ଚାହେଁ ।

 

ଯିଏ ଉତ୍ତର ଦେଲା ସେ ଚନ୍ଦରା ଜେନା, ଡାକିଦେବି ଯାଉଛି, ଏଇଠିକି ଆସିବାକୁ କହିବି ?

 

ନିଧେଇ ହେରିକା କେଉଁଠି ଅଛନ୍ତି ?

 

ଦି’ ସାଆନ୍ତେ ଠାକୁର ଘର ଚାନ୍ଦିନୀ ଉପରେ ବସିଛନ୍ତି । ରାମ ପହରାଜ, ହରି ମାହାନ୍ତି, ବାମ ଓଝାଙ୍କ ସଙ୍ଗେ କଥାଭାଷା ହେଉଛନ୍ତି ।

 

କଣ ?

 

ମୁଁ ଶୁଣି ନାହିଁ । ଟିମି ମତେ ବାଟରେ କହିଲା ଯେ ଆପଣ ମତେ ଡକେଇଛନ୍ତି । ମୁଁ ସିଧା ସିଧା ଠାକୁର ଘରବାଟେ ଚାଲି ଆସିଲି ।

 

ହଁରେ ପୁଅ, ସେଇ ଟିମି ତ ମତେ କହିଲା, ତୁ କୁଆଡ଼େ ତାକୁ କହୁଥିଲୁ, ଶିବରାତ୍ରିରେ ଧୋବୀକୁ ଛାଡ଼ିବାକୁ ସନେଇଁ ଆସିଥିଲା ।

 

ତାଙ୍କରି ପାଟି ପରି ଶୁଭୁଥାଏ, ଦାଣ୍ଡମୁଣ୍ଡରୁ ମୁଁ ସେ ବାଟେ ଗଲି ।

 

ଉଭୟେ କିଛି ସମୟ ତୁନି ରହିଲେ । ଦୀର୍ଘଶ୍ଵାସ ଛାଡ଼ି ଧୋବୀ ବୋଉ କହିଲେ, ଆଚ୍ଛା ଚନ୍ଦରୁ, ସନେଇଁକୁ ତୁ ଏଠିକି ଡାକିଦେ । ଯା ଝଅଟ । ମୁଁ ଏଇଠି ଅନେଇଁ ଠିଆ ହୋଇଛି ।

 

ଧୋବୀର ଦେହ ବରଡ଼ାପତ୍ର ପରି ଥରି ଉଠିଲା । ମୁଣ୍ଡ ଘୂରିଗଲା । କିପରି ସେ ସେଠାରୁ ଚାଲିଆସିବ ତାକୁ ବୁଦ୍ଧି ଦେଖାଗଲା ନାହିଁ । ସେ ଥରି ଥରି ପାଦ ଚିପି ଚିପି ନିଜ କୋଠରିକୁ ଫେରି ଆସିଲା । ଖଟ ଉପରେ ସତେକି ମୂର୍ଚ୍ଛା ହୋଇ ପଡ଼ିଗଲା । କେତେବେଳୁ ଆଈବୁଢ଼ୀ ଆସି ଘରେ ବଇଠା ଜାଳି ମାଳି ଗଡ଼ାଉଛନ୍ତି, ଧୋବୀ ତାହା ଜାଣିପାରିଲା ନାହିଁ ।

 

ଧୋବୀର ମନରେ ଉଠିଲା ତୋଫାନ । ଦୁଃଖ, ଅଭିମାନ, ରାଗ ସମସ୍ତେ ଏକାଠି ହୋଇ ଯେପରି ତାର ଦୁର୍ବଳ ଛୋଟ ମୁଣ୍ଡଟିକୁ ଗୁଣ୍ଡା କରି ପକାଇବେ । ଯେଉଁ ମଣିଷକୁ ବିଶ୍ଵାସ କରିବ ? ଟିମି ଏ କଥା ବୋଉଙ୍କୁ କହିଲା କାହିଁକି ? ଟିମି, ଯାହାକୁ ସେ ଆପଣାର ମଣିଥିଲା, ସେହି ପୁଣି ତାରି ନାମରେ ଦୁର୍ନାମ ରଟାଇଲା ।

 

ସେ କଣ ବା କରିଛି । ଗରିବ ସନେଇଁକୁ ଦୟା ଦେଖାଇବାକୁ, ତାକୁ କୁଳରେ ଲଗାଇବାକୁ ସେ ତା’ ଘରକୁ ଯାଇଥିଲା । ସେତିକି ନୁହେଁ ତ । ଶିବରାତ୍ରିର ସବୁକଥା ଘଟଣା ତାର ମନେପଡ଼ିଲା । ଅଙ୍ଗେ ଲିଭାଇଥିବା ଘଟଣାଗୁଡ଼ା, ଘଟିଥିବ ବୋଲି ଯେପରି ତାର ବିଶ୍ଵାସ ହେଲା ନାହିଁ । ତାକୁ ଅସମ୍ଭବ ଲାଗିଲା । ସନେଇଁର ରୂପ ଆସି ଆଖିଆଗରେ ଠିଆ ହେଲା । ଲାଜରେ ଧୋବୀ ଆଖି ଖୋଲି ପାରିଲା ନାହିଁ । ସନେଇଁ ତାର ହାତ ଧରିଥିଲା, ସନେଇଁ କଣ କହିଥିଲା, ଆଉ ଧୋବୀ ତାର କି ଉତ୍ତର ଦେଇଥିଲା ?

 

ତାର ମନେହେଲା ଯେପରି ସେ ଅକ୍ଷମଣୀୟ ଭୁଲ କରିଛି । ଉତ୍ତେଜନାରେ ଅନ୍ଧ ହୋଇ ସନେଇଁକୁ ସାହାଯ୍ୟ କରିବାକୁ ଯାଇ ତା’ ଭିତରେ ନିଆଁ ଜାଳିଛି । ଭବିଷ୍ୟତର ଆଶା ତା’ ମନରେ ଜଗାଇ ତାକୁ ପାଗଳ କରିଛି । ସନେଇଁ ଆଜି ପାଗଳ ହୋଇ କାମରେ ମନପ୍ରାଣ ଢାଳି ଦେଇଛି । ଅପମାନ, ମାଡ଼, ଦୁଃଖ କିଛି ଆଉ ସେ ମାନିବ ନାହିଁ । ଦେହକରୁ ରକ୍ତ ନିଗାଡ଼ି ସେ ବଡ଼ଲୋକ ହେବାକୁ ପଣ କରିଛି । କାହିଁକି ?

 

ଧୋବୀ ଜାଣେ କାହିଁକି । ସେ ଜାଣେ ସନେଇଁକୁ ସାହାଯ୍ୟ କରିବା ତାର ତରୁଣୀ ସୁଲଭ ଉତ୍ତେଜନା ନୁହେଁ । ସନେଇଁକୁ ସେ ଭଲ ପାଏ । ପିଲାଦିନର ଖେଳ, କଜିଆ, ମାନ, ଅଭିମାନ ଦିନରୁ ସେ ସେନଇଁକୁ ଭଲ ପାଏ । କିନ୍ତୁ, ସନେଇଁକୁ ଭଲ ପାଇବାର କି ଅଧିକାର ତାର ଅଛି ? ସେ ନାଏକ ବଂଶର ବିଧବା ବୋହୂ ।

 

ସନେଇଁ ସଙ୍ଗେ ଆଜିଠାରୁ ତାର ସବୁ ସମ୍ପର୍କ ତୁଟିଯାଉ । ସନେଇଁର ଚିନ୍ତା ତା’ ମନରୁ ପୋଛି ହୋଇଯାଉ ଚିରଦିନ ପାଇଁ । ବାଟକଡ଼ର ଶହଶହ ଅନାଥ କାଙ୍ଗାଳଙ୍କ ଭିତରୁ ସନିଆଁ ଥିଲା ଜଣେ । ଧୋବୀ ତାକୁ ବଞ୍ଚାଇଲା । ଦୁନିଆଁର ଶହଶହ ନିଃସ୍ଵ ଦରିଦ୍ରଙ୍କ ପରି ସନିଆଁ ଜଣେ ଦରିଦ୍ର । ଧୋବୀ ତାକୁ ସାହାଯ୍ୟ କରିଛି । ଏଥର ସେ ତାର ନିଜବାଟ ଖୋଜିନେଉ, ଦୁନିଆଁରେ ସୁଖରେ ସଂସାର କରୁ । ଧୋବୀର ତହିଁରେ କି ଥାଏ ।

 

ସେ ବିଛଣାରୁ ଉଠିଲା । ଆଈମା’ ଡାକିଲେ, ତାର କାନରେ ବାଜିଲା ନାହିଁ । ସେ ସିଧା ସିଧା ଦାଣ୍ଡକୁ ବାହାରିଲା ।

 

ଦାଣ୍ଡରେ ଜହ୍ନଆଲୁଅରେ ବୋଉ ଆଗପରି ଠିଆ ହୋଇଛନ୍ତି । ଆଗରେ ଠିଆହୋଇ ଚନ୍ଦରା ଚଢ଼ାସ୍ଵରରେ କହୁଛି, ତାର ଗଉଁ କଣ କମ୍ କି ? ଯେତେ ଡାକିଲି, ସେ ଶୁଣିଲା ନାହିଁ । ମଗରା ବିରକ୍ତ ହୋଇ କହିଲା, ଚିନ୍ତେଇ ସୋଇଁଙ୍କ ଘରକୁ ମୁଁ ଯିବି ନାହିଁରେ ଚନ୍ଦରା, ଯା କହିଦେବୁ-। ଗରିବ ହୋଇଛି ସତ, ମୋର ମଣିଷପଣିଆଁ ଅଛି । ଭଗବାନ ଯେତେବେଳେ ବଞ୍ଚାଇଛନ୍ତି ମୁଣ୍ଡରୁ ଝାଳ ଗଡ଼ାଇଲେ ମୁଠିଏ ଖାଇବାକୁ ଅବଶ୍ୟ ଦେବେ । ସୋଇଁଙ୍କ ଦୁଆରୁ ଭିକ ନ ପାଇ ଛତରରେ ପଶିଥିଲୁ । ସମସ୍ତେ ମରିହଜି ଗଲେ । ସୋଇଁଙ୍କର ଦୁଆରକୁ ଦୁଇଥର ଯାଇ ମୋର ବାପ ଅଜାଙ୍କର ସମ୍ପତ୍ତି ମାଗିଥିଲି । ସେ ନାସ୍ତି କଲେ । ଆଉ କାହିଁକି ଯିବି ?

 

ମୁଁ ଡକେଇଛି ବୋଲି କହିଲୁ ?

 

କହିଲି । ସେ ଉତ୍ତର ଦେଲା, ସୋଇଁଙ୍କର ସ୍ତ୍ରୀ ତାଙ୍କ ଘରର ବାହାର ଲୋକ ନୁହଁନ୍ତି । ତାଙ୍କ ତୁଣ୍ଡରୁ ଦିନେ କେବେ ଆହା ପଦେ ଶୁଣି ନାହିଁ । ଆଜି ରାତି ଅଧରେ ତାଙ୍କର ବୋଲମାନି ଧାଇଁଯିବି କିରେ ? । ଯା ତୁ, କହିଦେବୁ ଖଣ୍ଡିଆ ମୁଁ, ମହାଦେବଙ୍କୁ ଡରେ ନାହିଁ । ମରିବି ଯଦି, ଆନ୍‍ ରଖି, ମୁଣ୍ଡଟେକି ମରିବି ।

 

ଚନ୍ଦରାର ମୁହଁରୁ ସନେଇଁର କଥା ଶୁଣି ଧୋବୀର ଦେହ ଉଲୁସି ଉଠିଲା । ସେ ଜାଣେ ସନେଇଁ ପରିଡ଼ା ଭାଙ୍ଗିଯିବ ପଛେ ନଇଁବ ନାହିଁ । ସ୍ନେହ ସୋରାଗରେ ସେ କିଣି ହୋଇଯାଏ । ଖାଲି ଆଖିକୁ ସେ ଡରେ ନାହିଁ । ଗାଁ ଯାକରେ ସେହି ଏକା ଗୋଟିଏ ମଣିଷ । ଆଉମାନେ ପଶୁଠାରୁ ହୀନ ।

 

ଅପେକ୍ଷା ନ କରି ପାଖକୁ ଯାଇ ଡାକିଲା, ବୋଉ ।

ଧୋବୀବୋଉ ପଛକୁ ଫେରିଚାହିଁ ପଚାରିଲେ କଣ ମା’ ।

ଧୋବୀ କହିଲା, ତତେ ମୁଁ ଖୋଜୁଥିଲି ।

କାହିଁକି ଲୋ ?

 

ଚନ୍ଦରା ଉଦ୍ଦେଶ୍ୟରେ ଧୋବୀ କହିଲା, ଚନ୍ଦ୍ରାଇ, ଟିକିଏ ହରି ମାହାନ୍ତି ଗୁମାସ୍ତାକୁ ଡାକିଦେବୁ ? ଭାରି ଜରୁରୀ କାମ ଅଛି ।

 

ଚନ୍ଦରା ରହ ରହ ହେଲା ।

ଧୋବୀ ବୋଉ କହିଲେ, ଯା ପୁଅ ଡାକି ଦେ ।

ଚନ୍ଦରା ଚାଲିଗଲା ।

 

ଧୋବୀ ବୋଉ କଣ ଯେପରି ଭାବିଲେ । କିଛି ସମୟ ପରେ ପଚାରିଲି, ହରି ମାହାନ୍ତିକୁ କାହିଁକି ଡକାଇଛୁ ମା’ ?

 

ଧୋବୀ ସଙ୍ଗେ ସଙ୍ଗେ ଉତ୍ତର ଦେଲା, କାଲି ସକାଳେ ମୁଁ ଦୁର୍ଗାପୁର ଯିବି । ଶଶୁରଙ୍କର ବରିଷିକିଆ ପାଖେଇ ଆସିଲା । ମୁଁ ନ କଲେ ଆଉ କିଏ ଅଛି କରିବ ?

 

ଧୋବୀବୋଉ ଦୀର୍ଘଶ୍ଵାସ ଛାଡ଼ିଲେ ।

 

ଦାଦିଖୁଡ଼ୀଙ୍କୁ ଛାଡ଼ି ସମସ୍ତେ କାନ କାନ କରି ଶିଖାଇଲେ, କେତେ ବୁଝାସୁଝା କଲେ, ଦୁର୍ଗାପୁର ନ ଯାଇ ମଧ୍ୟ ଶ୍ଵଶୁରଙ୍କର କର୍ମ ଭଲରେ ହୋଇପାରିବ, କିନ୍ତୁ କାହାରି କଥା ଧୋବୀ ଶୁଣିଲା ନାହିଁ । କୌଣସି ତର୍କବିତର୍କରେ ଯୋଗ ଦେଲାନାହିଁ, କି କାହାରି ପ୍ରଶ୍ନର ଉତ୍ତର ଦେଲାନାହିଁ-। ଏକା ରାହା ଧରି ବସିଲା, ସେ ଦୁର୍ଗାପୁର ଯିବ, ନିଜ ହାତରେ ସବୁ କରିବ ।

 

ଧୋବୀର ମନ କଥା କେହି ବୁଝିପାରିଲେ ନାହିଁ । ଚିନ୍ତେଇଁ ସୋଇଁ ଅନୁମାନ କଲେ, ବୋଧହୁଏ ତାଙ୍କ ସ୍ତ୍ରୀଙ୍କର କୁପରାମର୍ଶରେ ପୋଷ୍ୟପୁତ୍ର କ୍ରିୟାଟା ଭାଙ୍ଗିବା ପାଇଁ ଧୋବୀ ଜିଦ୍ ଧରିଛି ଦୁର୍ଗାପୁର ଯିବ । ଯେଉଁ ଝିଅ ବାପା ଦାଦିଙ୍କ ଆଗରେ ସଳଖି ହୋଇ ଠିଆହୁଏ ନାହିଁ, ଯିଏ ମୁହଁକୁ ଚାହିଁ ପଦେ କଥା କହିପାରେ ନାହିଁ, ସେ ପୁଣି ଆଜି ଅବାଧ୍ୟ ହେବାକୁ ସାହସ କରିଛି । ସ୍ତ୍ରୀଙ୍କର ମୁହଁବଢ଼ା ଛଡ଼ା ଆଉ କଣ ହୋଇପାରେ ?

 

ସୋଇଁଏ ଚାଳାକ ଲୋକ । ଗଡ଼ନ୍ତା ପାଣି ଆଗରେ ବନ୍ଧପକାଇ ଅଟକାଇବା ତାଙ୍କର ସ୍ଵଭାବ ନୁହେଁ । ପାଣିକୁ ବାଟ ଦେଇ ନିଜର ଉଦ୍ଦେଶ୍ୟରେ ଲଗାଇବାକୁ ସେ ଅଣ୍ଟାଭିଡ଼ି ବାହାରନ୍ତି । ଝିଅର ଅବାଧ୍ୟତା ଦେଖି ସେ ଧୈର୍ଯ୍ୟଧରି କହିଲେ, ଭଲକଥା । ନିଜହାତରେ ଶ୍ଵଶୁରଙ୍କର ଘରଡିହ ଉପରେ ଧୋବୀ ସବୁକାମ କରାଉ । ତା’ ମନରେ ଶାନ୍ତି ଆସିବ । ସତ କଥା, ଆଉ ନାଏକ ବଂଶରେ କିଏ ଅଛି ?

 

ପହରାଜେ କହିଲେ, ଯଥାର୍ଥ କଥା, ବେଳେ ବେଳେ ନ ଗଲେ ଲୋକଙ୍କର ଖାତିର ରହିବ ନାହିଁ ଯେ।

 

ସୋଇଁଏ କହିଲେ, ସାଙ୍ଗରେ ତାର ମା’ ଯାଉନ୍ତୁ । ଦାଦି ଯାଉ । ପହରାଜେ, ତମେ ବି ଯାଅ । ମାହାନ୍ତିଏ ତ ଅଛନ୍ତି । ଧୋବୀର ଯେମିତି ଇଚ୍ଛା, କର୍ମ ସେମିତି ହେବ । ଯାହା ପଛେ ଖର୍ଚ୍ଚ ହେଉ, ଯେପରି କୌଣସି କଥାରେ ତା’ ମନରେ ଅଶାନ୍ତି ନ ହୁଏ । କାର୍ଯ୍ୟ ଶେଷ ହେଲେ ସଙ୍ଗେ ସଙ୍ଗେ ଚାଲିଆସିବ । ମୁଁ ଏଠାକାର ଠାକୁର କାମର ଯତ୍ନ ନେଉଛି ।

 

ଚିନ୍ତେଇଁ ସୋଇଁଙ୍କର କଥା ରହିଲା ।

 

ଚତୁର୍ଦ୍ଦଶୀ ଦିନ କାମ ବଢ଼ିଲା–ବ୍ରାହ୍ମଣ ଭୋଜନୀ, କାଙ୍ଗାଳ ଭୋଜନୀ, ଦୁଃଖୀ ଦରିଦ୍ରଙ୍କୁ ଦାନ, ଠାକୁରଙ୍କର ସେବା, ଗ୍ରାମବାସୀଙ୍କୁ ନିମନ୍ତ୍ରଣ, ଦୁଇ-ତିନିଦିନଯାଏ ଦୁର୍ଗାପୁର ହୁଲସ୍ତୁଲ ହେଲା-। ସମସ୍ତେ ଫେରିଲେ, ଧୋବୀ ଫେରିଲା ନାହିଁ । ଚିନ୍ତେଇ ସୋଇଁ ନିଜେ ଗଲେ, ଝିଅକୁ ବୁଝାଇଲେ, ଧୋବୀ ଏକା ଜିଦ୍ ଧରିଲା ସେ ଦୁର୍ଗାପୁରରେ କିଛିଦିନ ରହିବ । ସମ୍ପତ୍ତିବାଡ଼ିର ଖବର ଅନ୍ତର ବୁଝିବ ।

 

ବାଧ୍ୟହୋଇ ଚିନ୍ତେଇଁ ସୋଇଁ ଫେରି ଆସିଲେ । ଯୁବତୀ ଝିଅକୁ ଅଜଣା ଥାନରେ ଏକୁଟିଆ ଛାଡ଼ି ଆସିବାକୁ ଧୋବୀ ବୋଉ ମଙ୍ଗିଲେ ନାହିଁ । ସେ ମଧ୍ୟ ଧୋବୀ ପାଖରେ ରହିଲେ । ଫେରିଲାବେଳେ ହରି ମାହାନ୍ତିଙ୍କୁ ଡାକି ସୋଇଁଏ କହି ଆସିଲେ, ସାବଧାନ, ଧୋବୀ ପିଲାଲୋକ, ତା’ କଥାରେ ପଡ଼ି କୌଣସି କାମ ତରତର ହୋଇ କରିବ ନାହିଁ, ମୋ ପାଖକୁ ଖବର ପଠାଇବ ।

 

ମାହାନ୍ତିଏ ସମ୍ମତି ଜଣାଇଲେ ।

 

ସୋଇଁଘରୁ ହତାଶ୍‍ ହୋଇ ଫେରି ସନେଇଁ ଗୋଟିଏ ଗୋଟିଏ ବୁଦ୍ଧି ପାଞ୍ଚିଲା- ନିମପୁର ଜମିଦାର ଶିବ ଛୋଟରାୟଙ୍କ ପାଖକୁ ଆଉଥରେ ଯାଇ ତହସିଲଦାର ଗୋବିନ୍ଦ ପ୍ରଧାନଙ୍କ ଜରିଆରେ ଦୁଃଖ ଜଣାଇବ । ବିଷ୍ଣୁପୁର ଗାଁରେ ଜମିଦାରଙ୍କ ନିଚାଷ ଜମି କେତେ ଲୋକ ତ ଚାଷ କରୁଛନ୍ତି, ସେହିଥିରୁ ଜମି ଦି’ ଚାରିମାଣ ଚାଷ କରିବାକୁ ମାଗିବ । ମହୋଦବଙ୍କ ମନ୍ଦିର ପାଖ ବଡ଼ ଦଳୁଆ ପୋଖରୀକୁ ଲାଗି ଯେଉଁ ଅନାବାଦୀ ଢିପଜମି ପଡ଼ିଛି ସେଥିରୁ ଦଶପାଞ୍ଚମାଣ ପଟ୍ଟା କରି ଆଣିବ । ବାପା ଯେମିତି ଦିନରାତି ମାଟି ସଙ୍ଗେ ଲାଗିଥିଲା, ସେ ବି ସେମିତି ଲାଗିବ ।

 

ଛେଳି ଦିଓଟି ଜଗୁଆଳ ଟୋକା ଜିମା ଦେଇ ଘରେ ତାଲା ପକାଇଲା । ଗାମୁଛା ଖଣ୍ଡି ମୁଣ୍ଡରେ ବାନ୍ଧି, ସେ ସିଧା ସିଧା ନିମପୁର ଚାଲିଲା । ଗୋବିନ୍ଦ ପ୍ରଧାନଙ୍କ ଗୋଡ଼ତଳେ ପାଞ୍ଚଟଙ୍କା ଥୋଇଦେଇ ଓଳଗି ହେଲା । ପଧାନ କଣେଇ ଚାହିଁ, ମୁଡୁକି ହସା ଦେଇ ପଚାରିଲେ, କିରେ ପୁଅ, କଣ ହେଲା, ସୋଇଁଏ କଣ କହିଲେ ?

 

ସନେଇଁ ସବୁ କହିଲା, ଆସିବାର ଉଦ୍ଦେଶ୍ୟ ମଧ୍ୟ ଜଣାଇଲା । ଆଉ ଥରେ ପ୍ରଧାନଙ୍କ ଗୋଡ଼ଧରି କହିଲା, ତମ ଭରସା ନ ହେଲେ ମୁଁ ଗାଁ ଛାଡ଼ି ପଳାଇବି ।

 

କାହିଁକି ଏଠି ପଡ଼ି ରହିବି ? ପରର ମୂଲ ଲାଗି ପେଟ ପୋଷିବାକୁ ଦୁନିଆଁରେ କଣ ଥାନ ନାହିଁ । ଅନାବାଦୀ ଢିପ ଜମିଟା ପଡ଼ିଛି, ସେଥିରୁ ଜମିଦାରଙ୍କ କିଛି ଲାଭ ହେଉନାହିଁ । ମୁଁ ଦେହମିହନ୍ତ କରି ସେଥିରୁ ଚାରି ପଇସା ଭେଇଲେ କଣ ଆପଣଙ୍କ ଦୁଆରେ ଖାଲି ହାତରେ ଆସି ଠିଆ ହେବି ? ପାଖକୁ ଲାଗି ଦଳୁଆ ପୋଖରୀଟା ଅଛି । ଖରାଦିନେ ପାଣି ରହେ ନାହିଁ । ସାପ ଜୋକ ପଣ ପଣ । ସେଇଟା ଯଦି ପାଏ, ଖୋଳାଖୋଳି କଲେ ସେଥିରୁ ପାଣି ଢିପ ଜମିରେ ମଡ଼େଇବି ।

 

ପଧାନେ କାନରେ କଲମ ଖୋସି କଥାଟାକୁ ପରଖି ଦେଖିଲେ । ପରିଡ଼ା ପୁଅ ତ ଭଲ କହୁଛି । ସଲାମି ଟଙ୍କାତକ ଅଣ୍ଟାରେ ଖୋସି, କାଗଜ ପତ୍ର କାଢ଼ି ବିଷ୍ଣୁପୁରର ଅନାବାଦୀ ତାଲିକା ଦେଖିଲେ । କହିଲେ, ଆରେ ପୁଅ, ସେ ଅନାବାଦୀ ପଡ଼ିଆଟା ତ ଏକା ବାରମାଣ । ପୋଖରୀ ଦେଢ଼ମାଣ । ଜମିଦାର କଣ ମଙ୍ଗିବେ ?

 

ସନେଇଁ କହିଲା ଆପଣ ଜାଣନ୍ତି ।

ସଲାମି ?

ସନେଇଁ ରହି ରହି କହିଲା, ଗରିବ ଲୋକ, ଆପଣ ଯାହା ଠିକ୍ କରିବେ ।

 

ପଧାନେ ଭାବିଚିନ୍ତି କହିଲେ, ବାରମାଣ ଅନାବାଦୀକୁ ବାର ଦୁଗୁଣେ ଚବିଶ ଟଙ୍କା । ପୋଖରୀ ଦେଢ଼ମାଣକୁ ମୋଟା ମୋଟି ପନ୍ଦର ଟଙ୍କା । ଦୁଇମାଣ ଜମିର ଭାଗଚାଷ ସଲାମି ଦି’ ଦି’ ଟଙ୍କା ହିସାବରେ ଚାରି ଟଙ୍କା । ଅମଲାଳା ପାଉଣା ଦଶ, ଜମିଦାରଙ୍କ ଦସ୍ତଖତୀ ତିନିଟା ପଟ୍ଟାକୁ ତିନି ଦୁଗୁଣେ ଛ । ଗାଏମୋଟ ଅଣଷଠି ଟଙ୍କା । ଠାକୁର ଘର ମରାମତି ଟଙ୍କାଏ, ଏମିତି ଷାଠିଏ । ଏତକ ଯୋଗାଡ଼ କର ପୁଅ, ପଟ୍ଟା ପାଇବୁ । ଅନବାଦୀ ଜମିର ଖଜଣା ମାଣକୁ ଟଙ୍କାଏ ।

 

ତମକୁ ମୁଁ ବାପ ପରି ମାନିଛି । କଥାରୁ ବାହାର ହେବି ନାହିଁ ।

 

ତେବେ, ତୁ ଆଜି ଯା । ଟଙ୍କା ପଇସା ଯୋଗାଡ଼ କରି ଆସିବୁ । ମୁଁ ଆଗରୁ ଜମିଦାରଙ୍କୁ ଫୁସୁଲା ଫୁସିଲି କରେ । ଏକବାଗିଆ ଲୋକ, ଯଦି ପାଟିରୁ ନାହିଁ ବାହାରିବ, ଆଉ ନ ହୁଏ ।

 

କେବେ ଆସିବି ?

 

ଦୁଇଦିନ ପରେ । ବେଳ ଉଣ୍ଡି ସିନା ତୋ ଗୁହାରି ଜଣେଇବିରେ । ତରତର ହେଲେ କାମ ଭଣ୍ଡୁର ହେବ, ଯା ।

 

ସନେଁଇ ଓଳଗି ହୋଇ ଘରକୁ ଫେରିଲା ।

 

ଦୁଇଦିନ ତାକୁ ଦୁଇବର୍ଷ ପରି ଲାଗିଲା । ଘରେ ମନ ଲାଗେ ନାହିଁ । ସେ ଧାଇଁଯାଏ ଶିବମନ୍ଦିର ପାଖ ପୋଖରୀ କୂଳକୁ । କେବେକାଳର ପୁରୁଣା ପୋଖରୀ, କେଉଁ ମହାତ୍ମା ଖୋଳାଇଥିଲେ କେଜାଣି । ହିପାଜତ ବିନା ପୋତି ହୋଇ ପଡ଼ିଲାଣି । ଚାରି ପାଖର ଆଡ଼ି ଭୁଶୁଡ଼ି ପଡ଼ିଛି । ଅଳ୍ପ ପାଣି । ଆଣ୍ଠିଏ ଦଳ । ଜମିଦାର ଯଦି ପୋଖରୀ ଖଣ୍ଡି ଲେଖିଦିଅନ୍ତି, ସେ ତାହାର ଯତ୍ନ ନେବ । ପୁଣି ତାକୁ ନୂଆକରି ଖୋଳିବ ।

 

ପୋଖରୀ ତଳକୁ ଲମ୍ବି ଯାଇଛି ଢିପ ଆବଡ଼ା ଖାବଡା ଅନାବାଦୀ ଜମି । କଣ୍ଟାବଣ । ଅଚିହ୍ନା ଗଛ । ସିଝୁ, ସାହାଡ଼ା, ଆତ, ଖିରିକୋଳି, ବେତ, କିଆବଣ । ବିଲୁଆ, କୋକି, ଗଧିଆଙ୍କର ଘର । ମଲା ଗାଈଗୋରୁ ଗାଁ ଲୋକେ ସେଇଠି ଫୋପାଡ଼ି ଦେଇ ଆସନ୍ତି । ସନିଆଁ ନିଜର ହାତରେ ତାକୁ ସଫା କରିବ । ହାଡ଼ଭଙ୍ଗା ପରିଶ୍ରମ କରି ଢିପଜମି ତାଡ଼ି ଖାଲ କରିବ । ପୋଖରୀରୁ ପାଣି ଉଠାଇ ସେ ସେହି ଠେଙ୍ଗଜମିକୁ କରିବ ସୁନାଥାଳି । ଚଷାପୁଅ ସେ, ମାଟିର ପିଲା । ସେ ଡାକଦେଲେ ମାଟି ଦେବ ଜବାବ । ତାର ଆଉଁସାରେ ମାଟି ଉଲୁସି ଉଠିବ, ହସି ଉଠିବ । ସନିଆଁ ହତାଶ ହେବ କାହିଁକି ?

 

ସନିଆଁ କଣ୍ଟାଝଣ୍ଟା ଆଡ଼େଇ ପ୍ରତି ପାହୁଣ୍ଡ ଜମି ପରଖି ଦେଖିଲା । ମଟାଳ । ଠାଏ ଠାଏ ଦୋରସା । ସବୁ ହାଣିକାଟି ସେ ମସମାନ କରିବ । ଗହୀର ବିଲ ଚାରିଆଡ଼କୁ ଥରେ ଚାହିଁଲା । ଅନାବାଦୀ ବିଲ ଚାରିପାଖେ ଖାଲୁଆ ଜମି । କେତେ ଲୋକଙ୍କର ଥିଲା । ଚିନ୍ତେଇ ସୋଇଁ ଧପାମାରି ନିଜର କରିଛନ୍ତି । ଯେଉଁମାନେ ହଳ ଧରି ଜମିର ଛାତି ଚିରି ଫସଲ କାଢ଼ୁଥିଲେ, ସେମାନେ ଆଜି କିଏ କେଉଁଠି ରହିଲେଣି । ଯେଉଁମାନେ ଫେରିଛନ୍ତି, ସେମାନେ ସୋଇଁଘର କୋଠିଆ ଚାକର, ନୋହିଲେ ଭାଗୁଆଳ । ସେମାନେ ଚାଷ କରିବେ, ସୋଇଁଏ ଦାଣ୍ଡ ଚଉପାଢ଼ୀ ଉପରେ କାଗଜ କଲମ ଧରି ବସିବେ । ପର କରିଲା ଫସଲକୁ ନିଜର କରି ଭଣ୍ଡାରରେ ସାଇତି ରଖିବେ । ରଖନ୍ତୁ । ସନେଇଁ ସୋଇଁ ଘର ଚାକର ନୁହେଁ ତ । ତା’ କଲା ଜମିର ଫସଲ ନେବ ତା’ ଘରକୁ ।

 

ସନେଇଁ ନିରିଖି ଚାହେଁ, ଜମିଦାର ଦୟାକଲେ ଏତେ ଜମି ହେବ ତାର । ସେ ହଳ କରିବ । ଫସଲ କାଢ଼ିବ । ଧନ ସଞ୍ଚି ଆହୁରି ଜମି କିଣିବ । ବଡ଼ଲୋକ ହେବ । ତା’ ପରେ ଧୋବୀ ହେବ ତାର । ଧୋବୀର ଧନରେ ଯେଉଁ ସମ୍ପତ୍ତି ସେ କିଣିବ, ସେଥିରେ ନିଜର ରକ୍ତ ଢାଳି ସେ ତାକୁ ବଢ଼ାଇବ ।

 

ଦୁଇଦିନ କଟିଗଲା । ସନେଇଁ ଟଙ୍କାନେଇ ଗଲା ଜମିଦାର ଘରକୁ । ଗୋବିନ୍ଦ ପଧାନେ ସେ ଦିନ ତାକୁ କରଛଡ଼ା ଦେଲେ । ଉପାସ ଭୋକରେ ବସି ବସି ସଞ୍ଜ ବୁଡ଼କୁ ପଧାନେ କହିଲେ, ଆରେ ପୁଅ, ତୁ ବଡ଼ ହୀନ କପାଳିଆ । ଜମିଦାରଙ୍କୁ ଯେତେ ବୁଝେଇଲି, ତୋର ହୋଇ ଯେତେ କହିଲି, ସେ ଶୁଣିଲେ ନାହିଁ । ବେଶି ବଳେଇବାରୁ ବିରକ୍ତ ହୋଇ କହିଲେ, ଜମି ତ ନାକରା ନୁହେଁ, ଲୋକ ଯେତେବେଳେ ନେବାକୁ ଆଗ୍ରହ କଲେଣି, ଅବଶ୍ୟ ତାର ଦାମ ବଢ଼ିବ । ପଡ଼ିଥାଉ ।

 

ଆକାଶରୁ ଖସିପଡ଼ିଲା ପରି ସନେଇଁକୁ ଲାଗିଲା । କେତେ କଳ୍ପନା ଜଳ୍ପନା ତାର ବୃଥା ହୋଇଗଲା । ପଚାରିଲା, ତେବେ କଣ ହେଲା ନାହିଁ ?

 

ଆହା, ଏମନ୍ତ ବ୍ୟସ୍ତ ହେଉଛୁ କାହିଁକି ? ରହ । ଜମିଦାର ବୋଧହୁଏ ଟିକିଏ ବେଶି ଖୋଜୁଛନ୍ତି । ନେଉନ୍ତୁ ପଛେ ଦଶପଚାଶ ଟଙ୍କା ବେଶି, ଜମି ଆମର ହେଉ । ଟଙ୍କା ଶହେଟା ଯୋଗାଡ଼ କରିପାରିବୁ ?

 

ଆଣିଛି ।

 

ତୁ ସିଆଣା ପିଲା । ବେଶ୍, ଦେଇଯା, ମୁଁ ଜମିଦାରକୁ ପୁଣି କହିବି । କାଳି ଆସି ପଟ୍ଟା ନେଇଯିବୁ ।

ସନେଇଁ ଶହେଟି ଟଙ୍କା ପଧାନଙ୍କ ହାତକୁ ବଢ଼ାଇ ଦେଇ ମନମାରି ଘରକୁ ଫେରିଲା । ନରମାୟା ନାରାୟଣଙ୍କୁ ଅଜଣା । କିଏ କହିବ ଗୋବିନ୍ଦ ପଧାନେ କଣ କରୁଛନ୍ତି । ବିଶ୍ଵାସରେ ଟଙ୍କାଗୁଡ଼ା ସିନା ବଢ଼ାଇ ଦେଇ ଆସିଲା, ମନରେ ଆନନ୍ଦ ନ ଥାଏ । ପରଦିନ ପୁଣି ଗଲା ଜମିଦାରଙ୍କ ଘରକୁ । ପଧାନେଙ୍କ ଭେଟ ପାଇଲା ନାହିଁ । ସେ ଖଜଣା ଆଦାୟ କରିବାକୁ ମଫସଲକୁ ଯାଇଛନ୍ତି । ଫେରି ଆସିଲା । ଦିନୁଦିନ ତାର ଉତ୍କଣ୍ଠା ବଢ଼ିଲା ।

ଧାଇଁ ଧାଇଁ ଶେଷକୁ ପଧାନଙ୍କ ଭେଟ ମିଳିଲା । ସେ ଦିନ ତ୍ରୟୋଦଶୀ । ଜମିଦାରଙ୍କ ଦପ୍ତରର କାମ ବନ୍ଦ । ଦୋଳପୂର୍ଣ୍ଣିମା ପାଇଁ ଅମଲାମାନେ ଛୁଟିରେ ଘରକୁ ଚାଲି ଯାଇଛନ୍ତି । ଏକା ନିମକସଚ୍ଚା ଗୋବିନ୍ଦ ପଧାନ ଜମିଦାରଙ୍କ ଘରର ତତ୍ତ୍ଵ ନେବାକୁ ଜମିଦାରଙ୍କ ପାଖେ ପାଖେ ରହିଛନ୍ତି ।

ସନେଇଁକୁ ଦେଖି ପଧାନେ ପୁଅ ହସିଲା ମୁହଁରେ କହିଲେ, କିରେ ବାପ, ତୋ କାମ ତ ହୋଇଗଲା । ଆମ ଦୋଳ ଖର୍ଚ୍ଚ କାହିଁ ?

ସନେଇଁ ଦୀର୍ଘଶ୍ଵାସ ଛାଡ଼ିଲା । ଏଇକଥା କଣ ରହିଯିବ ପଧାନେ ? ଚିରଦିନ ପାଇଁ ତମର ଯେତେବେଳେ ପ୍ରଜା ହୋଇ ରହିବି, କେଉଁ କଥାରେ ଅବାଧ୍ୟ ହେବି ?

ପଧାନେ ହସି ହସି ଘର ଭିତରକୁ ଗଲେ । ବସ୍ତାନି ଖୋଲି ତିନିଖଣ୍ଡି କାଗଜ ଆଣି ସନେଇଁର ହାତକୁ ବଢ଼ାଇ ଦେଇ କହିଲେ, ହଉ ପୁଅ ନେ । ଏଖଣ୍ଡି ଅନାବାଦୀ ପଟ୍ଟା, ଏଖଣ୍ଡକ ପୋଖରୀ ପାଇଁ । ଜମିଦାର ଖୁସି ହୋଇ ତମରି ଗାଁରେ ତିନିମାଣ ଶାରଦ ଓ ନଈ କଣ୍ଡିଆ ଉପରେ ଦୁଇମାଣ ବିଆଳି ଜମି ଭାଗପଟ୍ଟା କରିଦେଇଛନ୍ତି । ଏ ଖଣ୍ଡିକରେ ସେଇଆ ଅଛି । ଆଗରୁ ଯେଉଁମାନେ ଭାଗ ନେଇଥିଲେ, ସେମାନେ ରୀତିମତ ଭାଗ ଦେଲେ ନାହିଁ । ତୁ ବାବୁ ନିହଅତି ଜଗି କାମ କରିବୁ । ଜମିଦାରଙ୍କ ସୁଦୃଷ୍ଟି ପଡ଼ିଲେ ମଣିଷ ହେବୁରେ ପୁଅ । ହଉ ତୁ ଯା ।

ସ୍ଵର୍ଗର ଚାନ୍ଦ ପାଇଲା ପରି ସେ ମଣିଲା । କାଗଜ ତିନିଖଣ୍ଡ କାନିରେ ବାନ୍ଧି ଅଣ୍ଟାରେ ଖୋସି ସେ ପଧାନଙ୍କୁ ଦଣ୍ଡବତ ହୋଇ କହିଲା, ତମର ଉପକାର ମୁଁ ଶୁଝିପାରିବି ନାହିଁ ।

ପଧାନେ ତାର ମୁଣ୍ଡରେ ହାତ ରଖି କହିଲେ, ତୁ ଯା, ମନଦେଇ କାମରେ ଲାଗ ।

ପଧାନେ ଜାଣନ୍ତି, ଜମିଦାରଙ୍କ ପଶା ଖେଳବେଳେ ଅନ୍ୟ କାଗଜ ସଙ୍ଗରେ ପଟ୍ଟାଗୁଡ଼ିକ ସନ୍ତକ କରାଇ ଆଣିଛନ୍ତି । ସେଥିପାଇଁ ସନେଇଁ ଦେଇଥିବା ଟଙ୍କାରୁ ଗୋଟିଏ ସୁଦ୍ଧା ଜମିଦାରଙ୍କ ଭାଗରେ ପଡ଼ିନାହିଁ ।

ସନେଇଁ କେଡ଼େ ଆନନ୍ଦରେ ଗାଁକୁ ଫେରିଲା । ମନରେ ତାର ଗର୍ବ ଆସିଲା, ହେଉପଛେ ଠେଙ୍ଗ ଜମି, ଅନବାଦୀ, ସେ ଆଜି ପାଖାପାଖି ବାଟିଏ ଜମିର ମାଲିକ । ଗାଁର ଆଉ ପାଞ୍ଚଟାଙ୍କ ସଙ୍ଗେ ସମାନ ହୋଇ ଠିଆ ହେବାକୁ ତାର ମୁଣ୍ଡହେଲା, ସାହାସ ହେଲା । ଚିନ୍ତେଇ ସୋଇଁଙ୍କୁ ସେ ଡରିବ କାହିଁକି ?

ସମ୍ପତ୍ତିର ନିଶା ଲାଗିଲା । ଦୋଳପୂର୍ଣ୍ଣିମା କେବେ ଆସି କେବେ ଗଲା, ସନିଆଁ ସେଖବର ରଖିଲା ନାହିଁ । ଦିନରାତି ତାର ଭାବନା, ସେ ହଳ କରିବ, ଜମି କରିବ । ଯେତେପାରେ ସେତେ ଧାନ କିଣି ପାଖରେ ରଖିବ, ନୋହିଲେ ପାଖରେ ଟଙ୍କା ରହିବ ନାହିଁ । ସନିଆଁ ଏକୁଟିଆ ଏତେ ଜମି କରିପାରିବ ନାହିଁ ତ, ଯାହାକୁ ହେଲେ ଆଣି ପାଖରେ ରଖିବ ।

ସନିଆଁ ହଳ ବଳଦ କିଣିଲା । ଗାଁ ଗାଁ ବୁଲି ଟଙ୍କା ଦେଇ ଧାନ କୁଣ୍ଡା କିଣି ଆଣିଲା । ମୂଲିଆ ଲଗାଇ କାମ ଆରମ୍ଭିଲା । ଏତେଦିନ ପରେ ଲୋକଙ୍କର ଆଖି ଫିଟିଲା, ଆରେ ସନିଆଁଟା କାହୁଁ ପାଇଲା ଧନ, କାହୁଁ ପାଇଲା ଏସବୁ, ମହାଦେବଙ୍କ ତଳ ପୋଖରୀ କଣ ସଫା କରୁଛି, ଅନାବାଦୀରୁ କଣ୍ଟାଝଣ୍ଟା କାଟି ଅନାବାଦୀକୁ ବୁଜୁଛି । କିରେ କଥା କଣ ?

ଦୋଳପୂନେଇଁ ଯିବାର ପନ୍ଦର କୋଡ଼ିଏ ଦିନ ପରେ ବଡ଼ି ସକାଳୁ ଚନ୍ଦରା ବିଲଆଡ଼ୁ ଆସୁ ଆସୁ ଦେଖିଲା, ସନେଇଁ ପୋଖରୀ ହୁଡ଼ାରେ ତଳ ଅନାବାଦୀ ପଡ଼ିଆ ହାଣୁଛି । ଦୁଇଜଣ ମୂଲିଆ ଟୋକେଇରେ ମାଟି ନେଇ ପୋଖରୀ ହୁଡ଼ାରେ ପକାଉଛନ୍ତି । ତିନିଜଣଯାକ ଝାଳ ଜରଜର ହୋଇଛନ୍ତି । ଚନ୍ଦରା ପାଖକୁ ଆସି ପଚାରିଲା, କିରେ ସନିଆଁ ଭାଇ, ବଡ଼ିସକାଳୁ ଜମିଦାରଙ୍କ ଅନାବାଦୀ ତାଡ଼ୁଛୁ କାହିଁକି ?

 

ସନିଆଁ ଅଣ୍ଟା ସଳଖି କପାଳରୁ ଝାଳ ପୋଛି କହିଲା, ଜମିଦାରଙ୍କଠାରୁ ଏ ପୁଳାକ ପଟ୍ଟା ଆଣିଛି, ଜମିଟା ଭାରି ଢିପ ଅଛି ନା, ହାତେ ଖୋଳି ଦେଲେ ପାଞ୍ଚଗୁଣ୍ଠ ବହାର କରି ବାଇଗଣ ପୋତିବି । ପୋଖରୀ ଭିତରକୁ ଚାହିଁଦେଲା ଚନ୍ଦରା । ବାଃ କେଡ଼େ ସଫାସୁତର ହୋଇଛି। ଅରମା ଦଳ କଡ଼ା ହୋଇ ଗୋଟିଏ କଡ଼ରେ ଜମା ହୋଇଛି । ଅନାବାଦୀ ଆଡ଼କୁ ଖୋଳା ହୋଇଛି, ଚଉଖୁଣ୍ଟିଆ ହୋଇ ଟୁବଟିଏ । ପଚାରିଲା ଚନ୍ଦରା, ପୋଖରୀଟା କଣ ପଟ୍ଟା ନେଇଛୁ କି ?

 

ସନେଇଁ ମାଟି ହାଣୁ ହାଣୁ କହିଲା, ହଁରେ ଭାଇ, ଜମିଦାରଙ୍କ ଦୟା । ଭାବିଛି ମଝିରୁ ପଙ୍କ ଉଠେଇ କଡ଼େଇ ପକାଇବି । ଏଡ଼େ ବଡ଼ ପୋଖରୀଟା କଣ ହେବ ? ଜମି ପନ୍ଦର ଗୁଣ୍ଠ ଏଇପାଖକୁ ପୋଖରୀ ରଖି ବାକିତକ ତାରି ପଙ୍କରେ ପୋତେଇ ଦେଲେ ଜମି ମାଣେ କି ତିନିପା ବାହାରି ପଡ଼ିବ । କଦଳୀପୁଆ ଯୋଗାଡ଼ କରୁଛି । ଜ୍ୟେଷ୍ଠ ସରିକି ମାଗିଯାଚି ଦଶପଚାଶ ବୁଦା ପକେଇ ଦେବି । ତମ କଦଳୀ ବାରିରୁ ଦଶ ପାଞ୍ଚ ବୁଦା ପୁଆ ଦେବୁ ଚନ୍ଦରା ?

 

ଚନ୍ଦରା କହିଲା ଯେତେ ଇଚ୍ଛା ନେଇ ଆସିବୁ । କଦଳୀପୁଆ ତାଡ଼ି ବାପା ପକେଇ ଦେଉଛି । ଭଲକାମ କରୁଛୁ ସନେଇଁ ଭାଇ । ଏ ପୋଖରୀ, ଏ ଜମି ଆଜିଯାଏ କାହାରି ଆଖିରେ ପଡ଼ି ନ ଥିଲା । କରିପାରିଲେ ଏଥିରେ ସୁନା ଆମଦାନୀ କରିବୁ ।

 

ମୂଲିଆ ଦିହେଁ ପାଖରେ ଠିଆ ହେଲେ ।

ସନେଇଁ କୋଡ଼ିପଶା ମାରିଲା । ଚନ୍ଦରା ପଛକୁ ଚାହିଁ ଚାହିଁ ଆଗକୁ ଚାଲିଲା ।

 

ନାଏକ ଘର ବୋହୁର ପ୍ରଶଂସା କେବଳ ଦୁର୍ଗାପୁରରେ ନୁହେଁ, ଆଖପାଖ ଦଶଖଣ୍ଡି ଗ୍ରାମର ପ୍ରତ୍ୟେକ ଲୋକଙ୍କ ମୁହଁରେ ଶୁଣାଯାଉଛି । ଯେଉଁମାନେ କାଲି ପଛରେ କହୁଥିଲେ, ଅଲକ୍ଷଣୀଟାଏ ଲୋ ମା’, ଯେମିତି ଘରେ ଗୋଡ଼ ଦେଇଛି ସମସ୍ତଙ୍କୁ ଖାଇଲା, କେତେ ପୁରୁଷର ଖାନଦାନ ଘର ଚୂନା ହୋଇଗଲା । ସେହିମାନେ ପୁଣି ଓଲଟି କହିବାକୁ ଲାଗିଲେ, ଧନ୍ୟରେ ଲକ୍ଷ୍ମୀ, କିଏ ବା ଚିରଦିନ ବଞ୍ଚିବ, ଦୁଃଖୀ ରଙ୍କିଙ୍କ ଦୁଃଖ ଯିଏ ବୁଝିଲା ସିଏ ମଣିଷ ନୁହେଁ ଦେବତା ।

 

ଦୁର୍ଗାପୁରରେ ପହଞ୍ଚି ଶାଶୁ, ଶ୍ଵଶୁର ଓ ସ୍ଵାମୀଙ୍କର ବର୍ଷିକିଆ ଶ୍ରାଦ୍ଧ ଶେଷକରି ଧୋବୀ ନିଜର ସମ୍ପତ୍ତି ବାଡ଼ି, କାଗଜପତ୍ର, ଥିଲା ନ ଥିଲାର ହିସାବ ବୁଝିଲା । କେତେ ଆଗ୍ରହରେ ହରି ମାହାନ୍ତି ଧୋବୀକୁ ପାଖରେ ବସାଇ ସବୁ ବୁଝାଇବାକୁ ଲାଗିଲେ; କିନ୍ତୁ ହରି ମାହାନ୍ତିଙ୍କର ଆଗ୍ରହ ଆନନ୍ଦ ବେଶୀଦିନ ରହିଲା ନାହିଁ । ମାସଟିଏ ନ ପୁରୁଣୁ ଧୋବୀ କାଗଜପତ୍ରରେ ମନ ବଳାଇ ସବୁ ବୁଝିପାରିଲା । ମାହାନ୍ତିଏ ବୁଝିଲେ, ବୟସରେ ପିଲା ହେଲେ ମଧ୍ୟ ଝିଅଟାର ବୁଦ୍ଧି ଯେମିତି ପାକଳ, ସେମିତି ତୀକ୍ଷ୍‍ଣ, ଭୁଲାଭୁଲି କରିବା ସମ୍ଭବ ନୁହେଁ ।

 

ଜମିବାଡ଼ି ଓ ଜମିଦାରୀ ସମ୍ବନ୍ଧୀୟ ସବୁ ଦଲିଲ ଦସ୍ତାବିଜ, କବଲା କବୁଲିୟତ ଧାନ ଓ ଟଙ୍କା କରଜର ସବୁ କାଗଜପତ୍ର ଧୋବୀ ନିଜହାତକୁ ନେଲା । ମାହାନ୍ତିଏ ତାର ଉଦ୍ଦେଶ୍ୟ ମୋଟେ ବୁଝିପାରିଲେ ନାହିଁ । ବୁଝିବାକୁ ମଧ୍ୟ ଡେରି ଲାଗିଲା ନାହିଁ । ଦିନେ ମାହାନ୍ତିଙ୍କୁ ପାଖକୁ ଡକାଇ ଧୋବୀ କହିଲା, ମଉସା ଗତ ପାଞ୍ଚବର୍ଷ ଭିତରେ ଯେତେ ଜମିବାଡ଼ି ଯେଉଁମାନଙ୍କଠାରୁ କିଣା ହୋଇଛି, ଆଉ ଯେତେ ଲୋକଙ୍କୁ ଧାନ ବା ଟଙ୍କା କରଜ ଦିଆହୋଇଛି, ସେମାନଙ୍କର ତାଲିକା କରି ମୋତେ ଦେଇ ପାରିବ ?

 

ମାହାନ୍ତିଏ କହିଲେ, ତାଲିକା ତ କରାହୋଇ ରହିଛି । ହେବ କଣ ମା’, ଦରକାର କଣ-?

 

ଧୋବୀ କହିଲା, ଦରକାର ଅଛି ।

 

ହେଉ ତେବେ, ଦୁଇତିନି ଦିନ ଭିତରେ ମୁଁ ସାନି ତାଳିକା ଦାଖଲ କରିବି । ହରି ତହସିଲଦାରଙ୍କ ସନ୍ଦେହ ହେଲା । ଭାବିଲେ ସୋଇଁଙ୍କ ପାଖକୁ ଖବର ଦେବେ । ପୁଣି ଭାବିଲେ, ନା ଦେଖାଯାଉ, ଅଠର ବର୍ଷର ଝିଅଟାଏ, ଏମିତି କଣ ବଳେଇ ଯିବ ? ତାଲିକା ତିଆରି ହେଲା । ଧୋବୀ ପୁଣି କହିଲା ମଉସା, ଏତାଲିକାରେ ଯେଉଁମାନଙ୍କର ନାମ ଅଛି ସମସ୍ତଙ୍କୁ ଡକାଅ, ମୁଁ ସେମାନଙ୍କୁ ଥରେ ଦେଖିବି ।

 

ହରି ମାହାନ୍ତିଏ ଆଶ୍ଚର୍ଯ୍ୟ ହୋଇ କହିଲେ କାହିଁକି, ସେମାନେ କଣ ଆଉ ଅଛନ୍ତି ? ଦୁର୍ଭିକ୍ଷରେ କି, କୁଆଡ଼େ ଯାଇଥିବେ, କିଏ କେଉଁଠି ପଡ଼ି ମରିଥିବେ ।

 

ତାଙ୍କ ବଂଶରୁ କେହି ହେଲେ ତ ଫେରିଥିବେ ? ଯିଏ ଫେରିଥିବେ ସେମାନଙ୍କୁ ଖବର ଦିଅ । ଯେଉଁମାନଙ୍କ କେହି ଫେରି ନାହିଁ ତାଙ୍କର ଅଲଗା ତାଲିକା କରାଅ ।

 

କାହିଁକି ମା’ ?

ଦରକାର ଅଛି । ଧୋବୀର କଣ୍ଠରେ ଦୃଢ଼ତା । ହରି ମାହାନ୍ତିଏ ପ୍ରମାଦ ଗଣିଲେ । କେତେ ଭାବିଚିନ୍ତି ପାଞ୍ଚସାତ ଜଣ ପାଖ ଲୋକଙ୍କୁ ଖବର ପଠାଇଲେ ।

 

ଦାଣ୍ଡଘର ଚଉପାଢ଼ୀ ଉପରେ ଯେଉଁଠି ତାର ସ୍ଵାମୀ, ଶ୍ଵଶୁର, ଅଜାଶ୍ଵଶୁର ବସି ମାମଲତ କରୁଥିଲେ, ସେଇଠି ଧୋବୀ ବସିଲା । ସନ୍ନ୍ୟାସିନୀ ପରି ବେଶ । ଲାଜ, ସଙ୍କୋଚ, ଭୟ ନାହିଁ ।

 

ଯେଉଁମାନେ ଆସିଥିଲେ, ଧୋବୀ ସେମାନଙ୍କ ସଙ୍ଗେ କଥାଭାଷା ହେଲା । ସେମାନଙ୍କ ଦୁଃଖଦୁର୍ଦ୍ଦଶାର କଥା ବୁଝିଲା । ସମସ୍ତଙ୍କର ସେଇ ଗୋଟିଏ କଥା, ଦୁର୍ଭିକ୍ଷର କଷଣ । ପେଟ ଦାଉରେ ପ୍ରାଣ ବଞ୍ଚାଇବାକୁ ଘରଦ୍ଵାର ଛାଡ଼ି ପିଲାକୁଟୁମ୍ବ ଧରି ଚାଲିଯାଇଥିଲେ । କିଏ କୁଆଡ଼େ ଗଲେ, ବାଟଘାଟରେ ଅପନ୍ତରାରେ ପଡ଼ି ପ୍ରାଣ ଛାଡ଼ିଲା । ଯେଉଁମାନେ ବଞ୍ଚିବାକୁ ଆଶାମୁଖରେ ଜନ୍ମମାଟିକୁ ଫେରିଆସିଲେ ସେମାନେ କଣ ଖାଇ ବଞ୍ଚନ୍ତେ । ହରି ମାହାନ୍ତିଙ୍କୁ ଜମି ବିକ୍ରିକରି ଯେତିକି ମିଳିଲା ସେତିକିରେ ଜୀବନ ବଞ୍ଚାଇ ରଖିଛନ୍ତି । ପରଘରେ ମୂଲ ଲାଗି ପେଟ ପୋଷୁଛନ୍ତି-। ଘରଦ୍ଵାର କିଛି ନାହିଁ । ପର ଓଳିତଳେ, ନୋହିଲେ ଗଛମୂଳେ କୁଡ଼ିଆ କରି ରହିଛନ୍ତି ।

 

ସେମାନଙ୍କର କଥା ଶୁଣିଲାବେଳେ ସନେଇଁ ପରିଡ଼ାର ରୂପ ଆସି ଆଖି ଆଗରେ ଠିଆ ହୁଏ । ସନେଇଁ ପରିଡ଼ା ଏକା ଦୁଃଖୀ ନୁହେଁ, ତାରି ପରି ଶହଶହ ନିରାଶ୍ରୟ ଫେରି ଆସିଛନ୍ତି । କିଏ କେତେ ପ୍ରକାର ଦୁଃଖ କଷ୍ଟ ସହି ପ୍ରାଣ ଘେନି ରହିଛି । ସମସ୍ତେ ଧୋବୀର ନିଜ ଲୋକ । ସ୍ଵାମୀ, ଶ୍ଵଶୁରଙ୍କୁ ହରାଇ ଶହଶହ ନିରାଶ୍ରୟଙ୍କୁ ସେ ଦୋସର କରିପାରିଛି । ପାତର ଅନ୍ତର କରିବ କାହିଁକି-? ଯେତିକି ଶକ୍ତି ଅଛି, ସେତିକିରେ ଲୋକଙ୍କୁ ପୁଣି କୂଳରେ ଲଗାଇବ । ତାଙ୍କର ନ ଥିଲା ଘର ତୋଳାଇ ଦେବ । ଯେଉଁମାନଙ୍କୁ ସେମାନେ ହରାଇ ଆଜି ମଣିଷ ସମାଜରେ ରହି ମଧ୍ୟ ଏକୁଟିଆ ମନେ କରୁଛନ୍ତି, ସେମାନଙ୍କ କୋଳରେ ହଜିଲା ମଣିଷ ପୁଣି ଆସି ନାଟ କରିବେ ।

 

ଧୋବୀର ଆଖି ଛଳଛଳ ହେଲା । ତାର ବୋଉକୁ ଚାହିଁ କହିଲା, ଦେଖ୍‍, କେଡ଼େ ଦୁଃଖୀ, କେଡ଼େ ସାହାହୀନ ଏମାନେ । ଭଗବାନ ନିଷ୍ଠୁର ହେଲେ ବୋଲି ଆମେ କଣ କାଠ ପଥର ହେବା ? ଧନ ସମ୍ପତ୍ତି କଣ ହେବ ଲୋ, ଗୋଟାଏ ପେଟ କଣ ଅପୋଷା ରହିବ ।

 

ଧୋବୀ ବୋଉଙ୍କର ମନ ତରଳିଲା । ଧୋବୀ କହିଲା ହରି ମାହାନ୍ତିଙ୍କୁ, ତାଙ୍କର କାଗଜ ତାଙ୍କୁ ଫେରାଇଦିଅ । ନିଜ ଜମି ନିଜେ ଚାଷ କରି ଖାଆନ୍ତୁ । ଆହା କେଡ଼େ ଦୁଃଖୀ ସେମାନେ ।

 

ମାହାନ୍ତିଏ ଆଶ୍ଚର୍ଯ୍ୟ ହୋଇ ଅନାଇଁ ରହିଲେ । ତାଙ୍କର ଆଖିରେ ସନ୍ଦେହ, ବିସ୍ମୟ ଓ ଅଭିଯୋଗର ସୂଚନା ପାଇଲା ଧୋବୀ । ହସି ହସି ନିଜ ହାତରେ କାଗଜ କାଢ଼ିଲା । ନିଜ ହାତରେ ଦଲିଲ ଉପରେ ନାଁ, ଦାବି ଲେଖି ଫେରସ୍ତ ଦେଲା, ନିଅ ଦଳେଇଏ, ନିଅ ଓଝାଏ, ସାହୁଏ, ମହାପାତ୍ରେ, କାଣ୍ଡିଏ, ତମ ଜମି ତମର ହେଲା । ନିଜ ଜମି ନିଜେ ଚାଷ କରି ଖାଅ । ଅଭାବ ହେଲେ ମାହାନ୍ତିଙ୍କ ପାଖରୁ ଧାନ ନେଇଯିବ । ସୁଧ ଦେବାକୁ ପଡ଼ିବ ନାହିଁ । କାଗଜ କରିବା ଲୋଡ଼ା ନାହିଁ । ଫସଲ ହେଲେ ଶୁଝିଦେବ ।

 

ହରି ତହସିଲଦାର କାବା ହୋଇ ଚାହିଁ ରହିଲେ । ତୁଣ୍ଡରୁ ବଚନ ବାହାରିଲା ନାହିଁ । ଖାଲି ଓଠ ଦିଫାଳି ଖୋଲି ହୋଇଗଲା । ଭାବିଲେ, ଗଲା ସବୁ ଗଲା । କେତେ କଷ୍ଟରେ, କେତେ ଚେଷ୍ଟା, କେତେ କୌଶଳରେ ଯେଉଁ ଜମିଗୁଡ଼ିକ ଆଣିଥିଲେ, ପିଲାଲୋକ ଧୋବୀ ପୁଟୁକି ମାରି ଉଡ଼ାଇ ଦେଉଛି । କଣ କରିବେ; ତାଙ୍କର ବା କି ଚାରା ।

 

ଲୋକେ ଲମ୍ବ ଲମ୍ବ ହୋଇ ଗୋଡ଼ ତଳେ ପଡ଼ିଲେ । ମା’ ଲକ୍ଷ୍ମୀ, ଗରିବର ଦୁଃଖ ବୁଝିଲେ । ମା’ ଲକ୍ଷ୍ମୀ ।

 

ଚାରିଆଡ଼େ ଚହଳ ପଡ଼ିଲା, ନାଏକ ଘର ବୋହୂ ଜମି ଫେରାଇ ଦେଉଛନ୍ତି । ନ ଥିଲା ଲୋକକୁ ନୂଆ ଜମି ଦେଉଛନ୍ତି । ଚଳିବା ମାନିଆ ଧାନ ମଧ୍ୟ ଦେଉଛନ୍ତି । ଲୋକେ ଛୁଟିବାକୁ ଲାଗିଲେ । ଧୋବୀ ବୁଝିସୁଝି ଯାହାର ଜମି ତାକୁ ଫେରସ୍ତ ଦେବାକୁ ଲାଗିଲା । ନେଲା ଲୋକେ ପ୍ରଂଶସା କଲେ, ଜମି ନ ନେଲା ଲୋକେ ନିନ୍ଦା କଲେ । ନାଏକଘର ବୋହୂ ପାଗଳ ହୋଇଛି, ସମ୍ପତ୍ତି ବରବାଦ୍‍ କରୁଛି ।

 

ଦିନ ସାତଟାରେ ଖରିଦା ଜମିସବୁ ଫେରସ୍ତ ଦିଆହେଲା, ତଥାପି ଦାଣ୍ଡରୁ ଲୋକ ଭିଡ଼ କିମଲା ନାହିଁ । କିଏ କେତେ ପ୍ରକାରେ ଦୁଃଖ ଅଭାବ ଜଣାଇବାକୁ ଧାଇଁ ଆସିଲେ । ଉଡ଼ା ଖବର ପାଇ ନିଜେ ଚିନ୍ତେଇ ସୋଇଁ ସତମିଛ ବୁଝିବାକୁ ଆସିଲେ । ହରି ମାହାନ୍ତିଙ୍କଠାରୁ ସବୁ ଖବର ବୁଝି ସେ ଧୋବୀ ଉପରେ ବିରକ୍ତ ହେଲେ । ଧୋବୀ ତାଙ୍କୁ ବୁଝାଇ କହିଲା, ଜଣେ ମଣିଷ ପେଟ ପୋଷିବାକୁ ଏତେ ସମ୍ପତ୍ତି କଣ ହେବ ? ସେହିମାନଙ୍କର ତ ଏ ସବୁ ଜମି ଥିଲା ବାପା, ସୋମାନେ ସୁଖରେ ରହନ୍ତୁ ।

 

କେତେଦିନ ତଳର କଥା ମନେପଡ଼ିଲା, ସନେଇଁ ପରିଡ଼ାକୁ ଜମି ଫେରାଇ ନ ଦେଇ ଅପମାନ ଦେଇ ଚିନ୍ତେଇ ସୋଇଁ ତଡ଼ି ଦେଇଥିଲେ, ଧୋବୀର କଥା ଶୁଣି ନ ଥିଲେ । ତାର ମନରେ ଆଘାତ ଲାଗିଥିଲା । ଆଜି ସେ ପ୍ରତିଶୋଧ ନେଉଛି ।

 

ଚିନ୍ତେଇଁ ସୋଇଁ ସେଦିନ କିଛି କହିଲେ ନାହିଁ ।

 

ପରଦିନ ଧୋବୀର ଅନୁପସ୍ଥିତିରେ ସ୍ତ୍ରୀଙ୍କୁ କହିଲେ, ଏସବୁ ସମ୍ପତ୍ତି ଯେ ବରବାଦ୍‍ ହେଲା, ଏଥିକି ଦାୟୀ କିଏ ? ଧୋବୀ ପିଲା ଲୋକ; ତମେ ତା’ ପାଖେ ପାଖେ ଅଛ, ତାକୁ ଭଲ ବୁଦ୍ଧି ବତାଇଲ ନାହିଁ ?

 

ଧୋବୀ ବୋଉ କହିଲେ, ପିଲା ହେଲେ କଣ ହେବ, ତା’ ବୁଦ୍ଧି ତୁମଠୁ ପାକଳ । ସମ୍ପତ୍ତି ରଖିବ କାହାପାଇଁ ? ଭୂତ ଖାଇବାକୁ ? ତମେ କହୁଛ ପୋଷ୍ୟପୁତ୍ର କରିବ । କାହିଁକି କରିବ ? ପୋଷାପୁଅ ଗୁଞ୍ଜାରୁଆ । ମୁଁ କହୁଥିଲି, ଭଲ ପିଲାଟିଏ ଦେଖି ବାହାଘର କରିଦିଅ ।

 

ତାର କଣ ସେଇଆ ଇଚ୍ଛା ?

 

ତା’ ଇଚ୍ଛା–ଅନିଚ୍ଛାରୁ କଣ ମିଳିବ ? ସେ ତ ତୁମର କଥାରୁ ବାହାରି ଯିବ ନାହିଁ ? ସେ ଯଦି ସଂସାର ନ କରିବ,ଏତେ ସମ୍ପତ୍ତି ରଖିବ କାହିଁକି ? ଦୁଃଖୀଦରିଦ୍ର ପୋଷି ହେଉନ୍ତୁ ।

 

ସୋଇଁଏ କହିଲେ, ଧୋବୀ ବାହା ହେଲେ ଏ ସମ୍ପତ୍ତି ଉପରେ ତାର ଅଧିକାର ରହିବ ନାହିଁ ।

 

ତମେ ସମ୍ପତ୍ତି ଚାହୁଁଛ, ମୁଁ ଚାହୁଁଛି ଧୋବୀକୁ । ସେ ଯଦି ମୂଲିଆ ମୂର୍ଖର ହାତଧରି ରହେ, ସମ୍ପତ୍ତି ତାର ହେବ କଣ ?

 

ସୋଇଁଏ ପ୍ରତିବାଦ କଲେ ନାହିଁ ।

 

ସେଦିନ ଛାଇନେଉଟବେଳେ ହରି ମାହାନ୍ତିଙ୍କୁ ଡାକି କହିଲେ, ସବାରି ଗଉଡ଼ ସଜିଲ କର, ମା’ ଝିଅ ଦୁହେଁ କାଲି ସକାଳୁ ଘରକୁ ଯିବେ ।

 

ସୋଇଁଏ ଝିଅକୁ ଡାକି କହିଲେ, ମା’, ଏଠି ତ ଆଉ ବେଶୀଦିନ ରହିବା ଠିକ୍ ହେବ ନାହିଁ । କାଲି ସକାଳୁ ଗାଁ କୁ ଯିବାର ବନ୍ଦୋବସ୍ତ କରୁଛି ।

 

କାହିଁକି ବାପା, ଆମର ତ ଏଠି କିଛି ଅସୁବିଧା ହେଉନାହିଁ । ମୋର ଅନେକ କାମ ବାକି ଅଛି । ସେ ସବୁ ଶେଷ ନ କରି କେଉଁଠିକୁ ଯାଇପାରିବି ନାହିଁ ।

 

ବିଷ୍ଣୁପୁରରେ ରହିଲେ ବି କୌଣସି କାମ ବାକିଆ ପଡ଼ିବ ନାହିଁ । ହରି ତହସିଲିଦାର ସବୁ କାମ କରିପାରିବେ ।

 

ମୁଁ ଯିବି ନାହିଁ ।

 

ଯିବୁ ନାହିଁ ? ତୋ ବୋଉ ତ ଯିବ । ପିଲାଏ ହଇରାଣ ହେଉଛିନ୍ତି । ବୋଉ ଗଲେ, ତୁ ଏକୁଟିଆ ରହିବୁ କିପରି ?

 

ମୁଁ ଏକା ରହିବି ।

ଅସୁବିଧା ହେବ ।

 

କିଛି ଅସୁବିଧା ହେବ ନାହିଁ । ଏଇ ତ ମୋର କର୍ମଭୂଇଁ, ଯେତେଦିନ ତମ ପାଖରେ ସୁଖ ଆନନ୍ଦରେ ବେଳ କାଟିଥିଲି ସେତିକି । ଏଇ ଡିହ ଉପରେ ମୋର ଶାଶୁ, ଶ୍ଵଶୁର, ତାଙ୍କର ସାତପୁରୁଷ ଭଲମନ୍ଦରେ କଟାଇ ଆସିଲେ । ପରର ସେବାକରି ଏହି ଡିହ ଉପରେ ଏଇ ଘରେ ମୋର ସ୍ଵାମୀ, ଶ୍ୱଶୁର ଆଖି ବୁଜିଲେ, ଏଇ ମୋର ତୀର୍ଥଭୂଇଁ ବାପା, ଜଗନ୍ନାଥ ମନ୍ଦିର । ୟାକୁ ଛାଡ଼ି କେଉଁ ସୁଖ ପାଇଁ ମୁଁ କୁଆଡ଼େ ଯିବି ? ଯେଉଁଠି ସେମାନେ ପୋଡ଼ିକରି ପାଉଁଶ ହୋଇଛନ୍ତି ସେଇ ମାଟିରେ ନିଆଁ ଘେନିଲେ ମୁଁ ଶାନ୍ତି ପାଇବି ବାପା ।

 

ଧୋବୀ ଲୁହ ଅଟକାଇ ପାରିଲା ନାହିଁ ।

 

ଚିନ୍ତେଇ ସୋଇଁ କ୍ଷଣକାଳ ତୁନି ରହିଲେ । ଝିଅର କଥାଶୁଣି ଏତେ ଦିନପରେ ତାଙ୍କର ପ୍ରାଣରେ ଆଘାତ ଲାଗିଲା । ମନେହେଲା ଯେପରି ଭୁଲ କରିଛନ୍ତି, ତାଙ୍କର ସ୍ତ୍ରୀଙ୍କର କଥାହିଁ ଠିକ୍ । ଧୋବୀକୁ ଅନ୍ୟ ପାତ୍ର ଦେଖି ବାହାକରି ଦେଇଥିଲେ ହୁଏତ ଏପରି ଉଦାସୀନତା ତା’ଠାରେ ସେ ଦେଖନ୍ତେ ନାହିଁ । ନୂଆ ସଂସାରର ସୁଖଦୁଃଖ ଭିତରେ ସେ ବୁଡ଼ି ରହନ୍ତା । କିନ୍ତୁ ଘର ସମ୍ପତ୍ତିର ଅବସ୍ଥା ହୁଅନ୍ତା କଣ ? ଝିଆଣିଆ ତରଫରୁ କେହି ଆସି ଦାବିକରି ବସନ୍ତା । ତା’ଛଡ଼ା ସୋଇଁଘର ଝିଅ ବିଧବା ବିବାହ କଲେ ସେ ଆଉ ଛାତି ଫୁଲାଇ ବାଟ ଚାଲି ପାରନ୍ତେ ନାହିଁ । ଲୋକ ଆଗରେ ସାହାସ ନ କଲେ ମଧ୍ୟ ପଛରେ ନିନ୍ଦା କରନ୍ତେ । ନାଏକ ବଂଶର ବି ତ କଳଙ୍କ ହେବ । ଏତେବଡ଼ କୁଳର ବୋହୂ ପରଘରେ ଯାଇଁ ଚୁଲି ଫୁଙ୍କିବ ।

 

ସୋଇଁଏ ଦୁର୍ବଳତା ଦମନ କରି କହିଲେ, ସତ କଥା ମା’, ତୋରି ଭାରି ବୁଦ୍ଧି । ତେବେ ଏତେବଡ଼ ସମ୍ପତ୍ତିର ଉତ୍ତରାଧିକାରିଣୀ ହୋଇ କୁଳ ରଖିବାକୁ ତୋର ତ ପୋଷ୍ୟପୁତ୍ର କରିବା ଦରକାର ମା’ । ମଲାପରେ ପାଣି ମନ୍ଦାଏ ପାଇବାକୁ ପିତୃ ଲୋକଙ୍କର ଆଶା । ତୁ ଯଦି ସେତକ ନ କରୁ ପିତୃଲୋକ ଦୁଃଖ ପାଇବେ ।

 

ଧୋବୀ ଦୀର୍ଘଶ୍ଵାସ ଛାଡ଼ିଲା । ତାର ନିର୍ମମ ପିତାର ମୁହଁକୁ ଚାହିଁ ଉତ୍ତର ଦେବାକୁ, ପ୍ରତିବାଦ କରି କହିବାକୁ ସାହାସ କଲା ନାହିଁ । ସେ ତଳକୁ ଚାହିଁ ତୁନି ରହିଲା ।

 

ତୁନି ରହିଲୁ ଯେ ?

 

ବାପା ତାର ଉତ୍ତରକୁ ଅପେକ୍ଷା କରିଛନ୍ତି । ଟାଣ ଟାଣ କରି ଚାରିପଦ ଶୁଣାଇ ଦେବାକୁ ଆଗ୍ରହ ହେଉଥିଲା । ସତେ ନାଏକ ବଂଶର ପିତୃଲୋକ ପାଣି ପାଇବେ ବୋଲି ତାଙ୍କର ଏତେ ଚିନ୍ତା । ଯେଉଁମାନଙ୍କର ସମ୍ପତ୍ତିବାଡ଼ି ନେଇ, ଯେଉଁମାନଙ୍କ ପିଲାକୁଟୁମ୍ବ ମୁହଁରେ ପେଜପାଣି ଢୋକେ ନ ଦେଇ ଅପନ୍ତରାକୁ ଛତରକୁ ତଡ଼ି ଦେଇଥିଲେ, ଯେଉଁମାନେ ବାଟଘାଟରେ ପଡ଼ି ମଲେ, ଯେଉଁମାନଙ୍କର ବଂଶ ବୁଡ଼ିଲା, ସେମାନଙ୍କର ପିତୃଲୋକ କିପରି ପାଣି ପାଇବେ, ସେ କଥା ଥରେ ଭାବୁ ନାହାନ୍ତି ତ ?

 

ଧୋବୀ ଧୈର୍ଯ୍ୟ ଧରି କହିଲା, ତରତର କାହିଁକି ?

 

ତରତର ହେବା କଥା । ପରପିଲାକୁ ଆପଣାର କରିବା ସହଜ ନୁହେଁ । ପିଲାଦିନୁ ପାଳିଲେ ସିନା ସେ ବୋଲ ମାନିବ । ତୋର ମଧ୍ୟ ମନ ଲାଗିବ, ଘରପ୍ରତି ସଂସାର ପ୍ରତି ମମତା ଆସିବ । ବିଦେଇ ତୋର ଭାଇ, ଏକା ରକ୍ତ । ଦାଣ୍ଡରୁ ପିଲାଟିଏ ଧରି ଆଣିଲେ ରକ୍ତ ଟାଣିବ ନାହିଁ-। ବିଦେଇ ମଣିଷ ହେଲେ ତୋରି ଭାଇ, ତୋରି ପୁଅ ହେଲେ, ତା’ ପ୍ରତି ତୋର ମନ ତଟିବ । ସେଥିପାଇଁ-

 

ବାଧା ଦେଇ ଧୋବୀ କହିଲା, ଆପଣ ସବୁ ଠିକ୍ ବୁଝିଛନ୍ତି, କିନ୍ତୁ ମୋତେ ଭାବିବାକୁ ସମୟ ଦିଅନ୍ତୁ, ସ୍ଵାମୀ, ଶାଶୁ, ଶ୍ଵଶୁର ମଲାପରେ ମୋତେ ନେଇଗଲେ । ତାଙ୍କ ପାଇଁ ଦୁଃଖ କରି କାନ୍ଦିବାକୁ ମୁଁ ବେଳ ପାଇନାହିଁ । ତାଙ୍କର ଅଧାକାମ ମୁଁ ପୂରା କରି ନାହିଁ । ମୋତେ ଏକୁଟିଆ ଛାଡ଼ିଦେଇ ଯାଉନ୍ତୁ । ବୋଉକୁ ନେଇଯାଉନ୍ତୁ ସାଙ୍ଗରେ, ସେ ମୋ ପାଖରେ ଥିବା ଯାଏଁ, ମୁଁ ଦୁଃଖ ବୁଝିପାରୁ ନାହିଁ, କାନ୍ଦିବାକୁ ବେଳ ପାଉନାହିଁ । ବାପା, ମୋତେ ଆପଣ ଛାଡ଼ିଦେଇ ଯାଉନ୍ତୁ ।

 

ଚିନ୍ତେଇ ସୋଇଁଙ୍କର ଗୋଡ଼ଧରି ତଳେ ମୁଣ୍ଡ ଲଗାଇଲା ଧୋବୀ । ସେ ଝିଅର ମୁଣ୍ଡରେ ହାତ ରଖି କହିଲେ, ଉଠ୍ ମା’, ବ୍ୟସ୍ତ ହେଉଛୁ କାହିଁକି ? ତୋରି କଥା ହେଉ, ବୋଉ ମୋ ସାଙ୍ଗରେ ଯାଉ । ହୁସିଆର ହୋଇ ଚଳିବୁ । ସମ୍ପତ୍ତିବାଡ଼ି ଏମିତି ନଷ୍ଟ କରିବୁ ନାହିଁ । ପିଲା ଲୋକ ତୁ । ଯିଏ ସମ୍ପତ୍ତି କରେ ସେ ଜାଣେ, ସମ୍ପତ୍ତି କରିବା କେଡ଼େ କଷ୍ଟ ।

 

ଧୋବୀ ଉତ୍ତର ଦେଲା ନାହିଁ । ଭାବିଲା, ଦୁଃଖୀରଙ୍କିଙ୍କ ତୁଣ୍ଡରେ ଆଧାର ଦେଲେ, ଯାହାର ସମ୍ପତ୍ତି ତାକୁ ଫେରାଇ ଦେଲେ, ସମ୍ପତ୍ତି ନଷ୍ଟ ହୁଏ ନାହିଁ । ମଣିଷର ବଡ଼ପଣ ନଷ୍ଟ ହୁଏ, ତାର ଗର୍ବ ଅଭିମାନ ଭାଙ୍ଗେ ।

 

ଚିନ୍ତେଇଁ ସୋଇଁ କହିବାକୁ ଲାଗିଲେ, ତୋର ନାହିଁ କଣ ? ଯେଉଁମାନଙ୍କୁ ଯାହା ଫେରାଇଦେବାର ତ ଦେଇଛୁ, ସେଥିକି ଚିନ୍ତା ନାହିଁ । ଦୁଃଖରଙ୍କି, କାଙ୍ଗାଳଙ୍କ ପାଇଁ ଠାକୁର ଘରକୁ ପଡ଼ି ଦେଇ ଦେ । ପ୍ରତିଦିନ ଯିଏ ଆସିବ, ଠାକୁର ଘରେ ମୁଠିଏ ଖାଇବ, ବେଶ୍ ସେତିକି କର । ତୋର ଯାହା ଅଛି, ଜଗିରଖି କାରବାର କଲେ, ସବୁ ଭଲରେ ଚଳିବ । ସମ୍ପତ୍ତି ସେମିତି ରହିଥିବ ।

 

ଟିକିଏ ରହି ପୁଣି କହିଲେ, ପିଲା ଲୋକ ତୁ ଧୋବୀ, ମଣିଷ ଜାତିକୁ ଚିହ୍ନିନୁ । ଯାହାର ଉପକାର କରିବ ସେଇ ତଣ୍ଟିରେ ଛୁରୀ ଦେବ । ଦୟାପାଇ ଯେଉମାନଙ୍କୁ ତୁ ସମ୍ପତ୍ତି ଫେରାଇ ଦେଇଛୁ, ସେଇମାନେ ତୋର ନିନ୍ଦା କରିବେ, ସୁବିଧା ପାଇଲେ ଅନିଷ୍ଟ କରିବେ । ଯାହା ତୁ କଲୁ ସେଇଟା ମଣିଷର ପ୍ରକୃତି ନୁହେଁ, ମଣିଷର ପାଗଳାମି । ସବୁମଣିଷ ପାଗଳ ନୁହନ୍ତି । ତୋର କାମପାଇଁ ଲୋକେ ତୋତେ ପ୍ରଶଂସା କରିବେ ନାହିଁ, ନିର୍ବୋଧ ବୋଲି କହିବେ ।

 

ଚିନ୍ତେଇ ସୋଇଁଙ୍କର କଥା ଶୁଣି ଧୋବୀ ଉତ୍ତର ଦେଲା ନାହିଁ । ସେ ଜାଣେ, ସେ ଯାହା କରିଛି ଅବା କରିବ ବୋଲି ମନେକରିଛି, ସେଥିପାଇଁ ସେ କାହାରି ନିନ୍ଦା ବା ପ୍ରଶଂସାକୁ ଅପେକ୍ଷା କରିବ ନାହିଁ । ଲୋକେ ତାର ଅନିଷ୍ଟ କରିବେ କଣ ? ମଣିଷର ଭଲମନ୍ଦ ମଣିଷ ହାତରେ ନାହିଁ । ଉପରେ ଯେଉଁ ଭଗବାନ ଦୁନିଆକୁ ଆତଯାତ କରୁଛନ୍ତି, ତାଙ୍କରି ଇଚ୍ଛା ପୂରଣ ହେବ । ମଣିଷର କର୍ତ୍ତବ୍ୟ, ତାଙ୍କରି ଉପରେ ବିଶ୍ଵାସ ରଖି ତାଙ୍କରି ନିର୍ଦ୍ଦେଶରେ ମଣିଷ ସେବା କରିବ । ମଣିଷର ସେବା ଯିଏ ନ କରେ, ସେ ହୁଏ ଦେଶଦ୍ରୋହୀ । ଦେବତାର ଅଭିଶାପ ଯେତେବେଳେ ଓହ୍ଲାଇଆସେ, ମଣିଷ ମରେ ।

 

ଧୋବୀ ତୁନି ରହିବାର ଦେଖି ଚିନ୍ତେଇ ସୋଇଁ କହିବାକୁ ଲାଗିଲେ, ତେବେ ଝିଅ, ଦିନାକେତେ ତୁ ଏକୁଟିଆ ରହ । ତୋ ବୋଉ ମୋ ସାଙ୍ଗରେ ଚାଲନ୍ତୁ । ହରି ମାହାନ୍ତି ବୁଢ଼ା ଲୋକ, ବିଶ୍ଵାସୀ ଲୋକ । ତାଙ୍କୁ ନ ପଚାରି କିଛି କରିବୁ ନାହିଁ ମା’, ତାଙ୍କ କଥା ଶୁଣିବୁ, ବୁଝିବୁ । ମୁଁ ଭାବୁଛି, ବିଦେଇକୁ ତୋ ପାଖରେ ଛାଡ଼ିଦେଇ ଯିବି । ସେ ତୋ ପାଖରେ ରହିଲେ ଖୁସି ଆନନ୍ଦରେ ବେଳ କଟିବ । ପିଲାଟି ବି ତୋତେ ଭାରି ଖୋଜୁଛି ଝୁରୁଛି ।

 

ଧୋବୀ ହଁ କି ନାହିଁ କିଛି କହି ପାରିଲା ନାହିଁ । କିନ୍ତୁ ଚିନ୍ତେଇ ସୋଇଁ ତାଙ୍କ କହିଲା କଥା କଲେ । ପାଞ୍ଚ ବରଷର ପିଲା ବିଦ୍ୟାଧରକୁ ଆଣି ଧୋବୀ ପାଖରେ ଛାଡ଼ି ଦେଇଗଲେ । ଧୋବୀର ଅଜାଣତରେ ତାର ବନ୍ଧନ ବଢ଼ାଇଲେ ।

 

ପାଞ୍ଚ ବରଷର ପିଲା ବିଦେଇ, ଯେତେବେଳେ ଆସି ଧୋବୀର ପାଖରେ ରହିଲା, ଧୋବୀ ପ୍ରଥମେ ଖୁସି ହୋଇପାରିଲା ନାହିଁ । ସେ ବୁଝିଲା ତାକୁ ପୋଷ୍ୟପୁତ୍ର କରିବା ପାଇଁ ବାପା ତାକୁ ଗୋଟିଏ ଫାନ୍ଦ ପାତିଛନ୍ତି । ବିଦେଇ ଆଡ଼କୁ ଘୃଣା ଚକ୍ଷୁରେ ଅନାଇଲା । ବିଦେଇର ସୁନ୍ଦର କଅଁଳ ମୁହଁ, ନିର୍ମଳ ଉଜ୍ଜ୍ୱଳ ଚଞ୍ଚଳ ଆଖି, ବିଜୁଳି ପରି ଗତି ଦେଖି ଧୋବୀ ନିଜକୁ ତିରସ୍କାର କଲା । ଆରେ ସେ ଘୃଣା କରୁଛି କାହାକୁ ? ଏଇ ବିଦେଇ ତାରି ଭାଇ, ତାରି ରକ୍ତ । ଏଇ ହସି ହସି ତାରି ଆଡ଼କୁ ଧାଇଁ ଆସୁଛି ।

 

କି ସୁନ୍ଦର ହସ ? କଅଁଳିଆ ନାଲି ନାଲି ଟିକି ଟିକି ଓଠ ଦି’ ଫାଳିରେ ହସ ଦେଖିଲେ ଧୋବୀର ମନ ଉଲୁସି ଉଠେ । ହାତ ବଢ଼ାଇ, ଅପା ଅପା ଡାକି, ବିଦେଇ ଧାଇଁ ଆସିଲେ, ଧୋବୀର ପ୍ରାଣ ପୁଲୁକି ଉଠେ, ବିଦେଇକୁ ସେ କୋଳ କରେ । ଛାତିରେ ଜାକି ଧରି ତାର ମୁହଁରେ ଗେଲ କରେ । କାନ୍ଧରେ ପକାଇ ପିଠି ଚାପୁଡ଼ି ମନ ଆନନ୍ଦରେ ନାଚେ, ଆଖିରେ ଝରେ ଲୁହ ।

 

ଧୋବୀର ଏକୁଟିଆ ଜୀବନରେ ବିଦେଇ ହେଲା ତାର ଏକମାତ୍ର ବନ୍ଧୁ, ଆନନ୍ଦ । ଘରେ ଦାସଦାସୀଙ୍କର ଅଭାବ ନାହିଁ, କିନ୍ତୁ ବିଦେଇର ଯତ୍ନ ନିଏ ଧୋବୀ । ନିଜ ହାତରେ ଗୋଧୋଇ ଦିଏ, ଖୁଆଇ ଦିଏ, କୋଳରେ ପୁରାଇ ଶୁଏ । ଦିନକୁ କେତେଥର କେତେ ପ୍ରକାର ସଜାଇ ତାକୁ ଘଡ଼ିଏ ଚାହେଁ । ଚାହୁଁ ଚାହୁଁ ନିଜକୁ ଭୁଲି ଟାଣିନିଏ ତାକୁ କୋଳକୁ । ଛାତିରେ ଜାକି ଧରି ଆଖି ବୁଜେ । ଛାତି ଭିତର ଛପି ଛପି ମାତୃତ୍ଵ ଖୋଜି ବୁଲୁଥାଏ ଯେଉଁ ଅବଲମ୍ବନ, କେଡ଼େ ବ୍ୟଗ୍ର, କେଡ଼େ ଆକୁଳ, ଅସ୍ଥିର ହୋଇ ମୁହୁର୍ତ୍ତେ ସେହି ଛପିଲା ମାତୃତ୍ଵ ଶାନ୍ତି ପାଏ ।

 

ମୁହୁର୍ତ୍ତେ । ଚମକି ଉଠେ ଧୋବୀ । ଦମକି ଉଠେ ଛାତି । ଭିତରୁ ଚିତ୍କାର କରିଉଠେ ମାତୃତ୍ଵ, ସୃଷ୍ଟି ଯାହାର ଆକାଂକ୍ଷା, ସୃଜନ ଯାହା ପଣ । ବିଦେଇକୁ କୋଳରୁ ଓହ୍ଲାଇ ଠିଆକରେ ତଳେ । ତାର ହସିଲା ମୁହଁକୁ ଡରିଲା ଡରିଲା ଆଖିରେ ଚାହିଁ ଧୋବୀ ପଶେ ପୂଜାଘରେ । କବାଟ କିଳେ । ରାଧାମାଧବଙ୍କର ଖଟୁଲି ତଳେ ମୁଣ୍ଡ ଲଗାଏ । ଆଖିରେ ଗଡ଼ାଏ ଲୁହ । ହାଡ଼କୁ ଛାଡ଼ି ଦେହରେ ଯେଉଁ ମାଂସ ମେଦ ଆକୁଳ-ବିକଳ ହୋଇ କାହିଁ କୁଆଡ଼େ ଛୁଟି ପଳାଇବାକୁ ବସନ୍ତି, ତାକୁ ସମ୍ଭାଳି ରଖିବାକୁ ଚେଷ୍ଟାକରେ ।

 

ମନେପକାଇ ନ ଥିଲା ସ୍ଵାମୀଙ୍କୁ, ଯାହାଙ୍କର ଦେହର ପରଶରେ ସ୍ଵର୍ଗର ସୁଖ ଅନୁଭବ କରୁଥିଲା । ମାତୃତ୍ଵର ପ୍ରେରଣା ଯାହାଙ୍କ ଦେହରେ ଗୁଡ଼ାଇ ଦେବାକୁ ନାରୀସୁଲଭ ଲାଜ, ସଙ୍କୋଚକୁ ଛଡ଼ାଇ ନେଇଥିଲା ତା ପାଖରୁ । ସ୍ଵାମୀଙ୍କର ମରଣର ଦୁଖଃ ତ ଆଜି ଆଉ ନାହିଁ, ଅଛି ମାତୃତ୍ଵ ବାସନାର ଯନ୍ତ୍ରଣା । ସ୍ଵାମୀମରଣର ଦୁଃଖ ସିନା ସମୟର ଗତିରେ କମେ, ମା’ ହେବାର ଆଶା ସିନା ମରେ, ଇଚ୍ଛା ସିନା ଧର୍ମ, ସମାଜ, ସଂସ୍କୃତିର ଚାପରେ ମୁଣ୍ଡ ଟେକିପାରେ ନାହିଁ; କିନ୍ତୁ ମାତୃତ୍ଵର ପ୍ରେରଣା, ସୃଜନର ଇଙ୍ଗିତ ଦେହର ପ୍ରତି ଲୋମମୂଳରେ ଭରିଦିଏ ମିଳନର ଆଗ୍ରହ । ଯନ୍ତ୍ରଣାରେ ଛଟପଟ ହୋଇ ଧୋବୀ ଦେବତାଙ୍କ ପ୍ରତିମୂର୍ତ୍ତି ଆଗରେ ମୁଣ୍ଡ ନୂଆଁଏ, ଲୁହ ଢାଳେ ।

 

ମନେପଡ଼େ କାଙ୍ଗାଳ ସନେଇଁ ପରିଡ଼ା, ମନେପଡ଼େ କେତେଦିନର କଥା । ଶିବରାତ୍ରିର ନିରୋଳା କୋଠରୀଟିରେ ସନେଇଁ ଦେହର ପରଶ, ତାର ପ୍ରତିଜ୍ଞା । ଲାଜମାଡ଼େ । ନିଜକୁ ଯେପରି ସେ ଅପରାଧୀ ମନେକରେ । ଭାବେ, ସନେଇଁର ମନରେ ଅଯଥା ଆଶା ସେ ଜନ୍ମାଇଛି, ଯେଉଁ ଆଶା ସେ ପୂରଣ କରିବ ପାରିବ ନାହିଁ । ଅନୁତାପ କରେ । ଅସ୍ଥିର ହୋଇପଡ଼େ । ଆଖିର ଲୁହ ତାକୁ ଶାନ୍ତି ଦେଇପାରେ ନାହିଁ । ବ୍ୟସ୍ତ ହୋଇ ସେ ଉଠେ । ଚଞ୍ଚଳ ହୋଇ ସେ ପଦାକୁ ଆସେ । ଡାକେ ହରି ମାହାନ୍ତିଙ୍କୁ ।

 

ପୋଖରୀ ଖୋଳା କାମ କେତେଦୂର ଗଲା ?

 

ହରି ମାହାନ୍ତି ତାର କାନ୍ଦିଲା କାନ୍ଦିଲା ମୁହଁକୁ ଚାହିଁ ଯେପରି କଣ ଆଶଙ୍କା କରି କହନ୍ତି, କାମ ତ ଚାଲିଛି ।

 

ମୂଲିଆମାନଙ୍କର ଖାଇବା ବନ୍ଦୋବସ୍ତ ଭଲ ହୋଇଛି ତ ?

 

ହଁ ମା’, ଠାକୁରଘରେ ନୂଆ ଖନ୍ଦା ହୋଇଛି । ସେଇଠି ସମସ୍ତେ ଖାଉଛନ୍ତି । କାହାରି ତ ଅସୁବିଧା ହେଉନାହିଁ ।

 

ମୁଁ ନିଜେ ଦେଖିବି ।

 

ଧୋବୀ ପୁଣି ବାହାରର କାମରେ ମନ ଦିଏ । ଲୋକେ କଣ କହୁଛନ୍ତି ବା କହିବେ ସେଥିକି ନିଘା ନଜର ଦିଏ ନାହିଁ । ସକାଳୁ ଉଠି ବିଦେଇର ଯତ୍ନ ନେଇ ତାକୁ ଚାକର ପାଖରେ ଛାଡ଼ି ନିଜେ ବାହାରିପଡ଼େ । ପୋଖରୀ କାମ ଦେଖେ । ମୂଲିଆମାନଙ୍କର ହାରିଗୁହାରି ବୁଝେ । ଘର ଘର ବୁଲି ଗାଁର ସବୁ ଲୋକଙ୍କର ଖବର-ଅନ୍ତର ବୁଝେ । କାହା ଘରେ କିଏ ବାଧକା ପଡ଼ିଛି, କାହାର ଖାଇବାକୁ ନାହିଁ, କାହା ଘର ଛୁଆଁଣି ହୋଇନାହିଁ, କାହା ଝିଅର ବାହାଘର ଅଥଚ ଘରେ କାଣି କଉଡ଼ି ନାହିଁ, ଧୋବୀ ସବୁକଥା ବୁଝେ । ସେତିକି ନୁହେଁ ତ, କାହା ପୋଖରୀରେ ଦଳ ମାଡ଼ିଛି, ସଫା ହୁଏ । ଗାଆଁର କେଉଁ କୂଅରେ ପାଣି ରହୁନାହିଁ । ବର୍ଷାଦିନେ ଗାଁ ଦାଣ୍ଡରେ କେଉଁଠି ପାଣି ଜମି କାଦୁଅ ହୁଏ, ଧୋବୀ ସବୁ ବିଷୟରେ କିନାରା କରେ ।

 

ମାସ କେଇଟାରେ ସେ ଏତେ ବଡ଼ ଗାଁର ସବୁଲୋକଙ୍କୁ ଆପଣାର କରିପାରିଲା । ତା’ ଆଖିରେ ଗାଁଯାକର ସବୁଲୋକ ଯେପରି ତାରି କୁଟୁମ୍ବ ମଣିଷ । କାହା ଦୁଃଖ ସେ ଦେଖିବ ନାହିଁ । ଦେଖିଲେ ସହିପାରିବ ନାହିଁ । ଗାଁ ଲୋକେ ମଧ୍ୟ ସମସ୍ତେ ତାକୁ ନିଜ କୁଟୁମ୍ବର ମଣିଷ ପରି ଗ୍ରହଣ କଲେ, ଭଲ ପାଇଲେ । ଭଲରେ ହେଉକି ମନ୍ଦରେ ହେଉ, ତା’ କଥାରୁ କେହି ବାହାର ହୁଅନ୍ତି ନାହିଁ-। ଧୋବୀ ଯାହା କହେ, ସମସ୍ତେ ତା’ କଥା ଶୁଣନ୍ତି, ସେହି ଅନୁସାରେ କାମ କରନ୍ତି । ପଛରେ ଆବା କାବା ହୋଇ ପରସ୍ପର ମୁହଁକୁ ଚାହିଁ ଭାବନ୍ତି, ପିଲା ତ, କେତେ ବୁଦ୍ଧି ।

 

ସମସ୍ତଙ୍କ ସଙ୍ଗେ ସମାନ ଭାବରେ ମିଶିବାକୁ ଧୋବୀର ନିଷ୍ଠାର ଅଭାବ ନ ଥାଏ । ଗୋବ୍ରାହ୍ମଣ ପ୍ରତି ସମ୍ମାନ, ଦେବତାଙ୍କୁ ଭକ୍ତି, ଜାତିବର୍ଣ୍ଣ ଭେଦରେ ଯାହାର ଆସନ ଯେଉଁଠି, ତାକୁ ସେ ସେଇଠି ରହିବାକୁ ଅନୁମତି ଦିଏ । ତାର ଧାରଣା, ଉଚ୍ଚନୀଚ ପାହାଚ ପରି ସମାଜରେ ଉଚ୍ଚ ନୀଚ ଜାତି ଓ ଧନୀ ଦରିଦ୍ର ଭେଦ ନିତାନ୍ତ ଦରକାର । ନୋହିଲେ ହିନ୍ଦୁ ଧର୍ମର କୌଣସି ଅର୍ଥ ରହିବ ନାହିଁ । ସମସ୍ତେ ଯଦି ସମାନ ହେବେ, ସମସ୍ତେ ଯଦି ସୁଖରେ ରହିବେ, ଲୋକେ କର୍ମଫଳ ମାନିବେ ନାହିଁ । ଲୋକେ ଯଦି କର୍ମଫଳ ନ ମାନନ୍ତି ତେବେ ନୀତି-ଅନୀତି, ଭଲ-ମନ୍ଦ, ଧର୍ମ-ଅଧର୍ମ କିଛି ରହିବ ନାହିଁ । ଫଳତଃ ସମସ୍ତେ ହେବେ ଉତ୍ସୃଙ୍ଖଳ, ସମାଜ ତିଷ୍ଠି ପାରିବ ନାହିଁ ।

 

ତେଣୁ ଧୋବୀ ପୁରାଣ ପଢ଼େ । ବ୍ରାହ୍ମଣଙ୍କ ମୁହଁରୁ ନୀତିକଥା, ଶାସ୍ତ୍ରକଥା ଶୁଣେ । ବିଧବାର ନିୟମ ମାନି ଚଳେ । ମୁକ୍ତହସ୍ତ ହୋଇ ସମସ୍ତଙ୍କୁ ସାହାଯ୍ୟ କରେ । ସମସ୍ତଙ୍କୁ ନିଜର ବୋଲି ଘେନେ ।

 

ଲୋକମୁଖରେ ପ୍ରଶଂସା ବ୍ୟାପିଯାଏ । ସମସ୍ତେ ଧନ୍ୟ ଧନ୍ୟ କୁହନ୍ତି, କିନ୍ତୁ ହରି ମାହାନ୍ତିଙ୍କର ମନ ମରିଯାଏ । ପଇସାଗୁଡ଼ା ଅବ୍ୟାଜରେ ଖର୍ଚ୍ଚ ହେଉଛି । ଦିନୁଦିନୁ ସମ୍ପତ୍ତି କମୁଛି । ଭୂତ ଖାଉଛନ୍ତି । ପିଲାଲୋକ, ବୁଝିପାରୁ ନାହିଁ । ତଥାପି ତାକୁ ବୁଝାଇ କହିବାକୁ ସାହାସ କରନ୍ତି ନାହିଁ । ସେ ଜାଣନ୍ତି, ପ୍ରତିବାଦ କଲେ ଧୋବୀର ମନରେ ଦୁଃଖ ହୁଏ । ସେ ମୁହଁ ଶୁଖାଏ, କାନ୍ଦେ । ପୁଣି ମନେ ମନେ ପ୍ରତିଜ୍ଞା କରି ଆସେ, ଆହୁରି ସମ୍ପତ୍ତି ଉଡ଼ାଇବ । ଦାଣ୍ଡରୁ ଡାକି ଗରିବ ମୂଲିଆଙ୍କୁ ଜମିଗୁଡ଼ା ଚାଷକରି ଖାଇବାକୁ ମାହାଳିଆ ଛାଡ଼ିଦେବ । ଏ ସବୁକଥା ହରି ମାହାନ୍ତିଏ ଚିନ୍ତେଇ ସୋଇଁଙ୍କୁ ଲେଖି ପାରନ୍ତି ନାହିଁ । ସୋଇଁଏ ବା କଣ କରିବେ ? ନିଜେ ରାମ୍ପି ବିଦାରି ହେଲେ ଲାଭ କଣ ହେବ ? ଏବ କାଳର ପିଲା । ଯାହା ବୁଝନ୍ତି ନ ଠକିବା ଯାକେ ସେଇଆ କରୁଥାନ୍ତି । କୁହାର ବୋଲାର ନୁହନ୍ତି । ମାହାନ୍ତିଏ ମନକୁ ରାମ୍ପି ବିଦାରି ହୋଇ ତୁନି ରହନ୍ତି ।

 

ସେଦିନ ପୁଣି ଆସିଥିଲା ପରିଆ ମା’ କେଉଟୁଣୀ । ପୁନି ତାକୁ ପାଖରେ ବସାଇ, ଖୋଳିତାଡ଼ି ପଚାରି ସବୁ ବୁଝିଲା । ତାରି ସନେଇଁ ଭାଇ ଘର କରିଛି । ଜାତି ହୋଇଛି । ମହାଦେବଙ୍କ ପାଖ ଅନାବାଦୀ ତାଡ଼ି ଜମି କରୁଛି । କେତେ ଜାତିର ଗଛ ରୋପିଲାଣି । କେତେ ମୂଲିଆଙ୍କୁ କାମରେ ଲଗାଇଛି । ସନେଇଁ ଭାଇ ତାର ସୁଖ ଆନନ୍ଦରେ ଅଛି । ପୁନି କଥା ସେ ଜାଣେ । ତଥାପି ପୁନିକୁ ସଙ୍ଖୋଳି ଯିବାକୁ ଥରେ ଆସିଲା ନାହିଁ । ପୁନିର ଭଲମନ୍ଦ ବୁଝିଲା ନାହିଁ ।

 

ପରିଆ ମା’ ଚାଲିଗଲା । ପୁନି ଏକୁଟିଆ ଘରେ ବସି ନିଜକଥା ସନେଇଁ ଭାଇର କଥା ଭାବିବାକୁ ଲାଗିଲା । ତା’ ଭାଇ ଜାଣି ଜାଣି ତାକୁ ଭୁଲିଛି । ଅଜାତିରେ ପଶିଲେ ଯାହା ମରଣ ହେଲେ ତାହା । ସନେଇଁର ଆଖିରେ ପୁନି ମରିଛି । ସେଥିପାଇଁ ସେ ତାର ନାମ ସୁଦ୍ଧା ତୁଣ୍ଡରେ ଧରୁ ନାହିଁ । ପୁନି କାହିଁକି ସେ କଥା ଆଉ ଭାବିବ ? ଭାଇକୁ ଥରଟିଏ ଦେଖି ଆସିବା ପାଇଁ ଡହଳବିକଳ ହେବ ? ଯିବାକୁ କେତେଥର ସେ ମନ କରିଛି । ମଧୁଆକୁ ମନକଥା କହିଛି । ମଧୁଆ ବାଧା ଦେଇ ନାହିଁ । ତଥାପି ସେ ଯାଇପାରି ନାହିଁ । ଭୟ କରିଛି, କାଳେ ତା’ ଭାଇ ତାର ମୁହଁକୁ ନ ଚାହିଁବ । କାଳେ ଗାଁ ଲୋକେ ତାକୁ ପଚାରିବେ, କିଲୋ ପୁନି, ତୋତେ କଣ କୂଅ ପୋଖରୀ ମିଳିଲା ନାହିଁ, ଶେଷକୁ ବାଉରୀ ଘରେ ପଶିଲୁ ?

 

କେମିତି ସେ କାହାକୁ ମୁହଁ ଦେଖାଇବ ?

 

କେତେଥର ଭାବିଛି, ଲୋକ ନିନ୍ଦା, ଲୋକଲଜ୍ଜାରୁ ରକ୍ଷା ପାଇବାକୁ ସତେ କୂଅ ପୋଖରୀକୁ ଡେଇଁ ପଡ଼ିବ । କଥାଟା ମନକୁ ଆଣିଲେ ଛାତି ଚମକି ଉଠେ । ଡରିଲା ଡରିଲା ଆଖିରେ ଚାରି ଆଡ଼କୁ ଅନାଏଁ, ଚାରିଆଡ଼େ ତାକୁ ଦିଶେ ମଧୁଆର ରୂପ । ତାର ହସିଲା ମୁହଁ, ବଳିଷ୍ଠ ଦେହ ।

 

କେମିତି ମଧୁଆକୁ ଛାଡ଼ି ସେ ମରିବ ?

 

ପୁନି ମରିପାରେ ନାହିଁ । ପୁନି ମରିପାରିବ ନାହିଁ । ତାର ବନ୍ଧନ ବଢ଼ିଛି । ପେଟ ଭିତରେ ମଧୁଆର ଆତ୍ମା । ପୁନିର ମନରେ ମା’ ହେବାର କାମନା ଖେଳୁଛି । ମଧୁଆ ସେ କଥା ଜାଣେ । କେଡ଼େ ଆନନ୍ଦରେ କେଡ଼େ ଆକୁଳ ଆଖିରେ ପୁନିର ମୁହଁକୁ ଚାହିଁ ରହେ । ଲାଜରେ ପୁନି ନୁଆଁଏ ମୁଣ୍ଡ । ଆଗ୍ରହରେ କେତେ ନିର୍ବୋଧ ପ୍ରଶ୍ନ ମଧୁଆ ପଚାରେ । ପୁନି ହସେ । ଉତ୍ତର ଦେଇପାରେ ନାହିଁ । ଉତ୍ତର ସେ ଜାଣେ ନାହିଁ । ପୁନି ହସେ । ହସି ହସି ଆଗରୁ ଉଠି ପଳାଏ । ମଧୁଆ ଗୋଡ଼ାଇଯାଏ ତା’ ପଛରେ । ପୁନିର ଲୁଗାକାନି ଓଟାରି ଧରେ । ପୁନି ପଶେ ଘର ଭିତରେ । ମଧୁଆର ଆଖିରେ କେଡ଼େ ସୁନ୍ଦର ଦିଶେ ପୁନି, ସେମିତି ସୁନ୍ଦର ପଣିଆ ସେ କେବେ ଆଉ ଦେଖି ନ ଥିଲା । ମଧୁଆ ସମୟ ଭୁଲେ । ଓଠ ଥରାଇ ପୁନିକୁ ଧରେ ।

 

ପୁନି ମରିବାର ଭାବନା ଭୁଲେ ।

 

ଯେଉଁଦିନରୁ ଧୋବୀ ଆସି ଗାଁରେ ରହିଲା, ଲାଜରେ ପୁନି ନାଏକ ଘରଆଡ଼େ ଯାଏ ନାହିଁ । ଗାଁର ଆଉ ପାଞ୍ଚଜଣଙ୍କ ଘରକୁ ବାହାର ପାଇଟି କରିବାକୁ ଗଲେ, ପୁନି ଧୋବୀର ପ୍ରଶଂସା ଶୁଣେ । ଜଳିଯାଏ ଈର୍ଷାରେ । ଚିନ୍ତେଇ ସୋଇଁର ଝିଅ ଧୋବୀ, ତାରି ପିଲାଦିନର ସାଙ୍ଗ, ନାଏକ ଘର ବୋହୂ, ଲକ୍ଷପତି ।

 

ମଧୁଆ ଖାଉଁଦାଣୀର ପ୍ରଶଂସା କରେ । ପୁନ ଶୁଣେ, କିଛି କହେ ନାହିଁ ।

 

ସମସ୍ତଙ୍କ ସଙ୍ଗେ ମଧୁଆ ମଧ୍ୟ ଖାଉଁଦାଣୀଙ୍କର ଗୋଡ଼ତଳେ ପଡ଼ି ଚାଷ କରିବାକୁ ଜମି ଦୁଇମାଣ ମାଗିଥିଲା । ଧୋବୀ ନାହିଁ କରି ନ ଥିଲା । ମଧୁଆ ଜମି ପାଇଲା । ଚାଷ କରିବାକୁ ହଳେ ବଳଦ ମଧ୍ୟ ପାଇଲା । ଅନ୍ୟ ଚାକର କୋଠିଆମାନେ ଅଜାତି, ଅମାନିଆଁ ମଧୁଆ ବାଉରୀର ସୌଭାଗ୍ୟ ଦେଖି କାବା ହେଲେ । କୁହାକୁହି ହେଲେ, ସାଆନ୍ତାଣି ମଧୁଆକୁ ଭଲ ପାଆନ୍ତି । ମଧୁଆ ଉପରେ ତାଙ୍କର ଭାରି ଦୟା, ଭାରି ବିଶ୍ଵାସ ।

 

ସତ କଥା । ଧୋବୀ ମଧୁଆକୁ ଭଲପାଏ, ବିଶ୍ଵାସ କରେ । ସେ ଜାଣେ ବାଉରି ବାପୁଡ଼ା ହେଲେ ମଧ୍ୟ ମଧୁଆର ମନରେ ଜୋର୍ ଅଛି, ସାହାସ ଅଛି । ମଧୁଆର ଛାତି ତଳେ ଦୟା, ଧର୍ମ, ପ୍ରେମ ଛପି ରହିଛି । ନ ଜାଣୁ ପଛେ ସେ, ବାଟକଡ଼ର ଦରମଲା ଅଜଣା ଝିଅକୁ ସେ ଆଶ୍ରା ଦେଇଛି, ବଞ୍ଚାଇଛି । ସମାଜର ବିରୁଦ୍ଧରେ ଛାତି ଫୁଲାଇ ଠିଆହୋଇ ଅରକ୍ଷିତ ଭିକାରୁଣୀକୁ ସେ ନିଜର କରିଛି । କାହାରି କଥା ଶୁଣି ନାହିଁ । କାହାରି ଧମକ ଚମକ ମାନି ନାହିଁ ।

 

ଯେତେବେଳେ ଦରକାର ପଡ଼େ ଧୋବୀ ଡକାଏ ମଧୁଆକୁ । କହେ, ଆରେ ମଧୁ, ଧର୍ମଶାଳା କାମ କଣ ଅଧା ରହିବ ? ଆହୁରି ମୂଲିଆ ଲୋଡ଼ା । ବର୍ଷାଦିନ ମାଡ଼ିଆସୁଛି । ଇଟାଗୁଡ଼ିକ ପୋଡ଼ା ନ ହେଲେ, ଅସରାଏ ବର୍ଷାରେ ଖରାପ ହୋଇ ଯିବ ଯେ ।

 

ତମେ ବ୍ୟସ୍ତ ହୁଅନା ମା’, ମୁଁ ସବୁ ବରାଦ କରିଦେଉଛି ।

 

ମଧୁଆ ତୁଣ୍ଡରୁ ମା’ ଡାକରେ ଧୋବୀ ଭିତରେ ଭିତରେ ଚମକି ଉଠେ । ପୁନିର ବର ମଧୁଆ । ମଧୁଆର ବଳିଲା ବଳିଲା କଠିନ ମାଂସପେଶୀକୁ ଚାହିଁ ରହେ । ଆଖି ଫେରାଏ ।

 

ମଧୁଆ କାମରେ ଲାଗେ । ଦିନରାତି, ଖରତରା ମାନେ ନାହିଁ । ଗାଁ ଗାଁ ବୁଲି ମୂଲିଆ ଡାକେ । କାନ୍ଧକୁ କାନ୍ଧ ମିଶାଇ ହାଡ଼ଭଙ୍ଗା ପରିଶ୍ରମ କରେ । ଧୋବୀ ଜାଣେ । ଖୁସି ହୁଏ । ଇଟାଭାଟିରେ ନିଆଁ ଲାଗେ । ଧର୍ମଶାଳା ଛପର ହୁଏ । ଧୋବୀ ଯୁଆଡ଼େ ଚାହେଁ ଦେଖେ ମଧୁଆ କାମରେ ଲାଗିଛି । ଟିକିଏ ଅଳସ ନାହିଁ । ଅନ୍ୟ ଚାକରଙ୍କ ପରି ଫେଞ୍ଚକାମି ନାହିଁ । ଦେହରୁ ନିଗିଡ଼ି ପଡ଼ୁଛି ଝାଳ । ଧୋବୀ ସହିପାରେ ନାହିଁ ।

 

ଆରେ ମଧୁ, ଆ, ଆ–

ମଧୁଆ ପଛୁରେ ଚାଲେ ।

 

ବିଦେଇ ଧୋବୀର ହାତଧରି ଟିକି ଟିକି ପାହୁଣ୍ଡ ଚାଲି ଚାଲେ । ଖରା ତାତିରେ ଗୋଡ଼ ତାତିଯାଏ ପିଲାଟିର ।

 

ଆସ ଟିକେ ସାଆନ୍ତେ, ମୁଁ କାଖକରି ନେବି । ମଧୁଆ ବିଦେଇକୁ କାଖକରି ଚାଲେ । ଧୋବୀ ଫେରି ଚାହେଁ ।

 

ଆରେ ମଧୁ, ସକାଳୁ ତ କିଛି ଖାଇନୁରେ ?

 

ମୁଣ୍ଡରୁ ଝାଳ ପୋଛି ମଧୁଆ କହେ, ଖାଇଛି ସାଆନ୍ତାଣୀ । କାଲି ରାତିର ମାଣ୍ଡିଆ ଚକୁଳି ଖାଇ ଆସିଛି ।

 

ନେ, ଏ କାକରା ପିଠା ପୁଞ୍ଜିକ ଖାଇଦେ ।

 

ସାଆନ୍ତାଣୀ ତୁଣ୍ଡିର ପୁଞ୍ଜିଏ କହିଲେ, କାନିରେ ଦୁଇପୁଞ୍ଜା ଦୁଇଟା ଅଜାଡ଼ି ଦିଅନ୍ତି । ମଧୁଆ କେଡ଼େ ଖୁସିରେ ଯିବାକୁ ବସେ । କେଡ଼େ ସୁନ୍ଦର ଘିଅପିଠା । ଆଗ ପୁନି ତୁଣ୍ଡରେ ଖଣ୍ଡେ ନ ଦେଲେ ସେ ଖାଇବ ନାହିଁ । ତା’ ପାଟିକୁ ରୁଚିବ କିମିତି । ଆହା, ତାକୁ ଅପେକ୍ଷା କରି ବାଟକୁ ଚାହିଁ ପୁନି ବସିଥିବ । ପ୍ରାଣ ଛାଡ଼ିଗଲେ ବି ସେ ଖାଇବ ନାହିଁତ । ଏଇଥିପାଇଁ ପୁନି ସଙ୍ଗେ ସେ କେତେ କଜିଆ କରେ । କେତେ ରାଗରୋଷ, ରୁଷାରୁଷି, ମୁଁହ ଶୁଖାଶୁଖି, କଥାକୁହା ବନ୍ଦ, ଆଖିର ଲୁହ । ତଥାପି ପୁନିର ଅପେକ୍ଷା କରି ଚାହିଁ ରହିବା ବଦଖୋଇ ଗଲାନାହିଁ । ମଧୁଆର ବି ପରଘରେ ପାଣି ନ ଛୁଇଁବା ଅବର୍ଜ୍ୟା ଅଭ୍ୟାସ ଭାଙ୍ଗିଲା ନାହିଁ ।

 

ଆରେ, ପିଠା ଦିଇଟା କାନିରେ ବାନ୍ଧୁଛୁ କାହିଁକି ମଧୁ, ଖାଇଦେ ରେ, ତୋ ପେଟ ଯାଇ ପିଠିରେ ଲାଗିଗଲାଣି ।

 

ମଧୁଆ ଜବାବ ଦିଏ ନାହିଁ । ତଳକୁ ମୁହଁ ପୋତେ ।

 

ଖାଇଦେରେ, ଘରକୁ ନେବୁ ? କିରେ ପିଠା କଣ ନାହିଁ । ଆଉ ଦିଟା ନେଇଯିବୁ ପଛେ-

 

ଡରି ଡରି ମଧୁଆ କହେ, ଗାଧୋଇ ନାହିଁ ସାନ୍ତାଣୀ ।

 

ଧୋବୀ ବୁଝେ ମଧୁଆର ମନକଥା । ଭାବେ, ପୁନି ସୁଖୀ । ମଧୁଆକୁ କେତେ କଥା ପଚାରିବାକୁ ପାଟି ଖଲଖଲ ହୁଏ, ହଇରେ ମଧୁ, ପୁନି କାହିଁକି ଇଆଡ଼େ ଆସେ ନାହିଁରେ, ଡାକିଦେବୁ ତ ତାକୁ । ସେ ମୋର ପିଲାଦିନର ସାଙ୍ଗ । ଲୋକାଚାର ଯେପରି ତାର ପାଟି ବନ୍ଦକରି ଧରେ । ପୁନିକଥା କିଛି କହିପାରେ ନାହିଁ । ପଚାରେ, ତୁ ଭାରି ଗରିବରେ ମଧୁଆ । ଲୁଗା ଖଣ୍ଡେ ନାହିଁ, ଚିରା ଲୁଗା ପିନ୍ଧି ଆସିଛୁ ?

 

ମୁଁ ଭାରି ଗରିବ, ସାଆନ୍ତାଣୀ । କାଳ ଯେମିତି ମହଙ୍ଗା, ମୂଲ ଲାଗି ଆପଣଙ୍କ ଘରୁ ଯାହା ପାଏ ପେଟକୁ ଅଣ୍ଟେ ନାହିଁ ତ ।

 

ଧୋବୀ କହେ, ରହ ରହ ।

 

ଭିତରକୁ ଯାଏ, ହାତରେ ଖଣ୍ଡେ ଲୁଗା, ଖଣ୍ଡେ ଶାଢ଼ୀ ଧରି ପଦାକୁ ଆସେ । କହେ, ନେଏରେ ମଧୁ । ଏଇ ପୁରୁଣା ଶାଢ଼ୀଟା ତୋ ଭାରିଜାକୁ ଦେବୁ, ଏ ପୁରୁଣା ଲୁଗାଟା ତୋର ।

 

ମଧୁଆର ଆଖିରେ କୃତଜ୍ଞତା ଭରିଯାଏ । ସେ ଲମ୍ବହୋଇ ତଳେ ପଡ଼ି ଦଣ୍ଡବତ କରେ, ଗରିବ ଦୁଃଖୀଙ୍କର ମା’ ।

 

ଧୋବୀ ଶୁଣିବାକୁ ଅପେକ୍ଷା କରେ ନାହିଁ । ଆଖି ଛଳଛଳ କରି ଘର ଭିତରକୁ ପଶିଯାଏ । ଆଉ ଆଉ ଚାକର ବାକର ଈର୍ଷାରେ ଜଳି ଯାଆନ୍ତି । ପୁରୁଣା କହି ସାଆନ୍ତାଣୀ ଯେଉଁ ଲୁଗାଶାଢ଼ୀ ଦେଲେ, ସେ ତ ଅରଖ ନୂଆ । ଅଜାତି ଅଧର୍ମୀ ମଧୁ ବାଉରିକି ସାଆନ୍ତାଣୀ ଏତେ ସ୍ନେହ କରନ୍ତି କାହିଁକି ? ପରଷ୍ପର ମୁହଁକୁ ଅନାଅନି ହୁଅନ୍ତି । ମନ ଭିତରେ କେତେ କିନ୍ତୁ ଖେଳିଯାଏ । ଆଖିରେ କୁହୁଳି ଉଠେ ସନ୍ଦେହ । ମଧୁଆକୁ ଅନାନ୍ତି, ସେ ସୁନ୍ଦର, ବଳିଷ୍ଠ, ଯୁବକ ।

 

ମଧୁଆ ଏକା ଦଉଡ଼କେ ଘରେ ଆସି ପହଞ୍ଚେ । ଦେଖେ, ପୁନି ଗାଲରେ ହାତଦେଇ ତା’ରି ବାଟକୁ ଅନାଇ ରହିଛି ।

 

ପୁନିର ଓଠରେ ହସ ଫୁଟେ; କିନ୍ତୁ ସେ ଖୁସି ହୋଇପାରେ ନାହିଁ । ଧୋବୀ ତାକୁ ଜମି ଦେଇଛି, ଧାନ ଦେଇଛି, ଧନ ଦେଇଛି, କେତେ ଆରାରେ ସାହାଯ୍ୟ କରୁଛି । ତାଙ୍କର ଦୁଃଖକଷ୍ଟ ଘୁଞ୍ଚେଇବାକୁ ସବୁବେଳେ ଚେଷ୍ଟା କରୁଛି, କିନ୍ତୁ ପୁନିକୁ ସବୁ ମାଡ଼ ମାରିଲା ପରି ଲାଗେ । ମଧୁଆର ମୁହଁରୁ ଧୋବୀର ପ୍ରଶଂସା ଶୁଣେ । ସେ ଜାଣେ, ଧୋବୀ ମଧୁଆକୁ ଶ୍ରଦ୍ଧା କରେ, ତଥାପି ପୁନିର ମନରେ ଆନନ୍ଦ ଆସେ ନାହିଁ । ଘରଦ୍ଵାର ଛାଡ଼ି ମଧୁଆକୁ ସଙ୍ଗରେ ନେଇ କାହିଁ କେଉଁ ଦୂରଥାନକୁ ପଳାଇଯିବାକୁ ଇଚ୍ଛା ହୁଏ ।

 

ଧୋବୀ ଏତେଦିନ ହେଲା ଗାଁକୁ ଆସି ରହିଲାଣି । ଘର ଘର କରି ସମସ୍ତଙ୍କର ଘରକୁ ଯାଇଛି । ଲୋକଙ୍କର ସୁଖଦୁଃଖ, ଭଲମନ୍ଦ କଥା ବୁଝିଛି । ଏଇବାଟେ ମଧୁଆର ଘର ଆଗରେ ବାଉରିସାହିର କୂଅ ପୋଖରୀ ଦେଖିବାକୁ ଯାଇଥିଲା । ପୁନି ଲାଜରେ, ଅଭିମାନରେ ଧୋବୀକୁ ଦୂରରୁ ଦେଖି ଘରେ ପଶିଥିଲା । ପାଖ ଲୋକେ ମଧୁଆର ଘର ବୋଲି ଚିହ୍ନାଇ ଦେଲେ । ଆଡ଼ ଆଖିରେ ସେ ଚାହିଁ ନ ଥିଲା । ଅଟକି ନ ଥିଲା । ପଦେ ପଚାରି ନ ତିଲା । ଚାଲିଲା ଆଗକୁ । ପୁନି କବାଟ ଫାଙ୍କରେ ସବୁ ଦେଖିଛି । ଆଖିରୁ ଲୁହ ଢାଳିଛି ।

 

ଧୋବୀ କଣ ଜାଣେ ନାହିଁ ପୁନିର କଥା ? ସବୁ ନିଶ୍ଚୟ ଜାଣେ । ଆତ୍ମମର୍ଯ୍ୟାଦା ଭୟରେ, ଲୋକନିନ୍ଦା ଡରରେ, ଅଥବା ଘୃଣାରେ, ପୁନିକୁ ସେ ଦେଖିବାକୁ ଚାହେଁ ନାହିଁ । କେଉଁ ଭରସାରେ ପୁନି ଆଗ ବଳିପଡ଼ି ଯିବ ? ପିଣ୍ଡାତଳେ କଡ଼େଇ ଠିଆହୋଇ ଧୋବୀର ମୁହଁକୁ ଚାହିଁ, ସାଆନ୍ତାଣି ବୋଲି ଡାକିବ ?

 

ସେଇଥିପାଇଁ ମଧୁଆ ଯେତେ ତିଆରି କହିଲେ ମଧ୍ୟ ପୁନି ଧୋବୀ ଘରକୁ ଯାଏ ନାହିଁ । କେତେ ଆରା ଧରି ରହେ । ଦିନେ ରାତିରେ ମଧୁଆ କଟାଳକରି କହିଲା, ଆଲୋ ପୁନି, ତୁ ନିଶ୍ଚୟ କାଲି ଯେମିତି ହେଲେ ଯିବୁ । ସାଆନ୍ତାଣୀଙ୍କୁ ଦେଖାକରି ଆସିବୁ । ମା’ ଲକ୍ଷ୍ମୀ ସେ ।

Unknown

 

ଛୁରୀ ଚାଲି ଯାଉଥାଏ ପୁନିର ଦେହରେ । ମଧୁଆର କଥା ଶୁଣି, ମନେ ପଡ଼ିଗଲା କେତେଦିନ ତଳର କଥା । ଉଣାଜାତି ବୋଲି ତାରି ସନେଇଁ ଭାଇକୁ ବାହା କରିବାକୁ ପୁନିର ବାପ ମଙ୍ଗି ନ ଥିଲା । ଏଇ ଧୋବୀ । କାଲି ପରି ଲାଗୁଛି । ବେଳ ସିନା ଗଡ଼ିଯାଏ, କଥା ରହିଯାଏ କେତେକାଳକୁ । ସେଇ ଧୋବୀ ଆଗରେ ଗୋଡ଼ ଭାଙ୍ଗି ଠିଆ ହେବି ?

 

ମଧୁଆର କଥାର ଜବାବ ପୁନି ଦେଇ ପାରିଲା ନାହିଁ । ପୁଣି ଭାବିବାକୁ ଲାଗିଲା, କାହାର ବଡ଼ପଣ ସଂସାରରେ ରହିଛି ? କେତେବେଳେ କଣ ହୁଏ ? ଦୁନିଆଁ ଓଲଟି ଯାଏ । ଯାହାର ଆଶ୍ରାଧରି ସେ ବଞ୍ଚି ରହିଛି, ସେଇ ମଧୁଆ ତ ଧୋବୀର ଗୋଡ଼ତଳେ ମୁଣ୍ଡ ଲଗାଉଛି ? ପୁନିର ଆଉ ମାନ ଅଭିମାନ, ବଡ଼ପଣର ବଡ଼େଇ କାହିଁ ? ବନେଇଁ ପରିଡ଼ାଙ୍କ ଝିଅ, ସନେଇଁ ପରିଡ଼ାର ଭଉଣୀ ପୁଣି କେବେଠୁ ମଲାଣି । ଏ ପୁନି ଛତରରୁ ଆସିଛି, ମଧୁ ଭୋଇର ଘରଣୀ । ତାର ପୁଣି ମାନାଭିମାନ କଣ ?

 

ସେ ଦେଖା କରିବାକୁ ଯିବ ।

ମଧୁଆ ଶୁଣି ଖୁସି ହେଲା ।

ତିନିବର୍ଷ କଟିଗଲା ।

 

କେବେଠୁଁ ଆରମ୍ଭ ହେଲା ଏ ସମୟ, ବର୍ଷ, ମାସ, ଦିନ, ମୁହୁର୍ତ୍ତ ପୁଣି କେବେ ଶେଷ ହେବ ? ଏହାର ଆରମ୍ଭ ନାହିଁ, ଶେଷ ନାହିଁ । ମଣିଷର କଳ୍ପନା ଅନନ୍ତ, ଯାହାରି ଭିତରେ କେତେ ବିଶ୍ଵବ୍ରହ୍ମାଣ୍ଡ ଛୋଟ ଛୋଟ ଧୂଳିକଣା ପରି ଖେଳି ବୁଲନ୍ତି, ଆଉ ମଣିଷ ସେଇ ଅନନ୍ତ କଳ୍ପନା ଅସୀମ ସମୟର ବ୍ୟାପୃତି ଭିତରେ ଲୀନ ହୋଇଯାଏ । ସତ୍ତା ହଜାଇ ବସେ । ମଣିଷ ଜାତିର ସୃଷ୍ଟି ସେ ଦିନର କଥା । ତାର ପ୍ରଶ୍ନବାଚକ ସଭ୍ୟତା କାଲିକାର କଥା । ମଣିଷର ଜୀବନକାଳ ଅନନ୍ତ ସମୟ ଭିତରେ ମୁହୂର୍ତ୍ତେ ହେବ ନାହିଁ । ଆଉ ତିନୋଟି ବର୍ଷ । ତାର ସତ୍ତା କାହିଁ ?

 

କିନ୍ତୁ ସନେଇଁ ପରିଡ଼ା ଏତେ କଥା ତ ଭାବୁ ନ ଥିଲା । ସେ ଭାବୁଥିଲା ପୂରା ତିନୋଟି ବର୍ଷ କଟିଛି ବର୍ଷ ବର୍ଷ ହୋଇ । ଖରା, ବର୍ଷା, ଶୀତ, ଜର ହଇଜା ବସନ୍ତ । ଦେହରୁ ପୋଷ ପୋଷ ଝାଳ ଢାଳିଦେଇ, ଦିନରାତି ଅନିଦ୍ରା ହୋଇ ସେ କାମ କରୁଛି । ମୁଠିଏ ଭଲ କରି ଖାଇବାକୁ କି ପିନ୍ଧିବାକୁ ସେ ସୁବିଧା ପାଇ ନାହିଁ, କାମ କରିଛି । ହାଡ଼ଭଙ୍ଗା ପରିଶ୍ରମ ।

 

ଦୋଳ, ଦଶରା, ରାମନବମୀ, ଶିବରାତ୍ରି ଏମିତି କେତେ ପୁଣ୍ୟପର୍ବ ଆସିଛି, ଗାଁ ଦାଣ୍ଡରେ ଗାଁ ଲୋକଙ୍କ ଭିତରେ କେତେ ଆନନ୍ଦ, ଚାଞ୍ଚଲ୍ୟ, ଉତ୍ତେଜନାର ଢେଉ ଖେଳି ଯାଇଛି; କିନ୍ତୁ ସନେଇଁ ଚାନ୍ଦା ପଇସା ଦେବାଛଡ଼ା କାହିଁରେ ଯୋଗ ଦେଇନାହିଁ । ଗାଈ ବଳଦଙ୍କର ଯତ୍ନ, ଜମିରେ ଫସଲ ଜଗିବା ଓ ବେଳ ମିଳିଲେ ନିଜେ କୋଡ଼ିଧରି ହାଣିବା କି ପାଣି ବୋହି ବିଲରେ ମଡ଼ାଇବାରେ ବେଳ କାଟିଛି ।

 

ଅନାଥ ପଠାଣ ପିଲାଟି ରହିମ୍ । ପନ୍ଦର ବର୍ଷର ଟୋକା, ଯାହାକୁ ଦୟାକରି ସେ ଏଭିତରେ ଘରେ ଆଶ୍ରା ଦେଇଥିଲା, ସେଇ ଏକା ତାର ବନ୍ଧୁ, ସହାୟକ, ବିଶ୍ଵାସୀ ଚାକର । ତାର କେହି ନାହାନ୍ତି । ଦୁର୍ଭିକ୍ଷରେ, ହଇଜାରେ କିଏ କେଉଁଠି ପଡ଼ି ମଲେ । ରହିମ୍ ହାଡ଼ ଚାରିଖଣ୍ଡି ଧରି ଭିକମାଗି ବୁଲୁଥିଲା । ସନେଇଁ ତାର ଦରମଲା ପିଣ୍ଡରେ ନୂଆ ଜୀବନ ପୂର୍ଣ୍ଣକଲା । ତାକୁ ଆପଣାର କଲା । ବିଶି ସାମଲ ସନେଇଁର କୋଠିଆ । ଦରବୁଢ଼ା କାମିକା ଲୋକ । ବର୍ଷିକିଆ ଭତ୍ତା ନିଏ, କାମ କରେ । ନିହତ ଜଗି ପଡ଼ଥାଏ ।

 

ରହିମ୍ ଓ ବିଶିଆକୁ ସାଥିରେ ଧରି ସନେଇଁ ପୂରା ତିନୋଟି ବର୍ଷ କାମ କରିଛି । ମହାଦେବଙ୍କ ତଳ ଅନାବାଦୀ ତାଡ଼ି ଜମି କରିଛି, ଫସଲ ଭେଇଛି । ସନେଇଁର ଜମି, ବଗିଚା, ଫସଲ ଦେଖିଲେ ଲୋକେ ଦୀର୍ଘଶ୍ଵାସ ଛାଡ଼ନ୍ତି । କୁହାକୁହି ହୁଅନ୍ତି, ଦେଖ ହେ, ଏ ଜମି କେମିତି ପଡ଼ିଥିଲା, ଆଜି ହେଲାଣି କଣ ? ପୋଖରୀତଳ କଦଳୀବାଡ଼ିରେ ସବୁବେଳେ ଦଶପଚିଶ କାନ୍ଧି କଦଳୀ ପାକଳ ହୋଇ ପଡ଼ିଥାଏ । ଆଳୁ, ବିଲାତି ଆଳୁ, ବାଇଗଣ, ଚିନାବାଦାମ, ଧୂଆଁପତ୍ର, ସନେଇଁ ଜମିରେ ସବୁ ହୁଏ । ତଳ ଜମିରେ ସେ କରେ ଭଲ ଧାନ, ଲୋକେ ଦେଖି ହାଇଁପାଇଁ ହୁଅନ୍ତି । ମାଟିର ଛାତି ଚିରି ସନେଇଁ ପଇସା କାଢ଼ିଛି, ଆଉ ସେହି ପଇସାରେ ଦଶମାଣରୁ କୋଡ଼ିଏ ମାଣ ଜମି ସେ କଲାଣି । ଧନ୍ୟ କହିବ ଟୋକାଟାକୁ ।

 

ସନେଇଁର ମନରେ କିନ୍ତୁ ସରାଗ ନାହିଁ । କଣ ହେବ ତାର ଏଇ ଜମିବାଡ଼ି, ଘର ସମ୍ପତ୍ତି-? କଣ ହେବ ଗାଈଗୋରୁ, ଧାନଗଦା ? ଯାହାରି ପାଇଁ ସେ ଏତେ ପରିଶ୍ରମ କରିଛି, ଯାହାରି ପାଇଁ ଏସବୁ ସେ ଭେଇଛି, ସାଇତି ରଖିଛି, ସେ ଆଜି କାହିଁ । କେତେ ଲୋକଙ୍କ ମୁଖରୁ ଖବର ପାଏ, ଧୋବୀର ପ୍ରଶଂସା ଶୁଣେ । ଧୋବୀ ମନ୍ଦିର ତୋଳିଛି, ଦରିଦ୍ର ନିରାଶ୍ରୟଙ୍କ ପାଇଁ ଆଶ୍ରମ ଖୋଲିଛି । ନିରନ୍ନଙ୍କୁ ଖାଇବାକୁ ଦିଏ, ଆଶ୍ରାଦିଏ । ଦୁର୍ଭିକ୍ଷ ବାହୁଡ଼ା ଅଜାତି, ଅନାଥ, ଅସ୍ପୃଶ୍ୟଙ୍କୁ ଆଦର କରେ, ଘର ତୋଳାଇ ଦିଏ । ଚଳିବା ପାଇଁ ଜମି ଖଞ୍ଜିଦିଏ ।

 

ଦୁର୍ଗାପୁରରେ କେତେ ଦୁର୍ଭିକ୍ଷ ଫେରନ୍ତା ଲୋକେ ଆଶ୍ରା ପାଇଲେଣି, କେତେ ଘର କରି ରହିଲେଣି । ସମସ୍ତେ ଏକା ଜାତି, ଏକ ଧର୍ମ, ବ୍ରାହ୍ମଣ କ୍ଷତ୍ରୀୟ କି ହାଡ଼ି ପାଣ ଭେଦ ନାହିଁ । ଯିଏ ଖାଇଛି ଛତରରେ, ଯିଏ ଯାହାକୁ ବାଟରୁ ଗୋଟାଇ ନିଜର ସ୍ତ୍ରୀ କି ନିଜର ପୁରୁଷ କରିଛି, ସମସ୍ତେ ହୋଇଛନ୍ତି ଗୋଟିଏ ଜାତିର ଲୋକ, ଧୋବୀ ସେମାନଙ୍କୁ କହେ ନିଆଶ୍ରୟ, ଲୋକେ କହନ୍ତି ଛତରଖିଆ ।

 

ସମସ୍ତଙ୍କୁ ସେ ସ୍ନେହକରେ, ଶ୍ରଦ୍ଧାକରେ; କିନ୍ତୁ ସଭିଙ୍କ ପାଖରୁ ଦୂରେଇ ରହେ । ଯେତେହେଲେ ସେମାନେ ଆଚାରଭ୍ରଷ୍ଟ, ସେମାନଙ୍କର କାୟା ଅପବିତ୍ର । ହିନ୍ଦୁ ସେମାନେ, କିନ୍ତୁ ଅଛଆଁ, ମ୍ଲେଛ । ଧୋବୀ ହିନ୍ଦୁ ଘରର ଉଚ୍ଚ ଜାତି, ଉଚ୍ଚ ବଂଶର ବିଧବା ବୋହୂ । ବିଧବାର ନିୟମ ଅକ୍ଷରେ ଅକ୍ଷରେ ପାଳେ । ସେଇଥି ପାଇଁ ଲୋକେ ତାକୁ ପ୍ରଶଂସା କରନ୍ତି ।

 

ସନେଇଁ ସବୁ ଶୁଣେ, ଖୁସି ହୁଏ । ବେଳେବେଳେ ଭାବେ, ଯିବ ଧୋବୀ ସଙ୍ଗେ ଦେଖା କରି ଆସିବ, କିନ୍ତୁ ଯିବାକୁ ତାର ସାହାସ ହୁଏ ନାହିଁ । ଲୋକେ କଣ ଭାବିବେ ? ନିଜେ ଚିନ୍ତେଇ ସୋଇଁ ଧୋବୀକୁ ସନ୍ଦେହ ଆଖିରେ ଅନାନ୍ତି । ଦୁନିଆଁ ଆଗରେ ପ୍ରଚାର କରିଛନ୍ତି, ଧୋବୀ ବିଦେଇକୁ ପୋଷ୍ୟପୁତ୍ର କରିଛି । କିନ୍ତୁ ଧୋବୀ ଯେ ନାଏକ ଘରର ଅଧିକାଂଶ ସମ୍ପତ୍ତି ବରବାଦ କରି, ତାର ପାଗଳାମିକୁ କାର୍ଯ୍ୟରେ ପରିଣତ କରୁଛି, ଏକଥା ସୋଇଁଏ ସହନ୍ତେ କିପରି ?

 

ସନେଇଁ ଜାଣେ ଧୋବୀକୁ ବିଷ୍ଣୁପୁର ଫେରାଇ ଆଣିବାକୁ ସୋଇଁଏ କେତେ କୌଶଳ କରିଛନ୍ତି । ବୁଢ଼ୀଙ୍କର ଶୁଦ୍ଧିଘରକୁ ସବାରି ଗଉଡ଼ ଯାଇ ଫେରି ଆସିଲେ । ଧୋବୀ ଅସୁସ୍ଥତାର ଛଳନା କରି ଆଈବୁଢ଼ୀଙ୍କର ଶୁଦ୍ଧି ଘରକୁ ଆସିଲା ନାହିଁ । ଅଥଚ ବ୍ରାହ୍ମଣଭୋଜନଠାରୁ ଆରମ୍ଭ କରି ଅନ୍ୟାନ୍ୟ ସବୁ ଖରଚ ନିଜେ ଧୋବୀ ବହନ କରିଥିଲା । ତାର ଗୁମାସ୍ତା ହରି ମାହାନ୍ତିଏ ଆସି ସବୁ ବରାଦ କରିଗଲେ ।

 

ଜୋକ ମୁହଁରେ ଲୁଣ ଦେଲାପରି ଚିନ୍ତେଇ ସୋଇଁ ଛଟପଟ ହେଲେ, ତଥାପି ତୁନି ହୋଇ ରହିଲେ । କୌଶଲରେ ବିଦେଇକୁ ନେଇ ଆସିଲେ । ଧୋବୀ ଆପତ୍ତି କଲାନାହିଁ । ପୁଣି କେତେ କଣ ଭାବି ବିଦେଇକୁ ଦୁର୍ଗାପୁର ପଠାଇଲେ ।

 

ସନେଇଁ ଏ ସବୁ ଖବର ଜାଣେ, ବାପଝିଅଙ୍କର ପଡ଼େ ନାହିଁ । ବାହାରକୁ ଭଲେଇ ହେଲେ ମଧ୍ୟ ସୋଇଁଏ ସବୁବେଳେ ଚେଷ୍ଟା କରୁଛନ୍ତି, କୌଣସିମତେ ଧୋବୀକୁ ବିଷ୍ଣୁପୁର ଆଣିପାରିଲେ ସବୁ ସମ୍ପତ୍ତି ପୁଣି ହସ୍ତଗତ କରିବାକୁ ଡେରି ଲାଗିବ ନାହିଁ । ସୋଇଁଙ୍କର ଧାରଣା, ସନେଇଁ ପ୍ରତି ଧୋବୀ ଆଗରେ ସେ ଯେଉଁ ବ୍ୟବହାର କରିଥିଲେ, ତାରି ଫଳରେ ଧୋବୀ ବିଦ୍ରୋହ କରିଛି । ସନେଇଁ ଏହା ପହରାଜଙ୍କ ମୁହଁରୁ ଶୁଣିଛି ।

 

ପ୍ରମାଣ ମଧ୍ୟ ପାଇଛି । ବର୍ଷକ ତଳେ ନିଜେ ସୋଇଁଏ ଏକୁଟିଆ ସନେଇଁ ଘରକୁ ଆସିଥିଲେ । କେତେ ପ୍ରଶଂସା କରିଥିଲେ ସନେଇଁର ଗୁଣକୁ ଓ ବୁଦ୍ଧିକୁ । କଥାରେ କଥାରେ କହିଥିଲେ, ଆରେ ସନେଇଁ, ତୋର ତ ହଳବଳଦ, ମୂଲିଆ, ଘରଦ୍ଵାର ହେଲାଣି, ତୋ ବାପା ଯେଉଁ ଜମି ମୋତେ ବିକିଥିଲା, ସେତକ ତୁ ଭାଗଚାଷ କର ।

 

ସନେଇଁ ଉତ୍ତର ଦେଇଥିଲା, ଯେଉଁଜମି ହାତରେ ମୁଁ ତାଡ଼ିଛି, ସେତକ କରିବାକୁ ମୋର ବେଳ ନାହିଁ, ବଳ ନାହିଁ । ଭାଗଚାଷ ମୁଁ କରିପାରିବି ନାହିଁ । ମୋର ପୂର୍ବପୁରୁଷର ଜମି ସେ । ଯଦି ଦାମ ନେଇ ମୋତେ ବିକିଦେବ ତ ମୁଁ ବନ୍ଧାଛନ୍ଦା ପଡ଼ି କିଣିବି ।

 

ସୋଇଁଏ ଉତ୍ତର ଦେଲେ ନାହିଁ ।

 

ଆଉ ଦିନେ । ମହାଦେବଙ୍କ ବେଢ଼ା ଭିତରେ ପହରାଜଙ୍କ ଆଗରେ ଭଲମନ୍ଦ ପଚାରୁ ପଚାରୁ ସୋଇଁଏ କହିଲେ, କିରେ ଆଉ କଣ ବୟସ ଆସୁଛି ? ଏଥର ହାତକୁ ଦୁଇହାତ ହୋଇପଡ଼ରେ । ଠାକୁର ତତେ ଭଲରେ ରଖିଲେଣି । ଚିନ୍ତା କଣ ?

 

ଚିନ୍ତେଇ ସୋଇଁ ତାର ଭଲମନ୍ଦ ବୁଝିବାକୁ ଏତେ ଉଦ୍‌ବିଗ୍ନ କାହିଁକି ? ସେ ଜାଣନ୍ତି ଧୋବି ସନେଇଁକୁ ଭଲପାଏ । ସନେଇଁ ସାହାସ କରି ମନର କଥା କାହାରି ଆଗରେ ନ କହିଲେ ମଧ୍ୟ ଧୋବୀକୁ ଚାହିଁ ବସିଛି । ଧୋବୀବୋଉ ଏ ବିଷୟରେ ଅନେକ ଥର ତାଙ୍କ ସଙ୍ଗରେ ତର୍କ କରିଛନ୍ତି । ସୋଇଁଏ କଥାଟାକୁ ହସରେ ଉଡ଼ାଇ ଦିଅନ୍ତି । ତଥାପି ମନଗହନର ତଳେ ତଳେ ସନ୍ଦେହ ଛପି ଛପି ବୁଲେ । କେତେ ଲୋକଙ୍କୁ କେତେ ପ୍ରକାର ପଚାରିଛନ୍ତି, ସନେଇଁ ବିଷ୍ଣୁପୁର ଯାଏ କି ? ବିଷ୍ଣୁପୁରର କେହି ଲୋକ ସନେଇଁର ଘରକୁ ଆସେ କି ? ଯେଉଁ ଲୋକଙ୍କ ପାଖରୁ ଖବର ନେବାକୁ ସେ ଚେଷ୍ଟା କରନ୍ତି, ସେହିମାନେ ପ୍ରଘଟ କରନ୍ତି, ସନେଇଁ ଶୁଣେ । ଦୀର୍ଘଶ୍ଵାସ ଛାଡ଼େ ।

 

ସନେଇଁ ଶୁଣେ । ବିଷ୍ଣୁପୁର ଯାଇ ଥରେ ଧୋବୀକୁ ଦେଖି ଆସିବାର ଯେଉଁ ବାସନା ତାର ମନରେ ଜାଗେ, ସେ ବାସନା ଆପେ ଆପେ ମରିଯାଏ । ସେ ଜାଣେ, କଥା ଛପି ରହିବ ନାହିଁ । ଲୋକେ ଜାଣିବେ । ଚିନ୍ତେଇ ସୋଇଁ ଜାଣିବେ । ଦୁନିଆଁରେ ଦୁର୍ନାମ ରଟିବ । ଧୋବୀ ବିଧବା । ତା’ ପାଇଁ କାହିଁକି ସେ ଦୁର୍ନାମ ସହିବ ? ଲୋକଚକ୍ଷୁରେ କାହିଁକି ସେ ନିଜକୁ ଅପମାନିତ ମନେ କରିବ ? ଧୋବୀ ହେବ ତା’ ଘରର ଘରଣୀ, ଏ କଥା ଚିନ୍ତେଇ ସୋଇଁ ସହି ପାରିବେ ନାହିଁ-। ବାପର ଇଚ୍ଛା ବିରୁଦ୍ଧରେ ଧୋବୀ ବିଷ୍ଣୁପୁରର ସବୁ ସମ୍ପତ୍ତି ଗୋଡ଼ରେ ଠେଲି ଗରିବ ଚାଷୀ ସନେଇଁର ହାତ ଧରିବ ?

ମନେପଡ଼େ ଶିବରାତ୍ର କଥା, ଶୀତେଇ ଉଠେ ଦେହ । ଚଞ୍ଚଳ ହୁଏ ମନ । ଆଖି ଆଗରେ ସ୍ଵପ୍ନଲୋକର ଆନନ୍ଦ ଖେଳିଯାଏ । ନିଜେ ଧୋବୀ ଧରା ଦେଇଥିଲା । ନିଜେ ସେ ପ୍ରତିଜ୍ଞା କରିଯାଇଥିଲା । ଏ ଘର ଧୋବୀର, ଏ ସଂସାର, ଏସମ୍ପତ୍ତି ସବୁ ତାହାରି । ସନେଇଁ ନିଜେ ମଧ୍ୟ ଧୋବୀର, ଆଉ ଧୋବୀ ସନେଇଁର । ଯାଉ ବେଳ ଗଡ଼ିଯାଉ । ସମୟ ବା ସ୍ଥାନର ବ୍ୟବଧାନ ଧୋବୀର ମନ ଓ ସନେଇଁର ମନ ଭିତରେ ସ୍ଥାନକାଳର ଦୂରତ୍ଵ ରଖିପାରିବ ନାହିଁ । ସନେଇଁ ପରିଶ୍ରମ କରିବ, ସନେଇଁ ଅପେକ୍ଷା କରିବ ।

କିନ୍ତୁ କେତେ ଦିନ ? ସନେଇଁର କର୍ମକ୍ଲାନ୍ତ ଦେହ ସଂଯମ ମାନି ରହି ପାରୁନାହିଁ । ମନ ତାର ଖୋଜୁଛି ସାଥୀ । ଦିନୁଦିନ ଚିନ୍ତାଶୀଳ ହୋଇପଡ଼ୁଛି । କିଛି ଭଲ ଲାଗୁ ନାହିଁ । ଅପେକ୍ଷା ସେ ଅନେକ ଦିନ କରିଛି । ଆଉ ଯେପରି କରି ପାରିବ ନାହିଁ । ଏଇ ଅତି ଦୂରରୁ ଧୂସର ଗହୀର ବିଲକୁ ଦି’ ଭାଗ କରି ଯେଉଁ ଚଲାବାଟଟି ପଡ଼ିଛି, ତାର ଉପରେ କେତେ ଜଣ ସ୍ତ୍ରୀ ଲୋକ ଚାଲିଚାଲି ଆସୁଛନ୍ତି । ସନେଇଁର ଅବାଧ୍ୟ ଆଖି ସେହି ଆଡ଼କୁ ଟାଣି ହୋଇ ଯାଉଛି, ଯେପରି କଣ ଖୋଜୁଛି । ତୋଟା ଆଡ଼ରୁ ନାରୀ କଣ୍ଠରେ କାହାର ହସ ଶୁଭିଲା । ସନେଇଁ କାନ ଡେରୁଛି ।

ସନେଇଁ ଯୁବକ । ଦୁନିଆଁର ପ୍ରତେକ ନାରୀ ଯେପରି ତାକୁ ଚଞ୍ଚଳ କରୁଛନ୍ତି, ତାର ମନ ଓ ଆତ୍ମାକୁ ଓଟାରି ନେଉଛନ୍ତି । ସେ ଆଉ ସହିପାରିବ ନାହିଁ, ଅପେକ୍ଷା କରିପାରିବ ନାହିଁ । ସେ ସାଥୀ ଚାହେଁ, ସେ ଚାହେଁ ଧୋବୀକୁ, ଯାହାରି ପାଇଁ ସେ ବଞ୍ଚି ରହିଛି, ଯାହାର ପାଇଁ ସେ ଘର କରିଛି, ପରିଶ୍ରମ କରିଛି ।

ସେ ଦିନ ରାମନବମୀ ।

ଗାଁ ଦାଣ୍ଡରେ କିଏ ଜଣେ ତୂରୀ ଫୁଙ୍କି ଜଣାଇ ଦେଲାଣି, ଆଜି ରାମନବମୀ ଯାତ, ରାମଲୀଳା ଆରମ୍ଭ ହେବ । ପହରାଜେ ବିଶି ରାମାୟଣ ବୋଲିବେ । ଲୋକେ ମୁଖା ପିନ୍ଧି ନାଚିବେ-। ପରି ଦଳେଇର ଦୁଇ ପୁଅ ରଁରା ଭଁରା ହେବେ ରାମଲକ୍ଷ୍ମଣ, ବିନି କାଣ୍ଡିର ପୁଅ ମଙ୍ଗୁଳି ହେବ ସୀତା । ବିଶି ଜେନା ରାବଣ, ମାଧେଇ ରାଉତ ବୀଭିଷଣ । ଗାଁ ଲୋକ ସନେଇଁକୁ ହନୁମାନ ହେବାକୁ କହିଥିଲେ । ଚିନ୍ତେଇ ସୋଇଁ ନିଜେ ପଠାଇ ଥିଲେ ଖବର । ସନେଇଁ ମନାକଲା ।

 

ଚାନ୍ଦା ସେ ଦେଇଛି; କିନ୍ତୁ ରାତି ଅନିଦ୍ରା ହୋଇ ପାଞ୍ଚଖଣ୍ଡ ମଉଜାର ଲୋକଙ୍କ ମଝିରେ ନାଚିବାକୁ ଇଚ୍ଛା ହେଲାନାହିଁ । ସନେଇଁ ମନକଲାରୁ ଗାଁଲୋକେ ରକ୍ତ ଚାଉଳ ଚୋବାଇ ରହିଛନ୍ତି । ସୋଇଁଏ କହିଛନ୍ତି, ହଇ ହେ, ବେଳ ପଡ଼ିଲେ ନିଜେ ଆସି ଗାଁ ଲୋକଙ୍କ ଗୋଡ଼ତଳେ ପଡ଼ିବ ସନିଆଁ, ସବୁର କର ।

 

ସନେଇଁ ଜାଣେ, ଗାଁ ଲୋକଙ୍କ ସାଙ୍ଗେ ଅଦଉତି କରି ଚଳିବା କଷ୍ଟ । ତେଣୁ, ସେ ମନେ କରିଛି, ସଞ୍ଜବେଳକୁ ନିଜେ ଠାକୁରଙ୍କ ଦାଣ୍ଡକୁ ଯିବ, ହନୁମାନ ମୁଖା ପିନ୍ଧି ନାଚିବ ।

 

ଛାଇ ନେଉଟି ଗଲାଣି । ରହିମ୍‍କୁ ପାଖକୁ ଡାକି ସନେଇଁ କହିଲା, କିରେ, ଅବେଳଟାରେ କୋଡ଼ି ଧରି ହାଣି ହାଣି ତୋର ରୂପ କଣ ହେଲାଣିରେ, ମନାକଲେ ମାନିବୁ ନାହିଁ, ପୁଣି ଯଦି ଜରରେ ପଡ଼ୁ ମତେ ହଇରାଣ କରିବୁ ।

 

ରହିମ୍ ତଳକୁ ମୁହଁ ପୋତି ତୁନି ରହିଲା । ସନେଇଁ ତାର ବାପ, ମା’, ଭାଇ ସବୁ । ଦେହ ଖରାପ ହେଲେ ରାତି ଅନିଦ୍ରା ହୋଇ କିଏ ତା’ ପାଖରେ ଜଗି ବସିବ? କିଏ ତା’ ତୁଣ୍ଡରେ ପଥି ଦେବ, ପୁଣି ଗୋଡ଼ ଆଉଁସିବ ? ସେ ଜାଣେ ବିଲ ଅରାକ ଯଦି ହାଣି ପାଗ କରି ନ ଥାନ୍ତା, ସନେଇଁ ଭାଇ ନିଜେ ତ କୋଡ଼ି ଧରନ୍ତା । ସେଇଥିପାଇଁ, ଆଗତୁରା ସେ କାମତକ କରି ପକାଇଛି-

 

ସନେଇଁ କହିଲା, ଆଚ୍ଛା ଯା, ଜଲଦି ଗୋଡ଼ହାତ ଧୋଇଆ । ମୁଁ ତତେ ପଖାଳ ଗଣ୍ଡାକ ବାଢ଼ିଦିଏ । ରାତିରେ ଆଉ ଖାଦ୍ୟ ରାନ୍ଧିବା ନାହିଁ ରହିମ୍ । ତୁ ଘରେ ଜାଗ୍ରତ ଥିବୁ । ଗାଈ, ବଳଦ, ଛେଳି ଓ ଘରପ୍ରତି ନଜର ଦେବୁ । ଆଜି ରାମ ନବମୀ ଯାତ । ମୁଁ ନାଚିବାକୁ ଯିବି, ଗାଁ ଲୋକ ଖବର ପଠାଇଥିଲେ, ନ ଗଲେ ଆକ୍ରୋଶ ରଖିବେ ।

 

ରହିମ୍ ମୁଣ୍ଡରୁ ଝାଳ ପୋଛି କହିଲା, ବିଶିଆଦି ହାଟରୁ ଫେରିଲେ ଖାଇବ କଣ ? ତା’ପାଇଁ ଭାତ ବାଢ଼ି ଡେକ୍‍ଚିରେ ଭାତ ଥୋଇଦେଇ ଯାଆ ।

 

ସନେଇଁ ଚାବିମୁଠାକ ରହିମ୍‌ର ହାତକୁ ବଢ଼ାଇ ଦେଇ କହିଲା, ନେ, ତାକୁ ସିଧା ଦେଇଦେବୁ, ହାଣ୍ଡିରେ ବେଶୀ ଭାତ ନାହିଁ, ଆମ ଦିହିଁକି ନିଅଣ୍ଟ ହେବ ।

 

ସନେଇଁ ହାତରେ ରୋଷଇ କରେ । ରହିମ୍ ଆସିଲା ଦିନରୁ ତାର ଦୁଃଖ କମିଛି । ରହିମ୍ ସିନା ପାଣି ହାଣ୍ଡି ଛୁଇଁବ ନାହିଁ, ବାହାରକାମ ଘଡ଼ିଏ ସମ୍ଭାଳି ନେଲେ ଭାତ ଗଣ୍ଡାଏ ଫୁଟାଇବାକୁ କେତେବେଳ ଲାଗିବ । ପଠାଣ ପିଲାଟିଏ ଏକା ପେଟର ଭାଇପରି ଚଳପ୍ରଚଳ ଆତଯାତ ହେବାର ଦେଖି ଗାଁ ଲୋକେ ସନେଇଁର ଆଚାର ସମ୍ବନ୍ଧରେ ସନ୍ଦିହାନ ହୋଇଥିଲେ, ନିଜ ଭିତରେ ଭୁଟ୍‍ଭାଟ୍ ମଧ୍ୟ ହୋଇଥିଲେ । କିନ୍ତୁ ସନେଇଁର ନିଷ୍ଠା, ସନେଇଁର ଆଚାର ବ୍ୟବହାର ଦେଖି ସେମାନେ କିଛି କହିପାରିଲେ ନାହିଁ । ସେମାନେ ଜାଣନ୍ତି, ସନେଇଁ ଯେତେ ଦାମ୍ ଦେଇ ଥରେ ତାର ଜାତି ଓ ଧର୍ମ ଫେରିପାଇଛି ସେ କେବେ ଅଧର୍ମ କାମ କରିବ ନାହିଁ ।

 

ସନେଇଁ ନିଷ୍ଠାରେ ଚଳେ । ରହିମ୍ ମଧ୍ୟ ଦୂରେଇ ରହିଥାଏ । ସେ ଜାଣେ, ସେ ବୁଝେ ସମସ୍ତଙ୍କର ଧର୍ମ ସମାନ । ଯାହାକୁ ଯେମିତି ଭଲ ଦିଶୁଛି ସେ ତାହା ମନ ଖୁସିରେ କରୁ । ପରସ୍ପରକୁ ନ ସହିଲେ ଦୁନିଆଁ ଚଳିବ କେମିତି ? ଗୋଟିଏ ଘର ଯାହା, ସାର ଦୁନିଆଁ ସେଇଆ ।

 

ବିଷ୍ଣୁପୁରର ରାମ ନବମୀ ଯାତ ଦଶଖଣ୍ଡି ଗ୍ରାମରେ ସାର । ପହରାଜଙ୍କର କଣ୍ଠର ସ୍ଵର, ବାୟକମାନଙ୍କର ମୃଦଙ୍ଗ ତାଳ, ଆଉ ଯେଉଁମାନେ ନାଚନ୍ତି, ପାଳି ଧରନ୍ତି, ସମସ୍ତଙ୍କ କୃତିତ୍ଵରେ ଦଶଖଣ୍ଡି ଗାଁଆର ଲୋକେ ମୁଗ୍‍ଧ ହୁଅନ୍ତି । ନିଜେ ଚିନ୍ତେଇ ସୋଇଁ ଏଥିରେ ଅଜସ୍ର ଟଙ୍କା ଖରଚ କରନ୍ତି । ନୂଆ ନୂଆ ପୋଷାକ, ମୁଖା, ପଗଡ଼ି, ପିନ୍ଧି ଗାଁ ଲୋକେ ଯେତେବେଳେ ଯାତ ମଝିକୁ ବାହାରି ପଡ଼ନ୍ତି, ଦେଖଣାହାରୀଙ୍କ ଆଖି ମଶାଲ ଆଲୁଅରେ ଝଲସି ଉଠେ । ରାବଣର ମଞ୍ଚା ତ ଅଧା ତାଳଗଛ ଉଚ୍ଚ । ଦେଖବାକୁ ଲୋକଙ୍କୁ ଭାରି ଖୁସି ଲାଗେ ।

 

ଦୂର ଗାଁର ମିଣିପେ ମାଇପେ ସଞ୍ଜ ହେଉଣୁ ବାହାରି ଆସନ୍ତି । ରାତି ଦି’ ଘଡ଼ିକୁ ଯାତ ଆରମ୍ଭ ହୁଏ, ସରେ ରାତି ପାହାନ୍ତକୁ । ଲୋକେ ଯାତ ଦେଖୁ ଦେଖୁ ଯେତିକି ଘୁମେଇ ଥା’ନ୍ତି, ସେତିକି । ଯାତ ଭାଙ୍ଗିଲେ ଯିଏ ଯାହାର ଘରକୁ, ଯିଏ ଯାହାର ଗାଁକୁ ଫରିଯାଆନ୍ତି, ସକାଳ ନ ହେଉଣୁ ପହଞ୍ଚି ଯାଆନ୍ତି ।

 

ପ୍ରତି ରାତିରେ ସନେଇଁ ଯାଏ, ବେଶ ଓ ମୁଖା ପିନ୍ଧି ହନୁମାନ ହୋଇ ନାଚେ, ସମ୍ପାଦ କହେ, କୁଦାମାରି ବଡ଼ବଡ଼ ଡାଳ ଭାଙ୍ଗେ । ଲୋକ ମୁଗ୍‍ଧ ହୁଅନ୍ତି । ନିଜେ ଚିନ୍ତେଇଁ ସୋଇଁ ଓ ଗ୍ରାମ ଲୋକେ ପ୍ରଶଂସା କରି କହନ୍ତି, ସନେଇଁ ନ ଥିଲେ କି ଯାତ ଜମାନ୍ତା ? ସନେଇଁକୁ ଖୁସି ଲାଗେ । ଶହ ଶହ ଗ୍ରାମ ଲୋକଙ୍କ ଭିତରେ ନିଜକୁ ସେ ଜଣେ ବୋଲି ଗଣେ, କେତେ ଦୁଃଖ ଭୁଲିଯାଏ, କିନ୍ତୁ ଘରକୁ ଫେରିଲେ ଘରଟା ତାକୁ ନିଛାଟିଆ ଲାଗେ । ସତେ ଯେପରି କାହିଁ କେଉଁ ଅଗନାଗ୍ନି ବନସ୍ତ ଭିତରେ ସେ ରହିଛି । ବଡ଼ ପାଳଗଦାଟା ଦିଶେ ଗୋଟା ପର୍ବତ ପରି । ତାରି ଯତ୍ନରେ ବଢ଼ିଛନ୍ତି ଯେଉଁ ଗାଈ, ବଳଦ, ଗଛବୃକ୍ଷ, ସବୁ ତା’ ଆଖିରେ ଅଜଣା ପରି ଦେଖାଯାଉଛନ୍ତି ।

କାନ୍ଦ କାନ୍ଦର କୋହ ଉଠେ ମନରେ । ତାର ଛାତି ଭିତରେ ଖାଲି ଖାଲି ଲାଗେ, ବାହୁନି ଉଠେ ଆଶା, ବଞ୍ଚିରହିବାର ଆକାଂକ୍ଷା । ସେ ଅନୁଭବ କରେ ସବୁ ଯେପରି କୁଆଡ଼େ ଚାଲିଯାଇଛି, ଜୀବନଟା ତାର ନୀରସ ହୋଇଛି । କାହାପାଇଁ ହାଡ଼ଭଙ୍ଗା ପରିଶ୍ରମ ? ଆଜି ମଲେ କାଲିକି ଦୁଇଦିନ, କିଏ ଭୋଗ କରିବ ?

ସେ ଯିବ । ଧୋବୀକୁ ଆହୁରି ଥରେ ପଚାରି ଆସିବ । ତାର ତ ଏଇ ଘର ସମ୍ପତ୍ତି, ସବୁ ସନିଆଁ ପରିଶ୍ରମ କରି ବଢ଼ାଇଛି, ରକ୍ତ ଦେଇ ବଞ୍ଚାଇ ରଖିଛି ସବୁ ତା’ରି ପାଇଁ । ଯିବ, ନିଶ୍ଚୟ ଯିବ-। ମନ ସିନା କହେ, ଲୋକଲଜ୍ଜା ତାର ଗୋଡ଼କୁ ଅଟକାଇ ରଖେ ।

ରହିମ୍, ତାର ଉଦାସ ଭାବ ଦେଖି କହେ, କାହିଁକି ମନ ଦୁଃଖ କରି ବସଛିୁ ସନେଇଁ ଭାଇ ?

ସନେଇଁ ହସେ, ଉତ୍ତର ଦିଏ ନାହିଁ ।

ରହିମ୍ ଥଙ୍ଗେଇ ଥଙ୍ଗେଇ କହେ, ସନେଇଁ ଭାଇ, ତୁ ବାହା ହୋଇପଡ଼ । ଏଇ ଦେଖ, କାମ କେତେ ବଳାଇଲାଣି । ଭାଉଜ ଆସିଲେ, ଘର କାମ ଦେଖିବ, ମୁଠାଏ ରାନ୍ଧି ଖାଇବାକୁ ଦେବ । ଏ ଚାବି ଗୋଛା ରଖିବ । ଘର ପାଇଁ ମନ ଦକ୍ ଦକ୍ ହେବ ନାହିଁ । ମୁଁ ଏ ଚାବି ରଖିବି ନାହିଁ । କାମ କରୁ କରୁ କେଉଁଠି ଖସି ପଡ଼ିବ ।

ସୂର୍ଯ୍ୟ ଉଠି ଆସୁଥାନ୍ତି ।

ରହିମ୍‍ର ସୁନ୍ଦର କୁଲୁକୁଲିଆ ମୁହଁକୁ ଚାହିଁ ରହିଲା ସନେଇଁ । ଆରେ, ଏ ଦୁନିଆଁର ମଣିଷ ଯାହା କହିଲେ, ପିଲାଟାଏ ରହିମ୍, ସେ ବି ସେଇଆ କହିଲା । ଏମାନେ ସମସ୍ତେ ଭାବୁଛନ୍ତି, କେହି ଗୋଟିଏ ସ୍ତ୍ରୀଲୋକ ଏ ଘରକୁ ଆସିଲେ ସବୁ ସୁଧୁରିଯିବ ।

ସନେଇଁ ସେହ୍ନଭରା ଆଖିରେ କହିଲା, ଖିଆପିଆ ତୋର କଷ୍ଟ ହେଉଛି କିରେ ରହିମ୍-? ଆଚ୍ଛା, ତୋ ପାଇଁ ଗୋଟିଏ ଟିକି ଝିଅ ଠିକ୍ କରୁଛି, ତୁ ବାହା ହୋଇପଡ଼େ । ବାହା ହେବୁ-?

ରହିମ୍ ଲାଜ ଲାଜ ହୋଇ କହିଲା, ମୁଁ କଣ ମୋ କଥା କହୁଛି ? ତମେ ଯଦି ବାହା ନ ହୁଅ, ଏମିତି କଣ ନିଜ ହାତରେ ରୋଷାଇ କରି ହଇରାଣ ହେଉଥିବ ?

ସନେଇଁ କହିଲା, ତେବେ ଗୋଟିଏ ଖଣ୍ଡେଇତ ପିଲା ଆଣି ପାଖରେ ରଖିବାରେ ରହିମ୍, ସେଇ ଆମକୁ ରାନ୍ଧିଦେବ ।

ରହିମ୍ ନିରୁତ୍ତର ହେଲା ।

ପର ଦଳେଇ ଡାକ ଛାଡ଼ି ଆସିଲା, ଆରେ ସନେଇଁ ଅଛୁ କିରେ । ସନେଇଁ ଘର ଭିତରୁ ପଦାକୁ ଆସିଲା ।

କଣ ପରିଆଦି ?

ପହରାଜେ ଖବର ପଠାଇଛନ୍ତି, ଆଜି ସହଳ ସହଳ ଯାତ ଆରମ୍ଭ ହେବ । ଲକ୍ଷ୍ମଣ ଶକ୍ତିଭେଦ ସମ୍ପାଦ କି ନା । ଲକ୍ଷଣ ମୋହରୁ ନ ଉଠିଲେ ତ ଯାତ ଭାଙ୍ଗିବ ନାହିଁ । ଦିନ ଥାଉଣୁ ବେଶ ବାନ୍ଧିଲେ ସଞ୍ଜ ପହରକୁ ଯାତ ଆରମ୍ଭ ହେବ । ଆଜି ଚିନ୍ତେଇଁ ସୋଇଁ ମଉଛବ ବରାଦ କରୁଛନ୍ତି । ଏଣେ ଯାତ ହେଉଥିବ, ତେଣେ ଜନ୍ତାଳ । ଗାଁ ଲୋକ ସମସ୍ତେ ଖାଇବେ । ରାତି ଅଧରେ ଯାତ ସରିଲେ ପତର ପଡ଼ିବ, ହରିବୋଲ ହେବ ।

ନିଧେଇ ସୋଇଁ ଠାକୁର ଦାଣ୍ଡ ଛାମୁଡ଼ିଆ ତଳେ ବସିଛନ୍ତି । ତତେ ଡକାଇଛନ୍ତି । ଗାଁ ଲୋକଙ୍କର ଯାହାର ଯାହା ଇଚ୍ଛା, ଯାହାର ଯେତିକି ଶକ୍ତି, ଜନ୍ତାଳ ପାଇଁ ସେ ଭେଦା ଦେବ ।

ପରି ଦଳେଇର କଥା ନ ସରୁଣୁ ଗାଁ ଦାଣ୍ଡରୁ ତୂରୀ ଶୁଭିଲା । ସମୁଦ୍ରର ଢେଉପରି, ଥରକୁ ଥର ଗାଁ ଲୋକଙ୍କୁ ଡାକରା ପଡ଼ିଛି । ସଭା ହେବ ।

ସନେଇଁ ଚାଲିଲା ପରି ଦଳେଇଙ୍କ ସଙ୍ଗେ ।

ପହରାଜେ, ଚିନ୍ତେଇ ସୋଇଁ, ଓ ନିଧେଇ ସୋଇଁ ଗାଁର ଆଉ ଆଉ ମୁଖିଆ ଲୋକେ ଠାକୁରଙ୍କ ଆଗ ଛାମୁଡ଼ିଆରେ ନଡ଼ିଆ ଚାଞ୍ଚରାରେ ବସିଛନ୍ତି । ସନେଇଁ ସମସ୍ତଙ୍କ ପାଖରେ ବସିଲା, ତିନିବର୍ଷ ତଳେ ଯେଉଁଠି ସେ ଅଛୁଆଁ ଅଜାତି ହୋଇ, ଦରମରା ହୋଇ ଗାଁଲାକଙ୍କଦ୍ଵାରା ଅବହେଳିତ ହୋଇ ପଡ଼ିଥିଲା ଠିକ୍ ସେଇଠି ।

ପହରାଜେ ଜନ୍ତାଳ ପାଇଁ ଚାନ୍ଦାଫର୍ଦ୍ଦ ଧରି ବସିଛନ୍ତି । ଚିନ୍ତେଇ ସୋଇଁ ଦୁଇ ଟଙ୍କା ଦେବେ, ପହରାଜେ ନିଜେ ଦେବେ ଟଙ୍କାଏ । ଆଉମାନେ କିଏ କଣ ଦେବେ ଠିକଣା ହୋଇପାରୁନାହିଁ । କେତେ ବାଦ ବିବାଦ ଚାଲିଛି । ଲୋକେ ନିଜର ଅପାରଗ ପଣିଆ ଦେଖାଇ ଆଠଣାକୁ ଚାରଣା କରିବାକୁ ତର୍କ କରୁଛନ୍ତି । ଅମୁକ ଯଦି ଆଠଣା ଦେଲା ମୋର ତ ଦି’ ଅଣା ଦେବାର କଥା ।

ନିଧେଇ ସୋଇଁ ସନେଇଁ ଆଡ଼କୁ ଚାହିଁ ରହିଲେ, ଜନ୍ତାଳ ଚାନ୍ଦା ତୋ ଉପରେ ଟଙ୍କାଏ ହେଉ । ଦିନେ ତ, କିଛି ସବୁ ଦିନେ ନୁହେଁ, କଣ କହୁଛୁ ?

ତାଙ୍କର ହସିଲା ମୁହଁକୁ ଚାହିଁ ସନେଇଁ କହିଲା, ନିଧିଆଦି, ତମ କଥାରୁ ମୁଁ ବାହାର ନୁହେଁ । ଗୋଟିଏ କଥା କହିବି ? ଆଜି ଯଦି ଲକ୍ଷ୍ମଣ ଶକ୍ତିଭେଦ ସମ୍ପାଦ କରିବ, ତା’ ସାଙ୍ଗକୁ ଜନ୍ତାଳ ହେଲେ ସୁବିଧା ହେବ ନାହିଁ । ଜନ୍ତାଳ ଦୁଇ ଚାରିଦିନ ଗଡ଼େଇ ଦିଆଯାଉ; ନୋହିଲେ ସମ୍ପାଦ ବନ୍ଦ ରହୁ । ଦୁଇଟାଯାକ ଏକାଠି ହେଲେ ଅସୁବିଧା ହେବ ।

ଚିନ୍ତେଇ କହିଲେ, ସନେଇଁ ଠିକ୍ କଥା କହିଲା । ଜନ୍ତାଳ ହେବ ବୋଲି ପର ଗାଁର ମୁଖିଆ ଲୋକଙ୍କୁ ନିମନ୍ତ୍ରଣ କରାହୋଇଛି । ଆଜି ନ କଲେ ଭାଣ୍ଡିଆ ହେବା । ଜନ୍ତାଳ ହେଉ, ଯାତ ବନ୍ଦ ହେଉ । ଭଲ ଦିନ ଦେଖି କରିବା ।

ପହରାଜେ କହିଲେ, କାଳି ରାତିରେ ଯାତ ଭଙ୍ଗିଲାବେଳେ ହରିବୋଲ ଦେଇ ତୁରୀ ଫୁଙ୍କି କୁହାଗଲା ଯେ ଆଜି ଳକ୍ଷ୍ମଣ ଶକ୍ତିଭେଦ ହେବ । ଦୂର ଗାଁମାନଙ୍କରୁ ସ୍ତ୍ରୀ ଲୋକ ଆସିବେ । ହତାଶ ହୋଇ ଫେରିଯିବେ । ତେବେ ଜନ୍ତାଳ ବନ୍ଦ ହେଉ ।

 

ନିଧେଇ କହିଲେ, ଖବର ଆସିଛି, ଦୁର୍ଗାପୁରରୁ ଅନେକ ଲୋକ ଆସିବେ । ଧୋବୀ ଆସିବ ସବାରୀଗଉଡ଼ କରି, ପୁଣି ଫେରିଯିବ ।

 

ଚମକି ଉଠିଲା ସନେଇଁ ।

ଚମକି ଉଠିଲା ଚିନ୍ତେଇ, ଫେରିଯିବ ?

 

ନିଧେଇ କହିଲେ, ମଧୁ ଭୋଇ ମୋତେ ଏତିକି ଖବର ଦେଇଗଲା । ଆପଣ ଘର ଭିତରେ ଥିଲେ । ଯାତ ଦେଖି ଘରଦ୍ଵାର ବୁଲାଚଲା କରି ସକାଳେ ଫେରିଯିବ । ସେଥିରେ କ୍ଷତି କଣ ? ମୁଁ ଭାଉଜଙ୍କୁ ଖବର ପଠାଇ ଆସିଛି ।

 

ଚିନ୍ତେଇ ଗମ୍ଭୀର ହେଲେ ।

 

ସନେଇଁ ମନ ଭିତରେ କେତେ ଉତ୍ତେଜନା ଖେଳିଗଲା । କେହି କାହାରି ମନକଥା ବୁଝିଲେ ନାହିଁ ।

 

 

ଉଦି ସାହୁ କହିଲେ, ତେବେ ଜନ୍ତାଳ ବି ହେଉ, ଯାତ ବି ହେଉ । ପହରାଜେ ଆପଣେ ବୁଝି ବିଚାରି ଲୋକର ମୁଣ୍ଡକୁ ଚାହିଁ ଚାନ୍ଦା ପକାନ୍ତୁ । ସମସ୍ତେ ଦେବାକୁ ବାଧ୍ୟ ହେବେ । ବରଂ କଥା ଚାଲିଲେ ହୋଇ-ହୋଇ ନାହିଁ–ନାହିଁ ହୋଇ ସଞ୍ଜ ହେବ, କିଛି ଠିକଣା ହୋଇପାରିବ ନାହିଁ ।

 

ସନେଇଁ କହିଲା, ମୁଁ କହୁଛି, ଏତିକିବେଳୁ ଚାନ୍ଦା ଯୋଗାଡ଼ କଲେ ସଞ୍ଜବେଳକୁ ଜନ୍ତାଳ ସରିବ । ଖାଇପିଇ ସଞ୍ଜବତୀ ଲାଗିଲେ ଯାତ ଆରମ୍ଭ କରିଦେବା । ଯେତେବେଳେ ସରିବ ସରୁ ।

 

ବଗି କାଣ୍ଡି କହିଲା, ଆରେ ଚାନ୍ଦା କାମ ଛିଡ଼ୁ ଛିଡ଼ୁ ଦି’ପହର ହେବ । ସଞ୍ଜ ଆଗରୁ ଜନ୍ତାଳ ସରିବ କିପରି ?

 

ସନେଇଁ ଉଠି ଠିଆ ହେଲା । ହାତଯୋଡ଼ି ଗ୍ରାମବାସୀଙ୍କୁ ଜଣାଇଲା, ଚାନ୍ଦାକଥା ଆପଣମାନେ ଭୁଲି ଯାଆନ୍ତୁ । ଗ୍ରାମରେ ଠାକୁରଙ୍କ ପାଖରେ ଜନ୍ତାଳ ହେବ । ଗ୍ରାମବାସୀମାନେ ପତର ପକାଇବେ । ଗରିବ ହେଲି ବୋଲି ମୁଁ ଏତକ କରି ପାରିବି ନାହିଁ । ପିଲାଛୁଆ ନେଇ ସମସ୍ତେ ଘର କରୁଛନ୍ତି । ଅଭାବ ଅସୁବିଧା ସମସ୍ତଙ୍କର ଥିବ । ମୁଁ ଏକୁଟିଆ ଲୋକ । ମୋର ଅଭାବ ନାହିଁ, ଚିନ୍ତା ନାହିଁ । ଗ୍ରାମବାସୀଙ୍କର ଯଦି ମତ ହୁଏ, ଜନ୍ତାଳରେ ଯାହା ଖରଚ ଲାଗିବ ମୁଁ ସେତକ ଦେବି । ନିଧିଆଦି ବରାଦ କରନ୍ତୁ । ଘର ତ ମୋର ନୁହେଁ, ଘର ତାଙ୍କର । ଯାହା ଲୋଡ଼ାହେବ, ଲୋକ ପଠେଇ ନେଇ ଆସନ୍ତୁ ।

 

କାବା ହୋଇ ସମସ୍ତେ ସନେଇଁ ମୁହଁକୁ ଚାହିଁଲେ । ମୁହୂର୍ତ୍ତକ ପାଇଁ କାହାରି ତୁଣ୍ଡରୁ କଥା ବାହାରିଲା ନାହିଁ । ସତେ ଯେପରି କେହି ସନେଇଁର କଥା ବିଶ୍ଵାସ କରିପାରିଲେ ନାହିଁ । ଚିନ୍ତେଇ ସୋଇଁଙ୍କର ଆଖିପତା ଉପରକୁ ଟେକି ହେଲା । ସେ ଅନୁଭବ କଲେ, ସତେ ଯେପରି ସନେଇଁ ତାଙ୍କ ଉପରେ ପ୍ରତିଶୋଧ ନେଇଛି । ଗ୍ରାମବାସୀଙ୍କ ଆଗରେ ହାତଯୋଡ଼ି ଠିଆ ହୋଇନାହିଁତ, ତାଙ୍କୁ ମାଡ଼ ମାରିଛି । ତାଙ୍କ ବଡ଼ପଣ, ବଡ଼ କଥାକୁ ଆଣି ଗୋଡ଼ରେ ମାଡ଼ି ଚକଟି ଧୂଳିରେ ମିଶାଇଛି । ଯେଉଁଦିନ ପହରାଜେ ଆସି କହିଲେ, ଧୋବୀ ବିଷୟରେ ସନେଇଁକୁ କରିବାକୁ ବନେଇଁ ପରିଡ଼ା ନାହିଁ କଲେ, ସେଦିନ ସେ ନିଜକୁ ଏପରି ନିଃସହାୟ ଅପମାନିତ ମନେକରି ନ ଥିଲେ ।

 

ଲକ୍ଷପତି ଚିନ୍ତେଇ ସୋଇଁ, ଯାହାଙ୍କର ଜମିର ଗୋଟିଏ ପାଖରେ ଠିଆହେଲେ ଆରପାଖ ଦେଖାଯାଏ ନାହିଁ, ଯାହାଙ୍କର କେତେ ପାଳଗଦାର ଧାନ ଖତ ହୋଇଗଲାଣି, ଯିଏ ବିଷ୍ଣୁପୁର ହର୍ତ୍ତାକର୍ତ୍ତା, ବିଧାତା, ସିଏ ଆଜି ଜଣେ ନିଃସହାୟ, ଦୁର୍ଭିକ୍ଷ ଫେରନ୍ତା, କାଙ୍ଗାଳ, ଦରିଦ୍ର ଆଗରେ ମୁଣ୍ଡ ନୁଆଇଁ ବସିଛନ୍ତି । ତାଙ୍କରି ଭିତରୁ କିଏ ଯେପରି ତାଙ୍କର ଛାତି ଭିତରେ ହସି ହସିକା କହି ଉଠୁଛି, ବଡ଼ ସିଏରେ ନିର୍ବୋଧ, ଯାହାର ମନ ବଡ଼, ହେଉ ପଛେ ସେ ଉପାସୀ, ଦରିଦ୍ର, ନିଆଶ୍ରା । କେବେ ଧନସମ୍ପତ୍ତି ମଣିଷକୁ ବଡ଼ କରିପାରେ ନାହିଁ । କିନ୍ତୁ, ଚିନ୍ତେଇ ସୋଇଁଙ୍କର ଅହମିକା ଗର୍ଜିଉଠିଲା ଭିତରୁ । ହେଉ; ବଡ଼ପଣର ବଡ଼େଇରେ ସେ ଧ୍ୱସ ହେଉ, ମାଟିରେ ମିଶୁ ।

 

ଗ୍ରାମବାସୀଙ୍କର ହରିବୋଲ ଓ ତୂରୀ ଫୁଙ୍କାରେ କାନ ବଧିର ହେଲା । ସମସ୍ତେ ସନେଇଁକୁ ଧନ୍ୟ ଧନ୍ୟ କହିଲେ । ନିଧେଇ ହସି ହସି ତାର ହାତ ଧରି କହିଲେ, ଗ୍ରାମବାସୀ ତ ସମସ୍ତେ ରାଜି ହେଲେରେ ସନେଇଁ ।

 

ଆପଣ ବରାଦ କରନ୍ତୁ ।

 

ବରାଦ କରିବାଟା କଣ ବଳେଇ ପଡ଼ିବ ? ପହରାଜେ କହିଲେ, ଆରେ ପରି ବଡ଼ଜାଲ ଯୋଗାଡ଼ କର । ସନେଇଁ ତାର ନୂଆଁ ପୋଖରୀରେ କଣ ପୋଷିଛି ଦେଖିବା ।

 

ପୁଣି ଲୋକ ହରିବୋଲ ଦେଲେ ।

 

ଆହତ ସିଂହପରି ଗର୍ଜିଉଠି ଚିନ୍ତେଇ କହିଲେ, ଆଃ, ପାଟି କରୁଛ କାହିଁକି ? ଆରେ, ପରି ଜାଲ ଯୋଗାଡ଼ କର, ମୁଁ ଦେଖିବି ।

 

ଓଠ ପାଖୁଡ଼ାରେ ତାଙ୍କର ବିଷାକ୍ତ ହସ ଉକୁଟି ଉଠିଲା ।

ଧୋବୀ ଆସିଲା, ସଙ୍ଗରେ ଆସିଥିଲା ବିଦେଇ । ରାମନବମୀ ଯାତ । ଲକ୍ଷ୍ମଣ ଶକ୍ତିଭେଦ କେଡ଼େ ଜାକ୍‍ଜକମରେ କେଡ଼େ ଉତ୍ତେଜନାରେ ହେଲା । ସନେଇଁର ନିଃସଙ୍କୋଚ ଖରଚରେ ଯେଉଁ ଜନ୍ତାଳ ହୋଇଥିଲା, ଗ୍ରାମବାସୀଏ ପିଲାରୁ ବୁଢ଼ାଯାଏ, ସମସ୍ତେ ମନଇଚ୍ଛା ଖାଇପିଇ ଉତ୍ସାହରେ ଯାତରେ ଯୋଗ ଦେଇଥିଲେ । ଲକ୍ଷ୍ମଣ ଶକ୍ତିଭେଦ ହେଲା, ଲୋକଙ୍କର ଆଖିରୁ ଝରିଲା ଲୁହ । ହନୁମାନ ଗନ୍ଧମାର୍ଦ୍ଦନ ପର୍ବତ ସହ ଔଷଧ ଆଣିଲା । ଲୋକେ ଆକୁଳ ଆଖିରେ ଚାହିଁ ରହିଲେ । ଲକ୍ଷ୍ମଣ ପୁନର୍ଜୀବନ ଲାଭ କଲେ । ଲୋକେ ଆଉ ଧୈର୍ଯ୍ୟ ଧରିପାରିଲେ ନାହିଁ । ହରିବୋଲ ନାଦରେ ରାତିର ଆକାଶ ଥରି ଉଠିଲା, ହୁଳହୁଳି ଧ୍ୱନିରେ ଯାତ୍ରାସ୍ଥଳ କମ୍ପି ଉଠିଲା ।

 

ଧନ୍ୟ ହନୁମାନ । ଧନ୍ୟ ଗନ୍ଧମାର୍ଦ୍ଦନ, ବିଶଲ୍ୟକରଣୀ ।

 

ଚାନ୍ଦିନୀ ଉପରେ ଅନ୍ୟାନ୍ୟ ସ୍ତ୍ରୀଲୋକଙ୍କ ପାଖରେ ବସି ଧୋବୀ ମଧ୍ୟ ପୋଛିଥିଲା ଆଖିରୁ ଲୁହ । ଜାଣେ ନାହିଁ ସେ, ତାରି ଆଗମନର ବାର୍ତ୍ତା ମୁଖାପିନ୍ଧା ହନୁମାନ ସନେଇଁ ପରିଡ଼ାର ମନରେ କି ମୂର୍ଚ୍ଛନା ଆଣିଥିଲା ଯେଉଥିପାଇଁ ସେ ହୋଇଥିଲା ମୁକ୍ତହସ୍ତ । ଜାଣେ ନାହିଁ ଧୋବୀ, ତାରି ଉପସ୍ଥିତି ସନେଇଁ ପରିଡ଼ା ହନୁମାନର ଅଙ୍ଗରେ ସତେକି ହନୁମାନର ଶକ୍ତି ଆଣି ଦେଇଥିଲା, ମନରେ ଯୋଗାଇଥିଲା ହନୁମାନର ଉତ୍ତେଜନା ।

 

ଯାତ ଭାଙ୍ଗିଲା । ମାଆ, ଖୁଡ଼େଇଙ୍କର ଅନୁରୋଧ ଭାଙ୍ଗି ନ ପାରି ରାତିଟି ରହିବାକୁ ଧୋବୀ ମଙ୍ଗିଲା । ଘରକୁ ଫେରିଲା । ହନୁମାନର ମୁଖା ଓହ୍ଲାଇ, ଗରିବ ସନେଇଁ ପରିଡ଼ା ଦୁର୍ବଳ ଦେହ ଓ ଜଳିଲା ମନ ଧରି ରାତି ପାହାନ୍ତାକୁ ଫେରି ଆସିଲା ତାର ଏକୁଟିଆ ଘରକୁ । ରହିମ୍ ଦାଣ୍ଡପିଣ୍ଡାରେ ଚେଇଁ ବସିଛି ।

 

ଧୋବୀ ଦୁଇଦିନ ରହି ଫେରିଗଲା ଦୁର୍ଗାପୁର । ଘର ଘର କରି ବିଷ୍ଣୁପୁରର ସମସ୍ତଙ୍କ ଘରକୁ ଯାଇଛି, ଭଲମନ୍ଦ ବୁଝିଆସିଛି; କିନ୍ତୁ ସନେଇଁ ପରିଡ଼ାର ଘରକୁ ସେ ଯାଇପାରି ନାହିଁ । କେଡ଼େ ଆକୁଳ ଆଖିରେ ସନେଇଁ ଚାହିଁ ରହିଥିଲା ତାର ବାଟକୁ, ପିଣ୍ଡଟା ଛାଡ଼ି ସନେଇଁର ଆତ୍ମାଟା ଯେପରି ତାହାରି ପଛେ ପଛେ ଧାଇଁଥିଲା ।

 

ସନେଇଁ ହତାଶ୍‍ ହେଲା । ଦୁନିଆଁ ତାକୁ ଦିଶିଲା ଯେପରି ଶୁନ୍ୟ । ସବୁ ଆନନ୍ଦ ଉତ୍ସାହ ମିଳେଇ ଗଲା । ଜୀବନ ଲାଗିଲା ତୁଚ୍ଛ । କାମକାର୍ଯ୍ୟରେ ଆଉ ତାର ମନ ଲାଗିଲା ନାହିଁ ।

 

ରହିମ୍ ତାର ଉଦାସ ଭାବ ଦେଖେ, କିଛି ବୁଝିପାରେ ନାହିଁ । ପଚାରେ, ସନେଇଁ ଭାଇ, ତୋର ଦେହ ଭଲ ନାହିଁକି ?

 

ସନେଇଁ ଶୁଖିଲା ହସ ହସେ । କହେ, ତୁ କଣ ବୁଝିବୁ ରହିମ୍ ?

ପଚାରିଲା ଆଖିରେ ଅନାଏଁ ତା’ ମୁହଁକୁ ।

 

ସେଦିନ ସାବିତ୍ରୀ ଅମାବାସ୍ୟା । ପୁନି ଉପାସ କରିଛି । ଆଜି କେଡ଼େ ନିଷ୍ଠାର ବ୍ରତ । ତା’ରି ମଧୁଆ ପାଇଁ, ଯିଏ ତାକୁ ଜୀବନ ଦେଇଛି, ଆଶ୍ରା ଦେଇଛି, ପୁଣି କୋଳରେ ତିନି ବର୍ଷର ପୁଅ ବନେଇଁ । ବନେଇଁକୁ କୋଳରେ ଧରି ତାର ଟିକି ମୁହଁରେ ବୋକ ଦେଲେ, ମନପଡ଼େ ତାର ବାପର କଥା । ଏଇ ଟିକି ବନେଇଁ ଭୋଇଟି ଅବିକଳ ବନେଇଁ ପରିଡ଼ାର ରୂପ, ସେଇ ଆଖି, ସେଇ କାନ, ସେଇ ଭ୍ରୂଲତା । ତାରି ବାପ ତାରି କୋଳରେ ଜନମ ହୋଇଛି ।

 

ସଞ୍ଜ ହେଲା । କଳା ଘୁମର ମେଘ ଫଉଜ ଘୋଟିଗଲା ଆକାଶରେ । ସୁ ସୁ ପବନ କେଡ଼େ ବେଗରେ ବୋହିଲା । ମଧୁଆ ଏତେବେଳଯାଏ କାମରୁ ଫେରିଲା ନାହିଁ । ସବୁଦିନେ ତ ଡେରି ହୁଏ । ପୁନି କେବେ ଭାବେ ନାହିଁ । ସେ ଜାଣେ ତା’ ଧୋବୀ ମଧୁଆକୁ ଭଲ ପାଏ । ଜୀବନମୂର୍ଚ୍ଛା କାମରେ ଲଗାଏ ନାହିଁ । ତଥାପି ମଣିଷର ପତଳା ମନ । ଯାହାକୁ ମଣିଷ ବେଶୀ ଭଲପାଏ, ଯାହାର ସବୁବେଳେ ଶୁଭ ମନାସେ, ତାରି ଅଶୁଭ ସପନ ଦେଖେ, ତାରି ଅମଙ୍ଗଳ କଥା ଭାବି ଦକ ଦକ ହୁଏ ।

 

ପିଲାଟିକୁ କୋଡ଼ରେ ପୁରାଇ, ପୁନି ବଇଠା ଜାଳି, କବାଟ ଆଉଜାଇ ବସି ଭାବୁଛି । କବାଟ ଠେଲି ମଧୁଆ ଘରେ ପଶିଲା । ତାକୁ ଦେଖି ପୁନିର ପିଣ୍ଡରେ ପ୍ରାଣ ପଶିଲା । ମଧୁଆ ହସି ହସି ପୁନିର ଆଗରେ ଖଣ୍ଡେ ନୂଆ ଶାଢ଼ୀ ଥୋଇଦେଇ କହିଲା, ନେ, ସାଆନ୍ତାଣି ତୋ ପାଇଁ ପଠାଇ ଦେଇଛନ୍ତି । ଆଜି ପରା କଣ ବ୍ରତ ? ତୋତେ ଖୋଜୁଥିଲେ ଲୋ, ତୁ ଆଜି ଗଲୁନାହିଁ କାହିଁକି ?

 

ପୁନି ନିତି ଯାଏ । ନିତି କଥାଭାଷା କରି ଫେରେ; କିନ୍ତୁ ଧୋବୀ କେବେ ତାକୁ କିଛି ଦିଏ ନାହିଁ । ଯାହା ସେ ଦିଏ ମଧୁଆ ହାତରେ, ଗୋପନରେ, ଘରର ଅନ୍ୟାନ୍ୟ ଚାକର ଚାକରାଣୀ ଯେପରି ତାର ସୁରାକ୍ ନ ପାଆନ୍ତି । ତଥାପି, ଗାଁ ମାଇପେ ସନ୍ଦେହ କରନ୍ତି । ବାଟରେ ଯେଉଁଠି ଦେଖିଲେ ପଚାରନ୍ତି, କିଲୋ, ଏ ନୋଥ ନାକଚଣା, ଏ ମଲୀକଢ଼ୀ ବଟଫଳ କିଏ ଦେଲାମ ? ହଇଲୋ ଏ ଶାଢ଼ୀ କିଏ ଦେଲା ମ ?

 

କିଏ ମୁହଁ ମୋଡ଼ି କହେ, ମଧୁଆ ଛତରଖିଆର ଏତେ କାଢ଼ ଅଛି ଯେ, ଘରେ ଦି’ହଳ ବଳଦ ବାନ୍ଧିବ । ବାରିରେ ଧାନଖଣି ପକେଇବ, ନୂଆଘର, ଗୁହାଳ ତୋଳିବ, ପୁଣି ଏଇ ପୁନି ଛତରଖାଇ; ଯୋଉଟାକୁ ସେ ବାଟରୁ ଗୋଟାଇ ଆଣିଛି, ତା’ ପାଇଁ ଏତେ ଗହଣା କରିଦେବ, ଶାଢ଼ୀ କିଣି ଦେବ ?

 

କଥାରେ ଲଥା ପକାଇ, ପୁନି ଆଡ଼ ନେଇ, ଆଉ କିଏ ଭଲଲୋକୀ କରି କହେ, କିଲୋ କହୁନୁ ନିଆଁଲାଗି, ମୁଁ କଣ ତମରିମାନଙ୍କ ପରି ହୋଇଛିକି ? ରାତିଏ ଗଲେ ତ ହାତିଏ ଆଣିବି । ମଧୁଆ ସିନା ଗୋରୁମୁଣ୍ଡ ଥପା, ନ ଥିଲାକୁ ନେଫଡ଼ା । କୋଉ ଲୋକ କଣ ଦେଇଛି ମନେ ରଖିଛି-?

 

ଆଉ କିଏ ଜାଣିଲାଶୁଣିଲା ପରି, ଚାରିଆଡ଼କୁ ଚାହିଁ ତୁନି ତୁନି କହେ, ଛତରରୁ ସିନା ଆସିଚି, ପୁନିଟି ଭାରି ଭଲଟିଏ ମ, ନିର୍ମାୟା ପିଲାଟି । ସେ କି ଜାଣିବ ଛନ୍ଦକପଟଲୋ ? ମଧୁଆ ତାକୁ ସବୁ ଚିଜ୍ ଦେଇଛି ମୁଁ ଜାଣେ । ମଧୁଆ କୋଉଠୁ ଆଣିଛି ସେ ଜାଣେ । ଓଲାମୀ ପିଲାଟା, ଏତିକି ଟିକେ ମନକୁ ପଚାରେ ନାହିଁ, ପରକୁ ପର, ବିନା କାରଣରେ କିଏ କାହାକୁ ତୁଚ୍ଛାରେ ଦିଏ ?

 

ପୁନିର ଛାତିରେ ଚମକ ଲାଗେ ।

 

ମାଇପେ ମନକୁ ମନ କହି ହୁଅନ୍ତି, ଏତେ ଚାକର ବାକର ତ ଅଛନ୍ତି, ସାଆନ୍ତାଣୀଙ୍କର ମଧୁ ଭୋଇଠି ଭାରି ଶରଧା । କାମ କରି ସମସ୍ତେ ପେରିବେ ସଞ୍ଜରେ, ମଧୁଆ ଫେରିବ ରାତି ଅଧରେ । କିଲୋ କହୁନୁ ପୁନି, ମିଛ କଥା ।

 

ସାପ ପରି ଗର୍ଜିଉଠେ ପୁନି । ତମେ ଗାଁ ମାଇପେ କାହିଁକି ପରଶିରୀ ଦେଖି ହନ୍ତସନ୍ତ ହେଉଛ ବା । ତମକୁ କିଏ ମନା କରିଛି କି ରାତିଏ ଯାଇ ହାତିଏ ଆଣିବାକୁ ? ତମକୁ କିଏ ମନା କରୁଛି କି ମଧୁଆ ବାଉରିକି ଶରଧା କରିବାକୁ ?

 

ପୁନି ତମତମ ହୋଇ ଚାଲି ଆସେ । ତାର କାନରେ ବାଜେ, ଦେଖ ଗୋ ବହପ । କାହୁଁ ଅଇଲା ଛତରଖାଇ ଟୋକୀର ମୁହଁ କେଡ଼େ ଟାଣଲୋ । ଦୂତିକା ହୋଇଛି ଦୂତିକା ।

 

ଆଉ କେତେ କଣ କହନ୍ତି ସେମାନେ । ପୁନି ଶୁଣିବାକୁ ରହେ ନାହିଁ । ଘରକୁ ଫେରି ଟିକି ବନିଆଁକୁ କୋଡ଼ରେ ପୂରାଇ ଏକୁଟିଆ ବସି ଭାବେ, କୂଳକିନାରା ପାଏ ନାହିଁ । ଭାବେ ସାଆନ୍ତାଣୀଙ୍କର ମଧୁ ଭୋଇଠି ଭାରି ଶରଧା । ଭାବେ ସମସ୍ତେ ଫେରନ୍ତି ସଞ୍ଜରେ, ମଧୁ ଭୋଇ ଫେରେ ରାତି ଅଧରେ । ପେଟ ଭିତରୁ କୋହ ଉଠେ, ଆଖିରେ ଆସେ ଲୁହ । ଗୁରେଇ ତୁରେଇ ହୁଏ ମନରେ ସେଇ କଥାଗୁଡ଼ା ।

 

ମଧୁ ଭୋଇ ଫେରେ ରାତି ଅଧରେ । ପୁନି ଚାହେଁ ତାର ମୁହଁକୁ । କେଡ଼େ ଶୁଖିଲା ଦିଶୁଛି । କେତେ କ୍ଲାନ୍ତ ଦିଶୁଛି । ତାର ଛାତି ଥରି ଉଠେ । ପୁଣି ଆଖି ଛଳ ଛଳ ହୁଏ । ରୋକି ରୋକି ପଚାରେ, ଏତେ ଡେରି ହେଲା କାହିଁକି ?

 

ମଧୁଆ କହେ, ସାଆନ୍ତାଣୀଙ୍କର ପାଖେ ମୂଲିଆଙ୍କର ମୂଲ ହିସାବ ଦେଉଥିଲି । ସାଆନ୍ତାଣୀ କହିଲେ, ଆରେ ମଧୁ, ରହ ରହ, ଆଜି ବିଦେଇର ଜନ୍ମଦିନ, ପିଠା ଦି’ଟା ଖାଇଯିବୁ । ବସୁ ବସୁ ଘୁମେଇ ପଡ଼ିଲି । କେତେବେଳେକେ ପିଠା ଦେଲେ । ଦିଟା ଖାଇଲି । ଏଇ ନେ ଦି’ପୁଞ୍ଜା ତୋ ପାଇଁ ଦେଇଛନ୍ତି ।

 

ମଧୁଆ ଗାମୁଛା ଖୋଳି ଦି’ପୁଞ୍ଜା କାକରା ଥୋଇଦିଏ ।

 

ପୁନିର ଆଗ୍ରହ ହୁଏ ନାହିଁ ପିଠା ରଖିବାକୁ । ଛାତି ଭିତରେ ଯେତେ କଥା ଗୁମୁରି ଉଠୁଥାଏ, ତୁଣ୍ଡ ଖୋଲି କହିପାରେ ନାହିଁ । କାଳେ ମଧୁଆ କଣ ଭାବିବ ବୋଲି ପିଠାଗୁଡ଼ିକ ବାନ୍ଧି ରଖେ । ଛଳନା କରି ନ ଖାଇ ଆଖି ବୁଜି ପଡ଼େ । ନିଦ ହୁଏନାହିଁ । ବିଛଣାରେ ପଡ଼ି ଆକାଶପାତାଳ ଚିନ୍ତା କରେ । କ୍ଲାନ୍ତ ମଧୁଆ ଘୁଙ୍ଗୁଡ଼ି ମାରେ । ପୁନି ଉଠେ, ତାର ଶୋଇଲା ମୁହଁକୁ କ୍ଷଣକାଳ ଚାହିଁରହେ । କିଛି ବୁଝିପାରେ ନାହିଁ । ଦୀପ ଲିଭାଇ ମଧୁଆର ଛାତି ଉପରେ କାନ୍ଦିଲା ମୁହଁ ଲଦି ଦେଇ ନିଶ୍ଚିନ୍ତ ହୁଏ ।

 

ପରଦିନ ଛାଇନେଉଟ ବେଳେ–

 

ଧୋବୀ କହେ, ଆଲୋ ପୁନି, ମୁହଁଟା କାହିଁକି ନଦିଛୁ, ମଧୁଆ ଗାଳି ଦେଇଛି କି ? ରହ, ସେ ଆଜି କାମରୁ ଫେରୁ, ତାକୁ ଦି’ପଦ ନ ଶୋଧିଲେ ମନ ଶାନ୍ତି ହେବନାହିଁ ।

 

ପୁନି ହସେ । ଧୋବୀର ମୁହଁକୁ ଚାହିଁଲେ ଲୋକଙ୍କର ଅପବାଦିଆ କଥା ସେ ଭୁଲିଯାଏ-। କେଡ଼େ ପବିତ୍ର ସେ ମୁହଁ । କେଡ଼େ ଉଜ୍ଜ୍ୱଳ ନିଷ୍କଳଙ୍କ ଆଖିର ଜ୍ୟୋତି । କେଡ଼େ ସରଳ ହସ, ସ୍ନେହଭରା କଥା । ନିଜ ଭିତରେ ନିଜକୁ ସେ ଦୋଷୀ ପାତକୀ ବୋଲି ଅନୁଭବ କରେ । ମୁଣ୍ଡ ନ ନୋଇଁଲେ ମଧ୍ୟ ଧୋବୀର ଗୋଡ଼ତଳେ ମୁଣ୍ଡ ନୋଇଁବାକୁ ମନ ହୁଏ ।

 

ପୁନି କହେ, ଧୋବୀ ଅପା । ଏତେ ଲୋକ ନଅଙ୍କରେ ମରି ହଜିଗଲେ । ମୋରି କପାଳେ ଏଇଆ ଥିଲା । ଲୋକନିନ୍ଦା ସହି ବଞ୍ଚିଛି । ଭାଇ ସୁଖରେ ଥାଇ ସୁଦ୍ଧା ଦିନେ ପଚାରନ୍ତି ନାହିଁ । ମୋର ବା କି ସାହାସ ଅଛି ? କେମିତି ତାଙ୍କୁ ମୁହଁ ଦେଖାଇବି ଧୋବୀ ଅପା ?

 

ଧୋବୀ ଗମ୍ଭୀର ହୁଏ । କେତେ ଭାବନା ଖେଳିଯାଏ ମନରେ । ଛାତି ଯନ୍ତ୍ରଣା ଅନୁଭବ କରେ । କହେ, ସବୁଦିନେ ତୁ ଏମିତିକା କହୁ କାହିଁକି ପୁନି ? ମଧୁଆ ସିନା ଜାତିରେ ବାଉରି, ହେଲେ କେଉଁଗୁଣରେ ଆଉ କିଏ ସରିହେବ ତାକୁ, ରୂପ, ଗୁଣ ସ୍ଵାସ୍ଥ୍ୟ । ଠାକୁରେ ଆଇସ ଦେଉନ୍ତୁ-। ଘର କର ।

 

ପୁନିର ମନରେ ଗର୍ବ ଆସେ । କିନ୍ତୁ ଧୋବୀ ମୁହଁରୁ ମଧୁଆର ପ୍ରଶଂସା ଶୁଣି କେମିତି ଖରାପ ଲାଗେ ।

 

ସାବିତ୍ରୀ ଅମାବାସ୍ୟା ରାତି ।

 

ମଧୁଆର କଥା ଶୁଣି ପୁନି ଅଭିମାନିଆଁ ସ୍ଵରରେ କହିଲା, ସହଳ ଆସିବ କହି ଯାଇଥିଲ ପରା । ଏତେ ଡେରି କରି ଆସୁଛ ? ପିଲାଟାକୁ କାଖରେ ଧରି ଗୁହାଳ ସଫାକଲି । ବଳଦଗୁଡ଼ା ଗୋଠରୁ ଫେରିଲେ ତାଙ୍କୁ ବାନ୍ଧିଲି, ମୋହିଁଲି । ତମ ଘରକାମ ତ ଦିନୁଦିନ ବଳଉଛି । ମୁଁ ଆଉ କେତେ କରିବି ।

 

ପୁନିର ଆଖି ଛଳଛଳ ହେଲା ।

 

ମଧୁଆ ତାଟଙ୍ଗା ହୋଇ ତା’ ମୁଁହକୁ ଚାହିଁଲା । କାମକୁ ପାରୁନାହିଁ, ଏ କଥା ପୁନିର ମୁହଁରୁ ମଧୁଆ ନୂଆ କରି ଶୁଣିଲା । କାମକୁ ପାରୁନାହିଁ ବୋଲି ପୁନି ଆଖିରେ ପ୍ରଥମଥର ସେ ଦେଖିଲା ଲୁହ । ପଚାରିଲା, ତୁ କେବେ କଣ କରିବାକୁ କହୁଛୁ କହ ।

 

ପୁନି ପଚାରିଲା, ଯାହା କହିବି ତମେ କରିବ ।

ହଁ କରିବି, କହ ।

 

ତମ ଘରକାମ ତ ତମକୁ ବଳେଇଲାଣି, ତମେ ଆଉ ପରଘରେ କାମ କରିବ କାହିଁକି-? କାମ ଛାଡ଼ିଦିଅ ।

 

କହିଦେଇ ପୁନି ତଳକୁ ପୋତିଲା ମୁହଁ । ଗୋଟିଏ କଣ ଅଜଣା ଭୟରେ ଛାତି ଭିତର ଥରି ଉଠିଲା । ମନେହେଲା, ସତେକି ତାର ନିର୍ବୋଧ କଥା କେଇପଦରେ ଛାତିତଳର ଛପିଲା ସନ୍ଦେହ ସେ ଉଦ୍‍ଗାରୀ ପକାଇଛି । ଆଉ, ସେଇ ବିଷରେ ସେ ନିଜେ ଜଳିପୋଡ଼ି ଯାଉଛି । ମଧୁଆର ମୁହଁକୁ ଚାହିଁବାକୁ ସାହାସ ହେଲା ନାହିଁ । ସେ ଧୀରେ ଧୀରେ ତଳୁ ଶାଢ଼ୀଖଣ୍ଡି ଉଠାଇ ନେଇ ଅଲଗୁଣି ପାଖକୁ ଗଲା ।

 

ମଧୁଆ ତା’ ଢଙ୍ଗ, ତାର କଥାର ଅର୍ଥ ବୁଝିପାରିଲା ନାହିଁ । କାକୁସ୍ଥ, ନିଃସହାୟ ହୋଇ ବାହାରର ଅନ୍ଧାର ଆଡ଼କୁ ଚାହିଁ ରହିଲା, ଯେପରି ସେ ପୁନିର ପ୍ରଶ୍ନର ଉତ୍ତର ଖୋଜୁଛି । ସାଇଁ ସାଇଁ ବୋହି ଆସିଲା ଥଣ୍ଡାଳିଆ ପବନ । ସଙ୍ଗେ ସଙ୍ଗେ ଝିପି ଝିପି ହୋଇ ଝରିପଡ଼ିଲା ବର୍ଷାବୁନ୍ଦା ।

 

ଝରିପଡ଼ିଲା ବର୍ଷାବୁନ୍ଦା । ଆଖିରୁ ଧାର ଧାର ହୋଇ ଗଡ଼ି ପଡ଼ୁଥିବା ଲୁହକୁ ଦୁର୍ବଳ ହାତ ପାପୁଲିରେ ପୋଛି ଧୋବୀବୋଉ ପଦାକୁ ଚାହିଁଲେ । କଣ କହି ନିଷ୍ଠୁର ସ୍ଵାମୀଙ୍କର ମନ ସେ ବଦଳାଇ ପାରିବେ ? ଗତ କଥାକୁ ମନରେ ଧରି ସନେଇଁ ଉପରେ ରାଗରୋଷ କରି ବସିବା ତ ଠିକ୍ ନୁହେଁ । ତାର ବାପ ବନେଇଁ ଯଦି ଅପମାନ ଦେଇଥିଲା ସନେଇଁ ତ ଦାୟୀ ନୁହେଁ । ବନେଇଁ ପରିଡ଼ା ମରିଛନ୍ତି । ତାଙ୍କ ସଙ୍ଗେ ସଙ୍ଗେ ଚିନ୍ତେଇ ସୋଇଁଙ୍କର ମନର ରାଗ ମରିବା ଉଚିତ ।

 

କିନ୍ତୁ, କେଡ଼େ ଆଣ୍ଡିଆ ଲୋକ ସେ । ଯାହା ବୁଝିଥିବେ ସେଇଆ, ଯେତେ ଭାଗବତ କହିଲେ ବି ମନ ତାଙ୍କର ବୁଝିଲା ନାହିଁ । ଆଜି ସାବିତ୍ରୀ ଅମାବାସ୍ୟା । ମୁଣ୍ଡରେ ସିନ୍ଦୁର ଥିଲା ଅଘୋରଦୁଆରି ସବୁ ମାଇପେ ଉପାସ କରିବେ, ବ୍ରତପୂଜା କରି ସାବିତ୍ରୀଙ୍କ ଜୀବନ କାହାଣୀ ଶୁଣି ସ୍ଵାମୀଙ୍କର ଦୀର୍ଘଜୀବନ କାମନା କରିବେ । ସେ ବି ତ ଆଜି ସେଇଆ କରିଛନ୍ତି । ତାଙ୍କର ନିଷ୍ଠୁର ନିର୍ମ୍ମମ ସ୍ଵାମୀଙ୍କର ଦୀର୍ଘଜୀବନ କାମନା କରି ବର୍ଷକୁ ବର୍ଷ ଯେପରି ଆଦିବିଧିରେ, ନିଷ୍ଠାର ବ୍ରତ ପାଳନ୍ତି ଏ ବର୍ଷ ମଧ୍ୟ ସେମତି ପାଳିଛନ୍ତି । ତାଙ୍କର ପେଟର ଅଲିଅଳ ଝିଅ ପିଲା ବୟସରୁ ମୁଣ୍ଡରୁ ସିନ୍ଦୁର ପୋଛି କାନ୍ଦି କାନ୍ଦି ବେଳ କାଟୁଥିବ ।

 

ଧୋବୀର ଆଖି ଲୁହ ଦେଖିଛନ୍ତି ସେ । ମନର ଦୁଃଖ ବୁଝିଛନ୍ତି । ପିଲାଟି ଦିନରୁ ସନେଇଁକୁ ସେ ଭଲ ପାଏ, ଏ କଥା ତାଙ୍କୁ ଅଜଣା ନାହିଁ । ବିଧବା ହୋଇ ବାପଘରକୁ ଆସିଲା ପରେ ମଧ୍ୟ ସନେଇଁ ପ୍ରତି ତାର ଶ୍ରଦ୍ଧାର ଅଭାବ ନ ଥିଲା । ଧୋବୀର ସନେଇଁ ପ୍ରତି ବ୍ୟବହାର କଥା ସେ ନିଧେଇଙ୍କ ମୁହଁରୁ ଶୁଣିଛନ୍ତି । ଟିମି ମଧ୍ୟ ତାଙ୍କୁ କେତେ କେତେ ଘଟଣା କହିଛି । ସବୁ କଥା ସେ ଧୋବୀକୁ ପଚାରିଛନ୍ତି । ଧୋବୀ ଉତ୍ତର ଦେଇନାହିଁ । ମୁଣ୍ଡ ପୋତିଛି । ସନେଇଁ ପ୍ରତି ତାର ପ୍ରଗାଢ଼ ସ୍ନେହହିଁ ସନେଇଁ ପାଖରୁ ତାକୁ ଦୂରେଇ ରଖିଛି । ବାପ ଘରକୁ ଆସିବାକୁ ତାର ମନ ହେଉନାହିଁ ।

ଧୋବୀ ବୋଉ ସବୁ କଥା ତ ତାଙ୍କର ସ୍ଵାମୀ ଓ ଦେବରଙ୍କୁ ବୁଝାଇ କହିଲେ । ନିଧେଇଙ୍କ କଥାରେ ଶାଗ ଶିଝେ ନାହିଁ । ଚିନ୍ତେଇଙ୍କୁ ମଙ୍ଗେଇ ପାରିଲେ ହେଲା, କିନ୍ତୁ…..

ପଣତ କାନିରେ ଆଖି ପୋଛି ଧୋବୀବୋଉ କାକୁତି ମିନତିଭରା ସ୍ଵରରେ କହିଲେ, ଆଜି ତମମାନଙ୍କ ମୁହଁରୁ ସ୍ଥିର ଜବାବ ମୁଁ ଶୁଣିବାକୁ ଚାହେଁ । ଧୋବୀ ସମ୍ବନ୍ଧରେ ସନେଇଁକୁ ସ୍ଥିର କର । ଦୁହିଁଙ୍କର ଜୀବନକୁ ପୋଡ଼ିଜାଳି ଛାରଖାର କରନାହିଁ । ଶଶୁର ଘରର ସବୁ ସମ୍ପତ୍ତି ଧୋବୀ ବିନର୍ବୟ କରୁଛି କାହିଁକି ଥରେ ଭାବି ଦେଖ । ଖାଲି ଉପରେ ଉପରେ ଭାସିଗଲେ ତ ହେବ ନାହିଁ । ବାମ ଓଝାର ଝିଅ ଟିମି କଥା ମନେକର । ଚନ୍ଦରା ସଙ୍ଗେ ସେ କାହିଁକି ପଳାଇଲା ବୋଲି ବାମ ଓଝା, ବିଶି ଜେନା ଦିହିଁକି ତମେ ଦାଣ୍ଡ ମଝିରେ ସବୁ ଲୋକଙ୍କ ଆଗରେ କାଇଲି କଲ ।

ଗାଁ ସଭା, ସୁଧର୍ମା ସଭାରେ ନିଜେ ଚିନ୍ତେଇ ସୋଇଁ ବାମ ଓଝାକୁ କାଇଲି କରି କହିଥିଲେ, ଯୁବତୀ ଝିଅ ଘିଅ ସମାନ । ଜୋଇଁର ମଲା ହଜିଲା ଖବର ନ ପାଇଲ। ଯଦି ପଳାଶପତ୍ର ଦାହ କରି ଝିଅକୁ ଅନ୍ୟ ଯାଗାରେ ବାହା କରିଦେଲ ନାହିଁ ।

ବାମ ଓଝାର ଭୁଲ ପାଇଁ ସେ ପ୍ରାୟଶ୍ଚିତ୍ତ କଲା । ଠାକୁର ଘରକୁ ଜୋରିମାନା ଦେଲା ବିଶି ଜେନା, ପୁଅର ବାପ । କାଇଲି ହେଲା ସିନା ‘ପଞ୍ଚୁଗବ୍ୟ’ ହେଲା ନାହିଁ କି ଜୋରିମାନା ଦେଲା ନାହିଁ । ଏ ଖବର ଗାଁ ସାରା ବ୍ୟାପିଗଲା, ଧୋବୀ ବୋଉ ମଧ୍ୟ ଶୁଣିଲେ । ସେହି ଦିନରୁ ଧୋବୀ ସମ୍ବନ୍ଧରେ ସେ ଆକାଶପାତାଳ କେତେ କଥା ଭାବିବାକୁ ଲାଗିଲେ ।

 

ସ୍ତ୍ରୀଙ୍କର କଥା ଶୁଣି ଚିନ୍ତେଇ ଗର୍ଜି ଉଠିଲେ, କାହା ସଙ୍ଗେ କାହାକୁ ତମେ ତୁଳନା କରୁଛ-? ବାମ ଓଝା ଝିଅ ଟିମି, ଆଉ ମୋ ଝିଅ ଧୋବୀ ? ଶଶୁର ଘରର ସମ୍ପତ୍ତି ନଷ୍ଟ କରୁଛି ବୋଲି ଯେ ମୋ କୁଳରେ କାଳି ବୋଳି ବିଧବା ଝିଅକୁ ବାହା କରାଇବି, ଏକଥା ହୋଇପାରିବ ନାହିଁ । ଜାତି ହେଲା ବୋଲି ଯେ ସନେଇଁର ଛତରଖିଆପଣ ପାସୋରିଗଲା ଏକଥା ତ ନୁହେଁ । ପୁଣି, ଗୋଟିଏ ପଠାଣ ପିଲାକୁ ପାଖରେ ରଖିଛି, ତା’ ହାତରେ ଖଆପିଆ ନ କରୁଛି, ତାର କୋଉ ପ୍ରମାଣ ଅଛି ? ଯେତେ ବୁଡ଼ି ବୁଡ଼ି ପାଣି ପିଉ, ଦିନେ ଧରାପଡ଼ିବଯେ । ଧୋବୀକୁ ତା’ ହାତରେ ଦେଲେ ମୁଣ୍ଡ ଟେକି ଦାଣ୍ଡରେ ବାଟ ଚାଲିବି କିପରି ?

 

ନିଧେଇଁ ମୁହଁ ଖୋଲିଲେ, ସନେଇଁ ବିଷୟରେ ନ ହେଉ । ଆପଣ ମତ ଦେଲେ, ମୁଁ ଧୋବୀ ପାଇଁ ଭଲ ପାତ୍ର ସ୍ଥିର କରିବି ।

 

ଚିନ୍ତେଇ କଟମଟ କରି ନିଧେଇଙ୍କର ମୁହଁକୁ ଚାହିଁ କହିଲେ, ଦିଅର ଭାଉଜ ଦୁହେଁ ପ୍ରସ୍ତାବ କରି ମୋର ଉପର ମୁହଁ ତଳକୁ କରିବାକୁ ବସିଛ ? କାହିଁକି, ଧୋବୀ ତ ବେଶ୍‍ ଖୁସି ଆନନ୍ଦରେ ଅଛି । ବିଦେଇକୁ ସେ ପୁଅ ନ କରି ପାଖରେ ରଖିଛି । ମୋର ଅବାଧ୍ୟ ହୋଇ ସବୁ ସମ୍ପତ୍ତି ଯାହାକୁ ଇଚ୍ଛା ତାହାକୁ ଦେଇ ନିଜକୁ ଧାର୍ମିକ ବୋଲି ଦେଖାଉଛି । ମୁଁ ତାର କୌଣସି କଥାରେ ବାଧା ଦେଇନାହିଁ । ବିଦେଇ ମୋର ପୁଅ, ମୋ ସମ୍ପତ୍ତିରେ ତାର ଅଧିକାର । ତାର କେଉଁ କଥାର ଅଭାବ ହେବ ? ସରିଯାଉ ଧୋବୀର ସବୁ ସମ୍ପତ୍ତି । ପୁଣି ସେ ଫେରି ଆସିବ । ଆମେ ତ ନ ଥିବୁ । ସେଇ ଧୋବୀ ପୁଣି ବିଦେଇର ହାତ ଟେକାରେ ରହିବ । କଣ କରୁଛି କରୁ ସେ ।

 

ଧୋବୀ ବୋଉଙ୍କର ଆଖିରେ ସତେ କି ନିଆଁ ଜଳିଲା । ସେ ବଡ଼ ପାଟିରେ କହିଲେ, ଅଧେ ସମ୍ପତ୍ତିର ଅଧିକାରୀ ଧୋବୀ । ମୁଁ ବଞ୍ଚିଥାଉଣୁ ବିଦେଇକୁ-

 

ଚିନ୍ତେଇ ସ୍ତ୍ରୀଙ୍କୁ ବାକିତକ କୁହାଇ ନ ଦେଇ ଥଟ୍ଟା କଲାପରି କହିଲେ, ତମେ ବଞ୍ଚିଥାଉଣୁ ବିଦେଇକୁ ମୁଁ ନିଜ ପୁଅ କରିଯିବି । ଧୋବୀ ପରଘରକୁ ଗଲାଦିନୁ, ସୋଇଁ ଘରର ସମ୍ପତ୍ତି ଉପରେ ତାର କୌଣସି ଅଧିକାର ନାହିଁ ।

 

ଧୋବୀବୋଉ କହିଲେ, ମୁଁ ଏହା କରାଇ ଦେବିନାହିଁ ।

 

ହସି ହସି ଚିନ୍ତେଇ କହିଲେ, ତମେ କିଏ ? ମୋ କଥାରେ ବାଧା ଦେବାକୁ ତମର ସାହାସ ଅଛି ? ସମ୍ପତ୍ତି ମୋର, ସବୁ ସମ୍ପତ୍ତି ମୁଁ ବିଦେଇ ନାମରେ ଲେଖିଦେଇ ଯିବ ।

 

ଆଖିରେ ଲୁହ ପୋଛି ଧୋବୀବୋଉ କହିଲେ, ତମେ ସମ୍ପତ୍ତି କରିଛ । ସେ ସମ୍ପତ୍ତି ତମେ ହାଡ଼ିକୁ ଦିଅ ମୁଁ କିଛି କହିବି ନାହିଁ । ଧୋବୀ ମୋ ପେଟର ଛୁଆ । ତାକୁ ମୁଁ ସନେଇଁ ହାତରେ ଟେକିଦେବି । ତମେ ତମର ବଡ଼ପଣ ନେଇ ରହ । ମୂଲିଆ ମୂର୍ଖ ଛତରଖିଆର ହାତଧରି ଧୋବୀ ମୋର ସୁଖରେ ରହୁ । ଏତକ ନ କରିବା ଯାଏ ମୁଁ ଘରେ ପାଣି ଛୁଇବି ନାହିଁ ।

 

ଥଟ୍ଟା କଲାପରି ଚିନ୍ତେଇ କହିଲେ, ସତେ ସତେ? ଏତେ ବଡ଼ ପ୍ରତିଜ୍ଞା କରୁଛ ? ଧୋବୀକୁ ଛତରଖିଆର ହାତରେ ଦେଇ ମୋର ଉପରମୁହଁ ତଳକୁ କରି ତମେ ସୋଇଁ କୁଳରେ କାଳି ବୋଳିବ ? ନା ନା, ସେପରି ପାଗଳାମି କରନାହିଁ । ଏକା ଫୁଙ୍କାରେ ପୁଣି ତୁମର ସନେଇଁକୁ ଏ ଗାଁରୁ ଉଡ଼ାଇ ଦେବିଟି । ଗରିବଟା କେତେ ଦୁଃଖକଷ୍ଟରେ ଘର ଖଣ୍ଡେ କରିଛି, ଜମି ଦିମାଣ କରି ପେଟ ପୋଷୁଛି । ଜାଣି ଜାଣି ତାର ଅନିଷ୍ଟ କରନାହିଁ । ତମର ଇଚ୍ଛା ହୋଉଛି, ତମେ ଉପାସ କର, ବ୍ରତ କର, ଯାହା ଇଚ୍ଛା ତାହା କର । ନିଧେଇକି ଧରି ମନଇଚ୍ଛା ବାହୁନ, କିନ୍ତୁ କଥା ଯଦି ଦାଣ୍ଡକୁ ଯାଏ, ଦାଣ୍ଡର ଲୋକେ ଯଦି ମୋ ଘର ବିଷୟରେ ପଦେ ଥଟ୍ଟା କରି କହନ୍ତି, ଯାହାଙ୍କର ଭଲ କରିବାକୁ ବସିଛ, ସେଇମାନଙ୍କର ତଣ୍ଟିରେ ଛୁରୀ ଦେବ କହି ଦେଉଛି ।

 

ଏତିକି କହି ଚିନ୍ତେଇ ସୋଇଁ ତମ ତମ ହୋଇ ଘରଭିତରୁ ବାରଣ୍ଡାକୁ ବାହାରି ପଡ଼ିଲେ-। କିଟି କିଟି ଅନ୍ଧାର ଆକାଶରେ ଚମକି ଉଠିଲା ବିଜୁଳି । ସଞ୍ଜ ପହରର ନିସ୍ତବ୍‍ଧତା ଭାଙ୍ଗି ଗର୍ଜି ଉଠିଲା ଅଶନୀ ।

 

ସେଦିନ ବି ତ ଏମିତି ଅନ୍ଧାର ଦୁନିଆଁ ସାରା ଘେରି ରହିଥିଲା । ଏମିତି ବର୍ଷା, ଏମିତି ବିଜୁଳି ଘଡ଼ଘଡ଼ି । ସତୀର କୋଳରେ ସ୍ଵାମୀର ମଲା ଦେହ । ଯମରାଜର ସାହାସ ହେଲାନାହିଁ, ସ୍ତ୍ରୀ କୋଳରୁ ସତ୍ୟବାନଙ୍କର ଆତ୍ମାକୁ ନେଇ ଚାଲିଯିବ । ସତୀ ସାବିତ୍ରୀଙ୍କ ପାଖରେ ଯମରାଜ ହାରିଥିଲେ । ସତ୍ୟବାନଙ୍କର ଆତ୍ମାକୁ ଫେରାଇ ଦେଇଗଲେ ।

 

ଏମିତି ଅନ୍ଧାର ରାତି, ବର୍ଷା ବୁଜୁଳି ।

 

ଧୋବୀ ରାଧାମାଧବଙ୍କ ଆଗରେ ତଳେ ମୁଣ୍ଡ ଲଗାଇ ଆଖିରୁ ଲୁହ ଗଡ଼ାଇଲା, ପ୍ରଭୁ ହେ, ସ୍ତ୍ରୀ ଜନ୍ମ ଦେଲ ଯଦି, ଏଡ଼େ ହୀନିମାନ, ଏଡ଼େ ଦହଗଞ୍ଜ କଲ କାହିଁକି ? କି ଅପରାଧ ବା ମୁଁ କରିଥିଲି ?

 

କିନ୍ତୁ, କିଏ ତାର ସତ୍ୟବାନ ?

 

ଯାହାକୁ ପିଲାଦିନୁ ଭଲ ପାଉଥିଲା, ଯାହାର ଦୁଃଖରେ ଆଖିରୁ ଲୁହ ଗଡ଼ାଇଥିଲା, ଯାହାକୁ ତାର ପ୍ରଥମ ଯୌବନର ସଦ୍ୟଫୁଟା ରଙ୍ଗିନ ମନ ସମର୍ପି ଦେଇଥିଲା, ସେଇ ସନେଇଁ ପରିଡ଼ା, କି, ଯାହାଙ୍କର ହାତଧରି, ବ୍ରାହ୍ମଣର ମନ୍ତ୍ରର ସମ୍ମାନ ରଖିବାକୁ, ଜାତି ଓ ସମାଜର ନିୟମ ପାଳି ଦୁନିଆଁ ଲୋକଙ୍କ ଆଗରେ ସ୍ଵାମୀ ବୋଲି ନୀରବରେ ସ୍ୱୀକାର କରି, ମନରେ ବିଦ୍ରୋହ ଉଠୁଥିଲେ ମଧ୍ୟ ଯାହାଙ୍କର ଘରକୁ ଆସି ସଂସାର କରିଥିଲା, ଯାହାଙ୍କ ଆଗରେ ତରଳ ନବଯୌବନ ପୂର୍ଣ୍ଣସମ୍ଭାର ବିନା ଆପତ୍ତିରେ ହସି ହସି ଭେଟି ଦେଇଥିଲା, ସେଇ ନିତେଇ ନାଏକ ।

 

କିଏ ତାର ସତ୍ୟବାନ ? ଯିଏ ମରଣ ସଙ୍ଗେ ଲଢ଼ି ଲଢ଼ି, ସର୍ବସ୍ୱ ହରାଇ କାଙ୍ଗାଳ ହୋଇ, ଗାଁ ମଶାଣିରେ ମିଶିଯିବାକୁ ଫେରି ଆସିଲା, ଯାହାର ତୁଣ୍ଡରେ ଆହାର ଦେଇ ପିଣ୍ଡରେ ପ୍ରାଣ ଦେଲା, ସଂସାରରେ ଯାହାକୁ ଠିଆହୋଇ ଆଶା ବାନ୍ଧିବାର ପ୍ରେରଣା ଦେଲା, ସେଇ ସନେଇଁ ପରିଡ଼ା, କି, ଯିଏ ବିବାହିତା ପତ୍ନୀର ମନରକ୍ଷା କରିବାକୁ କାଙ୍ଗାଳର ସେବା କରି, ହସି ହସି ଜୀବନ ଦେଲା, ସେଇ ନିତେଇ ନାଏକ ।

 

କିଏ ତାର ସତ୍ୟବାନ ?

 

ଧୋବୀ ଜାଣେ ନାହିଁ ପ୍ରଶ୍ନର ଉତ୍ତର । ଦେହ ବଡ଼ କି ମନ ବଡ଼ । ତଥାପି ଧୋବୀ ସଧବାପରି ସାବିତ୍ରୀ ବ୍ରତ ପାଳନ କରିଥିଲା । ସାରାଦିନ ଉପବାସ ରହିଥିଲା । ଘରର ଦାସୀମାନେ ପରସ୍ପର ମୁହଁକୁ ଅନାଇଥିଲେ । କେହି କେହି ଆଖିଠିରିକା ମାରି ମୁହଁ ମୋଡ଼ି କହିଥିଲେ, ସ୍ଵର୍ଗକୁ ନିଶୁଣି ନାହିଁ, ବଡ଼ଲୋକୁ ଉତ୍ତର ନାହିଁ ।

 

ଆଉଜା କବାଟ ଫାଙ୍କବାଟେ ସାଇଁ ସାଇଁ ପବନ କୋଠରୀ ଭିତରେ ପଶି ରାଧାମାଧବଙ୍କ ଖଟୁଲି ଆଗରେ ଜଳୁଥିବା ଘିଅ ଦୀପର ଆଲୁଅକୁ ଥରାଇବାକୁ ଲାଗିଲା । ଭୂଇଁ ଉପରେ ଲୋଟି ପଡ଼ିଥିବା ଧୋବୀ ମୁଣ୍ଡଟେକି ନିର୍ଜୀବ ପିତ୍ତଳଗଢ଼ା ବିଗ୍ରହଙ୍କୁ ଚାହିଁ ରହିଲା । ହତଯୋଡ଼ି ପ୍ରାର୍ଥନା କଲା, କହ ପ୍ରଭୁ, ମୋ ଦୋଷର କ୍ଷମା ଅଛି କି ନାହିଁ । ଶିବ ଚତୁର୍ଦ୍ଦଶୀ ରାତିରେ ସନେଇଁ ଭାଇର ଗୋଡ଼ତଳେ ପଡ଼ି ଯାହା କହିଥିଲି ସବୁ ତୁମେ ଜାଣ । ମୋର ମନର ଗୋପନ କଥା ତୁମକୁ ତ ଅଛପା ନାହିଁ ପ୍ରଭୁ ।

 

ଦୁଇହାତ ମୁଣ୍ଡରେ ଲଗାଇଲା । ଆଖିଆଗରେ ସତେ କି ଠିଆହେଲା ସନେଇଁର ରୂପ । କେଡ଼େ ବ୍ୟଥାଭରା ଆକୁଳ ସ୍ଵରରେ ପୁଣି ଯେପରି ସେ କହୁଛି, ତୋରି ଫେରିଲା ବାଟକୁ ଚାହିଁ ରହିଥିବି ଧୋବୀ । ଧୋବୀ ଯେପରି ଉତ୍ତର ଦେଉଛି, ତୋରି ଦୁଇପାଦରେ ମୁଣ୍ଡ ଲଗାଇ ତୋ ପ୍ରଶ୍ନର ଉତ୍ତର ଦେବି । ଚମକି ଉଠିଲା ଧୋବୀ । ନା ନା, ଅସମ୍ଭବ । ହେ ଭଗବାନ । ଏହା କେବେ ହୋଇପାରିବ ନାହିଁ । ଧୋବୀର ଆତ୍ମାର ଆର୍ତ୍ତନାଦ ଯେପରି ତାର କାନରେ ବାଜିଲା, ତୋର ଆନନ୍ଦ ପାଇଁ, ତୋର ମନ ରଖିବାକୁ ଯିଏ ଦେଲା ଜୀବନ, ଯିଏ ଦେଲା ତାର ବାପ ମା’ ସମସ୍ତଙ୍କୁ ବଳି, ପାର୍ଥିବ ଯାହା କିଛି ଥିଲା, ଯିଏ ସବୁ ସମର୍ପିଦେଲା ତୋରି ଗୋଡ଼ତଳେ, ସେ ଯେ ଅପେକ୍ଷା କରି ରହିଛି ।

 

ଧୋବୀର ଦେହ ଥରି ଉଠିଲା ।

ତଳେ ଲଗାଇଲା ମୁଣ୍ଡ । ବଳ ଦିଅ ଭଗବାନ ।

କବାଟ ଠେଲି, ଘର ଭିତରକୁ ମୁଣ୍ଡଗଳାଇ ଦାସୀ ଡାକିଲା, ସାଆନ୍ତାଣୀ ।

 

ଧୋବୀ ଉଠି ବସିଲା । ଲୁହଝରା ଆଖିରେ କବାଟ ଆଡ଼କୁ ଚାହିଁ ପଚାରିଲା, କଣ ଲୋ, ବିଦେଇ ଉଠିଲା କି ?

 

ନାଇଁ, ସେ ଶୋଇଛନ୍ତି । ବଲ୍ଲୀ ତାଙ୍କ ପାଖରେ ଅଛି । କଅଣ କି, ତମ ଗାଆଁରୁ କିଏ ଗୋଟାଏ ଲୋକ ତିନ୍ତିବୁଡ଼ି ଆସି ଦାଣ୍ଡରେ ଠିଆ ହୋଇଛି । ତମ ସଙ୍ଗେ ଦେଖା କରିବାକୁ ଚାହୁଁଛି । ପଚାରିଲାରୁ ନିଆଁଲଗା କିଛି କହୁନାହିଁ ।

 

ଧୋବୀ ଉଠି ଠିଆହେଲା । ଆଖରୁ ଲୁହପୋଛି କହିଲା, ବାପା ପଠେଇଥିବେ କି କଣ-? ପଚାରିଲୁ ନାହିଁ, ସମସ୍ତଙ୍କର ଦେହପା’ ଭଲ ଅଛି ତ ?

 

ଦାସୀ କହିଲା, ନାଇଁ, ପଚାରି ନାଇଁ । ସେ ଓଦା ସରସର ହୋଇ ଦାଣ୍ଡପିଣ୍ଡାରେ ଠିଆ ହେଇଛି, ତମ ନାଆଁ ଧରି କହିଲା, ଟିକିଏ ଡାକି ଦେ । ଚାକର ବାକର ହୋଇଥିଲେ ତମ ନାଆଁ ଧରି ‘ତୁ ତା’ କରି ଡାକନ୍ତା କି ? ବାପା ଦାଦି ତ ନୁହନ୍ତି, ଆଉ କିଏ ହୋଇଥିବ ।

 

ଧୋବୀର ଛାତିରୁ ଗୋଟାଏ ନିଆଁ ଖସି ପଡ଼ିଲା । ମୁଣ୍ଡ ଘୂରିଗଲା । ସତେ, ସନେଇଁ ଭାଇ ହୋଇଥିବ ପରା । ସନେଇଁ ଭାଇ ଛଡ଼ା ବାହାର ଲୋକେ କେହି ତ ତାକୁ ତୁ କହି ଡାକନ୍ତି ନାହିଁ । ସାବିତ୍ରୀ ଆମାବାସ୍ୟାରେ ଦୁର୍ଗମ ରାତିରେ ବର୍ଷାରେ ତିନ୍ତିବୁଡ଼ି ସେ ବା ଅଦିନିଆ ଆସିବ କାହିଁକି ?

ଧୋବୀ ଅଧା ପାଗଳୀ ପରି, ଦୁଇ ଖଞ୍ଜା ଡେଇଁ ଛୁଟିଆସିଲା ପଦାକୁ । ଦାସୀକୁ ଆଲୁଅ ଲଗାଇ ଆଣିବାକୁ କହିଲା । ବିଜୁଳି ଝଲସି ଉଠିଲା, ଧୋବୀ ଦେଖିଲା, ପିଣ୍ଡାକୁ ଲାଗି କିଏ ଜଣେ ଠିଆ ହୋଇଛି । ଚିହ୍ନିଲେ ମଧ୍ୟ, ଥରିଲା କଣ୍ଠରୁ ବାହାରି ଆସିଲା ଆପେ ଆପେ ଆବଶ୍ୟକ ପ୍ରଶ୍ନ, କିଏ ?

ସନେଇଁକୁ ଉତ୍ତର ଦେବାକୁ ପଡ଼ିଲା ନାହିଁ । ଦାସୀ ଆଲୁଅ ଧରି ପଦାକୁ ଆସିଲା । ଧୋବୀ ଦେଖିଲା, ତା’ରି ସନେଇଁ ଭାଇ ଓଦା ସରସର ହୋଇ ଆଗରେ ଠିଆ ହୋଇଛି । ମୁଣ୍ଡର ବଡ଼ ବଡ଼ ବାଳରୁ ନିଗିଡ଼ି ପଡ଼ୁଛି ଧାର ଧାର ପାଣି । ପିନ୍ଧିଲା ଲୁଗା କାଦୁଅ ଛିଟାରେ ମଇଳା ହୋଇଛି । ମୁହୂର୍ତ୍ତେ ଧୋବୀ ତାର କ୍ଲାନ୍ତ ମୁହଁକୁ ଚାହିଁ ରହିଲା । କେତେକଥା ତାର ମନ ଭିତରେ ତୁହାଇ ଉଠୁଥାଏ, ସତେ କି ରୂପ ପାଇ ଆଗରେ ଠିଆ ହେଉଥାଏ । କିନ୍ତୁ ଅପେକ୍ଷା କରିବାର ବେଳ ତ ଏ ନୁହେଁ । ଦାସୀଟା ଭାବିବ କଣ ?

ଅସ୍ଥିର ହୋଇ ସନେଇଁର ଆହୁରି ପାଖକୁ ଘୁଞ୍ଚିଯାଇ, ଥରିଲା କଣ୍ଠକୁ ଦୃଢ଼ କରି, ଅନୁଯୋଗ ସ୍ଵରରେ କହିଲା, ଏ କଣ ସନେଇଁ ଭାଇ, କାହା ପରି ପିଣ୍ଡାରେ ଓଦା ସରସର ହୋଇ ଠିଆହୋଇ ରହିଲୁ କାହିଁକି ? ଏ କଣ ତୋ ଘର ନୁହେଁ । ଆ ଭିତରକୁ ।

ସନେଇଁ ଯନ୍ତ୍ରଚାଳିତ ପରି ଧୋବୀର ପଛେ ପଛେ ଚାଲିଲା । ଦାସୀ ଆଲୁଅ ଦେଖାଇଲା । ଦୁହଁ ଦୁହିଁଙ୍କୁ କେତେ କଣ ପଚାରିବାକୁ ବ୍ୟାକୁଳ ହୋଇପଡ଼ିଲେ ମଧ୍ୟ କାହାରି ତୁଣ୍ଡ ଖୋଲିଲା ନାହିଁ ।

ରାତି ଅଧ । ଚାରିଆଡ଼ ନିସ୍ତବ୍‌ଧ । ବର୍ଷା ଛାଡ଼ିଗଲେ ମଧ୍ୟ ଆକାଶ ମେଘାଚ୍ଛନ୍ନ । ପବନ ବନ୍ଦ ହୋଇଯାଇଛି । ସନେଇଁର ଆଖିକୁ ନିଦ ନାହିଁ । ଧୋବୀର ଯତ୍ନ, ଧୋବୀର ସେବାରେ ସେ ନିଜକୁ ଭୁଲି ଯାଇଥିଲା । ରାତି ଅଧରେ ନିଜ ହାତରେ ସେ ତାକୁ ଖୁଆଇଛି । ଛଳଛଳ ଆଖିରେ ଆଉ ଖା, ଆଉ ଖା କହି ଅଳି କରିଛି । ସନେଇଁ କେଉଁ ମାୟାପୁରୀର ସ୍ଵପ୍ନ ରାଜ୍ୟରେ ବୁଲୁଥିଲା ଯେପରି ।

 

ଭାବୁଥିଲା, ଧୋବୀ ତାକୁ ଏତେ ଭଲପାଏ, ସେ ତାକୁ ଜୀବନ ଦେଇଛି । ଧନ ସମ୍ପତ୍ତି ଦେଇଛି, ଦେଇଛି ହୃଦୟଭରା ପ୍ରେମ । କିନ୍ତୁ ଧୋବୀ ବିନା ଏ ସବୁ ତାର ହେବ କଣ ? ଜାତିଆଣକୁ ସେ ମାନେ ନାହିଁ । ସର୍ବଗ୍ରାସୀ ଦୁର୍ଭିକ୍ଷ ତାକୁ ଶିଖାଇଛି, ଧର୍ମ ଗୋଟିଏ ଫାଙ୍କା ନାଁ, ଜାତି ପ୍ରହେଳିକା, ଲୋକଭୁଲାଣ ମାୟା, ସ୍ୱାର୍ଥପରତା । ତଥାପି, ସେ ଜାତିଆଣର ଡୋରରେ ନିଜକୁ ବାନ୍ଧିଛି । ମୁଖା ପିନ୍ଧି ହନୁମାନ ହୋଇ ନାଚିଲା ପରି, ଜାତିଆଣର ମୁଖାପିନ୍ଧି ସେ ନାଚୁଛି । ଧର୍ମ ଉପରେ, ମନ୍ଦିର ଭିତରେ ଥିବା ମଣିଷଗଢ଼ା ପଥର ମୂର୍ତ୍ତି ଉପରେ ତାର ବିଶ୍ଵାସ ନ ଥିଲେ ମଧ୍ୟ ସେ ଯାନିଯାତ୍ରାକୁ ଚାନ୍ଦା ଦେଇଛି, ସମସ୍ତଙ୍କ ସଙ୍ଗେ ମିଶି ପଥର ଆଗରେ ମୁଣ୍ଡ ନୋଇଁଛି ।

 

କାହିଁକି ଏ ସବୁ କୁତ୍ରିମତା ? କେବଳ ଧୋବୀକୁ ପାଇବା ଆଶାରେ ସିନା । କେତେଦିନ ଆଉ ସେ ଅପେକ୍ଷା କରିପାରିବ ? ଏକୁଟିଆ ଜୀବନ ତାର ଦୁଃସହ ହେଲାଣି । କିନ୍ତୁ ନାଏକ ବଂଶର ବୋହୂ, ଏତେ ଧନ ସମ୍ପତ୍ତି, ଭୋଗଭାଗ୍ୟ, ପ୍ରତିପତ୍ତି, ଦାସଦାସୀ ଛାଡ଼ି ତାର କୁଡ଼ିଆ ଘରକୁ ଯିବ କାହିଁକି ? ସନେଇଁ କିପରି ବା ତାକୁ ନିମନ୍ତ୍ରଣ କରିବ ? ମନର କଥା ତା’ ଆଗରେ ପ୍ରକାଶ କରିବ ?

 

ସନେଇଁର ଆଖିକୁ ନିଦ ଆସିଲା ନାହିଁ । ଅନ୍ଧାର ଘର, ବାହାରେ ବାରଣ୍ଡାରେ ମିଞ୍ଜି ମିଞ୍ଜି ହୋଇ ନଲଟଣ ଜଳୁଛି । ସାରା ଦୁନିଆଁ ଯେପରି ନିଦ୍ରାରେ ଅଚେତନ । ଏକା ଅନିଦ୍ରା ସନେଇଁ । କାହିଁକି ସେ ବର୍ଷାପବନ ନ ମାନି ଧାଇଁ ଆସିଥିଲା ? ଏମିତି ରାତି ରାତି ଅନିଦ୍ରା ହୋଇ କେତେ କଥା ଭାବିଥିଲା । ଆଶା ଦୂରାଶାର ମଝିରେ ପଡ଼ି ଛଟପଟ ହେଉଥିଲା ।

 

ସନେଇଁ ଉଠି ବସିଲା ।

 

ଠିକ୍‍ ସେତିକିବେଳେ ସେଇ ଖଞ୍ଜାର ଆରପାଖ ଘରେ ଆଖିର ଲୁହ ବିଛଣା ତିନ୍ତାଇ ଉଠି ବସିଲା ଧୋବୀ । ଘର ଭିତରେ ଆଲୁଅ ଜଳୁଛି । ପାଖରେ ନିଘଡ଼ ନିଦରେ ଶୋଇଛି ବିଦେଇ-। ଖଟକଡ଼କୁ ହତଜ୍ଞାନ ହେଲାପରି ଶୋଇ ଘୁଙ୍ଗୁଡ଼ି ମାରୁଛି ଦାସୀ ବଲ୍ଲୀ ।

 

ଧୋବୀ ଉଠି ବସିଲା । ସେ ଯାହା କରିବ ସ୍ଥିର କରି ସାରିଛି । ନିଜ ସଙ୍ଗେ ଲୁଚକାଳି ଖେଳି ସାରାଜୀବନ ଆଉ ସେ ଛଟପଟ ହେବ ନାହିଁ । ଦୁନିଆଁର ମଣିଷ ଯାହା କହିବେ ସେ କଥା ସେ ମୋଟେ ଖାତିର କରିବ ନାହିଁ । ରାତି ପାହିଲେ ସନେଇଁ ଭାଇକୁ ସବୁ ସେ ଖୋଲି କହିବ ।

 

ଧୋବୀ ସ୍ଥିର ହୋଇ ବସି ପାରିଲା ନାହିଁ । ଝରକା ନ ଥିବା ଆଟୁଘରଟାରେ କିରାସିନି ଧୂଆଁ ପୂର୍ଣ୍ଣ ହୋଇଛି । କିପରି ଅଣନିଶ୍ଵାସୀ ଲାଗୁଛି । ମୁଣ୍ଡ ଗରମ ହୋଇଉଠୁଛି । ଧୋବୀ କବାଟ ଖୋଲିଲା । ଅଗଣା ସେପାଖ ସାମନା ଘର ପିଣ୍ଡାରେ ନଇଁପଡ଼ି କିଏ ଜଣେ ନଳଟଣ ତେଜୁଛି ।

 

ନଲଟଣ ତେଜିଦେଲା । ସନେଇଁ ଭାଇ । ଧୋବୀ ଚମକି ଚାହିଁଲା । ସନେଇଁ ଭାଇକୁ ନିଦ ହୋଇନାହିଁ । ସେ ବି ହୁଏତ ତା’ରି ପରି ସେଇ ଘରେ ଅନିଦ୍ରାରେ ଛଟପଟ ହେଉଛି । ସେଇ ଘରେ, ଯେଉଁଠି ସ୍ଵାମୀଙ୍କ ସାଙ୍ଗରେ ଆଖିପିଞ୍ଛଡ଼ା ପଡ଼ିଲା ପରି କେଇଟି ଦିନ କେଡ଼େ ସୁଖରେ, ଆନନ୍ଦରେ ସ୍ଵାମୀ କୋଳରେ ସେ କଟାଇଥିଲା । ଯେଉଁଠି ଯନ୍ତ୍ରଣାରେ ଛଟପଟ ହୋଇ ଶେଷକୁ ସେ ଆଖି ବୁଜିଥିଲେ । ଆଜି ସାବିତ୍ରୀ ଅମାବାସ୍ୟା ରାତିରେ ସେ ପୁରରୁ ସେ ଫେରି ଆସିନାହାନ୍ତି । ଆସିଛି ସନେଇଁ ଭାଇ ।

 

ଧୋବୀ ନିଜକୁ ସମ୍ଭାଳି ପାରିଲା ନାହିଁ । କିପରି ଉତ୍ତେଜିତ ହୋଇ ଅଗଣା ମଝିରେ ଚାଲି ଚାଲି ସେ ସନେଇଁ ପାଖକୁ ଗଲା । ସନେଇଁ ଧୋବୀକୁ ଆଗରେ ଦେଖି ନିଶ୍ଚଳ ହୋଇ ଠିଆ ହୋଇ ରହିଲା ।

 

ଧୋବୀ ପିଣ୍ଡା ଉପରକୁ ଉଠି ପଚାରିଲା, ନିଦ ହୋଇନାହିଁକି ?

 

ସନେଇଁ ଘର ଭିତରକୁ ଯାଇ ଖଟ ଉପରେ ବସି କହିଲା, ନାଇଁ, ଭାରି ଗରମ ହେଉଛି-। ଧୋବୀ ଘର ଭିତରକୁ ଯାଇ କାନ୍ଥକୁ ଆଉଜି ଠିଆହେଲା । କାହାରି ତୁଣ୍ଡରୁ କଥା ବାହାରିଲା ନାହିଁ । ଦୁହେଁ ଯେପରି ଦୁହିଁଙ୍କର ମନର କଥା, ଉଦ୍ଦେଶ୍ୟ ବୁଝିଲେ । ମୁହଁଖୋଲି କହିବାକୁ କାହାରି ସାହାସ ହେଲା ନାହିଁ । କେହି କାହାରି ମୁହଁକୁ ଚାହିଁ ପାରିଲେ ନାହିଁ । ଧୋବୀର ମନର କଥାଗୁଡ଼ିକ ଯେପରି ଲୁହ ହୋଇ ଆଖିରୁ ନିଗିଡ଼ି ପଡ଼ିଲା । ତାର କଥାର ଉତ୍ତର ଦେଲା ସନେଇଁର ଘନଘନ ଦୀର୍ଘଶ୍ଵାସ ।

 

ମୁହଁଟେକି ସନେଇଁ ଚାହିଁଲା ଧୋବୀକୁ । ତାର ଆଖିର ଲୁହ ଦେଖି ବ୍ୟଥାଭରା ସ୍ଵରରେ ପଚାରିଲା, କାନ୍ଦୁଛୁ କାହିଁକି ଧୋବୀ ?

 

ବନ୍ଧ ଭାଙ୍ଗିଲେ ନଈପାଣି ଯେପରି କୌଣସି ବାଧା ନ ମାନି ଉତ୍ସୃଙ୍ଖଳ ହୋଇ ଛୁଟେ, ଠିକ୍‍ ସେମିତି ସତେ କି ଧୋବୀର ମନଗହନର କେତେଦିନର ଭରା ଆବେଗର ଚଞ୍ଚଳ ଚିନ୍ତାଧାରା ସନେଇଁର ପଦଟିଏ କଥାରେ ଧୈର୍ଯ୍ୟର ବନ୍ଧ ଭାଙ୍ଗି ଛୁଟି ଆସିଲା । ସନେଇଁ ଭାଇ, ତୋ ପାଖରେ ମୁଁ ଅପରାଧ କରିଛି । ମତେ କ୍ଷମା କର । ମୋର ପୋଡ଼ିଲା ଜଳିଲା ଜୀବନରେ ଆଉ ସୁଖ ଆନନ୍ଦ ନାହିଁ । ମୁଁ ବିଧବା । ସମାଜ, ଧର୍ମ, ଜାତିଆଣ, ଦୁନିଆଁ ଲୋକଙ୍କର ଭଲମନ୍ଦ କଥା, ମୋ ଚାରିପାଖରେ କେତେ ପରସ୍ତ କରି ଜାଲ ବେଢ଼ାଇ ରଖିଛି । ତାରି ଭିତରେ ବନ୍ଦୀ ହୋଇ, ଗୁଡ଼େଇ ତୁଡ଼େଇ ହୋଇ ମୁଁ ଛଟପଟ ହୋଇ ଦୁଃଖରେ ବେଳ କାଟୁଛି । ମୋର ବନ୍ଧନ ମୁଁ ଛିଣ୍ଡାଇପାରିବି ନାହିଁ । ତାରି ଭିତରେ ଛଟପଟ ହେଉଥିବି ସନେଇଁ ଭାଇ, ମୋତେ କେହି ଉଦ୍ଧାରି ପାରିବ ନାହିଁ ।

 

ଧୋବୀ ଦୁଇ ହାତରେ ମୁହଁ ଘୋଡ଼ାଇ କାନ୍ଦିବାକୁ ଲାଗିଲା ।

 

ସନେଇଁ କହିଲା, ତୁ କାନ୍ଦୁଛୁ କାହିଁକି ? ଏଇଆ ଶୁଣିବି ବୋଲି ମୁଁ ପ୍ରସ୍ତୁତ ହୋଇ ଆସିଥିଲି । ତୋରି ମୁହଁରୁ ଶୁଣିଲେ ମୁଁ ନିଶ୍ଚିତ ହୋଇ ଫେରିବି । ମୁ ଦୁଃଖ କରୁନାହିଁ । ମୁଁ ଆଜିଠାରୁ ସ୍ଵାଧୀନ ହେଲି ଧୋବୀ, ମୋତେ ଆଉ ମୁଖା ପିନ୍ଧି, ପୋଷାକ ପିନ୍ଧି, ଲାଙ୍ଗୁଡ଼ ବାନ୍ଧି ହନୁମାନ ସାଜି ନାଚିବାକୁ ହେବନାହିଁ ।
 

ଧୋବୀ ଧୈର୍ଯ୍ୟଧରି କାନ୍ଦର କୋହକୁ ଚାପିରଖି ସନେଇଁର ମୁହଁକୁ ତୀକ୍ଷ୍‍ଣ ଦୃଷ୍ଟିରେ ଚାହିଁଲା । ତାର ହସିଲା ଓଠର ଉଦ୍ଦେଶ୍ୟ କିଛି ବୁଝିପାରିଲା ନାହିଁ । ସନେଇଁ ହାତରେ କପାଳ ଆଉଁସି କହିଲା, ଜାତିଆଣର ମୁଖା ତୁ ମତେ ପିନ୍ଧାଇଥିଲୁ । କୃତ୍ରିମ ଧର୍ମର ପୋଷାକ ମୋ ଦେହରେ ଗୁଡ଼ାଇ ଥିଲୁ । ହନୁମାନଙ୍କର ଲାଙ୍ଗୁଡ଼ ପରି ଘର ସମ୍ପତ୍ତି ସବୁ ତୁଇ ବାନ୍ଧିଥିଲୁ ମୋ ପଛରେ । ହନୁମାନ ହୋଇ ଦିନାକେତେ ନାଚିଲି କୁଦିଲି । ସମସ୍ତେ ସେମିତି ମୁଖା ପିନ୍ଧି ନାଚୁଛନ୍ତି ତ । ସମସ୍ତଙ୍କ ଉଦ୍ଦେଶ୍ୟ ଅଛି, ବଡ଼ହେଉ, ସାନହେଉ, ସ୍ଵାର୍ଥ ଅଛି । ମୋର ବି ସ୍ଵାର୍ଥ ଥିଲା । ମୋର ସ୍ଵାର୍ଥ ଆଜି ସଫଳ ହୋଇଛି ତୋରି ଆଖି ଲୁହରେ । ଯେଉଁ କୃତ୍ରିମତାର ମଝିରେ ମୁଁ ଉବୁଟୁବୁ ହେଉଥିଲି, ମୁଁ ସେଥିରୁ ଉଠି ଆସିପାରିବି ଏଥର । ସ୍ଵାଧୀନ ମଣିଷ ହୋଇ ଦୁନିଆଁର ଦାଣ୍ଡରେ ଠିଆ ହୋଇପାରିବି ।

ସନେଇଁ କଥା ଶେଷ କରି ତଳକୁ ଚାହିଁଲା । ଭାବିଲା, ଆଉ ତଚ ଏଠାରେ ମୁହୂର୍ତ୍ତେ ରହିବା ଉଚିତ ନୁହେଁ । ରାତି ପାହିଲେ ଲୋକ ଜାଣିବେ ଅପରିଚିତ ସନେଇଁ ପରିଡ଼ା ରାତିରେ ଧୋବୀ ଘରେ ଥିଲା । ଧୋବୀର ନିର୍ମଳ ନିଷ୍କଳଙ୍କ ଚରିତ୍ର ଉପରେ କାଳି ବୋଳି ଦୁର୍ନାମ ରଟାଇବାକୁ ଲୋକ ପଛାଇବେ ନାହିଁ ।

ଧୋବୀ କହିଲା, ସନେଇଁଭା, ମୋର ଗୋଟିଏ ଅନୁରୋଧ ଅଛି ।

ସନେଇଁ ମୁଣ୍ଡ ଟେକି ଚାହିଁଲା ତା’ ମୁହଁକୁ ।

ଧୋବୀ ଥରିଲା ସ୍ଵରରେ କହିଲା, ତୁ ବାହା ହୋଇପଡ଼ ସନେଇଁ ଭାଇ ।

ସନେଇଁ ହସିଲା । କହିଲା, ତିନିବର୍ଷ ତଳର ଶିବରାତ୍ରୀ କଥା ମନେଅଛି ତ ?

ପୁଣି ସେଇ ଗଲାକଥା । ଶିବରାତ୍ରୀର ଦୁର୍ବଳତା । ଯେତେ ଅନୁତାପ କଲେ ମଧ୍ୟ ଧୋବୀର ମନରେ ଶାନ୍ତି ଆସୁନାହିଁ । ମନକୁ ଯେତେ ଟାର କରିବାକୁ ବସିଲେ ସେ ଦୁର୍ବଳ ହୋଇପଡ଼ୁଛି । କିଏ ଯେପରି ତାରି ଭିତରେ କହି ଉଠୁଛି, ଏଇ ସନେଇଁ ପରିଡ଼ାର ସୁନ୍ଦର ବଲିଷ୍ଠ ଦେହରେ ଲତାଟିପରି ଛନ୍ଦି ହୋଇଯିବ । ଦୁନିଆଁ ଯାହା କହୁ । ଲୋକେ ଯାହା ଭାବନ୍ତୁ । କାହିଁକି ସନେଇଁ ପରିଡ଼ାର ଜୀବନକୁ ଛାରଖାର କରିବ ? କାହିଁକି ଜାଳିପୋଡ଼ି ମାରିବ ?

ଧୋବୀର ଦେହର ଶିରା ପ୍ରଶିରାରେ ନିଆଁର ସୁଅ ଛୁଟିଲା । ସତେକି ସେ ପାଗଳ ହୋଇଯିବ । ସନେଇଁର ପଦଟିଏ କଥା ପାଇଁ ସେ ବ୍ୟାକୁଳ ଆଖିରେ ଚାହିଁ ରହିଲା ।

ସନେଇଁ ଉଠି ଠିଆହେଲା । ଅବିଚଳିତ ସ୍ଵରରେ କହିଲା, ଏଥିକି ଚିନ୍ତା କାହିଁକି ? ଯାହା ସମ୍ଭବ ନ ହୁଏ ତାକୁ ତ ମଣିଷ ସହେ ? ତୋର ମନରେ ଦୁଃଖ ଦେବାକୁ, ତୋ ଜୀବନର ଶାନ୍ତି ଭାଙ୍ଗିବାକୁ, କି ତୋ ସଂକଳ୍ପରେ ବାଧା ଦେବାକୁ ମୁଁ ଆସି ନ ଥିଲି । ଭବିଷ୍ୟତରେ ମଧ୍ୟ ଆସିବି ନାହିଁ ।

ଟିକିଏ ରହି ସନେଇଁ କହିଲା, ମୋତେ ବିଦାୟ ଦେ ଧୋବୀ । ଏଠି ତୋରି ଘରେ, ତୋରି ପାଖରେ ଯେତିକି ବେଳ ମୁଁ କଟାଇବି ସେଥିରେ ଉଭୟଙ୍କର ଦୁଃଖ, ମନର ଯନ୍ତ୍ରଣା କେବଳ ବଢ଼ିବ । ଦୁହିଁଙ୍କର ସଙ୍କଳ୍ପରେ ବାଧା ଆସିବ ।

ସନେଇଁର କଥା ସହି ପାରିଲା ନାହିଁ ଧୋବୀ । ସେ ଅସ୍ଥିର ହୋଇ ସନେଇଁର ହାତ ଧରି କାନ୍ଦିଲା ସ୍ଵରରେ କହିଲା, ନାଇଁ ନାଇଁ, ତୁ ଯାଆନା ସନେଇଁ ଭାଇ । ତୋତେ ପାଖରେ ପାଇ ମୁ ଛାଡ଼ିଦେଇ ପାରିବି ନାହିଁ ।

ବେଶୀ କିଛି କହିପାରିଲା ନାହିଁ । ପିଲା ପରି କାନ୍ଦିଉଠିଲା । ସନେଇଁ ତାର ମନର ଦୁଃଖ ବୁଝିଲା । ଯେଉଁଥିପାଇଁ ସେ ପାଗଳ ହୋଇ ଧାଇଁ ଆସିଥିଲା ତାର ଉତ୍ତର ସେ ପାଇଲା । ସେ ବୁଝିଲା, ଧୋବୀ ଚିରଦିନ ତା’ରି । ତା’ରି ପାଇଁ ତା’ରି କଥାରେ ଧୋବୀ ସବୁ ଦୁଃଖକଷ୍ଟ ଅପମାନ ସହିବାକୁ ପ୍ରସ୍ତୁତ । କିନ୍ତୁ କାହିଁକି ଧୋବୀକୁ ସେ କଷ୍ଟ ଦେବ ? ଉତ୍ତେଜନାର ରିହରେ ଧୋବୀ ହୁଏତ ତା’ରି ସଙ୍ଗରେ ଛୁଟିବ । କିନ୍ତୁ କାହିଁକି ଦୁନିଆଁର ଆଖିରେ ଧୋବୀ ହେବ କଳଙ୍କିନୀ-?

 

ସନେଇଁ ଧୀରେ ଧୀରେ ତାର ହାତ ଖସାଇ ଆଣି ସ୍ନେହାର୍ଦ୍ର କଣ୍ଠରେ କହିଲା, ଅବୁଝା ହନା ଧୋବୀ । ତୋ ଉପରେ ରାଗ କରି କି ଅଭିମାନ କରି ମୁ ଚାଲିଯାଉନାହିଁ । ତୋର ମନର ଦୃଢ଼ତା ଦେଖି, ତୋର ନିର୍ମଳ ନିଷ୍କଳଙ୍କ ଜୀବନର ଆଦର୍ଶ ଆଖିରେ ଦେଖି, ମୁଁ ନୂଆ ସଂକଳ୍ପ ମନରେ ବାନ୍ଧି ଚାଲିଯାଉଛି ।

 

ଦାସୀ ପିଣ୍ଡା କଡ଼ବାଟେ ବୁଲିଆସି ଖବର ଦେଲା, ବିଦେଇବାବୁ ଉଠିଲେଣି । ତୁମକୁ ଖୋଜୁଛନ୍ତି ମା’ ।

 

ସୁଯୋଗ ପାଇ ସନେଇଁ ଘର ଭିତରୁ ବାହାରି ଆସିଲା ।

ପଥର ମୂର୍ତ୍ତି ପରି ଠିଆହୋଇ ରହିଲା ଧୋବୀ ।

 

ବାହାରର ଅନ୍ଧାରକୁ ଆସି ସନେଇଁ ଯାଇପାରିଲା ନାହିଁ । ଧୋବୀର ଲୁହଗଡ଼ା ଆଖି, ଅତି ଦୁଃଖରେ ଅତରିଲା ଥରିଲା ଓଠପାଖୁଡ଼ା, ଫୁଲି ଉଠୁଥିବା ନାକପୁଡ଼ା, ନିଶ୍ଚଳ ମୂର୍ତ୍ତି, ଯେମିତି ଅନ୍ଧାର ମଝିରେ ବାଟ ଓଗାଳି ଠିଆ ହୋଇଛି । ଧୋବୀର ଘର ଆଗରେ କ୍ଷଣେ ଠିଆହେଲା । ଆଖିରୁ ଝରି ପଡ଼ିଲା ଲୁହ । ମନକୁ ଯେତେ ବୁଝାଇଲେ ମନ ବୁଝୁନାହିଁ । ଦୁନିଆଁର ମାୟରେ ଧୀରେ ଧୀରେ ବାନ୍ଧି ହେଲାବେଳେ ମଣିଷ ଜାଣିପାରେ ନାହିଁ ମାୟାର ବନ୍ଧନ ଛିଡ଼ାଇବା କଷ୍ଟ । ମଣିଷ ଛଟପଟ ହୁଏ । ଆର୍ତ୍ତନାଦ କରେ ।

 

ଆଖିରୁ ଲୁହ ପୋଛି ଅସଂଯତ ପାଦ ପକାଇ ସନେଇଁ ଖଣ୍ଡେଦୂର ଚାଲିଗଲା ଏକ ନହସରେ । ଗାଆଁର ବସ୍ତି ପାରି ହୋଇ ଆସିଲା । ଅନ୍ଧାର ପାତଳା ହୋଇ ଆସୁଛି । ଦିଗହଜା ଲଙ୍ଗଳା ଗହିର ବିଲର ଆରପାଖେ ଉଜଳି ଆସିଲାଣି ଉଷା । ରାତି ପାହିବ । ସନେଇଁ ଯିବ କୁଆଡ଼େ ? ପୂର୍ବପୁରୁଷ ଡିହ ଉପରେ ଧୋବୀର ଧନରେ ଯେଉଁ ବସା ସେ ବାନ୍ଧିଛି, ପୁଣି ସେଠାକୁ ସେ ଫେରିଯିବ ? ପୁଣି ହଳଧରି ଆରମ୍ଭ କରିବ ଚାଷ ? ପୋଷ ପୋଷ ଝାଳ ଦେହରୁ ନିଗାଡ଼ି ରକ୍ତ ଡାଳି ଭେଇବ ଧାନ ?

 

ଗଛ ମୂଳରେ ଅଟକି ଗଲା ସନେଇଁ । କାହିଁକି ଏ ସବୁ କରିବ ? କିଏ ଭୋଗ କରିବ ତାର ସମ୍ପତ୍ତି ? ଦୁର୍ଭିକ୍ଷ ଆସିଲେ ପୁଣି ଲକ୍ଷ ଲକ୍ଷ ଲୋକ ଟଳି ପଡ଼ିବେ । ପୁଣି ପୁଞ୍ଜିପତି ସଞ୍ଚି ରଖିବ ମଣିଷ ରକ୍ତ, ଧନ । ରାଜ୍ୟ ବିସ୍ତାର କରିବ । ଲକ୍ଷ ଲକ୍ଷ ଲୋକଙ୍କର କଙ୍କାଳ ମଝିରେ ସନେଇଁର କଙ୍କାଳ ପଡ଼ି ରହିବ । କାହିଁକି ସନେଇଁ କରିବ ସମ୍ପତ୍ତି ? କାହିଁକି ସେ ଫେରିଯିବ ପୂର୍ବପୁରୁଷର ଡିହକୁ ?

 

ସନେଇଁ ନିଜକୁ ନିସହାୟ ମଣିଲା । ଜୀବନର ଲକ୍ଷ୍ୟ ବିନା ମଣିଷ ନିଜକୁ ନିଃସହାୟ ମଣେ । ମଣିଷ ଖୋଜେ ଅବଲମ୍ବନ, ଖୋଜେ ଭବିଷ୍ୟତର ଲକ୍ଷ୍ୟ । ଯାହାକୁ କେନ୍ଦ୍ର କରି ସେ ବୁଲେ । ସବୁ ଦୁଃଖକଷ୍ଟ ଅପମାନ ସହେ । ଆକାଶଘେରା ମେଘ ମଝିରେ ଝରି ପଡ଼ୁଥିବା ଆଲୁଅପରି ଦୁଃଖ ଓ ନୈରାଶ୍ୟ ମଝିରେ ସେ ଚାହିଁ ରହେ ତାର ଆଶାର ଆଲୋକ ଆଡ଼କୁ । ଆଖିରୁ ଲୁହ ପୋଛି ସେ ସେଇ ଆଲୁଅକୁ ଲକ୍ଷ୍ୟକରି ଧାଏଁ, କାର୍ଯ୍ୟରେ ବ୍ରତୀ ହୁଏ ।

 

ସନେଇଁ ଲକ୍ଷ୍ୟ, ଉଦ୍ଦେଶ୍ୟ, ଆଶା ଭାଙ୍ଗିଛି । ଧର୍ମ ଉପରେ କଳ୍ପିତ ଭଗବାନ, ପରଜନ୍ମ, ପୂର୍ବଜନ୍ମ, ମୁକ୍ତି, ନିର୍ବାଣ-ଏସବୁ ଉପରେ ତାର ବିଶ୍ଵାସ ନାହିଁ । ଧନ, ସମ୍ପତ୍ତି, ଘର ଏ ସବୁକୁ ସେ ଘୃଣା କରୁଛି । କଣ ହେବ ଏ ସବୁ ? କିଏ ଭୋଗ କରିବ ତା’ ପରିଶ୍ରମର ଫଳ । ସଂସାର କରିବ, ସମାଜର ନିୟମ ମାନି ମୁଖା ପିନ୍ଧି ବିବାହ କରିବ ?

 

ରାତିର ଅନ୍ଧାର ଘୁଞ୍ଚିଲା । ଉଜଳି ଉଠିଲା ପୂର୍ବ ଆକାଶ । ସନେଇଁ ମନରୁ ମଧ୍ୟ ଅନ୍ଧାର ଘୁଞ୍ଚିଲା । ତା’ରି ଭିତରୁ ମୁକ୍ତ ମଣିଷ କହି ଉଠିଲା, କାହିଁକି ? ତୋର ଲକ୍ଷ୍ୟ ତ ଅତି ବଡ଼ରେ ସନେଇଁ । ଦୁନିଆଁର ବାଟରେ ଘାଟରେ ଯେଉଁ ନିସହାଃୟ, ଅକ୍ଷମ ମଣିଷ ପିଲା ପେଟପାଇଁ ଥିଲା ଲୋକର ଦୟାକୁ ଚାହିଁ ରହିଛି, ହାତପାତି ମୁଠିଏ ଖାଇବାକୁ ମାଗୁଛି, ସେହି ତୋର ନିଜର ଲୋକ । ସେହି ତୋର ବନ୍ଧୁ ସୋଦର । ସମାଜ ଯାହାକୁ ଛାଡ଼ିଛି, ଧର୍ମ ଯାହାକୁ ଇଙ୍ଗିତ ଦେଇଛି ପର ଦ୍ରବ୍ୟକୁ ଟେକାପରି ମଣ, ବଡ଼ଲୋକର ଧାନଗଦା ତଳେ ପେଟରେ ହାତଦେଇ, ଆଖିବୁଜି ଧୀରେ ଧୀରେ ମଶାଣି ଆଡ଼କୁ ଚାଲ, ଟିକି ଟିକି ହୋଇ ଆତ୍ମହତ୍ୟା କର, ସେଇ ତୋର ସନ୍ତାନ । ସେଇମାନଙ୍କୁ କୋଳକୁ ନେ ରେ, ସେଇମାନଙ୍କୁ ଆଶ୍ରା ଦେ ।

 

ଉତ୍ତେଜିତ ସନେଇଁ ମୁଣ୍ଡର ଓଦାବାଳ ଟାଣିବାକୁ ଲାଗିଲା । ଧୋବୀ ତାର ସମ୍ପତ୍ତି ଗରିବ ନିଆଶ୍ରକୁ ଦାନ କରୁଛି । ସମସ୍ତଙ୍କୁ ନୁହେଁ ଜଣ ଜଣ କରି । ସମାଜରେ ଲୋକେ ତାର ଧନ୍ୟ ଧନ୍ୟ ପ୍ରଶଂସା କରୁଛନ୍ତି । କହୁଛନ୍ତି, ପରଜନ୍ମ ପାଇଁ କେତେ ଧର୍ମ ସଞ୍ଚି ରଖିଛି । କିନ୍ତୁ ଧର୍ମ ମଣିଷ ସଞ୍ଚେ କେଉଁଠି ? ଦୁନିଆଁର ସବୁ ମଣିଷ ଯଦି ସୁଖରେ ରୁହନ୍ତେ, କିଏ କାହାର ମୁହଁକୁ ଚାହିଁ ରହନ୍ତା କାହିଁକି ? ଧର୍ମ ସଞ୍ଚିବାର ସ୍ପୃହା ମଣିଷର ରହନ୍ତା ନାହିଁ । ବଂଶ ବୁଡ଼ିବାର ଦୁଃସ୍ଵପ୍ନ କେହି ଦେଖନ୍ତେ ନାହିଁ ।

 

ଧୋବୀ ଧର୍ମ ସଞ୍ଚିଛି । ଭୁଲ କଥା । ଧୋବୀ ସମାଜ ଗଢ଼ିଛି, ନିଜେ ରହିଛି ଅଲଗା । ଯେଉଁମାନଙ୍କୁ ସେ ଘର ତୋଳାଇ ଦେଇଛି, ସେମାନେ ବି ତ ଆଜି ଧନ ସଞ୍ଚିବାରେ ଲାଗି ପଡ଼ିଛନ୍ତି-। ବଡ଼ଲୋକ ହେବେ । ଅନ୍ତକାଳ ପାଇଁ ସେମାନଙ୍କ ପିଲାକୁଟୁମ୍ବ ସୁଖରେ ରହିବେ । କାହିଁକି ଏ ଭ୍ରମ ? ଭବିଷ୍ୟତର ବଂଶଧରଙ୍କ ପାଇଁ ଯିଏ ଧନ ସଞ୍ଚି ଯାଇଥିଲା, ସମ୍ପତ୍ତି ରଖିଯାଇଥିଲା, ତାହାରି ନାତି କି ପଣନାତି ଖାଇବାକୁ ନ ପାଇ ବାଟଘାଟରେ ପଡ଼ି ନିତି ଏ ଦୁନିଆଁରେ ମରୁଛନ୍ତି । ଭାଗ୍ୟବାଦୀ କହୁଛନ୍ତି, ଲକ୍ଷ୍ମୀ ଚଞ୍ଚଳା, ସବୁ ପୂର୍ବଜନ୍ମର ତପସ୍ୟାର ଫଳ । ତେବେ ଧନ ସଞ୍ଚୟର ସ୍ପୃହା କାହିଁକି ? ଧନ ସଞ୍ଚୟର ଅର୍ଥ କଣ ?

 

ଭୟ । ଦୁଃଖ,କଷ୍ଟ ଓ ବଂଶଲୋପର ଭୟ । ଦୁନିଆଁର ବାଟରେ ଦୁଃଖୀ, ଦରିଦ୍ର କାଙ୍ଗାଳ, ନିଆଶ୍ରା ଓ ରୁଗ୍‌ଣ ଲୋକକୁ ଦେଖିଲେ ଦୁର୍ବଳ ମଣିଷର ଭୟ ହୁଏ । ନିଜକୁ ସେହି ବେଶରେ, ସେହି ଅବସ୍ଥାରେ, ତାର ଭବିଷ୍ୟତ ବଂଶଧରକୁ ସେହି ନିଆଶ୍ରା, ଭୋକିଲା, ରୁଗ୍‌ଣ ବେଶରେ ଦେଖିବାର କଳ୍ପନା ତାର ଛାତି ଥରାଏ । ସେହି ଭୟରେ ସେ ସଞ୍ଚେ ଧନ । ସମସ୍ତେ ଯଦି ମୁଠିଏ ପେଟପୁରା ଖାଇବାକୁ ପାଆନ୍ତେ, ଦେହ ଘୋଡ଼ାଇବାକୁ ଲୁଗାଖଣ୍ଡେ ପାଆନ୍ତେ, ରୁଗ୍‌ଣ ନିରାଶ୍ରୟ ହୋଇ ବାଟରେ ନ ବୁଲନ୍ତେ, ଧନ ସଞ୍ଚି ରଖିବାର ସ୍ପୃହା ହୁଅନ୍ତା ନାହିଁ । ନିଜର ଭବିଷ୍ୟତ ପାଇଁ କି ଭବିଷ୍ୟତ ବଂଶଧରଙ୍କର ଭଲମନ୍ଦ ଭାବିବା ଦରକାର ପଡ଼ନ୍ତା ନାହିଁ ।

 

ସୂର୍ଯ୍ୟ ଉଠି ଆସିଲେ ପୂର୍ବ ଆକାଶର କୋଳରୁ । ସନେଇଁ ତାର ଉତ୍ତେଜିତ ମନ ଧରି ଉଠିଲା । ଧୋବୀ ପାଖରୁ ସେ ଦୂରେଇ ଆସିଛି । ଆହୁରି ଦୁରକୁ ଘୁଞ୍ଚିଯିବ । ପୁନି, ଯାହାକୁ ସେ ମରଣମୁହଁରେ ଫୋପାଡ଼ି ଦେଇ ଆସିଥିଲା, ଆଗ ତାକୁହିଁ ନେବ କୋଳକୁ । ମଧୁ ଭୋଇକୁ ଆଲିଙ୍ଗନ କରିବ । ପୁଣି ହେବ ସନେଇଁ ଅଜାତି, ଛତରଖିଆ, ପତିତ, ସମାଜଛଡ଼ା, ଅଧର୍ମୀ. ଜାତିଅଟକା, ଲୋକଙ୍କର ଘୃଣାର ଜୀବ । ପୁଣି ଲୋକେ ତାକୁ ଦେଖିଲେ ଘୃଣା କରିବେ । ମୁଖା ପୋଖାକ ଓ ହନୁମାନର ଲାଙ୍ଗୁଡ଼ ପିନ୍ଧି ସେ ପ୍ରକୃତ ମଣିଷ ହୋଇ ଓଡ୍ଲାଇ ଆସିବ ।

 

ସନେଇଁ ଚାଲିଲା ପୁନିର ଘରକୁ ।

 

ମଧୁଆ କେତେବେଳୁ ଉଠି କାମକୁ ଚାଲିଗଲାଣି । ପିଲାଟା ବିଛଣାରୁ ଉଠିନାହିଁ । ଗୁହାଳ ପୋଛି, ଗୋବର ବଲବଲ ହାତ ଧୋଇ, ଗୁହାଳଘରୁ ବାହାରି ପଡ଼ି ପୁନି ଦେଖିଲା, ଘର ଆଗରେ ତାର ସନେଇଁ ଭାଇ ଠିଆ ହୋଇଛି । ସ୍ଵପ୍ନପରି ମଣିଲା ପୁନି ।

 

ସନେଇଁ ପାଖକୁ ଆସିଲା । ଗୋଡ଼ ଯେପରି ଚଳୁ ନ ଥାଏ । ଏଇ ତ ତାର କୋଳର କାଖର ସାନ ଭଉଣୀ, ପୁନି । ଟିକିଏ ବଡ଼ ହୋଇଯାଇଛି । କେଡ଼େ ସୁନ୍ଦର ଦିଶୁଛି । ଆଉ ତ କିଛି ପରିବର୍ତ୍ତନ ଦେଖୁନାହିଁ । ସେଇ ମୁହଁ, ସେଇ ଆଖି, ନାକ ଓ ଓଠ । ସେମିତି ଗମ୍ଭୀର, କାନ୍ଦୁରୀପଣ-। ବଦଳିଛି କଣ ? ପୁନି ତ ଜାତି ହୋଇନାହିଁ । ଛତରରେ ଖାଇଛି । ମଧୁଆ ଭୋଇର ଘରଣୀ ହୋଇଛି । ତଥାପି ଯାହା ସେ କାଲି ଥିଲା, ଆଜିବି ଠିକ୍ ସେଇଆ ଅଛି ତ । କାହିଁଖଇ ସନେଇଁ ତାକୁ ପଚାରି ନ ଥିଲା ?

 

କଅଁଳ ସ୍ଵରରେ କହିଲା, ପୁନି ଲୋ । ତାର କଣ୍ଠ ରୁଦ୍ଧହେଲା । କୋହ ସମ୍ଭାଳି ପାରିଲା ନାହିଁ । କଣ କହିବାକୁ ବସିଥିଲା ତୁଣ୍ଡ ପଇଟିଲା ନାହିଁ ।

 

ଭାଇ ତୁଣ୍ଡରୁ ପଦଟିଏ ଗେହ୍ଲାଳିଆ ଡାକରେ ପୁନି ନିଜକୁ ଭୁଲିଗଲା । ସମୁଦ୍ରର ଜୁଆର ପରି ଦୁଃଖ ଅଭିମାନର ଜୁଆର ଉଠିଲା ତାର ମନରେ । କଟାଗଛ ପରି ଭାଇର ଗୋଡ଼ତଳେ ପଡ଼ି ତାର ଦୁଇ ପାଦକୁ ଚାପିଧରି ପୁନି କଇଁ କଇଁ ହୋଇ କାନ୍ଦିବାକୁ ଲାଗିଲା ।

 

ସନେଇଁ ନଇଁପଡ଼ି ତାକୁ ତଳୁ ଉଠାଇଲା । ପୁନି ଭାଇର ଛାତି ଉପରେ ଲୋଟିପଡ଼ି ଅଧୀର ହୋଇ କାନ୍ଦିବାକୁ ଲାଗିଲା । ମନେପଡ଼ିଲା ତାର ବାପ ମା’, ହଜିଲା ଭଉଣୀ କୁନି ଆଉ ଦରମଲା କଙ୍କାଳ ସାନଭାଇ । ଦୁର୍ଭିକ୍ଷର କରୁଣ ଦୃଶ୍ୟ ଆଖିଆଗରେ ପୁଣି ଭାସି ଉଠିଲା । ଉଃ କି ଭୟଙ୍କର । କାହାନ୍ତି ତାର ଆତ୍ମୀୟ ସ୍ଵଜନ ?

 

ସନେଇଁ ତାର ପିଠି ଆଉଁସିଲା । ପଛେଇଗଲା ସମୟ । ସ୍ନେହ ସରାଗ ମନ ପାଖରେ ସମୟ ପରାଜିତ ହୁଏ ।

 

ସନେଇଁ କହିଲା, ତୁନିହ ପୁନି । ଭ୍ରମରେ ପଡ଼ି ବୃଥା ଆଶାରେ ମଣିଷପଣିଆକୁ ଗୋଡ଼ରେ ଦଳି ଛାଇ ପଛରେ ମୁଁ ଗୋଡ଼ାଇଥିଲି । ମୋର ଭ୍ରମ ଭାଙ୍ଗିଛି ।

 

ଛାତି ଉପରୁ ମୁଣ୍ଡ ଟେକି ସନେଇଁର ଲୁହଝରା ଆଖିକୁ ସେ ଚାହିଁ ରହିଲା ।

ସନେଇଁ ପଚାରିଲା, ମଧୁଆ କାହିଁ ?

ପୁନି ଉତ୍ତର ଦେଲା ନାହିଁ ।

ତୋର ପୁଅଟି କାହିଁ ପୁନି ?

 

ପୁନି ଉତ୍ତର ଦେବା ଆଗରୁ ଘର ଭିତରୁ ବନା କାନ୍ଦି ଉଠିଲା । ସନେଇଁ ଘର ଭିତରକୁ ପଶିଗଲା । ଛିଣ୍ଡା ମଶିଣା ଉପରେ କୋଚଟ ମଇଳା ସାତସିଆଁ କନ୍ଥା । ତାରି ଉପରେ ବନେଇଁ ପରିଡ଼ାର ରକ୍ତ, ବନେଇଁ ପରିଡ଼ାର ପ୍ରତୀକ, ଛୋଟ ବନେଇଁ ଭୋଇଟି ବସି କାନ୍ଦୁଛି । ଆନନ୍ଦରେ ନାଚି ଉଠିଲା ସନେଇଁର ଛାତି । ବନେଇଁ ପରିଡ଼ା ପୁଣି ପିଲା ହୋଇ ଫେରି ଆସିଛି । ସେ ତା’ରି ବାପ, ତା’ରି ଅନନ୍ତ କାଳର ପୂର୍ବପୁରୁଷ, ଯାହା ଅମଳରେ ଭୋଇ ପରିଡ଼ାର ଭେଦ ନ ଥିଲା । ଯାହା ଅମଳରେ ସବୁ ମଣିଷ ସମାନ ଥିଲେ, ଗୋଟିଏ ଜାତି, ଗୋଟିଏ ଧର୍ମର ଲୋକ ।

 

ସନେଇଁ ତାକୁ କୋଳକୁ ନେଲା ।

ବନା ତୁନି ହେଲାନାହିଁ ।

ସନେଇଁ ପିଲାଟିକୁ ପୁନି କୋଳକୁ ଦେଲା ।

 

ସନେଇଁ ଭାଇ କଣ କଲା ସତେ । ଏକାଥରେ ଘରେ ପଶିଲା ? ଲୋକେ ଦେଖିଲେ କଣ କହିବେ ? ପୁଣି ତାକୁ ଜାତିରୁ ଅଟକ କରିବେ । ପୁଣି ସମାଜ ତା’ ଉପରେ ଦୋଷ ଓ କଳଙ୍କର ବୋଝ ନଦି ଦେବ । ସନେଇଁ ଭାଇ ପତିତ ହେବ । କେମିତି ମୁହଁ ଖୋଲି ଏକଥା ତାକୁ ସେ କହିବ ?

 

ସନେଇଁ ତାର ମନର କଥା ବୁଝିଲା । ଦରହସିଲା ହୋଇ ଘର ଭିତର କାନ୍ଥକୁ ଆଉଜି ବସି କହିଲା, ରାଗୁଛୁ ପୁନି ମୋ ଉପରେ ? ପିଲାଦିନୁ ଏମିତି କେତେ ତ ରାଗୁ । ତୋ ରାଗ ମୋ ଉପରେ ଘଡ଼ିଏ ରହେ ନାହିଁ ।

 

ପୁନି ପିଲାଟିକୁ କୋଳରେ ଧରି ଦୂରେଇ ବସିଲା । ଓଠ ଥରାଇ କହିଲା, ଭାଇ... । ତଣ୍ଟିରେ କଥା ଅଟକି ଗଲା । ଭଉଣୀ କୁଡ଼ିଆ ଘରେ ଗୋଡ଼ ଦେଇଛି ବଡ଼ଭାଇ, ଦେବତା । କେଡ଼େ ଖୁସି ଆନନ୍ଦର କଥା । ଭାଗ୍ୟରେ କାହାର ଥାଏ ? କେମିତି ପୁନିର ତୁଣ୍ଡ ଖୋଲିବ କହିବାକୁ, ତମେ ଚାଳିଯାଅ, ମୁଁ ତୁମର ଭଉଣୀ ପୁନି ନୁହେଁ, ପୁନି ମରିଛି ।

 

ସନେଇଁ ଦେଖିଲା, ପୁନିର ମୁହଁ ମଳିନ ଦେଖାଗଲା । ଯେପରି କେତେ ଯନ୍ତ୍ରଣାପ୍ରଦ ଭାବନାର ସୁଅ ଛୁଟିଛି ତାର ମନ ଭିତରେ । ସନେଇଁ ନରମ ସ୍ଵରରେ କହିଲା, ଅଭିମାନ ତୋର ଭାଙ୍ଗିବ ନାହିଁ ପୁନି ? ପିଲାଟି ଦିନେ କେତେ ଛୋଟବଡ଼ ଦୋଷ ତୁ କରିଥିଲୁ, ମନେକଲୁ । ମୁଁ କ’ର କେବେ ଅଭିମାନ କରି ବସିଥିଲି ? କହିଲୁ, କେତେଥର ତୋର କାନ ମୋଡ଼ିଛି, ଚାପୁଡ଼ା ମାରିଛି, ପୁଣି ତ ତତେ କାଖ କରିଛି ? ନୁହେଁ ? ମନେକଲୁ ।

 

ସତେକି ପୁନିର ଛାତି ଫାଟିଯିବ । କାହିଁକି ସନେଇଁ ଭାଇ ପିଲାଦିନର କଥା ମନେ ପକାଉଛି । କାହିଁକି ପୁଣି ଅତୀତର ସୁଖଦୁଃଖର ଛବି ଆଣୁଛି ଆଖି ଆଗକୁ ? କେମିତି କଣ ସେ କହିବ ?

 

ସନେଇଁ କହିବାକୁ ଲାଗିଲା, ପୁନି ଲୋ ବଡ଼ଭାଇ ବି ଭୁଲ କରେ । ମୁଁ ଭୁଲ କରିଛି । ସେ ସବୁ ମୋର ଭ୍ରମ । ଜାତି, ଧର୍ମ କି ସମ୍ପତ୍ତି ତୋ ପାଖରୁ ମତେ ଦୂରେଇ ରଖି ନ ଥିଲା । ଆମ ମଝିରେ ଠିଆ ହୋଇଥିଲା ଗୋଟାଏ ବଡ଼ ମୋହ । ସେ ମୋହ ମୋର ଭାଙ୍ଗିଛି ଲୋ ପୁନି, ମୁଁ ତୋ ପାଖକୁ ଫେରି ଆସିଛି । ବସି ରହିଲୁ କାହିଁକି ? ଉଠ୍‍ ତୋ ଭାଇ ଆସିଛି । ଖୁସି ହ, କାନ୍ଦୁଛୁ କାହିଁକି-? ଉଠ୍‍ଲୋ ପୁନି । ତୋ ଭାଇର ତଣ୍ଟି ଅଠା ଅଠା ହେଉଛି । ତୋରି ହାତର ପଖାଳ ଖାଇଲେ ମୋର ଆତ୍ମା ଶାନ୍ତି ହେବ ।

 

ପୁନି କହିଲା ତୁମେ କଣ କହୁଛ ଭାଇ ? ତମର ଭଉଣୀ ପୁନି ଆଜି ଅଜାତି, ଅଛୁଆଁ, ପତିତା । ତୁମେ ମତେ ମନେ ପକାଇଛ, ଦେଖିବାକୁ ଆସିଛ, ମୋର ପିଲାକୁ କୋଳକୁ ନେଇଛ, ସେତିକି ମୋର ଯଥେଷ୍ଟ । ସରଗର ଚାନ୍ଦ ହାତରେ ପାଇଥିଲେ ମୁଁ ଏତେ ଖୁସି ହୋଇ ନ ଥାନ୍ତି । କେଉଁ ଜନ୍ମର ପୁଣ୍ୟବଳ ଥିଲା ବୋଲି ମୁଁ ତୁମର ଭଉଣୀ ହୋଇ ଜନ୍ମ ହୋଇଥିଲି । କେତେ ଜନ୍ମର ପାପର ଫଳରୁ ପୁଣି ମୁଁ ହେଲି ଅଜାତି । ଏତେ ଲୋକଙ୍କୁ ମରଣ ହେଲା, ମୋର ହୀନିମାନିଆ, ଦହଗଞ୍ଜିଆ ଜୀବନ ଗଲା ନାହିଁ । ମଶାଣି ଭୂଇଁରୁ, ବିଲୁଆ, କୁକୁରଙ୍କ ମୁହଁରୁ ବାଉରି ପିଲା ମୋତେ ଘରକୁ ଆଣିଲା । ମୋର ତ ଚାରା ନ ଥିଲା ଭାଇ, ମୁଁ ବଞ୍ଚିଲି । ବାଉରି ଘରେ ରହିଲି । ଏଇ କଳଙ୍କ ମୋ ପେଟରୁ ଜନ୍ମ ହେଲା । ନରକରେ ମୁଁ ଘାଣ୍ଟି ହେଉଛି । ଛଟପଟ ହେଉଛି । ମୋର ଜଲିଲାପୋଡ଼ିଲା ମୁହଁ ତମକୁ ଦେଖାଇବାକୁ ଯାଇପାରିଲି ନାହିଁ ।

 

ଆଖିର ଲୁହ ପୋଛି ପୁନି କହିବାକୁ ଲାଗିଲା, କେତେଥର ଭାବିଲି ଆତ୍ମହତ୍ୟା କରି କଳଙ୍କ ଲୁଚାଇ ଦେବି । ପାରିଲି ନାହିଁ । ଯିଏ ମୋତେ ମଶାଣି ଭୂଇଁରୁ ଗୋଟାଇ ଆଣିଥିଲା, ମୋ ପାଇଁ ଯିଏ କେତେ ଅତ୍ୟାଚାର ସହିଛି, କେତେ ଦୁଃଖ ଅଙ୍ଗେ ଲିଭାଇଛି, ତାରି ମୁହଁକୁ ଚାହିଁଲେ, ତାରି ପିଲା ଏଇ କଳଙ୍କର ବୋଝକୁ ଦେଖିଲେ, ମରିବାକୁ ମୋର ସାହାସ ହୁଏନାହିଁ ।

 

ଆଶ୍ଚର୍ଯ୍ୟ ହୋଇ ସନେଇଁ ଚାହିଁଲା ତା’ ମୁହଁକୁ । କହିଲା, ତୁ ଭୁଲ ବୁଝିଛୁ ପୁନି । ଯିଏ ତତେ ଭଲ ପାଇଛି, ଯିଏ ତତେ ଜୀବନ ଦେଇଛି, ସେଇ ତୋ’ର ସ୍ଵାମୀ, ତୋର ଦେବତା । ତୋର ଏଇ ପିଲାଟି, ଅତି ପବିତ୍ର । ମଣିଷ ପିଲା ସବୁବେଳେ ପବିତ୍ର ଲୋ ପୁନି, ସେ କଳଙ୍କ ନୁହେଁ, ଲାଜର କଥା ନୁହେଁ । ତୋର ସଂସାର ସୁନ୍ଦର... ।

 

ପୁନି ଅସ୍ଥିର ହୋଇ କହିଲା, କେତେ ଲୋକ ଏଇବାଟେ ଯାଆ ଆସ କଲେଣି । ତୁମେ ଚାଲିଯାଅ । ଲୋକେ ଦେଖିବେ । ପୁଣି ତମକୁ ଅଜାତି କରିବେ ।

 

ଲୋକଙ୍କର ଜାତିଆଣକୁ ମୁଁ ଭୟ କରି ନାହିଁ ।

 

ସେ କଥା ତମେ ତୁଣ୍ଡରେ ଧରନା । ପରିଡ଼ା ବଂଶ କଣ ଲୋପ ହେବ ? ବନେଇଁ ପରିଡ଼ାଙ୍କର ବଂଶ ବୁଡ଼ିବ ? ସପ୍ତ ପୁରୁଷକୁ ପାଣି ଟେକିବାକୁ, କୁଳରେ ଦୀପ ଜାଳିବାକୁ କେହି ରହିବେ ନାହିଁ ? ଭାଇ ତୁମର ଗୋଡ଼ ଧରୁଛି, ତମେ ଚାଲିଯାଅ । ସଂସାର କର, ବାପ ଅଜାଙ୍କର ନାମ ରଖ । ତୁମର ସୁଖ ଦେଖି ଦୂରରେ ଥାଇ, ପଙ୍କରେ ଘାଣ୍ଟିହୋଇ ମଧ୍ୟ ମୁଁ ଶାନ୍ତି ପାଇବି ।

 

ନିର୍ବୋଧ ପୁନିକୁ କଣ କହି ସନେଇଁ ବୁଝେଇ ପାରନ୍ତା ? ସମାଜ ଓ ଧର୍ମର ବଡ଼ପାଟି ଶୁଣି, ଅତ୍ୟାଚାର ସହି ନିଜକୁ ସେ ପତିତ ମଣିଛି, ଦେବଶିଶୁ ପରି ଶିଶୁକୁ ସେ ସମାଜର କଳଙ୍କ ମଣିଛି, ତା’ ସଙ୍ଗେ ତର୍କକରି ଲାଭ କଣ ? ସ୍ଵର୍ଗ ନରକର ସପନ ଯିଏ ଦେଖୁଛି, ଦେବତାର ଭୂତ ଚଢ଼ିଛି ଯାହା ମୁଣ୍ଡରେ, ସେଇ ପୁନିର ଆଖି ଆଗରେ ଆଲୁଅ ଧରିଲେ ସେ ହେବ ଜଳକା ।

 

ସନେଇଁ ତର୍କ କଲାନାହିଁ, ଉଠି ଠିଆ ହେଲା ।

ପୁନି ମଧ୍ୟ ଉଠି ପିଲାଟାକୁ କାନ୍ଧରେ ପକାଇ ଘୁଞ୍ଚିଗଲା ।

 

ସନେଇଁ ଧୀରେ ଧୀରେ ପୁନିର ଘରୁ ବାହାରି ଆସିଲା । ଥରଟିଏ ହୋଇ ଫେରି ଚାହିଁଲା ନାହିଁ । ସୂର୍ଯ୍ୟ ଆକାଶ ଉପରକୁ ଉଠି ଆସିଲେଣି । ଗାଁ ଦାଣ୍ଡରେ କେତେଲୋକ ଯା ଆସ କରୁଛନ୍ତି । ସନେଇଁର ମନ ଭିତରେ ତୁହାଇ ତୁହାଇ ଉଠୁଥାଏ ଗୋଟିଏ ଭାବ । ତା’ରି ଭଉଣୀ ପୁନି ମଧ୍ୟ ତାକୁ ପରିତ୍ୟାଗ କଲା ।

 

ଆଉ ପୁନି ଛାତି ପଥର କରି ଭାଇର ଚଲାବାଟକୁ ଚାହିଁ ରହିଲା । ପରିଡ଼ା ବଂଶର ନିର୍ମଳ, ପବିତ୍ର ରକ୍ତର କେତେ ଶିଶୁ ଯେପରି ସନେଇଁ ଭାଇର ପଛେ ପଛେ ଗୋଡ଼ାଇ ଗଲେ । ପୁନି ସ୍ଵପ୍ନ ଦେଖିଲା । ଦୀର୍ଘଶ୍ଵାସ ଛାଡ଼ିଲା, ଓଠରେ ଫୁଟିଲା ହସ, ମନରେ ଭାବ, ପରିଡ଼ାବଂଶ । ପରିଡ଼ାବଂଶ ଲମ୍ବି ଯାଇଛି, ଆଖି ପାଉନାହିଁ- ।

 

କାନ୍ଦି କାନ୍ଦି ଧୋବୀ ବୋହୁଙ୍କର ରାତି ପାହିଲା । ପରଦିନ ସକାଳୁ ମଧ୍ୟ ବିଛଣାରୁ ଉଠିଲେ ନାହିଁ । ଧୋବୀ ପାଇଁ ସେ କଣ କରିବେ ସେଇ କଥା ଭାବୁଥାନ୍ତି । ଖରା ପଡ଼ିଲା । ଚାକର ବାକର ଘରର ବାସିପାଇଟି ସାରିଲେ । ଧୋବୀ ବୋଉଙ୍କର ବାସି ମୁହଁରେ ପାଣି ଲାଗିଲା ନାହିଁ । ସାନ ଯାଆ ଗୋଡ଼ ଚିପି ଚିପି ଘରଭିତରକୁ ପଶିଲେ । ଧୋବୀ ବୋଉଙ୍କର ଗୋଡ଼ ଆଉଁସି କହିଲେ, ଅପା ଉଠ । ତମେ ଏଇମିତି ବ୍ୟସ୍ତ ହେଲେ ହେବ ନା ? ସାଆନ୍ତଙ୍କ ଉପରେ ରାଗି ତମେ ବୃଥାଟାରେ ନିଜକୁ କଷ୍ଟ ଦେଉଛ, ସେ ବି ରାଗିକରି ସକାଳୁ ଦୁର୍ଗାପୁର ଗଲେଣି ।

 

ବେତମାଡ଼ ବାଜିଲା ପରି ଧୋବୀ ବୋଉ ଚିହିଁକି ଉଠିଲେ । ପଲଙ୍କ ଉପରେ ବସି ମନକୁ ମନ ପଚାରିଲେ, ସକାଳୁ ଉଠି ଦୁର୍ଗାପୁର ଗଲେଣି ?

 

ଧୀରେ ଧୀରେ ସାନ ଯାଆ କହିଲେ, ସକାଳେ ଦେଖିଲି ଆମ ଦାଣ୍ଡରେ ସବାରି ଡେରା ହୋଇଥିଲା । ଗଉଡ଼ମାନେ ବି ଥିଲେ । ପଚାରିଲାରୁ କିଏ ଜଣେ କହିଲା, ସାଆନ୍ତେ ଦୁର୍ଗାପୁର ଯିବେ । ଗଲେଣି ।

 

ଧୋବୀ ବୋଉ ତୁନି ହୋଇ କଣ ଭାବିବାକୁ ଲାଗିଲେ । ସାନ ଯାଆ ତାଙ୍କ ହାତଧରି ଡାକିଲେ, ଆସ ଅପା, ତମକୁ ମୋ ରାଣ । କାଲିଠାରୁ ତୁଣ୍ଡରେ ତମର ପାଣି ବାଜି ନାହିଁ । ତମର ଦୁର୍ବଳ ଦେହ । ଆସ ।

 

ଦଇବ ଉପରେ ଅଭିମାନ କରି କହିଲେ, ନିଆଁଲଗା ଦଇବ ହେଲେ କଣ ମୋର ଏହି ଦହଗଞ୍ଜିଆ ଜୀବନ ନେଉଛି । କେତେ ହୀନମାନ କପାଳରେ ଅଛି କେଜାଣି ।

 

ଟିକିଏ ତୁନି ରହି ପୁଣି ପଚାରିଲେ, ନିଧି କାହାନ୍ତି ?

ଦାଣ୍ଡରେ ଅଛନ୍ତି ।

ଡାକିଦେଲୁ, ଆଗ । ଯା ।

 

ସାନ ଯାଆ ବାହାରି ଗଲେ । ଧୋବୀବୋଉ ଖଟ ଉପରେ ବସି ଭାବିବାକୁ ଲାଗିଲେ, ଏଇ ବଡ଼ି ସକାଳୁ ଉଠି ଝିଅଘରକୁ ଗଲେ କାହିଁକି ? ନିଧେଇ ଆସିଲାରୁ ସେଇ କଥା ତାଙ୍କୁ ପଚାରିଲେ । ନିଧେଇ ରହି ରହି କହିଲେ, ମତେ କିଛି କହି ନାହାନ୍ତି ।

 

ରାଗିଯାଇ ବଡ଼ ପାଟିକରି ଧୋବୀ ବୋଉ କହିଲେ, ଜାଣ ନାହିଁ । ମତେ ଲୁଚାଉଛ । ସବୁ ନାଟର ଗୋବର୍ଦ୍ଧନ ତମେ । ତମେ ଯଦି ଅଡ଼ି ବସନ୍ତ, ତାଙ୍କ କଥାରେ ବାଧା ଦିଅନ୍ତ, ଧୋବୀ ମୋର ଆଜିଯାଏ ବାହା ନ ହୋଇ ବସିଥାନ୍ତା ?

 

ନିଧେଇ ତଳକୁ ଚାହିଁ ଠିଆ ହୋଇ ରହିଲେ । ଭାଇ, ଭାଉଜ ଉଭୟେ ଗୁରୁଜନ । ତାଙ୍କ କଥା ଉପରେ କଥା କହି ସେ ପ୍ରତିବାଦ କରିନ୍ତି ନାହିଁ । ରାଗ ତମ ତମ ହୋଇ ତାଙ୍କର ସ୍ତ୍ରୀ ସେଠାରୁ ଦୁମୁଦୁମୁ ହୋଇ ଚାଲିଗଲେ ।

 

ଧୋବୀବୋଉ ଉଚ୍ଚସ୍ଵରରେ ପଚାରିଲେ, ତୁନି ରହିଲ ଯେ ?

 

ନିଧେଇ ମୁହଁ ଟେକି କହିଲେ, ଭାଇ ମତେ କିଛି କହିନାହାନ୍ତି । ଗଲାବେଳେ ମଧ୍ୟ ମୋ ସଙ୍ଗେ ଦେଖା ହୋଇ ନାହିଁ ।

 

ଧୋବୀ ବୋଉ କହିଲେ, ସେ ଯାଇଛନ୍ତି, ବିଦେଇକୁ ପୁଅ କରିବାକୁ ଧୋବୀକୁ ବାଧ୍ୟ କରିବେ । ତମର ଏଥିରେ ମତ ଅଛି ?

 

ସାମାନ୍ୟ ହସି ନିଧେଇ କହିଲେ, ସେଥିକି ତମେ ଭାବ ନାହିଁ ନୂଆଉ, ମୁଁ ବଞ୍ଚିଥାଉଣୁ ଏକଥା କରେଇ ଦେବି ନାହିଁ ।

 

ସତ ?

 

ସତ । ଭାଇ ଯଦି ବିରକ୍ତ ହୁଅନ୍ତି, ପିଲାଛୁଆ ନେଇ ମୁଁ ଅନ୍ୟ କୁଆଡ଼େ ଚାଲିଯିବି । ଏ ସମ୍ପତ୍ତି ଭାଇ କରିଛନ୍ତି । ଏଥିରେ ମୋର ଦାବି ନାହିଁ । ଯେଉଁଘରେ ଅଶାନ୍ତି ନିଆଁ ସବୁବେଳେ ଜଳୁଛି, ସେଠି ରହି ତମମାନଙ୍କର ମନରେ ଦୁଃଖକଷ୍ଟ ଦେବି ନାହିଁ । ଭାଇ ରାଗିବେ, ରାଗନ୍ତୁ । ପର ଦୁଆରେ ମୂଲଲାଗି ପେଜ ତୋରାଣି ଯାହା ମିଳିବ ପିଲାଙ୍କ ମୁହଁରେ…..

 

ଗର୍ଜି ଉଠିଲେ ଧୋବୀବୋଉ । ଖଟ ଉପରୁ ଉଠି ତଳେ ଠିଆ ହେଲେ । ଗୋଟାଛାଏଁ ଥରୁଥାନ୍ତି । ଆଖିରୁ ସତେକି ନିଆଁହୁଳା ବାହାରୁ ଥାଏ । ନୂଆବୋଉଙ୍କର ସେପରି ମୂର୍ତ୍ତି ନିଧେଇ କେବେ ଦେଖି ନ ଥିଲେ । ସେ ତ୍ରସ୍ତ ହେଲେ । କହୁଥିବା କଥା ତୁଣ୍ଡରେ ଅଟକି ଗଲା ।

 

ଧୋବୀ ବୋଉ ଗର୍ଜିଉଠି ଥରିଲା ଓଠରେ କହିଲେ, ତୁନି ହ, ତୁନି ହ, ନିଧିଆ, ପିଲାଛୁଆ କାହାର ରେ ? ତୋର ? ତୁଇ ମଣିଷ କରିଛୁ ? ଦିନେ କେବେ ତାଙ୍କ ମୁହଁକୁ ଚାହିଁଛୁ ? କୋଳରେ ଧରିଛୁ ? ସେଇ ଛତରୀ ରାକ୍ଷାସୁଣୀ ତାଙ୍କୁ ଜନମ କରିଛି ସିନାରେ, ପିଲା ତିନିଟା ଆଙ୍ଗୁଠି ପବନକୁ ସରି ନୁହନ୍ତି, କାହା କୋଳରେ ବଢ଼ିଲେ ରେ, କାହା ଛାତିର ରସ ଟାଣି ଧଡ଼ିଆ ଧେଙ୍ଗଡ଼ା ହୋଇ ବଞ୍ଚିଲେ । ତାଙ୍କ ନା ତୁଣ୍ଡରେ ଧରୁଛୁରେ, ଏଡ଼େ ବହପ ।

 

ଥରି ଥରି ପୁଣି ବସି ପଡ଼ିଲେ ଖଟ ଉପରେ । ଯେଉଁ ଆଖି ଦୁଇଟାରେ ବିଜୁଳି, ସେଇଥିରୁ ଝଡ଼ି ପଡ଼ିଲା ଲୁହବୁନ୍ଦା । ଦୁଃଖ, ଅନୁତାପ, ଭୟରେ ନିଧେଇ ସତେକି ହତଜ୍ଞାନ ହେବେ-। ତାଙ୍କ ଚାରିଆଡ଼ ଶୂନ୍ୟ ଦିଶିଲା । ସେ ବୁଝିଲେ, କେଇପଦ ଉତ୍ତେଜିତ କଥାରେ ରୁଗ୍‌ଣ ସ୍ନେହମୟୀ ଭାଉଜଙ୍କର ମନରେ କି ଦାରୁଣ ଆଘାତ ସେ ଦେଇଛନ୍ତି । ଏଇ ଭାଉଜ, ଯାହାଙ୍କୁ ସେ ଚିରଦିନ ମା’ ଚକ୍ଷୁରେ ଦେଖିଛନ୍ତି, ଯାହାଙ୍କ ତୁଣ୍ଡରୁ ଭୁଲରେ କେବେ ଟାଣ କଥା ପଦେ ଶୁଣି ନାହାନ୍ତି, ଭାଉଜ, ଯିଏ ଘରର ଲକ୍ଷ୍ମୀ, ଯାହାଙ୍କର ସ୍ନେହ ପାଇ, ରକ୍ତମାଂସ ଓ ଜୀବନ ଶୋଷି ପିଲାଗୁଡ଼ା ବଞ୍ଚିଛନ୍ତି, ତାଙ୍କ ମନରେ ଆଘାତ ଦେବାକୁ କିପରି ସେ ସାହାସ କଲେ ?

 

ଧୋବୀ ବୋଉ କହିବାକୁ ଲାଗିଲେ, ଭାଇଙ୍କ ସଙ୍ଗେ କଜିଆ କରି, ରାଗ ଅଭିମାନ କରି ଚାଲିଯିବ ତ ଚାଲିଯାଅ ତମେ । ଯିଏ ନିଜର ଶକ୍ତିକୁ ନ ଚିହ୍ନେ, ସେ ମୁଣ୍ଡ କୋଡ଼ିହୋଇ ମରେ । ତମ ଭାଇଙ୍କର ନାଲିଆଖି ଦେଖି ଡରିହରି ତମେ ଚାଲିଯାଇପାର, ମୋ ପିଲାଙ୍କ ନାଁ ତୁଣ୍ଡରେ ଧରିଲେ ନିଆଁ ଘରେ ଲଗେଇ ଦେବି ଜାଣିଥା ।

 

ଧୋବୀ ବୋଉ ତୁନି ହେଲେ ।

 

ନିଧେଇ ହାତଯୋଡ଼ି କହିଲେ, ତମ ପିଲାଙ୍କର ନାମ ମୁଁ ଆଉ ତୁଣ୍ଡରେ ଧରିବି ନାହିଁ । ତମେ ଜାଣ, ଭାଇ କେମିତି ଆଣ୍ଡୁଆ । ତାଙ୍କ କଥାରେ ବାଧାଦେଲେ ସେ ଯଦି ଅଡ଼ି ବସନ୍ତି ଯାହା କହିଲେ ଶୁଣିବେ ନାହିଁ । ଧୋବୀ ବିଦେଇକୁ ପୁଅ କରିବ ନାହିଁ । ମୁଁ ନିଶ୍ଚୟ ବାଧା ଦେବି । ଭାଇ ଯଦି ଅଡ଼ି ବସନ୍ତି ମୁଁ କଣ କରିବି ? ଘରଛାଡ଼ି ଚାଲିଯିବା ଛଡ଼ା ମୋରତ ଆଉ ଅନ୍ୟଗତି ନାହିଁ । ମୁଁ ନିଜେ ଚାଲିଯିବି ପଛେ ।

 

ଚିହିଁକି ଉଠି ଧୋବୀ ବୋଉ କହିଲେ, ନିର୍ଲଜ୍ଜ । ଚାଲିଯିବ କୁଆଡ଼େ ? ଭାବିଛ କି ରାମା ଶାମାଙ୍କ କାନ୍ଧରେ ବୁହା ହୋଇ ମୁଁ ମଶାଣିକୁ ଯିବି ? ତମର କଣ ଦିନେ କେବେ ମୁଁ କିଛି କରିନାହିଁ-। ସେ କଥା ହେବ ନାହିଁ ନିଧେଇ । ନିଜ କାନ୍ଧରେ ନେଇ ମଶାଣି ଭୂଇଁରେ ମୋତେ ପୋଡ଼ି ପାଉଁଶ କରିବ, ତା ପରେ ଯାହା ତମେ କରୁଥା । ନା, ଆଜିଠୁ ମୁଁ ଆଉ ଧୋବୀର ନାଆଁ ତୁଣ୍ଡରେ ଧରିବି ନାହିଁ । ଜନ୍ମ ସିନା କରିଥିଲି ମୁଇଁ, ପାଳିଛ ତ ତମେ ନିଧେଇ । ଯେଉଁଦିନ ସେ ମୁଣ୍ଡରୁ ସିନ୍ଦୂର ପୋଛିଛି, ସେଇଦିନୁ ସେ ମରିଛି, ସେ ମରିଛି ।

 

କହୁ କହୁ ଧୋବୀ ବୋଉ ପଲଙ୍କ ଉପରେ ଲୋଟି ପଡ଼ିଲେ । ତକିଆ ଉପରେ ମୁହଁ ରଖି କଇଁ କଇଁ ହୋଇ କାନ୍ଦିବାକୁ ଲାଗିଲେ । ନିଧେଇଙ୍କ ପକ୍ଷେ ଏହି ଦୃଶ୍ୟ ଅସହ୍ୟ ହେଲା । ସତେ ତ, ଧୋବୀକୁ ପାଳିଛି କିଏ, ମଣିଷ କରିଛି କିଏ ? ଏ ଘରର ସନ୍ତାନ ବୋଲି ଧୋବୀ ଛଡ଼ା ତ ସେ ଆଉ କାହାକୁ ଜାଣନ୍ତି ନାହିଁ । ଯେଉଁ ତିନୋଟି ସନ୍ତାନ ଧୋବୀ ପରେ ଏ ଘରକୁ ଆସିଲେ, ସେମାନଙ୍କୁ ତ ନିଧେଇ ଆଜିଯାଏ ଚିହ୍ନନ୍ତି ନାହିଁ । ଭାଇଙ୍କର ଏକବାଗିଆ ଖୋଇ ପାଇଁ, ଭାଇଙ୍କର ଅବାଧ୍ୟ ନ ହେବାକୁ, ସେ ମଲାସାପ ପରି ପଡ଼ି ରହିଲେ ତ ଚଳିବ ନାହିଁ । କିଛି ଗୋଟାଏ କରିବାକୁ ହେବ । ଧୋବୀର ବାହାଘର ସନେଇଁ ସଙ୍ଗେ କରିବାକୁ ହେବ । ସେଥିପାଇଁ ଭାଇଙ୍କ ସଙ୍ଗେ ଅପଡ଼ ହେଲେ କ୍ଷତି ନାହିଁ ।

 

ନିଧେଇ ଆକୁଳ ହୋଇ ଖଟ ପାଖରେ ବସି ପଡ଼ିଲେ । ନୂଆବୋଉଙ୍କର ପାଦରେ ମୁଣ୍ଡ ଲଗାଇ କହିବାକୁ ଲାଗିଲେ, ତମେ ତୁନି ହ ନୂଆଉ, ବ୍ୟସ୍ତ ହୁଅନା । ଧୋବୀ କଥା ତୁମକୁ ଭାବିବାକୁ ପଡ଼ିବ ନାହିଁ । ସବୁଦିନେ ଭାଇଙ୍କର ଅକଥାରେ ବି ମୁଁ ତାଙ୍କର ବାଧ୍ୟ ହୋଇ ରହିପାରିବି ନାହିଁ । ତମର ଗୋଡ଼ ଛୁଇଁ କହୁଛି, ଧୋବୀ ବାହାହେବ, ଧୋବୀ ସନେଇଁକୁ ବାହାହେବ । ଭାଇ ବାଧା ଦେଇପାରିବେ ନାହିଁ ।

 

ବିଦେଇ ବୋଉ କାନ୍ଥ ଉହାଡ଼ରୁ ମୁଣ୍ଡ ଗଳାଇ ଘର ଭିତରକୁ ଚାହିଁଲେ । ମୁହଁ ମୋଡ଼ି ତମତମ ହୋଇ ରୋଷଘର ଖଞ୍ଜାଆଡ଼େ ଚାଲିଗଲେ ।

 

ଧୋବୀ ବୋଉ ମୁଣ୍ଡ ଟେକି ଚାହିଁଲେ ନାହିଁ ।

 

ଦେଖୁ ଦେଖୁ ପାଞ୍ଚଦିନ କଟିଗଲା, ସନେଇଁର ଦେଖା ନାହିଁ । ରହିମ୍ ଭାବନାରେ ପଡ଼ିଲା । କୁଆଡ଼େ ଗଲା ସନେଇଁ ଭାଇ, କହିଗଲା ନାହିଁତ । ବିଶି ସାମଲ କୋଠିଆର ମୁହଁକୁ ଚାହିଁ ସେ କାବା କାବା ହୋଇ ପଚାରେ । ବିଶିଆ ଜବାବ ଦେଇପାରେ ନାହିଁ । ଯାହାକୁ ପଚାରିଲେ ସେ କହେ, ଦେଖିନାହିଁ ।

 

ତଥାପି ରହିମ୍ କାମରେ ହେଳା କରେ ନାହିଁ । ବଗିଚାରେ କାମ କରେ । ବିଶିଆକୁ ସଙ୍ଗରେ ଧରି ଅଦିନିଆଁ ପନିପରିବା ଗଛରେ ପାଣି ମଡ଼ାଏ । ଗାଈଗୋରୁ, ଛେଳି, ବିଲେଇର ଯତ୍ନ ନିଏ । ଘର ଜଗି ପଡ଼ିଥାଏ । ବାହାରେ ଠେକରା ବସାଇ ଗଣ୍ଡାଏ ଫୁଟାଇ ଦେଇ କଦଳୀପତ୍ରରେ ଅଜାଡ଼ି ଖାଏ । ରାତି ଅଧରେ ନଡ଼ିଆ ଚାଞ୍ଚରା ପାରି ଶୋଇପଡ଼େ । ରାତି ନ ପାହୁଣୁ ଉଠି ପୁଣି ଲାଗିଯାଏ କାମରେ । ଭାବେ, ସନେଇଁ ଭାଇ କୁଆଡ଼େ ହେଲେ ଜରୁରୀ କାମରେ ଯାଇଥିବ । ବଳେ ଆସିବ ଯେ ।

 

ନିଧେଇ ସୋଇଁ ବାରମ୍ବାର ଖବର ପଠାଇଥିଲେ । ନିଜେ ମଧ୍ୟ ଅନେକ ଥର ଆସି ଫେରିଗଲେଣି । ରହିମ୍ ସନେଇଁର ଉଦନ୍ତ କହିପାରିଲା ନାହିଁ । ସୋଇଁଏ କହିଗଲେ, କଣ ଦରକାରୀ କାମ ଅଛି । ରାମ ପହରାଜେ ଗ୍ରାମବାସୀଙ୍କୁ ନେଇ ସନେଇଁକୁ ଖୋଜିବାକୁ ଦୁଇତିନିଥର ଆସିଥିଲେ । ରଜ ପାଖେଇ ଆସିଲା । ରଜ ଆଗରୁ ଦୁଇ-ତିନି ରାତି ରାମନବମୀ ଯାତରା କରିଦେଲେ ରଜ ଭିତର ହଳଦୀ ପାଣିଟା ମଉଜ ହେବ ।

 

ଗୋବିନ୍ଦ ପଧାନେ କିଏ, କୋଉ ଜମିଦାରଙ୍କ ଗୁମାସ୍ତା । ଦୁଇଦିନ ତଳେ ଲୋକ ପଠାଇଥିଲେ ସନେଇଁର ପୋଖରୀରୁ ମାଛ ଧରେଇ ନେବାକୁ । ତାଙ୍କର କଣ ନିମିତ୍ୟ । ରହିମ୍ ଜାଲୁଆକୁ ଫେରାଇ ଦେଲା । ସନେଇଁ ଭାଇର ବିନା ହୁକୁମରେ ଏଡ଼ ବଡ଼ ସାହାସିଆ କାମ କେମିତି କରନ୍ତା ?

 

ଆଉ, ଏ ବାଇଆଣୀଟା । ବେତାପରି ମୁଣ୍ଡ କରିଛି । କେତେବେଳେ କାନ୍ଦୁଛି, କେତେବେଳେ ହସୁଛି, ବେଳେବେଳେ ଚିତ୍କାର କରୁଛି, କହୁଛି ସନିଆଁ ମୋର ବର । ମୁଁ ଏଇଠି ରହିବି । ଏଇ ମୋର ଘର । ଘର ଭିତରକୁ ପଶିବାକୁ କଟାଳ କରୁଛି । ରହିମ୍ ବୁଝାଇ ସୁଝାଇ ତାକୁ ଖାଇବାକୁ ଦେଇ ବିଦା କରୁଛି । ଗାଁ ପିଲାଏ ତା’ ପଛରେ ତାଳିମାରି ଧାଇଁଛନ୍ତି- ସେ କଇଁ ବାଇଆଣୀ ।

 

ରହିମ୍ କିଛି ଭାବି ଠିକ୍ କରିପାରିଲା ନାହିଁ, ସନେଇଁ ଗଲା କୁଆଡ଼ ।

 

ସେଇ ଘରେ- ଯେଉଁଠି ଜୋଇଁର ମଲାଦେହ ପଡ଼ିଥିଲା, ହରି ମାହାନ୍ତି ଯେଉଁଠି ମଲା ମଣିଷର ଟିପ ସାଦା କାଗଜରେ ନେଇଥିଲେ, ସେଇଠି ଯନ୍ତ୍ରଣାର ଛଟପଟ ହେଉଛି ଧୋବୀ । ପାଖରେ ଚିନ୍ତେଇ ସୋଇଁ ଗମ୍ଭୀର ହୋଇ ବସିଛନ୍ତି । ପିଲିସଜ ଉପରେ ଘିଅଦୀପ ମିଞ୍ଜିମିଞ୍ଜି ହୋଇ ଜଳୁଛି ।

 

କେତେ ଭାବନା ଖେଳି ଯାଉଛି ମନରେ । ସାରା ଜୀବନର ପ୍ରତ୍ୟେକ ଘଟଣା ଗୋଟି ଗୋଟି ହୋଇ ମନେପଡ଼ୁଛି, ଯାହା ସେ କରିଛନ୍ତି, ତହିଁରୁ କେଉଁଟା ଠିକ୍ କେଉଁଟା ଭୁଲ ?

 

ଏଇ ତାଙ୍କର ଝିଅ, ଏକମାତ୍ର ସନ୍ତାନ, ଧୋବୀ । କାଲିପରି ଲାଗୁଛି ତାର ଜନ୍ମ । ଟଙ୍କା, ସୁନା, ଜମିବାଡ଼ି, ସମ୍ପତ୍ତି ଛଡ଼ା ଜୀବନରେ ସେ ଅନ୍ୟକଥା ଭାବି ନାହାନ୍ତି । ନାଏକ ଘର ସମ୍ପତ୍ତିକୁ ସୋଇଁ ଘର ସମ୍ପତ୍ତିରେ ମିଶାଇବାକୁ କେତେ ଚକ୍ରାନ୍ତ ସେ କଲେ । ସବୁ ଚେଷ୍ଟା ବିଫଳ ହେଲା । ସ୍ତ୍ରୀଙ୍କ ସଙ୍ଗେ କଜିଆ କରି କାହାକୁ କିଛି ନ କହି ସେ ଧାଇଁ ଆସିଥିଲେ ଧୋବୀକୁ ବାଧ୍ୟ କରିବେ ବିଦେଇକୁ ପୁଅ କରିବାକୁ । ଅଧିକାଂଶ ସମ୍ପତ୍ତି ତ ବିନର୍ବୟ କରିଛି । ଯାହାକୁ ମନ ତାକୁ ଦେଇଛି । ବାକି ଯେତକ ରହିଛି ସେତକ ଯଦି କୌଣସିମତେ ରକ୍ଷା କରା ନ ଯାଏ, କେଡ଼େ ବଡ଼ ଆଶାର ପାହାଡ଼ ତାଙ୍କର ଟଳି ପଡ଼ିବ ।

 

ଦୁର୍ଗାପୁରରେ ଗୋଡ଼ ଦେଉଣୁ ପ୍ରଥମେ ହରି ମାହାନ୍ତି ତାଙ୍କୁ କହିଲେ, ଠାକୁର ମନ୍ଦିରରେ ବସି ଜଣ ଜଣ କରି ଦାସୀମାନଙ୍କୁ ଡକାଇ ବୁଝିଲେ, ରାତିରେ ସନେଇଁ ଆସିଥିଲା, ଆଉ ରାତି ନ ପାହୁଣୁ ସେ ଚାଲିଗଲା । ତାର ଓଦା କାଦୁଅବୋଳା ଲୁଗାଜାମା ବର୍ତ୍ତମାନ ବି ପିଣ୍ଡାତଳେ ପଡ଼ି ରହିଛି । କଥାକୁ ବଙ୍କେଇ କହିଲେ, କଥାରେ ଲଥାଦେଇ ଭ୍ରୁଲତା ଟେକିଲେ, ତାର ଅର୍ଥ ବଦଳିଯାଏ-। ପଦକରେ ଦି’ପଦ ଲଗାଇଲେ ଉଆଁସ ରାତିରେ ପୂନେଇଁ ଜହ୍ନ ଉଠେ, ଦି’ପଦରୁ ପଦେ ଢୋକି ଦେଲେ ବି ପୂନେଇଁ ଜହ୍ନକୁ ରାହୁ ଗ୍ରାସେ, ଅନ୍ଧାର ହୁଏ ।

 

ସୋଇଁ ସବୁ ଶୁଣିଲେ । ରାଗରେ, ଲାଜରେ ସତେକି ତାଙ୍କର ମୁଣ୍ଡ କଟିଯିବ । ଆରେ, ଏଇଥିପାଇଁ ଧୋବୀ ତାଙ୍କ ପାଖରୁ ଦୂରରେ ଅଛି । ସନେଇଁ ଏମିତି ଏଠିକି ବରାବର ଆସୁଛି କି କଣ ? ଦିନେ ଲୋକ ଦେଖିଲେ ବୋଲି ସିନା ଜଣାପଡ଼ିଲା । ପ୍ରଘଟ ହେଲା । ନେହିଲେ କିଏ ଜାଣିବ କେମିତି ? କାଲି ସେ ଫେରିଥିଲା ଦୁର୍ଭିକ୍ଷରୁ, ଛତରାଟା । ଘରକଲା, ଜାତିହେଲା, ଏତେ ସମ୍ପତ୍ତି ଭେଇଲା । କାହୁଁ ପାଇଲା ଧନ ।

 

ଧୋବୀ ଦେଇଛି । କେଡ଼େ ଲଜ୍ଜାର କଥା । ଧୋବୀ ବୋଲିଲା ତାଙ୍କ ମୁହଁରେ କାଳି । ତାଙ୍କର ଆନ୍‍ ଭାଙ୍ଗିଲା । ମଣିଷପଣିଆଁ ଦି’ କଡ଼ା କଲା ।

 

ସୋଇଁଏ ଗୁମ୍ ମାରି ବସି ପଡ଼ିଲେ । ଚକ୍ରପରି ଭ୍ରମିଲା ତାଙ୍କର ମଥା, କଣ କରିବେ ? ଫେରିଯିବେ ? ଗୋଟାଏ ଫୁଙ୍କାରେ ସନେଇଁ ପରିଡ଼ା ସଙ୍ଗେ ସଙ୍ଗେ ତାର ସମ୍ପତ୍ତିକୁ ଦେବେ ଉଡ଼ାଇ-? କିନ୍ତୁ କଳଙ୍କ ତ ଲୁଚିବ ନାହିଁ ।

 

ଦାସୀ ବଲ୍ଲୀ କହିଲା, ସାଆନ୍ତାଣୀ ସେତିକିବେଳୁ ଠାକୁରଘରେ ପଡ଼ିଛନ୍ତି, ବେଳେବେଳେ ପିଲାଙ୍କ ପରି କାନ୍ଦି ଉଠୁଛନ୍ତି । ବେଳ ଆସି ଏତେ ହେଲାଣି, ଉଠି ନାହାନ୍ତି ।

 

ସୋଇଁଏ ସ୍ଥିର କଲେ, ଧୈର୍ଯ୍ୟଚ୍ୟୁତ ହୋଇ, ତରତର ହୋଇ କିଛି କରିବା ଠିକ୍‍ ହେବ ନାହିଁ । ଭଗାରୀ ହସିବେ । ଧୋବୀର ଏ ଗାଁରେ କ୍ଷଣେ ରହିବାକୁ ସେ ଅନୁମତି ଦେଇପାରିବେ ନାହିଁ । କହିଲେ, ଦେଈ ତମର ଉଠିଲେ କହିଦେବୁ, ତାଙ୍କର ମାଆଙ୍କର ଦେହ ଭଲନାହିଁ । ମୁଁ ନେବାକୁ ଆସିଛି । ଆଜି ଉପରବେଳା ଯିବାକୁ ହେବ ।

 

ଠାକୁରଙ୍କର ମନ୍ଦିରରେ ସୋଇଁଏ ରହିଲେ । ପ୍ରତି ମୁହୂର୍ତ୍ତ ଯେପରି ତାଙ୍କୁ ମାଡ଼ ମାରିଲା ପରି ଲାଗୁଥାଏ । ବିଦେଇ କେତେଥର ଆସି ବୁଲିଗଲାଣି । ବଡ଼ବାପାଙ୍କୁ ସେ ଭାରି ଡରେ । ଦୂରରେ ଥାଇ, ଚାହିଁଦେଇ ଚାଲିଯାଏ । ଚିନ୍ତେଇ ସୋଇଁ ତାକୁ ପାଖକୁ ଡାକନ୍ତି ନାହିଁ ।

 

ଦି’ପହରେ ବଲ୍ଲୀ ଆସି ଖବର ଦେଲା, ସାଆନ୍ତାଣୀକୁ ଭାରି ଜର, ତାତି ଯେ ଦେହରେ ଖଇ ଫୁଟୁଛି । ଆଖି ଖୋଲି ଚାହୁଁ ନାହାନ୍ତି ।

 

ସୋଇଁଏ ପ୍ରଥମେ ଭାବିଲେ ବିଷ୍ଣୁପୁରକୁ ନ ଯିବାକୁ ଧୋବୀ ଛଳନା କରିଛି । କିନ୍ତୁ ନିଜେ ଯାଇ ନ ଦେଖିଲେ ତ ଭଲ ହେବ ନାହିଁ । ତେଣୁ ସୋଇଁଏ ଗଲେ ।

 

ସତେ ତ, ଜର । ଡାକିଲେ, ଧୋବୀ ।

 

ଧୋବୀ ଆଖି ଖୋଲିଲା । ଅସ୍ତବ୍ୟସ୍ତ ହୋଇ ଉଠି ବସିଲା ପଳଙ୍କ ଉପରେ । ବାପାଙ୍କର ହାତଧରି ଲୁହଝରା ଆଖିରେ ପଚାରିଲା, ବାପା, ବୋଉର କଣ ହୋଇଛି । ମୁଁ ଯିବି ।

 

ଚିନ୍ତେଇ ଭାବନାରେ ପଡ଼ିଲେ । ରହି ରହି ଉତ୍ତର ଦେଲେ, କଣ ଟିକେ ହୋଇଛି । ଜର କମିଯାଉ, କାଲି ଯିବୁ । ଅନେକ ଦିନରୁ ତତେ ଦେଖି ନାହାନ୍ତି କି ନା ।

 

ଧୋବୀ ତୁନି ହେଲା ।

 

ଜର କମିଲା ନାହିଁ । ବିଛଣାରେ ପଡ଼ି ତିନିଦିନ କାଳ ଛଟପଟ ହେଲା । ସବୁ ରାଗ ରୋଷ ଭୁଲି ମନର କଥା ମନରେ ଗୋପନ ରଖି ଚିନ୍ତେଇ ଝିଅର ସେବାରେ ଲାଗି ପଡ଼ିଲେ । ତିନିଦିନ ଦିନ ଧୋବୀର ସର୍ବାଙ୍ଗରେ ବସନ୍ତ ଫୁଟିଲା । ଖୁଦ ପକାଇବାକୁ ରାହା ନାହିଁ । ଯନ୍ତ୍ରଣାରେ ଛଟପଟ ହୋଇ ସେ କାନ୍ଦିବାକୁ ଲାଗିଲା । ନିଷ୍ଠୁର ଚିନ୍ତେଇ ସୋଇଁଙ୍କର ମନ ତରଳିଲା ।

 

ଆଖପାଖ ଗାଁମାନଙ୍କରେ ବସନ୍ତ ରୋଗ ବ୍ୟାପି ରହିଛି । ଦୁର୍ଗାପୁରରେ ମଧ୍ୟ ବସନ୍ତରେ କେହିକେହି ବାହୁଡ଼ିଲେଣି । ଚିନ୍ତେଇ ହତାଶ୍‍ ହେଲେ । ଧୋବୀର ଯଦି କଣ ଭଲମନ୍ଦ ହୋଇଯାଏ, ନାୟକ ଘରର ସମ୍ପତ୍ତି ତ ତାଙ୍କ ହାତରୁ ଖସିଯିବ । ସମ୍ପତ୍ତି ଥିଲେ ବା ଲାଭ କଣ ? ଯାହାପାଇଁ ସେ ସମ୍ପତ୍ତି ରଖିବାକୁ ଯାଉଥିଲେ, ସେ ତ ନ ଥିବ ।

 

ନିଜର ଭାବନାରେ ନିଜେ ଚମକି ଉଠିଲେ । ନାଏକ ଘର ସମ୍ପତ୍ତି ସେ ଆୟତ୍ତ କରିବାକୁ ବସିଛନ୍ତି କିଏ ଭୋଗ କରିବ ? ମଣିଷ ନିଜେ କଣ ସମ୍ପତ୍ତି ଭୋଗ କରେ ? ଦୁଇବେଳା ଦୁଇମୁଠି ଖାଇବା ଓ ଖଣ୍ଡେ ପିନ୍ଧିବା ଛଡ଼ା ତାର ବଞ୍ଚି ରହିବାକୁ ଲୋଡ଼ା କଣ ? ସବୁ ସମ୍ପତ୍ତି, ସବୁ ସଞ୍ଚୟ କେବଳ ବଞ୍ଚିରହିବା ପାଇଁ । ନିଜେ ଓ ନିଜର ଉତ୍ତରାଧିକାରୀ । ସୋଇଁଏ ବୁଢ଼ା ହୋଇଛନ୍ତି । ଆଉ ବା କେତେଦିନ । ଧୋବୀ ଯଦି ବାହୁଡ଼ିଯାଏ ?

 

ଚିନ୍ତେଇଙ୍କର ଦେହ ଶୀତେଇ ଉଠିଲା । ନିଧେଇର ପୁଅ ଭୋଗ କରିବ ସମ୍ପତ୍ତି । ବିଦେଇ ତ ତାଙ୍କର ପୁଅ ନୁହେଁ । ନିଧେଇ ବି ତ ତାଙ୍କରି ମା’ ପେଟରୁ ଜନମ ହୋଇନାହିଁ । ରକ୍ତର ଧାର ପାତଳା ହୋଇଛି । ପୁରୁଷକୁ ପୁରୁଷ ଆହୁରି ପାତଳ ହେବ । କେତେ ଅଜଣା ଅଶୁଣା ରକ୍ତର କଣିକା ଆସି ମିଶିବ ଚିନ୍ତେଇ ସୋଇଁଙ୍କର ଭବିଷ୍ୟତ ବଂଶଧରଙ୍କ ରକ୍ତରେ । ସହସ୍ର ବର୍ଷପରେ, ମଣିଷଜାତି ଯଦି ବଞ୍ଚି ରହିଥାଏ, ଚିନ୍ତେଇ ସୋଇଁ ରକ୍ତର ପିଲାଙ୍କୁ ଦୁନିଆଁର କେତେ ରକ୍ତର ପିଲା ନିଜର ବୋଲି କହିବାକୁ ଲାଗିବେ । ଧର୍ମ, ବର୍ଣ୍ଣ, ଜାତିଭେଦ ଯଦିଥାଏ, ସହସ୍ର ବର୍ଷ ତଳର ମଣିଷ ପିଲା କାହା ଆଡ଼କୁ ହାତ ବଢ଼ାଇ ନିଜର ପରିଚୟ ଦେବ ? ଚିହ୍ନିପାରିବ ନାହିଁ ନିଜକୁ । ଉପରକୁ ନ ଚାହିଁ ଚାରିଆଡ଼କୁ ଅନାଇବ । କହି ଉଠିବ, ମୁଁ ମଣିଷ ପିଲା । ସମସ୍ତେ ମୋର ବାପ । ସମସ୍ତେ ମୋର ପୁଅ । ମୁଁ ମଣିଷ ପିଲା, ଏଇ ଛୋଟ ଗୋଲ ଦୁନିଆଁ ମୋର ଘର । ଏ ଘରେ ଯାହା ଅଛି ସବୁ ମୋର-ମଣିଷ ପିଲାର । ମୋରି ବାପର, ମୋରି ପିଲାଙ୍କର । ସମସ୍ତେ ଭୋଗ କରିବେ । ସମସ୍ତେ ବଞ୍ଚିବେ ?

 

ଚିନ୍ତେଇ ସୋଇଁ ଭାବିବାକୁ ଲାଗିଲେ ସେ ଭୁଲ କରିଛନ୍ତି । ନାଏକ ଘର ସମ୍ପତ୍ତିର ଲୋଭ ଛାଡ଼ି, ପରିଡ଼ା ବଂଶ ପ୍ରତି ଆକ୍ରୋଶ ଭୁଲି ହୁଏ ତ ଧୋବୀକୁ ସନେଇଁକୁ ବାହା କରିଦେବା ଉଚିତ ଥିଲା । ଏହା ହୋଇଥିଲେ ଅଶାନ୍ତି ହୋଇ ନ ଥାନ୍ତା ।

 

ଧୋବୀ କର ମୋଡ଼ିଲା । ଯନ୍ତ୍ରଣାରେ ଚିତ୍କାର କରି ଉଠିଲା । ସୋଇଁଙ୍କର ଭାବନା ଭାଙ୍ଗିଲା । ସେ ସିଧାହୋଇ ବସି ଡାକିଲେ, ଧୋବୀ ।

 

ଧୋବୀ ଉତ୍ତର ଦେଲା, ଉଁ ।

କଣ ମା’ ?

ଧୋବୀ କଡ଼ ବୁଲାଇ ଶୋଇଲା, ଉତ୍ତର ଦେଲା ନାହିଁ ।

 

ସୋଇଁଏ ନିଃସହାୟ ପରି ଚାରି ଆଡ଼କୁ ଚାହିଁଲେ । ଆଜିଯାଏ ନିଧେଇଙ୍କ ପାଖକୁ ଖବର ପଠାଇ ନାହାନ୍ତି । ଖବର ପାଇଲେ ଧୋବୀ ବୋଉ ଧାଇଁ ଆସିବେ । ଆସିବା ଦରକାର । ନ ଆସିଲେ ଝିଅର ସେବା କରିବ କିଏ ?

 

ପରଦିନ ସକାଳୁ ଚିନ୍ତେଇ ସୋଇଁ ଚିଠି ଲେଖି ବିଷ୍ଣୁପୁରକୁ ଲୋକ ପଠାଇଲେ । ଚିଠି ପାଇ, ଧୋବୀ ବୋଉଙ୍କୁ ସଙ୍ଗରେ ନେଇ ନିଧେଇ ଦୁର୍ଗାପୁରରେ ପହଞ୍ଚିଲେ । ଚିନ୍ତେଇ ସୋଇଁଙ୍କ ନିର୍ଦ୍ଦେଶମତେ ବିଦେଇ ବିଷ୍ଣୁପୁର ଗଲା । ପିଲାଲୋକ, ଠାକୁରାଣୀ ପଶିଥିବା ଘରେ କାରବାର ହେବା ଠିକ୍ ନୁହେଁ । ଚିନ୍ତେଇ ସୋଇଁଙ୍କର କଥା ନ ମାନି ନିଧେଇ ମଧ୍ୟ ଦୁର୍ଗାପୁରରେ ରହିଲେ ।

 

ପାଞ୍ଚଦିନକାଳ ଏଣେତେଣେ ବୁଲି ସନେଇଁ ନୂଆ ଆଦର୍ଶ ଘେନି ଫେରିଲା । ସନ୍ଧ୍ୟା । ରହିମ୍ ଫାଟକ ପାଖରେ ଠିଆ ହୋଇ କଇଁ ବାଇଆଣୀର କଥା ଭାବୁଥାଏ । ସବୁଦିନେ ସେ ଆସି କଟାଳ କରୁଛି । କଥା ନ ମାନି ଘର ଭିତରକୁ ଧସେଇ ପଶୁଛି । ମୁହଁରେ ସେଇ ଏକା କଥା, ଏଇ ମୋର ଘର, ସନେଇଁ ମୋର ବର । କେତେ କୁହାବୋଲା କରି ରହିମ୍ ତାକୁ ଖାଇବାକୁ ଦେଇ ବିଦା କରୁଛି ।

 

ଦୂରରେ ସନେଇଁକୁ ଦେଖି ରହିମ୍ ଅସ୍ଥିର ହୋଇ ଆସିଲା ତା’ ପାଖକୁ । ପଞ୍ଚମୀ ଜହ୍ନର ମୁଦୁମନ୍ଦ ହସିଲା ଆଲୁଅରେ ଉଜଳି ଉଠୁଥାଏ ସନେଇଁର ମୁହଁ । ଥିରି ପବନର ମଳୟ କୋମଳ ପରଶରେ ଉଲୁସି ଉଠୁଥାଏ ଦେହ, ନୂଆ ସଂକଳ୍ପରେ ପୁଲକ ଓ ଉନ୍ମାଦନାରେ ଜୁଆର ଉଠୁଥାଏ ମନରେ ।

 

ସନେଇଁ ଦେଖିଲା ନାହିଁ ରହିମ୍ ଦୁଇ ଆଖିରୁ ଝରିଲା ଲୁହ । ବାଷ୍ପାକୁଳ କଣ୍ଠରେ ରହିମ୍ ପଚାରିଲା, କୁଆଡ଼େ ଥିଲୁ ସନେଇଁ ଭାଇ ? ପ୍ରଣାମ କରିବାକୁ ଭୁଲିଗଲା ରହିମ୍ । ସନେଇଁର ହାତ ଧରିବାକୁ ମନ ଭିତରୁ ଇଙ୍ଗିତ ଆସୁଥିଲେ ମଧ୍ୟ, କେତେକାଳର ସଂସ୍କୃତି ତାକୁ ପଛେଇ ରଖିଲା ।

 

ସେ ବିଧର୍ମୀ, ପଠାଣ ପିଲା । ଏଇ ମାଟିରେ ଜନ୍ମ, ତଥାପି ତାର ଭାଇ ବନ୍ଧୁ ଚାହିଁ ରହନ୍ତି ସୁଦୂର କେଉଁ ପଶ୍ଚିମର ମରୁଭୂମିକୁ; ସତେକି ସେ ସେଇଠୁ ଆସିଛନ୍ତି । ଏ ଦେଶର ମାଟିର ମଣିଷ ହୋଇ ମଧ୍ୟ ସତେକି ସେମାନେ ଏଠି କୁଣିଆ ? ଆଉ ସନେଇଁର ଭାଇବନ୍ଧୁ କାହିଁକି ରହିମ୍‌କୁ ଦୂରେଇ ରଖନ୍ତି, ଯେପରି ସେ ଏଇ ଦେଶମାତୃକା କୋଳର ପିଲା ନୁହେଁ ।

ଧର୍ମ ବଦଳିଲେ ମଣିଷର ରକ୍ତ ବଦଳେ ନାହିଁ । ମଣିଷର ବାପା ମା’, ପୁର୍ବପୁରୁଷ ବଦଳନ୍ତି ନାହିଁ । ରୁଚି ବଦଳିଲେ, ଖାଦ୍ୟ ବଦଳିଲେ, ମଣିଷପିଲା ପଶୁ ପାଲଟେ ନାହିଁ । ମା’ ପେଟର ଭାଇ ଶତ୍ରୁ ହୁଏନାହିଁ । ଘୃଣ୍ୟ ହୁଏନାହିଁ ।

ରହିମ୍‍କୁ ଅଛୁଆଁ କରିଛି ଦୂରରେ ରଖିଛି ଏଇ ସନେଇଁ । ରହିମ୍ ଦୂରେଇ ରହିଛି, ନିଜକୁ ଭାବୁଛି ଛୋଟ, ଘୃଣ୍ୟ, ବିଦେଶୀ । ଏକା ଚାଳତଳେ ମୁଣ୍ଡ ଗୁଞ୍ଜି ମଧ୍ୟ ବିଦେଶୀ ।

କୁଆଡ଼େ ଥିଲୁରେ ସନେଇଁ ଭାଇ ?

ସନେଇଁ ରହିମ୍‍ର ହାତ ଧରିଲା । ତାର ପିଠି ଆଉଁସି କହିଲା, ମୁଁ ବାଟବଣା ହୋଇ ବୁଲୁଥିଲିରେ ରହିମ୍, ବାଟ ପାଇ ଫେରି ଆସିଛି । ଚାଲ, ଘରକୁ ।

ଦିହେଁ ଫେରିଲେ ଘରକୁ ।

ରାତିରେ–

ଗୋଟିଏ, ଥାଳିରେ ଭାତ ବଢ଼ା ହୋଇଛି । ସନେଇଁ ଜିଦ୍ ଧରି ବସିଛି ଯେ ରହିମ୍ ତା’ ସାଙ୍ଗରେ ଖାଇ ବସିବ । ରହିମ୍‍ର ସବୁ ପ୍ରତିବାଦ ବ୍ୟର୍ଥ ହେଲା, ନାଇଁ ନାଇଁ ସନେଇଁ ଭାଇ, ତୋର ଜାତି ଯିବ, ଧର୍ମ ଯିବ । ଲୋକେ ତତେ ଘୃଣା କରିବେ, ଏ କଣ ତୁ ବାଇଆ ହେଲୁକି ?

 

ଆରେ, ମୁଁ ବାଇଆ ଥିଲିରେ ରହିମ୍, ଭଲ ହୋଇଛି । ଏଇ ଛାତ ତଳେ ଯିଏ ଯେଉଁଠୁ ଆସି ଆଶ୍ରା ନେବେ, ସମସ୍ତେ ଖାଇବେ ଏକାଠି । ଏ ଘର ସଭିଙ୍କର । ଏଠି ଜାତିଭେଦ, ଧର୍ମଭେଦ, ବର୍ଣ୍ଣଭେଦ ରହିବ ନାହିଁ । ସମସ୍ତେ ଦେହରୁ ଝାଳ ନିଗାଡ଼ି ପରିଶ୍ରମ କରିବେ । ମା ଧରିତ୍ରୀର ଛାତି ଚିରି ଖାଦ୍ୟ କାଢ଼ିବେ - ସମସ୍ତେ ଖାଇବେ । କେହି କାହାର ଧର୍ମ ଉପରେ ରୁଚି ଉପରେ ବାଧା ଦେବ ନାହିଁ । ସମସ୍ତେ ସମସ୍ତଙ୍କୁ ସମ୍ମାନ ଦେଖେଇବେ, ଭଲ ପାଇବେ । ଦୁନିଆଁର ଲୋକେ ଯାହାକୁ ଘୃଣା କରି ଗୋଇଠା ମାରି ଦୂରକୁ ଠେଲିଦେବେ, ସେ ଆସି ଏଇଠି ଆଶ୍ରା ନେବ । ଏଇ କୁଡ଼ିଆତଳେ ନୂଆ ଦୁନିଆଁ ଗଢ଼ିବା ଆମେ ରହିମ୍ । ନୂଆ ସମାଜ ଗଢ଼ିବା, ମଣିଷ ସମାଜ ।

 

ରହିମ୍ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲା ସନେଇଁର ମୁହଁକୁ ।

ସନେଇଁ କହିଲା, ଠିଆହୋଇ ରହିଲୁ ଯେ ରହିମ୍ ।

 

ଯନ୍ତ୍ରଚାଳିତ ପରି ରହିମ୍ ବସିଲା ସନେଇଁ ପାଖରେ । ଭାତ ଥାଳି ଆଗରେ ଦୁଇଆଖିରୁ ଦୁଇଧାର ଲୁହ ଝରି ପଡ଼ିଲା । ପ୍ରଥମ ଗୁଣ୍ଡା ଭାତଟି ସନେଇଁ ଦେଲା ରହିମ୍‍ର ତୁଣ୍ଡରେ, ନିଜ ହାତରେ । ଆତ୍ମାର ଉଲ୍ଲାସ, ମନର ଜୁଆରଲଗା ଉନ୍ମାଦନାରେ ଆଖି ତାର ବୁଜି ହୋଇଗଲା । ଅତି ଆନନ୍ଦରେ ପୂରିଲା କଣ୍ଠରେ କହିଲା ସନେଇଁ–ଖାଇଦେ ମୋର ସାନ ଭାଇରେ, ତୋରି ତୁଣ୍ଡରେ ଆହାର ଦେଲେ ମୋର ପେଟ ପୁରି ଉଠିବ ।

 

ରହିମ୍ ପାଟିରେ ଭାତ ଦେଇ ସନେଇଁ ନିଶ୍ଚିନ୍ତ ହେଲା । ରହିମ୍ ଟେକିଲା ଭାତଗୁଣ୍ଡା ସନେଇଁର ମୁହଁକୁ । ସନେଇଁ ଭାଇ, ତୋ ପାଟିରେ ନିଜ ହାତରେ ଆଧାର ନ ଦେଲେ ତ ମୋର ପେଟକୁ ଭାତ ଯିବ ନାହିଁରେ ।

 

ସନେଇଁ ଆଁକରି ମୁହଁ ବଢ଼ାଇଲା ।

ପହିଲି ରଜ ।

 

ଠାକୁର ଘର ଆଗ ଚାନ୍ଦିନୀ ପାଖ ବାଲିଦାଣ୍ଡରେ ଗାଁ ଭେଣ୍ଡିଆଙ୍କ ଡୁ-ଡୁ ଖେଳ । ଦି ପହର । ମେଘୁଆ ପାଗ । ଗାଁ ଲୋକଙ୍କର ଆନନ୍ଦର ସୀମା ନାହିଁ । ଚାନ୍ଦିନୀ ଉପରେ ରାମ ପହରାଜେ ଓ ଆଉ କେତେଜଣ ବସି ପଶା ଖେଳୁଛନ୍ତି । ପାଟି କୁହାଟରେ ଗାଁ ଦାଣ୍ଡ କମ୍ପୁଛି । ଖେଳରେ ଯୋଗ ଦେବାକୁ ସୋଇଁଏ ତ ନାହାନ୍ତି । ଆହୁରି କେତେ ମଉଜ ହେଉଥାନ୍ତା । ଆଗରୁ ଜନ୍ତାଳ କରିବାର ପ୍ରସ୍ତାବ ଥିଲା । ଭାଙ୍ଗିଲା ।

 

କଇଁ ବାଇଁଆଣୀ ସେଇଠି ଆସି ପହଞ୍ଚିଗଲା ।

 

ଏଇ ଗାଁର ଝିଅ ସେ । ମାଧୋଇ ରାଉତ କୋଳରେ ତାର ଜନମ । ଏଇ ଠାକୁର ଦାଣ୍ଡରେ ଧୂଳିରେ ଗଡ଼ି ସେ ହୋଇଥିଲା ମଣିଷ । ପେଟର ଜାଳାରେ ସେ ବି ଦିନେ ବାପର ହାତଧରି ଜନ୍ମମାଟିର କୋଳ ଛାଡ଼ି ବାଟକୁ ବାହାରି ପଡ଼ିଥିଲା । ପେଟର ଜାଳାରେ ତାରି ଆଖି ଆଗରେ ବାପର ହେଲା ମରଣ ।

 

କେମିତି ଦୁର୍ଭିକ୍ଷର କବଳରୁ, ମରଣର କାଳରୁ ନିଜକୁ ବଞ୍ଚାଇଲା, କିପରି ବା ସେ କୋଳକୁ ଆଣିଲା ନାରୀର ଗର୍ବ, ମାତୃତ୍ଵର ସମ୍ମାନ, ଶିଶୁପୁତ୍ର । କିଛି ଆଜି ତାର ମନେନାହିଁ । ମନେଅଛି, ସେହି ଶିଶୁ ପୁଅଟିକୁ ଛାତିରେ ଜାଳି ଦରମଲା ଦେହର ରକ୍ତ ପିଆଇ ଦାଣ୍ଡେ ଦାଣ୍ଡେ ସେ ଭିକ ମାଗି ବୁଲୁଛି, ନିଜର ଜୀବନ ପାଇଁ, ଶିଶୁର ଜୀବନ ପାଇଁ । କାହାରି ଘରେ ଆଶ୍ରା ପାଇନାହିଁ । କାହାରି ତୁଣ୍ଡରୁ ପଦୁଟିଏ କଅଁଳ କଥା ଶୁଣି ନାହିଁ । ସମସ୍ତଙ୍କର ଶରଣ ପଶିଛି । କେହି ତାକୁ ଶରଣ ଦେଇନାହାନ୍ତି । ଲୋକଙ୍କର ହତାଦର କଟୁକଥା ତାର ଦେହସହା ହୋଇଛି । କୌଣସି କଥାକୁ ତାର ଛଳ ନାହିଁ ।

 

ଏତେ କଷ୍ଟ, ଏତେ ଦୁଃଖ ତାର ବ୍ୟର୍ଥ ହେଲା । ମାଆର ଛାତିରେ ଶିଶୁପୁଅ ଜୀବନ ଛାଡ଼ିଲା । ଆକାଶର ଛାତି ଫଟାଇ ସେ କାନ୍ଦିଲା, କେହି ତାର ଶିଶୁର ପ୍ରାଣ ଫେରାଇ ଦେଲେ ନାହିଁ-। ମଶାଣି ଭୂଇଁରେ ଶିଶୁର ମଲାଦେହ ଶୁଆଇ ଦେଇ ସେ ବାଇଆଣୀ ହୋଇ ଛୁଟିଲା । କାନ୍ଦ ତାର ବନ୍ଦ ହେଲା । ସେ ହସିଲା । ହସିହସି ଅଭିଶାପ ଦେଲା ମଣିଷ ଜାତିକି, ସମସ୍ତେ ତମେ ମରିବରେ-। ସମସ୍ତେ ଶୋଇବ ମଶାଣି ଭୂଇଁରେ ।

 

କଇଁ ହସେ । ଶିଶୁ-ପୁଅ ମନେପଡ଼େ । କଇଁ କାନ୍ଦେ । ଯାହାକୁ ଦେଖେ ତା’ ଆଗରେ ଦୁଃଖ ବଖାଣେ । ଜଣ ଝଣ କରି ଗାଁଲୋକ ସଭିଙ୍କ ଆଗରେ ସେ ତାର ଦୁଃଖ ବାହୁନିଛି । କେହି ତୁଣ୍ଡରେ ଚୁ-ଚୁ କରିଛନ୍ତି । ସମସ୍ତଙ୍କ ପାଖରୁ ସେ ପାଇଛି ଘୃଣା, ହତାଦର, ପରିହାସ । ବାପର ଅରମା ଡ଼ିହରେ ବସି ସେ କାନ୍ଦିଛି, ପୁଣି ହସିଛି । ବନେଇଁ ପରିଡ଼ାଙ୍କର ଡିହରେ ଦେଖିଛି ନୂଆ ଘର, ପୂର୍ବ ଅପେକ୍ଷା ବଡ଼, ସୁନ୍ଦର । କେଉଁଦିନ ସେ ଗାଁ ଛାଡ଼ିଥିଲା, କେତେକାଳ ସେ ଦୁର୍ଭିକ୍ଷ ମଝିରେ ପ୍ରାଣ ରଖିବାକୁ ଚେଷ୍ଟା କରିଥିଲା, ମୁହୂର୍ତ୍ତକ ପାଇଁ ସେ ଭୁଲିଛି । ଅତୀତର ଆଶା ରୂପ ପାଇ ସତ ହୋଇ ଠିଆ ହୋଇଛି ତା’ ଆଗରେ, ସନେଇଁ ପରିଡ଼ାର ସ୍ତ୍ରୀ ସେ । ସନେଇଁ ତାର ବର-। ଏଇ ତାର ଘର ।

 

କିନ୍ତୁ, ଘର ଭିତରକୁ ପଶିବାର ଅଧିକାର ତାର ନାହିଁ । କିଏ ଗୋଟାଏ ବାଧା ଦେଉଛି, ପୁଣି ଖାଇବାକୁ ଦେଇ ବିଦା କରୁଛି । କଇଁ ଫେରେ ଚିତ୍କାର କରି, ସନେଇଁ ତାର ବର । କାହିଁକି ତାକୁ ସନେଇଁ ଛାଡ଼ିଲା ? କାହିଁକି ମଲା ତାର ପୁଅ ?

 

ଗାଁ ଲୋକ ଆଶ୍ଚର୍ଯ୍ୟ ହୋଇ କଇଁ ବାଇଆଣୀର କଥା ଶୁଣିଛନ୍ତି । ଖୋଳି ତାଡ଼ି କେତେ କଥା ପଚାରୁଛନ୍ତି । କଇଁ ବାଇଆଣୀର ସେଇ ଗୋଟିଏ କଥା । ସନେଇଁ ତାର ବର । ସେ ତାକୁ ଛାଡ଼ିଛି । ପିଲାପୁଅ ତାର ଖାଇବା ବିନା ମରିଛି ।

 

ସନେଇଁ ତ ଏ କଥା କାହାରିକୁ କେବେ କହି ନାହିଁ ।

 

ଲୋକେ ନିଜ ନିଜ ଭିତରେ ତର୍କ ବିତର୍କ କରିଛନ୍ତି । ବାଇଆଣୀ ବୋଲି କେହି ତାର କଥାକୁ ହସରେ ଉଡ଼ାଇ ଦେଇଛନ୍ତି । କେହି କେହି ଗମ୍ଭୀର ହୋଇ କହିଛନ୍ତି, ଆରେ ବିରାଡ଼ି ବୈଷ୍ଣବ ଦୁନିଆଁରେ ଅନେକ ଅଛନ୍ତି । ନର ମାୟା ନାରାୟଣଙ୍କୁ ଅଗୋଚର । ନିଆଁ ନ ଥାଇ ଧୂଆଁ ଉଠେ କି ? କଇଁ ପାଗଳୀ ନୁହେଁ ତ । ବେଶ୍ ଭଲ କଥା କହୁଛି ।

 

ରାମ ପହରାଜ, ଯିଏ କଇଁର ବାପ ସମାନ, ବଗି କାଣ୍ଡିର ଛ ତିନି ନଅ ଦାନରେ ଦିଓଟି ଗୁଟି ମରାଇ ଅଣ୍ଟା ସଳଖି ବସି, ପଶାକାଠି ଚିପି ଚିପି ଗଡ଼ାଇଦେଲେ, ଗଳା ଫିଟାଇ ଡାକ ହାଁକିଲେ କଚ୍ଚେ ବାଆର । ବଗି କାଣ୍ଡିର ସାଙ୍ଗ ଉଦି ସାହୁ ଖେଙ୍କି ଉଠିଲା, ତିନ୍ ଦାନରେ । ସତକୁ ସତ ଦାନ ପଡ଼ିଲା ତିନି । ପହରାଜେ ଅନ୍ୟ ମନଷ୍କ ହୋଇ କହି ଉଠିଲେ, କଇଁ ବାଇଆଣୀ ଆସିଲାଣି । କିଲୋ, କିଏ ତୋର ବର, ତୋ ପିଲାର ବାପ ?

 

ଗାଁ ଭେଣ୍ଡିଆଏ ଡୁ ଡୁ ଖେଳ ବନ୍ଦ କରି ଚାହିଁଲେ କଇଁ ଆଡ଼କୁ । ହସର ରୋଳ ଉଠିଲା-। କିଏ କେତେ କଣ ପଚାରିଲେ । କିନ୍ତୁ କଇଁ ତାର ନିଜର କଥା ବକିବାକୁ ଲାଗିଲା । କଥାର ଖିଅ ତାର କେଉଁଠି ଛିଣ୍ଡେ, ପୁଣି କେଉଁଠି ଆରମ୍ଭ କରେ, ତାର ଠିକଣା ନାହିଁ ।

 

ଉଦି ସାହୁ କହିଲା, ଆଲୋ କଇଁ, ତୋର ବର ସନେଇଁ ପରିଡ଼ା ଆଇଲାଣି ଲୋ । ତୁ ଏଠି ସେଠି ବୁଲୁଛୁ କାହିଁକି ? ଯା ଯା, ତାରି ଘରକୁ । ସେଇଠି ତୁ ଭଲରେ ରହିବୁ ।

 

କଇଁ ବାଇଆଣୀର ବକିବା ବନ୍ଦ ହେଲା । ସେ ଚାରିଆଡ଼କୁ ଚାହିଁଲା । ସନେଇଁ ପରିଡ଼ା ଦେଖା ଦର୍ଶନ ନାହିଁ । ତା’ ମନକଥା ବୁଝି ଉଦି କହିଲା, ଆଲୋ ସେ ତା’ ଘରେ ଅଛି, ସନେଇଁ ପରିଡ଼ା ବା, ଯାଉନୁ ତା’ ଘରକୁ ?

 

କଇଁ ଗୁଣୁଗୁଣୁ ହୋଇ ଚାଲିଲା ସନେଇଁ ଘରକୁ, ସନେଇଁ ମୋ ବର, ମୋ ପିଲାକୁ ସେଇ ମାରିଛି । ସେଇ ମାରିଛି, ସନେଇଁ ପରିଡ଼ା ।

 

କଇଁ ଚାଲିଗଲା । ଗାଁ ଭେଣ୍ଡିଆଙ୍କ ଡୁ ଡୁ ଖେଳରେ ପୁଣି ଉଡ଼ିଲା ବିଷ୍ଣୁପୁର ଦାଣ୍ଡରେ ଧୂଳି । ପୁଣି ପହରାଜେ ଦାନ ମନାସି ପଶାକାଠ ଚିପି ପାଟିକରି ଛାଡ଼ିଦେଲେ, ଷୋହଳ !

 

ଆଜି ପହିଲି ରଜର ଖେଳ ।

 

ସନେଇଁ ପୁଣି ଢାଳିଦେଲା ତାର ମନ ପ୍ରାଣ କାମରେ । ରହିମ୍ ତାର ଡାହାଣ ହାତ । ସନେଇଁର ଛାଇପରି ସେ ପାଖେ ପାଖେ ଥାଏ । ବୁଝି ବିଚାରି ଦୁହେଁ କରନ୍ତି କାମ । ହଳ କରୁ କରୁ କ୍ଳାନ୍ତ ହୋଇ ସନେଇଁ ବିଲ ମଝିରେ ଠିଆ ହୁଏ । ରହିମ୍ ଘାସ ବଛା ବନ୍ଦ କରି ତା‘ ପାଖକୁ ଯାଏ । ସନେଇଁ କପାଳରୁ ପୋଛେ ଝାଳ । ରହିମ୍‍ କହେ, ତୁ ଉଠ୍‍ ସନେଇଁ ଭାଇ ।

 

ସନେଇଁ କହେ, ରହ, ରହ, ମଟାଳିଆ ମାଟି । ପ୍ରଥମ ଓରଟା ମୁଁ ଚଷି ଦିଏ । ଆର ଓରକୁ ତୁ ପଛେ ହଳ ଧରିବୁ ।

 

ସଞ୍ଜ ବୁଡ଼େ, ଫେରି ଆସନ୍ତି ଦିହେଁ ଘରକୁ । ହଳ ମୁକୁଳେଇ ଫାଁଗାଳି ଦେଇ ବସି ପଡ଼ନ୍ତି ଦାଣ୍ଡ ପିଣ୍ଡାରେ । ସଲୁସୁଲିଆ ପବନରେ ଦେହର ଝାଳ ମରେ । କ୍ଳାନ୍ତ ଆଖିପତା ଟେକି ସନେଇଁ କହେ, ରହିମ୍, ଆମେ ଦୁହେଁ ଯଦି ମରିଥାନ୍ତେ ଦୂର ଗାଁର କେଉଁ ଅପନ୍ତରାରେ, ଆମର ହାଡ଼ ମାସଂର ଆଜି ଚିହ୍ନ ବର୍ଣ୍ଣ ନ ଥାନ୍ତାରେ । ଦୁନିଆଁର କେହି ତ ଆମର କଥା ଭାବନ୍ତେ ନାହିଁ । ଆମର ବଞ୍ଚିବାଟାହିଁ ଆଶ୍ଚର୍ଯ୍ୟ ।

 

ରହିମ୍ କହେ, ଆମେ ମରୁଛୁ ସନେଇଁ ଭାଇ ।

 

ସନେଇଁ କହେ, ଠିକ୍ କଥା । ଆମେ ମରିଥିଲୁରେ । ଦେଶସାରା ତ ମଶାଣି ହେଇଥିଲା-। କୁଢ଼କୁଢ଼ ହୋଇ ଯେଉଁଠି ସେଠି ହାଡ଼ ଗଦା ହୋଇଥିଲା, ମଣିଷର ହାଡ଼ । କିଏ ଚିହ୍ନବ କାହାର । ହାଡ଼ ଗଦା ଭିତରେ ଜାତିଭେଦ, ଧର୍ମଭେଦ, ବଣ୍ଣଭେଦ ନ ଥିଲାରେ ରହିମ୍, ସମସ୍ତେ ସେମାନେ ଥିଲେ ଗୋଟିଏ ଜାତିର ଲୋକ ନ ଥିଲା ଜାତି । ଜାତି, ଧର୍ମ, ବର୍ଣ୍ଣ ଘେନି ଯେଉଁମାନେ ପାଖରେ ଛିଡ଼ା ହୋଇଥିଲେ, ଥିଲା ମଣିଷ ହାତ ପାତିଲେ ମୁଠାଏ ଖାଇବାକୁ ସେମାନେ ଦେଉ ନ ଥିଲେ, ସେମାନଙ୍କ ପାଖରୁ ଆମେ ଫେରି ଆସିଛୁ ହାଡ଼କୁଢ଼ର ମଝିରୁ । ଆମର କାମ କଣ ଜାଣୁ ?

 

ରହିମ୍ ପଚାରିଲା, କଣ ?

 

ସନେଇଁ କହିଲା, ଯିଏ ଅନାଥ, ଯାହାକୁ ସମାଜ ଛାଡ଼ିଛି, ଧର୍ମ ଛାଡ଼ିଛି, ଯିଏ ବଞ୍ଚିବାକୁ ଚାହୁଁଛି ମଣିଷ ହୋଇ, ସିଏ ରହିବ ଏଇ ଘରେ । ଏ ଘରେ ତାର । ସଭିଙ୍କର । ଦେହରୁ ଝାଳ ନିଗାଡ଼ି ସେ ପରିଶ୍ରମ କରିବ । ନିଜର ରକ୍ତ ନିଜେ ପିଇ ସେ ବଞ୍ଚିବ । ଏ ଘରେ ଧର୍ମଭେଦ ରହିବ ନାହିଁ, ଜାତି ଭେଦ ରହିବ ନାହିଁ । ଏ ଘର ହେବ ମଣିଷର, ମୂଳିଆର ନ ଥିଲାର । ନିଜର ମନ ବୁଝିବାକୁ ନିଜର ଆନନ୍ଦ ପାଇଁ ଯିଏ ଯାହର ଦେବତା ଘେନି ବସୁ । କେହି କାହାର ରୁଚିରେ ବାଧା ଦେବେ ନାହିଁ, କିନ୍ତୁ ଶକ୍ତି ଅନୁଯାୟୀ ସଭିଏଁ କରିବେ କାମ । ଯାହା ଭେଇବେ, ସମସ୍ତେ ବାଣ୍ଟି ଖାଇବେ ।

 

ରହିମ୍ କହିଲା, ଭଲକଥା ସନେଇଁ ଭାଇ । ଯେଉଁ ଅନାଥ ଆସିବେ, ଆମେ ତାଙ୍କର ସେବା କରିବା ।

 

ସନେଇଁ କହିଲା, ଆମ ଜୀବନର ଏହାହିଁ ବ୍ରତ ହେଉ ।

 

କିନ୍ତୁ କେହି ତ ସନେଇଁର ଖୋଲାଘରେ ରହିବାକୁ ରାଜି ହେଲେ ନାହିଁ । ପଠାଣ ପିଲା ରହିମ୍ ଯେଉଁଠି ଭାତ ରାନ୍ଧେ, ପାଣପୁଅ ବିଶିଆ ଯେଉଁଠି ପାଣି ଦିଏ, ମସଲା ବାଟେ, ଆଉ ପ୍ରଧାନ ପିଲା ସନେଇଁ ଯେଉଁଠି ଭାତ ବାଢ଼େ, ପାଖପାଖି ତିନୋଟି ପତରରେ, ଦାଣ୍ଡର ନିପାରିଲା ଭିକାରି ମଧ୍ୟ ସେଠି ରହିବାକୁ ରାଜି ହୁଏ ନାହିଁ ।

 

ଭରଥିଆ, ଜାତିରେ ଚମାର । ମୂଲଲାଗି ତିନିପ୍ରାଣୀ କୁଟୁମ୍ବ ପୋଷୁଥିଲା । ଖାଉଁଦ ଘର ନଡ଼ିଆ ଗଛରେ ଚଢ଼ି ନଡ଼ିଆ ପାରୁ ପାରୁ ବାହୁଙ୍ଗା ଛିଡ଼ିଲ ଖସିପଡ଼ିଲା ଚାଳ ଉପରେ । ପ୍ରାଣ ସିନା ରହିଲା, ଛ’ ମାସ କାଳ ବିଛଣାରେ ପଡ଼ି ଯେତେବେଳକୁ ଉଠିଲା, ଅଣ୍ଟା ଭାଙ୍ଗି ଯାଇଛି । ସଳଖ ହୋଇ ଠିଆ ହୋଇପାରିଲା ନାହିଁ । ଦୁଇ ହାତରେ ଜୋର ନାହିଁ । ବାଡ଼ିଖଣ୍ଡେ ଧରି ବଙ୍କେଇ ବଙ୍କେଇ ଚାଲିଲେ ହାତ ଥରି ଉଠୁଛି । ଖାଇବା ବିନା ବୁଢ଼ୀ ମା’ ମଲା । ଅକର୍ମଣ୍ୟ ଗେରସ୍ତକୁ ବେଙ୍ଗୁଲୀ କେତେଦିନ ଆଉ ପୋଷନ୍ତା । ବଳ ବଅସ ଥିଲା ଟୋକୀଟା । ଭରଥିଆକୁ ଛାଡ଼ି ସେ ବି ଅନ୍ୟ ମୁଣ୍ଡ ଧରି ଚାଲିଗଲା । ଭରଥିଆର ଉପାୟ କଣ ?

 

ଖାଉଁନ୍ଦ ଘରକୁ ଗଲେ, ପାଞ୍ଚସାତ ଥର ସିନା ପେଜପାଣି ଦେଲେ । ସବୁଦିନେ କିଏ ଦେବ ? ନଡ଼ିଆ ଗଛରେ ଚଢ଼ି ନଡ଼ିଆ ପାରିବାକୁ ସିନା ସେ ବରଗିଥିଲେ । ପଡ଼ିବାକୁ ତ ସେ କହି ନ ଥିଲେ । ତାଙ୍କର ଦୋଷ କଣ ? ପେଜ ତୋରାଣି ମାଗିଗଲେ ଖାଉଁନ୍ଦାଣୀ ଦୂରରୁ ଦେଖି ମନା କରୁଛନ୍ତି । ଭରଥିଆ ନିପାରିଲା, ଅକର୍ମଣ୍ୟ । ଦାଣ୍ଡରେ ଥରିଥରି ଚାଲେ, ଭିକ ମାଗେ । କେତେ ଗାଁ ବୁଲି ବିଷ୍ଣୁପୁରରେ ପହଞ୍ଚିଲା ।

 

ରହିମ୍‍ ଡାକିନେଲା ତାକୁ ଘରକୁ । ସବୁକଥା ସନେଇଁକୁ ସେ କହିଲା । ଶେଷ କଲା କଥା, ସନେଇଁ ଭାଇ, ଭରଥ ଆମର ବଗିଚା ଛାଇତଳେ ବସି ପାଟି କରିବ, ବୁଲା ଗାଈଗୋରୁ, ଛେଳିମେଣ୍ଢା ଗୋଦା ମେଲା କରି ଫସଲ ନଷ୍ଟ କରିବେ ନାହିଁ । ଆମେ କାମକୁ ଗଲେ, ଭରଥ ଜଗିବ ଘର ।

 

ଠିକ୍‍ରେ ରହିମ୍ । ଭରତ ଏଣିକି ଏଇଠି ରହିବ । ଏ ଘର ହେବ ତାର । ସେ ଆମର ଭରଥ ଭାଇ । ଚାରିପଦ କଥା କହିବ ତ । ସେତିକି ଆମର ଲୋଡ଼ାରେ ।

 

ଭରଥ ପାଇଲା ଆଶ୍ରା ସନେଇଁ ଘରେ । ଦୁଇଦିନ ପରେ ସେ ବୁଝିଲା, ଏ ଘରେ ଜାତିଭେଦ ନାହିଁ । ହିନ୍ଦୁ, ପଠାଣ, ପାଣ ଏକା ପତରରେ ଖାଅନ୍ତି । କି ପାପରୁ ତ ଆଜି ଏ ଅବସ୍ଥା, ପୁଣି ଆହୁରି କରିବ ପାପ ? ଯେତିକି ହେଲା ସେତିକି । ବାଟ କଡ଼ରେ, ଗଛତଳେ ପଡ଼ି ପ୍ରାଣ ଯାଉ ପଛକେ, ସେ ଏଠି ରହିବ ନାହିଁ । ସନେଇଁ କେତେ ବୁଝାସୁଝା କଲା, ଆରେ ଭରଥିଆ ଭାଇ, ମଣିଷର ଜାତି ଗୋଟାଏରେ, ସେ ମଣିଷ ଜାତି । ଧର୍ମ ବି ଗୋଟାଏ, ବଞ୍ଚିରହିବା ମଣିଷର ଧର୍ମ ।

 

ଭରଥ ମଙ୍ଗିଲା, ଖୁସିରେ ରହିଲା ।

 

ସେମିତି ମଙ୍ଗିଲା କାଶୀ ବେଜ୍, ଭଣ୍ଡାରି । ଖାଉଁନ୍ଦଙ୍କର ସେବାକରି ଖାଉଁନ୍ଦଙ୍କୁ ଭଲକଲା ସିନା, ଡିଆଁରୋଗ ବସନ୍ତ-ତାକୁ ଧରିଲା । ଟୋକା ବଅସରେ ଆଖି ଦିଓଟି ହରାଇ ସେ ବି ଦାଣ୍ଡେ ଦାଣ୍ଡେ ଭିକ ମାଗି ବୁଲୁଥିଲା ।

 

ଆସିଲା ପୁଣି ଯୋହନ ବୁଢ଼ା । ଦୁର୍ଭିକ୍ଷରେ ସମସ୍ତେ ତାର ମରିହଜି ଗଲେ । ଜମିଦାର ନିଲାମ କରିନେଲେ ଗରିବର ଘରଡ଼ିହଖଣ୍ଡି । ଅପାରଗ ଷାଠିଏ ବର୍ଷର ବୁଢ଼ା ଦାଣ୍ଡକୁ ଆସିଲା । ସନେଇଁର ନୂଆ ସଂସାରରେ ସେ ବି ପାଇଲା ଆଶ୍ରା ।

 

ଶେଷକୁ ଆସିଲା କଇଁ ବାଇଆଣୀ । ହସିଲା, କାନ୍ଦିଲା, ଅନର୍ଗଳ ବକିଲା, ତୁମେ ମୋର ବର ସନେଇଁ ଭାଇ ।

 

ସନେଇଁ ସବୁ ଶୁଣିଲା । ସହାନୁଭୂତିରେ ତାର ଛାତି ନରମି ଆସିଲା । ସତେ, ବେଳ ଯଦି ବଦଳି ନ ଥାନ୍ତା ବନେଇଁ ପରିଡ଼ା ଏଇ କଇଁକି କରିଥାନ୍ତେ କୁଳର ବୋହୂ, ଏ ଘରର ଘରଣୀ । କାହିଁକି କଇଁ ଦାଣ୍ଡରେ ବୁଲନ୍ତା, କାହାର ପିଲା କୋଳକୁ ଆଣି, ପୁଣି ତାକୁ ହରାଇ ବାଇଆଣୀ ହୋଇ ଖୋଜି ବୁଲନ୍ତା ।

 

ସନେଇଁ କହିଲା, ହଁ ଲୋ କଇଁ, ଏଇ ତୋର ଘର । ଏଇଠି ରହ । ଏଇ ଯୋହନ କକା ତୋର ଶଶୁର । କାଶୀ ବେଜ୍, ଭରଥ ସାମଲ ତୋର ଦି’ ପୁଅ । ଏଇ ରହିମ୍ ତୋର ଭାଇ, ଆଉ ମୁଁ, ମୁଁ ତ ତୋର ବର । ଏଇଠି ରହ କଇଁ । ଆମରି ପାଖରେ । ଏ ଘର ତୋର । ଚାରିଆଡ଼େ ଯାହା ଦେଖୁଛୁ ସବୁ ତୋର । ଆମେ ଯାହା ଅର୍ଜିବୁ ସବୁ ଆଣି ତୋରି ପାଖରେ ଥୋଇଦେବୁ । ତୋରି ହାତରେ ତୁଇ ବାଣ୍ଟିକରି ଆମକୁ ମୁଠାଏ ଖାଇବାକୁ ଦେବୁ । ପାରିବୁ ନାହିଁ ?

 

କଇଁ କଟମଟ କରି ଚାହିଁଲା ସଭିଙ୍କୁ । ସନେଇଁର ଦରହସିଲା ମୁହଁକୁ ଚାହିଁ କହିଲା, ଏମାନେ ସବୁ କିଏ ? ମୋ ବନେଇଁ ଦାଦି କାହିଁ ? ଟିକୁଟି କାହିଁ ? ମନିଆଁ, କୁନି, ପୁନି କାହାନ୍ତି ?

 

ସନେଇଁର ଆଖିରେ ଲୁହ ଆସିଲା । କଇଁକୁ ଦେଖି ତାର ମନେହେଲା, ସମସ୍ତେ ଯେପରି ଫେରି ଆସିଛନ୍ତି । ସମୟର ଚକ ଓଲଟି ଆସିଛି । ଆଖି ଆଗରେ ଉଭାହେଲା ଅତୀତର ଗୋଟିଏ ଦୃଶ୍ୟ । କଇଁର ମୁଣ୍ଡ ଆଉଁସି ତାର ବାପ କହିଥିଲା, କାନ୍ଦ୍‍ ନା, ଏଇ ତୋର ମା’ । ସନେଇଁ ବୋଉକୁ ଦେଖାଇ ଦେଇଥିଲେ । ତା’ ପରେ-

 

ସବୁ ଓଲଟ ପାଲଟ ହୋଇଯାଇଛି ।

 

କଇଁ ବାଇଆଣୀ ହୋଇ ଆଗରେ ଠିଆ । ସମାଜ ତାକୁ ଛାଡ଼ିଛି । ସେ ଅଛୁଆଁ, ଅଜାତି, ପତିତା । ଯେତେ ଯାହା କଲେ, ବ୍ରାହ୍ମଣ ଭୋଜନ, ପ୍ରାୟଶ୍ଚିତ୍ତ, ଜ୍ଞାତିକୁଟୁମ୍ବ ଚର୍ଚ୍ଚା, ସେ ଆଉ କୁଳକୁ ଫେରିବ ନାହିଁ । ସେ ଧର୍ମ ଛାଡ଼ିବ, ପୁଣି କେଉଁ ଅକୁଳରେ ପଶିବ । ନୋହିଲେ, ବାଇଆଣୀ ହୋଇ ଦାଣ୍ଡେ ଦାଣ୍ଡେ ଭିକ ମାଗିବ, ଗଛମୂଳ ଆଶ୍ରା କରିବ । ଅଦିନରେ ବେମାର ହୋଇ ଗଛମୂଳରେ ମରି ପଡ଼ିବ । ମଲାପରେ ମଧ୍ୟ ତାର ମଢ଼କୁ ମଣିଷ ଛୁଇଁବ ନାହିଁ । ସେ ଅପବିତ୍ର, ଅଛୁଆଁ, ଅଜାତି ପତିତା । ବିଲୁଆ କୁକୁର ଟାଣିବେ କଇଁର ମଢ଼ ।

 

ଏଇ କଇଁ, ଆଗରେ ଠିଆ ହୋଇଛି । ଫୁରୁ ଫୁରୁ ଉଡ଼ୁଛି ମୁଣ୍ଡର ନୁଖୁରା ବାଳ । ପଶିଲା ପଶିଲା ଆଖି, ଗାଲ । ଅଧାଘୋଡ଼ା ଛାତିର ହାଡ଼ ଗଣି ହେଉଛି । ସରୁ ସରୁ ହାତ ଦିଓଟି । ପିନ୍ଧିଛି ଛିଣ୍ଡା ମଇଳା ଲୁଗା । ପୃଥିବୀର କୋଟି କୋଟି ମଣିଷ ଭିତରେ ଏ ବି ଜଣେ । ଜନ୍ମ ହେଲାବେଳେ ସବୁ ମଣିଷ ପିଲା ସେମିତି ନଙ୍ଗଳା ହୋଇ ଜନ୍ମ ହୋଇଥାନ୍ତି, ଏ ବି ଦିନେ ସେମିତି ଜନ୍ମିଥିଲା, ମା’ର ଛାତିରୁ ରସ ଟାଣିଥିଲା । ଧରିତ୍ରୀ ମାତାର କୋଟି କୋଟି ମଣିଷ ପିଲା ଭିତରେ ଜଣେ ହୋଇ ଗଣା ହୋଇଥିଲା ।

 

କଇଁ ମରିବ ଅପନ୍ତରାରେ ପଡ଼ି ରୋଗରେ ଛଟପଟ ହୋଇ । ଗାଈଗୁହାଳରେ ଆଶ୍ରା ପାଇବାର ଅଧିକାର ତାର ନାହିଁ । ଭଣ୍ଡାରରେ ପଶି ମୂଷା ବିଲେଇ ଯାହା ଖାଇ ପାରନ୍ତି, ସେତକ ପାଇବାରୁ ସାହାସ ତାର ନାହିଁ । ସେ ପତିତା ।

 

ସନେଇଁର ଛାତି ଭିତରୁ ଉଠିଲା କୋହ ।

 

କହିଲା, କଇଁ, ସେମାନେ ନାହାନ୍ତି ଲୋ, ସମସ୍ତେ ମରିହଜି ଯାଇଛନ୍ତି । ଯେମିତି ମରିଛନ୍ତି ତୋର ବାପା । ଯେମିତି ମରିଛି ତୋ କୋଳର ପିଲା । ସେଥିକି ଚିନ୍ତା କଣ ଲୋ ? ଦୁନିଆଁରେ କଣ ବାପ, ଭାଇ, ବନ୍ଧୁ କୁଟୁମ୍ବର ଅଭାବ ଅଛି ? ଦେଖ୍ ଦେଖ୍ ମୋର ଏଇ ଯୋହନ କକାଙ୍କୁ; କାଶୀ, ଭରଥ, ରହିମ୍‍କୁ । ସମସ୍ତେ ଆମର ବାପ, ଭାଇ, ପୁଅ । କଇଁ, ଏ ତୋରି ଘର । ଏଇମାନଙ୍କ ସେବା କର, ସୁଖରେ ଆନନ୍ଦରେ ରହ ।

 

କଇଁ ବାଇଆଣୀର ମନରେ ସବୁ କଥା ପଶିଲା । ଗତକଥା ଜଳଜଳ ହୋଇ ଆଖିକୁ ଦିଶିଲା । କ୍ଷଣକ ପାଇଁ ତାର ପାଗଳାମୀ ଘୁଞ୍ଚିଲା, ଆଖିରୁ ଝରିଲା ଲୁହ ।

 

କହିଲା ସନେଇଁ ଭାଇ, ଆମେ ବଞ୍ଚିବା କାହିଁକି ତେବେ ?

 

ସନେଇଁ କହିଲା, ମଣିଷ ବଞ୍ଚେ ବଞ୍ଚିବା ପାଇଁ । ଆମେ ବି ବଞ୍ଚିବା । ଆରେ ରହିମ୍, ନେ ଘରକୁ ନେ । ଏଇ ତୋର ବଡ଼ ଭଉଣୀ, କଇଁ ।

 

ରହିମ୍‍ ଧରିଲା କଇଁର ହାତ, ଆ କଇଁ ଅପା । ଏଇ ତୋର ଘର । ଏ ଚାବି ମୁଠାକ ତୁଇ ରଖିଥା । ଯୋହନ କକାଙ୍କୁ ପଚାରି କାରବାର କରିବୁ ।

 

ଯୋହନ କହିଲା, ଆ ମା’ କଇଁ । ଭଗବାନଙ୍କର ଘର ଇଏ । ଆମେ ତୋର ପିଲାଛୁଆ-। ଆମ ପାଟିରେ ଆଧାର ଦେଇ ତୁ ଆମର ପ୍ରାଣ ରଖ ।

 

ବାଇଆଣୀ କଇଁ ସଭିଙ୍କ ମୁହଁକୁ ବଲବଲ କରି ଚାହିଁଲା । ପରିଡ଼ା ବଂଶର ଘର ଇଏ, ଦୁନିଆଁର ବାହାରେ । ଦୁନିଆଁର ଯେଉଁଠିକି ସେ ଯାଇଛି ସମସ୍ତେ ତାକୁ ଗାଳିମନ୍ଦ ଦେଇଛନ୍ତି, ମାରି ଗୋଡ଼ାଇଛନ୍ତି । କାହାରି ତୁଣ୍ଡରୁ ପଦେ ମିଠା କଥା ଶୁଣିନାହିଁ । ଏଠି ସମସ୍ତେ ତାକୁ ଆଦର ସ୍ନେହ କରୁଛନ୍ତି । ଘରେ ରହିବାକୁ ନିମନ୍ତ୍ରଣ କରୁଛନ୍ତି । କଇଁ ଆଶ୍ଚର୍ଯ୍ୟ ମଣିଲା । ରହିମ୍‌ର ହାତ ଧରି ସନେଇଁର ଘରକୁ ଗଲା ।

 

ଆହୁରି କେତେ ଅନାଥ ପତିତ ଆସିଲେ । ସନେଇଁ ଯେତେ ବୁଝାଇଲେ ସେମାନଙ୍କର ମନ ମାନିଲା ନାହିଁ । କାୟା ନଷ୍ଟ କରନ୍ତେ ! ଅଧର୍ମ, ପାପ କରନ୍ତେ ! ଯେଉଁ ଘରେ ଜାତି ଧର୍ମ, ଭଲ ମନ୍ଦର ଭେଦ ନାହିଁ, ସେଠାରେ ଆଶ୍ରା ନିଅନ୍ତେ ? ସମସ୍ତେ ଆଶା କରୁଛନ୍ତି, ପୁଣି ତାଙ୍କର କପାଳ ଖୋଲିବ, ବେଳ ବଦଳିବ । ଆଜି ଭିକ ମାଗୁଛନ୍ତି, କାଲି ପୁଣି ସୁସ୍ଥ ରହିବେ । ଜାତି ହେବେ-। କୁଳରେ ମିଶିବେ । ସମାଜରେ ପଶିବେ । ବାପଅଜା ଯେମିତି ଭଲରେ ଘରସଂସାର କରୁଥିଲେ, ସେମତି ଘର କରିବେ ସେମାନେ । ନିଜେ ନ ପାରିଲେ ମଧ୍ୟ ପୁଣି ତାଙ୍କ ପୁଅ, ନାତି ଧନ ସଞ୍ଚି ଦିନେ ବଡ଼ ଲୋକ ହେବେ । ଜମି ଜମିଦାରୀ କିଣିବେ । କୋଠାବାଡ଼ି କରିବେ, ଦେଶରେ ନାମ ପଡ଼ିବ, ବାପଅଜାଙ୍କର ଆତ୍ମା ଖୁସି ହେବ ସ୍ଵର୍ଗରେ ।

 

ସନେଇଁର ସର୍ବଘଟ ଦିବାକର ଘରେ ରହନ୍ତେ ସେମାନେ, କାମକରି ପେଟ ପୋଷନ୍ତେ-! ଭିକ ଚାଉଳ ବିକି ଅଣ୍ଟାରେ ଯେଉଁ ଚାରି ପଇସା ଖୋସିଛନ୍ତି, ଯାହାକୁ ମୋର ବୋଲି କହି ଗର୍ବ କରିବାର ସ୍ଵାଧୀନତା ତାଙ୍କର ଅଛି, ଆନନ୍ଦ ଅଛି, ସେତକ ଛାଡ଼ି ନିଲଠା ମୁହଁରେ କହନ୍ତେ ଆମର । ସବୁ ଆମର । ଏହି ବିରାଟ ଦୁନିଆଁ, ଅନନ୍ତ ଆକାଶ ସବୁ ଆମର । ବିରାଟ ମଣିଷ ଜାତି ଆମର ।

 

ଭିକାରୀ ସିନା ସେମାନେ କର୍ମଦୋଷରୁ ହୋଇଛନ୍ତି, ପାଗଳ ତ ନୁହଁନ୍ତି ।

 

ସମସ୍ତେ ଫେରିଲେ । ସନେଇଁ ଭାବିଲା ତାଙ୍କରି କଥା । ନିର୍ବୋଧ କିଏ ? କିଏ କରୁଛି ଠିକ୍, ଆଉ କିଏ କରୁଛି ଭୁଲ ।

 

ବାପ ଦାଦିଙ୍କର ସେବା ଯତ୍ନରେ ଧୋବୀ ସିନା ଭଲ ହେଲା, ସେପୁରରୁ ଫେରିଆସିଲା, କିନ୍ତୁ ତାର ସୁଖ ଆନନ୍ଦ କାହିଁ ? ତାର ବୋଉ ଆସିଥିଲେ ତାର ସେବା କରିବାକୁ, କିନ୍ତୁ ସେ ନିଜେ ବସନ୍ତ ରୋଗରେ ପଡ଼ିଛି । ଦେହରେ ଖୁଦ ପକାଇବାକୁ ରାହା ନାହିଁ । ଦୁଇ ଆଖିରେ ବସନ୍ତ ବାହାରି ଆଖି ଦିଓଟି ନଷ୍ଟ କରି ଦେଲାଣି । ସବୁବେଳେ ଯନ୍ତ୍ରଣାରେ ସେ ଚିତ୍କାର କରୁଛି, ଛଟପଟ ହେଉଛି । ତୁଣ୍ଡରେ ଗୋଟିଏ ଡାକ, ଧୋବୀ ଲୋ ।

 

ଭାବୁଛି ଧୋବୀ, ତାର ମରଣ ନ ହେଲା କାହିଁକି ? ତ୍ରାହିଗତି ପାଇ ଯାଇଥାନ୍ତା । କି ସୁଖପାଇଁ ଦଇବ ତାକୁ ବଞ୍ଚାଇ ରଖିଲା ? ଶଶୁର କୁଳରେ କେହି ନାହିଁ । ବୋଉ ଯଦି ଚାଲିଯାଏ, ଆହା ବୋଲି ପଦେ କହିବାକୁ କିଏ ଅଛି ? ବାପା ଦାଦି ବିରକ୍ତ ହୁଅନ୍ତି । କାହିଁକି ତୁ ଧାଇଁ ଆସୁଛୁ ? ଯା ସେ ଘରକୁ । ଭଗବାନଙ୍କର ଇଚ୍ଛା ଯାହାଥିବ, ହେବ ।

 

ଧୋବୀ କାନ୍ଦି କାନ୍ଦି ବଲ୍ଲୀ କାନ୍ଧରେ ହାତ ଭରାଦେଇ ଫେରିଯାଏ । ପୁଣି କେତେକଥା ଭାବେ । ବୋଉର ଚିତ୍କାର ଶୁଣି ଉଠିବସେ । ପୁଣିଯାଏ ।

 

ସ୍ତ୍ରୀଙ୍କର ଯନ୍ତ୍ରଣା ଦେଖି ସୋଇଁ ଧୈର୍ଯ୍ୟଧରି ରହିପାରନ୍ତି ନାହିଁ । ହାତଧରି ଘରକୁ ଆଣିଲା ଦିନୁ କେବେ ତାକୁ ସେ ଅନାଇଁ ନାହାନ୍ତି, କୌଣସି କଥାରେ କେବେ ପରାମର୍ଶ ଲୋଡ଼ି ନାହାନ୍ତି । ଧୋବୀବୋଉ ନିଜେ ବି କେବେ କୌଣସିଥିରେ ଓଜର ଆପତ୍ତି କରିନାହାନ୍ତି । ସଂସାରର ସବୁ ଦାୟିତ୍ଵ ମୁଣ୍ଡରେ ବୋହି ପାଟି ବନ୍ଦକରି ଚଳି ଆସିଛନ୍ତି । ଗୋଟଏ ମାତ୍ର ଅନୁରୋଧ ଅଛି ତାଙ୍କର, ଧୋବୀକୁ ସନେଇଁ ସଙ୍ଗେ ବାହା କରିଦିଅ । ସେଇ ଗୋଟିଏ ଅନୁରୋଧ ରଖିନାହାନ୍ତି ସୋଇଁଏ । ଯନ୍ତ୍ରଣାରେ ଛଟପଟ ହୋଇ ସେଇ ଗୋଟିଏ କଥା ସେ କହି ଉଠିଛନ୍ତି-ତୁମେ ପରା ବଞ୍ଚିଥିଲେ ନିଧି ଧୋବୀକୁ ସନେଇଁକୁ ବାହା କରିଦେବ ।

 

ଚିନ୍ତେଇ ସୋଇଁଙ୍କ ପାଖରେ ତାଙ୍କର କୌଣସି ଅନୁରୋଧ ନାହିଁ । ନିଷ୍ଠୁର ସ୍ଵାମୀଙ୍କର ଏକବାଗିଆ ଢଙ୍ଗ ସେ ଭଲକରି ଜାଣନ୍ତି । ଏଡି ଭାବନା ହିଁ ଚିନ୍ତେଇ ସୋଇଁଙ୍କର ପଥୁରିଆ ମନରେ ବାରମ୍ବାର ଆଘାତ ଦେଉଛି । ସେ ସ୍ତ୍ରୀଙ୍କ ମନରେ ସ୍ଵାନ୍ତନା ଦେବାକୁ ଥରକୁଥର କହୁଛନ୍ତି, ତମେ ନିଶ୍ଚିନ୍ତ ହୁଅ । ଠାକୁରେ ତମକୁ ଶୀଘ୍ର ଭଲ କରିଦେବେ । ତମେ ନିଜେ ଧୋବୀକୁ ସନେଇଁ ହାତରେ ଦେବ । କେହି ବାଧା ଦେବେ ନାହିଁ ।

 

ନିଧେଇ ଖୁସି ହୋଇ ଦି’ଗୁଣ ଉତ୍ସାହରେ କହନ୍ତି, ବ୍ୟସ୍ତ ହୁଅନା ନୂଆଉ, ଧୋବୀ ସନେଇଁକୁ ବାହାହେବ । ତମର ଦେହ ଭଲ ହେଉ ।

 

ଦେହ ଭଲ ହେଲାନାହିଁ । ଦିନୁ ଦିନୁ ଅବସ୍ଥା ଖରାପ ହେବାକୁ ଲାଗିଲା । ଦେହର ଘାଆଗୁଡ଼ିକ ଦଲଦଲେଇ ଉଠିଲା । ଶେଷକୁ ହତଜ୍ଞାନ ହେଲେ । ଦେବସ୍ନାନ ପୂର୍ଣ୍ଣମୀ ଦିନ ଠିକ୍ ସୂର୍ଯ୍ୟ ଉଠିଲାବେଳକୁ ଧୋବୀବୋଉଙ୍କର ଶେଷ ନିଃଶ୍ଵାସ ବାହାରିଗଲା । ସ୍ଵାମୀ, ଦିଅର, ଝିଅ ପାଖରେ ଜଗି ବସିଥାନ୍ତି । ସେଦିନ ଗୁରୁବାର ।

 

ଲୋକେ କହିଲେ, ଧୋବୀବୋଉ କେତେ ପୁଣ୍ୟ କରିଥିଲେ, କେଡ଼େ ବଡ଼ ଦିନ ପାଇଲେ ।

 

ନିମପୁର ଜମିଦାର ଶିବ ଛୋଟରାୟ ଯେତେବେଳେ ପଶାଖେଳରେ ବ୍ୟସ୍ତ ଥିଲେ, ସଦର ଗୁମାସ୍ତା ଗୋବିନ୍ଦ ପଧାନ କାନରେ କଲମ ଖୋସି, ବସ୍ତାନି ଜାକି ସେଠାରେ ପହଁଞ୍ଚି ଗଲେ-। ଭାବିଲେ ପରିଡ଼ା ଟୋକାକୁ ସାଧ୍ୟ ନ କଲେ ଚଳିବ ନାହିଁ । ତିନିବର୍ଷ ତଳେ ଥରେ ଆସି ଜମି ମାଗି ନେଇଥିଲା । ସେଇଦିନୁ ଆଉ ତାର ଦେଖାଦର୍ଶନ ନାହିଁ । ଅବଶ୍ୟ, ପଧାନେ ବର୍ଷକୁ ଦୁଇଥର ପାଉଣା ଅସୁଲ କରି ଆଣନ୍ତି, କିନ୍ତୁ କେବେ ପାଉତିପତ୍ର ଦିଅନ୍ତି ନାହିଁ । କଥାରେ କଥାରେ ସେ ବାପଲୋ ଧନଲୋ କହି ପାଣିରେ ସର ପକାନ୍ତି । ସମସ୍ତଙ୍କୁ ଆପଣାର କରି ନିଅନ୍ତି, କିନ୍ତୁ ଜମିଦାରଙ୍କ ସିରସ୍ତାରେ ଖଜଣ ଅସୁଲ ପଡ଼େ ନାହିଁ । ସବୁ ବକେୟା ଜମେଲା ତଳେ ଗଡ଼ୁଥାଏ ।

 

ଗୋବିନ୍ଦ ପଧାନଙ୍କର ଶନି ଦୃଷ୍ଟିରେ ଏଇ ବକେୟା-ଜମେଲା ହିରଣ୍ୟଗର୍ଭରେ କେତେ ରାଣ୍ଡୀଖଣ୍ଡୀ, ନିରୀହ ସରଳ ଚାଷୀ ସେମାନଙ୍କର ସର୍ବସ୍ଵ ଅଜାଡ଼ି ଦେଇ ବାଟରେ ଠିଆ ହୋଇଛନ୍ତି-। ଜମିଦାରଙ୍କ ସମ୍ପତ୍ତି ହ୍ରାସ ହୋଇନାହିଁ; କିନ୍ତୁ ଗୋବିନ୍ଦ ପଧାନଙ୍କର ସମ୍ପତ୍ତି ଦିନୁଦିନ ବଢ଼ୁଛି । ହେଲେ ମଧ୍ୟ ସେ ଜମିଦାରଙ୍କ ବିଶ୍ଵାସୀ, ପ୍ରିୟପାତ୍ର, ଯାହା କହନ୍ତି ଛୋଟରାୟ ସେଇଆ କରନ୍ତି ।

 

ସାମାନ୍ୟ ସନେଇଁ ପରିଡ଼ା ତାଙ୍କ ହାତରୁ ବଳେଇ ଯିବ ? ଜମିଦାରଙ୍କର ବାପାଙ୍କର ବର୍ଷିକିଆ ଶ୍ରାଦ୍ଧକୁ କେଡ଼େ ଆଡ଼ମ୍ବରରେ ଜନ୍ତାଳ ହୁଏ । ପ୍ରତିବର୍ଷ ସାହିଭାଇ ପତର ପକାନ୍ତି । ଜମିଦାରୀରୁ ସବୁଚିଜ ଆସେ । ଅଣ୍ଟନିଅଣ୍ଟକୁ ସଦର ତହବିଲରୁ ଖରଚ ହୁଏ । ନିଜେ ଗୋବିନ୍ଦ ପ୍ରଧାନେ ଜାଳିଆ ଯୋଗାଡ଼ କରି ବିଷ୍ଣୁପୁର ପଠାଇଥିଲେ । ସେ ଜାଣନ୍ତି ସନେଇଁର ପୋଖରୀରେ ବଡ଼ ବଡ଼ ମାଛ ଅଛନ୍ତି । ଦୁଇ ମହଣ ମାଛ ହେଲେ ଯାହାକୁ ଯେତେ ।

 

ସନେଇଁ ପରିଡ଼ା ନୁହେଁ ତ ତାର ଚାକର ଟୋକାଟା ପୁଣି ଅପମାନ ଦେଇ ଫେରାଇ ଦେଲା । ଜମିଦାରଙ୍କ ଚିଟାଉ ମଧ୍ୟ ଥରେ ଦେଖିଲା ନାହିଁ । କହିଲା କଣ ନା ଜମିଦାର ଖଜଣାର ମାଲିକ । ଯିବା ଲୋକେ ଫେରିଆସି ସେଇ କଥା କହିଲେ । ଜମିଦାରଙ୍କ ଏତେ ବଡ଼ ସୁନାମ ମାଟିରେ ପଡ଼ିଲା । ଛତରଖିଆ ମୁଲିଆମୁଣ୍ଡ । କାଲି ଆସି ଗୋଡ଼ ଭାଙ୍ଗି ଠିଆହୋଇ କେତେ ନେହୁରା ହୋଇ ଜମି ନେଇଛି । ଆଜି ପୁଣି ବହପ ଦେଖ । ହେଲା ବା ସନେଇଁ ଘରେ ନ ଥିଲା । ଫେରି ଆସି ଚାକର ମୁହଁରୁ ସବୁ ଶୁଣିଥିବ ତ । ଧାଇଁ ଆସିଲା ନାହିଁ ? ଜମିଦାରଙ୍କର ଗୋଡ଼ତଳେ ପଡ଼ି ଦୋଷ ମାଗିନେଲା ନାହିଁ ? ଏଡ଼େ ଗର୍ବ ।

 

ପଧାନ ଏସବୁ ଘଟଣା ଜମିଦାରଙ୍କୁ ବୁଝାଇ ଦେଇଛନ୍ତି । ତାଙ୍କର ଆକ୍ରୋଶର ନିଆଁକୁ ଜଳାଇଛନ୍ତି । ଜମିଦାର ଆଦେଶ ଦେଇଛନ୍ତି, ଅବାଧ୍ୟ ପ୍ରଜାକୁ ସାଧ୍ୟକର । ପ୍ରଜାର ମୁହଁ ଭାଙ୍ଗ, ନୋହିଲେ ପ୍ରଜାଙ୍କୁ ପାରିହେବ ନାହିଁ । ସମସ୍ତେ ଉପରମୁହାଁ ହେବେ, ଶେଷକୁ ଜମିଦାର ଯିବ ।

 

ପଧାନେ ତ ସେଇଆ ଚାହୁଁଥିଲେ । ତା’ପର ଏ ଭିତରେ ସନେଇଁ ଯେଉଁ କାଣ୍ଡ କରିଛି, ସେଥିରେ ତା’ ପ୍ରତି ଦୟାମାୟା ନ ହେବାର କଥା । ଜାତି ଛାଡ଼ିଛି, ଧର୍ମ ଛାଡ଼ିଛି, ପୁଣି କହୁଛି ସଂସାର ଯାକ ସବୁ ତାଙ୍କର । ଏସବୁ କି ସହି ହୁଏ ? ସେ ପାଗଳ ହେଲା ବୋଲି ତ ସଂସାର ପାଗଳ ହେବନାହିଁ ? ଏତେ କଥାରୁ କଣ ? ମୂଳୁ ମାଇଲେ ଯିବ ସରି, ଦେବଙ୍କ ସଙ୍ଗେ କିମ୍ପା କଳି-। କିମିତି ମୂଳ ମାରିବାକୁ ହେବ, ସେ କଥା ପଧାନେ ଭଲକରି ଜାଣନ୍ତି । ହାତରେ ନ ମାରି ଭାତରେ ମାରିଲେ କେହି ଜାଣିବେ ନାହିଁ । ଚେର କାଟିଲେ ଗଛ ମରିବ । ପୁଣି ସିନଆଁ ବାଟକୁ ଯିବ । ତାର ମରଗ ମରିବ ।

 

ଏଇ ବିଷୟରେ ପରାମର୍ଶ କରିବାକୁ ସେ ନଥିପତ୍ର ଧରି ଜମିଦାରଙ୍କ ପାଖକୁ ଆସିଛନ୍ତି-

 

ଜମିଦାରଙ୍କ ଖେଳ ସରିଲା । ବେଳ ରତରତ । ପଥାନେ ସେମିତି ଠିଆ ହୋଇଥିଲେ । ମାଲିକ ତାଙ୍କୁ ବସିବାକୁ କେତେଥର ଇସାରା ଦେଲେଣି । ସେ ତ ବଡ଼ଲୋକର ଗୁଣ, ଉଦାରତା, କିନ୍ତୁ ଛାର ଚାକରଟା ହୋଇ, ଗୋଟିଏ ତହସିଲଦାର ହୋଇ, ଏପରି ସାହାସିଆ କାମ କରିବେ କିପରି ?

 

ଖେଳ ଭାଙ୍ଗିଲା । ଜମିଦାରଙ୍କ ଚିତାପଟ । ଯୋଦ୍ଧାମାନେ ମେଲାଣି ନେଲେ । ଜମିଦାର ମୁହଁ ବୁଲାଇ ପଚାରିଲେ, କଣ କଲ ?

 

କାଗଜପତ୍ର ତଳେ ରଖି ତହସିଲଦାର କହିଲେ, ତିନିବର୍ଷର ଖଜଣା ବାକି ।

ନାଲିସ୍‍ କର ।

ଆଜ୍ଞା ହଁ । ମତେ ଯାଜପୁର ଯିବାକୁ ପଡ଼ିବ ।

କାହିଁକି ? କୋଟ୍‍-ମୋହରିର କଣ କରିପାରିବ ନାହିଁ ।

ଏକତରଫା ଡିଗ୍ରୀର ଯୋଗାଡ଼ କରିବା ଦରକାର ।

ଯାହା କରୁଛ କର, ଅବାଧ୍ୟ ପ୍ରଜାର ମୁହଁ ନ ଭାଙ୍ଗିଲେ ଆମର ମୁହଁ ତଳକୁ ହବ ।

ଆଜ୍ଞା ହଁ ।

 

ଜମିଦାର ଉଠି ଭିତରକୁ ଗଲେ । କେତେକ କାଗଜରେ ତାଙ୍କର ସନ୍ତକ ଲୋଡ଼ା । ସେତକ ହୋଇପାରିଲା ନାହିଁ । ତହସିଲଦାର ପୁଣି ସେତକ କାଖରେ ଜାକି ବାହୁଡ଼ିଲେ ।

 

ପହରାଜଙ୍କର ଘରପଛ ତଳବାରିରେ ଶିବ ଘୋଷ କୋଡ଼ି ଧରି ହାଣୁଛି । ଝିପିଝପି ବର୍ଷା । ସବୁଯାକ ବାଇଗଣ ତଳି ଆଜି ରୋଇବ, ନୋହିଲେ ବୁଢ଼ୀସାନ୍ତାଣୀ ଖାଇବାକୁ ଦେବେ ନାହିଁ । କାମ କରି କରି ସେ ଗଇଁଆ ହେଲାଣି । କାହାର ଟିକେ ଦୟାମାୟା ନାହିଁ । ତିନିବରଷର ତିନି କୋଡ଼ି ଟଙ୍କା ବର୍ତ୍ତନ ବାକି । ଆଗରୁ ଯାହା ବର୍ତ୍ତନ ପାଇଥିଲା ସବୁ ପହରାଜଙ୍କ ଘରଣୀ ଜିମା ଦେଇଥିଲା । ପହରାଜେ ସବୁଦିନେ ଆଶା ଦେଉଛନ୍ତି ଯେ ଘରଖଣ୍ଡେ କରାଇ ଦେବେ । ବାହାଚୋରେ କରେଇ ଶିବକୁ ଥାଇତି କରିବେ । ଆହା, ଛେଉଣ୍ଡ ପିଲାଟି ।

 

ଶିବ ନାଗଚୁଚୁନ୍ଦ୍ରା ଧରିଲାପରି ହୋଇଛି । ପହରାଜେ ତା’ ପାଇଁ ଘର ତୋଳାଇ ଦେଉ ନାହାନ୍ତି କି ତା’ ଟଙ୍କା ଫେରାଇ ଦେଉ ନାହାନ୍ତି । ସେ ଅନ୍ୟ କୁଆଡ଼େ ଯାଇପାରୁ ନାହିଁ କି ପହରାଜଙ୍କ ଘରେ ହାଡ଼ଭାଙ୍ଗି ପରିଶ୍ରମ କରି ପେଟକୁ ମୁଠିଏ ଖାଇ ପଡ଼ି ରହିବାକୁ ତାର ମନ ଡାକୁ ନାହିଁ । ତାକୁ ଅଟକାଇ ରଖିଛି ପାର୍ବତୀ, ପହରାଜଙ୍କ ବିଧବା ନାତୁଣୀ ।

 

ପଛରୁ ଆସିଲା ପାର୍ବତୀ ।

ଶିବ ।

ଶିବ ଚମକି ଚାହିଁଲା ।

 

ପାର୍ବତୀ ପାଖକୁ ଘୁଞ୍ଚି ଆସିଲା । ତାରି କାନକୁ ହାତରେ ଧରି ଟାଣି ଟାଣି କହିଲା ତତେ ବୋଉ ଡାକୁଛି ।

 

ପାରର ହାତରୁ କାନ ଖସାଇ ଶିବ ଗୋଟାଏ କୁଦା ମାରି ଘୁଞ୍ଚି ଆସିଲା । କୋଡ଼ିଖଣ୍ଡ ହାତରେ ଧରି ତରତର କରି ମାଟି ଖୋଳି କହିଲା, ତମେ ଯାଅ ତ । ଗଛତକ ରୋପିଦେଇ ମୁଁ ଯିବି ।

 

ମୁକୁଳା ଓଦା ବାଳକୁ ହଲାଇ ପାର କହିଲା, ହଇରେ ପୋଡ଼ାମୁହାଁ, ଆସିବୁ ନାହିଁ ? ବୋଉ ଡାକୁ ନାହିଁରେ । ମୁଁ ଡାକୁଛି । ଆ ।

 

ଶିବ ଅଣ୍ଟା ସଳଖି ଠିଆହେଲା

ତମେ ଆଗରେ ଯା, ମୁଁ ଯାଉଛି ।

ରାଗ ତମ ତମ ହୋଇ ପାର୍ବତୀ ମୁହଁ ବୁଲାଇ, ବାଳ ହଲାଇ ଚାଲିଗଲା ।

ଶିବ ଚାହିଁରହିଲା ପଛରୁ ।

ସେତିକିବେଳେ–

 

ପହରାଜଙ୍କ ଦାଣ୍ଡଘରେ ମୁଖିଆ ଗ୍ରାମବାସୀଙ୍କର ବୈଠକ । ସମସ୍ତଙ୍କୁ ପହରାଜେ ଡକାଇଛନ୍ତି । ଗାଁ ଦାଣ୍ଡରେ ଠାକୁରଙ୍କ ଆଗରେ ସଭା ହେବାର କଥା । ସଭେରେ ଯିଏ ବସିଲେ ସଭା ସୁନ୍ଦର ଦିଶନ୍ତା, ତାକୁ ତ ଠାକୁର ବିପଦ ଦେଲେ । ଚିନ୍ତେଇ ସୋଇଁଙ୍କ ବିନା କାହାକୁ ନେଇ ସଭା କରନ୍ତେ ?

 

ତା’ ବୋଲି ଗ୍ରାମଲୋକେ ଧର୍ମ ଓ ସମାଜ ଛାଡ଼ିବେ ନାହିଁ । ପରିଡ଼ା ଟୋକା ଯେଉଁ ଅନୀତି, ଅଧର୍ମ କାମ କରିଛି, ଶୀଘ୍ର ତାର ପ୍ରତିକାର ନ କଲେ ଏଗାଁରେ ରହି ହେବ ନାହିଁ ।

 

ପହରାଜେ ନାକରେ ଟିପେ ନାସ ଦେଇ ସେଇକଥା ଲୋକଙ୍କୁ ବୁଝାଇ କହିଲେ । ସନେଇଁ ଜାତି ଧର୍ମ ଛାଡ଼ିଲା । ବାରବୁଲୀ ଅଧାପାଗଳୀ ପତିତା କଇଁକୁ ନେଇ ଘରେ ରଖିଲାଣି । ହଇ ହେ, ବିଷ୍ଣୁପୁର ଗାଁର ଛାତି ଉପରେ ସେମାନେ ମୁହଁ ଉପରକୁ କରି ଚାଲିବେ । ଆଉ ଆମେ ସବୁ ଗାତରେ ପଶିବା ।

 

ପରି ଦଳେଇ କହିଲେ, ଶୁଣିଲେଣି ନା ତାଙ୍କର କାମ । କଇଁ ବାଇଆଣୀ ଆଉ ସେମିତି ବାରବୁଲୀ ଭିକାରୁଣୀ ନାହିଁ । ଭଲ ଶାଢ଼ୀ ପିନ୍ଧି କେଡ଼େ ଚିକ୍କଣ ଦିଶିଲାଣୀ । ସନେଇଁ ଘରର ଚାବି ନେନ୍ଥାକ ତା’ ହାତରେ । ସେ ରୋଷେଇ କରେ, ପାଣ, ପଠାଣ, ଚମାର, ଖିରସ୍ତାନ, ସନେଇଁ ସଭିଙ୍କ ଆଗରେ ଥୋଇଦିଏ ।

 

ସେବା ବେହେରା ପଚାରିଲା, ସମସ୍ତେ କଣ ଏକା ପତରରେ ଖାଇ ବସନ୍ତି ?

 

ପରି - ନାଇଁ ନାଇଁ ଭିନେ, ଭିନେ । ତେବେ ଏକାଠି ତ ପଙ୍ଗତ ଲାଗେ । କଇଁ ରାନ୍ଧି ପରଷି ଦିଏ ।

 

ବିନି କାଣ୍ଡି କହିଲା, ସେ ଏକା କଥା । କଇଁର କୋଉ ଜାତି ଅଛି । ହେଲେ ସେଥିରେ ଗ୍ରାମବାସୀଙ୍କର ଥାଏ କଣ ରାମ ନନା ? ଯାହାକୁ ଯାହା ଭଲ ଦିଶିଲା, ସେ କଲା । ଛତରରୁ ଶହ ଶହ ଲୋକ ଫେରିଆସିଲେ । ସେମାନେ ତ ପୁଣି ଆମର ଭାଇ, ବନ୍ଧୁ, କୁଟୁମ୍ବ ଥିଲେ । ଆମେ ତାଙ୍କୁ ବଞ୍ଚେଇ ପାରିଲେ ନାହିଁ । ମଶାମାଛି ପରି ବାଟରେ ଘାଟରେ ପଡ଼ି ସେମାନେ ମଲେ । ମରୁ ମରୁ ଯମ ଅଇଁଠା ଯେଉଁମାନେ ଫେରିଲେ, ସେମାନେ ଫେର୍ କୁଆଡ଼େ ଯିବେ କହିଲ ଅବଧାନେ, ଏଇଠି ତ ରହିବେ ।

 

ସେବା ବେହେରା କହିଲା, କାଣ୍ଡିଏ ଯାହା କହିଲେ ସତ । ଯେଉଁମାନେ ଫେରିଲେ, ପ୍ରାୟଶ୍ଚିତ୍ତ ନ ହେଲେ, ଅଜାତି ହୋଇ ଛତରଖିଆ ଜାତି ବୋଲେଇ ଗାଁ ଗାଁକେ ଘରଦ୍ଵାର କରି ରହିଛନ୍ତି ଗୋସେଇଁ । ପିଲାକବିଲା ଧରି, ଜମିବାଡ଼ି ସମ୍ପତ୍ତି କରି ସେମାନେ ସୁଖରେ ଚଳୁଛନ୍ତି । ସନିଆଁର ଦୋଷ କଣ ? ସେ ତାର ଘର କଲା, ସଂସାର କଲା, ରହିଲା ।

 

ବିନି କାଣ୍ଡି କହିଲା, ମୁଁ ସେଇ କଥା କହୁଛି ବେହେରାଏ । ଗ୍ରାମବାସୀଏ କଥାଟାକୁ ଭଲକରି ବୁଝାମଣା କର । ସନିଆଁ ସଙ୍ଗେ କେହି ସମ୍ପର୍କ ନ ରଖ । ତା’ ଘରେ ସାହିଭାଇ ପତର ନ ପକା କି ନିମିତ୍ୟ ପର୍ବରେ ତାକୁ ନ ଡାକ । ତା’ ବୋଲି ତାକୁ ହଇରାଣ କରିବା ଦରକାର କଣ ? ନିଜ ସୁଖ ଦୁଃଖକୁ ହାରି ଗୁହାରି ନାହିଁ ।

 

ପହରାଜେ ଆଉ ଟିପେ ନାସ ନେଇ ଗ୍ରାମବାସୀଙ୍କ ମୁହଁକୁ ଚାହିଁଲେ । ଆରେ, ଏ ସେବା ବେହେରା, ବିନି କାଣ୍ଡି କହୁଛନ୍ତି କଣ ? ସେ ଭାବିବାକୁ ଲାଗିଲେ, ପବିତ୍ର ସନାତନ ହିନ୍ଦୁ ଧର୍ମ କଣ ବୁଡ଼ିବ ? ପ୍ରଳୟ ହେବାର ବେଳ ହେଲାଣି ପରା ? ନଅଙ୍କ ଦୁର୍ଭିକ୍ଷରେ ଗୋଟାଏ ଖଣ୍ଡ-ପ୍ରଳୟ ତ ହୋଇଗଲା । ପାପର ଭାରା ବେଶୀ ହେଲାରୁ ମେଦିନୀ ସହିପାରିଲା ନାହିଁ । ଲୋକଙ୍କୁ ପୁଣି କଣ ଦଇବ ଛାଡ଼ିଲା କି ?

 

ସେ ଦଳେଇଙ୍କ ମୁହଁକୁ ଚାହିଁଲେ ।

 

ଦଳେଇଏ ଭାବିଚିନ୍ତି, ଭ୍ରୂଲତା ଟେକି ବଖାଣିଲେ, ଗୋସାଇଁ ମହାପୁରୁ, ବେହେରାଏ ଯାହା କହିଲେ ସତକଥା ତ । ହଇହେ, ସନେଇଁ ଭଲ କଲା କି ମନ୍ଦ କଲା ତା’ ପରାଭବ ସେ ପାଇବ । କେଉଁ ପାପରୁ ତ ଏ ଜନ୍ମରେ ଏ ଦଶା, ଏ ଜନ୍ମରେ ପାପ ଅର୍ଜୁଛି, ନିଜେ ନର୍କ କୁଣ୍ଡକୁ ବାଟ ସଫା କରୁଛି । ଆମର ସେଥିରେ ଥାଏ କଣ ? ଉପରେ ଭଗବାନ ଅଛନ୍ତି । ସଭିଙ୍କର ପାପପୁଣ୍ୟ ସେ ଦେଖୁଛନ୍ତି । ଆମେ ମାନବ ହୋଇ କଣ କରିପାରିବା ? ସନେଇଁକୁ ଏକଘରିଆ କରିବା । ନିଆଁ ପାଣି ମନା କରିବା । ବେଶ୍‍ ସେତିକି ।

 

ଉଦି ସାହୁ ତାଙ୍କର ତୋରାଣିଛଣା ବଡ଼ ବଡ଼ ନିଶ ସାଉଁଳି କହିଲେ, ସେ ତାର ଏକ ଘରିଆ ହୋଇ ରହିଛି ତ । କାହାରି ଦୁଆରକୁ ସେ ଯାଉନାହିଁ । କାଲି ଦି’ପହରେ ବନ୍ଧ ଉପରେ ଦେଖା ହୋଇଥିଲା । ତା’ ସାଙ୍ଗରେ ଯୋହନ୍ ବୁଢ଼ା ଖିରସ୍ତାନ ଥାଏ । ମୁଁ ପଚାରିଲି, କିରେ ପୁଅ, କେମିତି ଚାଲିଛି ତୋର ସଂସାର । ହସି ହସି କହିଲା, ଭଲ ଚାଲିଛି ମଉସା । ପଚାରିଲି, ତତେ ଏ ବୁଦ୍ଧି କିଏ ଦେଲାରେ ବାଇଆ ? କେଡ଼େ ସୁନ୍ଦର ଘର କରିଥିଲୁ, ହାତକୁ ଦି’ ହାତ ହୋଇ ସଂସାର କରିଥାନ୍ତୁ, ପରିଡ଼ା ଘରର ନାଁ ରଖିଥାନ୍ତୁ । କୁଳରୁ ଗଲୁ, ଜାତିରୁ ଗଲୁ, କୋଉ ଭଲ କାମଟା କଲୁରେ ? ସନେଇଁ ଜବାବ ଦେଲା, ଉଦି ମଉସା, କୁଳରୁ ସିନା ଗଲି, ସଂସାରରୁ ତ ଯାଇନାହିଁ । ସଂସାରରୁ ଯିବା ଆଗରୁ ପାଞ୍ଚଟା ଲାକଙ୍କୁ ବଞ୍ଚାଇ ଯାଏ । ଯେଉଁ ପାଞ୍ଚଟାକୁ ଆଶ୍ରା ଦେଇଛି, ସେମାନଙ୍କର କଣ ହୋଇଥାନ୍ତା ?

 

ପହରାଜେ କହିଲେ, ପଚାରିଲେ ନାହିଁ, କିରେ ଗରିବ ନିଆଶ୍ରାଙ୍କୁ ଥାଇତି କରିବା ତ ପୌରୁଷ କାମ । ଜାତିଧର୍ମ ନ ଛାଡ଼ି କଣ ସେତକ କରିପାରି ନ ଥାନ୍ତୁ ?

 

ପଚାରିଲି ଅବଧାନେ । କହିଲା, ଜାତି ଧର୍ମରେ ତାର ବିଶ୍ଵାସ ନାହିଁ । ମୁଁ ତ ଜିଭ କାମୁଡ଼ି ପକାଇଲି । ତା’ ସଙ୍ଗେ କଣ ଆଉ କଥା ବଢ଼ାନ୍ତି ? ମୁଁ କହୁଛି, ଯାହାର ଯାହା ବିଶ୍ଵାସ ସେ ତା’ କରୁ-। ନିଜ କଲାକର୍ମର ଫଳ ସିନା ନିଜେ ଭୁଞ୍ଜିବ ।

 

ପହରାଜେ ଆଖି ତରାଟି କହିଲେ, ଶୁଣିଲ ତ ଗ୍ରାମବାସୀଏ, ଜାତିଧର୍ମରେ ତାର ବିଶ୍ଵାସ ନାହିଁ । ସମସ୍ତେ ଯଦି ତାର ପନ୍ଥା ଧରନ୍ତି ହିନ୍ଦୁ ଧର୍ମ ରହିବଟି ? ଏପରି ଲୋକଙ୍କୁ ଗ୍ରମାରୁ ତଡ଼ିଦେବା ଭଲ । ଅମୃତ ହାଣ୍ଡିରେ ବିଷ କଣିକାଏ ପଡ଼ିଲେ ସବୁ ବିଷ ହୁଏ ।

 

ସେବା ବେହେରା କହିଲେ, ଶୁଣ ରାମ ନନା, ସତ କହୁଛି, ତମ କଥା ମୋ ମନକୁ ପାଉନାହିଁ । ଆରେ, ବ୍ରିଟିଶ ରାଜ୍ୟରେ କିଏ କହାକୁ କେଉଠୁ ତଡ଼ିଦେବ । ବାଘ ବକିରି ଏକାଠି ପାଣି ପିଉଛନ୍ତି । ଯେଝା ହାତରେ ଯିଏ ଚଉଦ ପା । ତା’ ନ ହୋଇଥିଲେ, ଗାଁ ଗାଁକେ ପଠାଣ, ଖିରସ୍ତାନ ମାଡ଼ିଯାଆନ୍ତେ କେମିତି ? ସେମାନେ ତ ଆମର ମଝିର ଲୋକ । କିଛି ସାତ ସମୁଦ୍ର ପାରିହୋଇ ଆସି ନାହାନ୍ତି । ଯାଆ ଦେଖିବ, ପଠାଣ ସାହିରେ ସବୁଦିନେ ଗୋରୁକଟା ଚାଲିଛି । ପାଣସାହିରେ ମଢ଼ ମାଉଁସ ବଣ୍ଟାବଣ୍ଟି ହେଉଛି । ସେମାନଙ୍କୁ ଆଉ ତଡ଼ି ଦେଇପାରୁନା ? ସନେଇଁ ନିଚଳିଆ ଲୋକ ବୋଲି ସିନା ଏକଥା କହିଲ ? ତାଙ୍କୁ ଯା କହିଲେ, ଓଲଟି ତମକୁ ସେ ପଚାରିବେ, ତମେ କିଏ ହୋ, ତମେ ଯାଉନ । ଆମ କଥା ଆମେ କଲୁ, ତମର କି ଥାଏ ?

 

ପହରାଜେ ବ୍ୟସ୍ତ ହୋଇ କହିଲେ, ତମେ ବୁଝିଲ ନାହିଁ ବେହେରାଏ ମୋ କହିବା କଥାଟା । ଭଲ ହେଉ ମନ୍ଦ ହେଉ, ପଠାଣ କହ, ଖିରସ୍ତାନ କହ, ତାଙ୍କର ଗୋଟାଏ ଗୋଟାଏ ଧର୍ମ ଅଛି । ଯାହା ଧର୍ମ ତାକୁ ବଡ଼ । ସନେଇଁ ଏବେ କୋଉ ଧର୍ମକୁ ଆଉଜି ଯାଉ । ଆମେ କାହିଁକି ପାଟି ଖୋଲିବା ? ସମସ୍ତଙ୍କୁ ନେଇ ଚଳିବା ତ । ଏଇ ଦାଣ୍ଡବାଟେ କେତେ ବିଧର୍ମୀ ନିତି ଚାଲି ଯାଉଛନ୍ତି, ଆମେ ତ ଆଉ ଦାଣ୍ଡର ମାଟି ତାଡ଼ି ନଈକୁ ଫିଙ୍ଗି ଦେଉ ନ ଥାଇଁ, କି ବିଧର୍ମୀ ନଈରେ ପଶିଛି ବୋଲି ନଈପାଣିକୁ ଛାଡ଼ପାରୁ ନ ଥାଇ । ସନେଇଁ ଯେ କେଉଁ କୁଳର ହେଲା ନାହିଁ, କେଉଁ ଜାତିର ହେଲା ନାହିଁ ।

 

ଦଳେଇ ଭାଷିଲେ, ତମେ ପରା ସେଦିନ କହୁଥିଲ ଚାରି ଜାତିରୁ ଚାରି ହଜାର ଜାତି ହେଲେଣି । କେମିତି ଫେର୍ ହେଲେ । ଏମିତି ଧୀରେ ଧୀରେ ତ ହେଲେ । ସନେଇଁ ଏବେ ଗୋଟାଏ ନୂଆ ଜାତି । ଆଉ କତେବର୍ଷ ଗଲେ, ଗୋଟାଏ କୁଟୁମ୍ବର ଗୋଟାଏ ନୂଆ ଜାତି ହେବେ-। ହେଉ ନା ।

 

ସେବା ବେହେରା ହସିଲା । କହିଲା, ଭଲକଥା ତ କହିଲ ଦଳେଇଏ । କିହୋ, ଗୋଟାଏ କୁଟୁମ୍ବକୁ ଗୋଟାଏ ଜାତି ହେଲେ ସଂସାର ଚଳିବ ନା ? ବାହା ନିମିତ୍ତ ହେବ କିପରି ? ସେତେବେଳେ ଜାତି ଫାତି ରହିବ ନାହିଁ । ସମସ୍ତେ ପୁଣି ଗୋଟାଏ ଜାତି ହୋଇଯିବେ ।

 

ପହରାଜେ ଚିଡ଼ି ଉଠି ଟିକିଏ ଜୋରରେ କହିଲେ ତମେ ଗ୍ରମାବାସୀଏ କଣ ସମସ୍ତେ ବାଇଆ ହେଲ ? ସମସ୍ତଙ୍କୁ କଣ ଧର୍ମ ଛାଡ଼ିଲା ? କଥାଟାକୁ ଭଲକରି ବୁଝୁନା, ଖାଲି ହେଞ୍ଜେଡ଼ାମୀ କରୁଛ ? ସନେଇଁ ପରିଡ଼ା ତାର ଯାହା ମନ ତା’ କରୁ, ସେଥିରେ ଆମର ଯାଏ ଆସେ କଣ । ତେବେ, ସେ ଯଦି ଜଙ୍ଗଲରେ ଥା’ନ୍ତା, ଆମର ଆଖିରେ ପଡ଼ନ୍ତା ନାହିଁ । ଆମରି ଭିତରେ, ଆମରି ଗାଁରେ ଥାଇ ଆମରି ଆଖିଆଗରେ ଅନୀତି, ଅନାଚାର କାମ କରିବ, ଆମେ ବଲବଲ କରି ଚାହିଁଥିବା ? ପୋଥି ପୁରାଣ ଚୁଲିରେ ଜାଳିଦେବା ? ଧର୍ମ ସହିବଟି ? ଚିନ୍ତେଇ ସୋଇଙ୍କର ବିପଦ ପଡ଼ିଛି, ସେ ଗାଁରେ ନାହାନ୍ତି । ସେଥିପାଇଁ ସିନା ତମେମାନେ ଏପରି କଥା କହିଲ । ସେ ଥିଲେ, ତମର ପାଟି ଖୋଲିଥାନ୍ତା ତ ?

 

ଚିନ୍ତେଇ ସୋଇଁଙ୍କ ନାମ ଶୁଣି ସମସ୍ତେ ତୁନି ରହିଲେ । ପହରାଜେ ହସି ହସିକା କହିଲେ, ଅନ୍ୟାୟ ଅନାଚାର କଲା ବୋଲି ମହାପ୍ରଭୁ ଶ୍ରୀରାମଚନ୍ଦ୍ର, ନିଜ ହାତରେ ଶୂଦ୍ର ମହାମୁନି ଶୁଦ୍ରକଙ୍କର ପ୍ରାଣ ନେଇଥିଲେ । ତମୋନେ ଏକଥା ଜାଣିଛ । ସାମାନ୍ୟ ସନେଇଁ ପରିଡ଼ାକୁ ଗ୍ରାମବାସୀ ତମେ ସାଧ୍ୟ କରିପାରିବ ନାହିଁ ? ଗାଁ ମଝିରେ ପାଣ, ପଠାଣ, ଚମାର, ଖିରସ୍ତାନ ଧରି ସେ ନାଟ କରିବ ? ଦୁଶ୍ଚରିତ୍ରା, ଛତରୀ କଇଁକୁ ଧରି କାରବାର ହେବ ? ସମସ୍ତେ ତମେ ପିଲା କୁଟୁମ୍ବ ନେଇ ଘର କରୁଛ । ସନେଇଁ ଯଦି ଆନନ୍ଦରେ ରହେ, ତମ ପୁଅଝିଅ ତମକୁ ମାନିବେ ? କହୁନା କାହିଁକି ବିଶି ଜେନାଏଁ ? ତମ ପୁଅ ଚନ୍ଦରାର କିଛି ଖବର ପାଇଲ ? କିହୋ ବାମ ଓଝା, ଟିମି କୁଆଡ଼େ ଗଲା କିଛି ପତ୍ତା ମିଳିଲା ?

 

ବିଶି ଜେନା ମୁଣ୍ଡ ଆଉଁସି କହିଲା, ଖବର ମିଳିଲା ନାହିଁ । ଭୁଲ କାମଟାଏ କରି ପକାଇଲା । ସେଥିପାଇଁ ତ ପ୍ରାୟଶ୍ଚିତ୍ତ ହେଲି । ପିଲାଟା ଫେରି ଆସନ୍ତା ଯଦି, ଭେଣ୍ଡା ପୁଅ ମୋର-। ତା’ ମା’ ଦିନରାତି କାନ୍ଦୁଛି । କଣ୍ଟା ଦୋହଲିଲାଣି, ଆଖିକୁ ଦିଶୁନାହିଁ । ଚନ୍ଦରା ଯଦି ନ ଫେରେ, ବୁଢ଼ୀଟି ବି ମରିଯିବ ।

 

ବାମ ଓଝା ତଳକୁ ମୁହଁ ପୋତି କହିଲା, କୁଳରୁ ଗଲେ ଯାହା ମଲେ ସେଇଆ । ଜେନାଙ୍କର ସିନା ପୁଅ । ସାତଖୁଣ ମାଫ୍ । ଟିମି ତ ମାଇପି ପିଲା । ତା’ ଖବର ରଖି ଲାଭ କଣ ? ତା’ ମୁହଁ ଚାହିଁଲେ ପାପ । କଣ କହିବି ଅବଧାନେ, ଲାଜର କଥା–

 

କହୁନା, କହୁନା–

 

ବିଶି ଜେନା କହିଲେ, ତମେ କଣ ନିଜେ କିଛି କରିଛ କି ଲାଜର କଥା । କାହା କଲାକର୍ମ ଫଳ ସିଏ ଭୋଗିବ । ଦିନ ପନ୍ଦର ତଳେ ଟିମି ବର ବିଶୁନିଆ ଆସି ପହଞ୍ଚିଲା ଗୋସେଇଁ, ବାମ ଓଝା ମତେ ଡକାଇ ପଠେଇଲା । ନୁଚେଇବି କାହିଁକି ? ସବୁ କଥା ତାକୁ ଖୋଲି କହିଲି, କିରେ ଶୋଇଥିଲୁ କି ? ଯା, ଯା । ମତେ ଚଦି ଚଦି ଯାଇଛି ଚନ୍ଦରା ହାବୁଡ଼େ ପଡ଼ିଲେ କୁଆଡ଼େ ତାର ପ୍ରାଣ ନେବ । କହିଲି ଚନ୍ଦରାର ବ୍ରହ୍ମଚାପୁଡ଼ାଏ ପାଇଲେ, ଗୁରୁଘର ସୁମରଣା କରୁଥିବୁରେ ବାପ, ଯା, ଯା । ଯାଇଛି ତ ।

 

ରାମ ପହରାଜେ କହିଲେ, ସନେଇଁକୁ କିଛି ଗୋଟାଏ ନ କଲେ ଏମିତି ଟୋକା ଟୋକୀଙ୍କର ମୁହଁ ବଢ଼ିଯିବ । ତମେ ସବୁ ଭାବ । ସୋଇଁଏ ଦୁର୍ଗାପୁରରୁ ଫେରନ୍ତୁ । ନିଶାପ ହେବ । ତେଣିକି ଯାହାହେଲେ ଗୋଟାଏ ବ୍ୟବସ୍ଥା କରିବା । ମୁଁ ବି କାଲି ଯାଉଛି ଦୁର୍ଗାପୁର ।

 

ଗ୍ରାମବାସୀଏ କହିଲେ, ହଁ, ସୋଇଁଏ ଆସନ୍ତୁ, କଣ କହୁଛନ୍ତି କହନ୍ତୁ ।

ପହରାଜେ କହିଲେ, ସେତେ ଦିନଯାଏ ସନେଇଁକୁ ଏକଘରକିଆ କର ତ ।

 

ଚିନ୍ତେଇ ସୋଇଁଙ୍କର ଇଚ୍ଛାଥିଲା ସେ ଧୋବୀକୁ ବିଷ୍ଣୁପୁରକୁ ନେଇ ଆସିବେ ଓ ସେଇଠି ସ୍ତ୍ରୀଙ୍କର କର୍ମ ଶେଷ କରିବେ, କିନ୍ତୁ ଧୋବୀ ଅଡ଼ି ବସିଲା, ସବୁ କାମ ଦୁର୍ଗାପୁରରେ ହେବ । ଗାଁ ଲୋକେ ଭାଇ ଓ ବନ୍ଧୁ ସମସ୍ତଙ୍କୁ ନିମନ୍ତ୍ରଣ କରି ଦୁର୍ଗାପୁରକୁ ଆଣିବେ । ଝିଅର ମନରେ ଦୁଃଖ ଦେବାକୁ ସୋଇଁଙ୍କ ମନ ବଳିଲା ନାହିଁ । ନିଜେ ମଧ୍ୟ ଧୋବୀର ପ୍ରସ୍ତାବରେ ଏକମତ ହେଲେ ।

 

ସବୁ ଆୟୋଜନ ହେଲା ଦୁର୍ଗାପୁରରେ । ହରି ମାହାନ୍ତି, ରମା ପହରାଜ, ନିଧେଇ ଓ ଧୋବୀ ସମସ୍ତଙ୍କର ପରାମର୍ଶ ଅନୁସାରେ ସୋଇଁଙ୍କର ପିଲାକୁଟୁମ୍ବ ବିଷ୍ଣୁପୁରରୁ ଦୁର୍ଗାପୁର ଆସିଲେ-। ଶୁଦ୍ଧିଘର ଦିନ ଦୁଇ ଗ୍ରାମର ସାହିଭାଇ ଅଘୋର ଦୁଆରୀଙ୍କ ଆସିବା ପାଇଁ ନିମନ୍ତ୍ରଣ ଚିଟାଉ ଗଲା-। ଜମିଦାର ଛୋଟରାଏ ଓ ତାଙ୍କର ଗୁମାସ୍ତା ଗୋବିନ୍ଦ ପଧାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଗଲା । ନିଜେ ଚିନ୍ତେଇ ସୋଇଁଙ୍କର ଆଦେଶରେ ଯେତେବେଳେ ହରି ମାହାନ୍ତିଏ ସନେଇଁ ପରିଡ଼ା ପାଖକୁ ଚିଟାଉ ଲେଖିଲେ, ପହରାଜେ ଆଖି ତରାଟି କହିଲେ, ଏ କଣ କରୁଛ ସୋଇଁଏ ?

 

ସୋଇଁଏ ଆଶ୍ଚର୍ଯ୍ୟ ହୋଇ ଚାହିଁଲେ ।

ଧୋବୀ ତଳକୁ ମୁହଁ ପୋତିଲା ।

ନିଧେଇ ପଚାରିଲେ, କାହିଁକି ବାଧା ଦେଉଛ ପହରାଜେ ?

 

Unknown

ଆସିଲା ବେଳରୁ ସନେଇଁ ସମ୍ବନ୍ଧରେ ସବୁକଥା ବୟାନ କରିବାକୁ ତାଙ୍କ ମନ ଛକପକ ହେଉଥିଲା, କିନ୍ତୁ ସମସ୍ତେ ତ କାର୍ଯ୍ୟବ୍ୟସ୍ତ । ପହରାଜଙ୍କୁ ସୁବିଧା ମିଳୁ ନ ଥିଲା । ସୁବିଧା ବେଳ ଉଣ୍ଡି, ଟିବେ ନାସ ଶୁଙ୍ଘି, ସେ ସାମାନ୍ୟ ହସି ଆରମ୍ଭ କଲେ, ଛି, ଛି, ସନେଇଁ କଣ ଆଉ ମଣିଷ ହୋଇ ଅଛି ? ତା’ କଥା ଛାଡ଼ନ୍ତୁ । ସେ ତ…..।

 

ପହରାଜେ ସବୁ ଘଟଣା କହିଲେ । ଶେଷକଲେ, ସମାଜ ଭିତରେ ରହି ଅନୀତି ଅନ୍ୟାୟ କରି ଯଦି ଆମରି ଭିତରୁ ଜଣେ ଚଳେ, ସମାଜର ଅବସ୍ଥା କଣ ହେବ ସୋଇଁଏ ? ତାକୁ ଯଦି ସାମାଜିକ ଦଣ୍ଡ ଦିଆ ନ ଯାଏ, ତେବେ ସମାଜର ଉତ୍ସୃଙ୍ଖଳ ଟୋକାଟୋକୀଙ୍କର ଅବସ୍ଥା କଣ ହେବ ? ଆମର ସମାଜ, ଧର୍ମ, ସଂସ୍କୃତି ଆଦିମକାଳର ସଭ୍ୟତା ଉପରେ ଗୋଡ଼ ପକାଇ, ଗର୍ବରେ ଛାତି ଫୁଲାଇ ଚାଲିବ ସନେଇଁ, ଆଉ ଆମେ ବଲବଲ କରି ଚାହିଁ ରହିଥିବା ।

 

ଚିନ୍ତେଇ ସୋଇଁ ଚିନ୍ତିତ ହେଲେ । ମୁହଁରୁ କଥା ବାହାରିଲା ନାହିଁ । ସ୍ତ୍ରୀଙ୍କର ମଲା ଆଗର କଥା ତାଙ୍କର ମନେପଡ଼ିଲା । ଆହା ସନେଇଁକୁ ସେ ପୁଅଠୁଁ ବଳି ଭଲ ପାଉଥିଲେ । ସନେଇଁ ହାତରେ ଧୋବୀକୁ ସମର୍ପି ଦେବାକୁ ତାଙ୍କର ଆଗ୍ରହ ଥିଲା । ସେଇ ସନେଇଁ ଏତେ ଦୁଃଖକଷ୍ଟ ସହି, ମାନ ଅପମାନ ଭୁଲି ଜାତି ହେଲା, ସମାଜରେ ମିଶିଲା, ଦେବ କାର୍ଯ୍ୟରେ ଯୋଗଦେଲା, ପୁଣି ତାର ଏପରି ପରିବର୍ତ୍ତନ ହେଲା କାହିଁକି ? ବୁଝିପାରିଲେ ନାହିଁ ।

 

ନିଧେଇ ମଧ୍ୟ ଠିକ୍ ସେଇକଥା ଭାବୁଥିଲେ, ଆଉ ଧୋବୀ, ସେ ଭାବୁଥିଲା, ଏ ସବୁ ପାଇଁ ଦାୟୀ ସେ ନିଜେ । ସନେଇଁ ଭାଇ ତ ତା’ରି ଉପରେ ଅଭିମାନ କରି ଏସବୁ କାଣ୍ଡ କରିଛି । ତା’ରି ଆଖି ଆଗରେ ସବୁ ଅନ୍ୟାୟ ଅନୀତିକୁ ସେ ବରଣ କରିବ, ଧୋବୀ ଉପରେ ସେ ପ୍ରତିଶୋଧ ନେବ । ସେଥିପାଇଁ ଦୁଶ୍ଚରିତ୍ରା, ଛତର ଫେରନ୍ତା କଇଁ ବାଇଆଣୀକୁ ସେ ଘରେ ଆଶ୍ରା ଦେଇଛି, ସବୁ ସମର୍ପି ଦେଇଛି ।

 

ଧୋବୀର ହାଡ଼ରେ ନିଆଁ ଲାଗିଲା । ତାର ଆଖି ଉଜ୍ଜ୍ୱଳି ଉଠିଲା । ଛାତି ଥରିଲା । ମୁଣ୍ଡ ଭିତରେ ତରଳା ଲୁହାର ସୁଅ ଛୁଟିଲା । ସେ କଟମଟ କରି ପହରାଜଙ୍କ ମୁହଁକୁ ଚାହିଁ ରହିଲା ।

 

ଚିନ୍ତେଇ ସୋଇଁ ଦୀର୍ଘଶ୍ଵାସ ଛାଡ଼ି କହିଲେ, ଶୁଣ ପହରାଜେ, ସନେଇଁ ଟୋକା । ମନ ଚଞ୍ଚଳ । ମୁରବି ନାହିଁ । ସେଇଥିପାଇଁ ମନୋଜ୍ଞ କାରବାର କରୁଛି । ତୁମେ ବ୍ୟସ୍ତ ହୁଅନା । ତାକୁ ନିମନ୍ତ୍ରଣ ଚିଟାଉ ଲେଖ ମାହାନ୍ତିଏ । ସେ ଥରେ ଆସୁ । ମୋ ମୁହଁରୁ ଚାରିପଦ କଥା ଶୁଣିଲେ ତାର ପାଗଳାମି ଭାଙ୍ଗିବ । ସେ ବାଟକୁ ଫେରିବ । ବୁଝିଲ ପହରାଜେ, ଟୋକା ବଅସରେ ସମସ୍ତଙ୍କର କିଛି ଗୋଟାଏ ନୂଆ କରିବାକୁ ମନହୁଏ । ବଢ଼ିଲା ନଈ ପରି ମାଡ଼ିଯିବାକୁ ବସନ୍ତି । ତାକୁ ଅଟକାଇ ରଖି ବାଟକୁ ଆଣିବା କଷ୍ଟ । ଶାସ୍ତି ଲୋଡ଼ା, ସେ ଶାସ୍ତି ମୁଁ ମୋ ହାତକୁ ନେଉଛି । ତମେ ବ୍ୟସ୍ତ ହୁଅନା । ଲେଖ ମାହାନ୍ତିଏ ।

 

ନିଧେଇ ଖୁସି ହୋଇ ହରି ମାହାନ୍ତିକୁ ହଲାଇ କହିଲେ, ଲେଖ ।

 

ହରି ମାହାନ୍ତି ତାଳପତ୍ର ଓ ଲେଖନ ତଳେ ଥୋଇ ଚମକି ଉଠିଲାପରି କହିଲେ, ମୁଁ ଏପରି ଅନ୍ୟାୟ କାମ କରିପାରିବି ନାହିଁ । ବିନିଷପୁର ମିୟାଁ, ପଠାଣ ହେଉନ୍ତୁ ପଛେ ନିଜ ଧର୍ମକୁ ଧରି ସେ ରହିଛନ୍ତି । ଧାର୍ମିକ ଲୋକ । ମାଛିକୁ ମ କହନ୍ତି ନାହିଁ । ତାଙ୍କ ପାଖକୁ ଚିଟାଉ ଲେଖି ପଠାଗଲା । ଆମର ଭାଗ୍ୟରେ ଥିଲେ ତାଙ୍କ ପରିକା ଲୋକର ଗୋଡ଼ଧୂଳି ଏ ଦାଣ୍ଡରେ ପଡ଼ିବ । କୃଷ୍ଣପୁରର ସୋଲମନ ସାହୁ । ସେ ବି ମଣିଷଯାକରେ ହୀରାଖଣ୍ଡେ । ତାଙ୍କୁ ଦେଖିଲେ ମୁଣ୍ଡ ନଇଁଯାଏ । ଏଇ ନାଏକ ବଂଶର ପାଞ୍ଚପୁରୁଷ ପ୍ରୀତିବନ୍ଧୁ । ଧର୍ମଶାସ୍ତ୍ର ଧରି ଦିନରାତି ସେ କାଟନ୍ତି । ତାଙ୍କ ପାଖକୁ ଚିଟାଉ ଲେଖାଗଲା । ସେ ଆସିବେ । କେଡ଼େ ଭାଗ୍ୟର କଥା । ରାଜୀବ ଜେନା, ପୀରପୁରର ଜମିଦାର, ପାଣ ହେଲେ କଣ ହେଲା, ତାଙ୍କର ବ୍ୟବହାର ଦେଖିଲେ ମଣିଷ କାବା ହୁଏ । ବୁଢ଼ାଙ୍କୁ ଦେଖିଲେ ବାଲ୍ମୀକି ଋଷିଙ୍କ ଭଳି ଦେଖାଯାନ୍ତି । ସବୁବେଳେ ତୁଣ୍ଡରେ ହରିନାମ, ଘାସ ପତର ଛିଣ୍ଡାଇବାକୁ ସେ ମଣନ୍ତି ପାପ । ତାଙ୍ଖ ପାଖକୁ ନିମନ୍ତ୍ରଣ ଚିଟାଉ ଲେଖିଲି । କେତେ ଆନନ୍ଦର କଥା । ସମସ୍ତେ ଆସିବେ । ତାଙ୍କ ପାଖରେ ବସି ତାଙ୍କ ତୁଣ୍ଡରୁ ଚାରିପଦ କଥା ଶୁଣିଲେ, ମନ ପବିତ୍ର ହେବ । ଆଉ, ଏ ସନେଇଁ ପରିଡ଼ା ବିଧର୍ମୀ, ଅନଚରୀ । ତା’ ପାଖକୁ ଚିଟାଉ ଲେଖିବାକୁ ମୋ ଲେଖନୀ ଥରି ଉଠୁଛି । ମୁଁ ପାରିବି ନାହିଁ ସୋଇଏଁ ।

 

ହରି ମାହାନ୍ତି ଘୃଣାରେ ନାକ ଟେକିଲେ ।

 

ପହରାଜେ କହିଲେ, ହରିବାବୁ ଯାହା କହିଲେ ଠିକ୍ କଥା । ସନେଇଁ ପଠାଣ ହେଉ, ଖିରସ୍ତାନ ହେଉ, କି ପାଣକଣ୍ଡରା ଯେକୌଣସି ଜାତିରେ ମିଶୁ ସେଥିରେ ଆପତ୍ତି କରିବାର କଥା କଣ ଅଛି ? ସମସ୍ତେ ଏଇ ମାଟିର ପିଲା । ସମସ୍ତେ ବଞ୍ଚିବେ । ନିଜର ଧର୍ମ, କର୍ମ, ଆଚାର ନେଇ ଖୁସିରେ ଚଳିବେ । ସନେଇଁ ନୂଆ କଥା କରୁଛି । ସବୁ ଧର୍ମ, ସବୁ ଆଚାରକୁ ଗୋଡ଼ରେ ଦଳିଛି । ସେ କହୁଛି ଧର୍ମ ରହିବ ନାହିଁ, ଜାତି ରହିବ ନାହିଁ, ସମାଜ ରହିବ ନାହିଁ, ଦୁନିଆଁରେ କେହି ଧନୀ କି ଦରିଦ୍ର ରହିବେ ନାହିଁ, ସମସ୍ତେ ସମାନ ହେବେ । ନଥିବ ଭେଦର ବିଚାର, ସର୍ବେ ହୋଇବେ ଏକାକାର । ଏ ସବୁ କଣ ଭଲ କଥା ସୋଇଁଏ ?

 

ଚିନ୍ତେଇଁ ସୋଇଁ ହସି ହସି କହିଲେ, ଭଲ ମୋଟେ ନୁହେଁ । ତେବେ ମଶା ମାଛିକି ଡରି ଘରେ କବାଟ କିଳି ପଶିବା ତ ମଣିଷ ପଣିଆ ନୁହେଁ । ସନେଇଁ ଟୋକା ଚାଖଣ୍ଡେ । ସେଇଟା ଉପରେ ଅଭିମାନ କଣ ହେ । ଏକା ଫୁଙ୍କାରେ କୁଟାପତର ପରି ଉଡ଼ିଯିବ । ସେ ପାଗଳାମି କରୁଛି-। ତମେ ଚିଟାଏ ଲେଖ ମାହାନ୍ତିଏ । ସେ ଯଦି ନ ଆସେ, ଆମକୁ ଅପମାନ ଦିଏ, ତେବେ ଦେଖାଯିବ । ଆଙ୍ଗୁଠି ସିଧା କଲେ ତାର ଘରଦ୍ଵାର, ବଡ଼ପଣ, ଗର୍ବ ନିହିମାକେ ଓଲଟି ପଡ଼ିବ । ଯଦି ଆସେ, ମିଆଁ, ସୋଲମାନ ସାହେବ, ରାଜୀବ ଜେନାଏଁ, ଗୋବିନ୍ଦ ପଧାନେ, ତମେ, ମୁଁ ସମସ୍ତଙ୍କ ଆଗରେ ତା’ରି କଥା ପଡ଼ିବ । ତା’ ଛାତିରେ ଏଡ଼େ ଦମ୍ଭ ଅଛି, ସେ ସମସ୍ତଙ୍କ କଥା ତେଢ଼ିଦେଇ ଯିବ ? ଯାଉ କୋଉବାଟେ ଯିବ, କେଉଁଠିକି ଯିବ ହେ ? ଦୁନିଆଁ ବାହାରକୁ ଯଦି ଯାଏ ତେବେ ସିନା ରକ୍ଷା ପାଇବ ।

 

ପୁଣି ହର ମାହାନ୍ତିଏ ଆପତ୍ତି କଲେ, ସନେଇଁ ତ ପତିତ ହେଲାଣି । ସେ ଯଦି ନିମନ୍ତ୍ରଣ ରଖି ଆସେ, କେଉଁ ସମାଜରେ ବସିବ ?

 

ଚିନ୍ତେଇଁ ସୋଇଁ କଥାଟିକୁ ଜୋର୍ ଦେଇ, ଧମକ ଦେଇ କହିଲେ, ସେ ଆଗ ଆସୁ । ଚାରିକଥା ତାକୁ ମୁଁ ବୁଝାଇ କହିବି । ଯଦି ତାର ମନ ବଦଳେ, ଆମ ପୁରାଣ ପୋଥିରେ ଅପବିତ୍ରକୁ ପବିତ୍ର କରିବାକୁ, ଅଜାତିକୁ ଜାତି କରିବାକୁ, ଅନେକ ପାଠ ଲେଖାଅଛି । ପତର ଓଲଟାଇଲେ ପହରାଜେ ସବୁ ବାହାର କରି ପାରିବେ । ଯେତେଦିନ ଯାଏ ତୁଳସୀପତ୍ର ଅଛି, ଗାଈ ଗୋବର, ଦୂବ ବରକୋଳି ପତ୍ର ରହିଛି ମାହାନ୍ତିଏ, ଅପବିତ୍ର କାୟାକୁ ପବିତ୍ର କରିବାକୁ ନିହିମାଏ ଲାଗିବ ନାହିଁ-। କଣ କହୁଛ ପହରାଜେ ?

 

ପହରାଜେ ଭାବିଲେ । ମୁଣ୍ଡ ଆଉଁସି କହିଲେ, ଯେଉଁଠି ହେଲେ ପାଠ ଅଛି । ବ୍ରାହ୍ଶଣ ବେକରେ ପଇତା ଥିଲେ, ତୁଣ୍ଡରେ ଚାରିପଦ ସଂସ୍କୃତ ଥିଲେ, ଯଜମାନର ହିତ ପାଇଁ ସବୁ ହୋଇପାରିବ ଯେ, କଥା ହେଉଛି କଣ କି, ସନେଇଁ ଭଳିଆ ଅବାଧ୍ୟ ଅନାଚାରୀ ଲୋକ କଣ କୁହାର-ବୋଲର ହେବ ? ଆରଥର ତାକୁ ଜାତି କରିବାକୁ ରାତି ରାତି ଅନିଦ୍ରା ହୋଇ ପୋଥି ପୁରାଣ ଘାଣ୍ଟି ମୁଁ କି ହଇରାଣ ନ ହୋଇଛି । ଦିନରାତି ଯେ କରୁଛନ୍ତି, ସେହି ଏକା ଦୁଃଖ ବୁଝିବେ । ତହିଁରେ ପୁଣି ସବୁବେଳେ ଯଜମାନର କଟାଳ ଯେ ଖର୍ଚ୍ଚ ଅଳ୍ପ ହେବ । ଆଚ୍ଛା କହନ୍ତୁ ଭଲା, ବିଧି ବିଧାନ ମାନି ମନ୍ତ୍ରକୁ ତୁଣ୍ଡରେ ଧରି କାମ କଲେ, ଖର୍ଚ୍ଚ କମିବ କିପରି ?

 

ଚିନ୍ତେଇଁ ସୋଇଁ କହିଲେ, ଖର୍ଚ୍ଚବାର୍ଚ୍ଚ କଥା ଆପଣ ଭାବନ୍ତୁ ନାହିଁ, ସେ ସବୁ ତୁଲେଇ ହେବ । ସେ ଆଗ ଆସୁ ମୋ ଆଗକୁ । ଗୋଟିଏ ଜାତିର ପିଲାକୁ ଜାତିରେ ମିଶାଇବାକୁ ଯଦି ପାଞ୍ଚପଇସା ଅଧିକ ଲୋଡ଼ାହୁଏ, ଆଉ ଖର୍ଚ୍ଚ ତୁଲାଇବାକୁ ଯଦି ତାର କାଢ଼ ନ ଥାଏ, ଆପଣ କଣ ଚାରି ପଇସା ନିଜ ହାତରୁ ଦେବେ ନାହିଁ କି ପହରାଜେ ?

 

ପହରାଜେ ସାମାନ୍ୟ ହସି କହିଲେ, ଗରିବ ବ୍ରାହ୍ମଣ ଆଜ୍ଞା, ଦେଶ ସେବାରେ ଦୁଇ ପଇସା ଲାଗିବାକୁ ସଖ୍ୟ ନାହିଁ, ଅନ୍ୟପାଇଁ ଖରଚ କରିବାକୁ ବହପ କାହୁଁ ଆସିବ ? ହେଲେବି ବ୍ରାହ୍ମଣର ଧନ ଅବଧାନ, ବ୍ରହ୍ମସ୍ଵ, କିଏ ତାକୁ ହଜମ କରିବ ?

 

ଚିନ୍ତେଇ ସୋଇଁ ହସିଲେ ।

 

ନିଧେଇ ସୋଇଁ କହିଲେ, ହରିବାବୁ, ଚିଟାଉ ଲେଖ, ନୋହିଲେ ଲେଖିନୀ ତାଳପତ୍ର ମୋ ଆଡ଼କୁ ଦିଅ ।

 

ଅଗତ୍ୟା ହରି ମାହାନ୍ତି ଲେଖିନୀ ତାଳପତ୍ର ତଳୁ ଉଠାଇଲେ । କର୍ତ୍ତାନରୂପ କର୍ମ । ସେ କଣ କରନ୍ତେ ।

 

ପହରାଜେ କହିଲେ, ଆପଣଙ୍କ କଥା ମାନି ନିମନ୍ତ୍ରଣ ରଖି ସନେଇଁ ପରିଡ଼ା ଆସିପାରେ; କିନ୍ତୁ ଯେଉଁମାନଙ୍କୁ ପାଖରେ ରଖିଛି, ସୋମାନଙ୍କୁ ଛାଡ଼ିପାରିବ ନାହିଁ । ଧୋବୀ ଆଡ଼କୁ ଅନାଇଁ ବିନତୀ ହୋଇ କହିଲେ, ମା’ ତୁମେ ଟିକିଏ ଭିତରକୁ ଯିବ କି ?

 

ଧୋବୀ ନାଗସାପ ପରି ଗର୍ଜି ଉଠିଲା, ମୁଁ ପିଲାଛୁଆ ନୁହେଁ । ଆପଣ ଯାହା କହିବାର କହନ୍ତୁ । ମୋରି ମା’ର ଶୁଦ୍ଧିକୁ କେଉଁମାନେ ନିମନ୍ତ୍ରତ ହୋଇ ଆସିବେ, ମୁଁ ଜାଣିବାକୁ ଚାହେଁ । ଆପଣଙ୍କର କଣ କହିବାରେ ଅଛି ?

 

ପହରାଜେ ଥା ଥା-ମା ମା ହୋଇ ଚିନ୍ତେଇ ସୋଇଁଙ୍କୁ ଚାହିଁ କହିଲେ, କଇଁ ବାଇଆଣୀ ଗାଁ ଦାଣ୍ଡରେ ବୁଲୁଥିଲା । ପାଟିକରି ବକୁଥିଲା, ସନେଇଁ ତାର ବର । ପଚାରନ୍ତୁ ଗ୍ରାମବାସୀଙ୍କୁ । କଇଁର କୋଳରେ ଯେଉଁ ପିଲା ଥିଲା, ସେ ତ ମରିଗଲା ସୋଇଁଏ, ସେ କାହାର ? ତୁଣ୍ଡରେ ନ କହିଲେ ମଧ୍ୟ ସେ କାହାର ? ଲୋକ ନିର୍ବୋଧ ନୁହନ୍ତି । କଇଁ କଥାରୁ ବୁଝାପଡ଼ୁଥିଲା, ସେ ସନେଇଁର ।

 

ଚମକି ଉଠିଲା ଧୋବୀ, ବିଚଳିତ ହେଲେ ନିଧେଇ ସୋଇଁ । ହରି ମାହାନ୍ତିଙ୍କ ହାତରୁ ଖସିପଡ଼ିଲା ଲେଖନୀ । ପାକୁଆ ପାଟି ଆଁ ହୋଇଗଲା । ଚିନ୍ତେଇ ସୋଇଁଙ୍କ ଆଖିରେ ଜଳି ଉଠିଲା ଆଗ୍ରହ ଆଲୁଅ । ଉତ୍ତେଜିତ ହୋଇ ପହରାଜେ କହିଲେ, ଉପରେ ଧର୍ମ ଅଛି । ସବୁଠାରେ ଭଗବାନ ଅଛନ୍ତି । ପାପ ଛପି ରହିବ ନାହିଁ । ନଅଙ୍କ ଦୁର୍ଭିକ୍ଷରେ ଦାଣ୍ଡେ ଦାଣ୍ଡେ ଭିକ ମାଗି ବୁଲି ସନେଇଁ ଅନୀତି କରିଥିଲା, ଭାବିଥିଲା କଇଁ ମରିଯିବ, ତାର କଳଙ୍କ ଲୁଚିବ, କିନ୍ତୁ ମଲା କଳଙ୍କର ପ୍ରତୀକ ସେଇ ପିଲାଟା । କଇଁ ବାଇଆଣୀ ହୋଇ ଫେରି ଆସିଲା । ଦାଣ୍ଡେ ଦାଣ୍ଡେ ବୁଲି ଚିତ୍କାର କଲା, ସମସ୍ତେ ଶୁଣିଛନ୍ତି, ସନେଇଁ ମୋର ବର । ସେ ମୋତେ ଛାଡ଼ିଛି । ପିଲାପୁଅ ମୋର ମରିଛି-। ବୁଝିଲ ସୋଇଁଏ, କାହିଁକି ଆଜି ସନେଇଁ ଧର୍ମାତ୍ମା ପାଲଟି, ଅନ୍ଧ, ଖଞ୍ଜ, ବିଜାତୀୟଙ୍କୁ ନେଇ ଘରେ ରଖିଛି ? କଇଁକୁ ନେଇ ଘରେ ରଖିଛି ? ସବୁ ପତିଆରା । କଇଁ ଆଜି ସନେଇଁ ଘରର ଘରଣୀ । ପାଗଳାମୀ ତାର ନାହିଁ । ସନେଇଁର କଳଙ୍କ କଥା ଆଉ କଇଁ ମୁହଁରୁ ବାହାରିବ ନାହିଁ । ଯାହା କରୁଛ ଭାବିଚିନ୍ତି, ବୁଝିବିଚାରି କର । ଆମେ ପୁରୋହିତ, ଯାହା ଆମ ତୁଣ୍ଡରୁ ବାହାରିବ, ସବୁ ଯଜମାନର ହିତ ପାଇଁ ।

 

କାହାରି ତୁଣ୍ଡରୁ କଥା ବାହାରିଲା ନାହିଁ ।

 

ଚିନ୍ତେଇ ସୋଇଁଙ୍କ ଆଖି ଆଗରେ ଉଭାହେଲା ଧୋବୀବୋଉଙ୍କର ମରଣ କାଳର ଶେଷକଥା, ଧୋବୀକୁ ସନେଇଁକୁ ବାହା କରିଦେବ । ମରଣମୁଖୀ ସ୍ତ୍ରୀଙ୍କୁ ବାରମ୍ବାର ସାନ୍ତ୍ୱନା ଦେଇଛନ୍ତି, ନିଜେ ତମେ ଧୋବୀକୁ ସନେଇଁ ହାତରେ ଦେବ । କଥାଗୁଡ଼ା ତାଙ୍କର କାନରେ ବାଜି ଯାଉଛି । ପହରାଜେ ମିଛ କହନ୍ତି ନାହିଁ । ସନେଇଁ କଳଙ୍କର କୀଟ । ତଥାପି ମରଦ ପିଲା । ମନ ବଦଳିଲେ, ସବୁ ଓଲଟି ଯିବ ।

 

ଧୋବୀର କାନରେ ବାଜି ଯାଉଛି କେତେ ଦିନର କଥା; କେତେ ଦୃଶ୍ୟ ଆଖି ଆଗରେ ଭାସି ଉଠୁଛି । ଏତେ କଳଙ୍କ ଲୁଚାଇ ସନେଇଁ ଭାଇ ଛଳନା କରୁଥିଲା । ଧୋବୀକୁ ସ୍ତ୍ରୀ କରି ନେବାକୁ ମନ ବଳାଇଲା ।

 

ଚିନ୍ତେଇ ସୋଇଁ କହି ଉଠିଲେ, ନିଧେଇ, ସନେଇଁକୁ ତୁଇ ନିମନ୍ତ୍ରଣ ଚିଟାଉ ଲେଖ୍‍, ସେ ଆସୁ ।

 

ଚିହିଁକି ଉଠିଲା ଧୋବୀ । ଉଠି ଠିଆହୋଇ ଝିଡ଼ପରି ଥରିଲା କଣ୍ଠରେ କହିଲା, ନା ନା ସନେଇଁ ପରିଡ଼ାକୁ ନିମନ୍ତ୍ରଣ କରା ହେବନାହିଁ । ବାପା, କଣ ଆଜି ତାର ବଡ଼ତି ହୋଇଛି କି ? ତା’ରି ବାପ ଦିନେ ତମକୁ ଅପମାନ ଦେଇଥିଲା । ତମରି ଘରେ କୋଠିଆ ରଖିବାକୁ ଦିନେ ତମେ ତାକୁ ଡାକୁଥିଲ । ସେ ଯେତେ ଯାହା କରୁ, ଆଜି ସେ ଅନାଚାରୀ, ବ୍ୟଭଚାରୀ, ବିଧର୍ମୀ, ପତିତ । ମୋ ବୋଉର ଶୁଦ୍ଧିଘରକୁ ଆସି ଏ ସ୍ଥାନ ଅପବିତ୍ର କରିବାକୁ ତାକୁ ଡାକନାହିଁ ।

 

ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଧୋବୀର ଥରିଲା ଦେହ ଓ ଢଳ ଢଳ ଆଖିକୁ ଚାହିଁଲେ । ଚିନ୍ତେଇ ସୋଇଁ କଅଁଳ ସ୍ଵରରେ କହିଲେ, ବାଧା ଦେଏନା ମା’, ତୋ ବୋଉର ଶେଷ କଥା…..

 

ବାଧାଦେଇ ଧୋବୀ ଉଚ୍ଚ ଗଳାରେ କହିଲା, ବୋଉ ଭୁଲ ବୁଝିଥିଲା । ବୋଉ ମୋର ପବିତ୍ର, ନିଷ୍କଳଙ୍କ । ତାର ସୁନ୍ଦର ସରଳ ମନ ଯୁଆଡ଼କୁ ଥରେ ଢଳେ, ଆଉ ଫେରେ ନାହିଁ । ତା’ ଆଖିରେ ଦୁନିଆର ସବୁ ଲୋକ ଭଲ । ମୋର ସୁଖ ସେ ଚାହିଁଥିଲା । ମୁଁ ସୁଖୀ ହେଲେ ସେ ଯେଉଁଠି ଥାଉ, ସୁଖୀ ହେବ । ସନେଇଁ ପରିଡ଼ା ମୋରି ଘରେ ପାଦ ଦେଲେ ମୁଁ ସୁଖୀ ହେବି ନାହିଁ, ମୋ ମଲା ବୋଉର ଆତ୍ମାକୁ ଅପମାନ ହେବ ।

 

ନିଧେଇ କହିଲେ କଣ କହୁଛୁ ଲୋ ପାଗଳୀ ।

 

ଧୋବୀର ରୁଦ୍ଧ ବେଦନାର ସ୍ରୋତ ଝରି ଆସିଲା, ସତ କହୁଛି ଦାଦା । ବୋଉ ମୋର ଯାହାକୁ ଚାହୁଁଥିଲା, ସେ ତ ଏଇ ଅନାଚାରୀ ସନେଇଁ ପରିଡ଼ା ନୁହେଁ ।

 

ଚିନ୍ତେଇ ସୋଇଁ କହିଲେ, ମା’–

 

ଧୋବୀ କହିଲା, ପହରାଜେ ଯାହା କହିଲେ ସବୁ ସତ । ବନେଇଁ ପରିଡ଼ାର ପୁଅ ସନେଇଁ ପରିଡ଼ାକୁ ଚିଟାଉ ଯିବ ନାହିଁ ।

 

ଝରି ଆସୁଥିବା ଆଖିର ଲୁହକୁ ଲୁଚାଇବାକୁ ଧୋବୀ ବୁଲିପଡ଼ି, ଥରିଲା ପାଦରେ ଦାଣ୍ଡଘରୁ ଭିତର ଖଞ୍ଜାକୁ ପଶିଗଲା । ବାପା, ଦାଦିଙ୍କର ଆଖିକୁ ଏଡ଼ି ପାରିନାହିଁ ତାର ଛଳଛଳ ଆଖି ।

 

ପହରାଜେ କହିଲେ, ଧନ୍ୟ ଲୋ ମା’ ତୋର ବୁଦ୍ଧି । ଦେଖିଲ ମାହାନ୍ତିଏ, ଆଖି ଆଗରେ ସାକ୍ଷାତ୍‍ ଦୁର୍ଗାମୂର୍ତ୍ତି ।

 

ହରି ଗୁମାସ୍ତା ସୋଇଁ ଭାଇ ଦୁହିଁଙ୍କର ଗମ୍ଭୀର ମୁହଁରେ ଆଡ଼ ଚାହାଁଣି ପକାଇ କହିଲେ, କାହାର ଝିଅ, ଆଉ କାହାର ବୋହୂ ଜାଣ ତ ଗୋସାଇଁ ।

 

ନିଧେଇ ଦୀର୍ଘଶ୍ଵାସ ଛାଡ଼ିଲେ ।

 

ଚିନ୍ତେଇ ଚମକି ଉଠିଲା ପରି କହିଲେ, ନିର୍ବୋଧ, ପାଗଳ ପିଲାଟା । ଲେଖରେ ନିଧି ଚିଟାଉ, ମୋର ନାଁରେ ଲେଖ ।

 

ପହରାଜଙ୍କୁ ପ୍ରଥମେ ଯେପରି କଥାଟା ଅବୋଧ୍ୟ ଲାଗିଲା । ଧୀରେ ଧୀରେ ତାଙ୍କର ମୁହଁ ଉଜ୍ଜ୍ୱଳି ଉଠିଲା । ନିକଟ ଭବିଷ୍ୟତରେ ଆଉ ଗୋଟିଏ ନିମନ୍ତ୍ରଣ ସଭା ବସିବାର ଯେ ସମ୍ଭାବନା ଅଛି; ସେ ଏହା ଠିକ୍ ବୁଝିପାରିଲେ ।

 

ଯେଉଁମାନଙ୍କୁ ନିମନ୍ତ୍ରଣ ଚିଟାଉ ଯାଇଥିଲା, ସେମାନେ ଭାରବେଭାର ପଠାଇବାକୁ ଲାଗିଲେ । ହରି ମାହାନ୍ତି, ରାମ ପହରାଜେ, ନିଧେଇ ସୋଇଁ ସମସ୍ତେ ବ୍ୟସ୍ତ ରହିଲେ କାମରେ । ଦିନ ଦୁଇ ତିନିଟା ବାକି ରହିଲା । ଆଗରୁ ସବୁ ଚିଜର ବରାଦ ନ ଦେଲେ ଏତେବଡ଼ ନିମିତ୍ୟ ସୁରୁଖୁରୁରେ ଉଠିବ କିପରି ?

 

ସମସ୍ତେ ସିନା କାର୍ଯ୍ୟରେ ବ୍ୟସ୍ତ ରହିଲେ, ଧୋବୀର ମନ କେଉଁଠି ଲାଗୁ ନ ଥାଏ । ଖୁଡ଼ୀ ହୋଇଛନ୍ତି ଘରର ମୁରବୀ । ଦିଆନିଆ, ରଖାଥୁଆ ସବୁ କରୁଛନ୍ତି ଖୁଡ଼ୀ । ଭାଇ ଭଉଣୀଙ୍କ ସଙ୍ଗରେ ହସିଖେଳି କି ଠାକୁରଙ୍କ ପାଖରେ ଅଳିକରି ମଧ୍ୟ ଧୋବୀର ସମୟ ଶାନ୍ତିରେ କଟୁ ନାହିଁ । ସେ ଜାଣେ ତାର ମନା ନ ମାନି ବାପା ସନେଇଁ ଭାଇକୁ ନିମନ୍ତ୍ରଣ ଚିଟାଉ ଲେଖିଛନ୍ତି । ସନେଇଁ ଭାଇ ଅଭିମାନ କରି ଭଣ୍ଡାରି ଆଗରେ କହୁଛି, ସୋଇଁଙ୍କ ଦୁଆରେ ଠିଆହେବା ପରି ଲୋକ କଣ ସନେଇଁ ମୂଲିଆ ? ତଥାପି ସେ ନିମନ୍ତ୍ରଣ ରଖିଛି । କିନ୍ତୁ ଆଜିଯାଏ ତାର ଖବର ଅନ୍ତର ନାହିଁ କାହିଁକି ? ଯଦି ସେ ନ ଆସେ ବାପାଙ୍କର ରାଗକୁ ଆହୁରି ଜଳାଏ, ତାଙ୍କୁ ଅପମାନ ଦିଏ, ଆଉ ରକ୍ଷରକ୍ଷଣ ରହିବ ନାହିଁ ।

 

ସନେଇଁ ଭାଇର ନାମରେ ଯାହା ଯାହା ପହରାଜେ କହିଲେ, ଧୋବୀର ବିଶ୍ୱାସ ନ ହେଲେ ମଧ୍ୟ ଭାବିଲାବେଳକୁ ମନ ପାତଳା ହୋଇଆସେ । ଛାତି ଭିତର ଘାଣ୍ଟି ଚକଟି ହୁଏ । ସତେ କଣ ସେ କଇଁର ସର୍ବନାସ କରି ନିଜକୁ ଏଡ଼େ ଭଲ ବୋଲି ଦୁନିଆଁ ଆଗରେ ଛଳନା କରିଥିଲା ? ଆଖି ତାର ଓଦେଇ ଆସେ । ଛଳନା ସେ କରୁ ପଛେ, ସୁଖରେ ରହୁ, ଘର କରୁ ।

 

କାହା ଆଗରେ ମନର ଦୁଃଖ ସେ କହିବ ?

 

ନିରୋଳା ଦେଖି ପୁନିକୁ ସବୁ ସେ କହିଲା, ପୁନିଲୋ, ସବୁ କଥାତ ତୁ ଜାଣୁ । ସନେଇଁ ଭାଇ ଭଲ କରୁନାହିଁ । ଆମ ସମସ୍ତଙ୍କର ଇଚ୍ଛା ଥିଲା ସୁଖରେ ସେ ଘର କରନ୍ତା, ପରିଡ଼ା ବଂଶର ନା ରହନ୍ତା, ଟେକ ରହନ୍ତା, ଦଶଟା ମଣିଷରେ ଜଣେ ହୋଇ ଗଣା ହୁଅନ୍ତା । କେଡ଼େ ଭଲ ହୁଅନ୍ତାଲୋ ।

 

ପୁନି କୋଳରେ ବନା ଏପାଖ ସେପାଖ ହେଉଥାଏ । ତିନିବର୍ଷର ପିଲା କେଡ଼େ ସୁନ୍ଦର, କେଡ଼େ ଚଞ୍ଚଳ । ପୁନିର ଲୁଗା ଟାଣି, ଛାତିରେ ମୁହଁ ଲୁଚାଇ ଅସ୍ଥିର କରୁଥାଏ ତାକୁ । ପୁନି ବିରକ୍ତ ହୋଇ ଆଖି ଦେଖାଇଲେ ବନା ମୁହଁଫଟାଇ କାନ୍ଦେ । ଟିକିଟିକି ନାକପୁଡ଼ା ଥରିଉଠେ । ଧୋବୀ ଆକଟି କହେ, କାହିଁକି ତାକୁ ଆଖି ଦେଖାଉଛୁ ପୁନି । ଦେ ତାକୁ କ୍ଷୀର–

 

ଉଲୁସି ଉଠେ ଧୋବୀର ସାରାଦେହ । ଏମିତି ପିଲାବକଟେ ଯଦି ତାର ପେଟରୁ ବାହାରିଥାନ୍ତା, ତାର ଅପବିତ୍ର, ଅନାବଶ୍ୟକ, ଉଷର ଛାତିରୁ ଝରିଥାନ୍ତା ଅମୃତର ଝରଣା, ଶଶୁ ଦେବତାର ଓଠ ପାଖୁଡ଼ା ପରଶରେ ସେ ଲଭନ୍ତା ସରଗ ସୁଖ । ଦୁଇହାତ ବଢ଼ାଇ ବନାକୁ ତାର ମରୁ ଛାତିକୁ ଟାଣି ନେବାକୁ ମାତୃତ୍ଵ ଦିଏ ଇସାରା; କିନ୍ତୁ ସମାଜଗଢ଼ା ସଂସ୍କୃତି କହେ ତାର କାନେ କାନେ, ଛି, ବାଉରି ପିଲାଟା, ଅପବିତ୍ର । ହାତ ଅଟକି ଯାଏ । ତୁଣ୍ଡ କହେ, ପୁନିଲୋ, କନ୍ଦନା ପିଲାକୁ ।

 

ପୁନି ଛାତିରେ ବନା ଲୁଚାଏ ମୁହଁ ।

 

ପୁନି କହେ, କାନ କାନ କରି ସେ ଦିନ ମୁଁ ଭାଇକୁ ବୁଝାଇଲି । ଘରେ ତାକୁ ଘଡ଼ିଏ ରଖାଇ ଦେଲି ନାହିଁ । ପୁଣି ସେ ପାଗଳ ହେଲା । ଏତେ କାଣ୍ଡ କଲା । ଜାତି ହରେଇ ପାଣପଠାଣଙ୍କୁ ଘରେ ରଖି, ପରିଡ଼ା ବଂଶର ନାମ ବୁଡ଼େଇଲା ? କଣ ତାର ମନରେ ଅଛି । କାହିଁକି ଏମିତି କଲା ?

 

ଧୋବୀର ଇଚ୍ଛାହେଲା, ରାତିର ଘଟଣା ସବୁ କହିବ, ପୁଣି କହିବ, ସନେଇଁ ଭାଇ ତା’ରି ଉପରେ ମାନ କରି ନିଜକୁ ଭସାଇ ଦେଉଛି । କିଏ ଯେପରି ଧୋବୀର ଜିଭ ଓଟାରି ଧରିଲା ।

 

ପୁନି ଦରହସିଲା ହୋଇ କହିଲା, ପଚାରିବି କଥାଟିଏ ଧୋବୀ ଅପା । ମଲାବେଳକୁ ତୋ ବୋଉ ଯାହା କହିଗଲେ, ସେଥିରେ ତୋ’ର ମତ ଅଛି ?

 

ଧୋବୀ ମୁହଁ ପୋତିଲା । ନିଜ ଦେହ ଉପରେ ତାର ନିଘା ପଡ଼ିଲା । ଇସ୍, କେଡ଼େ ଦୁବଳ ସେ ହେଲାଣି, କେଡ଼େ ଅସନା । ଦେହସାରା ବସନ୍ତର ଚିହ୍ନ, ମୁଣ୍ଡର କେଶ ଛିଣ୍ଡି ଛିଣ୍ଡି କାନ୍ଧ କତିକି ଆସିଲାଣି ।

 

ଧୋବୀ ମୁଣ୍ଡ ଟେକିଲା । ବିରସ ଭାବ ଫୁଟି ଉଠିଲା ମୁହଁରେ । କହିଲା, ମୋର ମତ ଅମତରେ ଥାଏ କଣ ? ମାଇକିନିଆ ଝିଅ ଆମେ । ପର ହାତର ଖେଳଣା । ସେଥିରୁ ଆମକୁ କଣ ମିଳିବ ? ପୁନି ତୁ ଗୋଟିଏ କାମ କରିପାରିବୁ ?

 

କଅଣ ?

ଯିବୁ ସନେଇଁ ଭାଇ ଘରକୁ ?

 

ପୁନି ଚମକି ଉଠିଲା । କେଉଁ ସାହସରେ ବିଷ୍ଣୁପୁରର ଦାଣ୍ଡ ସେ ମାଡ଼ିବ । ବାରଲୋକ ବାରକଥା କହି କାଉ କାଉ କରି ତାକୁ ଖାଇଯିବେ । ଯେଉଁଦିନୁ ସେ ମଧୁଆ ଭୋଇର ଘରେ ଆଶ୍ରା ନେଲା, ସେଇଦିନୁ ସେ ମଣିଥିଲା, ପୁନି ମରିଛି । ବିଷ୍ଣୁପୁର ସଙ୍ଗେ ତାର କୌଣସି ସମ୍ବନ୍ଧ ନାହିଁ । କେମିତି ପୁଣି ବେହିଆ ମୁହଁରେ ବିଷ୍ଣୁପୁର ଦାଣ୍ଡ ମାଡ଼ିବ ?

 

ତୁନି ରହିଲୁ ଯେ ।

କାହିଁକି ଯିବି ?

 

ତୋ ଛଡ଼ା ସନେଇଁ ଭାଇକୁ କେହି ଆଉ ବାଟକୁ ଆଣିପାରିବେ ନାହିଁ । ତତେ ଦେଖିଲେ ସବୁ ଛତରଖିଆ ଘର ଛାଡ଼ି ଚାଲିଯିବେ । କଣ ତାଙ୍କର ଦରକାର ? ଖାଇପିଇ ସୁଖରେ ରହିବାକୁ ଯାହା ସେମାନଙ୍କର ଲୋଡ଼ା, ମୁଁ ସବୁ ଦେବି । ଏତେ ଲୋକ ଠାବ ପାଇଲେ, ଆଉ ପାଞ୍ଚଜଣକୁ କଣ ମୁଁ ଘର କରେଇ ଦେଇପାରିବି ନାହିଁ ? ତାଙ୍କର ଚଳାଚଳ ପାଇଁ ଜମିବାଡ଼ି ଖଞ୍ଜିଦେବି ନାହିଁ ? ମୋ ସମ୍ପତ୍ତି ମୁଁ ଯାହାକୁ ଦେଲେ କେହି ମୁହଁ ଖୋଲି କହିପାରିବେ ନାହିଁ । ସବୁ ତାକୁ ବୁଝାଇ କହିବୁ ପୁନି । କହିବୁ ପୁଣି, ମୁଁ କହିଛି ।

 

ପୁନି ସବୁକଥା ବୁଝିଲା । ଆଗ୍ରହ ଆନନ୍ଦରେ ଉଜ୍ଜ୍ୱଳ ଦିଶିଲା ତାର ମୁହଁ । ପୁଲକିତ ହୋଇ ଉତ୍ତର ଦେଲା, ଯିବି ଲୋ ଧୋବୀ ଅପା । ଲାଜ ସରମ, ମାନ ଅପମାନ ଯାହା ଆସୁ, ସବୁ ତୋରି ପାଇଁ ମୁଁ ହସି ହସି ସହିବି । ଯାହା ତୁ କହିଲୁ, ଯାହା ତୁଣ୍ଡ ଖୋଲି ନ କହିଲୁ, ସବୁ ମୁଁ କହିବି-। ଦେଖିବି ତାର ପାଗଳାମି କେତେ । ସନେଇଁ ଭାଇ ବଅସରେ ସିନା ବଡ଼ ଲୋ, ପିଲାବୁଦ୍ଧି ତାର ଯାଇନାହିଁ । ସେଇଥି ପାଇଁ ରାଗରୋଷ କରିଛି । ପିଲାଦିନେ ପିଜୁଳି ପାରିଲାବେଳେ ଯେମିତି ଦାନ୍ତ ନିକୁଟି ମାଙ୍କଡ଼ ହୋଇ ତତେ ଡରାଏ ନାଇଁ ଆଜି ବି ସେମିତି ଡରଉଚି । ରହ ରହ ତା’ ମୁହଁ ନ ଭାଙ୍ଗିଲେ ହେବ ନାହିଁ ।

 

କଣ ଗୁଡ଼ାଏ କହୁଛୁ ପୁନି ।

 

ସତ କହୁଛି ମୁଁ । ଦେଖିବୁ ଫେର୍ । ମୁଁ ଯିବି, ମୋ ସାଙ୍ଗରେ ବନା ଯିବ, ତା’ ବାପା ଯିବ-। ଲୋକେ ଦେଖନ୍ତୁ । ସନେଇଁ ଭାଇକୁ ଆଣି ତୋ ପାଖରେ ନ ଛାଡ଼ିଛି ଯଦି…..

 

ଚୋପ୍–

ଦେଖିବୁ ରହ ।

 

ମଧୁ ଭୋଇ ବେକରେ କୁରାଢ଼ି ପକାଇ ସେଇଠି ଆସି ପହଞ୍ଚିଗଲା । ପୁନି ତର ତର କରି ବନାକୁ କୋଳରୁ ଓହ୍ଲେଇ ତଳେ ଛାଡ଼ିଲା । ମୁଣ୍ଡରେ ଓଢ଼ଣା ଟାଣି ଗୁଣୁଗୁଣୁ ହୋଇ କହିଲା, ମଲାମର, ଆଉ କଣ ବେଳ ନ ଥାଏ ?

 

ମଧୁ କହିଲା, ସାଆନ୍ତାଣୀ ଦାଣ୍ଡ ଆଗରେ ଛାମୁଡ଼ିଆ କାମ ଶେଷ ହେଲା । ବୁଢ଼ା ସାଆନ୍ତ କହିଲେ, ଆପଣ ଟିକିଏ ଦେଖିଲେ ଲିପାପୋଛାର ବରାଦ କରିବି ।

 

ଧୋବୀ ହସ ହସ ହୋଇ କହିଲା, ବୁଢ଼ା ସାଆନ୍ତେ ଯେମିତି କହୁଛନ୍ତି କର ଯା । ମୁଁ ଦେଖିଲେ କଣ ଅଧିକ ହେବ ? ନେଇଯା ତୋ ପୁଅକୁ ସାଙ୍ଗରେ ।

 

ବନା ଠୁକୁ ଠୁକୁ ହୋଇ ମଧୁଆ ପାଖକୁ ଗଲା । ମଧୁଆ ତାକୁ କାଖ କରି ଫେରିଗଲା ଦାଣ୍ଡକୁ । ଧୋବୀ ଏକ ଆଖିରେ ଚାହିଁ ରହିଲା ।

 

ମଧୁଆ ଚାଲିଗଲାରୁ ଧୋବୀ କହିଲା, ପୁନି ଲୋ, ମଧୁସିନା ବାଉରୀ ଘରେ ଜନ୍ମ ହୋଇଛି କୋଉ ଜନ୍ମରେ ସେ ରଜାଘର ପୁଅ ଥିଲା । ପୁନି ମନେ ମନେ ଗର୍ବ ଅନୁଭବ କଲା । ପୁଣି, ଈର୍ଷାରେ ଛାତି ଭିତରେ କିଏ ଯେପରି କଣ୍ଟା ଫୋଡ଼ିଲା ପରି ମଣିଲା । କହିଲା, ସତ କହିଲୁ ଧୋବୀ ଅପା, ମୋ ଭାଇର ଚାଲିଗଲା ବାଟର ଧୂଳି ସଙ୍ଗେ କିଏ ସରି ହେବ ?

 

ଆହା, ମରୁନୁ ଲୋ ପୋଡ଼ାମୁହିଁ । ଧୋବୀ ହସିଲା ।

 

କିଏ କରୁଛି ଠିକ୍ ଆଉ କିଏ କରୁଛି ଭୁଲ ? ନିର୍ବୋଧ କିଏ ସତେ ? ଧୋବୀ ହିନ୍ଦୁ ସଂସ୍କୃତିର ଅବତାର । ସବୁ ସମ୍ପତ୍ତି ଦରିଦ୍ର ନିରାଶ୍ରୟଙ୍କ ହାତରେ ଟେକି ଦେଇଛି । ମାଟିର ଦେବତାର ପୂଜା ପାଇଁ ତୋଳାଇଛି ମନ୍ଦିର, ଖଞ୍ଜିଦେଇଛି ସମ୍ପତ୍ତି ବ୍ରାହ୍ମଣର ସେବା । ସଂସାରରେ ଥାଇ ମଧ୍ୟ ସନ୍ୟାସିନୀ ପରି ବେଳ କାଟୁଛି । ସଂଯମର ଅବତାର । ଆଖିର ଲୁହ ଭିତରେ ସେ ପାଇଛି ଆନନ୍ଦ । ପାଇଛି ଶାନ୍ତି । ସବୁ ତାର ଭୁଲ ?

 

ସଞ୍ଜ ଅନ୍ଧାର । ଆକାଶରେ ଘୋଟି ରହିଛି ମେଘ । ପବନରେ ହିଲ୍ଲୋଳ ନାହିଁ । ଗୁଳୁଗୁଳି । ସନେଇଁ ନିଶ୍ଚଳ ହୋଇ ଦାଣ୍ଡ ପିଣ୍ଡାର ଗୋଟିଏ ପାଖରେ ବସିଛି । ଦୁଇ ଆଣ୍ଠୁ ଉପରେ ନଦି ଦେଇଛି ମୁଣ୍ଡ । ଭାବୁଛି, ଦୁନିଆଁର ବନ୍ଧାଗତ ଧରି ଚାଲିଲେ କେହି ଆପତ୍ତି କରନ୍ତି ନାହିଁ । ଲୋକ ମଣନ୍ତି ଯାହା ପୁରୁଣା ସବୁ ଠିକ୍ । ଯେଉଁ ବାଟରେ ବାପା ଅଜାଙ୍କର ଚକ ଗଡ଼ିଯାଇଛି, ଗୁଳା ପିଟାଇଛି, ଭଲ ହେଉ କି ମନ୍ଦ ହେଉ, ଚାଲ ସେଇ ବାଟରେ । ଚାଲ, ହେଉନା ମଶାଣି ଆଡ଼କୁ । ନୂଆ ବାଟ ଫିଟାଇବା କଷ୍ଟ । କେତେ ଆବୁଡ଼ା ଖାବୁଡ଼ା । ଚକ ଗଡ଼େ ନାହିଁ । ମଝି ଗହୀରରେ ରଥ ଅଟକେ । ଭଗାରି ହସନ୍ତି । ରଥ ଚଢ଼ାଳି ପଛକୁ ଅନାନ୍ତି । ପୁରୁଣା ଗୁଳାରେ ଗଡ଼ିଚାଲିଛି ଶଗଡ଼ । ଫେରିବାକୁ ମନ ହୁଏ ହାଇଁପାଇଁ ଫେରି ଯିବାକୁ ।

 

ସନେଇଁ ରଥ ଅଟକିଛି । ଝଡ଼ି ବର୍ଷା ମୁଣ୍ଡରେ ଏହି ବିଲରେ ରୋଇଛି ଧାନ । ସେ ଓ ରହିମ୍ । ଅପାରଗ କାଶି ବେଜ୍ ଓ ଭରତ ସାମଲ ଘରେ ରହିଛନ୍ତି । ବୁଢ଼ା ଯୋହନ କକା ଦୁଇଦିନ କାମ କରିବାକୁ ଯାଇ ପଡ଼ିଗଲା ଜରରେ । ତାର ସେବା କରି ଦିନରାତି ଅନିଦ୍ରା ହୋଇ କେଡ଼େ କଷ୍ଟରେ ରହିମ୍ ତାକୁ ବଞ୍ଚାଇଲା । ଜର ଭଲ ହେଲାଣି । ଦୁର୍ବଳତା ଛାଡ଼ିନାହିଁ । ଚାଲିବାକୁ ଚେଷ୍ଟା କଲେ ଦେହ ଥରୁଛି । ଆଉ କଇଁ ବାଇଆଣୀ, ଘରଯାକର ଦାୟିତ୍ଵ ମୁଣ୍ଡାଇ, ବର୍ଷାପବନ ନ ମାନି ଧାଇଁ ଯାଇଛି ନିତି ଗହୀର ବିଲକୁ, ଯେଉଁଠି କାମ କରନ୍ତି ସନେଇଁ ଓ ରହିମ୍ । କେତେ କହିଛି ଆକଟ କରି, ଯିବ ନାହିଁ । ଏମିତି ଅଖିଆ ଅପିଆ ତିନ୍ତିବୁଡ଼ି କାମକରି ଜରରେ ପଡ଼ି ମରିବ ? ସନେଇଁ କହୁଛି, ତୁ ଯା କଇଁ । ତୋ ଦୁର୍ବଳ ଦେହ । ପଡ଼ି ଯିବୁଟି ? କାମ ସାରି ଆମେ ଯାଉଛୁ ତୋ ପଛେ । ରହିମ୍ କହିଛି ଯା କଇଁ ଅପା । କଇଁ ଯାଇନାହିଁ । ତିନ୍ତିବୁଡ଼ି ସେ ବି ଚକଟିଛି କାଦୁଅ । ଦୁଇଦିନ ହେଲା ପଡ଼ିଛି ଜରରେ । ଆଖି ଫିଟୁ ନାହିଁ । ରହିମ୍ ଲାଗି ପଡ଼ିଛି ତାର ସେବାରେ ।

 

କେତେଦିନ ଏମିତି ଚଳିବ ? ଗ୍ରାମବାସୀ ତାକୁ ଏକଘରିଆ କରିଛନ୍ତି । ପଇସାକ ଜାଗାରେ ଚାରିପଇସା ଦେଲେ ମୂଲିଆ ବି କାମ କରିବାକୁ ମଙ୍ଗୁ ନାହାନ୍ତି । କବିରାଜେ ଯୋହନ କକା ପାଇଁ ଔଷଧ ପାଣି ଦେଲେ ନାହିଁ । ବିନା କାରଣରେ ସମସ୍ତେ ହେଲେଣି ବିବାଦୀ । କଣ କରିବ ? ଗ୍ରାମବାସୀଙ୍କ ସାହାଯ୍ୟ ସହାନୁଭୂତି ନ ପାଇଲେ ଏତେ ଲୋକ ନେଇ କାନ୍ତାରରେ ପଡ଼ିଲା ପରି ହେବ ସିନା । ଉପାୟ କଣ ? କେତେ ଦିନ ଆଉ ଚଳାଇ ପାରିବ ରଥ ।

 

ପିଣ୍ଡା ସେ କଡ଼ରୁ ଭରଥ ସାମଲ ଗାଇ ଉଠିଲା, ଚକା ନୟନକୁ ଚାହିଁ ଗରିବ ଜଣେ….। ସନେଇଁ କାନଡେରି ଶୁଣିଲା । କେଡ଼େ ଆକୁଳ ମିନତି । କିଏ ଶୁଣୁଛି ତାର କରୁଣ ପ୍ରାର୍ଥନା । ଭରତର ଅଚଳ ଦେହକୁ କେହି ତ ସୁସ୍ଥ କରିପାରୁନାହିଁ । ଦାଣ୍ଡଘରେ ଅନ୍ଧ କାଶି ବେଜ ଗୁଣୁଗୁଣୁ ହେଲା, ଘଟ ଛୁଟିଲେ ତୋତେ ବୋଲିବେ ଭୂତରେ ।

 

ମୁହୁର୍ତ୍ତେ ସନେଇଁ କାନ ଡେରିଲା । ପୁଣି ବୁଡ଼ିଗଲା ତାର ଭାବନାରେ । ଚିନ୍ତେଇ ସୋଇଁ ନିମନ୍ତ୍ରଣ କରିଛନ୍ତି । ଉପହାସ । ପେଟପାଇଁ ଯାହାଙ୍କ ଆଗରେ ଗୋଡ଼ଭାଙ୍ଗି ଠିଆ ହୋଇଥିଲା, ଯିଏ କୋଠିଆ କରି ରଖିବାକୁ ତାକୁ ଡାକିଥିଲେ, ସେଇ ସେ ଚିନ୍ତେଇଁ ସୋଇଁ, ମୂଲିଆର ନିରାଶ୍ରୟ ରକ୍ତ ଶୋଷି ଯିଏ ବଡ଼ । ବରଂ ଚିନ୍ତେଇ ସୋଇଁ ବିରକ୍ତ ହୁଅନ୍ତୁ, ଯାହା କରିବାର କରନ୍ତୁ, ସେ ନିମନ୍ତ୍ରଣ ରଖିବ ନାହିଁ । ସ୍ଵାଧୀନ ହୋଇ ବିଲ ମଝିରେ ବର୍ଷାପାଣିରେ ତିନ୍ତି, କାଦୁଅ ଚକଟି, କାମ କରୁକରୁ ବରଂ ସେ ଟଳି ପଡ଼ିବ ।

 

ରହିମ୍ ଡାକିଲା, ସନେଇଁ ଭାଇ, କଇଁ ଅପାର ଜର ବଢ଼ିଛି । ସେ ଅସ୍ଥିର ହୋଇ ତମକୁ ଡାକୁଛି ।

 

ସନେଇଁ ଉଠିଲା । ରହିମ୍‍ର ପଛେପଛେ ଗଲା ।

 

ତଳ ଧାଉଡ଼ିର ମଝି ଘରେ ହେଁସ ଉପରେ ଶୋଇଛି କଇଁ । ଉଜ୍ଜ୍ୱଳହୋଇ ଜଳୁଛି ଦୀପ-। ଯୋହାନ କକା ମୁଣ୍ଡ ଉପରେ ବସି କଇଁର କପାଳରେ ହାତ ବୁଲାଉଛନ୍ତି । ସନେଇଁ ବସିଲା ତାଙ୍କରି ପାଖରେ । କଇଁର କପାଳରେ ହାତ ମାରିଲା, ତାତିରେ ଦେହରେ ତାର ଖଇ ଫୁଟୁଛି । କହିଲା, ରହିମ୍, ସାରାଦିନ ପରିଶ୍ରମ କରି ତୁ ତ ହାଲିଆ ହେବୁଣି, ଗୋଟିଏ କାମ ବତାଇବି କରିବୁ-?

 

ଆଗ୍ରହରେ ରହିମ୍ ପଚାରିଲା କଣ ?

ବଇଦ ଘରକୁ ଥରେ ଯା ।

 

ରହିମ୍‍ର ମନ ମରିଗଲା । ବଇଦ କଣ ଆସିବ ? ତଥାପି ଗୋଡ଼ହାତ ଧରି ଥରେ ଡାକିବୁ । ନ ଆସୁ ପଛେ, ଔଷଧ ଦେବ ତ ? ଥରେ ଯାଏ ।

 

ଅପେକ୍ଷା ନ କରି ରହିମ୍ ଚାଲିଗଲା ।

 

ସନେଇଁ କହିଲା, ତମେ ଭାରି ଦୁର୍ବଳ ହୋଇଛ ଯୋହନ କକା । ଯାଅ, ଆର ଘରେ ବିଶ୍ରାମ ନିଅ । ତୁମେ ଯଦି ପୁଣି ପଡ଼ିଯାଅ ସମସ୍ତେ ହଇରାଣ ହେବା ।

 

ଯୋହନ ଆପତ୍ତି କଲେ । ସନେଇଁ କେତେ ବୁଝାସୁଝା କରି ନେଇ ଆରଘରେ ଛାଡ଼ିଲା-। ବିଛଣା ପାରିଦେଲା । ଯୋହନ କକା ବିଶ୍ରାମ ନେଲେ ।

 

ସନେଇଁ ଆସିଲା କଇଁ ପାଖକୁ ।

 

କଇଁ ଖୋଲିଲା ଆଖି । ପାଖରେ ବସିଛି ସନେଇଁ ଭାଇ । ମୁଣ୍ଡରେ ହାତ ବୁଲାଉଛି । ଘରେ ଆଉ କେହି ନାହିଁ । କଇଁର ସ୍ଵପ୍ନ ଯେପରି ଫଳି ଉଠିଲା । ଏଇ ଘର ତା’ରି । ସନେଇଁ ତାର ବର । ମିଛ ନୁହେଁ, ସ୍ୱପ୍ନ ନୁହେଁ, ପାଗଳାମୀ ନୁହେଁ । ଆଜିଯାଏ ଯେପରି ସେ କୁହୁଡ଼ି ପହଁରୁ ଥିଲା, ଏତେ ଦିନକେ ଫେରିଆସିଛି ବାସ୍ତବତାର ମଝିକି । ଯାଉ, ଯାଉ ଦୁନିଆଁ ପ୍ରଳୟ ହୋଇଯାଉ । ସେ ତାର ମନର ହଜିଲା ଦେବତାକୁ ପାଇଛି । ଦିନରାତି ଯାହାକୁ ସେ ଝୁରୁଥିଲା । ଯାହାର ଭାବନା ତାକୁ କରିଥିଲା ବାଇଆଣୀ ।

 

କଇଁ ଆଖି ତରାଟି ଚାହିଲା ଚାରିଆଡ଼କୁ । ସନେଇଁର ଚଳନ୍ତି ହାତ ପାପୁଲିକୁ ମୁଠେଇ ଧରି କରୁଣ ଆଖିରେ ଚାହିଁ ରହିଲା । ସନେଇଁ ତାର ଦୁର୍ବଳ ମୁହଁକୁ ଚାହିଁ କହିଲା, କଇଁ, ବାର୍ଲି ଟିକିଏ ପିଇବୁ ?

 

କଇଁର ଶୁଖିଲା ଓଠରେ ଖେଳିଲା ହସର ବିଜୁଳି । ଦୁଇଆଖି ଢଳଢଳ ହେଲା । କ୍ଷୀଣ କଣ୍ଠରେ ପଚାରିଲା, ଏ ଘର କାହାର ?

 

ସନେଇଁ କହିଲା, ଜାଣୁ ନାହିଁ ? ଏ ଘର ସଭିଙ୍କର, ଏଘର ତୋର ।

କଇଁ କହିଲା, ଏ ଘର ସଭିଙ୍କର ? ଏ ଘର ମୋର ନୁହେଁ ?

 

ସନେଇଁ ଭାବିଲା, ଜର ଅଧିକ ହେବାରୁ କଇଁର ମୁଣ୍ଡର ଅବସ୍ଥା ହୁଏ ତ ଭଲ ନାହିଁ । ତାର ମନରେ ଆଘାତ ଦେଲେ ପୁଣି ତାହାର ପାଗଳାମି ବାହାରିବ । ସେଇଥିପାଇଁ ସେ ବୁଝାଇ କହିଲା, ନାଇଁଲୋ, ଏଘର ତୋର । ଏଠି ଯେଉଁମାନେ ଆଶ୍ରା ନେଇଛନ୍ତି, ସମସ୍ତେ ତୋ’ର । ତୋ’ରି ଯୋହନ କକା, ରହିମ୍ ଭାଇ, କାଶୀ, ଭରଥ-ସମସ୍ତେ ତୋ’ରି । ଏ ଘର ତୋ’ରି ଲୋ ।

 

କଇଁ ହସିଲା । ଏ ଘର ମୋର, ଏ ଘର ମୋର । ଗୁଣି ହେଲା ।

 

ସନେଇଁ ଧୀରେ ଧୀରେ ହାତ ଖସାଇ ଆଣି କହିଲା, ବ୍ୟସ୍ତ ହ’ ନା କଇଁ, ଏ ଘର ତୋର, ତୁ ଭଲ ହୋଇଯିବୁ ।

 

କଇଁ ଖୁସି ହୋଇ ଉଠି ବସିଲା । ହସି ହସି ସନେଇଁକୁ କଟମଟ କରି ଚାହିଁଲା । କହିଲା, ତୁଇ ମୋର ବର ସନେଇଁ ଭାଇ, ମଲାଆଗରୁ ବାପା ମତେ କହି ଯାଇଛି । ମୋରି ହାତ ଧରି ପେଟ ପାଇଁ କେତେ ଗାଁ ଗଣ୍ଡା ସେ ବୁଲିଛି । ହାତପାତି ଭିକ ମାଗିଛି । ନିଜେ ନ ଖାଇ ମୋତେ ଖୁଆଇ ବଞ୍ଚାଇଛି । ପଚାରିଲେ କହିଛି, ଉପରେ ଭଗବାନ ଅଛନ୍ତି ଲୋ କଇଁ, ଆମେ କେବେ କାହାରି ଅନିଷ୍ଟ କରି ନ ଥାଇଁ । ଠାକୁର ସାହା ହେବେ, ପୁଣି ଭଲବେଳ ଫେରିବ । ବାପା କହେ, ଫେରିଯିବା ଘରକୁ । ତୁ ପରିଡ଼ା ଘରର ବୋହୂ, ଶୁଣିନୁ, ବନେଇଁ ପରିଡ଼ା କଣ କହିଥିଲା ? ଭଲ ବେଳ ପୁଣି ଆସିବ ।

 

କଇଁର ଆଖିରୁ ଲୁହ ଝରିଲା ।

 

କ୍ଷୀଣ କଣ୍ଠରେ କହିଲା, ବାପ ଅଚଳ ହେଲା । ତାର ଆଣ୍ଠୁଗଣ୍ଠି ଫୁଲିଲା । ଜାଣେ ନା, ସେ ଗାଁ ନାମ କଣ । ନଈ କୂଳରେ, ଆମ୍ବତୋଟା ପାଖରେ, କେତେ କାଳର ପୁରୁଣା ମନ୍ଦିରଟାଏ । ପଛପଟେ ଇଟାଗଦାରେ ସାଲୁବାଲୁ ସାପ । ସେଇଠି ରଖିଲି ବାପାକୁ । ଚାରିପଟେ କାଙ୍ଗାଳ । ଆସୁଛନ୍ତି ପଲପଲ, ପଡ଼ି ମରୁଛନ୍ତି । ସନେଇଁ ଭାଇ, ଭିକ ମାଗି ବାପ ମୁହଁରେ ତୋରାଣି ଦେଲି । ଭିକ ବି ମିଳିଲା ନାହିଁ । ସେଇ ଗାଁରେ କେଡ଼େ ବଡ଼ ଘର । ନଡ଼ିଆଗଛ ପରି ଧାନଗଦା, ପଲପଲ ଗାଈଗୋରୁ । ସେଇ ଏକା କାଙ୍ଗାଳକୁ ଭାତ ପେଜ ଦେଲେ । ଧାନଗଦା ଅଧା ହେଲା । ଛତର ବନ୍ଦ ହେଲା । ମୁଁ ଯାଇପାରିଲି ନାହିଁ । ବାପର ଦେହ ଦିନୁଦିନ ଖରାପ ହେଉଛି, ଉଠିବାକୁ ତାର ଶକ୍ତି ନାହିଁ । ସବୁବେଳେ ପାଟି କରୁଛି କଇଁଲୋ, ତୋରାଣୀ ଦେ ।

 

କେମିତି ତୋ ଆଗରେ କହିବି କଣ ହେଲା ? ବାପର ବିକଳ ସହି ନ ପାରି ସଞ୍ଜବୁଡ଼େ ଛପି ଛପି ମୁନ୍ଦିଏ ତୋରାଣି ପାଇଁ ସିନା ମୁଁ ପଶିଥିଲି । କିଏ ସେ, ତାକୁ ମୁଁ ଚିହ୍ନେ ନାହିଁ ତ । କାହିଁକି ସିଏ ମୋତେ ଧରି ରଖିଲା ? ଭାତ ତୋରାଣୀର ଲୋଭ ଦେଖାଇଲା ? ବାପର ଡାକ କାନରେ ବାଜି ଯାଉଥାଏ, କଇଁଲୋ, ତୋରାଣୀ ମୁନ୍ଦିଏ ଦେ । କେତେଦିନର ଓପାସ ପେଟ ଗର୍ଜି ଉଠୁଥାଏ । ରାକ୍ଷସ ପରିକା ସେଇ ଲୋକଟା, ମୋତେ ଛାତିରେ ଜାକିଲା, କାନରେ କହିଲା, ଗୋଟାଏ ପେଟ ତୋର କେତେ ଭାତ ଖାଇବ, କେତେ ତୋରାଣୀ ପିଇବ ?

 

ସନେଇଁ ଭାଇ, ଅଧାପ୍ରାଣ ଘେନି, ଥରିଲା ଗୋଡ଼ରେ ଟଳି ଟଳି ବାପ ପାଖକୁ ଫେରିଲି-। ଗୋଟିଏ ହାତରେ ପାଣିଠେକି ଧରିଥାଏ, କାନିରେ ବାନ୍ଧି ଆଣିଥାଏ ଧୋବ ଫରଫର ତତଲା ଭାତ, ଲୁଣ, ତରକାରି । ବାପ ଖାଇବ, କେତେ ଖୁସି ହେବ । ବଞ୍ଚିବ । ଭଲ ଲୋକଟି ସିଏ, ମୋତେ ଛାତିରେ ଧରିଥିଲା, ଅସନା, ମଇଳା କାଙ୍ଗାଳୁଣୀଟାକୁ, କାନରେ ଯିଏ କହିଥିଲା, ସବୁଦିନେ ସଞ୍ଜବେଳେ ଯାଇ ଭାତ ଆଣିବାକୁ । ଭଲ ଲୋକ ସିଏ ।

 

କେତେଖୁସିରେ ଧାଇଁ ଆସିଥିଲି ବାପକୁ କହିବି, ତା’ରି ତୁଣ୍ଡରେ ଆହାର ଦେବି, ସେ ବଞ୍ଚିବ, ଭଲ ହେବ ।

 

ଜହ୍ନ ରାତି । ନଈବନ୍ଧ ଉପର ସେଇ ଭଙ୍ଗା ମନ୍ଦିର ଭିତରେ ପହଞ୍ଚିଲି । ବାପର ଦେହରେ ପ୍ରାଣ ନ ଥିଲା । କେତେବେଳୁ ମରି ସେ କାଠ ହୋଇ ଗଲାଣି । ମନଇଚ୍ଛା କାନ୍ଦିଲିରେ । ବାପର ମଲା ମୁହଁରେ ଭାତ ଦେଲି, ପାଣି ଦେଲି, ଉଠିଲା ନାହିଁ ସେ । ସେଇ ଦୁର୍ବଳ ମଲାଦେହ ପାଖରେ ବସି ସବୁ ଭାତ ଖାଇଲି । ପାଣି ପିଇଲି ।

 

ରାତି ପାହି ନ ଥାଏ । ବାପର ମଲା ଦେହକୁ ଛାଡ଼ି ଯୁଆଡ଼େ ଗଲା ଆଖି ମୁଁ ଚାଲିଲି, ଚାଲିଲି ।

 

କଇଁ ପୋଉିଲା ଆଖିରୁ ଲୁହ । ସନେଇଁ ନିଜକୁ ଅପରାଧୀ ମଣିଲା । କଇଁ ବାପ ପାଇଁ ସର୍ବସ୍ଵ ଦେଲା, ଆଉ ସନେଇଁ, ପେଟ ପାଇଁ ନେଲା ବାପର ଜୀବନ ।

 

କହିଲା କଇଁ, ପାପପୁଣ୍ୟ କଣ ମୁଁ ଜାଣି ନ ଥିଲି, ବୁଝି ନ ଥିଲି, ଯାହା ମୁଁ କରୁଛି ଅପରାଧ କରୁଛି । ସେଇଥି ପାଇଁ ପେଟର ଜ୍ୱାଳାରେ ଯିଏ ମୋତେ ଆଖି କୋଣରେ ଡାକିଥିଲା, ଆଉ ମୁଠାଏ ଭାତର ଲୋଭ ଦେଖାଇଥିଲା, କିଛି ନ ଭାବି ନ ବିଚାରି ଭାତର ମୂଲ୍ୟ ପାଇଁ ମୋର ଅସନା, ଦୁର୍ବଳ ଦେହ ମୁଁ ପାତି ଦେଇଥିଲି । ପୁଣି ଅବହେଳା ଦେଖିଲେ, ଗୋଟାଏ ଗାଁ ଛାଡ଼ି ଚାଲି ଯାଇଥିଲି ଅନ୍ୟ ଗାଁକୁ କାଙ୍ଗାଳ ପଲ ସାଥିରେ, ପେଟ ଜ୍ୱାଳାରେ, ବଞ୍ଚିବା ଆଶାରେ ।

 

ବେଳ ଗଡ଼ିଗଲା, ଯିଏ ଦେଖିଲା ପଚାରିଲା କିଏ ମୋର ବର । ପେଟର ଶିଶୁକୁ ଚାହିଁଲି-। ବୁଝିଲି ମୁଁ ଅନ୍ୟାୟ କରିଛି, ପାପ କରିଛି, ଅନୀତି କରିଛି । ବର ନ ଥାଇ ଶିଶୁର ମା’ ହେବା ଅଧିକାର ମୋର ନାହିଁ । ଯିଏ ମୋର ବର ତା’ରି ଶିଶୁକୁ ପେଟରେ ବୋହିବାର ବିଧି । ସନେଇଁ ଭାଇ, ସମସ୍ତେ କହନ୍ତି, ତୁ ମୋର ବର । କିନ୍ତୁ ତୋର ଶିଶୁ ତ ମୋର ପେଟରେ ନ ଥିଲା, କାହାର ଶିଶୁ ସେ ମୁଁ ତ ନିଜେ ଜାଣେ ନାହିଁ । ବରଂ ଅପନ୍ତରାରେ ପଡ଼ି ପେଟଜ୍ୱାଳାରେ ମରିବା ଉଚିତ ଥିଲା । କେହି ମୋତେ ଏକଥା ଶିଖାଇନାହିଁରେ, ବରଂ-

 

କଇଁ ଘନ ଘନ ନିଶ୍ଵାସ ଛାଡ଼ିବାକୁ ଲାଗିଲା । ଅଟଳ ଅଚଳ ପଥର ମୂର୍ତ୍ତିପରି ସନେଇଁ ବସି ରହିଥାଏ । ଏକା ଆଖିରେ କଇଁର ଫଣଫଣ ମୁହଁକୁ ଚାହିଁ ରହିଥାଏ ।

 

କଇଁ କହିବାକୁ ଲାଗିଲା, ଶିଶୁ ଯେତେବେଳେ ନିର୍ଜନ ବାଟ କଡ଼ରେ ମୋରି କୋଳରେ କୁଆଁ କୁଆଁ ଡାକ ଛାଡ଼ିଲା, ଯେତେବେଳେ ତାର କଳା ମିଚି ମିଚି ଟିକି ଟିକି ଆଖିକୁ ଚାହିଁଲି, ହାତ ଗଲା ନାହିଁ, ମନ ବଳିଲା ନାହିଁ, ତାର ପାଟିକୁ ଚିରଦିନ ପାଇଁ ବନ୍ଦ କରି ପୁଣି ଲୋକ ଆଖିରେ ନିଷ୍କଳଙ୍କ ହେବାକୁ । ସେଇ କଥା ମତେ କେତେ କିଏ ଶିଖାଇଲେ । ମୁଁ ବି ଆଗରୁ ଭାବିଥିଲି, ପାପର ଚିହ୍ନ ଲୁଚାଇ ଫେରିଆସିବ ଏଇ ଘରକୁ, ତୋ’ରି ପାଖକୁ । ପାରିଲି ନାହିଁରେ । ଦୁନିଆଁର ଆଖିରେ ଯିଏ କଳଙ୍କର ପସରା, ତାକୁ ଛାତିରେ ଧରି ଦ୍ଵାର ଦ୍ଵାର ବୁଲିଲି । ଶେଷକୁ ସେ ଶୋଇଲା ମଶାଣି ଭୂଇଁରେ ।

 

ସନେଇଁ ଭାଇ, କଳଙ୍କର ଚିହ୍ନ ସିନା ଲିଭିଲା, କଳଙ୍କ ଛପିଲା ନାହିଁ । ଜାଣେ, ମୁଁ ହେଲି ବାଇଆଣୀ । ଲୋକେ ମତେ ସେଇଆ କହିଲେ । ଗାଁ ଗାଁ ବୁଲିଲି । ନିଜର କଳଙ୍କ କଥା ନିଜ ତୁଣ୍ଡରେ ଗପିଲି । ଭୁଲି ଯାଇଥିଲି ଏ ଗାଁ କଥା, ମୋର ବର ସନେଇଁ ପରିଡ଼ା କଥା ।

 

କଇଁ ବଡ଼ ପାଟି କରି ହସିଲା । କହିଲା, ଅକସ୍ମାତ ଆସିଲି ଏଠାକୁ ସନେଇଁ ଭାଇ, ଗତକଥା ସବୁ ମନେପଡ଼ିଲା । ଆଜି ମୁଁ ଏଇ ଘରେ ଆଶ୍ରା ନେଇଛି । ତୁଇ ସନେଇଁ ପରିଡ଼ା, ଯିଏ ମୋର ବର ଥିଲୁ, ମୋତେ ତୁ ଆଶ୍ରା ଦେଇଛୁ । ହା-ହା, ଆରେ ମୁଁ ପାଗଳ ନୁହଁରେ, ପାଗଳ ତୁଇ, ସନେଇଁ ପରିଡ଼ା । ପର ପାଇଁ ଖଟି ଖଟି ମରୁଛୁ । ପର ପାଇଁ ଜାତି ଧର୍ମ ହରେଇ ବିସିଛୁ । ଗାଁ ଲୋକଙ୍କର ଅପଡ଼ ହୋଇଛୁ । କଇଁ ବାଇଆଣୀକୁ ଘରେ ରଖି କହି ହେଉଛୁ ତୁ କଇଁର ବର ।

 

ସନେଇଁ ଦୀର୍ଘଶ୍ଵାସ ଛାଡ଼ିଲା ।

 

ଉତ୍ତେଜିତ ହୋଇ କଇଁ ଉଠି ଠିଆ ହେଲା । ବଡ଼ପାଟି କରି କହି ଉଠିଲା, ଠକୁଛୁ ମତେ, ନାଇଁରେ, ମୁଁ ଭିକାରୁଣୀ, କାଙ୍ଗାଳୁଣୀ, ମୁଁ ପାପ କରିଛି, ଅନ୍ୟାୟ କରିଛି, କୂଳରୁ ଯାଇଛି, ଧର୍ମରୁ ଯାଇଛି, ମତେ କିଏ ଘରେ ଆଶ୍ରା ଦେଇପାରିବ ? କିଏ ହେବ ମୋର ବର ? ମିଛ କଥା । ସବୁ ମିଛ କଥା । ମୁଁ ଏ ଘରେ ରହିବି ନାହିଁ । ମୁଁ ଯିବି, ଯିବି ।

 

କଇଁ ଟଳିଟଳି ଆଗକୁ ଚାଲିଲା । ଆକାଶରୁ ଖସି ପଡ଼ିଲା ପରି ମଣିଲା ସନେଇଁ । ସେ ଉଠି ଠିଆହେଲା । କଇଁର ହାତ ଧରି ଅଟକାଇ ରଖି କହିଲା, କଇଁ ତୁ ବସ । ଶୁଣ ମୁଁ କଣ କହୁଛି, ଶୁଣ ।

 

ଜାର କରି କଇଁକୁ ବିଛଣାରେ ବସାଇ ଦେଲା । କଇଁ କଟ ମଟ କରି ଚାହିଁଲା ତା’ ମୁହଁକୁ । ସନେଇଁ ତାର ହାତ ଧରି ନରମ ସ୍ଵରରେ ଅନୁନୟ କରି କହିଲା, ତୁ ଭାରି ଦୁର୍ବଳ ହୋଇଛୁ କଇଁ, ତୋତେ ଜର । ଏଇ ତୋ ଦେହରେ ତାତି ଭରତି ହୋଇଛି । ତୋର ସବୁକଥା ମୁଁ ଶୁଣିଲି । ତୁ ତ ମୋ କଥା ଶୁଣିଲୁ ନାହିଁ ଲୋ ? ତୁ ଶୋଇପଡ଼ ଟିକେ । ତୋ ଦେହ ଭଲ ହେଲେ ମୋ କଥା ତୁ ଶୁଣିବୁ । କିଛି ନୁଚେଇବି ନାହିଁ । ସବୁ କହିବି । ତୁ ପାତକି ନହୁଁ, ପାତକୀ ମୁଁ ।

 

କଥା ମାନି କଇଁ ଶୋଇଲା । ସନେଇଁ ତାକୁ ଚାଦର ଘୋଡ଼ାଇ ଦେଲା । କେତେବେଳୁ ରହିମ୍ ଗଲାଣି, ଏତେବେଳ ଯାଏଁ ଫେରିଲା ନାହିଁ । ଅନ୍ଧାର ରାତି, ପିଲାଲୋକ । ଭରଥିଆର ଗୀତ ବନ୍ଦ ହେଲାଣି । ଘୁମେଇ ପଡ଼ିଲା ପରା । ଆଗଘଣୁ ଯୋହନ କକାର ଘୁଙ୍ଗୁଡ଼ି ଶୁଭୁଛି । ରହ ରହି ନିଦୁଳିଆ କଣ୍ଠରେ କାଶୀ ବେଜ୍ ଦାଣ୍ଡଘରୁ ଗାଇ ଉଠୁଛି ସେଇ ଗୋଟିଏ ପଦ, “ଘଟ ଛୁଟିଲେ ତୋତେ ବୋଲିବେ ଭୂତରେ” ।

 

ସନେଇଁ ଉଠିଲା । କାନ୍ଥ ପାଖରେ ରଖାଯାଇଥିବା ବେଲାରୁ ବାର୍ଲିପାଣି ଗିଲାସରେ ଆଣି ପାଖରେ ରଖିଲା । କଇଁର ମୁହଁରୁ ଲୁଗା କାଢ଼ି କଅଁଳେଇ କହିଲା, ଏତକ ପିଇଦେ ତ । କଇଁ ଆଖି ଖୋଲିଲା, ସନେଇଁ ତା’ ପାଟି ପାଖରେ ଧରିଲା ଗିଲାସ, ଢକ ଢକ କରି ପିଇଦେଲା କଇଁ । ପୁଣି ବୁଜିଲା ଆଖି, ସନେଇଁ ଧୀରେ ଧୀରେ ତାର ମୁଣ୍ଡ ଆଉଁସିଲା ।

 

କେତେବେଳକେ ରହିମ୍ ଫେରିଲା । ମୁହଁ ଶୁଖେଇ ମୁଣ୍ଡ ହଲାଇ କହିଲା, ବଇଦ ଓଷଦ ଦେଲେ ନାହିଁ । କେତେ ନେହୁରା ହୋଇ କହିଲି, ଜବାବ ଦେଲେ, ଗ୍ରାମବାସୀ ସଭାକରି ମନା କରିଛନ୍ତି । ଯିଏ ଆମ ସଙ୍ଗେ ସମ୍ପର୍କ ରଖିବ ସିଏ ହେବ ଏକଘରିଆ ।

 

ସନେଇଁ କହିଲା, ଆଚ୍ଛା ତୁ ଯା’ ଶୋଇପଡ଼ ତ । ରୋଗୀପାଖରେ ମୁଁ ଅଛି । ଦରକାର ହେଲେ ତତେ ଉଠେଇବି ।

ରହିମ୍ କଥା ମାନି ଆର ଘରକୁ ଚାଲିଗଲା ।

ସନେଇଁ ଜଗିବସିଲା କଇଁକୁ । ତାର ଗରମ ମୁଣ୍ଡ ଭିତରେ ଖେଳିଗଲା କେତେ ଭାବନା-। ସେ ବୁଝିଲା, ଯାହା ସେ କରିଛି ସବୁ ଭୁଲ । ପୁରୁଣା କଳଙ୍କି ଲଗା ସମାଜରେ ରହିଲେ ବନ୍ଧାଗତ ନିୟମ ମାନି ଚଳିବାକୁ ହେବ । କେଉଁଟା ଠିକ୍ କେଉଁଟା ଭୁଲ କେହି ଜାଣିବେ ନାହିଁ । ମଣିଷର ସ୍ୱାଧୀନ ମନୋଭାବ ଓ ସ୍ଵାଧୀନ ଚଳଣ ଆଗରେ ପାହାଡ଼ପରି ଆସି ଠିଆହେବ ସ୍ଵାର୍ଥସେବୀ ଧନିକ ଚିନ୍ତେଇଁ ସୋଇଁ । ହଜାର ହଜାର ବର୍ଷତଳେ ଯେଉଁ ଧର୍ମ ଓ ନିୟମ ଗଢ଼ା ଯାଇଥିଲା, ଯେଉଁ ବିଶ୍ଵାସ ମଣିଷର ରକ୍ତରେ ଯୁଗ ଯୁଗ ଧରି ଆସନପାତି ବସିଛି, ସେଇ ବିଶ୍ଵାସ ଓ ତାହାରି ପୂଜାରୀ ପହରାଜ, ଆଉ ଏଇ ଦୁଇଟାକୁ ବାନ୍ଧି ରଖିବା ପାଇଁ ଗଢ଼ା ହୋଇଛି ଯେଉଁ ଆଇନ-

ସନେଇଁ ଯାହା କରିଛି ଦୁନିଆଁ ଆଖିରେ ସବୁ ଭୁଲ, ସବୁ ଅନ୍ୟାୟ । ବାପର ତୁଣ୍ଡରେ ଆହାର ଦେବାକୁ ଯେଉଁ କଇଁ ଭଲ ମନ୍ଦ କିଛି ନ ବୁଝି ଦେହ ବିକିଲା, ଜୀବନ ରଖିବାକୁ ପାପପୁଣ୍ୟର ଧାରଣା ଭୁଲି ପେଟପାଇଁ ଯେ ପୁରୁଷର ଛାତିକୁ ଆଉଜିଲା, ଯିଏ ନିଜର କର୍ମକୁ ନ ଛପାଇ ଶିଶୁ ପୁଅକୁ ଛାତିରେ ଧରି ବୁଲିଲା, ସେ କଳଙ୍କିନୀ । ସମାଜରେ, ଧର୍ମରେ ଦୁନିଆଁରେ ତାର ଥାନ ନାହିଁ । ଯିଏ ତାକୁ ଆଶ୍ରା ଦେବ ସେ ମଧ୍ୟ ହେବ ପତିତ । ହେଉ ପଛେ ସନେଇଁ ପତିତ., ଲୋକେ କରନ୍ତୁ ଘୃଣା, କଇଁ ପାଇବ ଆଶ୍ରା ତା’ରି ଘରେ, ତା’ରି ଛାତିରେ । କେହି ନ ବୁଝୁ, ସନେଇଁ ବୁଝିଛି, କଇଁ ପବିତ୍ର ।

ଧୋବୀର ରୂପ ଆସି ଆଖି ଆଗରେ ଠିଆ ହେଲା । ଏଇଘରେ, ନିର୍ଜନ ଶିବରାତ୍ରିରେ - ଏ ଘରେ ଆଜି ଧୋବୀ ନାହିଁ, ଅଛି କଇଁ । ଧୋବୀ, ପୁରୁଣା ସଂସ୍କୃତିର ପ୍ରତୀକ । କଇଁ, ନିରାଶ୍ରୟା । ଧୋବୀ ତାକୁ ବିଦାୟ ଦେଇଛି, କିନ୍ତୁ କଇଁ ପାଗଳ ହୋଇଚି ତା’ରି ପାଇଁ । ତା’ରି ଭୁଲ ବାଟର ସାଥୀ । ଯାଉ, ଧୋବୀର ସ୍ମତି ମନରୁ ପୋଛି ହୋଇଯାଉ, କଇଁ ସେଠି ଆସନ ପାତୁ । ଯିଏ ଏଇ ଘରର ଘରଣୀ, ସନେଇଁ ପାଇଁ ବିନା ଆପତ୍ତିରେ ଯିଏ ଆଜି ପୀଡ଼ିତ, ଯିଏ ହସି ହସି ଦେବାକୁ ଯାଉଛି ଜୀବନ ସେଇ କଇଁ ।

କଇଁ ବ୍ୟସ୍ତ ହୋଇ କଡ଼ ବୁଲାଇଲା । ମୁହଁରୁ ଖସାଇ ଦେଲା ଚାଦର । ଆଖି ଖୋଲିଲା, ପାଖରେ ବସିଛି ସନେଇଁ । କେଡ଼େ ହସହସ ମୁହଁ, ସନେଇଁ କଇଁର କପାଳରେ ହାତ ମାରିଲା । ଝାଳ । ଚାଦର ଘୋଡ଼ି ହୋଇପଡ଼ । ଦେହ ଝାଲେଇଲାଣି, ଜର ଛାଡ଼ିଯିବ ।

ଘୋଡ଼ାଇ ଦେଲା କମ୍ବଳ ।

ସାଇଁ ସାଇଁ ଗର୍ଜୁଛି ନିଶା । କାହାରି ସ୍ଵର ଶବଦ ନାହିଁ । ସନେଇଁ ଦୀପରେ ଜଡ଼ା ତେଲ ଢାଳି ପଦାକୁ ଆସିଲା । ଡିବିରି ଲଗାଇ ଘର ଘର ପଶି ଦେଖିଲା । ସବୁ ଅସନା ହୋଇ ପଡ଼ିଛି । କଇଁର ହାତ ବାଜି ଯିଏ ଦିଶୁଥିଲା ଉଜ୍ଜ୍ୱଳ । ରୋଷ ଘର, ଭଣ୍ଡାର ଘରର କବାଟ କିଳିଲା । ସେ ପାଖ ଘରେ ଯୋହନ କକା ଶୋଇ ଘୁଙ୍ଗୁଡ଼ି ମାରୁଛନ୍ତି । ତାଙ୍କ ପାଖରୁ ଟିକିଏ ଦୂରରେ ରହିମ୍ ଭୂଇ ଉପରେ । ମୁଣ୍ଡ ତଳେ ହାତ ଦେଇଛି ତକିଆ ପରି । ଦାଣ୍ଡଘରେ କାଶୀ ବେଜ୍‍କୁ ନିଦ ହୋଇଗଲାଣି-। ଦାଣ୍ଡ ପିଣ୍ଡାରେ ଭରଥ ସାମଲ କାନି ପାରି ଶୋଇପଡ଼ିଛି ।

ସନେଇଁ ମଝିଘର ଠଣାରେ ଡିବିରି ରଖି ପଦାକୁ ଗଲା । ଆକାଶରେ ପୂର୍ବପରି ମେଘ ଜମାଟ ବାନ୍ଧିଛି । ପବନ ନାହିଁ । ଘର ଆଗରେ ଠିଆହୋଇ ଅନ୍ଧାରରେ ଘର ଆଡ଼କୁ ଚାହିଁ ରହିଲା-। ଏଇ ଘର ଧୋବୀର ଧନରେ ତିଆରି । ଧୋବୀର ଆଗ୍ରହ, ମମତା, ଆଖିଲୁହ ତା’ରି ଯୁବକ ଛାତିରେ ଆଣିଥିଲା ଯେଉଁ ଉତ୍ତେଜନା, ମନରେ ଭରି ଦେଇଥିଲା ଯେଉଁ ଆଶା, ତାହାରି ଫଳ ଏଇ ଘର, ଏଇ ସମ୍ପତ୍ତି । ସନେଇଁର ଜୀବନ ।

 

ସାବିତ୍ରୀ ଅମାବାସ୍ୟା ରାତିରେ ଧୋବୀ ଯଦି ତାର ମନରେ ଆଘତ ଦେଇ ନ ଥା’ନ୍ତା, ଏ ଘରର ଅବସ୍ତା ଆଜି ହେଇଥାନ୍ତା କଣ ? ଯେଉଁମାନେ ଆଜି ଏ ଘରେ ଆଶ୍ରା ପାଇଛନ୍ତି, ଯେଉଁମାନେ ହୋଇଛନ୍ତି ଏ ଘରର କୁଟୁମ୍ବ, ସେମାନେ ଥାଆନ୍ତେ କେଉଁଠି ? ଧୋବୀର ହାତଧରି ସେ ଏଇ ଘରକୁ ଆଣିଥିଲେ ପୁଣି ମଡ଼ା ବାଟରେ ଚାଲିଥାନ୍ତା ଜୀବନର । ଦୁନିଆଁରେ ଧର୍ମ, ସମ୍ପତ୍ତି, ସଂସ୍କୃତି, ଜାତି ସବୁ ମାନି ସବୁରି ଆଗରେ ମୁଣ୍ଡ ନୁଆଁଇ ଗଢ଼ିଥାନ୍ତା ଅନାଦି କାଳର ଘର ।

 

ଯାହା ସେ ଆଜି କରିଛି ବା କରୁଛି ସବୁ ଭୁଲ । ସ୍ଵାର୍ଥକୁ ଛାଡ଼ି ସଂସାରରେ ମଣିଷ ବଞ୍ଚିପାରିବ ନାହିଁ । ଯାହାକରେ, ସବୁ କରେ ଆଗ ନିଜ ପାଇଁ । ତା’ ପରେ ସମାଜ, ଦେଶ ଓ ଧର୍ମପାଇଁ । ସମସ୍ତେ ମୋର ଆଉ ମୁଁ ସଭିଙ୍କର ଧାରଣା । କେବଳ ସଂସାରବିରାଗୀ ସନ୍ୟାସୀ ପାଖରେ ସମ୍ଭବ, ଶୋଭନ । ସମାଜ ଭିତରେ ରହି ଘର କୁଟୁମ୍ବ ଗଢ଼ି ଏ ଧାରଣା ନେଇ କାମ କରିବା ଅସମ୍ଭବ । ଯିଏ କରେ ଏପରି କାମ, ସେ ପାଗଳ, ଭ୍ରାନ୍ତ ?

 

ସବୁ ମଣିଷ ସୁଖରେ ରହନ୍ତୁ, ସମସ୍ତେ ହେଉନ୍ତୁ ସ୍ଵାଧୀନ, ସମାନ । ଏହା ସିନା ମଣିଷ ଜାତିର ଆଦର୍ଶ କଥା । ବାସ୍ତବ କ୍ଷେତ୍ରରେ ଏଇ ଆଦର୍ଶ ଫଳାଇବା ସହଜ ନୁହେଁ । ସମସ୍ତେ ନିଜ କର୍ମର ଫଳ ଭୁଞ୍ଜିବେ । ଦୁନିଆଁରେ ବଡ଼ ସାନ ହୋଇ ରହିବେ । ଏହାହିଁ ସତ୍ୟ, ସ୍ଵାଭାବିକ, ବାସ୍ତବ-। ନୋହିଲେ ମଣିଷ କାମ କରିବ କାହିଁକି ? ତାର ପରିଶ୍ରମର ଫଳ ଭୁଞ୍ଜିବ ଯଦି ନିଶ୍ଟେଷ୍ଟ ଅକର୍ମା, କାମ କରିବାର ପ୍ରେରଣା ଆସିବ ନାହିଁ । ମଣିଷର ସଭ୍ୟତା ମଣିଷ ଜାତି ଲୋପ ହେବ ।

 

ମଣିଷ କରିବ କାମ ନିଜ ପାଇଁ, ପୁଣି ନିଜର ପର ପୁରୁଷଙ୍କ ପାଇଁ, ଯାହାଙ୍କ ଭିତରେ ବଞ୍ଚି ରହିବାର ବାସନା ଜାଗି ରହିଛି ଅନନ୍ତକାଳ ଯାଏ । ମଣିଷ ସଞ୍ଛି ରଖିବ ନିଜ ପାଇଁ, ପୁଣି ଯାହାଙ୍କୁ ଆଣିବ ଏ ଦୁନିଆଁକୁ ତାଙ୍କ ପାଇଁ ।

 

ଧୋବୀ ଠିକ୍‍ କରିଛି, ଆଉ ସନେଇଁ ଉତ୍ତେଜନାରେ ଅଜଣା ଅଭିମାନରେ କରିଛି ଭୁଲ-। ଧୋବୀ ଆତ୍ମବଳି ଦେଇଛି । ଦରିଦ୍ର ନିଃସହାୟଙ୍କ ପାଇଁ ଦେଶ ଆଗରେ,ସମାଜ ଆଗରେ ଗଢ଼ିଛି ଆଦର୍ଶର ସ୍ତମ୍ଭ । ସମସ୍ତେ ତେବେ ଏଇଆ କଲେ ମଣିଷ ଜାତିରେ ଦୁଃଖଯିବ, ସମସ୍ତେ ରହିବେ ସୁଖରେ, ଆନନ୍ଦରେ । ସମସ୍ତେ କରିବେ କାମ, ବଡ଼ ହେବାକୁ । ସନେଇଁ ଯାହା କରିଛି ଭୁଲ; ମଣିଷ ଜାତିକୁ ନିଶ୍ଟେଷ୍ଟ ଅକର୍ମା କରିବାକୁ ମଣିଷ ଜାତିର ସଭ୍ୟତା ଜୀବନ ଲୋପ କରିବାକୁ-

 

ସନେଇଁ ଅସ୍ଥିର ହୋଇପଡ଼ିଲା । କିଏ ଯେପରି ତାର କାନ ପାଖରେ କହି ଉଠିଲା, ଏ ସବୁ ମୋର, ମୋର, ମୋର । ଦେହର ରକ୍ତ ଢାଳି ମୁଁ ଗଢ଼ିଛି ସୁଖ ପାଇଁ, ଆନନ୍ଦ ପାଇଁ । ସମସ୍ତେ ମୋର ଆଶ୍ରିତ- ଯୋହନ କକା, ରହିମ୍, କାଶୀ, ଭରଥ ସମସ୍ତଙ୍କ ପାଇଁ ମୁଁ ଦେବି ଆତ୍ମବଳି । ଦେହରେ ରକ୍ତ ପିଆଇ ବଞ୍ଚାଇବି ସମସ୍ତଙ୍କୁ । ସମସ୍ତେ ମୋର ଆଶ୍ରତ, ଅତିଥି, ବନ୍ଧୁ ।

 

ସନେଇଁ ମୁଣ୍ଡରେ ହାତ ବୁଲାଇ ଘର ଆଗରେ ଟହଲିବାକୁ ଲାଗିଲା । ଧୋବୀର ଲୁହଭରା ଆଖି ତାର ମନେପଡ଼ିଲା । ଧୋବୀର ଅନୁରୋଧ ତାର କାନରେ ବାଜି ଉଠିଲା, ତୁ ବାହା ହୋଇପଡ଼ ସନେଇଁ ଭାଇ । ଉତ୍ତେଜନାରେ, ଅଭିମାନରେ ସନେଇଁ କେତେ କଥା କହି ଆସିଥିଲା ସିନା, ଧୋବୀର କଥା ସେ ରଖିବ । ବାହା ହେବ । ସଂସାର କରିବ । କଇଁ ହେବ ତାର ଘରଣୀ । ଯେଉଁ ବାପର ଜୀବନ ସେ ନେଇଛି, ତା’ରି ଇଚ୍ଛା ପୂରଣ କରିବ । ଯେଉଁ ରୁଗ୍‌ଣ, ଅଚଳ ବାପର ତୁଣ୍ଡରେ ଆହାର ଦେଇ ବଞ୍ଚାଇବାକୁ ପାପପୂଣ୍ୟ କଣ ନ ଜାଣି ନ ବୁଝି କଇଁ ଦେଇଥିଲା ତାର ଦେହ, ସେହି ରୁଗ୍‌ଣ କାଙ୍ଗାଳର ଇଚ୍ଛା ସେ ପୂରଣ କରିବ । କଇଁ ହେବ ତାର ଘରଣୀ, ତାର ଭବିଷ୍ୟତ ବଂଶଧରଙ୍କ ଜନନୀ । କଇଁ କାଙ୍ଗାଳୁଣୀ, ଦୁନିଆଁ ଆଖିରେ ଯିଏ କଳଙ୍କିନୀ, ଯାହାକୁ ଏ ଘରର ଘରଣୀ କରିବାକୁ ଦୁଇ କୁଳର ଥିଲା ଆଗ୍ରହ, ସେଇ କାଙ୍ଗାଳୁଣୀ କଇଁ ହେବ କାଙ୍ଗାଳ ସନେଇଁର ଘରଣୀ, ଆଉ ସମସ୍ତେ ହେବେ ଆଶ୍ରିତ ।

 

ସନେଇଁ ଚାହିଁଲା ମଝି ଘରକୁ ।

 

କଇଁ ପୁଣି ଉଠି ଠିଆ ହୋଇଛି । କାହାକୁ ଯେପରି ଖୋଜୁଛି । ସନେଇଁ ତରତର ହେଇ ତା’ ପାଖକୁ ଗଲା । କଇଁ ପଚାରିଲା, ଶୋଇନୁ ତୁ ?

 

ସନେଇଁ ତାର ହାତ ଧରିଲା । ଦେହ ଥଣ୍ଡା ଥଣ୍ଡା ଲାଗୁଛି, ଜର ଓହ୍ଲାଇ ଗଲାଣି । କଇଁ ବସିପଡ଼ିଲା ବିଛଣା ଉପରେ । କହିଲା ଏମିତି ଜର ମତେ ହୁଏ । କାହା ପିଣ୍ଡାରେ ଦୁଇ ତିନି ଦିନ ପଡ଼ି, ଜର ଜର ଛାଡ଼ିଲେ ପୁଣି ଉଠି ଚାଲିଯାଏ । ମରଣ ହୁଏ ନାହିଁ । ମନ୍ଦାଏ ପାଣି ଦେ ସନେଇଁ ଭାଇ ।

 

ସନେଇଁ ପାଣି ଦେଲା । କଇଁ ପାଣି ପିଇ କହିଲା, ଦୁଇଦିନ କାଳ ଜରରେ ପଡ଼ିଲି । ତମେ ସବୁ ଖାଇଲ କଣ ?

 

ସନେଇଁ କହିଲେ, ରହିମ୍ ଭାତ ରାନ୍ଧିଲା । ଯୋହନ କକା ତାକୁ ସାହାଯ୍ୟ କଲା । ତୁ ଶୋଇପଡ଼ କଇଁ । ସକାଳକୁ ତୋ ଜର ଏକାଥରେ ଭଲ ହୋଇଯିବ । ରାତି ପାହାନ୍ତା ହେବାକୁ ବେଶି ଡ଼େରି ନାହିଁ ।

 

ଅନିଦ୍ରା ହୋଇ ତୁ ଜଗି ବସିଛୁ ?

 

ସନେଇଁ ଉତ୍ତର ଦେଲା ନାହିଁ । କଇଁର ଶୁଖିଲା ମୁହଁକୁ ବଲ ବଲ ଚାହିଁ ରହିଲା । କଇଁ ଦୁଃଖିତ ହେଲା ପରି କହିଲା, ସନେଇଁ ଭାଇ ମୁଁ ବାଇଆଣୀଟା । ଜର ବାଉଳାରେ କେତେ କଣ ବିକିଗଲା ।

 

ସନେଇଁ ବିହ୍ୱଳ ହେଲା । କଇଁର ହାତଧରି କହିଲା, ତତେ ବାଇଆଣୀ କରିଛି ଏଇ ଦୁନିଆଁ । କଇଁ, ଗୋଟିଏ କଥାର ଜବାବ ଦେବୁ ? ପଚାରିବି ? ସନେଇଁର ହାତ ଥରି ଉଠିଲା ।

 

କଇଁ ଆବା କାବା ହୋଇ ପଚାରିଲା, କଣ ?

ମୁଁ କିଏ କଇଁ ? କହ, କହ ।

କଇଁ କଣ ଭାବିଲା । ସନେଇଁର ହାତରୁ ହାତ ଖସାଇ ନେଲା ।

 

ସନେଇଁ କହିଲା, ଜର ବାଉଳାରେ ତୁ ତୋ ଜୀବନର ସବୁ କଥା କହିଛୁ କଇଁ । ଦୁନିଆଁ ତତେ ଘୃଣା କରିଛି । ସମାଜ ତତେ ଛାଡ଼ିଛି । ସମସ୍ତେ ଦେଖିଛନ୍ତି ତୋର ବାହାରର କାମ । ତୋ ମନର କଥା କେହି ବୁଝିବାକୁ ଚେଷ୍ଟା କରିନାହାନ୍ତି । କଇଁ, ମନେପକା ଥରେ ତୋର ମଲା ବାପର କଥା । ମୋ ବାପର ମନକଥା । ଦୁହିଁଙ୍କର ଇଚ୍ଛା ଯେଉଁଦିନୁ ଏକା ହୋଇଥିଲା, ସେଇଦିନୁ ତୁ ଏ ଘରର ଘରଣୀ, ମଝିରେ ଯେଉଁ ଝଡ଼ ତୋଫାନ ବହିଗଲା, ସେଥିପାଇଁ ଦାୟୀ କେହି ନୁହେଁ । ନିଜର ଘରକୁ ତୁ ନିଜେ ଫେରି ଆସିଛୁ । ବାଇଆଣୀ ହୋଇ ଦାଣ୍ଡରେ ଯାହା ତୁ ପାଟି କରି କହିଥିଲୁ, ଆଜି ଜର ବାଉଳାରେ ଯାହା କହିଥିଲୁ, ଭଲ ମନରେ ନିରୋଳାରେ ମୋ ଆଗରେ ତୁନି ତୁନି କହ କଇଁ, କହ ସନେଇଁ ମୋର ବର ।

 

କଇଁ କାବା ହୋଇ ଚାହିଁ ରହିଲା ସନେଇଁ ମୁହଁକୁ । ସେ କଣ ସ୍ଵପ୍ନ ଦେଖୁଛି ? ସନେଇଁ ଭାଇ ପାଗଳ ହୋଇ ନାହିଁତ ? ଯାହା ଅସମ୍ଭବ ସେଇକଥା ସେ ତୁଣ୍ଡରେ କହି ଆନନ୍ଦ ପାଏ ସିନା, ମନର କମନା କଥାରେହିଁ ଫଳବତୀ ହୁଏ । ସନେଇଁର ଆଶ୍ରିତା ସେ, ଯୋହାନ କକା, ରହିମ୍, କାଶୀ, ଭରଥ ଯେପରି ଆଶ୍ରିତ । ପେଟ ପାଇଁ, ମୁଠାଏ ଭାତ ପାଇଁ, ବାଟର ଗଛମୂଳ ଛାଡ଼ି ସନେଇଁର ଘରେ ସେ ଆଶ୍ରା ନେଇଛି । ସତେ, ସେ ହେବ ଏ ଘରର ଘରଣୀ, ସନେଇଁର ସ୍ତ୍ରୀ ? ଏତେବଡ଼ ଅସମ୍ଭବ କଥା ଦୁନିଆଁରେ କିଏ ସ୍ୱୀକାର କରିବ ? କିଏ ବିଶ୍ଵାସ କରିବ ଯେ କଇଁ ସନେଇଁର ସ୍ତ୍ରୀ ।

 

ସନେଇଁ ପଚାରିଲା, ତୁନି ରହିଲୁ ଯେ ? ତୋରି ତୁଣ୍ଡରୁ ମୁଁ ଉତ୍ତର ଚାହେଁ । କଇଁ, ତୁ ବୁଝିପାରିବୁ ନାହିଁ ମୋ ମନର କଥା । ମୁଁ ମାନେ ନାହିଁ ଧର୍ମ, ସମାଜ, ଜାତି କିନ୍ତୁ ମାନେ ଜୀବନ, ନାରୀପୁରୁଷର ମିଳନ, ସମ୍ପର୍କ ଆଉ ମିଳିତ ଜୀବନର ସ୍ଵାର୍ଥ । ସେଇଥିପାଇଁ କାଙ୍ଗାଳ ସନେଇଁ ଫେରିଆସିଥିଲା ମରଣ ମୁହଁରୁ । ଶୁଣ କଇଁ, ଆଜି ଏହି ନିରୋଳା ରାତିରେ ସବୁକଥା ତୋ ଆଗରେ ଖୋଲି କହିବି-

 

ସନେଇଁ ଆରମ୍ଭ କଲା କହିବାକୁ ।

 

ସେ ବିବାହରେ ବ୍ରାହ୍ମଣ ମନ୍ତ୍ର ପଢ଼ିଲା ନାହିଁ, ବାଜିଲା ନାହିଁ ଶଙ୍ଖ, ଦେବଦେବୀ ଆହ୍ୱନ କରାହେଲା ନାହିଁ, ଜଲିଲା ନାହିଁ ହୋମ ଶିଖା । ସେ ବିବାହରେ ପୁରୋହିତ, ଧର୍ମଯାଜକ ସାକ୍ଷୀ ହେଲେନାହିଁ, ଭବିଷ୍ୟତ ପାଇଁ ହେଲାନାହିଁ ଲେଖାପଢ଼ା । ସେ ବିବାହରେ ବନ୍ଧୁବାନ୍ଧବ ନିମନ୍ତ୍ରିତ ହେଲେ ନାହିଁ, ଖିଆପିଆ ଦିଆନିଆର ଧୁମ୍ ଉଡ଼ିଲା ନାହିଁ । ଲୋଡ଼ା ହେଲାନାହିଁ ଫୁଲଚନ୍ଦନ, ନୂଆ ଲୁଗା ଓ ନୂଆ ଗହଣା । ନିତିଦିନିଆ ଜୀବନର ଗୋଟିଏ ଦିନ ସେ । ସବୁଦିନ ପରି ରାତି ପାହିଥିଲା-। ବାଦଲର ଫାଙ୍କେ ଫାଙ୍କେ ଉଙ୍କି ମାରି ମାରି ସୂର୍ଯ୍ୟ ଉଠିଥିଲେ ଆକାଶ ମଝିକି । ରହି ରହି ବହି ଯାଉଥିଲା ଥିରି ପବନ । ଦୁଇକୂଳ ଧୋଇ ନାଚି ନାଚି, ହସି ହସି ସବୁଦିନ ପରି ଦ୍ରୁତଗତିରେ ଧାଇଁ ଯାଇଥିଲା ଖରସୁଆଁର ପାଣି ।

 

ଦୁର୍ଭିକ୍ଷ ଅଇଁଠା, ମଶାଣି ଫେରନ୍ତା, କାଙ୍ଗାଳ ସନେଇଁର ମନ ସଙ୍ଗେ କଇଁର ମନ ମିଳିଥିଲା । ଦୁହିଁଙ୍କର ଆତ୍ମା ବାଛି ନେଇଥିଲା ପରସ୍ପରକୁ ଜୀବନର ସାଥୀ କରି । ଦୁହିଁଙ୍କର ପ୍ରାଣର ଉଦ୍‍ବେଗ ଝରାଇଥିଲା ଆଖିର ଲୁହ, ଫୁଟାଇଥିଲା ଓଠରେ ହସ । ଚାରୋଟି ଆଖି ପରସ୍ପର ଆବେଗର ସାକ୍ଷୀ ହୋଇଥିଲେ ।

 

ସନେଇଁ ପରିଡ଼ାର ଦାଣ୍ଡ ଘରେ ।

 

ଦୁଭିକ୍ଷ ବାହୁଡ଼ା ଯୋହନ କକା ଯେଉଁଠି ବସି ରହିମ୍, ଭରଥ, କାଶୀଙ୍କୁ ବୁଝାଉଥିଲେ ଜୀବନ ଓ କର୍ମର ମହତ୍ତ୍ଵ, ସେଇଠି କଇଁ ହାତଧରି ସନେଇଁ ମିଳିଲା । ମନର କଥା ସମସ୍ତଙ୍କୁ କହିଲା । ଯୋହନ କକାଙ୍କର ଗୋଡ଼ ପାଖରେ ଦୁହେଁ ଲଗାଇଲେ ମୁଣ୍ଡ । ବିହ୍ୱଳ ହୋଇ ଦୁହିଁଙ୍କ ମୁଣ୍ଡରେ ଦୁଇ ହାତ ରଖି କକା କଲ୍ୟାଣ କଲେ, ଦୀର୍ଘାୟୁ ହୁଅରେ ପିଲା ଦୁହେଁ ମୋର, ତମର ପ୍ରେମ ଅଟଳ ହେଉ, ଜୀବନ ସାର୍ଥକ ହେଉ । ଦୁହେଁ ଉଠି ଭରଥ ସାମଲ ଓ କାଶୀ ବେଜ୍‍ଙ୍କୁ ପ୍ରଣାମ କଲେ । ସେ ଦୁହେଁ ଏକ ସ୍ଵରରେ କହି ଉଠିଲେ, ଦୀର୍ଘାୟୁ ହୁଅ ।

 

ଦୁହିଁଙ୍କୁ ମୁଣ୍ଡ ନୁଆଁଇ ପ୍ରଣାମ କଲା ରହିମ୍ । ସନେଇଁ ରହିମ୍‍ର ଗୋଟିଏ ହାତ ଧରି ଗଦ୍ ଗଦ୍ କଣ୍ଠରେ କହିଲା, ତୁଇ ମୋର ପିଲା ଭାଇରେ ରହିମ୍, ତତେ ମୁଁ ଆଶୀର୍ବାଦ କରୁଛି । ରହିମ୍‍ର ଆର ହାତଟି ଧରିଲା କଇଁ, ଗେହ୍ଲେଇ କହିଲା, ନାଇଁ, ନାଇଁ ସେ ମୋର ଭାଇ, ତମର ନୁହେଁ । କହ ରହିମ୍ କହ ।

 

ରହିମ୍ ହସିଲା । ଉତ୍ତର ଦେବା ଆଗରୁ ଦରଆଉଜା ଦାଣ୍ଡ କବାଟ ଠେଲି ଭିତରକୁ ପଶି ଆସିଲା ପୁନି, ଛାତିରେ ତାର ପୁଅ ବନା, ପଛରେ ମଧୁ ଭୋଇ ।

 

ପୁନିର ମୁହଁରୁ ସବୁକଥା ଧୋବୀ ଶୁଣିଲା । ଅବିଚଳିତ ସ୍ଵରରେ କହିଲା, ଏଥିକି ତୁ ବ୍ୟସ୍ତ ହେଉଛୁ କାହିଁକିଲୋ ? ସେ ପାଗଳ ହୋଇଛି ବୋଲି ତ ଦୁନିଆଁ ପାଗଳ ହେବ ନାହିଁ । ବେଶ୍ କଲୁ, ଗୋଡ଼େ ଗୋଡ଼େ ଫେରି ଆସିଲୁ । କଇଁ କୋଳକୁ ପୁଅ ନ ଦେଇ ଭଲ କାମ କରିଛୁ । ଆମେ ସିନା ସନେଇଁ ଭାଇର ଭଲକୁ ଯାହା କରିଥିଲୁ, ନ ହେଲା ତ ନାହିଁ ।

 

ସଞ୍ଜର ମହଲଣ ଛାଇ ଧୀରେ ଧୀରେ ଘୋଟି ଆସୁଛି । ପୁନି ତୀକ୍ଷଣ୍ ଆଖିରେ ଧୋବୀକୁ ଚାହିଁଲା । ଦୁଃଖ କରି କହିଲା, କେଡ଼େ ବଡ଼ ଆଶା ଭାଙ୍ଗିଗଲା ଧୋବୀ ଅପା ।

 

ଧୋବୀ ଅସ୍ଵାଭାବିକ ହସ ହସି କହିଲା, କାହାର ଆଶା ? ମୋର ? ପୁନିଲୋ ତୋ ଆଗରେ ଲୁଚାଇବି କଣ ? କୌଣସିଥିରେ ମୋର ଆଶା ନାହିଁ । ନଈ ସୁଅରେ ଭାସିଯାଏ ଯେଉଁ ନିର୍ଜୀବ କୁଟାଖିଅ, ଭାସିଯିବା ଛଡ଼ା ସେ ଯେମିତି ଆଉ କିଛି ଜାଣେ ନାହିଁ, ମୋର ବି ଜୀବନ ସେମିତି ଚାଲିଛି । ମୋର ଦୁଃଖ ନାହିଁ, ଆନନ୍ଦ ନାହିଁ ।

 

ଏତିକି କହି ତରତର ହୋଇ ଧୋବୀ ଖଞ୍ଜା ଭିତରକୁ ଆସିଲା । ରାଧାମାଧବଙ୍କ ଖଟୁଲି ଆଗରେ ମୁଣ୍ଡ ଲଗାଇ ଲୁହ ଅଜାଡ଼ି ଦେଲା । ଗୋଟିଏ ମାତ୍ର ତାର ପ୍ରାର୍ଥନା-ହେ ଦେବତା, ତମେ ଯେପରି ମୂକ, ଅଥର୍ବ, କଠିନ, ମତେ ସେଇଆ କର, ସେଇଆ କର ।

 

ସ୍ତ୍ରୀଙ୍କର ଶୁଦ୍ଧିକିୟା ଶେଷ ହେଲା । ବନ୍ଧୁବାନ୍ଧବ ଓ ନିମନ୍ତ୍ରିତ ଭଦ୍ରଲୋକମାନେ ଫେରିଗଲେ । କେବଳ ଚିନ୍ତେଇ ସୋଇଁଙ୍କର ଅନୁରୋଧରେ ପହରାଜେ ଓ ଗୋବିନ୍ଦ ପଧାନେ ଅଟକି ରହିଲେ ।

 

ଠାକୁର ମେଲାରେ ବିଛଣା ପରା ହୋଇଛି । ଦି ପହରେ ସମସ୍ତେ ବସିଛନ୍ତି ସେଇଠି । ଚିନ୍ତେଇ ସୋଇଁ ଭାରି ଚିନ୍ତିତ ଦେଖଯାଉଛନ୍ତି । କଥା ଛପି ରହେ ନାହିଁ । ସାମାନ୍ୟ ଗୋଟାଏ ଲୋକ ସନେଇଁ ପରିଡ଼ା । ଫୁଙ୍କି ଦେଲେ ଉଡ଼ିଯିବ । କାହାର କଥା ନ ମାନି ସ୍ତ୍ରୀଙ୍କର ଶେଷ ଆଶା ପୂରଣ କରିବାକୁ ସେ ଲୋକ ବରଗି ନିମନ୍ତ୍ରଣ କରିଥିଲେ । ନ ଆସିଲା ତ ନାହିଁ । ଭଣ୍ଡାରି ଆଗରେ ଅପମାନ କରି କହିଲା । ପୁରୁଣା କଥା ସୋଇଁଙ୍କର ମନେ ପଡ଼ିଗଲା । ତା’ରି ବାପା ଏମିତି ଦିନେ ପହରାଜଙ୍କ ଆଗେ ଅପମାନ ଦେଇଥିଲା । ସେ ପୁଣି -

 

ଭଗାରି ହସୁଛନ୍ତି । ଗାଁ ଲୋକେ କାବା ହୋଇ ଚାହିଁଛନ୍ତି ।

 

ପହରାଜେ ନାକରେ ଟିପେ ନାସ ଦେଇ କହିଲେ, ଏଥିକି ଆପଣ ଭାବୁଛନ୍ତି କାହିଁକି ? ଆପଣଙ୍କର ଆଦେଶ ପାଇବା ଆଗରୁ ଗ୍ରାମବାସୀମାନେ ତାକୁ ଏକଘରିଆ କରିଲେଣି । କେମିତି ଚଳୁଛି ଚଳୁ ତ ।

 

ହରି ମାହାନ୍ତିଏ କହିଲେ, ଭଲା କହିଲ ପହରାଜେ, ଦୁନିଆଁରେ ବିଷ୍ଣପୁର ତ ଖଣ୍ଡିଏ ଗାଁ ନାହିଁ, ଗାଁକୁ ଗାଁ ଲାଗି ରହିଛି । ଯେଉଁଠି ସୂର୍ଯ୍ୟ ଉଠୁଛନ୍ତି ପୁଣି ଯେଉଁଠି ସୂର୍ଯ୍ୟ ବୁଡ଼ୁଛନ୍ତି ସେଠୁ ଆସି ଧର୍ମଛଡ଼ା ଲୋକ ସନେଇଁକୁ ଚଳେଇ ନେବେ । କଥା ଥିଲା ଗୋଟାଏ, ରହିବୁ ତ ଆଉ ପାଞ୍ଚଜଣ ଯେମିତି ଅଛନ୍ତି ରହ । ନୋହିଲେ ବାବା ଏ ଗାଁ ଛାଡ଼ି ଚାଲିଯା ।

 

ନିଧେଇ କହିଲେ, ସାମାନ୍ୟ ଗୋଟିଏ ଲୋକ ନେଇ ଏତେ ଘଣ୍ଟାଚକଟା କରିବା ଦରକାର ନାହିଁ । ସେ ତାର ଯେମିତି ଚଳୁଛି ଚଳୁ । ଆମର ଯାଏ ଆସେ କଣ ? ସଂସାରରେ ସେମିତି କେତେ ଛତରା ବାଳୁଙ୍ଗା ତ ଅଛନ୍ତି । ପରକଥା ନେଇ ଆମର ଚିନ୍ତା କରିବା ଦରକାର ନାହିଁ । ସବୁଠାରୁ ଭଲ ହେବ, ଆମେ ଯଦି ତୁନି ରହିବା ।

 

ଗୋବିନ୍ଦ ପଧାନେ ମୁହଁ ଖୋଲିଲେ, ଏକା ମଣିଷ ପିଲା ସେଇ, ଆଉ ସମସ୍ତେ ଘାସ ଖାଉଛନ୍ତି ପରା । ତା’ରି ଦେହରେ ରକ୍ତ ଅଛି, ଆଉ ସମସ୍ତେ କାଠ ପଥର । ଛୋଟରାୟ ଜମିଦରାଙ୍କୁ ଅପମାନ ଦେବ, ଚିନ୍ତେଇ ସୋଇଁଙ୍କୁ ବେଜମାନ କରି କହିବ ? ମଧୁ ଭୋଇ କଣ କହିଲା ତ ଶୁଣିଲ ? କାଲି ଆଉ କଣ କରିବ । ଆରେ ବାଃ ।

 

ମାହାନ୍ତିଏ କହିଲେ, ଗ୍ରାମବାସୀ ଏକମନ ଏକକଥା ହେଲେ ପୁଅ ଯିବ କୁଆଡ଼େ ହୋ-? କେତେ ଜଗି ଚଳିବ ? ବଳଦ ପୁଞ୍ଜାକ ଯଦି କାଞ୍ଜିଆଉଦାରେ ପଡ଼ନ୍ତି, ବଗିଚାରେ ଯଦି ଦି’ଚାରିଟା ଗୋଦା ମାଲ ହୁଏ, ପୁଅ ବଳେ ବାଟକୁ ବାହୁଡ଼ିବ । କଣ କହୁଛ ମାହାନ୍ତିଏ ?

 

ହରି ମାହାନ୍ତି କହିଲେ ଏଗୁଡ଼ାକ ଅତି ଛୋଟ କଥାହେ ପହରାଜେ । ଆରେ ଲାଗିବ ତ ଭଲ କରି ଲାଗିବ, ନୋହିଲେ ନାହିଁ ।

 

ସମସ୍ତେ ତାଙ୍କ ଆଡ଼କୁ ପଚାରିଲା ମୁହଁରେ ଚାହିଁଲେ ।

 

ହରି ଗୁମାସ୍ତା ମୁରୁକି ହସି କହିଲେ, ଏକୁଟିଆ ଘର ତ । ବାଗ ଉଣ୍ଡି ଆଗ୍ନେୟାସ୍ତ୍ର ପ୍ରୟୋଗ କଲେ ସବୁ ଛତରଖିଆ ଯିଏ ଯୁଆଡ଼େ ପଳାଇବେ ।

 

ନିଧେଇ ସୋଇଁ ଚମକି ଉଠିଲେ, ଏସବୁ କଣ କହୁଛ ତହସିଲଦାର । ଏତେବଡ଼ କାମ କରିବାକୁ କାହାର ହାତ ଯିବ ? କେହି ନ ଦେଖୁ, ଧର୍ମ ତ ଦେଖୁଛି । ସମସ୍ତେ ଘର କରି ରହିଥାଇଁ, ଛି, ଛି ।

 

ଗୋବିନ୍ଦ ପଧାନେ କପାଳରେ ହାତ ବୁଲାଇ କହିଲେ, ଆପଣମାନେ ସମସ୍ତେ ମାମଲତ୍‌କାର । ମୁଁ ଆଉ କହିବି କଣ ? ମାଛିଟାଏ ଘଉଡ଼ି ଦେବାକୁ ଯାହା ସବୁ କହିବା ହେଲେ, ସେଗୁଡ଼ା କଥା ନା କଥନି ? କାମ କରିବାକୁ ଏପରି ହେବ, ଯହିଁରେ ସନିଆଁର ଟେକିଲା ମୁଣ୍ଡ ହେବ ତଳକୁ । ସୋଇଁଏ ହାତରେ ତାର କାନ ଧରି ଉଠୁବସ କରିବେ, ତୁଣ୍ଡରୁ ତାର ବଚନ ବାହାରିବ ନାହିଁ ।

ପହରାଜେ କହିଲେ, ଏମିତି କଥା ?

ପଧାନେ ଭଣିଲେ, ନୁହେଁ ତ ଆଉ କଣ ? ତେବେ, ସବୁକଥା ସବୁର କଲେ ଭଲ ହୁଏ-

ଚିନ୍ତେଇ ସୋଇଁ ଦୀର୍ଘଶ୍ଵାସ ଛାଡ଼ି ପଚାରିଲେ, କଣ କରିବାକୁ ହେବ ? ମୁଁ ତ ସେଇଆ ଚାହେଁ ।

ନିଧେଇ ସୋଇଁ ଆଗ୍ରହରେ କହିଲେ, ସେତିକି ତ ଲୋଡ଼ା । ସନେଇଁ ଯଦି ହାତମୁଠା ଭିତରକୁ ଆସେ, ତାକୁ ଯେଉଁ ଛତରଖିଆମାନେ ମତେଇଛନ୍ତି, ସେମାନେ ଯଦି ଦୂରେଇ ଯାଆନ୍ତି, ସେ ପୁଣି ବାଟକୁ ଫେରିବ । ଆମେ ତାର ଭଲ ଚାହୁଁ ।

ଯାହା ଆପଣ ଭାବୁଛନ୍ତି ଅକ୍ଲେଶରେ ସବୁ ସେହିପରି ହୋଇପାରିବ । ତେବେ ସମୟ ଲୋଡ଼ା ।

ଚିନ୍ତେଇ–ଧନ ?

ହଁ । ସନେଇଁ ଚୁଟି ଛୋଟରାୟ ହାତରେ ଧରିଲେଣି । ଜମିଦାର ମଣିଷ । ଏକବାଗିଆ-। ଆପଣ ମଙ୍ଗେଇ ପାରିଲେ ହେବ । କିଛି ନାହିଁ-ସଲାମି ଲୋଡ଼ା ।

ସଲାମି ?

ହଁ ସଲାମି । ସନେଇଁ ଘରଡ଼ିହ ସମ୍ପତ୍ତି ସବୁ ହେବ ଆପଣଙ୍କର । ଦାଣ୍ଡ ଭାଉରେ, ଏତେଗୁଡ଼ାଏ ସମ୍ପତ୍ତିର ମୂଲ୍ୟ ଦୁଇ ହଜାରରୁ କମ୍ ହେବ ନାହିଁ ତ । ଆପଣ ଯଦି ହଜାରଟି ଟଙ୍କା ସଲାମି ଦେବାକୁ ଆଗଭରା ହୁଅନ୍ତି, ବାକି ସବୁକଥା ମୁଁ ବୁଝିବି ।

ଦଖଲ ?

ଆରେ, ସନେଇଁ କଣ ଘରେ ଅଛି ? ସେ ତ କେତେଦିନୁ କଆଡ଼େ ପଳାଇ ଗଲାଣି । ଖଜଣା ବାକି, ନାଲିସ୍, ନିଲାମ୍, ଦଖଲ, ସବୁ ହେବ । ଦଖଲ ନେବା କଣ ଗ୍ରାମବାସୀଙ୍କ ଆଗରୁ ବଳେଇ ପଡ଼ିବକି ? ତେବେ କଥା ହେଉଛି, ଜମିଦାର ଛାଡ଼ିଲେ, ଜମିଦାରଙ୍କ ମୁହଁରେ ସଲାମି ପଡ଼ିଲେ ହେଲା ।

କଥାଟି ଠିକ୍ ବୁଝିପାରିଲି ନାହିଁ ପଧାନେ ।

ପଧାନେ ହସିଲେ । କହିଲେ, ବୁଝାଇ ଦେବି, ଆପଣ ଥୟ ଧରନ୍ତୁ ।

ପଧାନେ ସମସ୍ତଙ୍କ ଆଡ଼କୁ ଚାହିଁଲେ । ମାହାନ୍ତିଏ, ପହରାଜ, ନିଧେଇ, ସମସ୍ତେ ବୁଝିଲେ ବିଷୟଟି ଗୁପ୍ତ । ଧୀରେ ଧୀରେ ସମସ୍ତେ ପଦାକୁ ବାହାରିଗଲେ । ଆଗ୍ରହରେ ପଧାନେ ତୁନିତୁନି କରି ତାଙ୍କର ମନକଥା ବଖାଣିଲେ ।

ଚିନ୍ତେଇ ସବୁ ଶୁଣି କହିଲେ, ବେଶ୍ ତ । ତା’ ହେଲେ ଚାଲନ୍ତୁ ଆପଣଙ୍କ ସଙ୍ଗେ ମୁଁ ଜମିଦାରଙ୍କ ପାଖକୁ ଯିବି । ଟଙ୍କା ଖରଚ କଥା ମୁଁ ଭାବୁନାହିଁ । ଭାବୁଛି କେମିତି ତାକୁ ହାତମୁଠା ଭିତରେ ପାଇବି । ଥରେ ହାବୁଡ଼େ ପଡ଼ିଲେ, ବିଷଦାନ୍ତ ଭାଙ୍ଗି ଦେବି । ପଧାନେ ଖାଲି ତମର ମଦତ ଲୋଡ଼ା ।

 

ଗୋବିନ୍ଦ ପଧାନଙ୍କ ସଙ୍ଗେ ଚିନ୍ତେଇ ସୋଇଁ ନିମପୁର ଜମିଦାରଙ୍କ ଘରକୁ ଗଲେ । ସେଠାରେ ଦୁଇଦିନ ରହିଲେ । ଛୋଟରାଏ ସଲାମି ନେଲେ ହଜାରେ ଟଙ୍କା । ପଧାନେ ଦୁଇଶ ଟଙ୍କା ପାନଖିଆ ଅଣ୍ଟିରେ ଖୋସିଲେ । ତା’ ପରେ ପଧାନେ ଓ ସୋଇଁଏ ଯାଜପୁର ଗଲେ ।

 

ଖଜଣା ବାକି ପାଇଁ ସନେଇଁ ପରିଡ଼ା ନାମରେ ଯେଉଁ ମକଦ୍ଦମାମାନ ରୁଜୁ କରାହେଇଥିଲା, ପଧାନେ କୌଶଳେ ସେ ସବୁ ଏକତରଫା ଡିଗ୍ରୀ କରେଇ ପାରିଛନ୍ତି । ସନେଇଁ ପରିଡ଼ା ଘରେ ସବୁ ନଟକଣ ଜାରି ହୋଇଛି । କୋଟ୍‍ ପିଅନ ବିଷ୍ଣପୁର ଯାଇ କେବଳ ଘର ଓ ଜମିବାଡ଼ି ଚିହ୍ନି ଆସିଛି । ଜମିଦାରଙ୍କ କଚେରୀ ଘରେ ସମନ ସମନ ଉପରେ ନଟକଣ ଜାରି ରିପୋଟ୍‍ ଲେଖାହୋଇଛି ଓ ବିଷ୍ଣୁପୁରର ଜମିଦାରଙ୍କ ହାତ ତଳିଆ ଲୋକ ସେଥିରେ ସାକ୍ଷୀ ସ୍ୱାକ୍ଷର କରିଛନ୍ତି । ହାକିମଙ୍କର ସନ୍ଦେହ କରିବାର କୌଣସି କାରଣ ନାହିଁ । ପେସ୍କାର ତ ଗୋବିନ୍ଦ ପଧାନଙ୍କର ନିଜର ଲୋକ, ଅତିପ୍ରିୟ । ଦିହେଁ ବେକରେ ତୁଳସୀମାଳି ପିନ୍ଧନ୍ତି, ଚୈତନ୍ୟ ଚରିତାମୃତ ପଢ଼ନ୍ତି ଆଉ ଯାଜପୁରରେ କେବେ କେମିତି ଅଷ୍ଟପ୍ରହରୀ ହେଲେ, ହାତ ଟେକି ଟେକି, ଢଳି ଢଳି ସବା ଆଗରେ ନାଚନ୍ତି । ପେସ୍କାର ନିର୍ମାୟା ପୁରୁଷ ।

 

ଏକତରଫା ଡିଗ୍ରୀ, ସେମିତି ଏକତରଫା ନିଲାମ ଇସ୍ତାହାର ଜାରି । ପଚାରିବା ଅମଲା ଜାଣନ୍ତି ଦୁର୍ଭିକ୍ଷ ଫେରନ୍ତା ଛତରାଟାଏ କିଏ ସେ ସନେଇଁ ପରିଡ଼ା । ଜମି କେଇମାଣ ପଟ୍ଟା ନେଇଥିଲେ ସିନା ଘରଦ୍ଵାର ଛାଡ଼ି କେବେଠୁ କୁଆଡ଼େ ପଳାଇଲାଣି । ଚୁଲି ଟିକସ ତ କେବେ ଦେଇଦାହିଁ । ପଳାତକ ପ୍ରଜାର ଜମିକୁ କଣ ଜମିଦାରେ ସେମିତି ଦଖଲ ନେଇ ନ ଥାନ୍ତେକି ? ତେବେ କୋଟ୍‍ ଜରିଆରେ କାମ କଲେ ସବୁ ସୁବିଧା । କେତେବେଳେ କିଏ କଣ କହିବ ।

 

କୋଟ୍‍ ଛାମୁରେ ସବୁ ଲୋକଙ୍କ ଆଗରେ ପଳାତକ ସନେଇଁ ପରିଡ଼ାର ଘରଡ଼ିହ, ଜମିବାଡ଼ି ସାମାନ୍ୟ କେଇଟି ଟଙ୍କାକୁ ଚିନ୍ତେଇ ସୋଇଁ ଗୋପୀନାଥଜୀଉ ଠାକୁରଙ୍କର ମାରଫତ୍‌ଦାର ହୋଇ ନିଲାମ ଧରିଲେ । ପଧାନପୁଅ ଗୋବିନ୍ଦ ନିମକସଚ୍ଚା ଚାକର ଜମିଦାରଙ୍କ ତରଫରୁ ଦୁଇଡାକ୍‍ ହାଙ୍କିଥିଲେ ସିନା, ଠାକୁରଙ୍କର ନାମ ଶୁଣି ଧର୍ମତ୍ମା ପୁରୁଷ ପଛେଇ ରହିଲେ । ତା’ ପର ଜମିଗୁଡ଼ା ତ କେବକାଳର ପତିତ, ବାଲିଆ, ଅକାମୀ, ଛାଡ଼ ।

 

ଦଖଲ ନେବା ସମ୍ବନ୍ଧରେ ଅନ୍ୟ କେତେ କଥାର ପରାମର୍ଶ କରି ଆଉ କେତେ କଣ ଗୁପ୍ତକାମ କରି ଚିନ୍ତେଇ ସୋଇଁ ଦୁର୍ଗାପୁର ଫେରିଲେ । ମନକଥା ମନରେ ଥାଏ, ନିଧେଇ ସୋଇଁଙ୍କୁ ମଧ୍ୟ କହିଲେ ନାହିଁ । ଦୁର୍ଗାପୁରର ସବୁ କାମ ତ ଶେଷ ହୋଇଛି । ପିଲାକୁଟୁମ୍ବ ଧରି ଆଉ ସେଠାରେ ଅଧିକ ଦିନ ରହିବା ଲୋଡ଼ା ନାହିଁ । ହରି ମାହାନ୍ତି ସବୁ କାମ ବୁଝାସୁଝା କରୁଥାଆନ୍ତୁ । ତାଙ୍କର ଭଣଜାଟି ବି ପାରି ଉଠିଲାଣି । ଲେଖାପଢ଼ାରେ ଦୋରସ୍ତ, କାମ କାର୍ଯ୍ୟରେ ଧୁରନ୍ଧର ହେଲାଣି, ଆଉ ସମସ୍ତେ ବିଷ୍ଣୁପୁର ଫେରିଗଲେ କୌଣସି ବିଷୟ ଅଚଳ ରହିବ ନାହିଁ । ଚିନ୍ତେଇଁ ସୋଇଁଙ୍କର ଏକା ପରାମର୍ଶରେ ସମସ୍ତେ ରାଜିହେଲେ, ଏକା ଅମଙ୍ଗହେଲା ଧୋବୀ ।

 

ଦିନରାତି ତାର ଠାକୁର ଘରେ କଟୁଛି । ପୂଜାବେଳେ ପୂଜା । ଅନ୍ୟ ସମୟରେ ପୁରାଣ ପୋଥି ପଢ଼ାରେ ମନ । ଠାକୁରଙ୍କର ନୀତି ବଢ଼ିଲେ ଅତିଥି ଅଭ୍ୟାଗତଙ୍କର ଖବର ବୁଝି ଦୁଇବେଳା ଦୁଇମୁଠି ଆହାର । ଆଜି ଏକାଦଶୀ, କାଲି ସୋମବାର, ଏହିପରି କେତେ ବାରବ୍ରତ, ନିର୍ଜଳା ଉପବାସ କରୁଛି । ନିତାନ୍ତ ଆବଶ୍ୟକ ନ ହେଲେ ବେଶୀ କଥାବାର୍ତ୍ତା କରୁନାହିଁ । ଘରର ଖବର ଅନ୍ତର ସବୁ ତ ଖୁଡ଼ୀ ବୁଝୁଛନ୍ତି, ସେଥିପାଇଁ ସେ ନିଶ୍ଚିନ୍ତ ।

 

ସମସ୍ତେ ଧୋବୀର ଏପରି ପରିବର୍ତ୍ତନ ଲକ୍ଷ୍ୟ କରୁଛନ୍ତି, କିନ୍ତୁ ଭରସି କରି କେହି କିଛି ପଚାରନ୍ତି ନାହିଁ । ଯାଜପୁରରୁ ଫେରି ଚିନ୍ତେଇ ସୋଇଁ ମାସେ ପନ୍ଦର ଦିନ ଝିଅର ଗତିବିଧି ଲକ୍ଷ୍ୟ କଲେ । ଦୁର୍ଗାପୁରକୁ ଯିବାକୁ କେତେଥର କହିଲେ । ଧୋବୀର ସେହି ଏକା କଥା- ନା ବାପା, ମୋର କର୍ମଭୂଇଁ ଏଇଠି, ଯେଉଁଠି ମୋର ଶାଶୁ, ଶ୍ଵଶୁର, ସ୍ଵାମୀ ମାଟି ନେଇଛନ୍ତି, ଯେଉଁଠି ମୋର ବୋଉ କଲବଲ ହୋଇ ମରିଛି, ସେ ଥାନ ଛାଡ଼ି ମୁଁ ଆଉ କାହିଁ ଯିବି ନାହିଁ ତ । ଆପଣ ଏଇଠି ରହନ୍ତୁ ବାପା । ଦାଦା ତ ଦୁର୍ଗାପୁରରେ ଅଛନ୍ତି, ଖୁଡ଼ୀ ପିଲାମାନଙ୍କୁ ନେଇ ସେଠିକି ଯାଇ ରହନ୍ତୁ । ସେଠାକାର ଖବର ଅନ୍ତର ଦାଦା ବୁଝିବେ ।

 

ଚିନ୍ତେଇ ସୋଇଁ କହିଲେ ଭଲ ଦିଶିବ ନାହିଁ ମା’ । କେହି କିଛି ନ କହିଲେ ମଧ୍ୟ ମୋ ମନ ତ ମତେ କହୁଛି । ଝିଅଘରେ ବାପା ବେଶୀଦିନ ରହିବା ଉଚିତ ନୁହେଁ । ବାପ ପାଖରେ ସିନା ଝିଅର ଅଳି ଅଲିଅଳିଗିରି । ମା’ଲୋ, ବଳବଅସ ଗଲା, ଗୋପୀନାଥଜୀଉ ଠାକୁରଙ୍କ ପାଇଁ କିଛି କରିପାରଲି ନାହିଁ । ମନ୍ଦିର ଫାଟି ଦି’ ଫାଳ ହେଲାଣି । କେତେବେଳେ ଭାଙ୍ଗି ପଡ଼ିବ ତାର କେଉଁ ଠିକଣା ? ସେତକ ଯଦି ମୋ ହାତରେ ମରାମତି ନ ହୁଏ, ଆଉ କିଏ କରିବ ? ତୁ ଚାଲ ମୋ ସାଥିରେ ।

 

ଚିନ୍ତେଇଁ ସୋଇଁଙ୍କର ଝୁଙ୍କ ମନର ଆଶା ଅଛି, ସନେଇଁର ସମ୍ପତ୍ତିବାଡ଼ି ହାତକୁ ଆସିବ । ଗ୍ରାମବାସୀଙ୍କୁ ମତାଇ ପାରିଲେ ରାତି ଦୁଇ ପହରେ ସନେଇଁ ପରିଡ଼ାକୁ ଘରୁ କାଢ଼ି ଦେଇ ପାରିବେ-। ଛତରଖିଆପଲ କିଏ କୁଆଡ଼େ ମାଡ଼ ଖାଇ ପଳାଇବେ । ପାଗଳୀ କଇଁର ବେକରେ ହାତ ଦେଇ ସାତ ପରବତ ତେର ନଈ ପାରି କରିଦେବେ । ତା’ ପରେ ସନେଇଁ ଯିବ କୁଆଡ଼େ ? ତାର ପାଗଳାମୀ ଭାଙ୍ଗିବ । ସେ ଜାତି ହେବ । ସମାଜରେ ମିଶିବ । ଧୋବୀକୁ ତା’ରି ହାତରେ ସମର୍ପିଦେଇ ସେ ନିଶ୍ଚିନ୍ତ ହେବେ । ଅଧେ ସମ୍ପତ୍ତି ସନେଇଁର ନାମରେ ଲେଖିଦେଇ ସେ ସୁଖରେ ଆଖି ବୁଜି ପାରିବେ ।

 

ଧୋବୀକୁ ପାଖକୁ ନ ନେଲେ ସେ ନିଶ୍ଚିନ୍ତ ହୋଇ ପାରିବେ ନାହିଁ । ଅଭିମାନରେ ସେ ଯାହା କରୁଛି, ଦିନକୁଦିନ ତାହା ବଢ଼ିବ ସିନା । ପରେ ତାକୁ ବୁଝାଇ ବାଟକୁ ଫେରାଇ ଆଣିବା କଷ୍ଟ ହେବ । କହିଲେ, ଧୋବୀଲୋ, ତୁଇ ତ ମୋର ମା’, ତତେ ପାଖରେ ନ ପାଇଲେ ମୁଁ ବଞ୍ଚିବି କେମିତି ? ବେଳ ଅବେଳରେ ତୋର ହାତରୁ ପାଣି ମୁନ୍ଦିଏ ପିଇଲେ ମୋର ଆତ୍ମା ଶାନ୍ତି ହେବ । ହେଉ ମା’, ତୁ ଆଉ କିଛିଦିନ ଏଇଠି ରହ । ତୋ ଖୁଡ଼ୀ ହେରିକା ବି ଏଇଠି ରହନ୍ତୁ, ମୁଁ ବିଷ୍ଣୁପୁର ଯାଉଛି । କିଛିଦିନ ଛାଡ଼ି ପୁଣି ଆସି ତମକୁ ସବୁ ନେଇଯିବି ।

 

ଚିନ୍ତେଇ ସୋଇଁ ବିଷ୍ଣୁପୁର ଚାଲିଆସିଲେ ।

 

କିଛିଦିନ ପରେ ଗୋବିନ୍ଦ ପଧାନଙ୍କ ସାଙ୍ଗରେ କୋଟ୍‍ପିଅନ ବିଷ୍ଣୁପୁରରେ ପହଁଞ୍ଚିଲା । ଦାଣ୍ଡ ମଝିରେ ଧେଣ୍ଡୁରା ପିଟାହେଲା । ଗାଁ ଲୋକ ଧେଣ୍ଡୁରା ପିଟା ଶୁଣିଲେ କିନ୍ତୁ କାହିଁକି ଯେ ପିଟା ହେଉଛି କିଛି ଜାଣିପାରିଲେ ନାହିଁ । ଗୋବିନ୍ଦ ପଧାନଙ୍କ କୌଶଳରେ ସନେଇଁର ଘରଡିହ, ଜମିବାଡ଼ି ସବୁ ଚିନ୍ତେଇ ସୋଇଁ କୋଟ୍‍ ଜରିଆରେ ଦଖଲ ନେଲେ । ମୁଖିଆ ମୁଖିଆ ଗ୍ରାମବାସୀମାନେ ଦଖଲନାମାରେ ସାକ୍ଷୀ ପଡ଼ିଲେ । ସନେଇଁ ପରିଡ଼ା ଘରେ ଥାଇ ମଧ୍ୟ ପଳାତକ; ଆଇନ୍‍ର ଫାଙ୍କବାଟେ ରସାତଳକୁ ସେ ଗଳି ପଡ଼ିଛି ।

 

ଚିନ୍ତେଇ ସୋଇଁ ଦୀର୍ଘଶ୍ଵାସ ଛାଡ଼ିଲେ । ପହରାଜଙ୍କ ମୁହଁକୁ ଚାହିଁ କହିଲେ, ଏଥର ? ପହରାଜେ ଟିପେ ନାସ ଶୁଙ୍ଘି, ଚୁଟି ଦୋହଲାଇ କହିଲେ, ଧନ୍ୟ ଗୋପୀନାଥଙ୍କ ମହିମା । ସବୁକାମ ସୁରୁଖୁରୁରେ ହୋଇଗଲା । ଏଥର ଆପଣ ଯେତେବେଳେ ଆଙ୍ଗୁଠି ଦେଖାଇବେ ଏକ ମୁହୁର୍ତ୍ତରେ ଗ୍ରାମବାସୀଏ ସନେଇଁ ପରିଡ଼ାର ବେକରେ ହାବୁକା ଦେଇ ଗାଁ ଗହୀର ପାରି କରିଦେଇ ଆସିବେ । ଆଉଗୁଡ଼ାକ ତ ମଶାମାଛି ।

 

ଚିନ୍ତେଇ ସୋଇଁ ଉତ୍ତର ଦେଲେ ନାହିଁ ।

 

ପହରାଜେ କହିଲେ, ସବୁ ରାତିରେ ଠାକୁର ମତେ ସପନଉଛନ୍ତି, କିରେ ମୋ ମନ୍ଦିର ତ ଫାଟି ଆଁ କଲାଣି, କଣ ଭାଙ୍ଗି ତଳେ ଲୋଟିବ କି ? ମୋ ପୋଖରୀ ତ ଭୁଶୁଡ଼ି ଗଲାଣି, ସେ କଣ ଆଉ ପୋତି ହୋଇ ପଡ଼ିବ ? ଭଲକରି ଥରେ ନୀତି କରିପାରୁନୁ, କେତେଦିନ ଏମିତି ଅଧା ଉପାସ ପଡ଼ିଥିବି ? ଯାହା କହ ସୋଇଁଏ, ଠାକୁରଙ୍କ ପ୍ରତି ଅବହେଳା କରୁଥିବାରୁ ଆମର ଆଜି ଏ ଅବସ୍ଥା ହୋଇଛି । ରହିବାକୁ ଘର ନାହିଁ, ପିନ୍ଧିବାକୁ ଖଣ୍ଡେ ଲୁଗା ମିଳୁନାହିଁ ।

 

ସୋଇଁଏ ମୁଣ୍ଡ ହଲାଇ କହିଲେ, ସେସବୁ ଠିକ୍ ହୋଇଯିବ ହେ, ଅପେକ୍ଷା କର । ଆଚ୍ଛା ପହରାଜେ, ସନେଇଁ ପରିଡ଼ା ଯଦି ସବୁ ଧର୍ମଛଡ଼ାଙ୍କୁ ଛାଡ଼ି ପ୍ରାୟଶ୍ଚିତ୍ତ କରେ, ପୁଣି ଜାତିରେ, କୁଳରେ ମିଶି ପାରିବ ତ ? ତମର ପାଠ କଣ କହୁଛି ?

 

ପହରାଜେ କଟମଟ କରି ତାଙ୍କ ମୁହଁକୁ ଚାହିଁଲେ ।

 

ଚିନ୍ତେଇ ସୋଇଁ କହିଲେ, ତମେ ବ୍ୟସ୍ତ ହୁଅନା, ଠାକୁରଙ୍କର ସମ୍ପତ୍ତି ଠାକୁରଙ୍କର ରହିବ, ତମ ନାମରେ ମାର୍ଫତ୍‍ଦାରୀ ମୁଁ ରେଜିଷ୍ଟ୍ରି କରିଦେବି । ସନେଇଁ ପରିଡ଼ା ଗାଁ ପିଲା । ଯଦି ତାର ବୁଦ୍ଧି ଫେରେ, ଯଦି ସେ କୁଳରେ ମିଶେ, ମୁଁ ତାକୁ ଜମି ଦେବି, ଘର ତୋଳାଇ ଦେବି, ବାହା କରେଇ ଦେବି । ସେ ସୁଖରେ ରହୁ ।

 

ଚିନ୍ତେଇ ସୋଇଁଙ୍କ ମନର କଥା ପହରାଜେ ବୁଝିଲେ ନାହିଁ । ଥଙ୍ଗେଇ ଥଙ୍ଗେଇ ହୋଇ କହିଲେ, ଖୋଜିଲେ ପାଠ ଅବଶ୍ୟ ମିଳିବ ସୋଇଁଏ, କିନ୍ତୁ ଗୋଟାଏ ଦର୍ମଛଡ଼ା ଛତରା ଅବାଧ୍ୟ ଅଧାପାଗଳ ଲୋକଟା ପାଇଁ-

 

ବାଦା ଦେଇ ସୋଇଁଏ କହିଲେ, ମୁଁ ସେକଥା ଜାଣେ । ତମେ ପରିଶ୍ରମ କରି ପାଠ ଖୋଜି ବାହାର କର । ଠାକୁର ମନ୍ଦିର ମରାମତି କରିବା ପାଇଁ ଭଲ ମିସ୍ତ୍ରି ଡକାଅ, ଜିନିଷପତ୍ର ଯୋଗାଡ଼ କର । ଯେତେ ଟଙ୍କା ଲୋଡ଼ାହେବ ମୁଁ ଦେବି । ଯାଅ ଲାଗିପଡ଼ ।

 

ପହାରାଜେ କଲ୍ୟାଣ କରି ବାହୁଡ଼ିଲେ ।

 

ଭଲଦିନ ଦେଖି ମନ୍ଦିରର ମରାମତି କାମ ଆରମ୍ଭ କରାହେଲା । ଗାଁ ଲୋକେ ଉତ୍ସାହରେ ଠାକୁର କାମରେ ଯୋଗଦେଲେ । ଅକୁଣ୍ଠିତ ଚିତ୍ତରେ ସୋଇଁଏ ହାତମୁଠା ଖୋଲି ଟଙ୍କା ଖରଚ କଲେ । ପହରାଜେ ସବୁ ବରାଦ କରୁଛନ୍ତି । ଖୋଜି ଖୋଜି ଭଲ ମିସ୍ତ୍ରି, କାରିଗର କଟକରୁ ଅଣା ହୋଇଛନ୍ତି । ଦିନରାତି କାମ ଲାଗିଛି, କେତେ ଗହଳ ଚହଳ, କେଡ଼େ ଆନନ୍ଦ । ଏ ଖବର ପାଇ ନିଜେ ଧୋବୀ ଦୁର୍ଗାପୁରରୁ ଧାଇଁ ଆସିଛି । ଗୋପୀନାଥଙ୍କର ମନ୍ଦିର ତୋଳା କାମ । ସେ କି ସମ୍ଭାଳି ହୋଇ ରହନ୍ତା । ବାପ ଝିଅ ଦିହେଁ ପରାର୍ଶ କରି ସବୁ କାମ ବରାଦ କରୁଛନ୍ତି ।

 

ଚିନ୍ତେଇ ସୋଇଁ ଘରଦ୍ୱାର, ଜମିବାଡ଼ି, ଚାକରବାକର ସମସ୍ତ ଭାର ନିଧେଇ ସୋଇଁଙ୍କ ଉପରେ ଛାଡ଼ିଦେଇ ନିଶ୍ଚିନ୍ତ ହୋଇଛନ୍ତି । ବିଷ୍ଣୁପୁର ଓ ଦୁର୍ଗାପୁର ଦୁଇଆଡ଼ର ସମ୍ପତ୍ତି ନିଜେ ନିଧେଇ ବୁଝାସୁଝା କରୁଛନ୍ତି । ତାଙ୍କର ସ୍ତ୍ରୀ ଅଧେଦିନ ବିଷ୍ଣୁପୁରରେ ରହିଲେ ଅଧେଦିନ ଦୁର୍ଗାପୁରରେ ରହୁଛନ୍ତି । ଘରକୁ ଘରଣୀ ଏକା ସେଇ । ସେ ବୁଝାସୁଝା ନ କଲେ ସବୁ ବେ-ବରାଦ ହୋଇଯିବ । ବିଶେଷତଃ ଦୁର୍ଗାପୁର ସମ୍ପତ୍ତି ଉପରେ ସଦାବେଳ ତାଙ୍କର ନଜର । କେତେବେଳେ କଣ ହେବ, କେହି ତ କହି ପାରିବେ ନାହିଁ ।

 

ଧୋବୀ ବିଷ୍ଣୁପୁରରେ ରହିଲେ, ତାର ଖୁଡ଼ୀ ଦୁର୍ଗାପୁରରେ ରହୁଛନ୍ତି । ଜଣେ କେହି ପାଖରେ ନ ଥିଲେ ଚିନ୍ତେଇ ସୋଇଁଙ୍କର ଖବର ଅନ୍ତର କିଏ ବୁଝିବ ?

 

ଧୋବୀ ବିଷ୍ଣୁପୁରରେ ।

 

ଆଜି ପ୍ରଥମାଷ୍ଟମୀ । ଘରେ ଘରେ ବଡ଼ ପୁଅ, ବଡ଼ ଝିଅଙ୍କର ଆନନ୍ଦର ଦିନ । ଥିଲା ନ ଥିଲା ସଭିଙ୍କ ଘରେ ନୂଆଲୁଗା, ପୁଣି ଏଣ୍ଡୁରିପିଠା କିନ୍ତୁ ସନେଇଁ ଘରେ ଆନନ୍ଦର ଚିହ୍ନନାହିଁ । ସବୁଦିନ ପରି ସେଦିନ ମଧ୍ୟ ସମସ୍ତେ କାମରେ ମନପ୍ରାଣ ଢାଳି ଦେଇଛନ୍ତି । ଭରଥ ସାମଲ, କାଶୀବେଜ୍‍କୁ ଘର ଓ ଖଳା ଜଗାଇ ଦେଇ ସମସ୍ତେ ବାହାରି ପଡ଼ିଛନ୍ତି ଧାନ କାଟିବାକୁ ।

 

ଭରଥ ଖଳାରେ ବସିଛି ଧାନଗଦାକୁ ଆଉଜି । ବେଳ ପ୍ରାୟ ଦି’ଘଡ଼ି ହେଲାଣି । ବସି ବସି କ୍ଲାନ୍ତ ହୋଇ ମନଫୁଲାଣିଆ ଗୀତ ବୋଲୁଛି, ଭଜ ମନରେ କଳାକହ୍ନେଇ, ଭଜିଲେ ତୋ ଦୁଃଖ ରହିବ ନାହିଁ, ଭଜ ମନରେ । ଘର ପିଣ୍ଡାରେ ବସି କାଶୀ ବେଜ୍‍ ଘୁମଉଥିଲା । ହଠାତ୍ ଭରଥର ଗୀତରେ ସେ ଚମକି ଉଠିଲା । ବାଡ଼ି ଉପରେ ହାତ ପକାଇ ଗାଇ ଉଠିଲା, ଖଣ୍ଡି ଯେ ଖଣ୍ଡି ତୋର ପିଞ୍ଜରା କାଠି, ଖାଉଣ ଥିବେ ଶ୍ୱାନଶୃଗାଳ ବାଣ୍ଟିରେ, ଖାଉଣ ଥିବେରେ ।

 

ଗୀତଟା ଯେପରି ଗୋଟିଏ ସଂକ୍ରାମକ । ଜଣେ ବୋଲିଲେ ସମସ୍ତଙ୍କର ବୋଲିବାକୁ ମନ ହୁଏ । ମୁଣ୍ଡରେ ଧାନବୋଝ ଧରି ଯୋହନ କକା ଓ ରହିମ୍‌ ଖଳାରେ ପହଞ୍ଚିଲେ । ଧାନ ବୋଝ ସଜାଇ ରଖି ରହିମ୍ ଖଳାରେ ପହଞ୍ଚିଲେ । ଧାନ ବୋଝ ସଜାଇ ରଖି ରହିମ ଗଲା ଗୁହାଳ ସଫା କରିବାକୁ । ଯୋହନ କ୍ଲାନ୍ତ ହୋଇ ଭରଥ ପାଖରେ ବସିଲେ । ମନକୁ ମନ କହି ହେଲେ, ସନେଇଁ ଆଉ କଇଁ, ପିଲା ଦି’ଟା । କଥା ଶୁଣୁନାହାନ୍ତି, ଯେମିତି ପରିଶ୍ରମ କରୁଛନ୍ତି କେତେବେଳେ ପଡ଼ିଯିବେ । କଥା କହିଲେ ମାନୁ ନାହାନ୍ତିରେ ଭରଥ ।

ଭରଥ ଗୀତ ବନ୍ଦ କଲା । ଜବାବ ଦେଲା, କାମ କରିବାର ବୟସ ତାଙ୍କର । ଏ ଦିନେ ନ କରିବେ ତ ଆଉ କଣ ବୁଢ଼ାଦିନେ କରିବେ ।

ଛାଇ ନେଉଟା ବେଳ ।

ସେବା ବେହେରା ସନେଇଁର ନାଁ ଧରି ଡାକି ଡାକି ଭିତରକୁ ଆସିଲା । ଘର ଆଗରେ କଡ଼େଇ କରି ଖଳା । ଛୋଟ ଛୋଟ ଦୁଇଗଦା ଧାନ ଜମା ହୋଇଛି । ବେଙ୍ଗଳା ପଡ଼ିନାହିଁ । ସେବା ବେହେରା ସେଇଠି ଯାଇ ପହଞ୍ଚିଲା । ଅପୂର୍ବ କଥା । ନ ଜାଣିଲା ଯୋଗୀ ଭିକାରିଙ୍କ ଛଡ଼ା କେହି କେବେ ଭୁଲରେ ସନେଇଁ ଘରେ ଗୋଡ଼ ପକାନ୍ତି ନାହିଁ । କାୟା ଅପବିତ୍ର ହେବ । ଆଜି କିପରି ସେବା ବେହରା ଖଳାରେ ଯାଇ ପଶିଲେ ? ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗିଲା । ରହିମ୍ ଗୋବର ହାତ କରି ପାଖକୁ ଆସିଲା । ଯୋହନ କାବା ହୋଇ ତା’ ମୁହଁକୁ ଚାହିଁଲେ ।

ସେବା ପଚାରିଲେ, ସନେଇଁ କାହିଁ ?

ରହିମ୍ କହିଲା, ଧାନ କାଟିବାକୁ ଯାଇଛି । କାହିଁକି ?

ସେବା କହିଲା, ଚିନ୍ତେଇ ସୋଇଁ ଖବର ପଠେଇଛନ୍ତି, ସେ ଯେମିତି ହେଲେ ଆଜି ତାଙ୍କର ସଙ୍ଗେ ଦେଖା କରିବ, ଯେତେ ରାତି ହେଉ । ସେଇଆ କହିବାକୁ ମୁଁ ଆସିଥିଲି । ତୁ ତାକୁ ଜଲଦି ଖବର ଦେ । ଭାରି ଜରୁରୀ କାମ ।

ଏତିକି କହି ସେବା ଫେରିଗଲା ।

ଠିକ୍ ସେତିକିବେଳେ–

 

ଧାନ କଟାଶେଷ କରି ସନେଇଁ ଓ କଇଁ ପୋଖରୀରେ ଗୋଡ଼ହାତ ଧୋଇ ହୁଡ଼ା ଉପରେ ବସି ଦମ୍ ନେଉଛନ୍ତି । ପୋଖରୀ ସେପଟ ଛୋଟ ଛୋଟ ନିବୁଜ ସବୁଜ ବାଡ଼ । ସେପାଖେ ମହାଦେବ ମନ୍ଦିରକୁ ବାଟ ପଡ଼ିଛି, ସେ ପାଖରୁ ସୁନେଲି ଧାନକ୍ଷେତ ଲମ୍ବିଯାଇଛି ଦନେଇଁର ଘର ତଳି ବାରିଯାଏ । ପୋଖରୀ ଏ ପଟେ ବଗିଚା । ବଗିଚା ଶେଷକୁ ସନେଇଁର ଧାନ ବିଲ । ଲମ୍ବି ଯାଇଛି, ଗହୀର ସଙ୍ଗେ ମିଶି ଯାଇଛି । ଚାରିବର୍ଷ ତଳେ ଯେଉଁ ଭୂମି ଖଣ୍ଡ ଅନାବାଦୀ ଅକମର୍ଣ୍ୟ ହୋଇ ପଡ଼ିଥିଲା, ଦେହର ରକ୍ତ ଢାଳି ସନେଇଁ ତାକୁ କରିଛି ସୁନାଥାଳି । ଗାଁ ଲୋକେ କାବା ହୋଇ ଚାହିଁ ରହିଛନ୍ତି, ହନ୍ତସନ୍ତ ହେଉଛନ୍ତି ।

 

ତୃପ୍ତିର ନିଃଶ୍ୱାସ ସନେଇଁର ଛାତି ପଞ୍ଜରା ଥରାଇଲା । କିଏ ତାକୁ ଏ ସବୁ କରିବାକୁ ପ୍ରେରଣା ଦେଲା, ଟଙ୍କା ଦେଲା । ଯାହାପାଇଁ ଆଜି ଏ ଘର ସମ୍ପତ୍ତି, ପୁଣି ଯାହାପାଇଁ ସେ ଆଜି କଇଁର ହାତ ଧରି ସଂସାରୀ ହୋଇଛି, ସେଇ ଧୋବୀ ଫେରି ଆସିଛି ବିଷ୍ଣୁପୁରକୁ । ଦେଖିବାକୁ ଆଗ୍ରହ ହେଲେ ମଧ୍ୟ ମନ ଭିତରୁ କିଏ ଯେପରି କହି ଉଠୁଛି ନାହିଁ, ନାହିଁ । ଯେଉଁ କଇଁ ତାର ସନ୍ତାନକୁ ପେଟରେ ଧରିଛି ସେ ଯେପରି ତାକୁ ଅଟକାଇ ରଖିଛି । ସାହାସ କରି ତା’ ଆଗରେ ମନ ଖୋଲି କହି ପାରୁନାହିଁ । ସଦାବେଳେ କାମରେ ମନପ୍ରାଣ ଢାଳି ଦେଇଛି ।

 

କଇଁ କିନ୍ତୁ କୌଣସି କଥା ଭାବୁନାହିଁ । ସନେଇଁ ପରିଡ଼ାର ପ୍ରେମ ସେ ପାଇଛି । ସନେଇଁ ପରିଡ଼ାର ଘରଣୀ ସେ ହୋଇଛି, ଆଉ, ସନେଇଁର ପିଲାକୁ ସେ ପେଟରେ ଧରିଛି । ଆଉ ତାର ଲୋଡ଼ା କଣ, ଦୁଖ କଣ ? ଅତୀତକୁ ଭୁଲି ନୂଆଜୀବନ ସେ ଆରମ୍ଭ କରିଛି । ଦୁନିଆଁ ତାକୁ ନ ପଚାରୁ ।

 

କଇଁ କହିଲା, ଛାଇ ନେଉଟିଲାଣି । ଚାଲ ଘରକୁ ଯିବା । ସେମାନେ ସବୁ ଭୋକରେ ଚାହିଁ ବସିଥିବେ । ଉଠ ।

 

କଇଁ ସନେଇଁର ହାତ ଧରିଲା । ସନେଇଁ ଚମକି ଉଠିଲା ପରି କଇଁର କ୍ଲାନ୍ତ ମୁହଁକୁ ଚାହିଁଲା । ତାର ଢଳଢଳ ଆଖି, ପୂରିଲା ପୂରିଲା ଗାଲକୁ ମୁହୁର୍ତ୍ତେ ଦେଖି ସନେଇଁ ତନ୍ମୟ ହେଲା । ଏଇ ତାର କଇଁ । ପାଗଳୀ । ଯେଉଁଦିନ ସେ ସନେଇଁର ଘରେ ଅଧାପାଗଳ ହୋଇ ଗୋଡ଼ ଦେଇଥିଲ, ସେଦିନ ସେ ଥିଲା କଣ, ଆଜି ହୋଇଛି କଣ ? କଇଁ କେଡ଼େ ସୁନ୍ଦର । ତାର ଢଳ ଢଳ ଆଖି, ପୂରିଲା, ପୂରିଲା ଦେହହାତ ସବୁ ସୁନ୍ଦର । ଅବହେଳାରେ, ଦୁଃଖ ଅଶାନ୍ତିରେ, ମଣିଷ ପିଲା ପ୍ରେତପରି ଅସୁନ୍ଦର ହୁଏ । ସମସ୍ତଙ୍କର ଘୃଣାର ଜୀବ ହୁଏ ।

 

କଣ ଏତେ ଚାହୁଁଛ ମ । ଚାଲୁନ ?

 

ସନେଇଁ ହସହସ ହୋଇ କହିଲା, ତତେ ନିରୋଳାରେ ଭଲକରି ଚାହିଁବାକୁ କଣ ବେଳ ମିଳେ ଲୋ ? ଆଜି ଯଦି ମୋର ବାପା, ବୋଉ କୋଉଠୁ ଆସି ପହଁଞ୍ଚନ୍ତେ, ତତେ ଦେଖି କଣ କୁହନ୍ତେ ଜାଣୁ ?

 

କଣ ?

ଲକ୍ଷ୍ମୀ ।

ଛାଡ଼ ସେ ଛୋପରା କଥା ।

 

କୁତ୍ରିମ ଅଭିମାନ କରି ସନେଇଁର ହାତ ଛାଡ଼ି କଇଁ ଦୁଇପାଦ ଆଗେଇ ଗଲା । ସନେଇଁ ତାର ହାତ ଧରି ତାକୁ ଛାତିରେ ଆଉଜାଇ, ତାର ମୁହଁରେ ବୋକ ଦେଇ କହିଲା, ଚାଲ ଏଥର ।

 

ସନେଇଁର ବେକ ଉପରେ ମୁଣ୍ଡ ରଖି, ଭୟରେ ଏଣେତେଣେ ଚାହିଁ କହିଲା, ଏଡ଼େ ଅଲାଜୁକ । କିଏ କେଉଁଠି ଥିବଟି । କଇଁର କଥା ତା’ ତୁଣ୍ଡରେ ଅଛି, ତାର ନଜର ପଡ଼ିଲା ପୋଖରୀ ସେପାଖ ବାଟ କଡ଼ରେ ଯେଉଁ ଚଲାବାଟଟି ଶିବମନ୍ଦର ଆଡ଼େ ପଡ଼ିଛି, ତା’ରି ଉପରେ, ହାତରେ ଭୋଗେଇ ଧରି ସ୍ତ୍ରୀ ଲୋକଟିଏ ଠିଆ ହୋଇଛି । ନୂଆଁଣିଆ ସୂର୍ଯ୍ୟର ସୁନେଲି କିରଣ ତେରଛା ହୋଇ ପଡ଼ିଛି ତାର ମୁହଁ ଉପରେ ।

 

ସନେଇଁକୁ ସାମାନ୍ୟ ଠେଲିଦେଇ, ଲାଜରେ ମୁହଁ ରଙ୍ଗକରି, ବାଡ଼ ଆଡ଼କୁ କଣେଇଁ ଚାହିଁ ଧୀର କଣ୍ଠରେ କହିଲା, ଛିଇ, କେଡ଼େ ଅମାନିଆ ମ ତମେ ।

 

ସନେଇଁର ନଜର ପଡ଼ିଲା । ଆପେ ଆପେ ପାଟିରୁ ବାହାରି ପଡ଼ିଲା ଥରିଲା ଥରିଲା ଗୋଟିଏ ପଦ, ଧୋବୀ ।

 

କଇଁ ଫେରି ଚାହିଁଲା । ପବନରେ ଉଡ଼ିଲାପରି ବାଟେ ବାଟେ ଧୋବୀ ଚାଲିଯାଉଛି । ପଛକୁ ଅନାଉ ନାହିଁ । କିଛିଦୂର ଆଗରେ ଆଉ ଜଣେ ଝିଅ ଯାଉଛି ।

 

କଇଁ ପଚାରିଲା, କିଏ, ଧୋବୀ ଅପା ?

 

ସନେଇଁ ଉତ୍ତର ଦେଇପାରିଲା ନାହିଁ । ଛାତି ଭିତରେ କଣ ଯେପରି ଅଜଣା ଯନ୍ତ୍ରଣା ଅନୁଭବ କଲା । ଧୈର୍ଯ୍ୟଧରି ଥଙ୍ଗେଇ ଥଙ୍ଗେଇ କହିଲା, ହଁ । ଆଉଥରେ ନାମ ଧରିବାକୁ ତାର ବଳ ପାଇଲା ନାହିଁ । ଟିକିଏ ରହି କହିଲା, ଚାଲ ।

 

କଇଁର ଆଖିରେ ଭରିଗଲା ଲୁହ । କହିଲା, ତମେ ଯାଅ, ମୁଁ ମୋର ଧୋବୀ ଅପାକୁ ଥରେ ଭଲକରି ଦେଖିଆସେ । କଇଁ ଛୁଟିଗଲା ପିଲାଙ୍କ ପରି ଧୋବୀର ପଛେ ପଛେ । ସନେଇଁ ମୁହଁ ଖୋଲି ପଛରୁ ଡାକି ପାରିଲା ନାହିଁ ।

 

ସଞ୍ଜ ଆଗରୁ କଇଁ ସନେଇଁ ପାଖକୁ ଫେରି ଆସିଲା । ସନେଇଁ ପୋଖରୀପଛ ବାଟ କଡ଼ରେ ତାର ଫେରିଲା ବାଟକୁ ଚାହିଁ ରହିଥିଲା । ଆକାଶପାତାଳ କେତେ କଣ ଭାବୁଥିଲା । କଇଁର ବିରସ ମୁହଁକୁ ଦେଖି ସବୁକଥା ସେ ବୁଝିପାରିଲା । ଓଠ ଉପରକୁ କୃତ୍ରିମ ହସ ଟାଣିଆଣି ସନେଇଁ କହିଲା, ଭାରି ଭୋକ ହେଲାଣି କଇଁ, ଚାଲ ଏଥର ଘରକୁ ।

 

କଇଁ ଉତ୍ତର ଦେଲା ନାହିଁ । କେତେ କଣ କହିବାକୁ ମନ ହେଉଥିଲେ ମଧ୍ୟ, ଓଠ ଚାପି ସନେଇଁର ପଛେ ପଛେ ଖଣ୍ଡେଦୂର ଚାଲି ଆସିଲା । ଆଉ ନିଜକୁ ସମ୍ଭାଳି ପାରିଲା ନାହିଁ । ବାଟ ମଝିରେ ସନେଇଁର ହାତ ଧରି କହିଲା, ରହ, ଶୁଣ ।

 

ସନେଇଁ ଅଟକିଲା । ପଛକୁ ଫେରି ଚାହିଁ ପଚାରିଲା, କଣ ? ଆଖି ଛଳଛଳ କରି କଇଁ କହିଲା, ଧୋବୀ ଅପା ମତେ ଚିହ୍ନି ମଧ୍ୟ ଚିହ୍ନିଲା ନାହିଁ । କେତେ କଥା ପଚାରିଲି, ସେ ଜବାବ ଦେଲା ନାହିଁ । ପାଖକୁ ଗଲାରୁ ମୁହଁ ଫଣଫଣ କରି ମାଡ଼ ମାରିଲା ପରି କହିଲା, ଛୁଇଁବୁ ଲୋ, ଘୁଞ୍ଚି ଠିଆ ହ ।

 

ଅବଚଳିତ ସ୍ଵରରେ ସନେଇଁ ପଚାରିଲା, ସେଇଠୁ ?

 

କଇଁର ଆଖିଲୁହ ଦୁଇଧାର ହୋଇ ଗଡ଼ିଆସିଲା, ମୋର ହୋବ୍‍ ନାହିଁ । ଶିବମନ୍ଦିର ବେଢ଼ା ଭିତରକୁ ପଶି ଯାଉଥିଲି । ପହରାଜଙ୍କ ନାତୁଣୀ ସେ ଆର ଜଣକ, କାହାକୁ ଡାକି କହିଲା, ଆରେ, ଛତରଖାଇ କଇଁ ବାଇଆଣୀ ବେଢ଼ାରେ ପଶିବ, ତଡ଼ି ଦେ । ଧୋବୀ ଅପା ଫେରି ଚାହିଁଲା ନାହିଁ ।

 

ସନେଇଁ କଇଁର ଆଖିରୁ ଲୁହ ପୋଛିଲା । ତାର ହାତ ଧରି କହିଲା, ଚାଲିଆ ମୋ ସାଥିରେ । କାହା କଥାରୁ ତତେ ମିଳିବ କଣ ଲୋ ? ଦୁନିଆଁର ଭଲମନ୍ଦ, ଦୁଃଖସୁଖ ଭିତରେ ଘାଣ୍ଟି ଚକଟି ହୋଇ ନୂଆ ମଣିଷ ହୋଇ ତୁ ଫେରିଛୁ କଇଁ, ଲୋକଙ୍କ କଥାକୁ ଛଳ କରୁଛୁ ? ଲୋକଙ୍କର ବ୍ୟବହାରରେ ଦୁଃଖ କରୁଛୁ ? ଆମର ପୁଣି ମାନ ଅଭିମାନ, ରାଗ ରୋଷ କଣ ? ମଶାଣି ଭୂଇଁରୁ କଙ୍କାଳ ଗଦା ଭିତରୁ ଆମେ ପରା ଫେରି ଆସିଥାଇଁ ? ଏମିତି ହାତ ଧରାଧରି ହୋଇ ହସିହସିକା ପୁଣି ସେହି ମଶାଣି ଭୂଇଁକି କଙ୍କାଳ ଗଦାଭିତରକୁ ଫେରିଯିବା । କାନ୍ଦିବା କାହିଁକି ? ଦୁଃଖ କରିବା କାହିଁକି ? ଆମରି ପରି ଲକ୍ଷ ଲକ୍ଷ ଲୋକ ବଡ଼ପାଟି କରି କାନ୍ଦିଥିଲେ, ଛଟପଟ ହୋଇଥିଲେ, କିଏ ତାଙ୍କର କାନ୍ଦ ଶୁଣିଲା ? କିଏ ତାଙ୍କର ଛଟପଟ ଦେଖିଲା ? କିଏ ତାଙ୍କୁ ଚିହ୍ନିଲା କଇଁ ?

 

କଇଁ ଦୀର୍ଘଶ୍ୱାସ ଛାଡ଼ିଲା ।

 

ସନେଇଁ କହିଲା, ଠିଆହେଲୁ ଯେ । ହସିହସିକା ଚାଲି ଆ ମୋ ପଛେପଛେ । ଗର୍ବ, ଅଭିମାନ, ବଡ଼ପଣକୁ କାନିରେ ବାନ୍ଧି ଯେଉଁମାନେ ବୁଲୁଛନ୍ତି କଇଁ, ସେମାନଙ୍କ ପାଖରୁ ଆମେ ଦୂରରେ ରହିବା । ସେମାନେ ଆମକୁ ଘୃଣା କରନ୍ତୁ ପଛକେ ଆମେ ତାଙ୍କୁ ଘୃଣା କରିବେ ନାହିଁ, ଆ-

 

କଇଁ ଉତ୍ତର ନ ଦେଇ ସନେଇଁର ପଛେ ପଛେ ଚାଲିଲା ।

 

ସଞ୍ଜବୁଡ଼େ ରହିମ୍ କହିଲା, ତୁମକୁ ଚିନ୍ତେଇ ସୋଇଁ ଡକାଇଛନ୍ତି । ଯିବ କି ନ ଯିବ ସେଇକଥା ମନେ ମନେ ଆଲୋଚନା କରି ଶେଷକୁ ସନେଇଁ ସ୍ଥିରକଲା, ଯିବ ।

 

ସଞ୍ଜ ବୁଡ଼ିଗଲାଣି ।

 

ଶିବମନ୍ଦିରରୁ ଫେରି ଧୋବୀ ପଶିଲା ଠାକୁର ଘରେ । ଯେଉଁ ଦୃଶ୍ୟ ସେ ଦେଖିଥିଲା, କଇଁ ପ୍ରତି ଯେଉଁ ବ୍ୟବହାର ସେ କରିଥିଲା, ଯେଉଁ ଦୁଇପଦ ସେ ଘୃଣାରେ ଅବା ଈର୍ଷାରେ ତାକୁ କହିଥିଲା, ସବୁ ତାର ଅଧୀର ମନ ଭିତରେ ଲହଡ଼ି ଭାଙ୍ଗୁଥାଏ । ଯେତେ ଚେଷ୍ଟାକରେ ଭୁଲିଯିବାକୁ, ଭୁଲିପାରେ ନାହିଁ । ତୁହାଇ ତୁହାଇ ସବୁ ଭାବନା ତାର ମନକୁ ଅସ୍ଥିର କରେ ।

 

ଘିଅ ଦୀପ ତେଜି ଖଟୁଲୀ ଉପରେ ରଖିଲା । ରାଧାମାଧବଙ୍କର ପିତ୍ତଳ ବିଗ୍ରହକୁ ଚାହିଁ ହାତଯୋଡ଼ି ମନେ ମନେ ସେ ପ୍ରାର୍ଥନା କଲା, ମୋର ଅପରାଧ କ୍ଷମାକର ଭଗବାନ । ମୁଁ ଦୋଷ କରିଛି । ସନେଇଁ ଭାଇ ସୁଖରେ ରହୁ । କଇଁକୁ ନେଇ ସେ ଘର କରୁ । ମୋ ମନରେ ରାଗ ଆସିଲା କାହିଁକି ? ମୋ ମନରେ ସନେଇଁ ଭାଇ ପ୍ରତି ମମତାର ଯେଉଁଶେଷ ରଶ୍ମିଟିକ ଦିକିଦିକି ହୋଇ ଜଳୁଥିଲା ତାକୁ ନିଭାଇ ଦିଅ । ମତେ ପଥର କର । ମୋର ସବୁ ପ୍ରେମ, ସବୁ ମମତା ତମେ ହିଁ ନିଶେଃଷ କରି ଟାଣି ନିଅ । କଇଁ ତ ମୋର ଅନିଷ୍ଠ କରିନାହିଁ । ମୋତେ ଦେଖିବ ବୋଲି କେଡ଼େ ଆଗ୍ରହରେ ସ୍ଵାମୀର କୋଳ ଛାଡ଼ି ସେ ଧାଇଁ ଆସିଥିଲା । ଯେଉଁ ସ୍ଵାମୀ ତାର ସର୍ବସ୍ଵ ନେଇ ତାକୁ ଅନାଥିନୀ, ପାଗଳୀ କରି ଅପନ୍ତରାରେ ଛାଡ଼ି ଚାଲି ଆସିଥିଲା, ଯାହାର ସନ୍ତାନକୁ ରକ୍ତ ପିଆଇ ସୁଦ୍ଧା ବଞ୍ଚାଇ ନ ପାରି ଦାଣ୍ଡେ ଦାଣ୍ଡେ ଚିତ୍କାର କରି ବୁଲୁଥିଲା, କଇଁ ତାର ସେହି ଅମୂଲ୍ୟନିଧି ସ୍ଵାମୀକୁ ଫେରି ପାଇଛି । ତାକୁ ସୁଖୀ କର ପ୍ରଭୁ, ତାକୁ ସ୍ଵାମୀ ସୋହାଗିନୀ କର ।

 

ଧୋବୀ ତଳେ ମୁଣ୍ଡ ଲଗାଇ ପ୍ରଣାମ କଲା । ମୋର ମନରେ ସନେଇଁ ଭାଇ ପ୍ରତି ଯେଉଁ କାମନା ଜନ୍ମିଥିଲା, ସେଥିପାଇଁ ତ କଇଁ ଦାୟୀ ନୁହେଁ । କଇଁ ତାକୁ ପିଲାଟି ଦିନୁ ଭଲ ପାଉଥିଲା । ସ୍ଵାମୀ ବୋଲି ମାନି ନେଇଥିଲା । ଜାଣି ମଧ୍ୟ କାହିଁକି ମୁଁ ମୋର ମନ ସନେଇଁ ଭାଇ ଆଡ଼କୁ ବଢ଼ାଇଥିଲି ? ଦୁଃଖ ମୁଁ ନ ସହନ୍ତି ତ ସହନ୍ତା କିଏ ? ସନେଇଁ ଭାଇ ମତେ ପ୍ରତାରଣା କରିଥିଲା । ସବୁ ଲୁଚାଇ ଥିଲା । ତୁମେହିଁ ବଡ଼ ହେ ଭଗବାନ । କୌଣସି କଥା ଛପି ରହିଲା ନାହିଁ । ସନେଇଁ ଭାଇକୁ ତୁମେ ସଦ୍‍ବୁଦ୍ଧି ଦେଲ । ସେ ତାର କଲାକର୍ମକୁ ଭୁଲି ନ ଯାଇ କଇଁକୁ ନେଲା କୋଳକୁ । ସେ ଠିକ୍ କରିଛି, ମୁଁ କରିଛି ଭୁଲ, କଇଁ ପ୍ରତି କଠୋର ହୋଇଛି । ମୁଁ ଅନ୍ୟାୟ କରିଛି । ମୋତେ କ୍ଷମାକର ।

 

ଧୋବୀର ଦୁଇଆଖିରୁ ଝରିଲା ଲୁହ । ବାରମ୍ବାର କହିବାକୁ ଲାଗିଲା ମନକୁ ମନ, ସନେଇଁ ଭାଇ ଠିକ୍ କରିଛି । ସେ ବିଧର୍ମୀ, ଅଜାତି, ଅଛୁଆଁ, ପତିତ, ତଥାପି ସେ ବଡ଼ ମଣିଷ, ଅସୀମ ତାର ଧୈର୍ଯ୍ୟ । ବିରାଟ ତାର ମନ । ବିଚକ୍ଷଣ କର୍ତ୍ତବ୍ୟଜ୍ଞାନ । ସନେଇଁ ଠିକ୍ କରିଛି । ସବୁ ଭୁଲ ମୋର ।

 

ଧୋବୀ ଉଠିବସିଲା । ଆଖିରୁ ଲୁହ ଯେତେ ପୋଛିଲେ ଅବାଧ୍ୟ ଝରଣା ଅଟକିଲା ନାହିଁ-। ପୁଣି ଦୁଇହାତ ଯୋଡ଼ି କହିବାକୁ ଲାଗିଲା, ଆହୁରି ଲୁହ ରଖିଛ ଆଖିରେ ? ନିଅ, ନିଅ, ସବୁ କାଢ଼ିନିଅ, ମୋତେ ପଥର କର, ମୂକ, ଅଥର୍ବ କଠିଣ କର ଠିକ୍ ତୁମରି ପରି, ଠିକ୍‍ ତୁମରି ପରି, ଶପଥକରି ମୁଁ ମାନି ନେଉଛି । ସନେଇଁ ଭାଇ ଠିକ୍‍ କରିଛି । ଠିକ କରିଛି ।

 

ଧୋବୀ ପୁଣି ତଳେ ମୁଣ୍ଡ ଲଗାଇଲା ।

 

ସନେଇଁ ଆଶ୍ଚର୍ଯ୍ୟ ମଣିଲା । ଚିନ୍ତେଇ ସୋଇଁଙ୍କ ପାଖରୁ ଏପରି ବ୍ୟବହାର ପାଇବ ବୋଲି ସେ କେବେ ଆଶା କରି ନ ଥିଲା । ଯେଉଁ ପୁଞ୍ଜିପତି ଚିନ୍ତେଇ ସୋଇଁ ତାକୁ ଦେଖିଲେ କୁକୁର ମାଙ୍କଡ଼ ପରି ବ୍ୟବହାର କରୁଥିଲେ, ଧନ, ମାନ ଓ ପ୍ରତିପତ୍ତିର ଗର୍ବରେ ଯିଏ ସୂର୍ଯ୍ୟ, ଚନ୍ଦ୍ର ମାନୁ ନ ଥିଲେ, ଦରିଦ୍ର ଅନାଥର ଛାତି ଉପରେ ଗୋଡ଼ ପକାଇ ଯିଏ ରକ୍ତ ଶୋଷି ରାଜ୍ୟ ବିସ୍ତାର କରିଥିଲେ, ସେଇ ଚିନ୍ତେଇ ସୋଇଁ ଅଧର୍ମୀ ସନେଇଁକୁ ଦେଖି ଉଚ୍ଚ ପିଣ୍ଡାରୁ ଓହ୍ଲେଇ ଆସିଲେ କାହିଁକି ? କାହିଁକି ତାର ହାତ ଧରି ସ୍ନେହରେ କହିଲେ, ସନେଇଁ କିରେ ? ଆ ବାପ ଭିତରକୁ ଆ ।

 

ତାର ତୁଣ୍ଡରୁ କଥା ବାହାରିଲା ନାହିଁ । ପଥର ମୂର୍ତ୍ତିପରି ଚିନ୍ତେଇ ସୋଇଁଙ୍କର ହାତଧରି ସେ ଭିତରକୁ ଗଲା । ଚିନ୍ତେଇ ସୋଇଁଙ୍କର ଶୋଇଲା ଘର ପଲଙ୍କ ଉପରେ ସନେଇଁକୁ ସେ ଆଦର କରି ବସାଇଲେ । ଦୂରେଇ ହୋଇ ଆଲୁଅ ରଖା ହୋଇଥାଏ । ଗୋଟାଏ ଟୁଲ ଉପରେ ସୋଇଁଏ ଭିତର ଆଡ଼ୁ କବାଟ ଆଉଜାଇ ଆଲମାରି ଖୋଲିଲେ । କେତେଖଣ୍ଡ କାଗଜ ହାତରେ ଧରି ପୁଣି ପାଖକୁ ଆସିଲେ । ସନେଇଁର ପାଖରେ ବସିଲେ ।

 

ସନେଇଁକୁ ଆଶ୍ଚର୍ଯ୍ୟ ଲାଗୁଥାଏ । ସୋଇଁଙ୍କର ବ୍ୟବହାର ଉଦ୍ଦେଶ୍ୟ ଜାଣିବାକୁ ସେ ଉଦ୍‍ବିଗ୍ନ ହୋଇ ଅପେକ୍ଷା କରିଥାଏ ।

 

ଚିନ୍ତେଇ ସୋଇଁ ଥରେ ଚାରିଆଡ଼େ ଆଖି ପକାଇ ସନେଇଁକୁ ଚାହିଁ କହିଲେ, କେତେ ଦିନଯାଏ ତୁ ଏପରି ବାଇଆ ବୁଦ୍ଧି କରି ସଂସାର ବାହାର କାମ କରି ଚଳିବୁରେ ? ହଁ ଅନେକ କାରଣରୁ ମଣିଷ ରାଗରୋଷ ହୁଏ । ମୋର ମଧ୍ୟ ତୋ ଉପରେ ଦିନେ ରାଗ ହୋଇଥିଲା । ଦାଣ୍ଡ ଲୋକଙ୍କ ଆଗରେ ସେ ଅପମାନ କରି ମୋତେ କହିଥିଲା । ଗଲା କଥା ଗଲାଣି । ପଛ କଥାଘାଣ୍ଟିଲେ ଲାଭ ନାହିଁ । ମନରେ ରାଗରୋଷ ବଢ଼େ । ସେ ତ ନାହିଁ, କାହା ସଙ୍ଗେ ମୁଁ ଆଉ ଲଢ଼ିବି ? ତୁ ଏ ଗାଁକୁ ଫେରିଆସିଲା ପରେ ଅନେକ କଥା ଘଟି ଯାଇଛି । କାଲିକାର ମେଞ୍ଚଡ଼ ପିଲା ହୋଇ ତୁ ଗର୍ବ ଛାଡ଼ିନୁ, ଆଉ ମୁଁ ଚିନ୍ତେଇ ସୋଇଁ ଲୋକଚକ୍ଷୁରେ କେଡ଼େ ବଡ଼, ମୁଁ ବି ବଡ଼ପଣ ଛାଡ଼ି ପାରିଲି ନାହିଁ । ଯାହା ହେବାର ହୋଇଗଲା । ଗତକଥା ଧରି ସବୁଦିନେ କଣ ବସିଥିବା ? ମୋର ବି ବେଳକାଳ ସରି ଆସିଲା । ତୋ ମନରେ ଯେତେ ଯାହା ଦୁଃଖ ଦେଇଛି ସେଥିପାଇଁ ମୁଁ କ୍ଷମା ମାଗୁଛି ସନେଇଁ ।

 

ଚିନ୍ତେଇ ସୋଇଁ ସନେଇଁର ହାତ ଧରିଲେ । ଗୋପନରେ ହେଲେ ମଧ୍ୟ ଜୀବନରେ ଆଜି ପ୍ରଥମ ଥର ତାଙ୍କ ଗର୍ବିତ ମନ ପରପାଖରେ ନୂଆଁଇଲେ । ତୁଣ୍ଡରୁ ଯାହା ବାହାରିଲା ତାଙ୍କର କାନ ଶୁଣିପାରିଲା ନାହିଁ । ମନ ଯାହା କହିବାକୁ ଇଙ୍ଗିତ ଦେଲା ଆତ୍ମା କହି ପାରିଲା ନାହିଁ । ତାଙ୍କର ମନେହେଲା, ଯେପରି ସେ ନିଜ ଭିତରେ ନାହାନ୍ତି । ଆଖି ଦୁଇଟା କେଜାଣି କେତେଦୂରରୁ ଚିନ୍ତେଇଁ ସୋଇଁଙ୍କର କର୍ମ ଦେଖି ଉପହାସ କରୁଛି ।

 

କାହିଁକି ଆଜି ତାଙ୍କର ଏ ଦୁର୍ବଳତା ? ସ୍ତ୍ରୀଙ୍କର ଶେଷ ଆଶା, ଶେଷ ଅନୁରୋଧ ତାଙ୍କର ବଡ଼ପଣ ଭାଙ୍ଗିଛି । ଏକମାତ୍ର ଝିଅ ଧୋବୀର ବିରସ ମୁହଁ ତାଙ୍କର ଅଭିମାନକୁ ଗୋଡ଼ରେ ଦଳିଛି । ଜୀବିତାବସ୍ଥାରେ ସ୍ତ୍ରୀଙ୍କୁ ଭଲକରି ପଦେ କଥା କହିନାହାନ୍ତି । ଜନ୍ମରୁ ଅଦ୍ୟାବଧି ଝିଅର ଭଲମନ୍ଦ ଥରେ ହେଲେ ଭାବି ନାହାନ୍ତି । ସେ କେବଳ କରି ଆସିଛନ୍ତି କର୍ତ୍ତବ୍ୟ, ତାଙ୍କର ଏକମାତ୍ର ଚିନ୍ତା, ଧନ, ସମ୍ପତ୍ତି ମାନ । ଆଜି କିନ୍ତୁ ଧୋବୀର ବିରସ ମୁହଁ, ଦୁର୍ବଳ ଦେହ ଦେଖି ସେ ବୁଝିଛନ୍ତି, ଯାହା ସେ କରିଥିଲେ ସବୁ ଭୁଲ । ସେଥିପାଇଁ ମନେ ମନେ ପ୍ରତିଜ୍ଞା କରିଛନ୍ତି, ଲୋକେ ଯାହା କହିବାର କୁହନ୍ତୁ, ଦିନିଆଁ ଯାହା ଭାବୁ, ସେ ତାଙ୍କର ବଡ଼ପଣର ଜଳାଞ୍ଜଳି ଦେଇ ଧୋବୀକୁ ସୁଖୀ କରିବେ ।

 

ସନେଇଁ କହିଲା, ମୋ ପାଖରେ କ୍ଷମା ମାଗିବା ଭଳି ଆପଣ କିଛି କରି ନାହାନ୍ତି । ଆପଣ ମୋର ବାପ ସମାନ, ଆପଣଙ୍କ ପାଖରେ ଯଦି ମୁଁ କିଛି ଅପରାଧ କରିଥାଏ, ମୋତେ ବରଂ କ୍ଷମା କରନ୍ତୁ । ଲୋକଙ୍କ ଆଖିରେ ମୁଁ ଅଜାତି, ଅଛୁଆଁ, ପତିତ । ତଥାପି ଆପଣ ମୋତେ କାହିଁକି ଡାକିଛନ୍ତି, ମୋତେ ପାଖରେ ବସାଇଛନ୍ତି, କୁହନ୍ତୁ ?

ସୋଇଁଏ କହିଲେ, ସତକଥା, ମୁଁ ତୋର ବାପ ସମାନ । ପୁଅ ଯଦି ଅବାଧ୍ୟ ହୁଏ ବାପ କଣ ତାକୁ ଦଣ୍ଡ ଦିଏ ନାହିଁ ? ପୁଅ ଅବାଟରେ ଯାଏ, ବାପ କଣ ତାକୁ ବାଟ ଦେଖାଏ ନାହିଁ ?

ସନେଇଁ କହିଲା, ମୁଁ ମନା କରୁନାହିଁ । ତଥାପି ବାପ ହେଉ, କି ପୁଅ ହେଉ, ପ୍ରତ୍ୟେକର ନିଜତ୍ଵ ଅଛି, ବିବେଚନା କରିବାର ଶକ୍ତି ଅଛି । ମୋର ଯଦି କେଉଁ କଥାରେ ଭୁଲ ହୋଇଥାଏ, ମୁଁ ଅବଶ୍ୟ ଆପଣଙ୍କର ଆଦେଶ ମୁଣ୍ଡ ନୁଆଁଇ ମାନିବି । କହନ୍ତୁ, ମୋର ଅପରାଧ କଣ ?

ସୋଇଁଏ କହିଲେ, ତୋର ଅପରାଧ ହେଉଛି ତୋର ଯୌବନର ଉଷ୍ମରକ୍ତ, ଉତ୍ତେଜନା ଆଉ ଅଭିମାନ । ଦୁନିଆଁରେ ତୋ ପରି ଅନେକ ଉତ୍ସୃଙ୍ଖଳ ଟୋକା ଅଛନ୍ତି । ଭଳମନ୍ଦ ନ ବିଚାରି, ଚାରଆଡ଼କୁ ନ ଚାହିଁ ଉତ୍ତେଜନାର ନିଆଁରେ ପଶି ପୋଡ଼ି ହୋଇ ମରୁଛନ୍ତି । ଆରେ ସନେଇଁ, ସମସ୍ତଙ୍କୁ ଉଦ୍ଧାର କରିବାକୁ ଚିନ୍ତେଇ ସୋଇଁ ଧାଇଁ ଯାଉନାହିଁ କି ଯିବନାହିଁ । ଆଉ କେହି ଚିହ୍ନୁ ନ ଚିହ୍ନୁ, ମତେ ତୁ ଭଲକରି ଜାଣୁ । ମୁଁ ଜାଣେ, ତୋ ପାଖରେ ନିଜକୁ ମୁଁ ଲୁଚାଇ ପାରିଲି ନାହିଁ ।

ସନେଇଁ କହିଲା, ଜାଣେ ।

ସୋଇଁଏ ଦୀର୍ଘଶ୍ଵାସ ଛାଡ଼ି କହିଲେ, ଯେଉଁଦିନ ତୋର ବାପ ପିଲାକୁଟିମ୍ବ ଧରି ଛତରକୁ ଗଲା, ସେଦିନ ମୁଁ ତୁମର ଗଲାବାଟକୁ ଚାହିଁ ରହିଥିଲି । ମନରେ ଦୁଃଖ ହୋଇ ନ ଥିଲା ବରଂ ଛାତି ଭିତରର ଛପିଲା ପ୍ରତିଶୋଧ ଉପହାସ କରିଥିଲା । ଯେଉଁଦିନ ତୁ କାଙ୍ଗାଳ କଙ୍କାଳ ହୋଇ ବିଷ୍ଣୁପୁର ଫେରିଆସିଲୁ, ତୋତେ ଦେଖି ମୋ ମନରେ ଦୟା ଆସି ନ ଥିଲା । ତୋ ପ୍ରତି ମୋର ସହାନୂଭୁତି ଦେଖାଇବାକୁ ମୋର ଅନ୍ତର ଆତ୍ମା ଡାକି ନ ଥିଲା । ତା ପରେ ଯେତେଥର ତୁ ମୋ ପାଖକୁ ଆସିଛୁ, ତୋତେ କଟୁକଥା କହି ଫେରାଇ ଦେଇଛି, ଭିତରେ ଭିତରେ ଆମୋଦିତ ହୋଇଛି । ତୁ ଆଜି ବିଧର୍ମୀ, ଅନାଚାରୀ ହୋଇ ବେଳ କାଟୁଛୁ । ଗାଁ ଲୋକ ତୋତେ ପରିତ୍ୟାଗ କରିଛନ୍ତି । ଗାଁ ଲୋକଙ୍କ ସଙ୍ଗେ ମିଶି ତୋ ଉପରେ ଦାଉ ସାଧିବାକୁ କେଡ଼େ ସୁବିଧା ମତେ ମିଳିଛି ଜାଣୁ ତ ?

ସନେଇଁ ପୂର୍ବପରି କହିଲା, ଜାଣେ ।

 

ଚିନ୍ତେଇ ସୋଇଁ ଅସ୍ଵାଭାବିକ ହସ ହସି କହିଲେ, କିନ୍ତୁ ଆଜି ତୁ ଓଳଟା ଦେଖୁଛୁ । ତାର ମଧ୍ୟ କାରଣ ଅଛି ସନେଇଁ, ତାର ମଧ୍ୟ କାରଣ ଅଛି । ମୁଁ ଚିନ୍ତେଇ ସୋଇଁ, ବିନା ସ୍ଵାର୍ଥରେ କିଛି କରିନାହିଁ, ଆଜି ମଧ୍ୟ କରୁନାହିଁ । ଯେତେବେଳେ ଧନସମ୍ପତ୍ତି ବଢ଼ାଇବା ମୋର ଇଚ୍ଛାଥିଲା, ମନୁଷ୍ୟତ୍ୱକୁ ବଳିଦେଇ ଧନସମ୍ପତ୍ତି ଅର୍ଜିଲି । ଆଜି ମୁଁ ମଣିଷପଣିଆ ଲୋଡ଼ୁନାହିଁ । ଧନସମ୍ପତ୍ତି ଉପରେ ମଧ୍ୟ ଭରସା ରଖିନାହିଁ । ଯେଉଁଦିନ ମୋର ସ୍ତ୍ରୀ ଯନ୍ତ୍ରଣାରେ କଲବଲ ହୋଇ ମଲେ, ତାର ଜୀବନର ଶେଷ ଆଶା ତାଙ୍କ ତୁଣ୍ଡରେ କେଇପଦ କଥାରେ ପ୍ରକାଶ ପାଇଲା । ତୋରି ନାମ ଉଚ୍ଚାରଣ କରି ତାଙ୍କର ଜୀବନ ଗଲା ।

 

ମୋଓରି ନାଁ ?

 

ହଁ, ତାଙ୍କର ଆଶା ଥିଲା, ଧୋବୀକୁ ସେ ତୋରି ହାତରେ ଦେଇ ନିଶ୍ଚିନ୍ତ ହୋଇ ଆଖି ବୁଜିଥାନ୍ତେ ।

 

ସନେଇଁର ଆଖି ଆଗରେ ଦୁନିଆଁ ଯେପରି ଚେକାଚେକା ଭଉଁରି ଖେଳିବାକୁ ଲାଗିଲା । ତାର ଛାତିରେ ଯେପରି କିଏ ମୁଦ୍‌ଗର ପିଟିଲା । ସେ କାବାହୋଇ ଚାହିଁ ରହିଲା ଚିନ୍ତେଇଁ ସୋଇଁଙ୍କ ଆଡ଼କୁ ।

 

ସାଇଁଏ ଦମ୍ ନେଇ କହିଲେ, ସେତ ଚାଲିଗଲେ, ତା ପରେ ମୁଁ ମୋର ଛାତି ଭିତରେ ଖୋଜିଲି, ଯେଉଁ ସ୍ନେହ ମମତାକୁ ପୋଡ଼ିଜାଳି ଛାରଖାର କରିଥିଲି, ସେ ଏକାଥରେ ନିଃଶେଷ ହୋଇନାହିଁ । ଧୋବୀର ମୁହଁକୁ ଚାହିଁ ବୁଝିଲି, ସେ ଠିକ୍‍ ବୁଝିଥିଲେ, ଠିକ୍ କହିଥିଲେ । ତୋର କ୍ରିୟାକଳାପ କଥା ଶୁଣି ମୋର ଧାରଣା ହେଲା, ତୁମେ ଦିହେଁ ପରସ୍ପର ଉପରେ ଅଭିମାନ କରି ଆତ୍ମହତ୍ୟା କରୁଛ । ମୋ ଉପରେ ରାଗ କରି ନିଜକୁ ଜାଳିପୋଡ଼ି ମାରୁଛ । ଦିନୁ ଦିନ ଧୋବୀର ଯେଉଁ ଅବସ୍ଥା ହେଉଛି, ସେ ହୁଏତ ଆଉ ବେଶୀ ଦିନ ବଞ୍ଚିବ ନାହିଁ । ବାପ ହୋଇ ଝିଅର ମରଣ ଦେଖିପାରିବି ନାହିଁ ସନେଇଁ । ସେଥିପାଇଁ ମୁଁ, ଚିନ୍ତେଇ ସୋଇଁ, ଆଜି ତୋର ଶରଣ ପଶିଛି । ମୋର ବଡ଼ପଣକୁ ତୋରି ହାତରେ ସମର୍ପି ଦେଇ ସବୁ ଦୋଷ ମାଗି ନେଉଛି, ସନେଇଁ ।

 

ସନେଇଁ ବ୍ୟଥାଭରା ଆଖିରେ ସୋଇଁଙ୍କର ମୁହଁକୁ ଚାହିଁଲା । ପଦଟିଏ କଥା ବାହାରିଲା ତାର ତୁଣ୍ଡରୁ, କିନ୍ତୁ-

 

ଚିନ୍ତେଇ ସୋଇଁ ବାଧା ଦେଇ କହିଲେ, ପ୍ରତିବାଦ ଶୁଣିବି ନାହିଁ । ଏଇ ନେ, ମୋର ଉଇଲ । ସବୁ ସମ୍ପତ୍ତି ମୋର ସ୍ୱୋପାର୍ଜିତ । ଦୁଇଭାଗରୁ ଭାଗେ ସମ୍ପତ୍ତି ଅଧିକାରୀ ମୁଁ, ମୋର ଭାଗକ ସମ୍ପତ୍ତିକୁ ମୁଁ ତୋରି ନାମରେ ଉଇଲ୍‍ କରି ଦେଇଛି ।

 

ମୋ ନାମରେ ?

ହଁ ତୋରି ନାମରେ, କାରଣ ମୁଁ ଜାଣେ, ତୁ ମୋ କଥାରୁ ବାହାର ହେବୁ ନାହିଁ ।

 

କେତେବେଳୁ ଧୋବୀ ଆସି ବାହାରେ ଠିଆ ହୋଇଥିଲା । ରାତି ବେଶୀ ହେଉଛି । ସବୁଦିନେ ଏତେବେଳକୁ ଚିନ୍ତେଇ ସୋଇଁ ଖାଇ ସାରିଥାନ୍ତି । ଧୋବୀ ନିଜ ହାତରେ ବାଢ଼ିଦିଏ, ବୁଢ଼ା ବାପାର ଖାଇବା ଖବର ସେ ବୁଝେ । ଠାକୁରଙ୍କ ଆଗରେ ପ୍ରତିଜ୍ଞା କରି ସେ ଆସିଥିଲା, ଆଉ କେବେ କାହାରି କଥା ଭାବିବ ନାହିଁ । ମନରେ ଦୁଃଖ, ଆନନ୍ଦ, କି ଉତ୍ତେଜନା ଆଣିବ ନାହିଁ । ପବନରେ ଉଡ଼ୁଥିବା ଶିମିଳି ତୁଳା ପରି ସେ ଚାଲିଥିବ ।

 

ବାପାଙ୍କର ଉତ୍ତେଜିତ କଥା ଶୁଣି ସେ ପାଖକୁ ଆସି ଆଉଜା କବାଟର ଫାଙ୍କ ବାଟେ ଘର ଭିତରକୁ ଚାହିଁଲା । ନିଜର ଆଖିକୁ ସେ ବିଶ୍ୱାସ କରିପାରିଲା ନାହିଁ । ସେ କଣ ସ୍ଵପ୍ନ ଦେଖୁଛି, ଅଥବା ସେ ଏ ପୁରରେ ନାହିଁ । ଚିନ୍ତେଇ ସୋଇଁଙ୍କ ପାଖରେ ବସିଛି ସନେଇଁ ପରିଡ଼ା ।

 

ତାର କାନରେ ପଡ଼ିଲା–

 

ଚିନ୍ତେଇଁ ସୋଇଁ କହିଲେ, କିଛି ବଳେଇଯିବ ନାହିଁରେ । ଯେଉଁ ଅନାଥଗୁଡ଼ିଙ୍କୁ ଘରେ ଆଶ୍ରା ଦେଇଛୁ, ସେମାନେ ଆଶ୍ରା ପାଇବେ । ସେମାନଙ୍କୁ ଘର କରାଇଦେବୁ, ଜମିବାଡ଼ି ଖଞ୍ଜିଦେବୁ-। କେଉଁ କଥାରେ ତୋର ଅଭାବ ରହିବ ? ତୋର ଯାହା ଇଚ୍ଛା ତୁ କରିବୁ । ମୋର ଲୋଡ଼ା, ଦୁଇବେଳା ଦୁଇମୁଠି ପ୍ରସାଦ । ଠାକୁର ମନ୍ଦିର ତୋଳା ସରିଲା । ପ୍ରସାଦ ପାଇଁ ବ୍ୟବସ୍ଥା କରିଛି । ଆଉ ମୋର ଦରକାର କଣ ?

 

ଧୋବୀ କାବା ହୋଇ ଚାହିଁ ରହିଲା ।

 

ସନେଇଁ ମୁଣ୍ଡ ଟେକି କହିଲା, ଆପଣ ବୋଧ ହୁଏ ଜାଣନ୍ତି... । ବାଧାଦେଇ ସୋଇଁଏ କହିଲେ, ସବୁ ଜାଣେ । ନେ ବାବା, ନେ, ଏ ଉଇଲ୍‍ । ତୁ ଏତକ ଗ୍ରହଣ କଲେ ମୁଁ ନିଶ୍ଚିନ୍ତ ହେବି-। ପୁଣି ତୁ ଜାତି ହେବୁ, ଧର୍ମରେ, କୁଳରେ ମିଶିବୁ, କେତେ ଟଙ୍କା ଖର୍ଚ୍ଚ ହେବାର ହେଉ । ସମସ୍ତେ ଟଙ୍କାର ଚାକର । ଦୁନିଆଁରେ କେହି ତୁଣ୍ଡ ଖୋଲି ପାରିବେ ନାହିଁ । କଇଁ ବାଇଆଣୀ ପୁଣି ତାର ବାପର ଡ଼ିହକୁ ଫେରିଯିବ । ତାର ଚଳାଚଳର ସୁବିଧା କରି ଦିଆଯିବ । ତୁ ଭଲ ପିଲା । ମୁଁ ଜାଣେ ତୋ ମନରେ କଳଙ୍କର ଦାଗ ଲାଗି ନାହିଁ । ବୃଥାଟାରେ ଲୋକ ଚକ୍ଷୁରେ ତୁ ଦୋଷୀ ହେବୁ କାହିଁକି-? ବାଇଆ ବୁଦ୍ଧି ଛାଡ଼ । ତୋ ହାତରେ ଧୋବୀକୁ ଦେଇ ମୁଁ ନିଶ୍ଚିନ୍ତ ହେବି, ସୁଖରେ ଆନନ୍ଦରେ ଆଖି ବୁଜିବି ।

 

ସନେଇଁ ଅସ୍ଥିର ହୋଇ ଉଠିଲା, ଆଉ ବାହାରେ ଅନ୍ଧାରରେ ଠିଆ ହୋଇଛି ଯେଉଁ ଧୋବୀ, ବାପାଙ୍କର କଥାରେ ଯେପରି ତାର ପିଣ୍ଡରୁ ପ୍ରାଣ ଛାଡ଼ିଯିବ । ଦେହ ହାତ ତାର ଥରି ଉଠିଲା । ସେ ତାର ଦୁର୍ବଳ ଥରିଲା ଦେହଲତାକୁ କାନ୍ଥ ଉପରକୁ ଆଉଜାଇ ଆଖି ବୁଜିଲା । ମନ ତାର କହି ଉଠିଲା, ନା ନା, ଏ ଅସମ୍ଭବ କଥା । ଯେଉଁ ଦୃଶ୍ୟ ସେ ଦେଖୁଛି, ଜୀବନରେ ଭୁଲି ପାରବ ନାହିଁ । ଧନ, ମାନ ଆଉ ପ୍ରତିପତ୍ତି ଲୋଭରେ ପଡ଼ି ସନେଇଁ ପରିଡ଼ା ଚିନ୍ତେଇ ସୋଇଁଙ୍କର କଥାରେ ରାଜି ହୋଇପାରେ; କିନ୍ତୁ ଅକୃତଜ୍ଞ; ଦୁଶ୍ଚରିତ୍ର ସନେଇଁ ପରିଡ଼ାର ଛାତିରେ ଧୋବୀର ସ୍ଥାନ ନାହିଁ ।

 

ତୁନି ରହିଲୁ ଯେ ।

 

ସନେଇଁର ପଥର ଆଖିରେ ଲୁହ ଢଳଢଳ ହେଲା । ସେ କହିଲା, ମତେ କ୍ଷମା କରନ୍ତୁ । ଆପଣଙ୍କର ଦାନ, ଆପଣଙ୍କର ସେହ୍ନର ମୁଁ ଅଯୋଗ୍ୟ ।

 

ଚିନ୍ତେଇ ସୋଇଁ ଚମକି ଉଠିଲେ । ଚମକି ଉଠିଲା ଧୋବୀ । କାନ୍ଥ ଉପରୁ ମୁଣ୍ଡ ଟେକି କବାଟ ଫାଙ୍କରେ ଡବଡବ କରି ସେ ଚାହିଁ ରହିଲା । ଦେଖିଲେ ଚିନ୍ତେଇ ସୋଇଁ ହାତରୁ ଦାନପତ୍ର ଖସି ପଡ଼ିଲା । ସେ ପଲଙ୍କ ଉପରୁ ଉଠି ପଥର ମୂତ୍ତି ପରି ତଳେ ଠିଆହୋଇ ରହିଲେ । ତୁଣ୍ଡରୁ ତାଙ୍କର କଥା ବାହାରିଲା ନାହିଁ ।

 

ସନେଇଁ ମଧ୍ୟ ପଲଙ୍କ ଉପରୁ ଉଠି ତଳେ ଠିଆ ହେଲା । ଧୋବୀର ଇଚ୍ଛା ହେଲା, କବାଟ ଖୋଲି ଘର ଭିତରକୁ ପଶିଯିବ । ବାପର ହାତ ଧରି କହିବ, ଏ କଣ କରୁଛ । ଛାର ବିଧବା ଝିଅଟା ପାଇଁ ଗର୍ବ, ସମ୍ମାନ, ବଡ଼ପଣକୁ ଗୋଟିଏ ବିଧର୍ମୀର ଗୋଡ଼ତଳେ ଅଜାଡ଼ି ଦେଉଛ ? ତମରି ରକ୍ତ ମୋର ଏଇ ଛାତିରେ ଅଛି । ସେଇ ରକ୍ତର ତେଜରେ ମୁଁ କହୁଛି, କାଙ୍ଗାଳ, ପତିତ, ଦୁଶ୍ଟରିତ୍ର ସନେଇଁ ତମର ଜ୍ୱାଇଁ ହେବାକୁ ଅଯୋଗ୍ୟ ।

 

ଧୋବୀର ଗୋଡ଼ ଚଳିଲା ନାହିଁ ।

 

ଚିନ୍ତେଇ ସୋଇଁ ମୁଣ୍ଡ ଟେକି ସନେଇଁର ମୁହଁକୁ ଚାହିଁଲେ । ମୁଣ୍ଡ ଭିତରେ ଆଗ୍ନେୟଗିରିର ଲେଲିହାନି ଅଗ୍ନିଶିଖା ଜଳି ଉଠିଲା, ଯେପରି ସେହି ନିଆଁରେ ସେ ନିଜେ ଜଳିପୋଡ଼ି ଭସ୍ମ ହେବେ । ତାଙ୍କର ମନେହେଲା, ବନେଇଁ ପରିଡ଼ାର ପୁଅ ସନେଇଁ ପରିଡ଼ା ଜୀବନର ଶେଷ ପ୍ରତିଶୋଧ ନେଇଛି । ଚିନ୍ତେଇ ସୋଇଁର ବଡ଼ପଣ, ବଂଶମର୍ଯ୍ୟାଦା ଉପରେ ଛାତି ଫୁଲେଇ ଚାଲିଛି ।

 

ଚିନ୍ତେଇ ସୋଇଁ ଆଉ ଥରେ ସନେଇଁ ପରିଡ଼ାର ମୁହଁକୁ ଚାହିଲେ । ଭିତରେ ଜଳିଲା ନିଆଁକୁ ଛପାଇ ଧୈର୍ଯ୍ୟଧରି କହିଲେ, ସନେଇଁ, ମୋର ଜୀବନର ଶେଷଆଶା ପୂରଣ କରିବାକୁ ମୋର ସର୍ବସ୍ଵ ମୁଁ ତୋର ହାତରେ ଟେକି ଦେବାକୁ ପ୍ରସୁତ ହୋଇଛି । ମୋର ଜଳିଲା ପୋଡ଼ିଲା ପ୍ରାଣରେ ତୁ ଆଉ ଆଘାତ ଦେ ନା । କହ, କହ ସନେଇଁ ।

 

ଚିନ୍ତେଇ ସୋଇଁ ପୁଣି ସନେଇଁର ହାତ ଧରିଲେ । ସେ କହିଲା, ମୁଁ ଆପଣଙ୍କର ଅଯୋଗ୍ୟ ଅବାଧ୍ୟ ସନ୍ତାନ । ଛାତି ଭିତରେ ଛପିଲା କଥା ତୁଣ୍ଡରେ ମୁଁ ପ୍ରକାଶ କରିପାରୁ ନାହିଁ । ଆପଣଙ୍କର ଗୋଡ଼ ଧରୁଛି । ମୁଁ କ୍ଷମା ଚାହୁଁ ନାହିଁ, କ୍ଷମାର ମଧ୍ୟ ମୁଁ ଅଯୋଗ୍ୟ । ଆପଣ ମୋତେ ଯେଉଁ ଦଣ୍ଡ ଦେବେ, ମୁଣ୍ଡପାତି ହସି ହସି ମୁଁ ଗ୍ରହଣ କରିବି; କିନ୍ତୁ ଆପଣଙ୍କର ଦାନ, ଆପଣଙ୍କ ସେହ୍ନ, ମୁଁ ଗ୍ରହଣ କରିପାରିବି ନାହିଁ ।

 

ସନେଇଁ ପରିଡ଼ା ଚିନ୍ତେଇ ସୋଇଁଙ୍କର ଗୋଡ଼ତଳେ ମୁଣ୍ଡ ଲଗାଇଲା ।

 

ଧୋବୀ ଆଉ ସହିପାରିଲା ନାହିଁ । କ୍ରୁଦ୍ଧିତା ସିଂହୀପରି କବାଟ ଠେଲି ଘର ଭିତରକୁ ପଶି ଆସିଲା ।

 

ସନେଇଁ ପରିଡ଼ା ଉଠି ଠିଆ ହେଲା ।

 

ଆଖିଆଗରେ ବିଜୁଳିଲତା ଧୋବୀ, ତାର ମନର ଛପିଲା ଆତ୍ମା, ତାରି ବିଦ୍ରୋହର ପ୍ରେରଣା, ଆଖିରେ ଲୁହ ।

 

ଧୋବୀର ଜଳିଲା ଜଳିଲା ଆଖି ଥରଟିଏ ସନେଇଁର ମୁହଁରେ ପଡ଼ିଲା । ଆଖି ଆଗରେ ସନେଇଁ ଭାଇ, ସନେଇଁ ପରିଡ଼ା । ଯାହାପାଇଁ ସେ ବଞ୍ଚିଛି, ଯାହାପାଇଁ ସେ ସ୍ଵାମୀ, ଶ୍ଵଶୁର, ଶାଶୁ ଓ ମାଆଙ୍କୁ ବଳି ଦେଇଛି, ଯାହାପାଇଁ ସେ ବାପର ଟେକିଲା ମୁଣ୍ଡ ନୁଆଁଇଛି, ପୁଣି ନିଜେ ଜଳିପୋଡ଼ି ହୋଇ ମରୁଛି ।

 

ଚିନ୍ତେଇ ସୋଇଁ ଦେଖିଲେ, ତାଙ୍କର ଆଖିର ପିତୁଳା ଧୋବୀ । ଭାବି ପାରିଲେ ନାହିଁ ।

ଧୋବୀ ତାର ଥରିଲା ବାପାକୁ କୁଣ୍ଢାଇ ଧରି କହିଲା, ଏ କଣ କଲ ବାପା ?

 

ଝିଅକୁ ଆଲିଙ୍ଗନ କରି, ତାର ଦୁର୍ବଳ ମୁହଁରେ ବୋକଦେଇ, ଦୁଇ ଟୋପା ଲୁହ ଧୋବୀର କପାଳରେ ନିଗାଡ଼ି କରୁଣ ସ୍ଵରରେ ଚିନ୍ତେଇ ସୋଇଁ କହି ଉଠିଲେ, ଭୁଲ କରିଛି ମା’, ଭୁଲ କରିଛି ।

 

ନିଃସହାୟ ଶିଶୁଟି ପରି ବାପାର କୋଳରେ ମୁଣ୍ଡ ରଖି ଧୋବୀ କ୍ଷୀଣ କଣ୍ଠରେ କହିଲା, ବାପା ।

 

ଚିନ୍ତେଇ ସୋଇଁ ଝିଅର ମୁଣ୍ଡ ଆଉଁସି କହିଲେ, ତୋର ଏଇ ବୁଢ଼ାପୁଅକୁ ତୁ କ୍ଷମାକର ମା’ ।

 

ଧୋବୀ ନିରୁତ୍ତର ହେଲା ।

 

ସନେଇଁ ସେ ଦୃଶ୍ୟ ସହି ପାରିଲା ନାହିଁ । ଅପରାଧୀ ପରି ମୁଣ୍ଡ ନୁଆଇଁ ଧୀରେ ଧୀରେ ଘର ଭିତରୁ ବାହାରି ଆସିଲା । ଆଖି ଆଗରେ କଇଁର ଢଳଢଳ ମୁହଁ ଭାସିଉଠିଲା । ମନରେ ତାର ଗୋଟିଏ ଭାବନା, କେହି ନ ବୁଝୁ, ଧୋବୀ ନିଶ୍ଚୟ ବୁଝିବ, ସନେଇଁ ପରିଡ଼ା ତାର ସ୍ନେହର ଅଯୋଗ୍ୟ ନୁହେଁ । ସନେଇଁ ଥରେ ଯାହାକୁ ନିଜର କରିଛି, ତାରି ପାଇଁ ଦୁନିଆଁ ସବୁ ପ୍ରଲୋଭନକୁ ଆଡ଼େଇ ଆସିବ । ଧୋବୀ ନିଶ୍ଚୟ ବୁଝିବେ ।

 

ଧୋବୀ ବୁଝିଲେ, ସେ ଭୁଲ କରିଛି । ଭଗବାନଙ୍କର ଅଭିଶାପ ନେଇ ତାର ଜନ୍ମ । ସମସ୍ତଙ୍କୁ କନ୍ଦାଇଛି, ନିଜେ ମଧ୍ୟ କାନ୍ଦିଛି । ଦୁନିଆଁ ପାଖରୁ ଦୂରେଇ ରହି କାଠ ପତର ପରି ଚଳିବାର ସବୁ ଚେଷ୍ଟା ତାର ଥର କୁଥର ବିଫଳ ହୋଇଛି । ରକ୍ତମାସଂର ଦେହ ଧରି ଦୁନିଆଁରେ ଆତଯାତ ହେଲେ ଉତ୍ତେଜନାର ପ୍ରଭାବରୁ ନିଜକୁ ମୁକ୍ତ କରିବା ଅସମ୍ଭବ ।

 

ଠାକୁରଙ୍କର ଖଟୁଲି ଆଗରେ ଯୋଡ଼ାହସ୍ତ ହୋଇ ବସି ଆଜି ସେ ପ୍ରାର୍ଥନା କରିଛି, ତମରି ଗୋଡ଼ତଳେ ମତେ ଆଶ୍ରା ଦିଅ ଭଗବାନ, ଯେଉଁଠି ମୋର ସ୍ଵାମୀ, ଶଶୁର, ଶାଶୁ ଆଶ୍ରା ନେଇଛନ୍ତି ।

 

ଦିନୁ ଦିନୁ ଧୋବୀର ଅବସ୍ଥା ଦେଖି ଚିନ୍ତେଇ ସୋଇଁ ଚିନ୍ତତ ହେଲେ । ବୈଦ୍ୟ କବିରାଜ କହିଲେ, ଦେହର ରୋଗ ନାହିଁ, ମନର ରୋଗ । ଧୋବୀ ଦୁର୍ବଳ ହୋଇଛି । ଆଖି ଦୁଇଟା କପାଳ ଭିତରେ ପଶି ଯାଇଛି । ମୁହଁର ହାଡ଼ ଦିଶିଲାଣି । ହାଡ଼ଗୋଡ଼ ଦୁର୍ବଳ, ହାଡ଼ କେଇଖଣ୍ଡି । ଛାତିର ପିଞ୍ଜରା ଗଣି ହେଉଛି । କଥା କହି ପାରୁନାହିଁ । ବିଛଣାରେ ପଡ଼ି ରହୁଛି । ବେଳେବେଳେ ଅତି କଷ୍ଟରେ ଉଠି ଠାକୁର ଘରେ ପଶୁଛି । ମନକୁ ମନ ପ୍ରାର୍ଥନା କରୁଛି । ପଚାରିଲେ ଉତ୍ତର ଦେଉନାହିଁ-

 

ଦିନ କେଇଟାରେ ଝିଅର ଏପରି ଅବସ୍ଥା ଦେଖି ଚିନ୍ତେଇ ସୋଇଁ ଆକୁଳ ହୋଇ ପଡ଼ିଲେ । ମନେପଡ଼ିଲା ଦୁର୍ଭିକ୍ଷ ବେଳର କଥା । ପେଟ ବିକଳରେ ମୁଠାଏ ଭାତ ପାଇଁ ଯେତେ କାଙ୍ଗାଳ ତାଙ୍କର ଘର ଚାରିପାଖେ ବେଢ଼ି ଆର୍ତ୍ତନାଦ କରୁଥିଲେ, ସମସ୍ତେ ଦିଶୁଥିଲେ ଠିକ୍ ଏମିତି ତାଙ୍କରି ଝିଅପରି । ସେମାନେ କେହି ତାଙ୍କର ପୁଅ ଝିଅ ନୁହନ୍ତି, ପରର । ତାଙ୍କର ଆର୍ତ୍ତନାଦ ଶୁଣି ଚିନ୍ତେଇ ସୋଇଁଙ୍କର ମନ ତଟି ନ ଥିଲା । ସେ କେବେ ସହାନୁଭୂତି ଦେଖାଇ ନ ଥିଲେ ବରଂ ବିରକ୍ତ ହୋଇ ଘଉଡ଼ି ଦେଇଥିଲେ । ପେଟ ବିକଳରେ ଛଟପଟ ହୋଇ ଯଉଁମାନେ ବାଟରେ ଘାଟରେ ପଡ଼ି ମଲେ, ଚିନ୍ତେଇ ସୋଇଁ ସେମାନଙ୍କର ମଲା ଦେହକୁ ଦେଖି ନାକ ଟେକିଥିଲେ ।

 

ଚିନ୍ତେଇ ସୋଇଁ ଧନର ଭଣ୍ଡାର ବଢ଼ାଇ ଥିଲେ । ରାଜ୍ୟ ବିସ୍ତାର କରିଥିଲେ । କାହାପାଇଁ ? ସେତେବେଳେ ତ ଏ ପ୍ରଶ୍ନ ତାଙ୍କ ମନରେ ଉଠି ନ ଥିଲା । ସାର ଜୀବନର ଅର୍ଜିତ ସମସ୍ତ ଧନ ସମ୍ପତ୍ତି, ପୁଣି ନିଜର ଗର୍ବ ଅଭିମାନର ବିନିମୟରେ ଧୋବୀ ପାଇଁ ସେ ସୁଖ ଆନନ୍ଦ କିଣିପାରିଲେ ନାହିଁତ । କାଙ୍ଗାଳ କଙ୍କାଳ ସନେଇଁ ଦରମରା ହୋଇ ଫେରି ଆସିଥିଲା, ମାଗିଥଲା ଜୀବନର ଭିକ୍ଷା, ଯିଏ ମରଣର ହାତମୁଠା ଭିତରେ ଛଟପଟ ହେଉଥିଲା, ସେଇ ସନେଇଁ ତାଙ୍କର ଧନ ସମ୍ପତ୍ତିକୁ ଗୋଡ଼ରେ ଆଡ଼େଇ ଦେଇ, ତାଙ୍କର ଆତ୍ମଗୌରବ ଉପରେ ପାଦ ପକାଇ ଚାଲିଗଲା ।

 

ମା–ଆ– ।

ଧୋବୀ ମୁଣ୍ଡ ଟେକି ବାପାର ମୁହଁକୁ ଚାହିଲାଁ ।

 

ଧୋବୀର ପାଖରେ ବସି ତାର କପାଳରେ ହାତ ବୁଲାଇ ଚିନ୍ତେଇ ସୋଇଁ କଅଁଳେଇ କହିଲେ, ସମସ୍ତେ କହୁଛନ୍ତି ତୋର କୌଣସି ରୋଗ ହୋଇନାହିଁ । କହ ମା’, କଣ ତୋର ମନର ଭାବନା । କହିବୁ ନାହିଁ ? ମୁଁ ତୋର ବୁଢ଼ା ପୁଅଟା, ମୋ ପାଖରେ ମନର କଥା ଲୁଚାନାହିଁ ମା’, କହ ।

 

ଧୋବୀ ଦୁର୍ବଳ ହାତରେ ବାପର ହାତ ଧରିଲା ।

କହ ।

 

ଧୋବୀର ଓଠରେ ମଉଳା ହସ । କ୍ଷୀଣସ୍ଵରରେ କହିଲା, କିଛି ନାହିଁ ବାପା । ହତଭାଗିନୀ ଝିଅଟା ପାଇଁ, ବହୁତ ଦୁଃଖ ଅପମାନ ସହିଲ, ମତେ କ୍ଷମାକର ।

 

ଧୋବୀ ଆଖି ବୁଜିଲା ।

ଚିନ୍ତେଇ ସୋଇଁ ଭାବିବାକୁ ଲାଗିଲା ।

 

ବିଜୁଳି ପରି ଖେଲିଗଲା ଭାବନା । ସନେଇଁ, ସନେଇଁ ପରିଡ଼ା ଏଥକୁ ଦାୟୀ । ଧୋବୀ ଦୁର୍ବଳ ମନରେ କେତେଦିନର ଆଶା ଉପରେ ସେ ଯେଉଁ ଆଘାତ ଦେଇଗଲା, ତାର ପ୍ରତିକିୟା ଧୋବୀ ସହିପାରିଲା ନାହିଁ । ହୁଏତ ସେ ସନେଇଁର ମୁଣ୍ଡ ନୁଆଁଇବେ, ନୋହିଲେ ବିଷ୍ଣପୁରରୁ ସନେଇଁ ନାମ ଲୋପ କରିବେ । ତେବେ ଯାଇ ଧୋବୀର ମନରେ ଶାନ୍ତି ଆସିବ । ସେ ଭଲ ହୋଇ ଉଠିବ ।

 

ସନେଇଁ ବିରସ ଭାବ ସମସ୍ତେ ଲକ୍ଷ୍ୟ କରିଛନ୍ତି । ରାତି ଅଧରେ ଅଧାପାଗଳ ପରି ଚିନ୍ତେଇ ସୋଇଁଙ୍କର ଘରୁ ଫେରିଲା ଦିନରୁ ସେ କିପରି ଉଦାସ ହୋଇଛି । କାହାରି ସଙ୍ଗରେ ବେଶୀ କଥା ଭାଷା ହେଉନାହିଁ । କାମ କାର୍ଯ୍ୟରେ ମନ ଦେଉନାହିଁ । ଏକୁଟିଆ ବସି କଣଗୁଡ଼ାଏ ଭାବିବାକୁ ଯେପରି ଭଲ ପାଉଛି ।

 

ପଚାରିବ ପଚାରିବ ବୋଲି କଇଁ ତା ପାଖରେ ଗୋଳେଇ ହେଲେ ମଧ୍ୟ କିଛି ପଚାରି ପାରୁନାହିଁ । ସେ ବୁଝିଛି, ଏପରି ଗୋଟିଏ କଣ ଘଟଣା ଘଟିଛି ଯେଉଁଥି ପାଇଁ ସନେଇଁ ପରି ଧୈର୍ଯ୍ୟବାନ୍ ଲୋକର ଧୈର୍ଯ୍ୟ ଭାଙ୍ଗିଛି । ଘଟଣା କଣ ?

 

ଧନୁ ସଂକ୍ରାନ୍ତିର ପୂର୍ବ ରାତିରେ–

କଇଁକୁ ପାଖକୁ ଡାକି ସନେଇଁ କହିଲା, କଇଁ, ଗୋଟିଏ କଥା ପଚାରିବି, କହିବୁ ?

ପଚାରିଲା ଆଖିରେ କଇଁ ତାର ମୁହଁକୁ ଚାହିଁଲା ।

ଏ ଘର, ଏ ସମ୍ପତ୍ତି କାହାର ତୁ ଜାଣୁ ?

କଇଁ ପଚାରିଲା, ତମର ନୁହେଁ ?

 

ରହି ରହି ସନେଇଁ କହିଲା, ନାଇଁ, ପରର ଧନରେ ଏସବୁ ମୁଁ କରିଛି । ଦେହରୁ ଝାଳ ନିଗାଡ଼ି ମୁଁ ପରିଶ୍ରମ କରିଥିଲି । ଅନାବାଦୀ ଅପନ୍ତରା ଭୂଇଁ ତାଡ଼ି ମୁଁ ଏହାକୁ ସୁନାଥାଳି କରିଥିଲି । କିନ୍ତୁ ଯାହାର ଧନରେ ଏସବୁ କଲି, ଯାହାର ଉତ୍ସାହରେ ଦିନ ଓ ରାତି ମୁଁ ଭୁଲିଥିଲି, ତା ପ୍ରତି ମୁଁ ଅନ୍ୟାୟ କରିଛି । ତାର ମନରେ ମୁଁ ଆଘାତ ଦେଲି ।

 

ଆଗ୍ରହରେ କଇଁ ପଚାରିଲା, କିଏ ସେ ? କାହିଁକି ଅନ୍ୟାୟ ତମେ କଲ ?

 

ଟିକିଏ ଭାବି ସନେଇଁ କହିଲା, ତୋ ପାଖରେ ଗୋଟିଏ ଘଟଣା ମୁଁ ଲୁଚାଇ ରଖିଛି, ସେଥିପାଇଁ ମୁଁ ଦୁଃଖ କରୁଛି, ଅନୁତାପ କରୁଛି । କିନ୍ତୁ ସେତିକି ମୋ ଜୀବନର ନିଜସ୍ଵ କରି ମୁଁ ରଖେ କଇଁ । ସେତିକି ମୋର ନିଜର ହୋଇ ରହୁ ।

 

ଯେଉଁ ଅନ୍ୟାୟ ତମେ କରିଛ, ତାକୁ କଣ ଆଉ ସୁଧାରି ପାରିବ ନାହିଁ ? ଯାହାର ମନରେ ତୁମେ ଦୁଃଖ ଦେଇଛ, ତା’ ପାଖରେ ଦୋଷ ମାଗି ପାରିବ ନାହିଁ ?

 

ସେ କଥା ମୁଁ ଅନେକ ଭାବିଛି, ନ ଜାଣି, ନ ବୁଝି, ମୁଁ ଭୁଲ କରିଛି, ଜାଣିଶୁଣି ତା ମନରେ ଦୁଃଖ ଦେଇଛି । କିଛି ଆଉ ସୁଧାରି ହେବ ନାହିଁ । ଅନ୍ୟାୟକୁ ସୁଧାରିବାକୁ ଗଲେ ଆହୁରି ବଡ଼ ଅନ୍ୟାୟ କରି ବସିବି । ନିଜ ପାଖରେ, ମଣିଷପଣିଆ ପାଖରେ ମୁଁ ପାତକୀ ହୋଇ ଠିଆହେବି, ସେଥିପାଇଁ-

 

ସନେଇଁ ତୁନି ରହିଲା ।

କଇଁ ଅନୁରୋଧ କଲା, ତୁନି ରହିଲ ଯେ ।

 

ସନେଇଁ କହିଲା, ଏ ଘରେ ଆଉ ମୁହୁର୍ତ୍ତେ ରହିବାକୁ ମୋର ମନ ଡାକୁ ନାହିଁ । ମୋର ଇଚ୍ଛା ହେଉଛି, ପୁଣି ଆମେ ବାଟକୁ ଫେରିଯିବା । ଦେହର ଝାଳ ନିଗାଡ଼ି ପୁଣି କେଉଁଠି ନୂଆ ସଂସାର ଗଢ଼ିବା ।

 

କେଉଁଠି ?

 

ଜାଣେ ନାହିଁ । ମଣିଷର ଭାବନା ପାଖରେ ସିନା ଦୁନିଆଁଟା ଅତି ଛୋଟଲୋ, ମଣିଷର ପେଟ ଚାଖଣ୍ଡକ ପାଇଁ ଦୁନିଆଁ ଅତିବଡ଼ । ଆଖି ଯୁଆଡ଼େ ଟାଣିବ–

 

ଭଲ କଥା, ଏଥିକୁ ଭାବନା କଣ, ଦୁଃଖ କାହିଁକି ? ତମ ହାତ ଧରି ତମ ପଛେ ପଛେ ଦୁନିଆଁର ସେପାରି ଯାଏ ମୁଁ ଚାଲିବି; କିନ୍ତୁ ଯେଉଁମାନଙ୍କୁ ଆଶ୍ରା ଦେଇଛ ?

 

ତାଙ୍କରି କଥା ମୁଁ ଭାବୁଛି । ଯେଉଁ ନୂଆ ଆଦର୍ଶରେ ସମସ୍ତଙ୍କୁ ଆପଣାର କରି ପାଖରେ ରଖିଥିଲି ସେ ଆଦର୍ଶ ମୋର ବିଫଳ ହୋଇଛି । ତଥାପି, ସେମାନଙ୍କୁ ମୋ ଦେହର ରକ୍ତମାଂସ ଦେଇ ବଞ୍ଚାଇବି ।

 

କଇଁ କହିଲା, ମୁଁ ବି ।

 

ସନେଇଁ କୃତଜ୍ଞତାଭରା ଆଖିରେ କଇଁକୁ ଥରେ ଚାହିଁଲା । ସେ ବୁଝିଲା, ଯାହା ପାଖରେ ସେ ନଜର ସବୁ ପ୍ରେମ ନିଃଶେଷ କରି ଅଜାଡ଼ି ଦେଇଛି, ସେଇ କଇଁ ତାର ଅଯୋଗ୍ୟ ନୁହେଁ । ଧୋବୀ ପାଇଁ ଦୁଃଖ ହେଲେ ମଧ୍ୟ କଇଁକୁ ପାଇ ସେ ଅନୁତାପ କରୁନାହିଁ । ଧୋବୀକୁ ଭୁଲ ବୁଝି କଇଁକୁ ସେ ଭଲପାଇଛି, ଭୁଲ କରିନାହିଁ ।

 

କଇଁର ମୁହଁକୁ ଚାହୁଁ ଚାହୁଁ ସନେଇଁ ତାର ମୁଣ୍ଡକୁ ନିଜ ଆଡ଼କୁ ଟାଣିଆଣି ତାର ଗାଲରେ ଚୁମା ଦେଲା । କଇଁ ଲାଜରେ ମୁହଁ ଟାଣିଆଣି ପଦାକୁ ଚାହିଁଲା ।

 

ସନେଇଁର ମନେହେଲା, ଯେପରି କେତେଦୂରରୁ ଧୋବୀର ବ୍ୟଥାଭରା ଆଖି ଦିଓଟି ତାରି ଆଡ଼କୁ ଚାହିଁ ରହିଛି । ଲୁହରେ ଢଳଢଳ । ଦୁର୍ବଳ ଓଠ ଖୋଲି ଅସ୍ପଷ୍ଟ ସ୍ଵରରେ କହି ଉଠୁଛି, ଅକୃତଜ୍ଞ ।

 

ଛାତି ଭିତରେ ଯନ୍ତ୍ରଣା ଅନୁଭବ କଲା ସନେଇଁ ।

କଇଁ ।

କଣ କହୁଛ ?

 

ଏ ଘରେ ଆଉ ଦଣ୍ଡେ ରହିବାକୁ ମୋର ପ୍ରାଣ ଡାକୁନାହିଁ । ବରଂ, କେଉଁ ଅଜଣା ବାଟକଡ଼ ଗଛମୂଳରେ, କାଲି ଯେଉଁଠି ଆମର ବାପା ମା’ ଖାଇବା ବିନା ଛଟପଟ ହୋଇ ପ୍ରାଣ ଛାଡ଼ିଥିଲେ, ସେଇଠି ଠେକରା ବସାଇବା । ଏଇ ଏ ଘରର ଚାଳତଳେ ସତେ ଯେପରି ନିଆଁ ଜଳୁଛି-

 

ବାଟ କଡ଼ର ଗଛମୂଳକୁ ମୁଁ ଡରେ ନାହିଁ ।

ଯୋହନ କକା, ରହିମ୍, ଭରଥ ଓ କାଶୀକୁ ଡାକ୍‌ ତ ।

କଇଁ କବାଟ ମେଲାକରି ଉଠିଗଲା ଖଞ୍ଜା ଭିତରକୁ ।

 

ଯୋହନ ଅଳପ ହସି କହିଲେ, ମଣିଷ କହିଲେ କେବଳ ଦେହଟା ତ ବୁଝାଏ ନାହିଁ । ଦେହଛଡ଼ା ଆହୁରି ଅନେକ ଅଦେଖା ଅଙ୍ଗ ମଣିଷର ଅଛି- ବୁଦ୍ଧି, ଜ୍ଞାନ, ରୁଚି, ପ୍ରେମ, ପ୍ରକୃତି, ଏମିତି । କେବଳ ଦେହର ସୁଖପାଇଁ ଯାହା ଲୋଡ଼ା ସେତକ କଲେ ଦୁନିଆଁର ସବୁ ମଣିଷ ତ ସମାନ ହେବେ ନାହିଁ । ସମାନ ନ ହେବାହିଁ ପ୍ରକୃତିର ନିୟମ । ତେଣୁ ସମସ୍ତେ ଭିନ୍ନ । ସବୁଦିନ ଯଦି ସମାନ ହୁଅନ୍ତା, ପାଣି ଗଡ଼ନ୍ତା ନାହିଁ । ସବୁ ହୁଅନ୍ତା ନିଶ୍ଚଳ । ଦୁନିଆଁରେ ହଲଚଲ ନ ଥାନ୍ତା, ଆନ୍ଦାଳନ ନ ଥାନ୍ତା । ପାହାଡ଼ ତଳର ପଥର ପରି ମଣିଷ ଜାତି ଅଚଳ, ନିର୍ଜୀବ ହୋଇ ପଡ଼ନ୍ତା ।

 

ଟିକିଏ ରହି ପୁଣି କହିଲେ, ବାବୁ, ସେଇଥି ପାଇଁ ଜାତି, ଧର୍ମ, ବଡ଼, ସାନ ଆପେ ଆପେ ଗଢ଼ି ହୋଇ ଉଠୁଛି । ଠିକ୍ କଥା, ପୁରୁଣା ବନ୍ଧାଗତରେ ଗଡ଼ି ଚାଲିଛି ଯେଉଁ ସମାଜ, ସେଥିରେ ନୂଆ କିଛି କରିବାକୁ ଗଲେ ଚାରିଆଡ଼ୁ ପ୍ରତିବାଦ ମାଡ଼ି ଆସେ । ଆଉ, ଦୁନିଆଁରେ ନୂଆ ହୋଇ ବା ଅଛି କଣ ? ସବୁ ପୁରୁଣା, ଭୁଲା ଅତୀତର ଅଜଣା ସ୍ମୃତିର ନୂଆ ରୂପ । ତେଣୁ ବାବା, ଆମର ଏଇ ସମାଜରେ ସ୍ଥାନ ନାହିଁ । ସମାଜ ବିରୁଦ୍ଧରେ ଠେଙ୍ଗା ଧରି ଠିଆ ହେବାର ଶକ୍ତି ମଧ୍ୟ ନାହିଁ । ସେଥିପାଇଁ ପୁଣି ଆମକୁ ସମାଜ ଭିତରେ ପଶି ଚଳିବାକୁ ହେବ । ସମାଜ ମଝିରେ ଥାଇ ଧୀରେ ଧୀରେ ସଂସ୍କାର କରିବାକୁ ହେବ, ନୋହିଲେ, ଏ ସମାଜ ଛାଡ଼ି ଚାଲିଯିବାକୁ ହେବ ।

 

ସନେଇଁ କହିଲା, ଏଠି ତ ମୁହୂର୍ତ୍ତେ ରହି ହେବ ନାହିଁ କକା ।

 

ଯୋହନ କକା କହିଲେ, ମୁଁ ଜାଣେ । ଏ କୁଟୁମ୍ବ ଭାଙ୍ଗିବାକୁ ହେବ । ଯେମିତି ସମସ୍ତେ ଆସି ଏ ଘରେ ଆଶ୍ରା ନେଇଥିଲେ, ସେମିତି ସମସ୍ତେ ନିଜ ନିଜର ରାହା ଧରି ଚାଲିଯିବେ ।

 

ରହିମ୍ କହିଲା, ଠିକ୍ କଥା କକା, ଏଘରୁ ମୁଁ ବାହାରି ପଡ଼ିବି, କିନ୍ତୁ ମୁଁ ତ ଏ ଘରେ ଆଶ୍ରା ନେବାକୁ ରହି ନ ଥିଲି । ସନେଇଁ ଭାଇ ମତେ ବାନ୍ଧି ରଖିଥିଲା । କଇଁ ଅପା ସେ ବନ୍ଧନର ଡୋରକୁ ଟାଣ କରିଛି । ମୋର ଏ ଡୋରକୁ କେହି ଛିଣ୍ଡାଇ ପାରିବେ ନାହିଁ । ସନେଇଁ ଭାଇର ହାତଧରି ମୁଁ ଚାଲିବି, ଯୁଆଡ଼େ ସେ ଯିବ ।

 

ସନେଇଁ କହିଲା, କକା, ତମେ ବା ଆମକୁ ଛାଡ଼ିଯିବ କୁଆଡ଼େ ? ତମର ଆଶୀର୍ବାଦ ନେଇ କଇଁର ଜୀବନ ସଙ୍ଗେ ମୋର ଜୀବନ ମୁଁ ଯୋଡ଼ି ଦେଇଛି । ରହିମ୍ ତମର ଗୋଟିଏ ହାତ ଧରିବ । ଆର ହାତଟି ଧରିବି ମୁଇଁ । ତମେ ବାଟ ଦେଖାଇବ କକା, ଆମେ ଚାଲିବୁ ।

 

ଯୋହନ କକା ଆନନ୍ଦରେ ଆତ୍ମହରା ହେଲେ । ଦୁଇ ଆଖି ତାଙ୍କର ଓଦେଇ ଆସିଲା । ଗଦ୍ ଗଦ୍‌ କଣ୍ଠରେ କହିଲେ, ତମେ ଦିହେଁ ମୋର ଦୁଇ ପୁଅ, ଦୁଇ ଆଖି । ତୁମକୁ ଛାଡ଼ି ମୁଁ ରହିବି କେଉଁଠି ?

 

କାଶୀ ଓ ଭରଥଙ୍କର ଶୁଖିଲା ମୁହଁକୁ ଚାହିଁ କଇଁ କହିଲା, କାଶୀ ଓ ଭରଥ ଦିହେଁ ମୋର ନିପାରିଲା ପିଲା ଦିଓଟି । ପାଖରେ ବସି ହାତରେ ନ ଖୋଇଲେ ତାଙ୍କର ତୁଣ୍ଡକୁ ଦାନା ଯାଏ ନାହିଁ କକା । ସେମାନଙ୍କର ଦୁଇ ହାତ ଧରି ମୁଁ ତୁମର ପଛେ ପଛେ ଚାଲିବି ।

 

କାଶୀ ଓ ଭରଥଙ୍କର ମୁହଁ ଉଜଳି ଉଠିଲା ।

ସନେଇଁ ପଚାରିଲା କେବେ ଯିବା କକା ?

ଯୋହନ କହିଲେ, ଡେରି କରିବା ନାହିଁ ।

 

ସେତେବେଳେ ପାହାନ୍ତିଆ ତରା ପୂର୍ବଆକାଶର ମଥା ଉପରେ ଦାଉ ଦାଉ ହୋଇ ଜଳୁଥାଏ । ଯେଉଁଦିନ ଆମର ଏଇ ନୂଆ ପୃଥିବୀ ଆକାଶ ମଝିକି ଖସି ଆସିଲା, ଯେଉଁଦିନ ପୁଣି ସୃଷ୍ଟି ହେଲା ପାଣି, ମାଟି, ଉଦ୍ଭିଦ, ଜୀବଜଗତ, ପୁଣି ଉତ୍‍ପାତିଆ ମଣିଷ ଜାତି ସେ ଦିନ ମଧ୍ୟ ସେ ଠିକ୍ ଏମିତି ଜଳୁଥିଲା । ସବୁ ସେ ଦେଖିଛି, ପୁଣି ଆଉ କେତେ ଦେଖିବ । ଦୁନିଆଁର ଉଠୁପଡ଼, ଭଲମନ୍ଦ, ଶେଷକୁ ଯେତେବେଳେ ଆମର ଅତିପ୍ରିୟ ଟିକି ପୃଥିବୀଟି କେନ୍ଦ୍ରଚ୍ୟୁତ ହୋଇ ଖସିଯିବ ଶୂନ୍ୟେ ଶୂନ୍ୟେ, ଅଜଣା କାହିଁ କୁଆଡ଼େ, ସୃଷ୍ଟି ଧ୍ୱଂସ ହେବ । ଟିକି ପୃଥିବୀଟି ପୁଣି ଜଳି ଉଠିବ, ହେବ କେବଳ ଆଲୁଅର ଶିଖା । କାଲି ପାହାନ୍ତିଆ ତରା ହୁଏତ ସେଦିନ ବି ହସୁଥିବ ଏମିତି ।

 

ଧୋବୀ ଚମକି ଉଠିଲା । ସେଦିନ ସେହି ସଞ୍ଜବେଳର ଘଟଣା ତାର ନିଦ୍ରିତ ଆଖି ଆଗରେ ଉଭା ହେଲା, ସନେଇଁ ପରିଡ଼ାର କାନ୍ଧ ଉପରେ କଇଁର ପ୍ରେମାକୁଳ ଭୟାତୁର ମୁହଁଟି । ଅଜାଣତରେ ତୁଣ୍ଡରୁ ପଦଟିଏ କଥା ବାହାରିଲା, ଅକୃତଜ୍ଞ ।

 

ଧୋବୀ ଆଖି ଖୋଲିଲା । ଖୋଲା ଝରକା ବାଟେ ବାହାରର ଅନ୍ଧାର କେଡ଼େ ଭୟଙ୍କର ଦେଖା ଯାଉଛି । ପୂର୍ବଆକାଶର ମଥା ଉପରେ ଉପହାସ କରୁଛି ପାହାନ୍ତି ତାରା ।

 

ଆଲୁଅକୁ ସାମାନ୍ୟ ତେଜି ଚଉକିରୁ ଉଠି ଚିନ୍ତେଇ ସୋଇଁ ପାଖକୁ ଗଲେ । ଝିଅର କପାଳରେ ହାତ ରଖି କହିଲେ, କଣ ମା’ ?

 

ଧୋବୀ ବଲବଲ କରି ଚାହିଁ ରହିଲା ।

 

ଚିନ୍ତେଇ ସୋଇଁ ଧୋବୀର ମୁଣ୍ଡ ଆଉଁସି କହିଲେ, ମଣିଷ ଜାତି ବଡ଼ ଅକୃତଜ୍ଞ ମା’ । ତାକୁ କୃତଜ୍ଞ କରିବାକୁ ଟାଣ ହାତ ଲୋଡ଼ା । ସନେଇଁ ପରିଡ଼ା ପୁଣି କାଲି ଆସି ମୁଣ୍ଡ ନୁଆଇଁ ଗୋଡ଼ ଭାଙ୍ଗି ଠିଆହେବ । ତୁ ଚିନ୍ତା କରନା ।

 

ଧୋବୀ ବିଚଳିତ ହେଲା । ଘରର ଚାରିଆଡ଼କୁ ଆକୁଳ ଆଖିରେ ଚାହିଁ ଡାକିଲା, ବାପା-

 

କଣ ମା’ ।

ରହି ରହି କହିଲା, ସନେଇଁ ଭାଇକୁ କଣ କ୍ଷମା କରିପାରିବ ନାହିଁ ?

 

ଆଗ୍ରହରେ ସୋଇଁଏ କହିଲେ, ପାରିବି ମା’, ସେ ଖାଲି ଥରଟିଏ ଆସି ମୋ ଆଗରେ, ତୋ ପାଖରେ ଠିଆ ହେଉ । ସେ ଆସିବ ମା’, ନିଶ୍ଚୟ ଆସିବ, ତା ପାଇଁ ମୁଁ ଶାସ୍ତି ବିଧାନ କରିଛି ।

 

ଶାସ୍ତି ।

ସେ କିଛି ନୁହେଁ ମା’, ପୁଅକୁ କଣ ବାପ ଶାସ୍ତି ଦିଏନାହିଁ ? ମୁଁ ଯେଉଁ ଉଇଲ୍‍ କରିଛି, ତାକୁ ସାଇତି ରଖିଛି । ସନେଇଁ ଭଲ ପିଲା । ସେ କହିଯାଇଛି ନା ଯେଉଁଦଣ୍ଡ ଦେବି ମୁଣ୍ଡପାତି ସେ ଗ୍ରହଣ କରିବ ? ମୋର ଶାସ୍ତି ସେ ମାନିବ । ସେ ଫେରି ଆସିବ । ତାରି ହାତରେ ମୁଁ ମୋର ସବୁ ସମ୍ପତ୍ତି ଟେକି ଦେବି, ଆଉ…..।

 

ନା,ନା, ବାପା । ଆଉ କିଛି ନୁହେଁ । ମୟସେ ଅକୃତଜ୍ଞ । ଦିଅ, ଦିଅ ତାକୁ ଶାସ୍ତି । କହୁ କହୁ ଧୋବୀ ତକିଆ ଉପରେ ମୁହଁ ମାଡ଼ିଲା । ଆଖି ତାର କାନ୍ଦିଲା ନାହିଁ, କାନ୍ଦିଲା ଆତ୍ମା ।

 

ଚିନ୍ତେଇ ସୋଇଁ ତାର ମୁଣ୍ଡ ଆଉଁସିଲେ ।

ଧୋବୀ ମୁଣ୍ଡ ଟେକି ପୁଣି ପଚାରିଲା, ଦାଦା ଆସିଲେ ନାହିଁ ?

ସବୁ ପିଲାଙ୍କୁ ସଙ୍ଗରେ ନେଇ ସେ କାଲି ଆସି ପହଞ୍ଚିବ । ମୁଁ ଖବର ପଠାଇଛି ।

ଟିକିଏ ଅପେକ୍ଷା କରି ଧୋବୀ କହିଲା, ବିଦେଇକୁ ମୁଁ ପୋଷ୍ୟପୁତ୍ର କରିବି ବାପା ।

ତମେ ଆୟୋଜନ କର । ଆଉ ମୁଁ ତମର ଅବାଧ୍ୟ ହେବି ନାହିଁ ।

ପଦଟିଏ କଥା ସୋଇଁଙ୍କ ମୁହଁରୁ ବାହାରିଲା, ପାଗଳୀ ।

ଧନୁ ସଂକ୍ରାନ୍ତି ।

ସକାଳେ–

 

ଦାଣ୍ଡଘରେ ସବୁ ଗ୍ରାମବାସୀଙ୍କୁ ଏକାଠି କରି ସୋଇଁଏ କହିଲେ, ଠାକୁରଙ୍କ ପାଇଁ ସବୁ ତ ହେଲା, ତାଙ୍କର ଚଳାଚଳ ପାଇଁ କିଛି ସମ୍ପତ୍ତି ଖଞ୍ଜାହେବା ଦରକାର ।

 

ପହରାଜଙ୍କ ହାତକୁ କାଗଜପତ୍ର ବଢ଼ାଇଦେଇ ସେ ହସିହସି କହିଲେ, ସନେଇଁ ପରିଡ଼ାର ସବୁ ସମ୍ପତ୍ତି ଠାକୁରଙ୍କ ନାମରେ କେବେଠୁ କିଣା ସରିଛି । ଆଇନ୍‍ ଅନୁସାରେ ମଧ୍ୟ କେବେଠୁ ଦଖଲ ନିଆ ହୋଇଛି । ଗାଁ ପୁଅ ସେ । ମୋର ପ୍ରାଣପଣ ଚେଷ୍ଟା କଲି ତାକୁ ଭଲ ବାଟକୁ ଆଣିବାକୁ । ହେଲା ନାହିଁ । ଅନ୍ୟାୟ ଅନୀତି କରି କେତେଦିନ ଆଉ ସେ ଗାଁରେ ଥିବ, ଆମର ଛାତି ଉପରେ ଚାଲିବ, ଆମେ ଛେଳି ମେଣ୍ଢା ପରି ଅନେଇଁ ରହିଥିବା ? ନା ନା, ଆଉ ସହି ହେବ ନାହିଁ । ଗ୍ରାମବାସୀ ତମେ ତମର ଠାକୁର ସମ୍ପତ୍ତିକୁ ଦଖଲ ନିଅ । ବୁଝି ହୁସିଆର୍‍ । ମାରଧର କରିବ ନାହିଁ । ସବୁଛତର ଖିଆଙ୍କ ହାତଧରି ବାହାରକୁ କାଢ଼ି ଦେବ ।

 

ସେବା ବେହେରା ପ୍ରତିବାଦ କଲା, ଆଇନ୍‍ ଅଦାଲତ ।

 

ସେକଥା ମୁଁ ବୁଝିବି । ଖାଲି ମନେ ରଖିଥାଅ, ସନେଇଁ ପରିଡ଼ା ବୋଲି ତିନିବର୍ଷ ହେଲା ଏ ଗାଁରେ କେହି କେବେ ନ ଥିଲା । ଜମି ସବୁ ପଡ଼ିଆ ପଡ଼ିଥିଲା । ତମେ ଘର ତୋଳିଛ । ତମେ ଧାନ ରୋଇଛ । ଧାନ ପାଚିଲା । ଅଧେ ତମେ କାଟି ଖଳାରେ ରଖିଛ । ବାକିତକ ଆଜି କଟାହେବ-। ଖଳାରେ ଜମା ହେବ ।

 

ସେବା ବେହେରା ମର୍ମ ବୁଝିଲା ।

ବିନିକାଣ୍ଡି ପଚାରିଲା, ଯଦି ସେମାନେ ବାଧା ଦିଅନ୍ତି, ଓଲଟି ଆମକୁ ମାରି ଗୋଡ଼ାନ୍ତି–

 

ସୋଇଁଏ କହିଲେ, ତମର ଦେଖିଲା କାମ କରିଦେବ । ତେବେ, ଦେଖି ସମଝି କରିବ । ବେଶୀ ଅବାଧ୍ୟ ହେଲେ ମୋତେ ଖବର ପଠାଇବ ।

 

ଟିକିଏ ରହି ପୁଣି କହିଲେ, ଶୁଣ ଗ୍ରାମବାସୀଏ, ସନେଇଁ ପରିଡ଼ାର ଜମିରେ ତ ଠାକୁରଙ୍କର ବର୍ଷକ ନୀତି, ଯାନିଯାତ୍ରା, ଅତିଥି ଅଭ୍ୟାଗତ ଚର୍ଚ୍ଚା ଚଳିବ ନାହିଁ, ସେଥିପାଇଁ ମହାଦେବଙ୍କ ଚକରୁ ପନ୍ଦରମାଣ ଜମି ଠାକୁରଙ୍କ ନାମରେ ମୁଁ ଲେଖିଦେଇଛି । ସେ ଜମିର ଧାନରେ ହାତ ଦିଆହୋଇ ନାହିଁ । ସନେଇଁ ଜମିର କାମ ସାରି ସେତେକ ବି କାଟି ଦେବ । ସବୁ ଧାନ କାଟିବା ପରେ ସନେଇଁର ଖଳାରେ ଜମାଇ ରଖିବ, ବୁଝିଲ ?

 

ଗ୍ରାମବାସୀଏ ବୁଝିଲେ ବୋଲି ହରିବୋଲ ନାଦରେ ଘର କମ୍ପାଇଲେ । ପହରାଜେ ଗଦ୍‍ଗଦ୍‍ ହୋଇ କହିଲେ, ଧନ୍ୟ ତୁମେ ଚିନ୍ତେଇ ସୋଇଁ । ଯାବତ୍ ଚନ୍ଦ୍ରାର୍କେ ନାମ ରଖିଗଲ । ଧର୍ମାତ୍ମା ପୁରୁଷ ବୋଲି ଲୋକେ ଯୁଗେଯୁଗେ ତମର ନାମ ପକାଉଥିବେ । ଧନ୍ୟ ଧନ୍ୟ ।

 

ପୁଣି ହରିବୋଲ ।

 

ସୋଇଁଏ କହିଲେ, ଆଜି ଧନୁସଂକ୍ରାନ୍ତି, ଠାକୁରଙ୍କ ପାଖରେ ଧନୁମୁଆଁ ଭୋଗ ହେବ । ଶୁଣ ପହରାଜେ, ଆଜି ସନ୍ଧାକୁ ଜନ୍ତାଳର ଆୟାଜନ କର । ଗ୍ରାମବାସୀଙ୍କୁ ମିଶାଇ ଯେତେ ଅତିଥି ଅଭ୍ୟାଗତ ଯେଉଁଠୁ ଆସିବେ ପଙ୍ଗତରେ ଯୋଗଦେବେ । ଯାହା ଖରଚ ହେବ, ଆମ ଭଣ୍ଡାର ଘରୁ ଯିବ । ତମେ ଖାଲି ଆୟୋଜନ କର । ଭଲଦିନ ଦେଖି ଚବିଶ ପ୍ରହର ନାମଯଜ୍ଞର ମଧ୍ୟ ବ୍ୟବସ୍ଥା କର । ସବୁ ଖର୍ଚ୍ଚ ମୁଁ ତୁଲେଇବି । ଏଇ ବର୍ଷରୁ ଆରମ୍ଭ ହେଉ, ତେଣିକି ଠାକୁରଙ୍କର ନିଜ ଆୟରୁ ଭବିଷ୍ୟତରେ ପ୍ରତିବର୍ଷ ଚଳିବ ।

 

ଆହା, ହା । ଧନ୍ୟ ପୁଣ୍ୟାତ୍ମା ପୁରୁଷ । ପହରାଜେ କହିଲେ ।

ହରିବୋଲ ।

 

ସୋଇଙ୍କର ଆଦେଶରେ ଗ୍ରାମବାସୀମାନେ ଗ୍ରାମଦାଣ୍ଡକୁ ଗଲେ । ଏକା ରହିଲେ ପହରାଜେ ।

 

ସୋଇଁଏ କହିଲେ, ଶୁଣ ପହରାଜେ, ଯେତେହେଲେ ସନେଇଁ ଆମ ଗ୍ରାମର ପିଲା । ତା ପ୍ରତି ମୋର ଆକ୍ରୋଶ ନାହିଁ । ତାକୁ ମୁଁ ଘୃଣା କରୁନାହିଁ । ଯେଉଁ ଛତରଖିଆ ପଞ୍ଝାକ ସେ ପାଖରେ ରଖିଛି, ସେହିମାନ ତାକୁ ନଚାଉଛନ୍ତି ସିନା । ସେମାନେ ଯଦି କୁଆଡ଼େ ଚାଲି ଯାଆନ୍ତି, ସନେଇଁ ଆମ ଗ୍ରାମର ପିଲା, ପୁଅ ସମାନ । ସେ ଗ୍ରାମରେ ରହୁ । ଘରକରି ସେ ସୁଖରେ ରହୁ ।

 

ପହରାଜେ ସନ୍ଦେହରେ ପଡ଼ିଲେ ।

 

ସୋଇଁଏ ତାଙ୍କର ମନକଥା ବୁଝି କହିଲେ, ତା ବୋଲି ସେ ଠାକୁରଙ୍କର ସମ୍ପତ୍ତିରୁ କାଣିଚାଏ ପାଇବ ନାହିଁ । ତାକୁ ତମେ ବୁଝାଇ କହିବ ପହରାଜେ, ବୁଝାଇ କହିବ । ସେ ଯଦି ଥରେ ମୋ ପାଖକୁ ଆସେ, ତାର ଦୋଷ ମାନିଯାଏ, ମୋର କୁହାର ବୋଲର ହୁଏ, ଯେତିକି ସମ୍ପତ୍ତି ତାର ଠାକୁରଙ୍କୁ ଦିଆଗଲା, ତାର ଦୁଇଗୁଣ ସମ୍ପତ୍ତି ତାକୁ ନିଜ ହାତରୁ ଦେବି, ପୁଣି ଫେରାଇଦେବି ତାର ବାପର ସମ୍ପତ୍ତି ।

 

ପହରାଜଙ୍କ ମୁହଁରେ ବିସ୍ମୟ ଭାବ ଉକୁଟିଲା ।

 

ସୋଇଁଏ କହିଲେ, ତାକୁ ନିରୋଳାରେ ଡାକି ସବୁ ତମର ହୋଇ ବୁଝାଇ କହିବ । ଆଉ ଶୁଣ, ଗାଁ ପିଲା ସେ, ତୁମର କୁହାରେ ଯଦି ସେ ଭଲ ବୁଦ୍ଧି କରେ, ମୋ ପାଖକୁ ଆସେ, ଆମ ଗହୀରର ଅସଲ ଶାରଦ ଜମିରୁ ପାଞ୍ଚମାଣ ତମେ ପାଇବ । ଯାବତ ଚନ୍ଦ୍ରାର୍କେ ଲେଖି ଦେବି ।

 

ପହରାଜଙ୍କର ମୁହଁ ଉଜ୍ଜ୍ୱଳ ହେଲା । ସେ ଜାଣନ୍ତି, ସୋଇଁଏ ଯାହା ତୁଣ୍ଡରେ କହନ୍ତି ସେଇଆ କରନ୍ତି କାମରେ । ଟିପେ ନାସ ନାକରେ ଦେଇ କହିଲେ, ଧନ୍ୟ ଦୟାଳୁ ପୁରୁଷ । ଏଇ ସାମାନ୍ୟ କାମ ମୁଁ କରି ପାରିବି ନାହିଁ । କାଲିକାର ପିଲାଟା ସନେଇଁ, କଥାରୁ ଫେରେ ବାହାର ହେବ ?

 

ଯାଅ ତେବେ ।

 

ପହରାଜେ ଖୁସି ହୋଇ ଫେରିଲେ । ସୋଇଁଏ ଦୀର୍ଘଶ୍ଵାସ ଛାଡ଼ି କେତେ କଣ ଭାବିବାକୁ ଳାଗିଲେ ।

 

ଦିନ ପ୍ରାୟ ନଅଟା ।

 

ପୂଜା ଶେଷ କରି ଧୋବୀ ଠାକୁର ଘରୁ ବାହାରି ଆସିଲା । ମୁଣ୍ଡ ଝାଇଁ ଝାଇଁ ହେଉଥାଏ-। ଥରି ଉଠୁଥାଏ । ଥରି ଉଠୁଥାଏ ରକ୍ତମାଂସହୀନ ଦୁର୍ବଳ ଦେହଲତାଟି । ପଶିଲା ପଶିଲା ଆଖି ଆଗରେ ସବୁ ଦିଶୁଥାଏ ଅନ୍ଧାର ।

 

ସେ ଠାକୁର ଘର କବାଟ ଧରି ମୁହୁର୍ତ୍ତେ ଠିଆହେଲା । ଆଖିପତା ବୁଦି ହୋଇ ଆସୁଥାଏ । ପୁଣି ରାଧାମାଧବଙ୍କ ଉଦ୍ଦେଶ୍ୟରେ କବାଟରେ ମୁଣ୍ଡ ଲଗାଇ ମନେମନେ ଅଳି କଲା, ଆଉ କେତେଦିନ ପ୍ରଭୁ, କେତେଦିନ କଷ୍ଟ ଦେଉଥିବ, ଅପରାଧର ଶାସ୍ତି କଣ ଶେଷ ହୋଇନାହିଁ ?

 

ଦାସୀ ବଲ୍ଲୀ ହାତ ଧରି କହିଲା, ଆସ ଦେଈ, ଔେଧର ବେଳ ଗଡ଼ିଯାଉଛି । ଦେଖିଲ କେତେ ଡେରି ହେଲାଣି ।

 

ବଲ୍ଲୀ ଉପରେ ଭରାଦେଇ ଧୋବୀ ଫେରିଲା ପୁଣି ତାର ରୋଗଶଯ୍ୟାକୁ, ଯେଉଁଠି ସେ କେତେଦିନ ହେଲା ଛଟପଟ ହେଉଥିଲା । ଯନ୍ତ୍ରଣା ଭିତରେ ମଧ୍ୟ ସେଇଠି ସେ ପାଏ ଆନନ୍ଦ, ଟିକିଏ ଶାନ୍ତି, ଯେଉଁଠି ମଲା ମଣିଷଙ୍କର ସ୍ମୃତି ତାରି ଚାରିପାଖରେ ବେଢ଼ିଯାନ୍ତି । କେତେ ପ୍ରିୟଜନଙ୍କର ହସିଲା, ହଜିଲା, ମୁହଁ ଆଖିଆଗରେ ଉଭା ହୁଅନ୍ତି, କେତେ ଶୁଣିଥିବା ମିଠାକଥା କାନରେ ବାଜିଯାଏ । ସପନ ପରି ଲାଗେ । ଏ ପୁରର ମୋହ ଛିଣ୍ଡି ଛିଣ୍ଡି ଆସେ । ଲାଗେ ସେ ପୁରର ମୋହ । ଧୀରେ, ଅତିଧୀରେ ।

 

ପହରାଜଙ୍କର ନାତୁଣି ପାର୍ବତୀ କେତେବେଳୁ ଆସି ସେ ଘରେ ଠିଆ ହେଇଥିଲା । ଧୋବୀ ତା ଆଡ଼କୁ ଚାହିଁଲା । ପାର୍ବତୀ ପାଖକୁ ଆସି ଧୋବୀର ହାତ ଆଉଁସିଲା ।

ବଲ୍ଲୀ ଆଣିଲା ଔଷଧ ଗ୍ଳାସ । ଧୋବୀର ମୁହଁପାଖରେ ଧରି କହିଲା, ପିଇଦିଅ ଦେଈ ।

ଧୋବୀ ଆଡ଼େଇ ଦେଲା ।

ପାର୍ବତୀ କହିଲା, ଏ କଣ । ଓଷଦ ପିଇବ ନାହିଁ ।

ଲୋଡ଼ା ନାହିଁ ପାର, ଭାରି ପିତା । ମୋର ଓଷଦ ଆଉ ଲୋଡ଼ା ନାହିଁ ।

ଛି, ଏ କଣ କହୁଛ ?

 

ମୋର ଦେହ ଭଲ ହେଲାଣି । ଧୋବୀ ମୁହଁ ବୁଲାଇ ଶୋଇଲା । ବଲ୍ଲୀ କହିଲା, ବୁଢ଼ା ସାଆନ୍ତଙ୍କୁ ଡାକି ଆଣେ । ସେ ନ ଆସିଲେ ଦେଈ ଅଝଟ ହେବେ ।

 

ଔଷଧ ଗ୍ଲାସ ଥୋଇଦେଇ ବଲ୍ଲୀ ପଦାକୁ ଗଲା ।

ନୀରବ କୋଠରି ।

କେତେଦୂରରୁ ଭାସି ଆସିଲା ଗାଁ ଲୋକଙ୍କର କୋଳାହଳ-ହରିବୋଲ ।

ଧୋବୀ ଆଖି ଖୋଲିଲା । କାନ ଡେରିଲା । ପୁଣି ସେହି କୋଳାହଳ । ପଚାରିଲା ଏ କଣ ଶୁଭୁଛି ପାର ?

 

ପାର୍ବତୀ କହିଲା, ଜାଣ ନାହଁ ? ସକାଳେ ତରତର ହୋଇ ଜେଜେ ତମ ଘରକୁ ଆସିଥିଲେ, ଘଣ୍ଟାକ ତଳେ ପୁଣି ଘରକୁ ଫେରିଯାଇ ଶିବକୁ କହିଲେ, ଶିବା, ବାଡ଼ିଖଣ୍ଡ ଦେବୁଟି । ମୁଁ ପଚାରିଲି, କୁଆଡ଼େ ଯିବକି ? ସେ ଟାଉ କରି କହିଲେ ସନେଇଁ ପରିଡ଼ାର ଘରବାଡ଼ି ଦଖଲ ନେବେ । ପଚାରିଲି, କାହିଁକି ? ସେ ଜବାବ ନ ଦେଇ ପୁଣି ତରତର ହୋଇ ଚାଲିଗଲେ ।
 

ଧୋବୀ କାବା ହୋଇ ଚାହିଁ ରହିଲା ।

 

ବଲ୍ଲୀ ପଛେ ପଛେ ଚିନ୍ତେଇ ଘରେ ପଶିଲେ । କହିଲେ, ମା ଔଷଧ ଖାଉନୁ ? ନେ, ଢୋକି ଦେ ।

 

ବାପାଙ୍କର ଆକୁଳ ଅନୁରୋଧରେ ଧୋବୀ ଔଷଧ ପିଇଲା । ସନେଇଁ ପରିଡ଼ା ବିଷୟରେ କଣ ପଚାରିବ ବୋଲି ମନ ଡାକୁଥିଲେ ମଧ୍ୟ ପଚାରି ପାରିଲା ନାହିଁ । ଓଠ ଥରି ଉଠିଲା, ଧୀରେ ଧୀରେ ପଚାରିଲା, ଦାଦା ଆସିଲେ ନାହିଁ ?

 

ସୋଇଁଏ ଝିଅ ପାଖରେ ବସି ପିଠି ଆଉଁସିଲେ । ହାଡ଼ମାଳ ଗଣି ହେଉଛି । ଏମିତି କେତେ କଙ୍କାଳଙ୍କର ଛାତିଫଟା ଆର୍ତ୍ତନାଦ ଖାଲି ତାଙ୍କର କାନରେ ବାଜି ଫେରି ଯାଇଛି । ଏମିତି କେତେ ହାଡ଼ଗଦା ଉପରୁ ସେ ତାଙ୍କର ନିଷ୍ଠୁର ଆଖି ଫେରାଇ ନେଇଛନ୍ତି ।

 

ତଥାପି, ତାଙ୍କର ଆଶା ଅଛି, ସନେଇଁ ପରିଡ଼ା ଆସିବ । ପହରାଜେ ତାକୁ ସଙ୍ଗରେ ନେଇ ଆସିବେ । ପୁଣି ଧୋବୀର ମୁହଁରେ ଫୁଟିବ ହସ । ଧୋବୀ ଉଠି ଠିଆ ହେବ । ମଣିଷ ହୋଇ ବାଟ ଚାଲିବ ।

 

ବାପା । ଦାଦା ଆସିଲେ ନାହିଁ ?

 

ଚିନ୍ତେଇ ସୋଇଁ କହିଲେ, ଆସିଲାଣି ମା’ । ନଈ ସେ ପାରିରେ । ଡଙ୍ଗାଟା ଏ ପାଖରେ ବନ୍ଧା ହୋଇଥିଲା । ନାଉରି କେହି ନ ଥିଲେ । ମୁଁ ଲୋକ ପଠାଇଛି । ଶୀଘ୍ର ଆସି ପହଞ୍ଚିବେ ।

 

ଧୋବୀ ତୁନି ରହିଲା । ଭାବିଲା ଯେଉଁ ଗୁରୁଜନମାନେ ଭୋକିଲା ଲୋକର ମୁହଁରେ ଆହାର ଦେଇ ପ୍ରାଣପାତ କଲେ, ଯାହାଙ୍କର ଝାଳବୁହା ଧନ ସମ୍ପତ୍ତିରେ କେତେ ନିଆଶ୍ରା, ଅନାଥ, ବାଟର କାଙ୍ଗାଳ ଆଶ୍ରା ପାଇଲେ, ସେହିମାନଙ୍କର ଅମର ଆତ୍ମା ସେ ପୁରରୁ ଧୋବୀର ମୁହଁକୁ ଆକୁଳ ଆଗ୍ରହରେ ଚାହିଁ ରହିଛନ୍ତି । ତାର ଅଶୁଭ ଛାତିରୁ ତ ଅମୃତର ଝରଣା ଝରିଲା ନାହିଁ, ତାହାର କୋଳକୁ ବା ଫେରି ଆସନ୍ତେ ? ଧୋବୀର ଆଖିପତା ମୁଦି ହେଲେ କିଏ ସେହି ପୂର୍ବପୁରୁଷର ତୃଷିତ ଆତ୍ମାକୁ ପାଣି ଟେକିବ ?

ଧୋବୀ କହିଲା, ପୋଷ୍ୟପୁତ୍ର କାଗଜ ଲେଖାହେଲା ? ବିଦେଇକୁ ମୁଁ ପୁଅ କରିବି ।

ଚିନ୍ତଇ ସୋଇଁ କି ଉତ୍ତର ଦେବେ ଭାବିବାକୁ ଲାଗିଲେ । ମନେହେଲା, ଧୋବୀ ଯେପରି ତାଙ୍କୁ ଉପହାସ କରୁଛି ?

ଉତ୍ତର ଦେବା ଆଗରୁ ପହରାଜ ହସ ହସ ହୋଇ ଘରେ ପଶିଲେ ।

ଚିନ୍ତେଇ ସୋଇଁ ଉଠି ଠିଆ ହେଲେ ।

ଦୂରରୁ ଗ୍ରାମବାସୀଙ୍କର ହରିବୋଲ ଶବ୍ଦ ଶୁଣାଗଲା । ସୋଇଁଏ ଉଦ୍‌ବିଗ୍ନ ହୋଇ ପଚାରିଲେ, ଖବର କଣ ପହରାଜେ, ଭାରି ଶୀଘ୍ର ତ ଫେରି ଆସିଲ ।

ପହରାଜେ କହିଲେ, ଗ୍ରାମଲୋକ ଧାନ କାଟିବାରେ ଲାଗି ପଡ଼ିଛନ୍ତି । ଥୋକେ ସନେଇଁର ଘର ଦଖଲ କରିଛନ୍ତି । ଆହା ହା, ସବୁକାମ କେତେ ସୁରୁଖୁରୁରେ ହେଲା । ଧନ୍ୟ ଠାକୁରଙ୍କ ମହିମା । ବାଧା ଦେବାକୁ କେହି ନାହିଁ ।

ଧୋବୀ ମୁଣ୍ଡ ଟେକି କାନ ଡେରିଲା ।

ସୋଇଁଏ ପଚାରିଲେ, ସନେଇଁ ?

ପହରାଜେ କହିଲେ, ତାର ଦେଖାଦର୍ଶନ ନାହିଁ । ଘର ମୁକୁଳା ପଡ଼ିଛି ।

ଚିନ୍ତେଇ ସୋଇଁଙ୍କର ଧୈର୍ଯ୍ୟ ଭାଙ୍ଗିଲା । ସେ ଥରଟିଏ ଧୋବୀର ମୁହଁକୁ କଣେଇ ଚାହିଁଲେ । ଶୁଖିଲା ପଥର ମୂର୍ତ୍ତି ପରି ଅଚଳ ଦିଶୁଛୁ ତାର ନିଷ୍ପଭ୍ର ଆଖି ଦିଓଟି ଓ ଥରିଲା ଓଠରୁ କେତେ ଯନ୍ତ୍ରଣା ଫୁଟି ବାହାରୁଛି । ସେ ବୁଝିଲେ ସନେଇଁକୁ ସେ ଶାସ୍ତି ଦେଇପାରିଲେ ନାହିଁ । ନିଜର ବଡ଼ପଣର ଟେକ ରଖି ସେ ଚାଲିଯାଇଛି । ସୋଇଁଙ୍କର ଦର୍ପିତ ଛାତି ଉପରେ ରଖିଯାଇଛି ଚିରଦିନ ପାଇଁ ଅଲିଭା ଦାଗ ।

କହିଲେ, ସନେଇଁ ପରିଡ଼ା କୁଆଡ଼େ ଯାଇଛି କହ, କହ ପହରାଜେ ।

ପହରାଜେ ରହି ରହି କହିଲେ, କାହି ଜାଣନ୍ତି ନାହିଁ । କେହି କହିପାରିଲେ ନାହିଁ । ସବୁ ଜିନିଷ ପଡ଼ି ରହିଛି । ଦାଣ୍ଡଘର କବାଟର ଜଞ୍ଜିରରେ ଏଇ କାଗଜଖଣ୍ଡି ଗେଞ୍ଜା ହୋଇଥିଲା ।

କାଗଜ ?

ହଁ, ଏଇ ନିଅନ୍ତୁ ଏଥିରେ ଲେଖା ହୋଇଛି-ଏ ଘର, ଏ ସମ୍ପତ୍ତି ସବୁ ଧୋବୀର ଧନରେ ହୋଇଛି ।

ଧୋବୀ ଚିତ୍କାର କରି ଉଠିଲା, ନା, ନା ।

ଚିନ୍ତେଇ ସୋଇଁଙ୍କର ଥରିଲା ହାତରୁ କାଗଜ ଖଣ୍ଡି ଖସିପଡ଼ିଲା, ସେ ମୁହଁ ଫେରାଇଲେ-। ଧୋବୀ ଉଠି ବସିବାକୁ ଚେଷ୍ଟା କରୁଛି । ଦୁଇ ଆଖିରୁ ଝରିପଡ଼ୁଛି ଲୁହ ଧାର । ଉଠି ନ ପାରି ହଠାତ୍ ତକିଆ ଉପରେ ମୁଣ୍ଡମାଡ଼ି କ୍ଷୀଣ କରୁଣ କଣ୍ଠରେ କହିଲା, ଓଃ ଭଗବାନ୍‍ ।

ଧୋବୀର ଆଖିପତା ମୁଦି ହୋଇ ଆସିଲା ।

ଚିନ୍ତେଇ ସୋଇଁ ବିଚଳିତ ହେଲେ ।

ଧୋବୀର ନିଦ୍ରିତ କପାଳରେ ହାତ ରଖି ଡାକିଲେ, ଧୋବୀ, ଧୋବୀ ଲୋ, ମା’ ।

ଧୋବୀ ଉତ୍ତର ଦେଲାନାହିଁ, ସେ ପ୍ରାର୍ଥନା କରୁଥିଲା ପରା, ମୋତେ ପଥର କର, ମୂକ, ଅର୍ଥବ କଠିନ କର ଭଗବାନ ଠିକ୍ ତୁମରି ପରି ।

Image